Unknown

 

 

 

 

 

 

 

 

 

 

 

ମୁକ୍ତିମନ୍ତ୍ର

ସାତକଡ଼ି ହୋତା

 

ମୋର ନାତୁଣୀ ଓ ନାତିମାନଙ୍କୁ ସ୍ନେହୋପହାର–

ସଂଘମିତ୍ରା

 

ଶ୍ରଦ୍ଧା

 

ଶିବାନୀ

 

ଶ୍ରୁତି

 

ମନୀଷା

 

ଶିବାଶିଷ

 

ସୋମା

 

ଶୁଭେନ୍ଦୁ...

 

ଅଜା / ଜେଜେବାପା

 

ମୁଖବନ୍ଧ

 

ଭାରତ ସ୍ୱାଧୀନ ହେବାର ଅଠରବର୍ଷ ପୂର୍ବେ ମୋର ଜନ୍ମ । ପରାଧୀନ ଦେଶରେ ଜନ୍ମିବାର ଗ୍ଲାନି ମନକୁ ଅଥୟ କରୁଥାଏ । ସେଥିପାଇଁ ଛାତ୍ରାବସ୍ଥାରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ମୋର ଅନୁରାଗ ଥିଲା ଏବଂ ଛାତ୍ର ଆନ୍ଦୋଳନରେ ଯୋଗଦେଇଥିଲି ବିଦେଶୀ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ । ମୟୂରଭଞ୍ଜ ଥିଲା ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରଭାବଶାଳୀ ଗଡ଼ଜାତ ରାଜ୍ୟ-। କିନ୍ତୁ ମୟୂରଭଞ୍ଜର ମହାରାଜା ଅତ୍ୟାଚାରୀ ନଥିଲେ, ବରଂ ପ୍ରଜାମାନଙ୍କ ସୁଖଦୁଃଖ ବୁଝୁଥିଲେ-। ସେହି କାରଣରୁ ମୟୂରଭଞ୍ଜରେ ଶରତ ଦାସଙ୍କ ନେତୃତ୍ଵରେ ପ୍ରଜାଆନ୍ଦୋଳନ ଚାଲୁଥିବା ବେଳେ ତାହା ରାଜା ବିରୋଧୀ ଆନ୍ଦୋଳନ ନହୋଇ ମୁଖ୍ୟତଃ ସ୍ଵାଧୀନତା ଆନ୍ଦୋଳନ ଥିଲା । ପରାଧୀନ ଭାରତରେ ସ୍ୱାଧୀନତା ସଂଗ୍ରାମ କିପରି ରୋମାଞ୍ଚ ସୃଷ୍ଟି କରୁଥିଲା ତାହା ଆଜି ସ୍ଵପ୍ନପରି ମନେହେବ-। ବର୍ତ୍ତମାନର ଯୁବନାଗରିକମାନେ ସ୍ୱାଧୀନତା ସଂଗ୍ରାମ ବିଷୟରେ ଖୁବ୍ କମ୍ ଜାଣନ୍ତି-। ଗୋଟିଏ ପରାଧୀନ ଦେଶର ମୁକ୍ତି ସଂଗ୍ରାମର ଏତେ ଲୋମହର୍ଷକ କାହାଣୀ ସ୍ଵାଧୀନୋତ୍ତର ଭାରତର ସମସ୍ତ ନାଗରିକ ଜାଣିବା ଉଚିତ । ତା’ ନହେଲେ ଦେଶ ଓ ଜାତି ପାଇଁ କିପରି ସର୍ବସ୍ୱ ତ୍ୟାଗ କରାଯାଇପାରେ ସେଇ ତଥ୍ୟସମ୍ବଳିତ କେତେକ ଅମର ସହିଦଙ୍କ ସେଇ ଅଙ୍ଗେନିଭା କାହାଣୀ ଅଜ୍ଞାତ ରହିଯିବ । ମୁଁ ବେଳେ ବେଳେ ମୋ ପୁଅଝିଅଙ୍କୁ ସେଇ କାହାଣୀ କହିଛି । ଥରେ ଅହମଦାବାଦର ସାବରମତୀ ଆଶ୍ରମରେ ଗାନ୍ଧିଜୀଙ୍କ ଜୀବନ କାହାଣୀ ମୋ ସାନପୁଅକୁ ବୁଝାଉଥିବା ବେଳେ ତା’ର ଉତ୍ସାହ ଦେଖି ଭାରତର ମୁକ୍ତିସଂଗ୍ରାମ ଉପରେ ଏକ ଉପନ୍ୟାସ ଲେଖିବା ପାଇଁ ଇଚ୍ଛା ହେଲା । ସ୍ଵାଧୀନତା ପରେ ମୋ ପୁଅଝିଅଙ୍କର ଜନ୍ମ । ଏ ଦେଶର ମୁକ୍ତିସଂଗ୍ରାମର କାହାଣୀ ସମସ୍ତେ ଜାଣିବା ଉଚିତ । ଦେଶ ଯେ ସବୁଠାରୁ ବଡ଼ ଏବଂ ଦେଶରକ୍ଷା ସକାଶେ ପ୍ରତି ନାଗରିକ ଜୀବନକୁ ବାଜି ଲଗାଇ ଦେବା ତା’ର କର୍ତ୍ତବ୍ୟ ଏଇ ଭାବନା ଆମର ଉତ୍ତରାଧିକାରୀମାନଙ୍କୁ ଅନୁପ୍ରାଣିତ କଲେ ଦେଶ କେବେ ପରାଧୀନ ହେବ ନାହିଁ କି ଦେଶବାସୀ ଆଉ କେବେ କାହାରି ଗୋଲାମ ହେବେ ନାହିଁ । ସେଥିପାଇଁ ସ୍ୱାଧୀନତା ସଂଗ୍ରାମର ଗୋଟିଏ ଅଧ୍ୟାୟକୁ ଆଧାର କରି ‘ମୁକ୍ତିମନ୍ତ୍ର’ ଉପନ୍ୟାସ ଲେଖି ଉତ୍ତରପୁରୁଷଙ୍କୁ ଉପହାର ଦେଉଛି । ସେମାନେ ଏଇ ଉପନ୍ୟାସ ପାଠକରି ଯଦି ରୋମାଞ୍ଚିତ ହୁଅନ୍ତି ତେବେ ସଂଗ୍ରାମୀମାନଙ୍କ ତ୍ୟାଗ ସାର୍ଥକ ହେବ ।

 

ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟା ଗ୍ରାମରେ ମୋର ଜନ୍ମ । ଆମ ଗାଁ, ଏହାର ପରପାର୍ଶ୍ଵ ଏବଂ ଚରିତ୍ର ଓ ଘଟଣାବଳୀକୁ ଆଧାର କରି ଆରମ୍ଭ ହୋଇଛି ଏ ଉପନ୍ୟାସ । ଜନ୍ମେଜୟଙ୍କ ଚରିତ୍ର ଧନଞ୍ଜୟଙ୍କୁ ଆଶ୍ରୟକରି ଗଢ଼ି ଉଠିଥିଲାବେଳେ ମୋ ବାପା ଓ ମା’ଙ୍କୁ ଆଶ୍ରା କରି ଗଢ଼ିଉଠିଛି ବିଶ୍ଵନାଥ ଓ ପାର୍ବତୀଙ୍କ ଚରିତ୍ର । ମୋ ବାପା ଥିଲେ ସ୍ୱାଧୀନଚେତା ଏବଂ ପ୍ରଜାଆନ୍ଦୋଳନକୁ ସମର୍ଥନ କରି ବହୁ କଷ୍ଟ ଭୋଗକରିଥିଲେ । ଅନ୍ୟାନ୍ୟ ଅନେକ ଚରିତ୍ର ଓ ଘଟଣାବଳୀ ସତ୍ୟ ଉପରେ ଆଧାରିତ । ଶଙ୍କର ଚରିତ୍ରରେ ମୋର ସ୍ଵପ୍ନ ଓ ସଂଗ୍ରାମ ପ୍ରତିଫଳିତ ହୋଇଥିବାବେଳେ ମୋ ସ୍ତ୍ରୀ ଗୀତାର ବାଲ୍ୟ ଓ କୈଶୋର ପ୍ରତିଫଳିତ ହୋଇଛି ଗାୟତ୍ରୀ ଚରିତ୍ରରେ । ସେତେବେଳେ ମୋର ଶ୍ଵଶୁର ଥିଲେ ଗୋପୀବଲ୍ଲଭପୁର (ନୟାବସାଣ) ଉଚ୍ଚ ଇଂରାଜୀ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଏବଂ ବିପ୍ଳବୀମାନଙ୍କ ସହିତ ତାଙ୍କ ପରିବାରର ଥିଲା ଗୋପନ ସମ୍ପର୍କ ।

 

କିନ୍ତୁ ତଥାପି କହିରଖେ ଯେ, ଏହା ଇତିହାସ ନୁହେଁ କି ଜୀବନ କାହାଣୀ ନୁହେଁ ‘ମୁକ୍ତିମନ୍ତ୍ର’ ସ୍ଵାଧୀନତା ଆନ୍ଦୋଳନର ପୃଷ୍ଠଭୂମିରେ କଳ୍ପନାଶ୍ରିତ ଗୋଟିଏ ଉପନ୍ୟାସ । ସାହିତ୍ୟ ଇତିହାସ ନୁହେଁ, ତେଣୁ ଏଥିରେ ବର୍ଣ୍ଣିତ ସଶସ୍ତ୍ର ସଂଗ୍ରାମର ସମସ୍ତ ଘଟଣା ଓ ଚରିତ୍ର ମଧ୍ୟ ସତ୍ୟ ନୁହେଁ । ଉପନ୍ୟାସଟି କଳ୍ପନାପ୍ରସୂତ ହେଲେ ମଧ୍ୟ ଏହାର ଭିତ୍ତିଭୂମି ସ୍ୱାଧୀନତା ସଂଗ୍ରାମକୁ ନେଇ ଗଢ଼ିଉଠିଛି । କିନ୍ତୁ ତାହା ନିଛକ କଳ୍ପନା ନୁହେଁ । କଳ୍ପନା ନଥାଇ ସାହିତ୍ୟ ସୃଷ୍ଟି କରାଯାଇପାରେନାହିଁ–କିନ୍ତୁ କିଛି ବାସ୍ତବତାକୁ ଆଧାର କରି କାହାଣୀର ସୌଧ ନିର୍ମାଣ କରାଯାଇପାରେ ।

 

ଭାରତର ସ୍ୱାଧୀନତା ଲାଭ ସକାଶେ ଦୁଇଟି ମାର୍ଗ ଅନୁସରଣ କରାଯାଇଥିଲା—ପ୍ରଥମଟି ସତ୍ୟ ଓ ଅହିଂସାକୁ ଆଧାରକରି ଗାନ୍ଧିଜୀଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା ତ, ଦ୍ଵିତୀୟଟି ଥିଲା ହିଂସାତ୍ମକ ସଶସ୍ତ୍ର ସଂଗ୍ରାମର ମାର୍ଗ । ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳ ଥିଲା ସଶସ୍ତ୍ର ସଂଗ୍ରାମର କେନ୍ଦ୍ରଭୂମି । ମୟୂରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର ଏବଂ ବିହାରର ସିଂହଭୂମି ଜିଲ୍ଲା ମେଦିନୀପୁର ସହିତ ପ୍ରାୟ ସବୁ ବିଷୟରେ ସଂଶ୍ଳିଷ୍ଟ । ସୁତରାଂ ମେଦିନୀପୁରର ସଂଗ୍ରାମୀମାନଙ୍କର ପ୍ରଭାବ ଏସବୁ ଜିଲ୍ଲାରେ ଅଳ୍ପବହୁତ ପଡ଼ୁଥିଲା । ମେଦିନୀପୁର ଜିଲ୍ଲାର ଗୋପୀବଲ୍ଲଭପୁର ଅଞ୍ଚଳର ଧନଞ୍ଜୟ କର ଥିଲେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଜଣେ ସ୍ୱାଧୀନତା ସଂଗ୍ରାମୀ । ସ୍ଵାଧୀନତା ଲାଭ ପରେ ସେ ପ୍ରଜା ସୋସାଲିଷ୍ଟ ପାର୍ଟିରେ ଯୋଗଦେଇଥିଲେ ଏବଂ ଥରେ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ସଶସ୍ତ୍ର ସଂଗ୍ରାମ ଚାଲିଥିବାବେଳେ ସଂଗ୍ରାମୀମାନେ ଓଡ଼ିଶାର ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଓ ବିହାରର ସିଂହଭୂମିକୁ ପଳାଇଆସି ଆତ୍ମଗୋପନ କରିଥିଲେ । ତାହା ମଧ୍ୟ ଥିଲା ଦ୍ଵିତୀୟ ବିଶ୍ୱଯୁଦ୍ଧର ସମୟ । ଯୁଦ୍ଧ ସମୟର ସାଧାରଣ ଚିତ୍ର ଏଇ ଉପନ୍ୟାସରେ ବର୍ଣ୍ଣନା କରିଛି । ବସ୍ତୁତଃ ଦ୍ଵିତୀୟ ବିଶ୍ଵଯୁଦ୍ଧ ହିଁ ଚଳନ୍ତି ମୂଲ୍ୟବୋଧର ଅବକ୍ଷୟକାଳ ! ମଣିଷର ଉଚ୍ଚତର ଚେତନାକୁ ପରାହତକରି ଏହିଠାରୁ ଆରମ୍ଭହେଲା ନିମ୍ନ ଚେତନାର ଜୟଯାତ୍ରା । ସଭ୍ୟତାର ଉତ୍ତରଣ ସତ୍ତ୍ୱେ ମଣିଷ ହେଲା ଅଧକ ସ୍ଵାର୍ଥପର, ସଂକୀର୍ଣ୍ଣ, ହିଂସ୍ର ଓ ନିଷ୍ଣୁର । ତଥାପି ମାନବିକତା ଉଭେଇଯାଇନାହିଁ, ବରଂ ଏହାର ଝଲକ ବେଳେ ବେଳେ ଚମକାଇଦିଏ ସମାଜକୁ । ଆଗକୁ ଯିବା ପାଇଁ ବାଟ କଢ଼ାଏ ସେଇ ଆଲୁଅ–ଅନ୍ଧାର ଭିତରେ ଦୀପଟିଏ ଜଳି ଉଠିବା ପରି ।

 

ଭାରତ ସ୍ୱାଧୀନ ହେବାର ପଚାଶ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ସାଡ଼ମ୍ବର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେବ ଦେଶରେ । ଏଇ ଅବସରରେ ଆମ ପୁଅଝିଅ ଓ ଝିଆରୀ ପୁତୁରାମାନେ ସ୍ୱାଧୀନତାର ମୂଲ୍ୟ କେଡ଼େ ମହାର୍ଘ ଏବଂ ଏହାର ସୁରକ୍ଷା ପାଇଁ କିପରି ସର୍ବସ୍ୱ ତ୍ୟାଗ କରାଯାଇପାରେ ତାହା ଯଦି ଅନୁଭବ କରନ୍ତି ତେବେ ସ୍ୱାଧୀନତାର ମୂଲ୍ୟ ସହିତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ସାର୍ଥକ ହେବ । ସଦା ଜାଗ୍ରତ ରହିବାହିଁ ସ୍ଵାଧୀନତାର ମୂଲ୍ୟ । ସେଇ ମୂଲ୍ୟ ଦେବା ପାଇଁ ଭାରତବାସୀ ପ୍ରସ୍ତୁତ ଥିବାଯାଏ ଯେତେ ଶକ୍ତିଶାଳୀ ହେଉ ପଛକେ କୌଣସି ଶକ୍ତି ଭାରତକୁ ଆଉଥରେ ପଦାନତ କରିପାରିବନାହିଁ । ଦେଶର ସଂହତି ଓ ଐକ୍ୟ କୌଣସି କଳ୍ପନା ଉପରେ ଗଢ଼ିଉଠେ ନାହିଁ; ଏହା ଦେଶବାସୀଙ୍କର ନିଜସ୍ଵ ଜୀବନଦର୍ଶନ ଓ ଦେଶାଭିମାନର ଉପାଦାନ-। ଭାରତର ଜନଜୀବନରେ ବହୁ ଭାଷା, ଧର୍ମ ଓ ସଂସ୍କୃତିର ପ୍ରଭାବ ସୁସ୍ପଷ୍ଟ । ଏସବୁର ସମ୍ମିଶ୍ରଣରେ ହିଁ ଭାରତୀୟ ଜାତୀୟତାର ବିକାଶ ହୋଇଛି । ଏସବୁକୁ ନେଇ ଗଢ଼ିଉଠିଛି ସଂହତି ଓ ସମୟ ଏବଂ ସେହି ଭିତ୍ତି ଉପରେ ବିକଶିତ ହୋଇଛି ଭାରତୀୟତା । ଏଇ ମିଳନ ଓ ମିଶ୍ରଣ ଶାଶ୍ଵତ-

 

ପୂର୍ବରୁ ମୁଁ ପନ୍ଦରଟି ଉପନ୍ୟାସ ରଚନା କରିଛି, କିନ୍ତୁ ‘ମୁକ୍ତିମନ୍ତ୍ର’ ଲେଖିବା ବେଳେ ମୁଁ ସେଥିରେ ସମ୍ପୂର୍ଣ୍ଣ ମଗ୍ନ ହୋଇଯାଇଥିଲି । ଏତେ ଆନନ୍ଦ ଅନ୍ୟ କୌଣସି ଉପନ୍ୟାସ ବା ଗଳ୍ପ ରଚନାରୁ ପାଇନାହିଁ କେବେ । ମୋ ଭିତରେ ଛାତ୍ରାବସ୍ଥାରୁ ଦେଶାତ୍ମବୋଧର ଯେଉଁ ଚେତନା ପ୍ରଜ୍ଜଳିତ ହୋଇଥିଲା ଏହା ବୋଧହୁଏ ତାହାରି ଫଳଶ୍ରୁତି । ‘ମୁକ୍ତିମନ୍ତ୍ର’ର ପାଣ୍ଡୁଲିପି ଏକାଧିକଥର ପାଠକରି ବନାନ୍ ଅଶୁଦ୍ଧି ବା ତଥ୍ୟଗତ ପ୍ରମାଦ ଦୂର କରିବା ପାଇଁ ପ୍ରକାଶକ ଓ ସହୃଦୟବନ୍ଧୁ ଶ୍ରୀ ଅଭିରାମ ମହାପାତ୍ର ଯେପରି ନିଷ୍ଠା ଦେଖାଇଛନ୍ତି ତା’ର ପଟାନ୍ତର ନାହିଁ । ମୁଁ ତାଙ୍କ ନିକଟରେ କୃତଜ୍ଞ । ଏହି ଉପନ୍ୟାସ ରଚନା କରିବାରେ ଯେଉଁମାନେ ମୋତେ ସାହାଯ୍ୟ କରିଛନ୍ତି ସେମାନଙ୍କର ଓ ମୋ ସ୍ତ୍ରୀ ଗୀତାର ଅବଦାନକୁ ମୁଁ ଶ୍ରଦ୍ଧାର ସହିତ ସ୍ମରଣ କରୁଛି ।

 

‘ମୁକ୍ତିମନ୍ତ୍ର’ ସ୍ଵାଧୀନୋତ୍ତର ଭାରତର କିଶୋର କିଶୋରୀ, ତରୁଣ ତରୁଣୀମାନଙ୍କ ପାଇଁ ଲେଖିଛି । ଏହି ଉପନ୍ୟାସ ପଢ଼ିବା ପରେ ସେମାନଙ୍କ ମନରେ ଯଦି କିଞ୍ଚିତ୍ ଦେଶପ୍ରୀତି ଓ ମୁକ୍ତିଚେତନା ଉଦ୍ରେକ ହୁଏ ତେବେ ମୋର ଶ୍ରମ ସାର୍ଥକ ହେବ ।

 

ମକର ସଂକ୍ରାନ୍ତି

ସାତକଡ଼ି ହୋତା

ଭୁବନେଶ୍ଵର

୧୪ । ୧ । ୯୭

☆☆☆

 

[ ୧ ]

 

ଶୀତର କଷଣ ସହି ଦେହର ଚମ ଠାଏ ଠାଏ ଫାଟିଗଲାଣି । ଖେତ ନ ଥିବା ବିଲକୁ ଚାହିଁଲେ ଏହାର ନିରିମାଖି ଉଜୁଡ଼ା ରୂପ ମାଡ଼ି ମାଡ଼ି ପଡ଼େ । ବିଲବାଡ଼ିରେ ଘାସ ନାହିଁ ବୋଲି ଗୋରୁ ମଇଁଷି ମୁହଁ ଟେକି ବୁଲନ୍ତି । ଗଛରୁ ଗଛକୁ ଆଶ୍ରା ଖୋଜି ଏଣେତେଣେ ବୁଲନ୍ତି ଚଢ଼େଇମାନେ । ତଥାପି ଜୀବନ ଯାତ୍ରା ସେହିପରି ଚାଲିଛି ।–ବିରତି ନାହିଁ କି ବିରାମ ନାହିଁ–ଠିକ୍ ନଈର ସୁଅ ପରି–ଚାଲିଛି ମଣିଷ । ନଈର ଲକ୍ଷ୍ୟ ସାଗର, କିନ୍ତୁ ମଣିଷର ଲକ୍ଷ୍ୟ ସାତତାଳ ପାଣୀକୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଖସିଯାଏ ହାତ ପାହାନ୍ତାରୁ । ସେ ଧରିବାକୁ ଯାଇ ଧରିପାରେନା, ପାଦ ଖସିଯାଏ, କଚାଡ଼ି ହୋଇ ପଡ଼ିଯାଏ । ଝାଡ଼ିଝୁଡ଼ି ହୋଇ ପୁଣି ଉଠେ, ପୁଣି ଚାଲେ । ଅନନ୍ତକାଳର ଦୃଶ୍ୟ ଇଏ । ଏହାର ଆରମ୍ଭ ଥିଲା କିନ୍ତୁ ଶେଷ ନାହିଁ । ପାଦ ଦୁଇଟା ତ ଆଗକୁ ଚାଲିବା ପାଇଁ । ଏତେ ବାଟ ଚାଲି ଆସିଛି ବୋଲି ଗଢ଼ିଉଠିଚି ଏଇ ସଭ୍ୟତା । ଅରଣ୍ୟର ଅସଭ୍ୟ ମଣିଷ ସଭ୍ୟ ଶିକ୍ଷିତ ହୋଇଛି । ତଥାପି ଶେଷ ସୀମା ଆହୁରି ଅନେକ ଦୂରରେ । ଉତ୍ତରଣର ପଥ ଦୀର୍ଘ, ଏଥିରେ ଚାଲିବା ଆୟାସସାଧ୍ୟ, କିନ୍ତୁ ଝାଳନାଳ ହୋଇ, ଲହୁଲୁହାଣ ହୋଇ ଚାଲିଚି ମଣିଷ । ଏ ଯାତ୍ରାର ଶେଷ ନାହିଁ ବୋଲି ପୂର୍ବଜମାନେ କହିଛନ୍ତି–ଚରୈବେତି ଚରୈବେତି–ଆଗକୁ ଚାଲ, ଆଗକୁ ଚାଲ । ନ ଚାଲି ସ୍ଥିର ହୋଇ ଗୋଟିଏ ରହିଯିବା ଗୋଟିଏ ଜାଗାରେ ରହିଯିବା ହିଁ ମୃତ୍ୟୁ ।

 

ଏ ବର୍ଷ ଭାଦ୍ରରେ ମଳମାସ ପଡ଼ିଥିଲା ବୋଲି ଏତେ ଡେରିରେ ପଡ଼ିଲା ଯେ ମାଣବସା ଶେଷ ଗୁରୁବାର । ସୁଦଶାବ୍ରତ ସହିତ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଘରେ ଘରେ ଆୟୋଜନ । ମାର୍ଗଶୀର ମାସର ଖଳାର ଧାନ କୋଉଦିନୁ ଚାଲିଆସିଲାଣି ଖମାର ଘରକୁ । ବଡ଼ିଭୋରରୁ ଉଠି ନିତ୍ୟକର୍ମ ଶେଷକରି ପାର୍ବତୀ ଚିତ୍ର ଆଙ୍କିବାରେ ବ୍ୟସ୍ତ । ପଦ୍ମ ଫୁଟିଛି ଦୁଆର ମୁହଁରୁ ଠାକୁର ଘରଯାଏ । ମଝିରେ ମଝିରେ କୁନି କୁନି ଲକ୍ଷ୍ମୀପାଦ । କାନ୍ଥରେ ଧାନଶିଁଷାର ଚିତ୍ର । ପଣତ ବେକ ଚାରିପାଖରେ ଗୁଡ଼େଇ ଦେଇଛନ୍ତି ଶୀତରୁ ରକ୍ଷାପାଇବା ପାଇଁ । କିନ୍ତୁ ଭୋର ସକାଳେ ଆଦ୍ୟ ପୌଷର ଶୀତ ସମ୍ଭାଳି ହୁଏନା ଏତିକିରେ । ଚାଦର ଖଣ୍ଡେ ଆଣିବେ ଆଣିବେ କହି ଆଣି ପାରି ନାହାନ୍ତି ବିଶ୍ଵନାଥ । ପାର୍ବତୀଙ୍କୁ ଚାହିଁଦେଲେ ମୁହଁ ନଇଁଯାଏ । ଶାଢ଼ୀଟା ଫାଟିଗଲାଣି ଠାଏ ଠାଏ । ସେଇ ଗୋଟିଏ ଲୁଗାରେ କାମ ଚଳୁଚି । ଧୁଆ ପଖଳା ହେଲେ ଆଉ ଖଣ୍ଡେ ଲୁଗା ନାହିଁ ବଦଳେଇବାପାଇଁ ଯେ କନ୍ଥା ଘୋଡ଼େଇ ଆଟୁ ଘରେ ବସିରହନ୍ତି ଲୁଗା ଶୁଖିବା ପର୍ଯ୍ୟନ୍ତ । ତଥାପି ମୁହଁ ଖୋଲି ସ୍ଵାମୀଙ୍କୁ କହିନାହାନ୍ତି ଦିନେ ଆଉ ଖଣ୍ଡେ ଶାଢ଼ୀ ବା ଚାଦର ଖଣ୍ଡେ ଆଣିବାପାଇଁ ।

 

ପାର୍ବତୀ ମଉନ ହୋଇ ସବୁ କଷଣ ସହିଯିବା ବଡ଼ ବାଧେ ବିଶ୍ଵନାଥଙ୍କୁ । କିନ୍ତୁ କରିବେ କ’ଣ ? ସେ ବି ତ ନିରୂପାୟ । ଅଠର ବର୍ଷରେ ବାପା ଚାଲିଗଲେ । ତା’ପରେ ପରେ କକାପୁଅମାନେ ଅଲଗା ହୋଇଗଲେ ଏକାନ୍ନବର୍ତ୍ତୀ ଏତେ ବଡ଼ ପରିବାରର ଆକାର କମିଗଲା ସତ, କିନ୍ତୁ ତଥାପି ବିଧବା ମା’, ଦୁଇ ସାନ ଭାଇ, ଜଣେ ଭଉଣୀର ଦ୍ଵାୟିତ୍ଵ ପଡ଼ିଲା ତାଙ୍କ ଉପରେ-। ପାର୍ବତୀଙ୍କ କଥା ଭାବିବା ଆଗରୁ ସେଥିପାଇଁ ଆଗେ ସେମାନଙ୍କ ବିଷୟ ଭାବିବାକୁ ପଡ଼େ-। ଏହାବାଦ୍‍ ଦୁଇ ଝିଅ, ଦୁଇ ପୁଅଙ୍କ କଥା । ବାଉଁଶଗଜା ପରି ହୁ ହୁ ହୋଇ ସେମାନେ ବଢ଼ୁଛନ୍ତି ଦିନକୁ ଦିନ । ତଥାପି ଆଶା ରଖନ୍ତି ବିଶ୍ଵନାଥ । ଆକାଶରେ ଭାସୁଥିବା ମେଘ ଚେନାଏ ଦିନେ ନା ଦିନେ ବର୍ଷିବ ଏଇ ଆଶା ଶକ୍ତି ଦିଏ ତାଙ୍କୁ ସବୁ ସମସ୍ୟାର ସମାଧାନ କରିବା ପାଇଁ । ସବୁ ଦୁଃଖ କଷ୍ଟ ସହିଯିବା ପାଇଁ । ବଞ୍ଚିତର ଦୁଃଖଗୁଡ଼ା ଠିକ୍ ଏଇ ଶୀତଦିନର କଷଣ ପରି । କିଛି ପ୍ରତିକାର ନାହିଁ, କେବଳ ସହିଯିବାକୁ ହୁଏ । ସେଥିପାଇଁ ବୋଧହୁଏ ଭାଗବତରେ ଅଛି–କର୍ମ କଷଣ ଦେବ ସହେ, ଅରଣ୍ୟେ ଅଜଗର ପ୍ରାୟେ ।

 

ଲକ୍ଷ୍ମୀପୁରାଣର କାହାଣୀ ଚମକାଇ ଦିଏ ବିଶ୍ଵନାଥଙ୍କୁ । ଉଗ୍ର ଜାତିଭେଦ ପ୍ରଥା ଚାଲୁଥିଲାବେଳେ ବଳରାମ ଦାସ ଲକ୍ଷ୍ମୀପୁରାଣ ରଚନା କରି ସେ ଅସୀମ ସାହସର ପରିଚୟ ଦେଇଥିଲେ ଏଥିରେ ସନ୍ଦେହ ନାହିଁ । ଭଗବାନ ଯେ ସମସ୍ତଙ୍କର, ସବୁ ଜାତି ସବୁ ସମ୍ପ୍ରଦାୟର ଲୋକମାନେ ସମାନ ଭାବେ ଯେ ତାଙ୍କର ପ୍ରିୟ, ଲକ୍ଷ୍ମୀପୁରାଣର ଏଇ ଅନ୍ତନିର୍ହିତ ବାଣୀ ମୁଗ୍ଧ କରେ ତାଙ୍କୁ । ମାର୍ଗଶୀର ମାସର ପ୍ରତି ଗୁରୁବାର ଲକ୍ଷ୍ମୀପୁରାଣ ପଢ଼ି ଶୁଣାନ୍ତି ସେ ପାର୍ବତୀଙ୍କୁ । ବ୍ରାହ୍ମଣ ପରି ଚଣ୍ଡାଳ ବି ମହାଲକ୍ଷ୍ମୀଙ୍କ ପ୍ରିୟ । ଯୁଗେ ଯୁଗେ ଭକ୍ତର ଭଗବାନ । ସେଥିପାଇଁ ଶ୍ରୀୟା ଚଣ୍ଡାଳୁଣୀ ଘରେ ବିଜେ କରିଥିଲେ ଲକ୍ଷ୍ମୀ ଠାକୁରାଣୀ ।

 

ପାର୍ବତୀ ଠାକୁରଘରେ ପୂଜା ଶେଷ କରି ଲକ୍ଷ୍ମୀପେଡ଼ି ଆଗରେ କାକରା, ଖିରି, ମଣ୍ଡା ଭୋଗ ଦେଇ, ଏକାଗ୍ର ଚିତ୍ତରେ ଚାହିଁ ରହିଲେ ସ୍ଵାମୀଙ୍କ ମୁହଁରୁ ଲକ୍ଷ୍ମୀପୁରାଣ ଶୁଣିବା ପାଇଁ । ବିଶ୍ଵନାଥ ବୋଲିବାକୁ ଲାଗିଲେ–

 

“ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ

ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।”

 

ଶାଶୁଘରକୁ ଆସିବା ପରେ ପ୍ରତି ଲକ୍ଷ୍ମୀପୂଜା ଦିନ ଏଇ କଥା ଶୁଣୁଛନ୍ତି ପାର୍ବତୀ । ତାଳପତ୍ର ପୋଥି ଖୋଲି ଭାବବିହ୍ଵଳ ହୋଇ ପଢ଼ନ୍ତି ବିଶ୍ଵନାଥ । ଜଗତ୍‍ଜନନୀଙ୍କ ମହିମାମୟ ରୂପ ଭାସିଉଠେ ଛଳଛଳ କରୁଥିବା ଆଖି ଆଗରେ । ସବୁ ମଣିଷ ତାଙ୍କର ପୁଅ ଝିଅ । ସେମାନଙ୍କର ଜାତି, ଧର୍ମ, ଗୋତ୍ର ଏକ, ଧର୍ମ ଏକ । ସମସ୍ତେ ଯେ ମା’ଙ୍କର ଅତି ଆଦରର ସନ୍ତାନ ଏଇ ସେମାନଙ୍କର ପ୍ରିୟ । ପୋଥି ପଢ଼ିବାବେଳେ ଥରେ ଥରେ ରହିଯାଇ ଶାସ୍ତ୍ରକଥା ସ୍ତ୍ରୀଙ୍କୁ ଭଲଭାବେ ବୁଝାଇଦେଇ କହନ୍ତି ବିଶ୍ଵନାଥ– “ମଣିଷ ତ ଧର୍ମ, ଜାତି, ଗୋତ୍ର ନେଇ ଆସି ନଥିଲା ସଂସାରକୁ–ଏ ସବୁ ମଣିଷର ମନଗଢ଼ା । ଏ ସବୁ ଉଚ୍ଚ ନୀଚ୍ଚ ଭେଦଭାବ ମଣିଷର ଭିଆଣ । ସୃଷ୍ଟିକର୍ତ୍ତାଙ୍କ ଦୃଷ୍ଟିରେ ସମସ୍ତେ ସମାନ । ଲୋକଙ୍କ ମନରୁ ଭେଦଭାବ, ଅଜ୍ଞତା, ପର-ଆପଣା ଭାବ ଦୂର କରିବା ପାଇଁ ବଳରାମ ଦାସ ଲେଖିଛନ୍ତି ଏକ ଉପଖ୍ୟାନ । ଲକ୍ଷ୍ମୀ ଠାକୁରାଣୀଙ୍କୁ ଚଣ୍ଡାଳୁଣୀ ଘରକୁ ଯାଇଥିବା ଦୋଷ ଦେଇ ବଡ଼ଦେଉଳରୁ ସିନା ବାହାର କରିଦେଲେ ଦୁଇଭାଇ, କିନ୍ତୁ ବାର ବରଷ କେମିତି ବାର ଓଳି ଶୁଣ୍ଢିପିଣ୍ଡା ହେଲେ ଶୁଣିଲ ତ ! କିନ୍ତୁ ଭୁଲ ଭାଙ୍ଗିଲା ବହୁତ ପରେ ।’’ “ଆହା ! କେତେ କଷ୍ଟ ନ ପାଇଲେ ମହାପ୍ରୁ’’...ଆଖିରୁ ଲୁହ ପୋଛି କହିଲେ ପାର୍ବତୀ ।

 

ଲକ୍ଷ୍ମୀପୁରାଣ ପଢ଼ିସାରି ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ବିଶ୍ଵନାଥ ପାର୍ବତୀଙ୍କୁ କହିଲେ– “ଏଥିରୁ ଏତିକି ମନେରଖ ଯେ ଭଗବାନ କେବଳ ଧନୀ, ମାନୀ, ଗୁଣୀ, ଜ୍ଞାନୀର ନୁହନ୍ତି-। ସେ ସମସ୍ତଙ୍କର । ଯେ ଶ୍ରଦ୍ଧା ଓ ଭକ୍ତିରେ ଡାକେ ସେ ପାଏ । ଶ୍ରୀୟା ଚଣ୍ଡାଳୁଣୀ ମହା ଭାଗ୍ୟବତୀ-। ତା’ର ନିଷ୍ଠା ଓ ଶ୍ରଦ୍ଧା ଭକ୍ତିରେ ସନ୍ତୁଷ୍ଟ ହୋଇ ମା’ ଲକ୍ଷ୍ମୀ ତାହାରି ଘରକୁ ବିଜେ କରିଥିଲେ ପ୍ରଥମେ । ତାଙ୍କଠାରେ ଅଚଳ ଭକ୍ତି ରଖ ପାର୍ବତୀ, ଆମର ଦୁଃଖ କଷ୍ଟ ବି ଦିନେ ହରଣ କରିବେ ସକାଳର ଆଲୁଅ ଅନ୍ଧାରକୁ ଗ୍ରାସ କଲାପରି ।’’

 

ପାର୍ବତୀଙ୍କ ମୁହଁ ଉପରେ ପ୍ରସନ୍ନତାର ସରୁ ରେଖାଟିଏ ଉଜ୍ଜ୍ଵଳି ଉଠେ । ସେ ଏହିପରି–କମ୍ କଥା କୁହନ୍ତି । ସଦାବେଳେ କିଛି ଭାବୁଥିବା ପରି ମୁହଁ । ଖୁସି ହେଲେ ଅପ୍ରକାଶିତ ସରୁ ହସର ଆଭା ଉକୁଟେ ମୁହଁ ଉପରେ । ପୃଥିବୀଯାକର ବୋଝ ବୋହି ବି ଥକିପଡ଼ିନି ବାସୁକୀ । ସେଇ ଅନନ୍ତକାଳର ବୋଝ ବୋହି ଦିନେ ପ୍ରତିବାଦ କରିନି କି ବୋଝ ଉତ୍ତାରି ଦେବା ଲାଗି ଇଚ୍ଛା କରିନି । ଏ’ ୟା ତା’ର ଭବିତବ୍ୟ–ବିଧିଲିପି । ପାର୍ବତୀଙ୍କ ମୁଣ୍ଡ ଉପରେ ସଂସାରଯାକର ବୋଝ; ଘରଯାକର ଜଞ୍ଜାଳ । ଦେହକୁ ଅକୁଳାଣ ହେଉଥିବା ଲୁଗା ଦ୍ଵାରା ଲଜ୍ଜା ନିବାରଣ କରିବା କେଡ଼େ କଷ୍ଟ ତାହା ପ୍ରତି ମୁହୂର୍ତ୍ତରେ ଅଙ୍ଗେ ନିଭାନ୍ତି ସେ ।

 

ସ୍ଵାମୀ, ଦିଅର, ନଣନ୍ଦ, ଶାଶୁ ଓ ପୁଅ ଝିଅଙ୍କୁ ବାଢ଼ିଦେଲେ ପ୍ରସାଦ । କେବଳ ମହାଲକ୍ଷ୍ମୀଙ୍କର ଭୋଗର ଅଧିକାରୀ ସେ ନିଜେ–ଆଉ କାହାରି ସେଥିରେ ଭାଗ ନାହିଁ । ସମସ୍ତେ ଖାଇ ପିଇ ଉଠିବା ପରେ ଗୋଟିଏ ନିରୋଳା ପରିଷ୍କାର ଜାଗାରେ ପ୍ରସାଦ ସେବା କରିବାକୁ ଯିବା ବେଳେ ଦାଣ୍ଡଦୁଆରେ ଛିଡ଼ା ହୋଇ ଭିକାରି କହିଲା–ମୁଠେ ଦିଅ ମା’...। ଫାଳେ କଦଳୀ ପତ୍ର ଆଣି, ପିଠା ଚୁଡ଼ାଘଷା କିଛି ବାଡ଼ି ଦେଇ କହିଲେ–ଆଜି ଭିକ ଦିଅନ୍ତିନି…ମାଣବସା ଗୁରୁବାର… ଏଇ ପ୍ରସାଦ ଖାଅ…। ପ୍ରସାଦ ଖାଇ ପରମ ତୃପ୍ତିରେ ଭିକାରୀ ଚାଲିଗଲା ପରେ କବାଟ ଆଉଜେଇ ଦେଇ ପ୍ରସାଦ ପାଖରେ ବସିଲେ ପାର୍ବତୀ ।

 

ଏଇ ଘରକୁ ସେ ବୋହୂ ହୋଇ ଆସିଥିଲେ ନଅ ବରଷରେ । ଶାଶୁ, ଶ୍ଵଶୁର, ନଣନ୍ଦ, ଦିଅର, କକା, ଖୁଡ଼ିଙ୍କ କୋଳାହଳରେ ଘର ଉଛୁଳି ଉଠୁଥଲା ସେତେବେଳେ । ଖଞ୍ଜା ଘରଟା ସଦାବେଳେ ଲୋକ ଗହଳିରେ ଉଠୁଥାଏ ପଡ଼ୁଥାଏ । ସତର ଜଣଙ୍କୁ ନେଇ ପରିବାର । ପାର୍ବତୀ ଥଳକୂଳ ପାଉ ନଥିଲେ ସେତେବେଳେ । ଏତେ ବଡ଼ ସଂସାରର ଦାୟିତ୍ଵ ତାଙ୍କର କୁନି କୁନି କାନ୍ଧ ଉପରେ କିପରି ବୋହିବେ ସେତେବେଳେ ତାହା ଭାବି ନଥିଲେ, କେବଳ ବାହା ହୋଇ ନୂଆବୋହୂ ହୋଇ ଆସିବାର ଉଲ୍ଲାସରେ ମଗ୍ନ ଥିଲେ ସେ । ସାତଦିନ ପରେ ଫେରିଗଲେ ବାପଘରକୁ । ପୁଣି ଆସିଲେ ପାଞ୍ଚ ବରଷ ପରେ । ସେହିଦିନୁ ଏ ପରିବାରର ସୁଖ ଦୁଃଖ ଓ ପାଣି ପବନ ସହିତ ଏକାତ୍ମ ହୋଇଯାଇଚନ୍ତି । ନିଜ ବାପା ମା’, ଭାଇ ଭଉଣୀଙ୍କ ସ୍ନେହ ମମତାକୁ ପଛରେ ପକାଇ ଶାଶୁଘରର ସମସ୍ତଙ୍କୁ ସାତ ଯୁଗର ଡୋରିରେ ବାନ୍ଧିବା ଲାଗି ଉଦୟାସ୍ତ ଉଦ୍ୟମ କରିଆସିଚନ୍ତି । ହସ ଖୁସି ସହିତ ମାନ ଅଭିମାନ, ଅଭାବ ଅଭିଯୋଗ ଦେହସୁହା ହୋଇଯାଇଛି ଛାତି ତଳର ସ୍ପନ୍ଦନ ପରି ।

 

ନଅ ବରଷରେ ବୋହୂ ହୋଇ ପ୍ରଥମେ ଆସିଥଲେ ଏ ଘରକୁ । ଏବେ ତାଙ୍କୁ କେତେ ବୟସ ତାହା ଠିକ୍‍ ଭାବେ ଜାଣନ୍ତି ନାହିଁ ସେ । ତେବେ ବେଳେବେଳେ ତାଙ୍କୁ ଲାଗେ ଯେପରି କୋଉ ଅନାଦି କାଳରୁ ଏଠାରେ ଅଛନ୍ତି । ଏଇ ଘରର ସବୁ ମଣିଷ ଯେପରି ତାଙ୍କର ଏକାନ୍ତ ପ୍ରିୟ ଓ ଆପଣାର । ଏଇ ଘରେ ବସା ବାନ୍ଧି ରହିଥିବା ଘରଚଟିଆ, ପାରା ସହିତ ଘର ବାରିପଟେ ଥିବା ଗୁହାଳର ଗୋରୁଗାଈ, ମଇଁଷି ଓ ଛେଳି ଏବଂ ଆମ୍ବ, ପଣସ, ପିଜୁଳି, ବାଉଁଶ ଗଛ ସମସ୍ତେ ଅତି ଆପଣାର । ବନ୍ଧନର ଏଇ ଅଦୃଶ୍ୟ ଡୋରି ତାଙ୍କ ସହିତ ସମସ୍ତଙ୍କୁ ବାନ୍ଧି ରଖିଛି ଏକତ୍ର । ସେଥିପାଇଁ ଗାଈର ପ୍ରସବ ବେଦନା ଦେଖି ତାରି ପାଖେ ପାଖେ ବସି ରହନ୍ତି ପାର୍ବତୀ ଗାଈ ଛୁଆ ଜନ୍ମ କଲା ପର୍ଯ୍ୟନ୍ତ । ଆଉ ସେ ହାଣ୍ଡିଶାଳର କାନ୍ଥ ଫାଙ୍କରେ ବସା ବାନ୍ଧିଥିବା ପାରା ନ ଗୁମୁରିଲେ ମନ ତାଙ୍କର ବିଷଣ୍ଣ ହୋଇଯାଏ ଅଜଣା ଦୁଃଖରେ । ସମସ୍ତଙ୍କୁ ହସ ହସ ଦେଖିଲେ ପେଟ ତାଙ୍କର ପୂରିଯାଏ । ସମସ୍ତଙ୍କୁ ସୁଖି ଦେଖିଲେ ସେ ପୂର୍ଣ୍ଣତା ଅନୁଭବ କରନ୍ତି ।

 

ଦୁଇ ବଡ଼ଝିଅଙ୍କୁ ଉଠାଇ ଦେଇ ନିଶ୍ଚିନ୍ତ ସେ । ଦୁଇପୁଅରୁ ସାନ ତ ଗାଁ ପାଠଶାଳାରେ ପଢ଼ା ଶେଷ କରି ସଂସ୍କୃତ ପଢ଼ୁଛି ବାପାଙ୍କ ପାଖରୁ । ଆଉ ବଡ଼ ଯାଇଛି ବାରିପଦା ଇଂରାଜୀ ପଢ଼ିବା ପାଇଁ । ବିଦେଶୀ ପାଠ ପଢ଼ିଲେ ଦେହ ମାରା ହୋଇଯାଏ ବୋଲି ଶାଶୁ କହୁଥିଲେ । କିନ୍ତୁ ଯେତେବେଳେ ତାଙ୍କ ପୁଅ ବୁଝେଇଦେଲେ, ସେ ଖାଲି ବୁଝିଗଲେନି, ପାର୍ବତୀ ବି ଦମ୍ଭ ପାଇଲେ ମନରେ–ଇଂରାଜୀ ପାଠ ପଢ଼ିଲେ ଜାତି ଯାଏନା, ବରଂ ହାକିମହୁକୁମା ହେବା ପାଇଁ ବାଟ ଖୋଲି ଯାଏ । ଇଂରାଜୀ ପାଠ ପଢ଼ି ଶଙ୍କର ଦିନେ ହାକିମ ହେବ ସେ କଥା ଭାବିଲାବେଳକୁ ସେ ପାଣିରେ ଲୁଣ ପରି ମିଳେଇ ଯାଆନ୍ତି ମନେ ମନେ । ହାତ ଯୋଡ଼ି ଠାକୁରଙ୍କୁ ପ୍ରାର୍ଥନା କରନ୍ତି–ତାକୁ କୋଟି ପରମାୟୁ ଦିଅ ଭଗବାନ, ତମର ଯଶ ବାନା ଫରଫର ହୋଇ ଉଡ଼ୁଥାଉ ଯୁଗ ଯୁଗ ।

 

ଖିଆପିଆ ଶେଷ ହେବା ପରେ ଆତ୍ମୀୟସ୍ଵଜନ ଓ ଗାଁର ଅନ୍ୟମାନଙ୍କ ଘରକୁ ଖିରି, କାକାରା, ମଣ୍ଡାରୁ କିଛି କିଛି ପଠେଇଦେଇ ମସିଣା ଖଣ୍ଡେ ପାରି ବସିଗଲେ ପାର୍ବତୀ ଟିକେ ଦମ୍‍ ନେବା ପାଇଁ । ସକାଳେ କୁକୁଡ଼ା ଡାକିବାବେଳୁ ଉଠିଥିଲେ ଯେ ଏଯାଏଁ ନିଶ୍ଵାସ ନେବାପାଇଁ ଫୁରୁସତ ପାଇନାହାନ୍ତି । ଆଉ ଏ ଜଗତର ଏମିତି ନିୟମ ଯେ ଦିନେ ହେଲେ ସୂର୍ଯ୍ୟ ଦେବତା ବିଶ୍ରାମ କରନ୍ତି ନାହିଁ, ନଈ ଅଟକି ଯାଏ ନାହିଁ କି ପବନ ବନ୍ଦ ହୁଏ ନାହିଁ । ଜାଗ୍ରତ ରହିବା ମଣିଷ ହିଁ ଭାଗ୍ୟବାନ୍‍ ।

 

ପାନ ଭାଙ୍ଗିବାବେଳେ ବିଶ୍ଵନାଥ ଆସି ପାଖରେ ବସି କହିଲେ–“କାଲି ହାକିମ ରାୟ ଦେବେ । କ’ଣ ଭାଗ୍ୟରେ ଅଛି କେଜାଣି ?

 

ତାଙ୍କ ହାତକୁ ପାନ ଖଣ୍ଡେ ବଢ଼ାଇ ଦେଇ କହିଲେ ପାର୍ବତୀ “ଓକିଲ କ’ଣ କହିଲେ ?’’

 

–ସେ ତ ଆଶା ଭରସା ଦେଇଛନ୍ତି… କିନ୍ତୁ ହାକିମ ତ ଓକିଲ ନୁହନ୍ତି…ଧର୍ମାବତାର...ଧର୍ମ ବଳ ଥିଲେ ଜିତିବା ।

 

–ସନ୍ଦେହ ରଖନି ମନରେ । ମା’ ପାଖରେ ଗୁହାରି କର । ଆମେ ଛାର ମଣିଷ ବାପୁଡ଼ା ବା କ’ଣ କରିପାରିବା ଯେ । ତାଙ୍କରି ଦୟାହେଲେ ତମେ ଜୟ କରି ଫେରିଆସିବ ।

 

–ସେୟା ହେଉ…ତୁମ ତୁଣ୍ଡରେ ଫୁଲ ଚନ୍ଦନ ପଡ଼ୁ । ତମକୁ ତ ଆଉ ଚାହିଁପାରୁନି । ସାତସିଆଁ ପୁରୁଣା ଶାଢ଼ି ଖଣ୍ଡିକ ଦେଖିଲେ ଆଉଟୁ ପାଉଟୁ ହୁଏ ମନ । କାଲି ଖବର ଶୁଣିଲେ ଯେମିତି ହେଲେ ଆଣିବି ନୂଆ କସ୍ତା ଖଣ୍ଡେ ।

 

–ମୋ ପାଇଁ ଚିନ୍ତା କରନା… ଚଳି ତ ଯାଉଛି । କହିଲେ ପାର୍ବତୀ ।

 

–ମୁଁ ଦେଖୁନି କେମିତି ଚଳୁଛି । ତମକୁ କନ୍ଥା ଘୋଡ଼େଇହୋଇ ବସିବାର ଦେଖିଲେ ମୋ କଲିଜା ଫାଟିଯାଏ । ମୋର ପୌରୁଷ, ସବୁ ଅଭିମାନ ପାଣିଫୋଟକା ପରି ଫାଟିଯାଏ ପ୍ରତି ମୁହୂର୍ତ୍ତକରେ । ଏପରି ଘରକୁ ଆସିଲ ଯେ ଲଜ୍ୟା ନିବାରଣ ହୋଇପାରୁନାହିଁ ।

 

–ଶଙ୍କରଟା ବଡ଼ ହେଉ ସବୁ ହେବ । ତମେ ପରା କହୁଥିଲ ହାକିମ ହେବାର ବାଟ ଫିଟିଯିବ !

 

–ସେତେ ସପନକୁ ରାତି ଥିଲେ ତ ପାର୍ବତୀ ! କେତେ ପାଠ ପଢ଼ିବା ପରେ ଯାଇ ହାକିମ ହୁଅନ୍ତି ଲୋକ...

 

–ମୋ ଶଙ୍କର ବି ସେତକ ପଢ଼ିବ…ମୋ କଥା ଚିନ୍ତା ନକରି ସେ କିପରି ଭଲ ପଢ଼ିବ ସେଥିପାଇଁ ମନ ଦିଅ । ସୁଧୀର ତ ଘରେ ରହି ପଢ଼ୁଛି । ବରଂ କର୍ମକର୍ମାଣି ଶିଖିଗଲେ ଯଜମାନରୁ କିଛି ମିଳିବ । ଟାଣିଟୁଣି ଚଳିଯିବା… । ଭାଗବତ ଶୁଣି ତ ଶଙ୍କରକୁ ଦେହରେ ଧରିଥିଲି–ମନେ ନାହିଁ-

 

–ପରାଶର ଭିନେ ହେବ ବୋଲି ଲଗେଇଛି । ଦଶରଥ ବି ତା’ ସାଙ୍ଗରେ । ଏତେ ବଡ଼ କଲି, ପାରିବାର ହେଲାବେଳକୁ ଅଲଗା ହୋଇଯିବା କଥା ଭାବିଲେଣି । ସେମାନେ ଯେ ମତେ ଦିନେ ପୋଷିବେ ଏହା ମୁଁ କେବେ ଭାବି ନଥିଲି । କିନ୍ତୁ ମୋର କ’ଣ ଭୟ ହୁଏ ଜାଣ–ଅଲଗା ହୋଇଗଲେ ଗୋଟେ ଚୁଲି ଜାଗାରେ ଦୁଇଟା କି ତିନିଟା ଜଳିବ । ସେମାନେ ନିଜ ପିଲାଝିଲାଙ୍କୁ ଚଳେଇ ପାରିବେ କି ନାହିଁ ସନ୍ଦେହ ହେଉଛି । ପରକଥାରେ ପଡ଼ି ମାତିଛନ୍ତି ନିଶାଖୋର ଲୋକ ମାତିବା ପରି ।

 

–ଯାହା ଭଲ ଭାବୁଛ କର...ଅଶାନ୍ତି ନ କରି ଭଲରେ ଭଲରେ ସବୁ ତୁଟେଇ ଦିଅ । ତମେ ବଡ଼, ସେମାନେ ସାନ । ଯାହା ନେବାକୁ ଚାହାନ୍ତି ଦେଇଦିଅ । ଭାଇ ତ ଭଗାରି ହୁଏନା । ପୁଣି ମନ ବଦଳିଲେ ଫେରିଆସିବେ ।

 

–ହଁ କଥାରେ କୁହନ୍ତିନି ‘ହାତୀ ବନସ୍ତରେ ଥିଲେ ବି ରାଜାର’ ।

 

ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଆଉ ନାରୀ ଜନମ ତ ଖାଲି ସହିବା ପାଇଁ । ବାପଘରେ ନଅ ଦଶ ବରଷ ରହିବା ପରେ ଶାଶୁଘର ସଣ୍ଠଣା ସହି ସହି ଦିନ ଯାଏ-। କିନ୍ତୁ ଭାଗ୍ୟବତୀ ପାର୍ବତୀ । ବଡ଼ବୋହୂ ବୋଲି ଆଦର କରନ୍ତି ଶାଶୁ, ନଣନ୍ଦ, ଯା’, ଦିଅର-। ତାଙ୍କରି ହାତରୁ ଖାଇ ତ ବଡ଼ ହେଇଚନ୍ତି ଦିଅରମାନେ । ଏବେ ସିନା ବାହାଚୁଡ଼ା ହେବା ପରେ ମନ ଫାଟୁଚି । ଏଇଟା କିଛି ନୂଆ କଥା ନୁହେଁ, ସଂସାରର ନିୟମ । ତୁଠରେ ପଥର ଥିଲେ ଯିଏ ଆସିବ ସେ ଅବଶ୍ୟ ପାଦ ଘଷିବ । ଜଣେ ସହିଗଲେ ଆଉ କେତେଜଣ ଯଦି ଖୁସି, ତା’ହେଲେ ଏଇ ସହିବାର ଦୁଃଖ ନାହିଁ, ବରଂ ଅଛି ସୁଆଦ–ମରୁଭୂମିର ଓଟ କଣ୍ଟାଗଛ ଖାଇବାପରି ।

 

[ ୨ ]

 

ଯୁଦ୍ଧର ଉଡ଼ାଖବର ଶୁଣି ଆତଙ୍କରେ ଶିହରି ଉଠନ୍ତି ଲୋକମାନେ । ବେଳେବେଳେ ଗାଁ ଉପର ଆକାଶ କମ୍ପାଇ ଉଡ଼ିଯାଏ ବିମାନ । ଖଡ଼ଗପୁର ପାଖରେ କଲେଇକୁଣ୍ଡାରେ ବିମାନ ଘାଟି । ସେଇ ଘାଟିରୁ ବୋମା ନେଇ ବିମାନ ଉଡ଼ିଯାଏ ଶତ୍ରୁର ଘାଟି ଆଡ଼କୁ । ଗୋଟେ ବୋମା ପଡ଼ିଲେ କୁଆଡ଼େ ଥରକେ ନିଶ୍ଚିହ୍ନ ହୋଇଯାଏ ବାରିପଦା ଭଳି ସହରଟାଏ । ମଣିଷର ଏତେ କରାମତିପଣିଆ ଦେଖି ଅବାକ୍‍ ହୋଇଯାଆନ୍ତି ଲୋକେ । ଦିବାକର ଷଡ଼ଙ୍ଗୀ କହନ୍ତି–ରାମାୟଣରେ ପୁଷ୍ପକ ବିମାନ କଥା ଲେଖାଅଛି । ସେଇ ବିମାନରେ ବସି ରାମଚନ୍ଦ୍ର ମହାପ୍ରୁଙ୍କ ସାଙ୍ଗରେ ଯୁଦ୍ଧ କରୁଥିଲା ରାବଣ । ଗୋରାମାନେ ଏବେ ଯାହା କରୁଚନ୍ତି ବହୁ ଯୁଗ ପୂର୍ବରୁ ଆମ ଆର୍ଯ୍ୟାବର୍ତ୍ତରେ ସେପରି ଯୁଦ୍ଧ ହେଉଥିଲା ।

 

–ଭୁଲରେ ଯଦି ଏଠି ଗୋଟେ ପଡ଼ିଯାଏ କ’ଣ ହେବ ? ଆମେ ନିଶ୍ଚିହ୍ନ ହୋଇଯିବା !!

 

ରାଧାନାଥଙ୍କ କଥା ଶୁଣି ସତରେ ଭୟରେ ଶିହରି ଉଠିଲେ ସମସ୍ତେ । ମାଧବ ପାଣି କହିଲେ–ଘୋର କଳିକାଳରେ ମଣିଷ ମରାମରି ହୋଇ ଏମିତି ମରିବେ ନନା । ମାଳିକା କହିନି ଏସବୁ ? ଅଧର୍ମ ବଢ଼ିଲେ ଏମିତି ହୁଏ ।

 

–ନିର୍ଭୟ, ନିଶଙ୍କ ହେବାପାଇଁ ରୁଦ୍ରାଭିଷେକ କଲେ ମଙ୍ଗଳ ହେବ । ପାଣିଗ୍ରାହୀଙ୍କୁ କୁହାଯାଉ, ଗାଁବାଲାଙ୍କ ସହିତ ପରାର୍ମଶ କରନ୍ତୁ । କିଛି ଖର୍ଚ୍ଚ ହେବ ହେଉ । ପଇସା କ’ଣ ରହୁଚି ହାତରେ ? ଧର୍ମକାମରେ ଖର୍ଚ୍ଚ କଲେ ଅକ୍ଷୟ ପୂର୍ଣ୍ଣ ଅର୍ଜନ କରାଯାଏ ।

 

ପାଣିଗ୍ରାହୀ ଆସିଲେ । ଆଉ ଦଶଜଣ ବି ଠୁଳ ହେଲେ । ଯୁଦ୍ଧର ବିଭୀଷିକା ବିଷୟରେ ଦିବାକର ବାରିପଦାରୁ ଯାହା ଶୁଣିଲେ ସେସବୁ କହିଲେ । ଗୋରା ଇଂରେଜ ଆଉ ତାଙ୍କ ମିତ୍ର ଦେଶମାନେ ଗୋଟିଏପଟେ ଅନ୍ୟପଟେ ଜାପାନ ଆଉ ଜର୍ମାନୀ–ହିରୋହିଟୋ ଓ ହିଟଲର୍‍…ହିଟଲର୍‍କୁ ପରାସ୍ତ କରିବା ଭଳି ବୀର କୁଆଡ଼େ ଜନ୍ମ ହୋଇନାହାନ୍ତି ।

 

–ହଁ ହୋଇଥିବ ପରା…ରାବଣ ଦୁର୍ଯ୍ୟୋଧନ ବି ଦିନେ ଅଜେୟ ବୀର ବୋଲି ଟାଣ କରୁଥିଲେ…କିନ୍ତୁ କ’ଣ ହେଲା ହେ ଷଡ଼ଙ୍ଗୀ ? ସବୁକାଳରେ ଧର୍ମର ଜୟ ।

 

–ଇଂରେଜମାନଙ୍କ ପରି ଜର୍ମାନମାନେ ବି ଗୋରା । ହିଟଲର୍ ବି ଗୋରୁମାଂସ ଖାଏ । ଯବନ ସମସ୍ତେ । ସେମାନଙ୍କୁ ବିଶ୍ଵାସ ନାହିଁ । ଦୁଇଟା ପ୍ରବଳ ପ୍ରମତ୍ତ ଦନ୍ତାହାତୀ ଲଢ଼େଇ କଲେ ସେମାନଙ୍କ ଦଳାଚକଟାରେ ଧ୍ଵସଂ ହୋଇଯାଆନ୍ତି ମାଟି ଉପରେ ବାସ କରୁଥିବା ବହୁ ଜୀବ । ଜର୍ମାନୀ ଆଉ ଇଂରେଜ କେହି କାହାକୁ କମ୍ ନୁହନ୍ତି ଯେ…କହିଲେ ଦିବାକର ।

 

“ଆମ ସମ୍ରାଟ ତ ଇଂରେଜ । ସେଥିପାଇଁ ତ ଡରିବା କଥା । ନହେଲେ ସେମାନେ ଯେତେ ଲଢ଼ିବେ ଲଢ଼ନ୍ତୁ । ଏବେ ଶୁଣାଯାଉଛି ଯେ ଆମେରିକା ବି କୁଆଡ଼େ ଇଂରେଜ ସପକ୍ଷରେ । ଏଥର ଯୁଦ୍ଧର ପ୍ରକୋପ ଆହୁରି ବଢ଼ିବ । ପୃଥିବୀ ଧ୍ଵସଂ ହୋଇଯିବ । …ଯାହାକୁ କହନ୍ତି ମ୍ଳେଚ୍ଛସଂହାର ।” ବାରିପଦା ସଂସ୍କୃତଟୋଲରେ ପଢ଼ୁଥିବା ନରେନ୍ଦ୍ର ପାଣି ମନ୍ତବ୍ୟ କଲେ ।

 

ବହୁ ଆଲୋଚନା ତର୍କ ବିତର୍କ ପରେ ରୁଦ୍ରାଭିଷେକ କରିବା ପାଇଁ ସ୍ଥିର ହେଲା । ଦିନ ଧାର୍ଯ୍ୟ ହେଲା ଏବଂ ଜିନିଷ ତାଲିକା ମଧ୍ୟ ପ୍ରସ୍ତୁତ ହେଲା । କିଏ କ’ଣ କରିବେ କାହା ଘରୁ କ’ଣ ଆସିବ ତାହା ମଧ୍ୟ ନିଧାର୍ଯ୍ୟ କରାଗଲା ।

 

ରୁଦ୍ରାଭିଷେକ ଯଥାବିଧି ସମ୍ପନ୍ନ ହେଲା । ସକାଳରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବ୍ୟସ୍ତ ରହିଲେ ଶାସନୀ ବ୍ରାହ୍ମଣମାନେ । ରୁଦ୍ରାଭିଷେକ ପରେ ଧୀରେ ଧୀରେ ଭିଡ଼ ଭାଙ୍ଗି ଆସୁଥିବାବେଳେ ଦାନ୍ତରେ ତିରଣ ଧରି ମୋହନ ଉପସ୍ଥିତ ହେଲା । ତା’ ସାଙ୍ଗରେ ଥିଲା ତା’ର ବଡ଼ଭାଇ ମାଧବ । ମାଧବ ଲମ୍ବ ହୋଇ ପଡ଼ିଯାଇ କାନ୍ଦିଉଠିଲା । ମୋହନ ସାଷ୍ଟାଙ୍ଗ ପ୍ରଣିପାତ କରି ସକସକ ହେଉଥାଏ ପାଣିଗ୍ରାହୀ ଚତୁର ବ୍ୟକ୍ତି । ମର୍ମାର୍ଥ ବୁଝିନେଇ କହିଲେ– ‘‘ଏ ମହାପାପ ଆଜିକୁ କରିବାକୁ ଥିଲାରେ ମୋହନ ? ରୁଦ୍ରାଭିଷେକ ଶେଷ କରି ଚରଣାମୃତ ପାନ କରି ବାହାରିଲାବେଳକୁ ଶୁମ୍ଭ ନିଶୁମ୍ଭ ପରି ତମେ ଦୁଇଭାଇ ହାଜର । କ’ଣ ହେଲା ଗୋରୁ କିପରି ମଲା କହ...’’

 

ମାଧବ ଗୋଟି ଗୋଟି କରି ସବୁ କହିଗଲା । ସନ୍ଧ୍ୟାବେଳେ ଚରିବୁଲି ଗୋରୁଗାଈ ଫେରିବା ପରେ ଗୁହାଳରେ ବାନ୍ଧି ଦେଇଥିଲା ମୋହନ । ରାତିରେ ସାପ କାମୁଡ଼ିଲା କି ବିଷ ଖାଇ ଫେରିଥିଲା କହିପାରିବିନି ଗୋସେଇଁ, ସକାଳୁ ବାଛୁରିଟା ଆଉ ଉଠିଲା ନାହିଁ । ବେକରେ ପଘା ଥିଲା । ଆମ କପାଳ ଫାଟି ନଥିଲେ ଏମିତି ମହାପାତକ ଲାଗନ୍ତା ନାହିଁ । ଏବେ ଆପଣମାନଙ୍କ ପାଖକୁ ଆସିଛି...ଆପଣମାନେ ମୋକ୍ଷର ପଥ କହିଦିଅନ୍ତୁ… । ସକାଳୁ ଏ ଯାଏଁ ଅନ୍ନଜଳ ଛୁଇଁନି ମୋହନ ।

 

ପାଣିଗ୍ରାହୀ କିଛି କହିବା ପୂର୍ବରୁ ଯଦୁ ମିଶ୍ରେ କହିଲେ–ସତ୍ୟାନାଶ ହେଲା କହ । ବେକରେ ପଘା ଥାଇ ବାଛୁରିଟା ମଲାନି ଯେ ମୋହନ ବେକରେ ପାପର ଆହୁରି ବଡ଼ ଫାଶଟିଏ ବାନ୍ଧି ଦେଇଗଲା । ଖାଲି ତ ମୋହନ ନୁହଁ, ବଂଶଯାକ ଏହି ଦୋଷରେ ଦୋଷୀ । ଗୋ ହତ୍ୟା ବ୍ରହ୍ମ ହତ୍ୟାର ପ୍ରାୟଶ୍ଚିତ ସହଜ ନୁହେଁ ।

 

ତା’ପରେ ମାଧବ ମୋହନ ବହୁତ କନ୍ଦାକଟା କରି ମୋକ୍ଷଲାଭର ବିଧାନ କହିବାପାଇଁ ଅଳି କଲେ । ବିଚାର ଓ ପରାର୍ମଶ କରି ପାଣିଗ୍ରାହୀ ଗୋଟେ ତାଲିକା ପ୍ରସ୍ତୁତ କରିଦେଲେ ପ୍ରାୟଶ୍ଚିତରେ । ନଗଦ ଏକୋଇଶ ଟଙ୍କା ଦେଲା ମୋହନ । ବ୍ରାହ୍ମଣମାନେ ଏତିକିରେ ସନ୍ତୁଷ୍ଟ ନ ହେବାରୁ ଜନ୍ତାଳଦିନ ପ୍ରସାଦ ପାଇବା ପାଇଁ ଦୁଇଟା ବୋଦା ବଳି ଦେବାପାଇଁ ରାଜି ହେଲା ମାଧବ-

 

ଦୁଇଭାଇ ପୁଣି ପଞ୍ଚପରମେଶ୍ଵରଙ୍କ ପାଦତଳେ ପ୍ରଣାମ କରି ମଥା ତଳକୁ କରି ଶାସନରୁ ବାହାରି ଯାଉଥିବାବେଳେ ଗାଁ ମୁଣ୍ଡରେ ଦେଖାହୋଇଗଲା ହୁରୁଷୀ ସହିତ । ତାକୁ ନ ଦେଖିବା ପରି ଦୁଇଭାଇ ବାଟ ଭାଙ୍ଗୁଥିବାବେଳେ ଆଗରେ ଠିଆହୋଇଯାଇ କହିଲା ହୁରୁଷୀ–ଏତେ ସହଜରେ ଖସି ଯାଇପାରିବନି ବାପଧନ । ମୁଁ ସବ ଶୁଣିଚି । ଇଏ ଗୋ ହତ୍ୟା ନୁହେଁ ଘୋର ପାତକ... ସାତ ଜନ୍ମ ପ୍ରାୟଶ୍ଚିତ କଲେ ବି ଏ ପାପର କ୍ଷାଳନ ନାହିଁ ।

 

“ଦୟାକର ଗୋସେଇଁ…ଆମେ ମରିଗଲୁଣି…” ହାତଯୋଡ଼ି କହିଲା ମାଧବ ।

 

–ଆରେ ଦୟା ଅଛି ବୋଲି ତ ଦେଖା ଦେଲି ତୋତେ...ନ ହେଲେ ମୁହଁ ସେଆଡ଼େ କରି ମତେ ନ ଦେଖିବା ପରି ଯେମିତି ବାଟ ଭାଙ୍ଗୁଥିଲ ତୁମେ ଦୁଇଭାଇ ଆଉ ଦେଖାହୁଅନ୍ତା ନା ଦୟା କରନ୍ତି ।

 

ମାଧବ ଓ ମୋହନ ସତରେ ଧରାପଡ଼ିଯିବାରୁ ସେମାନଙ୍କ ମୁହଁ ଶେତା ପଡ଼ିଗଲା । ମାଧବ ଆଠଣିଟିଏ ବଢ଼ାଇ ଦେଉଥିଲା…ଦୁଇ ପାଦ ପଛକୁ ହଟି ଯାଇ କହିଲା ହୁରୁଷୀ–ମତେ ତୁ କ’ଣ ବୋଲିୁ ଭାବିଲୁ ବେ ମାଧବ ? ଶଳା, ତୋ ଭାଇ ଗୋ-ହତ୍ୟାରେ ଅପରାଧୀ...ଆଉ ତୁ ଆଠଣିଟାଏ ହାତକୁ ବଢ଼ାଇ ଦେଇ ଖସିଯିବୁ ଭାବିଚୁ ? ପାଞ୍ଚଟଙ୍କା କମ୍‍ରୁ ଛୁଇଁବି ନାହିଁ । ଆଉ ଏ ହୁରୁଷୀ ଅସନ୍ତୁଷ୍ଟ ହେଲେ ଫଳ କ’ଣ ହୁଏ ତୁ ଜାଣିଥିବୁ ନିଶ୍ଚୟ ।

 

ମାଧବ ଶିହରି ଉଠିଲା ଭୟରେ । କଥାରେ କହନ୍ତି–ଘରପୋଡ଼ିଠାରୁ ବିପତ୍ତି ନାହିଁ । ଆପୁ ଖାଇବା ପାଇଁ ଯେ ହୁରୁଷୀ ଚାରିଅଣା ନ ପାଇଲେ ଘରେ ନିଆଁ ଲଗେଇପାରେ, ସେ ଅପ୍ରସନ୍ନ ହେଲେ କ’ଣ ଯେ ନ କରିବ ? ମାଧବ ଆଉ ବାକ୍ୟ ବ୍ୟୟ ନ କରି ଦୁଇଟଙ୍କା ବଢ଼ାଇଦେଇ କହିଲା–ଏତିକି ଥିଲା ଗୋସେଇଁ…ମାଫ୍‍ କର ଏଥର...ତମେ ଅସନ୍ତୁଷ୍ଟ ହେଲେ ଅନ୍ନ ଜଳ ବି ମିଳିବ ନାହିଁ ।

 

ହୁରୁଷୀ ଗାଁର ବଡ଼ ଅଫିମା । ଦିନକୁ ଚାରିଅଣାର ଅଫିମ ନ ହେଲେ ନ ଚଳେ ତା’ର । ଯଜମାନ ଘରୁ ଯାହା ପାଏ ସେତିକିରେ ଗୁଜୁରାଣ ମେଣ୍ଟେନି ବୋଲି ଏଇ କୁକର୍ମ କରେ, ଲୋକଙ୍କୁ ଧମକ ଚମକ ଦେଇ ହାତଗୁଞ୍ଜା ନିଏ । ଗାଁରେ ତ ମନ ଫଟାଫଟି, ମାଲିମୋକଦ୍ଦମା ଲାଗି ରହିଛି । ହୁରୁଷୀର ଅଫିମ ଖର୍ଚ୍ଚ ଦେଲେ ଏପରି କିଛି କୁକର୍ମ ନାହିଁ ଯାହା ସେ କରି ନପାରିବ । ବାହା ହୋଇନି । ଛୁଆପିଲାର ଦାୟଦ୍ଵାୟିତ୍ଵ ନାହିଁ । ସେଥିପାଇଁ ଆହୁରି ବେପରୁଆ, ଆହୁରି ଅବାଗିଆ । ମରିଗଲେ ବ୍ରହ୍ମରାକ୍ଷସ ହୋଇ ଡରେଇବ ଗାଁବାଲାଙ୍କୁ । ସେଥିପାଇଁ ତାକୁ ଅସନ୍ତୁଷ୍ଟ କରିବା ପାଇଁ କେହି ସାହସ କରନ୍ତି ନାହିଁ । ଏଇ ଗାଁରେ ଘର କରି ରହିବାକୁ ହେଲେ ହୁରୁଷୀ ସହିତ ସନ୍ଧି ନ କରି ଚାରା ନାହିଁ । କଥାରେ କହନ୍ତି–ପାଣି ଭିତରେ ଘର କରି କୁମ୍ଭୀର ସଙ୍ଗେ କଳି କରି ବଞ୍ଚି ହୁଏ ନାହିଁ-

 

ମାଧବ ଓ ମୋହନ ଚାଲିଗଲା ପରେ ହୁରୁଷୀର ମୁହଁରୁ ବାହାରିଗଲା–କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ । ଶଳା, ଖସିଯିବ ବୋଲି ଭାବିଥିଲା । ତା’ପରେ ସେ ଚାଲିଲା ପାଣିଗ୍ରାହୀଙ୍କ ପାଖକୁ । ସେ ଏ ଶାସନର ଜଣେ, ତା’ ଭାଗଟା ଅବଶ୍ୟ ଆଦାୟ କରିନବାକୁ ହେବ । ଯିଏ ଯାହା ଭାଗ ନେଉଥିବା ବେଳେ ସେ ଛାଡ଼ିଦେବ କାହିଁକି ଯେ ! ହୁରୁଷୀ ଗାଁ ଦାଣ୍ଡରେ ବେପରୁଆ ଭାବେ ଯିବାବେଳେ କେହି ଶୁଣୁ ନଥିଲେ ମଧ୍ୟ ସମସ୍ତଙ୍କୁ ଶୁଣେଇବା ପରି କହୁଥିଲା–ଯୁଦ୍ଧ ଆହୁରି ତେଜିଲା । …ଜର୍ମାନୀ ଆଉ ଏକା ନୁହେଁ; ସାଙ୍ଗ ଦବା ପାଇଁ ଠିଆ ହେଲାଣି ଜାପାନ । ଏଥର ଇଂରେଜମାନଙ୍କର ନିସ୍ତାର ନାହିଁ । । ହିଟଲର୍ ଛାଡ଼ିବ ନାହିଁ ସହଜରେ । ଆରେ ଶଳେ, ତମେ ସବୁ ଯେତେ ଲଢ଼ିବ ଲଢ଼, କିନ୍ତୁ ଆମ ଏଠାରେ ଦର ବଢ଼ୁଛି କାହିଁକି ହୁ–ହୁ କରି ? ଅଫିମ ଭରି ଦୁଇଟଙ୍କା ଥିଲା ହୋଇଗଲା ପାଞ୍ଚଟଙ୍କା । ତିନି ଚାରିଅଣାରେ ମିଳୁଥିଲା, ସେର ଆଠ ଟଙ୍କାକୁ ଚଢ଼ିଗଲାଣି । ଲୁଗାର ଦାମ୍‍ ବି ବଢ଼ୁଛି… ।

 

ଉଦିଆ ଛିଡ଼ା ହୋଇଥିଲା ଦାଣ୍ଡରେ । ସେ କହିଲା–ନଶୁଣିବା କଥା ଶୁଣିବାକୁ ହେଲା, ନ ଦେଖିବା କଥା ଦେଖିବାକୁ ହେଲା । ପାପ ବଢ଼ୁଛି ଯେ ମେଦିନୀ ଏତେ ଭାର ସହିବ କେମିତି ?

 

“କ’ଣ ହେଲା ନନା…ଇମିତି ମନମରା କଥା କହୁଛ ଯେ ?” –କହିଲା ହୁରୁଷୀ ।

 

–କ’ଣ ହେଲା ନନା କହୁନୁ । ବିଧବା ଗର୍ଭବତୀ ହେବା କଥା କେହି କେବେ ଶୁଣିଥିଲେ ଏ ଗାଁଆରେ ?

 

ଚମକିପଡ଼ିଲା ହୁରୁଷୀ । ଉଦିଆ କାହାକୁ ଲକ୍ଷ୍ୟ କରି ଏ କଥା କହିଲା ତାହା ଅବୁଝା ରହିଲା ନାହିଁ । ତା’ ସହିତ ଏ ସମ୍ବଦ୍ଧରେ ଉଚ୍ଚବାଚ ବା ତର୍କ ବିତର୍କ କରିବାକୁ ଅଟକି ନ ଯାଇ କହିଲା ହୁରୁଷୀ–“ଯିଏ ଯାହା କର୍ମ ଫଳ ଭୋଗିବ ନନା...” ଆଉ ଚାଲିଯିବାବେଳେ ମନକୁ ମନ ହସିଲା । ଏଇ ଫଗୁଣ ଚଇତର ଆରମ୍ଭରେ ଉଦିଆକୁ ପାନେ ଦବା ପାଇଁ ମନେ ମନେ ସଂକଳ୍ପ କଲା ହୁରୁଷୀ ।

 

ସେହିଦିନ ରାତି ଅଧରେ ହଠାତ୍ ରେରେକାର ଓ ଦୌଡ଼ାଦୌଡ଼ି ଶବ୍ଦ ଶୁଣି ନିଦ ଭାଙ୍ଗିଗଲା ଗାଁବାଲାଙ୍କର । ଦାଣ୍ଡରେ ମହାଭାରତର ଯୁଦ୍ଧର ପ୍ରଥମ ପଟ ଆରମ୍ଭ ହୋଇଯାଇଥାଏ ସେତେବେଳେକୁ । ଭୋଳେଶ୍ଵର ଶତପଥୀ ଅଫିମ, ଗଞ୍ଜେଇ, ଭାଙ୍ଗର ବ୍ୟବସାୟ କରେ । ସରକାର ଲାଇସେନ୍‍ସ ଦେଇଛି ଏଥିପାଇଁ । କୋଇଲିସୂତାର ନାରଣ ବେହେରା ଗଞ୍ଜେଇ ନେଇ ପଇସା ଦେଇ ନପାରି ଜମି ଖଣ୍ଡେ ଲେଖି ଦେଇଥିଲା । ସେଇ ଜମିରୁ ଧାନ କାଟିବାବେଳେ ଭୋଳେଶ୍ଵରର ମୁଲିଆମାନଙ୍କୁ ବାଧାଦେଇଥିଲା ସେଇ ଗାଁର ଶିଖି ପଲେଇ । ସେ କୁଆଡ଼େ ସେଇ ଜମି ଆଗରୁ କିଣିନେଇଥିଲା ନାରଣଠାରୁ । ନାରଣ ଆଉ ଶିଖିକୁ ପାନେ ଦେବା ପାଇଁ ସୁଯୋଗ ଉଣ୍ଡୁଥିଲା ଭୋଳେଶ୍ଵର । ସେ ଦୁହେଁ ବହଡ଼ାଗୋଡ଼ାରୁ ଫେରୁଥିବାବେଳେ ଷ୍ଟେସନ୍ ଛକରୁ ବେକରେ ଗାମୁଛା ପକେଇ ଦୁହିଁକୁ ଧରି ଆଣିଥିଲେ ଭୋଳେଶ୍ଵରର ଲୋକମାନେ । ନାରଣ ବେହେରା, ଶିଖି ପଲେଇ ଅଡ଼ୁଆରେ ପଡ଼ିଗଲେ ସିନା, କିନ୍ତୁ ସେମାନଙ୍କର ବି ସମର୍ଥକ ଥିଲେ ଶାସନରେ । ଭୋଳେଶ୍ଵର ସହିତ ସୁର ସେନାପତିର ବହୁଦିନର ବିବାଦ । ଖବର ପାଇଁ ନାରଣ ଶିଖିକୁ ଭୋଳେଶ୍ଵର, ଲୋକମାନଙ୍କ କବଳରୁ ଛଡ଼େଇ ଆଣିବା ପାଇଁ ଦଳବଳ ନେଇ ପହଞ୍ଚିଗଲା ସୁର ସେନାପତି । ଚାହୁଁ ଚାହୁଁ ଖଣ୍ଡ ଯୁଦ୍ଧ ଲାଗିଗଲା । ଗାଁର ଚୌକିଦାର ଖବର ପାଇ ଠିକ୍‍ ସମୟରେ ପହଞ୍ଚିନଥିଲେ ରକ୍ତାରକ୍ତି ହୋଇଥାଆନ୍ତା । ତଥାପି ଜଙ୍ଘରେ ହାତ ପିଟି, ବାହାସ୍ଫୋଟ କରି ଗର୍ଜୁଥାଏ ସୁର ସେନାପତି–ଏତେ ସାହସ ହେଲାଣି ଯେ ବେକରେ ଗାମୁଛା ପକାଇ ଭିଡ଼ିଆଣିବୁ ? ତୁ କ’ଣ ମହାରାଜା ? ତୋରି ଶାସନ ଚାଲିବ । …ଆଉ ସମସ୍ତେ ରାଣ୍ଡୀପୁଅ ଅନନ୍ତା-? ସାବଧାନ କରିଦଉଛି…ଆଉ ଦିନେ ମୋ ସଙ୍ଗାତ ଦେହରେ ହାତ ଦବୁନି, ନ ହେଲେ ତୋ ହାତ ଯଦି କାଟି ନଦେଇଛି ମୁଁ ସୁନା ସେନାପତିର ନାତି ନୁହଁ କି ଧନୁ ସେନାପତିର ପୁଅ ନୁହଁ-

 

ତା’ କଥା ସହିନପାରି ଖଣ୍ଡା ଦଉଡ଼ି ଆସୁଥିଲା ଭୋଳେଶ୍ଵର…ତାକୁ ଅଟକାଇ ଦେଇ କହିଲେ ବିଶ୍ଵନାଥ–ନା, ଥାଉ ନନା….ଯେତିକି ହେଲା ଯଥେଷ୍ଟ….ଆଉ କଥା ବଢ଼େଇ ଲାଭ ନାହିଁ । ନାରଣ ସମାଧାନ କରିଦେବ କହୁଛି ।

 

ଭୋଳେଶ୍ଵରକୁ ସେତେବେଳେକୁ ଧରି ନେଇଥିଲେ ଦୁଇଜଣ, ନହେଲେ ବୋଧହୁଏ ସୁର ସେନାପତି ହାତ କାଟିବା ଆଗରୁ ସେ ତା’ ହାତ କାଟିଦେଇଥାନ୍ତେ ।

 

ଗାଁରେ ମଝିରେ ମଝିରେ ଏମିତି ହୁଏ । ନଈର କାଚକେନ୍ଦୁ ପାଣିରେ ବର୍ଷାଦିନର ଗୋଳିଆ ପାଣି ମିଶିବା ପରି ନୂଆ କଳି ସହିତ ପୁରୁଣା କଳି ମିଶିଯାଏ । ପୁରୁଣା ଶତ୍ରୁତା ସହିତ ନୁଆ ଶତ୍ରୁତା ମିଶେ । ଗାଁ ବାଲା ସୁବିଧା ଦେଖି ଭାଗ ଭାଗ ହୋଇଯାଆନ୍ତି । କେତେବେଳେ ଦୁଇଦଳ ତ କେତେବେଳେ ତିନି କି ଚାରିଦଳ । ଘର ମଝିରେ ବାଡ଼ ଉଠେ । ଦୁଇ ଘର ମଝିରେ ଖାଲି ଥିବା ଜାଗା ଉପରେ ଉଠେ ପାଚେରୀ । ମନ ଫାଟିଯାଏ ଆଞ୍ଚ ଲାଗି ଅଧାସିଝା ହାଣ୍ଡି ଫାଟିଯିବା ପରି ।

 

ବିଶ୍ଵନାଥଙ୍କୁ ଉଭୟ ପକ୍ଷ ମାନନ୍ତି । ସୁର ସେନାପତି ଶାନ୍ତ ହେବା ପୂର୍ବରୁ କହିଲା–ତମେ ଆସି ନଥିଲେ ଆଜି ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା । ଭୋଳେଶ୍ଵର ତା’ ପିଣ୍ଡା ଉପରକୁ ଉଠିଯିବାବେଳେ କହିଲା– “ତୁ ଅଟକାଇଦେଲୁ ବିଶୁ, ନହେଲେ ତା’ ମୁଣ୍ଡରୁ ଗଣ୍ଡିଟା ଅଲଗା କରିଦେଇଥାନ୍ତି ।”

 

ସମସ୍ତେ ଶାନ୍ତ ହେବା ବେଳକୁ ବେଶ୍ କିଛି ସମୟ ଲାଗିଲା । ଯେଉଁମାନେ ନିଜ ନିଜର ଦୁଆର ମୁହଁରେ ଠିଆହୋଇ ଏ ତାମସା ଦେଖି ନଖରେ ନଖ ଘଷୁଥିଲେ ସେମାନେ ଧୀରେ ଧୀରେ ଦୁଆର ବନ୍ଦ କରି ଶୋଇବାକୁ ଗଲେ । ସୁର ସେନାପତି ସଙ୍ଗାତ ଶିଖି ପଲେଇ ଆଉ ନାରଣ ବେହେରାକୁ ନେଇ ଚାଲିଗଲା ଗାଁ ଦାଣ୍ଡରୁ । ଭୋଳେଶ୍ଵରକୁ ଶୋଇବାକୁ କହି ଘରକୁ ଫେରିଆସିଲେ ବିଶ୍ଵନାଥ । କୁଆଁତାରା ମୁହଁ ଦେଖାଉଥାଏ ସେତେବେଳକୁ ।

 

ପାର୍ବତୀ କହିଲେ–“ତମକୁ ସେମାନଙ୍କ ଭିତରକୁ ଯିବାର ଦେଖି ମୁଁ ଡରି ଯାଇଥିଲି ।’’

 

ହସିଦେଇ କହିଲେ ବିଶ୍ଵନାଥ–“ଛୋଟ ଛୋଟ କଥା ନେଇ ଏମିତି କଳିଗୋଳ କଲେ ହୁଏ ଗାଁରେ, ପୁଣି ନିଷ୍ପତ୍ତି ବି ହୁଏ । କିନ୍ତୁ ସୁର ସେନାପତି ଆଉ ଭୋଳିନନା ମଧ୍ୟରେ ଶତ୍ରୁତା ସରୁ ନାହିଁ । ସବୁ ଉଦ୍ୟମ ଫସର ଫାଟି ଯାଇଛି । ଦେଖାଯାଉ କେତେଦିନ ଏମିତି ଚାଲିବ ।’’

 

ଗାଁର ଅବସ୍ଥା କ୍ରମଶଃ ଖରାପ ଆଡ଼କୁ ଗତି କରୁଛି । ବ୍ରାହ୍ମଣ ଶାସନର ଲୋକଙ୍କ ଭିତରେ ଏକ ମନ ହୋଇ କାମ କରିବା ଯେପରି ଅସମ୍ଭବ ହୋଇ ପଡ଼ୁଛି । ସେହିପରି ଆଦିବାସୀ ଚଷାମାନଙ୍କ ଭିତରେ ମଧ୍ୟ ମନର ମେଳ ନାହିଁ । ଚାଷର ଅବସ୍ଥା ଭଲ ନାହିଁ । ପରିଶ୍ରମକାତର ଲୋକମାନଙ୍କର ଉନ୍ନତି ସମ୍ଭବ ନୁହେଁ କେଉଁ କାଳରେ । ଶାସନୀ ବ୍ରାହ୍ମଣମାନେ ଯଜମାନର ହାତଟେକାକୁ ଚାହିଁ ବସିରହନ୍ତି ସିନା କିନ୍ତୁ ସେଥିରେ ପେଟ ପୋଷି ହୁଏନା ଜାତି କେବଳ ଯାଏ । ଯଜମାନମାନଙ୍କର ଅବସ୍ଥା ସ୍ୱଚ୍ଛଳ ନୁହେଁ, ତା’ଉପରେ ପୁରୋହିତମାନଙ୍କର ଆଧ୍ୟାତ୍ମିକ ଶକ୍ତି ଉପରୁ ସେମାନଙ୍କର ଆସ୍ଥା କ୍ରମଶଃ କମିବାରେ ଲାଗିଛି । ବାଧ୍ୟବାଧକତାରୁ ଏସବୁ କ୍ରିୟାକର୍ମ କରିବାକୁ ପଡ଼ୁଥିବା ଭାବଟି କ୍ରମଶଃ ପ୍ରସାର ଲାଭ କରୁଛି । ଫଳରେ ଯଜନଯାଜନରୁ ଆୟ ମଧ୍ୟ କମିଛି । କିନ୍ତୁ ଅନ୍ୟ ଆୟର ଉପାୟ ନ ଥିବାରୁ ବ୍ରାହ୍ମଣମାନଙ୍କ ଆର୍ଥିକ ଅବସ୍ଥା ଅବନ୍ନତି ପଥରେ । କାମ ନ କରି ପଇତା ଛଅ ଖିଅ କାନ୍ଧରେ ନ ପକାଇ ଯେ ତାହାରି ବଳରେ ଚଳିହେବ ଏ ବିଶ୍ଵାସ ଆଉ ଆସୁନି ମନକୁ । ବ୍ରହ୍ମକୁ ଜାଣିବା ଦୂରେ ଥାଉ ନିଜକୁ ବି ଚିହ୍ନିନାହାନ୍ତି ଏମାନେ ।

 

ବିଶ୍ଵନାଥଙ୍କ ବ୍ୟବସାୟ ଛୋଟ ହେଲେ ମଧ୍ୟ ଘର ଖର୍ଚ୍ଚ ଚଳିଯାଏ ସେଥିରେ । କଣ୍ଟ୍ରୋଲ ଲୁଗା ବିକ୍ରି କରି କିଛି ପାଆନ୍ତି, ତା’ ଛଡ଼ା ତେଜରାତି ଦୋକାନରୁ କିଛି ଆୟ ବି ହୁଏ । କିନ୍ତୁ ମୋକଦ୍ଦମା ଚଳେଇବା ପାଇଁ ଯେତିକି ଅର୍ଥ ଦରକାର ସେତିକି ଉପାର୍ଜନ ନାହିଁ ତାଙ୍କର । ପରିବାରର ଚାହିଦା ବଢ଼ିବାରେ ଲାଗିଛି । ପିଲାମାନେ ବଢ଼ିବାରେ ଲାଗିଛନ୍ତି । ସେମାନଙ୍କର ଲେଖାପଢ଼ା ଖର୍ଚ୍ଚ ଅଛି, ପୂଜା ପାର୍ବଣ, କୁଣିଆ ମୈତ୍ର ଚର୍ଚ୍ଚା ଅଛି । ବାହାପୁଆଣି ପଇତା ଲାଗି ରହିଛି । ଆଉ ରାତି ନଥିଲା ଶୋଇବା ପାଇଁ, ତଥାପି ଦେହକୁ ଟିକେ ଲମ୍ବେଇଦେଲେ ବିଶ୍ଵନାଥ ।

 

ଶୀତ ବେଶ୍ ପଡ଼ିଛି । ରାତିଟା ସିନା ଶେଯ, କନ୍ଥା ଘୋଡ଼େଇ ହୋଇ କଟିଥାଏ କୌଣସି ପ୍ରକାର, କିନ୍ତୁ ଖାଲି ସୂତା ଶାଢ଼ୀରେ ଶୀତ କଟେନି । ବଡ଼ିଭୋରରୁ ଉଠିକରି ପାର୍ବତୀ ଲାଗିଯାଆନ୍ତି ନିତ୍ୟକର୍ମରେ । ଖରାର ତେଜ ଟିକେ ବଢ଼ିବା ପର୍ଯ୍ୟନ୍ତ କୁଙ୍କୁଡ଼ିକାଙ୍କୁଡ଼ି କାମ କରିଯାଆନ୍ତି । ଶୀତର ପ୍ରକୋପରୁ କାମ ଅଟକି ଯାଏନି ସତ, କିନ୍ତୁ ଦେହର ରସ ନିଗାଡ଼ି ନିଏ ଶୀତ ଦେହ ଶେତାପଡ଼ିଯାଏ ଶୀତ ଦିନର ପତର ପରି ।

 

ଏଇ ଶୀତଦିନ ଛୁଟିରେ ଗାଁକୁ ଆସନ୍ତି ଗାୟତ୍ରୀ ଓ ତା’ ବାପା ମା’ । ବେଶ୍ ଲମ୍ବା ଛୁଟି ହୁଏ ଏଇ ଶୀତଦିନେ । ଗାୟତ୍ରୀ ଆସିଗଲାଣି ବୋଲି ଶୁଣିଥିଲେ ପାର୍ବତୀ, କିନ୍ତୁ ଏ ଯାଏଁ ତାଙ୍କୁ ଦେଖାକରିବା ପାଇଁ ଆସିନି ସେ । ମନଟା ଡହଳ ବିକଳ ହୁଏ ତାକୁ ନ ଦେଖିଲେ । ମନେ ମନେ ଶଙ୍କର ପାଇଁ ତାକୁ ବାଛିଛନ୍ତି ପାର୍ବତୀ । ମନର କଥାଟି ମନରେ ରହିଥାଏ, ଏପରିକି ସ୍ଵାମୀଙ୍କୁ ବି ସେ ଭରସା କରି କହି ନାହାନ୍ତି ଏ ବିଷୟ–କାଳେ ଯଦି କିଛି ବିଘ୍ନ ଘଟେ ! କିଏ ଜାଣେ ଅଦୃଷ୍ଟରେ କ’ଣ ଅଛି ? କିନ୍ତୁ ଗାୟତ୍ରୀ ମନକୁ ଆଚ୍ଛନ୍ନ କରି ରଖେ ପାର୍ବତୀଙ୍କର । ସକାଳ ହେଲେ ଖବର ନେବେ କାହାକୁ ପଠେଇ । ପିଲା ବୟସ । କିନ୍ତୁ, ଏ ସମୟରୁ ତ ଦେଖିବା କଥା । ସେ ଦି’ଅକ୍ଷର ପଢ଼ି ନ ଥିଲେ ବୋଲି କେତେ ଅସୁବିଧା ହୁଏ ସତରେ ! ଭାଗବତ ନିଜେ ପଢ଼ିପାରନ୍ତି ନାହିଁ, ନିଜ ହାତରେ ଚିଠି ଖଣ୍ଡେ ବା ହିସାବ ଲେଖି ଆସେ ନାହିଁ । ଏ ସବୁଥିରେ ଅନ୍ୟ ଉପରେ ନିର୍ଭର କରିବା ଛଡ଼ା ଅନ୍ୟ ଗତି ନାହିଁ । ଗାୟତ୍ରୀ କିନ୍ତୁ ସେପରି ହେବ ନାହିଁ । ପାଠ ପଢ଼ୁଛି ସ୍କୁଲରେ । ତାକୁ ଆହୁରି ବେଶି ପଢ଼େଇବ ବୋଲି କହୁଥିଲେ ତା’ ମା’ । ଗୋଟିଏ ବୋଲି ଝିଅ, କୋଉଥିରେ ଅଭାବ ଯେ ଘରେ ବସି ଚାଉଳ ବାଛିବ ବା ଦାଣ୍ଡରେ ଖେଳି ବୁଲି ସମୟ କଟେଇବ ? ଆଜିକାଲି ବେଶୀ ବୟସରେ ଝିଅମାନଙ୍କୁ ବାହା ଦେବାର ଫେସନ୍‍ ଆରମ୍ଭ ହେଲାଣି । ସେ କମ୍ ବୟସରେ ବାହା ହୋଇ ଶାଶୁଘରକୁ ଆସି କ’ଣ ଅସୁଖୀ ହୋଇଛନ୍ତି ? ପଥୁରୀ, ବୁଢ଼ାମରା ଗାଁର ଝିଅ ପୁଅ ପାଞ୍ଚ ସାତ ବରଷରେ ବାହା ହେବାର ପ୍ରଥା ତ ଏବେ ବି ଚଳୁଛି ।

 

ମନରେ ଗୋପନ ଆଶା ପ୍ରକାଶ କରିଦବା ପାଇଁ ଛନଛନ ହୁଅନ୍ତି ପାର୍ବତୀ, କିନ୍ତୁ ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିବାରୁ ସାହାସ ହୁଏନି କହିବା ପାଇଁ । ବରଂ ଦୁଇ ପରିବାର ଭିତରେ ମିତ୍ରତା ସ୍ଥାପନ କରିବା ଲାଗି ସେ ପ୍ରାର୍ଥନା କରନ୍ତି ଠାକୁରଙ୍କୁ । ମଣିଷର ସ୍ଵାର୍ଥପରତା ମନକୁ କରେ ସଂକୀର୍ଣ୍ଣ, ଅନ୍ୟକୁ ଦଣ୍ଡ ଦେବାର ପ୍ରବୃତ୍ତି ତାକୁ କରେ ହିଂସ୍ର, ଆଉ ନିଜର ସେ ଦୋଷ ଦେଖିପାରେନି ବୋଲି ଅନ୍ୟ ମୁଣ୍ଡରେ ଦୋଷର ଅଠା ବୋଳେ । ହାୟ ! ଜଗତ ଆଉ ଟିକେ ସୁନ୍ଦର ଶୋଭନୀୟ ହୁଅନ୍ତା କି !

 

ସେଦିନ ଶଙ୍କର ସନ୍ଧ୍ୟା ଗାଡ଼ିରେ ହଠାତ୍ ଆସି ପହଞ୍ଚିଗଲା । ପାର୍ବତୀ ଖୁସି ହୋଇ ପୁଅକୁ ଦେଖି । ବିଶ୍ଵନାଥ କହିଲେ କହିଲେ– କିରେ ପଢ଼ାପଢ଼ି ଛାଡ଼ି ହଠାତ୍ ଚାଲିଆସିଲୁ ଯେ…? ଶଙ୍କରକୁ ମୁହଁ ହାତ ଧୋଇ ଆସିବା ପାଇଁ କହି ଜଳଖିଆ ବାଢ଼ିବା ପାଇଁ ଚାଲିଗଲେ ପାର୍ବତୀ । ଶଙ୍କର କୂଅ ପାଖକୁ ଚାଲିଗଲା ମୁହଁ ତଳକୁ କରି । ଉତ୍ତର ନ ପାଇ ବିଶ୍ଵନାଥ କ୍ଷୁର୍ଣ୍ଣ ହେଲାନି, ବରଂ ଏଇ ଅବସ୍ଥାରେ କିଛି ନୂଆ ଖବର ପୁଅ ମୁହଁରୁ ଶୁଣିବା ପାଇଁ ଉଦ୍‍ଗ୍ରୀବ ହୋଇ ଉଠିଲେ । ଜଳଖିଆ ଖାଇ ସାରିବା ପରେ ମେଲା ଘରେ ଶଙ୍କରକୁ ପାଖରେ ବସେଇ ବାରିପଦାର ଖବର ପଚାରିଲେ ବିଶ୍ଵନାଥ ।

 

–ଶରତବାବୁଙ୍କ ପ୍ରଜାମଣ୍ଡଳ ତରଫରୁ ଗୋଟେ ସଭା ହୋଇଥିଲା ହାଟ ପଡ଼ିଆରେ । ଚାରି ପାଞ୍ଚ ଶହ ଲୋକ ଠୁଳ ହୋଇଥିଲେ । ସେଇଠି ସେ କହିଲେ ଯେ ଯୁଦ୍ଧ ବ୍ୟାପିବାରେ ଲାଗିଛି-। ଜର୍ମାନୀର ହିଟଲର୍‍ ସହିତ ଜାପାନର ହିରୋ ଟିଟୋ ବି ଯୋଗ ଦେଇଛି ମିତ୍ର ଶକ୍ତି ବିରୁଦ୍ଧରେ-। ଜିନିଷପତ୍ରର ଦରଦାମ ହୁ–ହୁ ହୋଇ ବଢ଼ୁଛି । ଦେଶର କେତେକ ଜାଗାରେ ଖାଦ୍ୟପଦାର୍ଥ ମିଳୁନାହିଁ । ଏଣେ ଯୁଦ୍ଧକୁ ଲୋକ ପଠେଇବା ପାଇଁ ଶକ୍ତି ସାମର୍ଥ୍ୟ ଯୁବକମାନଙ୍କୁ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଲୋଭ ଦେଖାଉଛି ସରକାର । ଗାଁ-ଗଣ୍ଡାରୁ ଯୁବକମାନେ ଇଂରେଜ ସରକାରର ସେନାବାହିନୀରେ ଯୋଗ ନ ଦେଇ ସ୍ଵାଧିନତା ସଂଗ୍ରାମରେ ଯୋଗ ଦେବା ଲାଗି ପ୍ରବର୍ତ୍ତାଉଥିଲେ ଶରତବାବୁ ।

 

–ଏତେ ଶୀଘ୍ର କ’ଣ ଦେଶ ସ୍ଵାଧୀନ ହେବ ? ପ୍ରଶ୍ନ କଲେ ବିଶ୍ଵନାଥ ।

 

–ସେ କହୁଥିଲେ ଯେ ଯୁଦ୍ଧରେ ନ ହାରିଲେ ବି ଇଂରେଜମାନେ ଦୁର୍ବଳ ହୋଇଯିବେ, ଆଉ ଜୋର ଜବରଦସ୍ତ କରି ଏତେ ବଡ଼ ସାମ୍ରାଜ୍ୟ ବେଶି ଦିନ ରକ୍ଷା କରିପାରିବେ ନାହିଁ ।

 

–ତୁ ଯାଇଥିଲୁ ସଭାକୁ ?

 

–ହଁ ଆହୁରି କେତେ ଛାତ୍ର ବି ଯାଇଥିଲେ । କାଳେ କେହି ଆମକୁ ଚିହ୍ନିଦେବ ସେଥିପାଇଁ ଟିକେ ଦୂରରେ କିଛି ନଜାଣିବା ପରି ଗୋଟେ ଗଛମୂଳେ ବସି ଶୁଣୁଥିଲୁ ।

 

–ହଁ, ଜଗି ରଖି ଚଳିବ ଭାଇ । ପଢ଼ାପଢ଼ି ଶେଷ ହେଲେ ଦେଖାଯିବ । ପାଠ ପଢ଼ିବା ଏଇନେ ପ୍ରଥମ କାମ ।

 

–ହିଟଲର୍ ଲଣ୍ଡନ ଉପରେ ବୋମାମାଡ଼ କରିଛି ବୋଲି କହୁଥିଲେ ଶରତ ଗାନ୍ଧୀ । ଇଂରେଜମାନଙ୍କର ବଡ଼ଭାଇପଣ ଦୋହଲିଯାଇଛି ।

 

ପ୍ରସନ୍ନ ହୋଇ ବିଶ୍ଵନାଥ ବାହାରିଗଲେ ଘରୁ କୃପାସିନ୍ଧୁକୁ ଖବର ଦେବା ପାଇଁ । ସୈନ୍ୟବାହିନୀରେ କେହି ଯେପରି ଭର୍ତ୍ତି ନ ହୁଅନ୍ତି ସେଥିପାଇଁ ସଜାଗ କରିଦେବାକୁ ହେବ ଲୋକମାନଙ୍କୁ । ଯୁଦ୍ଧକୁ ଗଲେ ଯେ ମରିବା ସୁନିଶ୍ଚିତ ଏଇ ଜନରବ ଥରେ ପ୍ରଚାର ହୋଇଗଲେ ଆଉ କେହି ଆଗେଇବେ ନାହିଁ ସେ ଦିଗରେ । ତା’ପରେ କାହିଁକି ବା ଇଂରେଜର ସ୍ଵାର୍ଥ ରକ୍ଷା ସକାଶେ ଆମ ଦେଶର ନିରୀହ ଯୁବକମାନେ ପ୍ରାଣ ବଳି ଦେବେ ରଣକ୍ଷେତ୍ରରେ । ବରଂ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଲେ ନିଜକୁ କିଛି ନ ମିଳୁ, ଦେଶ ତ ଦିନେ ସ୍ଵାଧୀନ ହେବ ! ଆଉ ଦେଶ ସ୍ଵାଧୀନ ହେଲେ ଏଇ ରାଜାରାଜୁଡ଼ା ଶାସନ ବି ଲୋପ ପାଇବ । ମୟୂରଭଞ୍ଜରେ ସିନା ଅତ୍ୟାଚାର ନାହିଁ, କିନ୍ତୁ ନୀଳଗିରିର ରଜା ପ୍ରଜାମାନଙ୍କ ଉପରେ ଯେଉଁ ଅମାନୁଷିକ ଅତ୍ୟାଚାର କରୁଛନ୍ତି ତା’ର ଉଡ଼ା ଖବର ମଝିରେ ମଝିରେ ମିଳେ ବାରିପଦାରୁ । ରଜା କେବଳ ନିଶ ରଖିବେ, ଆଉ କେହି ନିଶ ରଖିବା ଅକ୍ଷମଣୀୟ ଅପରାଧ । କନ୍ୟା ଘରଯୋଗ୍ୟା ହେଲାକ୍ଷଣି ରାଜା ନଅରକୁ ନବାକୁ ପଡ଼ିବ…ଛି ଛି…ଶାସ୍ତ୍ରରେ ଅଛି ରଜା ପିତାପରି ପ୍ରଜା ପାଳନ କରିବେ । ସାରଳା ମହାଭାରତର କେଇ ପଦ ମନେ ପଡ଼ିଲା ବିଶ୍ଵନାଥଙ୍କର–

 

“ରାଜ୍ୟକର ଯେବେ ବାବୁ ଧର୍ମ ପ୍ରତିପାଳି,

ଅଧର୍ମ କ୍ଷଣହେଁ ନ ସହିବଟି ମହୀଆଳି ।

ପରଜାପାଳିବୁ ଯେବେ ନୋହିବେଟି ଦୁଃଖୀ,

ପ୍ରଜାଙ୍କ ରକ୍ଷଣେ ସିନା ରାଜା ହୋୟେ ସୁଖୀ ।

ନ୍ୟାୟେ ପ୍ରଜାଙ୍କୁ ପାଳିଲେ ଇନ୍ଦ୍ର କରେ ବୃଷ୍ଟି,

ରାଜ୍ୟ ପ୍ରତି ପାଳିଲେ ପ୍ରଜାଙ୍କୁ ପଡ଼ଇ ଅରିଷ୍ଟି ।

ପ୍ରଜା ପ୍ରତିପାଳନଟି ରାଜାର ସର୍ବବିଧି,

ପରଜା ଅତୁଟ ହୋଇଲେ ରାଜାଙ୍କୁ ହୋଅଇ ସର୍ବସିଦ୍ଧି ।

ରାଜ୍ୟ ଦଣ୍ଡ ବରଗିବୁ ଧାର୍ମିକ ଲୋକ ଦେଖି

ତେବେ ସେ ଜନ ପରଜା ହୋଇବ ବଡ଼ ସୁଖୀ ।

 

ଏଇ ଶାସ୍ତ୍ର କଥା ଆଉ ରଜା ମାନୁନାହାନ୍ତି । ପ୍ରଜା ବି ଅବାଟରେ ଗଲେଣି । ଇଏସବୁ କଳିକାଳର ଲକ୍ଷଣ । ଭାଗବତରେ, ମାଳିକାରେ ବି ଲେଖାଅଛି ଏସବୁ । ଅଘଟଣ ଘଟିବ ନିଶ୍ଚୟ । ପାଦ ଖସିଯାଇଛି ମଣିଷର–ପାହାଡ଼ ଉପରୁ ଖସୁଥିବା ମଣିଷର ଦୃଶ୍ୟ ପରି । ବହୁ ପ୍ରୟାସ ଓ ଆୟାସ ପରେ ସେ ଉପରକୁ ଉଠିଥିଲା...କିନ୍ତୁ ଛିଡ଼ା ହୋଇ ରହିପାରିଲା କାହିଁ ଉପରେ । ପୂର୍ବପୁରୁଷଙ୍କ ତ୍ୟାଗ ଓ ତପସ୍ୟା ବଳରେ ଗଢ଼ି ଉଠୁଥିବା ମୂଲ୍ୟଗୁଡ଼ାକୁ ନଷ୍ଟ କରିବାରେ ଲାଗିଛି ସେ । ନୈତିକତାର ବଳୟ ଘୁଞ୍ଚି ଘୁଞ୍ଚି ଯାଉଛି । ଲକ୍ଷ୍ମଣରେଖା ଆଖିରେ ପଡ଼ୁନି ଆଉ । ମଣିଷ ପାଗଳ ହେବାକୁ ଆରମ୍ଭ କରିଛି । ପରସ୍ପରର ମିତ୍ର ହେବା ପାଇଁ ଜନମିଥିବା ମଣିଷ ପରସ୍ପରର ଶତ୍ରୁ ହୋଇଯାଇଛି ।

 

ଠାକୁରାଣୀଶାଳ ପାଖରେ ଦେଖାହୋଇଗଲା ଷ୍ଟେସନ୍ ମାଷ୍ଟର ଚାନ୍ଦାରାଓ ସହିତ । ସେ କହିଲେ–ମୁଁ ତୁମ ପାଖକୁ ଯାଉଥିଲି ନନା । କାଲି ଗ୍ରେନ୍‍ସପ ଗାଡ଼ି ଆସିବ । ଗହମ, ଚାଉଳ, ବନସ୍ପତି, ଚା, ଚିନି, ତେଲ ଓ ଡାଲି ଯାହା ଦରକାର ଆସି ନେଇଯିବା ଲାଗି ଖବର ଆସିଛି ବାରିପଦାରୁ । ଏଥର କିନ୍ତୁ ମୁନାଫା ଟିକେ ବେଶୀ ଦେବାକୁ ପଡ଼ିବ । ବାହାରେ ଜିନିଷର ଦର ଆହୁରି ଅଧିକ । ତଥାପି ତୁମ ହାତକୁ ବେଶ୍ ଦି’ ପଇସା ଆସିବ ।

 

ଅଧିକାଂଶ ଗ୍ୟାଙ୍ଗ କୁଲି ସାନ୍ତାଳ, ଭୂମିଜ ବା ଖଡ଼ିଆ । ଚା’, ଚିନି, ଘିଅ, ତେଲ, ଡାଲି, ଗହମ ସେମାନଙ୍କର ଲୋଡ଼ା ହୁଏ ନାହିଁ । ଲୁଣ ଲଙ୍କା ଦେଇ କଂସାଏ ପଖାଳ ଖାଇଲେ ଯଥେଷ୍ଟ । କେବେ କେମିତି ଗରମ ଭାତ ସାଙ୍ଗରେ ବିଲରୁ ଧରି ଆଣିଥିବା ଦଣ୍ଡକିରି ବା ବାଲିଗରଡ଼ା ମାଛ ବା କୁକୁଡ଼ା କି ପାରା ମାଉଁସ ତରକାରୀ । ଅନାବନା ଶାଗଭଜା ଦେଇ ଖୁସିରେ ଭାତ ଖାଆନ୍ତି ପିଲାମାନେ । ସେଥିପାଇଁ ସେମାନଙ୍କ ନାମରେ ଆସୁଥିବା ରାସନ୍‍ ଉଦବୃତ୍ତ ରହିଯାଏ ଏବଂ ସେସବୁ ଆହୁରି ଚଢ଼ା ଦାମରେ ଦୋକାନୀମାନଙ୍କୁ ବିକ୍ରି କରିଦିଅନ୍ତି ରେଳବିଭାଗର ଗ୍ରେନ୍‍ସପ୍ ଦ୍ଵାୟିତ୍ଵରେ ଥିବା ଇନିସ୍ ପେକ୍ଟର । ଘର ଅଚଳ ହୁଏ ବୋଲି ସବୁ କିଣି ନେଇ ଦୋକାନରେ ବିକ୍ରି କରନ୍ତି ବିଶ୍ଵନାଥ । ଏହା କରିବା ଦ୍ଵାରା ସେ ଯେ ଅଧର୍ମର ଅଂଶୀଦାର ହୋଇଯାଆନ୍ତି ଏହା ମନେପଡ଼ିଲେ ମନ ଅବସନ୍ନ ହୋଇଯାଏ । ନୀତି ନିୟମ, ଆଦର୍ଶ ସବୁ ପାଳନ କଲେ ଧର୍ମ ରକ୍ଷା ହୁଏ; ନ କଲେ ଧର୍ମର କ୍ଷୟ ହୁଏ । ସେଥିପାଇଁ କଥାରେ ଅଛି– ‘ଧର୍ମ ଧାର୍ମିକକୁ ରକ୍ଷା କରେ’ । ସେ କାହାରି ଅନିଷ୍ଟ ନ କରି ସଂଶ୍ଲିଷ୍ଟ ହୋଇଯାଉଥିବାରୁ ମନେ ମନେ ନିଜକୁ ତିରସ୍କାର କରନ୍ତି ବିଶ୍ଵନାଥ । କିନ୍ତୁ ସେ ଯେ ସଂସାରର ଦାବି ଆଗରେ ଦୁବ ଘାସ ପରି ଦୁର୍ବଳ ଓ ନିରୁପାୟ ଏହା ଭାବି ଟିକେ ସାନ୍ତ୍ଵନା ପାଇଲେ ମଧ୍ୟ ମନ ବୁଝେ ନାହିଁ । ଅନ୍ତର ଭିତରଟା ଗ୍ଲାନିରେ ଜଳି ଉଠେ ହୁ–ହୁ କରି । ପାପବୋଧର ନିପୀଡ଼ନ ସତରେ ବଡ଼ ଦୁଃସହ ବଡ଼ ବେଦନାଦାୟକ ।

 

ତା’ପରେ ଚାନ୍ଦାରାଓ କହିଲେ–ତମେ ଶୁଣିଥିବ ବୋଧହୁଏ…ଜନ୍ମେଜୟ ମଝିରେ ମଝିରେ ଏ ଅଞ୍ଚଳକୁ ଆସୁଥିବା ଖବର ପହଞ୍ଚି ଯାଇଛି ପୋଲିସ୍ ପାଖରେ ।

 

ବିଶ୍ଵନାଥ ଚମକି ପଡ଼ିଲେ । ଶୀତ ପବନ ଦେହରେ ଲାଗୁଥିଲେ ବି ଝାଳେଇଗଲେ ।

 

“ପୋଲିସ କ’ଣ ସବୁ ଯୋଗସୂତ୍ର ଜାଣିଗଲାଣି ? –ଉଦ୍‍ବିଗ୍ନ କଣ୍ଠରେ ପଚାରିଲେ ବିଶ୍ଵନାଥ ।

 

–ନା, ଜାଣିଥିଲେ ଏଯାଏଁ ନିଶ୍ଚିନ୍ତ ହୋଇ ବସିନଥାନ୍ତା । ମୋଗଲବନ୍ଦୀ ନୁହଁ, ମନେରଖ ଯେ ଏଇଟା ଗଡ଼ଜାତ ।

 

ବିଶ୍ଵନାଥ ଚିନ୍ତାରେ ପଡ଼ିଗଲେ ଯେପରି । ତାଙ୍କୁ ଆଶ୍ୱସ୍ତ ହେବାକୁ ସୂଚନା ଦେଇ କହିଲେ ଚାନ୍ଦାରାଓ–ତମେ ନିଶ୍ଚିନ୍ତ ରୁହ, ସୁରାକ ପାଇବାମାତ୍ରେ ମୁଁ ଆଗରୁ ଜଣାଇଦେବି । ତଥାପି ସାବଧାନ ଥିବ । କୃପାସିନ୍ଧୁକୁ ବି ସାବଧାନ କରିଦବ ।

 

“ଆଉ ଘରେ ସବୁ ଭଲ ତ ?’’ –ଏତେବେଳକେ ତୁଣ୍ଡ ଖୋଲିଲା ତାଙ୍କର ।

 

–ହଁ, ସବୁ ଭଲ । ମୋ କକେଇ ଭେଙ୍କଟ ରାଓ ଏବେ ବି ଇଂରେଜ ସରକାରଙ୍କ ଜେଲ୍ ରେ । କାଳେ ତାଙ୍କ ସହିତ ମୋର ସମ୍ପର୍କ ଥିବ ଏଥିପାଇଁ ବେଳେବେଳେ ଦାରୋଗାବାବୁ ଆସି ବୁଲିଯାଆନ୍ତି । କିଛି ଖର୍ଚ୍ଚ କରିବାକୁ ପଡ଼େ ତାଙ୍କୁ ଚର୍ଚ୍ଚା କରିବା ପାଇଁ । ମୋ’ ଉପରେ ପରିବାରର ସବୁ ଦ୍ଵାୟିତ୍ଵ । ମୁଁ ଜେଲ୍‍କୁ ଚାଲିଗଲେ ଏମାନେ ଚଳିବେ କିପରି ? କିନ୍ତୁ ମାତୃଭୂମିର ମୁକ୍ତିର ସ୍ଵପ୍ନ ମୁଁ କ’ଣ ଦେଖୁନାହିଁ ? ମୋ ଭିତରେ ସାକାର ହେଉଛି ଜନନୀ ଜନ୍ମଭୂମିର ସେଇ କଲ୍ୟାଣମୟୀ ରୂପ । ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠ’ ବହି ଆଣି ପଢ଼ୁଛି–ଶେଷ ହୋଇନି ଏଯାଏ । ସେ ତ ଲେଖିଥିଲେ ଏଇ ବନ୍ଦେ ମାତରଂ ଗୀତ…ଏବେ ତାହା ମନ୍ତ୍ର ହୋଇଯାଇଛି ନନା ।

 

ବିଶ୍ଵନାଥ କହିଲେ–ଜନ୍ମେଜୟ ଆସିବା ଖବର ପାଇ ଯାଉଥିଲି ଖଡ଼ିଆଶୋଳ…ଏଇଠୁ ଫେରିଯିବି ଆଜି...କାଲି ଯିବି ।

 

ଚାନ୍ଦାରାଓ ମୁହଁ ଉପରେ ସ୍ନିଗ୍‍ଧ ହସ ଖେଳାଇ କହିଲେ–ମୋ ଖବର ଭୁଲ ହୁଏନି ବିଶ୍ଵନାଥ ବାବୁ ।

 

–ତମେ ଜାଣିଛ ତା’ହେଲେ ?

 

–ଜାଣିବିନି ? ଏଠାରେ ଅଛି ତା’ହେଲେ କାହିଁକି ? ଖାଲି ଟିକଟ୍ ବିକ୍ରି କରେନି ଯାତ୍ରୀମାନଙ୍କୁ । ସେମାନଙ୍କ ସହିତ ଗୋଟିଏ ସୂକ୍ଷ୍ମ ମଧୁର ସମ୍ପର୍କ ଗଢ଼ିଉଠିଛି ଏଇ ତିନି ଚାରି ବର୍ଷ ମଧ୍ୟରେ । ସେମାନଙ୍କର ସୁଖ ଦୁଃଖ ଶୁଣେ…କିଏ ଆସିଲା କିଏ ଗଲା ସେସବୁ ଖବର ବି ନିଏ । ତେବେ ଜନ୍ମେଜୟଙ୍କୁ ସତର୍କ ରହିବାକୁ କହିବ…ଘର ଭିତରୁ ନ ବାହାରିବା ଭଲ । କୃପାସିନ୍ଧୁ ଯେ ସନ୍ଦେହର ବାହାରେ ଏହା ପ୍ରାୟ ସମସ୍ତଙ୍କର ମତ । କୃପାସିନ୍ଧୁଠାରୁ ତା’ ସ୍ତ୍ରୀ ଅଧିକ ଚତୁରୀ ଓ ବୁଦ୍ଧିମତୀ । ସେ ସବୁ ଜାଣିବା ଦରକାର ।

 

ବିଶ୍ଵନାଥଙ୍କୁ ସେଠାରେ ଛାଡ଼ି ନ ଦେଇ କ୍ଵାଟରକୁ ନେଇ ଆସିଲେ ଚାନ୍ଦାରାଓ । ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ରାତି ହୋଇଥିଲା ସେତେବେଳେକୁ । ମାଳିନୀଙ୍କୁ ଦେଖି ଖୁସି ହୋଇ କହିଲେ ବିଶ୍ଵନାଥ–“ତୁ କେବେ ଆସିଲୁ ମା’ ? ପରୀକ୍ଷାରେ ଭଲ କରିଛୁ ତ ?’’ ମାଳିନୀ ମଥା ହଲାଇ କହିଲା– “କାକା ବାବୁ ଆସନ୍ତୁ ଆପଣ, ମୁଁ ଚା’ କରି ଆଣେ ।”

 

[ ୩ ]

 

ଗୋରା ସୈନ୍ୟମାନଙ୍କୁ ନେଇ ନାଲି ସଡ଼କରେ ଧୂଳି ଉଡ଼େଇ କେତୋଟି ଟ୍ରକ ଚାଲିଗଲେ ଖଡ଼ଗପୁର ଆଡ଼କୁ । ସେଇଠି କୁଆଡ଼େ ଛାଉଣୀ ପଡ଼ିଛି ସେମାନଙ୍କ ପାଇଁ । ଜଣେ ଗୋରା ସୈନିକ ସଡ଼କ କଡ଼ରେ ଛିଡ଼ା ହୋଇ ସେମାନଙ୍କୁ ଚାହିଁଥିବା ପିଲାମାନଙ୍କୁ ଲକ୍ଷ୍ୟ କରି ଫିଙ୍ଗିଦେଲା କିଛି ଜିନିଷ । ଶଙ୍କରର କଥା ନ ମାନି ସେମାନେ ଦୌଡ଼ିଗଲେ ସେଇ କାଗଜ ଥଳିକୁ ନେବା ପାଇଁ । ସେଥିରେ ଥିଲା ପାଉଁରୁଟିର କେତେଖଣ୍ଡ ଟୁକୁରା, ଆଉ ଶୁଖିଲା ଆଳୁଭଜା । ଶଙ୍କର ସେମାନଙ୍କ ହାତରୁ ଥଳିଟା ଛଡ଼େଇ ନେବା ପୂର୍ବରୁ ସେମାନେ ପାଉଁରୁଟି ଓ ଆଳୁଭଜା ମୁହଁରେ ଭର୍ତ୍ତି କରି ସାରିଥିଲେ । ଆଳୁଭଜା ଥିବା କାଗଜ ଉପରେ ଲେଖା ହୋଇଥିଲା ପଟାଟୋ ଚିପସ୍ । ବିଦେଶରେ ତିଆରି । ଆଉ ସେମାନେ ଯେଉଁ ପାଉଁରୁଟି ଖାଉଥିଲେ ତାହା ବି ବିଦେଶରେ ତିଆରି । ଟ୍ରକଗୁଡ଼ାକ ଆଖି ଆଗରୁ ଅଦୃଶ୍ୟ ହୋଇଯିବା ପରେ ସାହସ ହେଲା ପିଲାମାନଙ୍କର ଶଙ୍କର ମୁହଁକୁ ସିଧା ଚାହିଁବା ପାଇଁ । ସେମାନଙ୍କର ସେଇ ଚାହାଣିରେ ଠୁଳ ହୋଇଥିବା ରାଶି ରାଶି କ୍ଷୁଧାରୁ ସାମାନ୍ୟ ଟିକେ ଶାନ୍ତ ହେଲା ବୋଧହୁଏ । ପାଣି ପିଇବା ପାଇଁ ସେମାନେ ଷ୍ଟେସନ୍ ଆଡ଼କୁ ପାଦ ବଢ଼େଇଲେ । ଶଙ୍କର ମନକୁମନ କହିଲା–ଭୋକରେ ହୁଏତ ପିଲାମାନଙ୍କର ପେଟ ଜଳିଯାଉଥିବ । ଦିନେ ଦୁଇଦିନ ପରେ ହୁଏତ ଏଇ ସାମାନ୍ୟ ଖାଦ୍ୟ ପଡ଼ିଥିବ ସେମାନଙ୍କ ପେଟରେ । ଗୋରା ସୈନ୍ୟମାନେ ଏ ଦେଶରୁ ଶତ୍ରୁ, ତେଣୁ ସେମାନେ ଦେଇଥିବା କୌଣସି ଜିନିଷ ଗ୍ରହଣ କରିବା ପାପ । ତଥାପି ଟିକେ ଟିକେ ପାଉଁରୁଟି ଖାଇ ସେମାନଙ୍କ ମୁହଁରୁ ଉଛୁଳି ପଡ଼ୁଥିବା ସନ୍ତୋଷ ଦେଖି ଶଙ୍କର ମୁହଁରେ ଭାଷା ସ୍ପୂରିଲା ନାହିଁ କିଛି କହିବା ପାଇଁ । ତାକୁ ଚାହିଁ ଚାହିଁ ସେମାନେ ଚାଲିଗଲା ପରେ ଏକା ହୋଇଗଲା ଶଙ୍କର । ଏତେବେଳକେ ତା’ର ଦୃଷ୍ଟି ପଡ଼ିଲା ସଡ଼କ କଡ଼ର ଆମ୍ବ ଗଛ ଉପରେ । ଶାଖା ପ୍ରଶାଖାରେ ଆମ୍ବ ବଉଳ ଦେଖି ଆଶ୍ଚର୍ଯ୍ୟ ଲାଗିଲା ତାକୁ । ଏଇ ପାଞ୍ଚ ଛଅ ଦିନ ପୂର୍ବେ ସେ ଯେଉଁଦିନ ଷ୍ଟେସନ୍‍କୁ ଆସିଥିଲା ସେଦିନ ତା’ ଆଖିରେ ପଡ଼ି ନଥିଲା ଏ ଦୁର୍ଲଭ ଦୃଶ୍ୟ । ଆମ୍ବ ବଉଳର ବାସନା ଶୁଙ୍ଘି ଶୁଙ୍ଘି ସେ ଚାଲିଲା ବନ୍ଧ ଆଡ଼େ । ଆଉ ହଠାତ୍ ତା’ର ମନେପଡ଼ିଗଲା ଯେ ଏଇଟା ଫଗୁଣର ଆରମ୍ଭ । ବସନ୍ତ ଆସିଗଲାଣି ଜଗତକୁ, ଅଥଚ ସେଇ ଆସିବା ମୁହୂର୍ତ୍ତ ତା’ ଆଖିରେ ପଡ଼ିଲା ନାହିଁ କି କେହି ତାକୁ କହିଦେଲା ନାହିଁ । ଏତିକିବେଳେ ସୁଲୁସୁଲିଆ ଦକ୍ଷିଣା ପବନ ଦେହରେ ଲାଗି ଉଲୁସେଇ ଦେଲା ମନ । ବସନ୍ତ ଆସିଯାଇଛି !

 

ଏଇ ସୈନ୍ୟମାନଙ୍କୁ ଦେଖିଲେ ମନଟା ବିଷର୍ଣ୍ଣ ହୋଇଯାଏ ଶଙ୍କରର । ଜନ୍ତାଳରେ ବୋଦା ବଳି ପଡ଼ିବା ପରି ଏମାନେ ବଳିପଡ଼ନ୍ତି ଯୁଦ୍ଧରେ । କୋଉ ଦେଶର ଲୋକ କୋଉଠିକି ଆସିଛନ୍ତି ଘର ସଂସାର ଛାଡ଼ି । ନିଜର ସ୍ଵାର୍ଥ ରକ୍ଷା କରିବା ସକାଶେ ଲଢ଼ୁନାହାନ୍ତି ଏମାନେ, ସରକାର ଯାହା ବିରୁଦ୍ଧରେ ମତାଇ ଦିଏ ସେ ଏମାନଙ୍କର ଶତ୍ରୁ, ତାହାରି ବିରୁଦ୍ଧରେ ଲଢ଼ନ୍ତି । ଯୁଦ୍ଧ କ୍ରମଶ ବଢ଼ୁଥିବା ପରି ଲାଗୁଛି । ଜର୍ମାନମାନେ ଗୋଟିକ ପରେ ଗୋଟିଏ ଦେଶକୁ ଅକ୍ତିଆର କରିସାରିଲେଣି । ଭାରତର ବଡ଼ଲାଟ ସିନା ତୁମ୍ବିତୋଫାନ କରୁଛନ୍ତି, ଯୁଦ୍ଧରେ ଶତ୍ରୁପକ୍ଷକୁ ପାନେ ଦେବେ ବୋଲି ବାହୁସ୍ପୋଟ ମାରୁଛନ୍ତି, କିନ୍ତୁ ତେଣେ ନିଜର ଘର ଉପରେ ବୋମା ପକେଇବ ବୋଲି ଧମକ ଦେଲାଣି ହିଟଲର୍‍ । ଚର୍ଚ୍ଚିଲସାହେବଙ୍କ ବୁଦ୍ଧି ଅକଲଗୁଡ଼ୁମ୍ ହୋଇଗଲାଣି ଏଇ ଚେତାବନୀ ଶୁଣି । ଆଉ ଧନ୍ୟ କହିବା ହିଟଲର୍‍ଙ୍କୁ…ଏତେ ପ୍ରବଳ ପ୍ରତାପୀ ଯେ ଜର୍ମାନ ସେନାବାହିନୀ ଆଗରେ ଗୋଟିକ ପରେ ଗୋଟିଏ ଦେଶ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ପୃଥିବୀକୁ ମୁକ୍ତିର ମନ୍ତ୍ର ଶିଖାଇଥିବା ଫ୍ରାନ୍‍ସ ଜାତିର ଆଣ୍ଠୁ ଭାଙ୍ଗିଗଲାଣି ବୋମାମାଡ଼ରେ । ହିଟଲର୍‍ ନାଜୀ ସେନାବାହିନୀର ଦଖଲରେ ଫ୍ରାନ୍‍ସ । ଏଣେ ଜାପାନ ବି ଯୁଦ୍ଧ ଘୋଷଣା କରିଦେଇଛି । ଜାପାନର ସମ୍ରାଟ୍ ହିରୋ ଟିଟୋ ପାର୍ଲହାର୍ବର ଉପରେ ଆକ୍ରମଣ କରି ଚମକାଇ ଦେଇଛନ୍ତି ମିତ୍ରପକ୍ଷକୁ ।

 

କାହିଁକି ଯୁଦ୍ଧ ଲାଗେ ବୁଝିପାରେନା ଶଙ୍କର । ମଣିଷ ନିଃସଂକୋଚରେ ଆଉ ଜଣକୁ ହତ୍ୟା କରେ କିପରି ? ସେଦିନ ଷ୍ଟେସନ୍‍ ମାଷ୍ଟର ଚାନ୍ଦାରାଓ କହୁଥିଲେ ଯେ ଜର୍ମାନୀ ବଡ଼ ନୃଶଂସ, ଶତ୍ରୁ ବର୍ତ୍ତି ଯାଇପାରେ ନାହିଁ ସେମାନଙ୍କ ଆକ୍ରମଣରୁ । ଇଂରେଜମାନେ ସିନା ଭାରତରେ ସର୍ବେସର୍ବା ପରି ବ୍ୟବହାର କରନ୍ତି, କିନ୍ତୁ ହିଟଲର୍‍ର ନାଜୀ ସେନାବାହିନୀ ଆଗରେ ବିଲେଇ ଆଗରେ ମୂଷା ପରି । ଗୋଟେ ବଡ଼ ମୌକା ମିଳିଛି ଇଂରେଜମାନଙ୍କୁ ସାବାଡ୍‍ କରିବା ପାଇଁ । ବେପାର ବଣିଜ କରିବାକୁ ଆସିଥିଲେ ଏ ଦେଶକୁ, କିନ୍ତୁ କୂଟକପଟ କରି ଶାସନ କରିବାକୁ ରହିଗଲେ । ଏବେ କୁହାଯାଉଛି ସୂର୍ଯ୍ୟଙ୍କର ସିନା ଉଦୟ ଓ ଅସ୍ତ ଅଛି, କିନ୍ତୁ ବ୍ରିଟିଶ ସାମ୍ରାଜ୍ୟରେ କେବେ ସୂର୍ଯ୍ୟାସ୍ତ ହୁଏ ନାହିଁ । ପୃଥିବୀର ମାନଚିତ୍ର ଦେଖିଲେ ଅଧେ ଲାଲ ରଙ୍ଗ । ଇଂରେଜମାନଙ୍କ ସାମ୍ରାଜ୍ୟ ପ୍ରସରି ଯାଇଛି ବିଶ୍ଵର ସବୁ ମହାଦେଶକୁ ।

 

ବନ୍ଧ ଆଡ଼ିରେ ଧାଡ଼ି ଧାଡ଼ି ତାଳ ଗଛ । ପୂର୍ବମୁଣ୍ଡରେ ଠାକୁରାଣୀ ପାହାଡ଼ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମ କିରଣ ପଡ଼େ ଏଇ ପାହାଡ଼ ଉପରେ । ଏଇ ପାହାଡ଼ର ଚିତାବାଘ ସେଦିନ ଖଡ଼ିଆଶାଳର ନାରଣକୁ ବୋହି ନେଇଥିଲା ଶୂନ୍ୟେ ଶୂନ୍ୟେ । ସମସ୍ତେ ଚକିତ ଚିତ୍ତରେ କେବଳ ଅସହାୟ ପରି ଅନାଇଁଥିଲେ ସେଇ ଆଡ଼କୁ । ବନ୍ଧର କାଚକେନ୍ଦୁ ପାଣିରେ ଦେଖାଯାଉଥିବା ନିଜର ପ୍ରତିବିମ୍ବକୁ କିଛି ସମୟ ଚାହିଁଲା ଶଙ୍କର । କଇଁଫୁଲ ଆଉ ଫୁଟୁନି । ଆଉ ଦି’ ମାସ ପରେ ମାଛ ଧରିବାର ସମୟ ଆସିବ । ବିଲ ସବୁ ଖାଲି ପଡ଼ିଛି । ମହାରାଜା ଶ୍ରୀ ରାମଚନ୍ଦ୍ର ପ୍ରଜାମାନଙ୍କୁ ଜଳସେଚନର ସୁବିଧା ଦେବା ପାଇଁ ଏକ ବନ୍ଧ ଖୋଳାଇଥିଲେ ଠାକୁରାଣୀ ପାହାଡ଼ ତଳେ । ବର୍ଷା ଠିକ୍ ସମୟରେ ନ ହେଲେ ବନ୍ଧର ପାଣି ନେଇ ଚାଷ କରନ୍ତି ପାଞ୍ଚ ଖଣ୍ଡ ଗାଁର ଚାଷୀମାନେ । ପଙ୍କ ନ ଉଠିବାରୁ ବନ୍ଧ ପୋତି ହୋଇଗଲାଣି ଅନେକ । ପୁଣି କେବେ ରାଜା ଆସିବେ, କାମ ମଞ୍ଜୁର ହେବ...କିନ୍ତୁ…

 

କିନ୍ତୁ ଏଇ ରାଜାମାନଙ୍କ ହାତରୁ ଶାସନଭାର ଛଡ଼େଇ ନେବା ପାଇଁ ଠାଏ ଠାଏ ମେଳି ଆରମ୍ଭ କଲେଣି ପ୍ରଜାମାନେ । ପ୍ରଜାମଣ୍ଡଳର ଶରତ୍‍ ଗାନ୍ଧୀ ସେଦିନ ସଭାରେ ତ ସେଇ କଥା କହିଗଲେ । ଇଂରେଜ ଶାସନ ସହିତ ଏଇ ରାଜୁଡ଼ା ଶାସନ ବି ଲୋପ ପାଇବ ଦିନେ । ବିଶ୍ଵାସ ହୁଏନି ଶଙ୍କରର । କିନ୍ତୁ ବେଳେବେଳେ ମନ ଭିତରୁ ଯେପରି ଆଉ କେହି କହେ–ହଁ ହଁ ଏମାନେ ବହୁ ଯୁଗ ଶାସନ କଲେଣି । ପ୍ରଜାମାନଙ୍କ ସ୍ଵାର୍ଥ ବଦଳରେ ନିଜର ସ୍ଵାର୍ଥ ବଡ଼ ଦିଶେ ଏମାନଙ୍କୁ । ଏମାନଙ୍କ ବେଳକାଳ ସରି ଆସିଲାଣି ।

 

ମନକୁ ମନ ଚମକିପଡ଼େ ଶଙ୍କର । କିଏ କହିଲା ଏକଥା ? ଆଉ କେହି ଶୁଣୁନାହିଁ ତ ? ସେଦିନ ଏମିତି ଗୋଟେ କଥା କାନରୁ କାନ ହୋଇ ଗୁଜବ ହୋଇଯାଇଥିଲା ବୋଲି ଥାନାବାବୁ ଦଳବଳ ନେଇ ଆସିଥିଲେ ଗାଁକୁ ସତ ମିଛ ପରଖିବା ପାଇଁ । ସେଦିନ କଥା ମନେପଡ଼ିଲେ ରୁମ ଟାଙ୍କୁରି ଉଠେ ଶଙ୍କରର । ନାଲିପଗଡ଼ିଆ ପୁଲିସବାଲା ଗାଁ ଆଡ଼କୁ ଆସୁଥିବାର ଶୁଣି କବାଟ କିଳି ଘର ଭିତରକୁ ପଶିଗଲେ ଲୋକମାନେ । ଦିନ ତିନିଟାବେଳେ ଗାଁ ଦାଣ୍ଡ ଦୁଲୁକୁଥାଏ ପିଲାମାନଙ୍କ କୋଳାହଳ ଓ ପଶାପାଲି ଚାରିପାଖରେ ଗୋଟି ଚଳାଉଥିବା ଖେଳାଳୀମାନଙ୍କ ଚିତ୍କାରରେ । ଦାରୋଗାବାବୁ ଗାଁ ଦାଣ୍ଡରେ ପହଞ୍ଚିଲା ବେଳକୁ ଶ୍ମଶାନର ନୀରବତା ଦେଖି ଡାକି ପଠେଇଲେ ପଧାନଙ୍କୁ । ଗାଁ ଚୌକିଦାର ହରିପଦ ସବୁ ଘରକୁ ଯାଇ ଡାକି ଆଣିଲା ମୁରବୀମାନଙ୍କୁ । ଦାରୋଗାବାବୁଙ୍କୁ ସଦଳବଳ ଦେଖି କାହା ମୁଣ୍ଡରେ ଠେଙ୍ଗା ପଡ଼ିବ ସେହି ଆଶଙ୍କାରେ ବରଡ଼ାପତ୍ର ପରି ଥରୁଥାନ୍ତି ଲୋକମାନେ । ସମସ୍ତଙ୍କୁ ପଚରାଉଚୁରା କରିସାରି ଗାଁବାଲାଙ୍କୁ ସତର୍କ କରିଦେଇ କହିଲେ ଦାରୋଗାବାବୁ–“ଖବରଦାର୍ ! ମୋ ଇଲାକାରେ ଯିଏ ପ୍ରଜାମଣ୍ଡଳର ନାମ ଧରିବ ସିଏ ମଲା ବୋଲି ଜାଣିବ । ଆଉ ସାନ୍ତାଳମାନେ ପଚିଶ ବର୍ଷ ତଳେ ମେଳିକରି କ’ଣ ଫଳ ପାଇଥିଲେ ମନେଥିବ ନିଶ୍ଚୟ । ତଳକଣ୍ଟା ଉପରକଣ୍ଟା ଏ ଯାଏଁ କାହାଣୀରେ ପଢ଼ୁଥିଲେ…ଏବେ ସ୍ଵଚକ୍ଷୁରେ ଦେଖିବ । ଆରେ ଶଳା, ଯାହାର ଲୁଣ ଖାଇ ଏତେ ବଡ଼ ତା’ ବିରୁଦ୍ଧରେ ମେଳି...ଗୋଡ଼ ହାତ ଭାଙ୍ଗିଦେବିନି ।

 

ଏତିକିବେଳେ ଗୋଟିଏ ଘଟଣା ଏମିତି ଅପ୍ରତ୍ୟାଶିତ ଭାବେ ଘଟିଗଲା ଯେ ସମସ୍ତେ ତଟସ୍ଥ ହୋଇଗଲେ । ପଥୁରୀ ଗାଁର ସେଇ ପାଗଳ ଟୋକା ସନିଆ ଗାଁ’ମୁଣ୍ଡ ଆଡ଼ୁ ଗୀତ ଗାଇ ଗାଇ ଆସୁଥିଲା–

 

ଏଥର ବାନ୍ଧ ଭାଇ ପେଡ଼ି ପୋଟଳା

ସରିଗଲା ବିଦେଶୀଙ୍କ ଶାସନ ଲୀଳା ।

ସବୁଦିଗୁ ଭାସି ଆସେ ଗାନ୍ଧୀର ଡାକ

ଉଠ ଭାଇ ଜାଗ ଭାଇ ନକରି ମଠ ।

ଇଂରେଜ ପଛକୁ ଯିବେ ରାଜା ମନ୍ତିରୀ

ଆସିବ ନୂତନ ଯୁଗ ଫେରିବ ଶିରୀ ।

ଉଠ ଭାଇ ଜାଗ ଭାଇ ନ କରି ମଠ

ଶୁଭିଲାଣି ଚାରି ଦିଗୁ ରଣ କୁହାଟ ।

 

ସନିଆ ମଝି ଦାଣ୍ଡରେ ଉଦ୍ଦଣ୍ଡ ପରି ନାଚି ନାଚି କାହାକୁ ପରୁଆ ନ କରି ଗୀତ ଗାଇ ଗାଇ ଆସୁଥିଲା । କାଳ ବିଳମ୍ବ ନ କରି ତା’ଉପରେ ଝାମ୍ପି ପଡ଼ିଲେ ଦାରୋଗାବାବୁ । ତା’ପରେ ବିଧା ଗୋଇଠା ମନଇଚ୍ଛା କଷିଦେଲେ ସନିଆ ଉପରେ । ଦାରୋଗାବାବୁଙ୍କ ଆଜ୍ଞା ପାଇ ସିପେଇ ଏମିତି ଜୋରରେ ଲାଠିଏ ମାରିଲା ଯେ ସେ ଚକ୍କର ଖାଇ କାଚିଲା ଗଛ ପରି ତଳେ କଚାଡ଼ି ହୋଇ ପଡ଼ିଲା । ମୁଣ୍ଡଟା ଦି’ ଫାଳ ହୋଇଗଲା ବୋଧହୁଏ, ନ ହେଲେ ରକତର ସୁଅ ବୋହି ନଥାନ୍ତା ଗାଁ ଦାଣ୍ଡରେ । ସନିଆର ଏପରି ଅବସ୍ଥା ଦେଖି ଭୟରେ ଥରି ଉଠିଲେ ଗାଁବାଲା । ଏହାପରେ ଆଉ କାହା ମୁଣ୍ଡରେ ଠେଙ୍ଗା ପଡ଼ିବ ସେଇ ଆଶଙ୍କାରେ ମୁହଁ ପୋତି ଧୀରେ ଧୀରେ ପଛକୁ ଯିବା ବେଳେ ପଧାନେ ସାହସ କରି କହିଲେ–ଏମାନେ ମ କହିଲେ ମରିଯିବେ ହଜୁର । ଚୁଚୁନ୍ଦ୍ରା ମାରି ହାତ ଗନ୍ଧେଇବେ କାହିଁକି…ବରଂ ମେଲାକୁ ଆସନ୍ତୁ...ରନ୍ଧାରନ୍ଧି ସରି ଗଲାଣି…। ଖାଲି ଆପଣଙ୍କ ପାଦ ପଡ଼ିଲେ ହେଲା । ସନିଆକୁ ସେହିପରି ଆହତ ଅବସ୍ଥାରେ ଛାଡ଼ିଦେଇ ଯେ ଯାହା ଘରକୁ ଚାଲିଗଲେ ଏବଂ ପଧାନଙ୍କ ମେଲାଘରକୁ ସଦଳବଳ ବିଜେ କଲେ ଦାରୋଗାବାବୁ । କାହାର ସାହାସ ହେଲାନି ସନିଆ ମୁଣ୍ଡରୁ ରକତ ପୋଛିଦେଇ କନାର ପଟି ଖଣ୍ଡେ ବାନ୍ଧିଦେବା ପାଇଁ ।

 

ଶଙ୍କର ବାରିପଦାରୁ ଫେରି ସବୁ ଶୁଣିଲା କକାଙ୍କ ତୁଣ୍ଡରୁ । ବାପାଙ୍କ ସହିତ ସେ ଯାଇଥିଲା ବାରିପଦା ଲୁଗା ଆଣିବା ପାଇଁ । ବାପାଙ୍କ ଲୁଗା ଦୋକାନରେ ବସି ବେଳେବେଳେ ଲୁଗା ବିକ୍ରି କରେ ଶଙ୍କର । କେବେ କେବେ ହିସାବ ପତ୍ର ବି ଲେଖେ । ସେଦିନ ବାରିପଦାରୁ ରେଳଗାଡ଼ିରେ ଫେରିବା ବେଳକୁ ସଞ୍ଜ ହୋଇଯାଇଥିଲା । ଏମିତି ଗାଡ଼ି ଆସିବା ସମୟରେ ଗାଁର ପାଞ୍ଚ ଦଶ ଜଣ ଷ୍ଟେସନକୁ ଆସନ୍ତି ବୁଲିବା ପାଇଁ, କିନ୍ତୁ ସେଦିନ ଷ୍ଟେସନରେ କାହାକୁ ନ ଦେଖି ଛନକା ପଶିଥିଲା ମନରେ । କ’ଣ ହେଲା–ଏତେ ବଡ଼ ଗାଁ ଟା ଏମିତି ମଲା ମଣିଷ ପରି ଶୋଇ ପଡ଼ିଲା କାହିଁକି ? ଠାକୁରାଣୀଶାଳ ପାଖରେ ଦେଖା ହେଲା ସାନ କକା ସହିତ । ସେ ଶଙ୍କରକୁ ସାବଧାନ କରିଦେଇ କହିଲେ–ଆଜି ଯାହା ହେଲା ଘରେ କହିବି… ଏଇ ରାସ୍ତାରେ ନୁହେଁ…କିନ୍ତୁ ତୁ ଆଉ ସେହି ଗାନ୍ଧୀ ଫାନ୍ଧୀ ନାମ ନ ଧରୁ ଯେପରି ।

 

ବିଶ୍ଵନାଥ ଶୁଣିପାରି କହିଲେ–କାହିଁକି କ’ଣ ହେଲା ? ଆଜି ବାରିପଦା କଚେରୀ ହତାରେ ଶରତବାବୁଙ୍କ ଦଳ ତ ଥରକୁ ଥର ଧ୍ଵନି ଦେଉଥିଲେ–‘ମହାତ୍ମା ଗାନ୍ଧୀ କି ଜୟ’…

 

ତାଙ୍କ ମୁହଁରେ ହାତ ରଖି ଦେଇ କହିଲା ଦେବାଶିଷ–ପଧାନ ଆସୁଥିବା ପରି ଲାଗୁଛି…ଚୁପ୍ କର ।

 

ପଧାନଙ୍କୁ ଦେଖିଲେ ଜଳିଯା’ନ୍ତି ବିଶ୍ଵନାଥ । ଏଇ ଗୋଟେ ଲୋକ ଯେ ଏତେ ଲୋକଙ୍କୁ ଗୋଲାମ କରି ରଖିପାରେ ତାହା ସହିପାରନ୍ତିନି ସେ । ତଥାପି ସେ ଚୁପ୍ ହୋଇଗଲେ । ସାମନା ସାମନି ହେବାରୁ ପଧାନେ କହିଲେ–ଆଉ କ’ଣ ଶୁଣି ଆସିଲ ହେ ବିଶୁ ? ବାରିପଦାରୁ କ’ଣ ଶୁଣି ଆସିଛ କୁହ–ଶୁଣାଯାଉ । ପଧାନେ କଥା ଶୁଣିବା ପାଇଁ ଛିଡ଼ା ହୋଇ ପଡ଼ିଲେ, କିନ୍ତୁ ତାଙ୍କ ପାଖେ ଠିଆ ନ ହୋଇ ଚାଲୁ ଚାଲୁ କହିଲେ ବିଶ୍ଵନାଥ–ଲୁଗା ସରିଯାଇଥିଲା, ଆଉ କିଛି ଆଣିଲି । ଯୁଦ୍ଧ ଲାଗିଛି ଯେ ଦର ତ ବଣ ନିଆଁ ପରି ବଢ଼ୁଛି ଦିନକୁ ଦିନ ।

 

ପଧାନେ କହୁଥିବାର କାନରେ ପଡ଼ିଲା ତାଙ୍କର–ହଉ ହଉ, ଏକା ମାଘରେ ଶୀତ ଯାଏନି ବେଟା…ତମ ପାଳି ପଡ଼ୁ…–ଦେଖିବାନି ସେତେବେଳେ । ଉତ୍ତର ଦେବାକୁ ଇଚ୍ଛା ହେଉ ନ ଥିଲା । କିନ୍ତୁ ଏଇ ଛୋଟଲୋକ ସହିତ କଥା କଟାକଟି କରି ସିଧା ଘରକୁ ଚାଲି ଆସିଥିଲେ ବିଶ୍ଵନାଥ ।

 

ଆଜି କେତେ ମାସ ପରେ ପୁଣି ସନିଆର ଛବି ଭାସି ଉଠିଲା ଶଙ୍କରର ଆଖି ଆଗରେ-। ସେଦିନର ଘଟଣା ପରେ ଆଉ କେହି ଦେଖିନାହାନ୍ତି ସନିଆକୁ । କେହି କେହି କହନ୍ତି ସେ ଖଡ଼ିଆଶୋଳରୁ ଦିନେ ରାତିରେ ଫେରୁଥିବାବେଳେ ତାକୁ ଚିତା ଟେକି ନେଇଥିଲା । ଆଉ କେହି କେହି କହନ୍ତି ଯେ ସେ ମେଦିନୀପୁର ଚାଲିଗଲା ବିପ୍ଳବୀ ଦଳରେ ଯୋଗଦେବାପାଇଁ-। ଶଙ୍କର ତଥାପି ବିଶ୍ଵାସ କରେନି, ବରଂ ତା’ ମନରେ ଗୋଟିଏ ଧାରଣା ଦିନକୁ ଦିନ ଦାନା ବାନ୍ଧିବାରେ ଲାଗିଛି ଯେ ସନିଆ ଦିନେ ନିଶ୍ଚୟ ଫେରିଆସିବ । ସନିଆମାନେ କେବେ ମରନ୍ତି ନାହିଁ, ଜୀଇଁ ରହନ୍ତି ଯୁଗ ଯୁଗ ଧରି ଏ ଧରଣୀର ଜୀବନ ଥିବା ଯାଏ ।

 

ଖଡ଼ିଆଶୋଳର କୃପାସିନ୍ଧୁ ତରତର ହୋଇ ଚାଲି ଯାଉଥିଲା ବନ୍ଧ ଆଡ଼ିରେ । ହାବୁଡ଼ରେ ପଡ଼ିବା କ୍ଷଣି ପଚାରିଦେଲା ଶଙ୍କର–ବାରିପଦା ଯାଉଛ କି କାକା ?

 

–ନାଁରେ ପୁଅ, ଅଠର ପଇସା ଦେଇ ଟିକଟ କରି ରେଳରେ ଯିବାକୁ ପଇସା କାହିଁ । ପାଦେ ପାଦେ ଚାଲିଯିବି…ପୁଅ କେମିତି ଅଛି ଦେଖି ଆସିବି । ଜର ହୋଇଥିଲା ବୋଲି ଖବର ପଠେଇଥିଲା ।

 

କୃପାସିନ୍ଧୁର ପୁଅ ନବୀନ ବାରିପଦାର ପୋପଟଲାଲ ମାରୁଆଡ଼ିର ଗୋଦାମରେ କାମ କରେ । ମାସକୁ ଖାଇ ପିଇ ଦି’ ଟଙ୍କା ହୁଏ । ସେଇ ଦି’ ଟଙ୍କା କ’ଣ କମ୍; ସେଇଥିରେ ତେଲ ଲୁଣ ଖର୍ଚ୍ଚ ଚଳିଯାଏ କୃପାସିନ୍ଧୁର ।

 

–ମେଲେରିଆ ହୋଇଥିବ, କୁଇନାଇନ୍‍ ଦେଲେ ଭଲ ହୋଇଯିବ । ଆମ ହଷ୍ଟେଲରେ ଜଣେ ପିଲାକୁ ଜର ହେଇଥିଲା ଯେ କୁଇନାଇନ୍‍ ଦେବାରୁ ଭଲ ହୋଇଗଲା ।

 

ରେଳଗାଡ଼ି ଆସୁଥିବାର ଶବ୍ଦ ବି ଭାସି ଆସୁଥିଲା ପବନରେ । କୃପାସିନ୍ଧୁ ସହ ସାଙ୍ଗ ହୋଇ ଆସୁଥିବା ବେଳେ ସେ ଶଙ୍କରକୁ ପଚାରିଲା–ଆଉ ସନିଆର କିଛି ଖବର ମିଳିଲା ପୁଅ ?

 

–ନା, କକେଇ…କିନ୍ତୁ ମୁଁ କ’ଣ ଭାବେ ଜାଣ…ସନିଆ ବଞ୍ଚିଛି, ଦିନେ ନିଶ୍ଚୟ ଫେରିଆସିବ ।

 

–ତୋ ତୁଣ୍ଡରେ ଫୁଲ ଚନ୍ଦନ ପଡ଼ୁ ପୁଅ…ସନିଆ ଫେରିଆସୁ…ବଡ଼ ଭଲ ଉପକାରୀ ପିଲାଟି…ବୟସ କୋଡ଼ିଏ ପୂରି ନଥିବ ।

 

ସଡ଼କ ଆସିବାରୁ ବାରିପଦା ଆଡ଼କୁ ବାଟ ଭାଙ୍ଗିଲା କୃପାସିନ୍ଧୁ । ଆଉ ଯିବାବେଳେ ଶଙ୍କରକୁ ପାଖକୁ ଡାକି ତା କାନରେ ମୁହଁ ଲଗାଇ କହିଲା–ଜନ୍ମେଜୟ ବାବୁ କାଲି ରାତି ଆସି ପହଞ୍ଚିଲେ…ଆଉ କାହାକୁ କହିବୁ ନାହିଁ ପୁଅ । ତୋତେ ସେ ଖବର ଦେବା ପାଇଁ କହିଥିଲେ ବୋଲି କହିଲି ।

 

ଆଉ ଅପେକ୍ଷା ନ କରି କୃପାସିନ୍ଧୁ ସଡ଼କ ଧରିଲା ବାରିପଦା ଯିବା ପାଇଁ । ଚଉଦ ମାଇଲ ବାଟ । ପହଞ୍ଚିଲା ବେଳକୁ ଦି’ପହର ଗଡ଼ିଯାଇଥିବ ।

 

ଶଙ୍କର ଷ୍ଟେସନରେ ପହଞ୍ଚିବା ଆଗରୁ ଗାଡ଼ି ପହଞ୍ଚି ସାରିଥିଲା । ଷ୍ଟେସନମାଷ୍ଟର ଚାନ୍ଦାରାଓଙ୍କ ସହିତ ଯୁଦ୍ଧ ବିଷୟରେ କଥା ହେଉଥିଲେ ଗାର୍ଡ଼ବାବୁ । ସେ କହୁଥିବା କଥା ଶୁଣିଲା ଶଙ୍କର–ହିଟଲର୍‍ କଳ୍‍କୀ ଅବତାର ହୋଇ ଜନମିଛି ଜାଣ । ଦେଖୁନ ଜର୍ମାନ ସୈନ୍ୟମାନଙ୍କ ଆଗରେ କେମିତି ଟଳିପଡ଼ୁଛନ୍ତି ଗୋଟିକ ପରେ ଗୋଟିଏ ଦେଶ । ଫ୍ରାନ୍‍ସ, ବେଲଜିଅମ୍, ଡେନମାର୍କ୍ ସବୁ ହାରିଗଲେଣି । ଲଣ୍ଡନ ଉପରେ ବୋମା ପକାଇବ ବୋଲି ଧମକ ଦେଇଛି ହିଟଲର୍‍ । ଏଥର ଇଂରେଜମାନଙ୍କୁ ଭଗବାନ ବି ରକ୍ଷା କରିପାରିବେ ନାହିଁ । ଆଉ ଜାପାନର ସମ୍ରାଟ ହିରୋ ହିଟୋ ସହିତ ହିଟଲର୍‍ର ମିତ୍ରତା ସ୍ଥାପନ କରିଛି । ଏଥର ପୂର୍ବାଞ୍ଚଳ ମଧ୍ୟ ବାଦ୍ ପଡ଼ିବନି ଯୁଦ୍ଧରୁ ।

 

ସିଟି ଦେଇ ଗାଡ଼ି ଛାଡ଼ିବା ପରେ ଶଙ୍କର କହିଲା– ୟା’ଙ୍କୁ ଆଗରୁ ଆଉ କେବେ ଦେଖି ନଥିଲି ତ–ଇଏ କିଏ ?

 

–ଅପୂର୍ବଲାଲ ଭଟ୍ଟାଚାର୍ଯ୍ୟ, ଖଡ଼ଗପୁରରେ ଘର । ନୂଆ ଆସିଛି ।

 

–ଅନେକ କଥା ଜାଣନ୍ତି ଦେଖୁଛି ।

 

–ଜାଣିବନି ? ସେ ପରା କଲିକତା ପାଖରେ ଅଛି । ପ୍ରତିଦିନ କେତେ ଖବର କାନରେ ପଡ଼ୁଥିବ ।

 

ଚାନ୍ଦାରାଓଙ୍କ ଘର ମାନ୍ଦ୍ରାଜ ପ୍ରଦେଶର ବିଜୟନଗରରେ । ବୟସ ହେଲେ ବି ବାହା ହୋଇନାହାନ୍ତି ଏ ଯାଏଁ । ମାଟ୍ରିକ୍ ପରୀକ୍ଷା ଦେଇସାରି ଭଉଣୀ ଆସିଛି ସାତଦିନ ହେଲା । ପାଖରେ ଅଛନ୍ତି ବୁଢ଼ୀ ମା’ । ଶଙ୍କରକୁ ଦେଖିଲେ ଗପସପ ହୁଅନ୍ତି, ଗାଁର ହାଲଚାଲ୍‍, ବାରିପଦାର ଖବର ପଚାରି ବୁଝନ୍ତି । ତାଙ୍କ ଘର ବ୍ରହ୍ମପୁରରେ । ଓଡ଼ିଆ କହିବାରେ ଅସୁବିଧା ହୁଏ ନାହିଁ ।

 

ଚାନ୍ଦାରାଓଙ୍କୁ ଷ୍ଟେସନରେ କାମ କରିବାକୁ ଛାଡ଼ି ଦେଇ ତାଙ୍କ କ୍ୱାଟର୍‍ର୍କୁ ଗଲା ଶଙ୍କର । ମାଳିନୀ ସହିତ ପରିଚୟ କରାଇଦେଇ କହିଲେ ଚାନ୍ଦାରାଓ ମା’ ଜାନକୀ ଦେବୀ–ମୋ ସାନ ଝିଅ ମାଳିନୀ, ମାଟ୍ରିକ ପରୀକ୍ଷା ଦେଇ ଆସିଛି । ଏଇନେ ରହିବ ତିନିମାସ ।

 

ମାମୁଘରେ ପିଲାଦିନ କଟେଇଥିଲା ମାଳିନୀ । ତେଣୁ ଭଲ ଓଡ଼ିଆ ନ କହିଲେ ବି ଖଣ୍ଡି ଓଡ଼ିଆ କହି କାମ ଚଳେଇ ଦେଉଥିଲା । ମଝିରେ ମଝିରେ ଇଂରେଜୀ ଶବ୍ଦ । ଶଙ୍କର ଦଶମ ଶ୍ରେଣୀର ଛାତ୍ର । ମାଳିନୀ ସହିତ ଭାଇ ଭଉଣୀର ସମ୍ପର୍କ ଗଢ଼ିଉଠିଲା ସାଙ୍ଗେ ସାଙ୍ଗେ । ଦିନେ ତାକୁ ଗାଁ ଆଡ଼େ ନେଇ ବୁଲେଇ ଆଣିବା ପାଇଁ କହିଲେ ଜାନକୀ ? ମାଳିନୀ ବି ଉତ୍ସାହ ଦେଖାଇଲା । ଶଙ୍କର କହିଲା–ନିଶ୍ଚେ ଦିନେ ନେଇଯିବି । ମୋ ମାଆର ହାତ ତିଆରି ପୋଡ଼ପିଠା ଖାଇ ଆସିବ । ମାଳିନୀ କୁରୁଳି ଉଠିଲା ଆନନ୍ଦରେ ।

 

ଗୋଟିଏ ଥାଳିରେ ଦୁଇଟା ଇଡ୍‍ଲି, ଆଉ ଟିକେ ଚଟଣି ନେଇ ଘର ଭିତରୁ ଆସିଲେ ଜାନକୀ । ଶଙ୍କର କହିଲା–କ’ଣ ମୋ ପାଇଁ ରଖିଥିଲ ମାଉସୀ ?

 

–ହଁ ରେ ପୁଅ…ତତେ ନ ଦେଖିଲେ ମନଟା ଆଉଟୁ ପାଉଟୁ ହୁଏ । ତୁ ଆସିଛୁ ବୋଲି ଚାନ୍ଦା କହୁଥିଲା ।

 

ଇଡ୍‍ଲି ଖାଇ ଓ ସେମାନଙ୍କ ସହିତ ଗପସପ କରି ଷ୍ଟେସନକୁ ଫେରିବା ବେଳେ ପୁଣି ସେଇ କଥା ମନେପଡ଼ିଲା–ଜନ୍ମେଜୟ କାଲି ରାତିରୁ ଆସିଛନ୍ତି...

 

ଜନ୍ମେଜୟ ! ଜନ୍ମେଜୟ !! ଜନ୍ମେଜୟ !!! ସେଇ ନାମ ଉଚ୍ଚାରଣ କରି କରି ଦାଣ୍ଡେ ଦାଣ୍ଡେ ଚାଲିଲା ଶଙ୍କର ।

 

[ ୪ ]

 

ରାତି ଅଧରେ ଶଙ୍କର ଜନ୍ମେଜୟଙ୍କୁ ଦ୍ଵାର ଆଗରେ ଦେଖି ଚକିତ ହୋଇଗଲା କୃପାସିନ୍ଧୁ । ଆଗରୁ ସେ କୌଣସି ସୂଚନା ନ ଦେଇ କାହିଁକି ହଠାତ୍ ଚାଲି ଆସିଲେ ବୁଝିପାରିଲା ନାହିଁ । ହଠାତ୍ ଚାଲି ଆସିବାର କାରଣ ପରେ କହିବାର ସୂଚନା ଦେଇ ନିଶ୍ଚିନ୍ତ ହେବାକୁ କହିଲେ ଜନ୍ମେଜୟ । ବାରିପଦା ଯିବା ପାଇଁ ଆଗରୁ ସ୍ଥିର ହୋଇ ସାରିଥିଲା, ତେଣୁ ତାହା ଆଉ ପରିବର୍ତ୍ତନ ନ କରି ଯିବା ଲାଗି ପରାର୍ମଶ ଦେଲେ ଜନ୍ମେଜୟ । ତାଙ୍କ ପାଇଁ ଯଥାସମ୍ଭବ ସୁବିଧା କରିବାକୁ ଆଟୁଘରେ ନିରୋଳାରେ ରଖି, ଘରକୁ ଯେପରି କେହି ଆସିନାହାନ୍ତି ସେପରି ଚଳିବାର ବ୍ୟବସ୍ଥା କରି ବାରିପଦା ଗଲା କୃପାସିନ୍ଧୁ ।

 

କୃପାସିନ୍ଧୁ ଚାରିମାଣ ଜମିର ମାଲିକ । ଆଉ ତିନି ଚାରି ମାଣ ଜମି ଭାଗରେ ଚାଷ କରି ଚଳିଯାଏ କୌଣସି ପ୍ରକାରେ । ଏକଫସଲି ଜମି ? ବର୍ଷା ଉପରେ ନିର୍ଭର । ଗତ ବର୍ଷ ଇନ୍ଦ୍ରଦେବତା ଆଡ଼ ନୟନରେ ଚାହିଁଲେ ନାହିଁ ବୋଲି ଐରାବତର ଶୁଣ୍ଢରୁ ମୂଷଳଧାରାରେ ନ ବର୍ଷି କେବଳ କୁଣ୍ଡା ଝାଡ଼ିଲା ମେଘ । ବିହନ ବି ଫେରିଲା ନାହିଁ । ଘର ଅଚଳ ହେବା ଆଶଙ୍କା କରି ପୁଅକୁ ପୋପଟଲାଲର ଗୋଦାମରେ ରଖିଦେଲା । ଦୁଇ ବକତ ଖାଇବାକୁ ମିଳିବ । ମୁଢ଼ି ଖାଇବା ପାଇଁ ଦିନକୁ ଦି’ ପଇସା ଅଧିକ ପାଇବ । ମାସକୁ ଦରମା ଦୁଇଟଙ୍କା । ବିଶ୍ଵନାଥଙ୍କ ଜରିଆରେ ପୁଅ ପାଇଁ ଏଇ ବ୍ୟବସ୍ଥା କରିଥିଲା କୃପାସିନ୍ଧୁ । ନିଜର ତେଜରାତି ଦୋକାନ ପାଇଁ ପୋପଟଲାଲର ଗୋଦାମରୁ ସବୁ ଜିନିଷ ନିଅନ୍ତି ବିଶ୍ଵନାଥ । ଲୁଣରୁ ଜିରା ପର୍ଯ୍ୟନ୍ତ । କୋଡ଼ିଏ ବର୍ଷର ବ୍ୟବସାୟିକ ସମ୍ପର୍କ କ୍ରମେ ବନ୍ଧୁତାରେ ପରିଣତ ହୋଇଛି । ତାଙ୍କ କଥା ଟାଳି ନ ପାରି କୃପାସିନ୍ଧୁର ପୁଅ ନବୀନକୁ ରଖି ଦେଇଥିଲା ପୋପଟଲାଲ । ଗୁରୁଜୀ କାମ କାରନ୍ତି । ୟା’କୁ ମିଶାଇ ପାଞ୍ଚ ଜଣ । ପିଲାଟା ଯଦି କାମ ଶିଖିଯାଏ ଭବିଷ୍ୟତରେ ଉପକାର ହେବ ବୋଲି ଏକା କଥାରେ ରାଜି ହୋଇଯାଇଥିଲା ପୋପଟଲାଲ ।

 

କୃପାସିନ୍ଧୁ ନବୀନର ମା’ ଲକ୍ଷ୍ମୀକୁ କହିଯାଇଥିଲା ଜନ୍ମେଜୟଙ୍କ ଆସିବା ଖବର କାହାକୁ ନ କହିବା ପାଇଁ । ଆହୁରି ବି କହିଯାଇଥିଲା ସଙ୍ଗାତ ଘରକୁ ଯାଇ ନିରୋଳାରେ ତାଙ୍କୁ ଏ ଖବର ଦେବା ପାଇଁ । ପିଲାଦିନେ ଗୋଟିଏ ପାଠଶାଳାରେ ପଢ଼ୁଥିଲେ ବୋଲି ବିଶ୍ୱନାଥ ଓ କୃପାସିନ୍ଧୁ ସଙ୍ଗାତ ବସିଥିଲେ । ସେଇଦିନୁ ଦୁଇଜଣଙ୍କ ମଧ୍ୟରେ ଅଭେଦ ପ୍ରୀତି, ଦୁଇ ପରିବାର ମଧ୍ୟରେ ସୁଖ ଦୁଖର ନିବିଡ଼ ସମ୍ପର୍କ । କୃପାସିନ୍ଧୁ ଘରେ କେହି ବେମାର ପଡ଼ିଲେ ବିଶ୍ଵନାଥ କବିରାଜ ଡାକନ୍ତି, ଆଉ ତାଙ୍କର ଲୋଡ଼ା ହେଲାକ୍ଷଣି ହାଜର ହୁଅନ୍ତି କୃପାସିନ୍ଧୁ । ସେଥିପାଇଁ ଖବର ପଠାଇବା ଦରକାର ହୁଏ ନାହିଁ । ବାପାଙ୍କ ସଙ୍ଗାତ ବୋଲି ପିଲାଦିନୁ କୃପାସିନ୍ଧୁକୁ କକା ଡାକେ ଶଙ୍କର ।

 

ନିଛାଟିଆ ଦି’ପହର ବେଳ । ଜଣେ ଅଚିହ୍ନା ଲୋକକୁ ଦୁଆର ମୁହଁରେ ଦେଖି ଛାତି ତଳୁ ଅତଡ଼ା ଖସିଲା ଲକ୍ଷ୍ମୀର । ସ୍ଵାମୀ ମୁହଁରୁ ସେ କେତେଥର ଶୁଣିଥିଲା ଯେ ଏମିତି ଅଚିହ୍ନା ଲୋକ ଗୁପ୍ତଚର ଭାବରେ ଆସି ଖବର ସଂଗ୍ରହ କରି ସରକାରଙ୍କୁ ଜଣାନ୍ତି । କିଛି କହିବା ଆଗରୁ ତା’ ଆଗକୁ ଯାଇ କହିଲା ଲକ୍ଷ୍ମୀ–କାହାକୁ ଖୋଜୁଛ ? ଇଏ ତ ବାରିପଦା ଯାଇଛନ୍ତି ।

 

ସେ ଲୋକଟା କହିଲା–ନାହିଁ ମୁଁ ଦେଉଳିରୁ ଆସିଛି । ବାଟବଣା ହୋଇ ଚାଲି ଆସିଛି । ହୋତା ଘରେ ସମ୍ବଦ୍ଧ ପାଇଁ ପ୍ରସ୍ତାବ ପଡ଼ିଚି ତ ? …ଜଗନ୍ନାଥଖୁଣ୍ଟା ଯିବା ପାଇଁ ଏଇଟା କ’ଣ ସିଧା ରାସ୍ତା ?

 

ଏଥର ନିଦକ ହୋଇ କହିଲା ଲକ୍ଷ୍ମୀ–ତମେ ବାଟବଣା ହୋଇ ଏଆଡ଼େ ଚାଲି ଆସିଲ । ବାଇଦାସ ଆମ୍ବ ବଗିଚା ଦେଇ ଶାସନକୁ ସିଧା ରାସ୍ତା ପଡ଼ିଛି । ଆଉ ସେଆଡ଼େ ନଯାଇ ଏଇ ବାଟେ ଗଲେ ବନ୍ଧ ସେପାଖରେ ଷ୍ଟେସନ...ଆଉ ତା’ ସେ ପାଖରେ ଶାସନ ।

 

ସେଇ ମଧ୍ୟବୟସ୍କ ଲୋକଟି ବନ୍ଧ ଆଡ଼କୁ ଯାଇଥିବା ରାସ୍ତା ଧରିବା ଦେଖି ନିଶ୍ଚିନ୍ତରେ ନିଶ୍ଵାସ ଛାଡ଼ିଲା ଲକ୍ଷ୍ମୀ । ଗତ କେତେଦିନ ଧରି ଶୋଇବା ବସିବା ପାଇଁ ସମୟ ପାଇ ନଥିଲେ ବୋଲି ନିଶଙ୍କ ଚିତ୍ତରେ ଶୋଇ ପଡ଼ିଥିଲେ ଜନ୍ମେଜୟ ।

 

ସେମାନଙ୍କ କଥା ବୁଝିପାରେନା ଲକ୍ଷ୍ମୀ । ତେବେ ସେ ଏତିକି ବୁଝେ ଯେ ଜନ୍ମେଜୟଙ୍କ ପରି ତା’ ସ୍ଵାମୀ ବି ବିଦେଶୀ ଗୋରାମାନଙ୍କ ବିରୁଦ୍ଧରେ । ରଜାରାଜୁଡ଼ାଙ୍କୁ ସେମାନେ ଭଲ ପାଆନ୍ତି ନାହିଁ । କିନ୍ତୁ ରଜା ନ ଥିଲେ ପ୍ରଜାମାନଙ୍କୁ କିଏ ଶାସନ କରିବ ବୁଝିପାରେନି ଲକ୍ଷ୍ମୀ । ରଜାଙ୍କୁ ସେ ଦେଖିନି । ସେ କିନ୍ତୁ ଜାଣେ ରଜା ପ୍ରଜାମାନଙ୍କ ଦଣ୍ଡମୁଣ୍ଡର ଅଧିକାରୀ । ତାଙ୍କର ଆଜ୍ଞା ମାନି ଚଳପ୍ରଚଳ ହୁଅନ୍ତି ସମସ୍ତେ । ଜନ୍ମେଜୟ ତାକୁ କେତେଥର କହିଛନ୍ତି ଯେ ରଜା ଇଶ୍ଵରଙ୍କ ପ୍ରତିନିଧି ବା ଚଳନ୍ତି ବିଷ୍ଣୁ ନୁହନ୍ତି । ସେ ଆଉ ଦଶ ଜଣ ସାଧାରଣ ପ୍ରଜାଙ୍କ ପରି । ପ୍ରଜାମାନଙ୍କର ଭଲ ମନ୍ଦ ବୁଝିବା ରଜାଙ୍କର ଧର୍ମ । ରଜା ନ୍ୟାୟ, ଧର୍ମ ଓ ନୀତି ମାନି ଚଳିଲେ ପ୍ରଜାମାନେ ସୁଖରେ ରହନ୍ତି । କିନ୍ତୁ ଏବେ ରଜାମାନେ ପ୍ରଜାମାନଙ୍କ ସୁଖ ସୁବିଧା ଦେଖୁ ନାହାନ୍ତି । ବିଦେଶୀ ଶାସକର ଗୋଲାମ ପରି ତାଙ୍କର ଆଦେଶ କାଏମ କରନ୍ତି ବୋଲି ପ୍ରଜାମାନଙ୍କର ଏତେ ଦୁଃଖ, ସେମାନଙ୍କ ଉପରେ ଏତେ ଅତ୍ୟାଚାର ।

 

ପଥିକର ମୁଣ୍ଡପିଛା ବର୍ଷକୁ ଦୁଇ ପଇସା ବଢ଼େଇ ଦିଆଯାଇଥିଲା ବୋଲି କୃପାସିନ୍ଧୁ ସଙ୍ଗାତ ଓ ଅନ୍ୟ ପାଞ୍ଚଜଣଙ୍କ ପାଇଁ ମିଶି ଯାଇଥିଲେ ଗୁହାରି କରିବା ପାଇଁ । ତହସିଲଦାରବାବୁ କିନ୍ତୁ ଓଲଟା ବୁଝିଲେ । ସେମାନଙ୍କୁ ରାଜ୍ୟଦ୍ରୋହୀ ଭାବି ଏଥିରୁ ନିବୃତ୍ତ ନ ହେଲେ ରାଜ୍ୟରୁ ନିକାଲିଦିଆଯିବ ବୋଲି ଧମକ ଦେଲେ । କାନମୁଣ୍ଡ ଆଉଁସି ସେଦିନ ସେମାନେ ଫେରିଆସିଲେ ନିରାଶ ହୋଇ । କାଳେ ସେମାନଙ୍କୁ ରାଜ୍ୟରୁ ନିର୍ବାସନ କରିବା ପାଇଁ ତହସିଲଦାର ରଜାଙ୍କୁ ଜଣାଇଦେବେ ଏଇ ଆଶଙ୍କାରେ ତିନି ରାତି ତିନି ଦିନ ନ ଖାଇ ନ ପିଇ କାଳ କାଟିଥିଲେ ସେମାନେ । ତା’ପରେ ତହସିଲଦାରଙ୍କ ପିଅନ ମଧ୍ୟସ୍ଥ ମାନି ପଚାଶ ଟଙ୍କା ସହିତ ଗୋଟେ ଖାସି, ଦୁଇ ସେର ଗୁଆଘିଅ, ଦଶ ସେର ମୁଗ ଡାଲି, କୋଡ଼ିଏ ସେର ପିମ୍ପୁଡ଼ିବାସ ଚାଉଳ ତହସିଲଦାରବାବୁଙ୍କୁ ଭେଟି ଦେଇ ଖଲାସ ହୋଇଥିଲେ ସେଇ ଗୁରୁତର ଅଭିଯୋଗରୁ ।

 

ସେଇ କଥା ମନେ ପଡ଼ିଯିବାରୁ ଲକ୍ଷ୍ମୀର ଛାତି ଥରି ଉଠିଲା, ଦେହଟା ଝାଳେଇଗଲା, ଆଉ ପେଟ ଭିତରଟା ମନ୍ଥି ହୋଇଗଲା । ସେ କାନ୍ଥ ଉପରେ ଆଉଜି ପଡ଼ି ସ୍ମରଣ କଲା ଠାକୁରାଣୀଙ୍କୁ । ସେଇ ପାହାଡ଼ ଉପରେ କେଉଁ କାଳରୁ ପୂଜା ପାଇଆସୁଛନ୍ତି ଠାକୁରାଣୀ । ପ୍ରତି ମଙ୍ଗଳବାର ଓ ଶନିବାର ଠାକୁରାଣୀଙ୍କୁ ପୂଜା କରି ଆସେ ଦେହୁରୀ । ପୂଜା କରିବା ଲାଗି ପାହାଡ଼ ଉପରକୁ ଉଠିବା ପୂର୍ବରୁ ଘର ଘର ବୁଲି ବେଲପତ୍ର, ସିନ୍ଦୂର, କଦଳୀ, ଫଳମୂଳ ସଂଗ୍ରହ କରି ନିଏ । କେହି ମାନସିକ କରିଥିଲେ ବୋଦା ବଳିପଡ଼େ । ସେଥିପାଇଁ ଦେହୁରୀ ସାଙ୍ଗରେ ଟାଙ୍ଗିଆ ରଖେ ସଦାବେଳେ । ସେଇ ଟାଙ୍ଗିଆର ଧାର ଉପରେ ଆଲୁଅ ପଡ଼ିଲେ ଛିଟକି ଉଠେ ଭକ୍ତମାନଙ୍କୁ ସଜାଗ କରିଦେବା ସକାଶେ । ଠାକୁରାଣୀଙ୍କ ଆଡ଼କୁ ମୁହଁ କରି ମୁଣ୍ଡିଆ ମାରି ପ୍ରାର୍ଥନା କଲା ଲକ୍ଷ୍ମୀ–ସବୁ ବିପଦରୁ ଆମକୁ ରକ୍ଷା କର ମା’ । ଜନ୍ତାଳ ଦିନ କଳା ବୋଦା ଦେବୀ ସହଣି କରିଛି । ୟା’ଙ୍କ ଭୁଲ ତ୍ରୁଟି ମାଫ୍ କରିଦିଅ ।

 

ଠାକୁରାଣୀ ବୋଧହୁଏ ଶୁଣନ୍ତି ଲକ୍ଷ୍ମୀର ପ୍ରାର୍ଥନା । ନ ହେଲେ ଏଯାଏଁ କିଛି ଅଘଟଣ ନ ଘଟି ରହିନଥାନ୍ତା । ସେଦିନ ଶାସନକୁ ପୁଲିସ ଆସିଥିଲା ଶୁଣି ପାଖ କେତେଟି ଗାଁର କେତୋଟି ଲୋକ ବି ଘର ଛାଡ଼ି ପାହାଡ଼ ଉପରକୁ ପଳେଇଥିଲେ କାଳେ ସେମାନଙ୍କ ଗାଁକୁ ବି ପୁଲିସ ଆସିପାରେ ଏହି ଭୟରେ । ସନ୍ଧ୍ୟାଯାଏଁ ପୁଲିସ ନ ଆସିବାରୁ ଫେରି ଆସିଲେ ଯେ ଯାହା ଘରକୁ । ସେଦିନ ରାତିରେ ସ୍ଵାମୀର କାନ ପାଖେ ଫିସ୍ ଫିସ୍ କରି କହିଥିଲା ଲକ୍ଷ୍ମୀ–ତମର ଆଉ ତମ ସଙ୍ଗାତର ଅକଲ ହେଉନ କାହିଁକି ? ତମେ ତ କହୁଥିଲ ଯେ ସେ ଗୋରାମାନଙ୍କ ବିରୁଦ୍ଧରେ ଲଢ଼ୁଛ, ଆଉ ଏବେ ଶରତ ଗାନ୍ଧୀ ମେଳି କରୁଛି ରଜା ବିରୁଦ୍ଧରେ । ଦୁଃଖରେ ସୁଖରେ ଚଳିଯାଉଛେ–କ’ଣ ହେବ ତୁଚ୍ଛା ଏ କଥାରୁ । ଚୌକିଦାର କହୁଥିଲା ସାନ୍ତାଳମାନେ ମେଳି କରିଥିଲେ ଯେ ସେମାନଙ୍କୁ ତଳକଣ୍ଟା ଉପରକଣ୍ଟା କରି ଦିଆଗଲା, ଆଉ କେତେଜଣ ଶୂଳି ପାଇଲେ । ତମେ ମୋ ସାନକୁହା ମାନ…ଛୁଆପିଲାଙ୍କୁ ଅନାଥ କରିଦିଅନା । ଅଥଚ ସ୍ତ୍ରୀ ଠାରୁ ଏତେ କଥା ଶୁଣିବା ପରେ ବି କୃପାସିନ୍ଧୁ ଶଙ୍କି ନଯାଇ ବରଂ ତାକୁ ଦମ୍ଭ ଦେବା ପାଇଁ କହିଥିଲା–ଏଇ ଗୋରାମାନେ ଏ ଦେଶରୁ ଗଲେ ଆମ ନିଜର ଶାସନ ଚଳିବ ଲକ୍ଷ୍ମୀ ! ରଜା ମହାରାଜା ବି ଯିବେ ସେମାନଙ୍କ ପଛେ ପଛେ । ପ୍ରଜାମାନଙ୍କର ନିଜର ଶାସନ ଚାଲିବ ।ଏହାପରେ ସ୍ଵାମୀକୁ କିଛି ଉତ୍ତର ଦେଇ ପାରି ନଥିଲା ଲକ୍ଷ୍ମୀ, କିନ୍ତୁ ଭୟରେ ଶିହରି ଉଠିଥିଲା ।

 

ଆଖିପତା ଲାଗି ଯାଇଥିଲା ଲକ୍ଷ୍ମୀର । ହଠାତ୍ ପାଦଶବ୍ଦ ଶୁଣି ଧଡ଼୍‍କିନା ଉଠି ବସିଲା । ଆଗରେ ଶାସନର ସଙ୍ଗାତେ । ବିଶ୍ଵନାଥଙ୍କୁ ଦୁଆର ମୁହଁରେ ଦେଖି ଜିଭ କାମୁଡ଼ି ଓଢ଼ଣା ଟାଣିନେଲା ଲକ୍ଷ୍ମୀ । ତା’ପରେ ଚୁଆଶାଳକୁ ଦଉଡ଼ି ଯାଇ କଳସୀରେ ପାଣି ଆଣି ଥୋଇଦେଲା ତାଙ୍କ ଆଗରେ ଗୋଡ଼ ଧୋଇବା ପାଇଁ ।

 

ବିଶ୍ଵନାଥ କହିଲେ–ଥାଉ ଥାଉ । ସଙ୍ଗାତ ନାହାନ୍ତି, ତଥାପି ନ ଆସି ରହି ପାରିଲା ନାହିଁ-। ସିଏ ଆସିଛନ୍ତି ପରା ?

 

ଲକ୍ଷ୍ମୀ କେବଳ ଆଙ୍ଗୁଳି ଦେଖାଇଦେଲା–ମୁହଁରେ କିଛି କହିଲା ନାହିଁ । ବିଶ୍ଵନାଥ ଆଟୁଘର ଭିତରକୁ ପଶିଗଲେ ।

 

ସେ ଭିତରକୁ ବାହାରିବା ବେଳକୁ ସୂର୍ଯ୍ୟ ଶିମିଳିପାଳ ଉପରେ ପାଦ ରଖୁଥିବା ପରି ଦିଶୁଥିଲେ । ପାଛିଆରେ ଦୁଇଟା ପାଚିଲା ଅମୃତଭଣ୍ଡା ରଖି ତାଙ୍କ ଆଗରେ ଥୋଇ ଦେଇ କବାଟ ଉହାଡ଼ରୁ କହିଲା ଲକ୍ଷ୍ମୀ–ଶଙ୍କର ଆସିଛି କହୁଥିଲେ, ତାହାରି ପାଇଁ...ଭାରି ଭଲପାଏ ପାଚିଲା ଅମୃତଭଣ୍ଡା ଖାଇବା ପାଇଁ ।

 

ବିଶ୍ଵନାଥ କହିଲେ–ସଙ୍ଗାତ କାଲି ଫେରିବେ । ଶଙ୍କର ହାତରେ କିଛି ପଠେଇଦେବ ତା’ ମା’…କିଛି ଅସୁବିଧା ହେବନି…ସଙ୍ଗାତ ଆସିଲେ ଖବର ପାଏ ଯେପରି । ବିଶ୍ଵନାଥ ଚାଲିଗଲେ ।

 

କିନ୍ତୁ ଟିକେ ପରେ କେଶରପୁରରୁ ଫେରିବା ପରେ ବାଟରେ ତାଙ୍କ ଘର ଆଗରେ ଠିଆ ହୋଇ ଡାକ ଛାଡ଼ିଲା ହୁରୁଷୀ–କୁରୁପା ଅଛୁ କିରେ ?

 

ହୁରୁଷୀକୁ ଦେଖି ହୁରୁଡ଼ିଯିବା ପରି ଲାଗିଲା ତାକୁ । ଲକ୍ଷ୍ମୀ କବାଟ ସେପାଖରୁ କହିଲା–ବାରିପଦା ଯାଇଚନ୍ତି…କାଲି ଆସିବେ ।

 

–ହଉ ହଉ କାଲି ଆସିଲେ କହି ଦେବ…ଏ ମାସର ପାଉଣା ପାଇନି ଏ ଯାଏଁ…ଏମିତି ପାଶୋରିଗଲେ ଚଳେ ?

 

ହୁରୁଷୀ ଚାଲିଗଲା ପରେ ଘର ଚାରିପାଖ ଭଲ କରି ଦେଖି ଆସିଲା ଲକ୍ଷ୍ମୀ । ବିଶ୍ଵାସ ନାହିଁ ହୁରୁଷୀ ନନାକୁ । ଆପୁ ଖାଇବା ପାଇଁ ଚାରିଅଣା ଦେଲେ ଏପରି କିଛି ପାପ ନାହିଁ ଯେ ସେ କରିନପାରିବ । ସେଥିପାଇଁ ଶତ୍ରୁକୁ ସାବାଡ଼ ଲାଗି ହୁରୁଷୀନନାକୁ କାମରେ ଲଗାନ୍ତି ଗାଁଲୋକେ । ତାଙ୍କ ନାମ ଶୁଣିଲେ ଆଖପାଖ ପାଞ୍ଚ ଖଣ୍ଡ ଗାଁର ଲୋକେ ତ୍ରାହି ତ୍ରାହି ଡାକନ୍ତି ।

 

[ ୫ ]

 

ଠାକୁରାଣୀ ପାହାଡ଼ର ସବା ଉପରେ ଥିବା ସେହି ତୀଖ ପଥର ଅତିକ୍ରମ କରି ସେମାନେ ବସିଲେ ଦେବୀଙ୍କ ପ୍ରତିମା ଆଗରେ । ଜନ୍ମେଜୟ ଆରମ୍ଭ କଲେ–ଏଇ ସ୍ଥାନର ମାହାତ୍ମ୍ୟ ଅଛି ନନା, ନହେଲେ ଏଇ ଉପରକୁ ଉଠିଲେ ମୋ’ ପରି ଜଣେ ଅବିଶ୍ଵାସୀ ମନରେ ଏତେ ବିଶ୍ଵାସ, ଏତେ ଭକ୍ତି ହଠାତ୍‍ ସଞ୍ଚରି ଯାଆନ୍ତା କିପରି ? ଦେଖିଲନି, ତମ ଦୁହିଁଙ୍କୁ ଦେଖି ମୁଁ ବି କେମିତି ପ୍ରଣାମ କଲି ଦେବୀଙ୍କୁ ?

 

–ମାତୃଶକ୍ତିର ପ୍ରତୀକ ଇଏ, ସବୁକାଳରେ ସବୁଠାରେ ନମସ୍ୟ ତମେ ଇଂରାଜୀ ପଢ଼ୁଆମାନେ ସିନା ବିଶ୍ଵାସ କରନା ଈଶ୍ଵରଙ୍କୁ, କିନ୍ତୁ ସେ ତ ବିଶ୍ଵାସ ଅବିଶ୍ଵାସର ଉର୍ଦ୍ଧ୍ୱରେ…ସର୍ବତ୍ର ବିଦ୍ୟମାନ…ଜୀବ-ଜଗତ୍, ଜଡ଼-ଜଗତ ସବୁଠାରେ ତାଙ୍କରି ପ୍ରକାଶ ।

 

–ବଙ୍କିମଚନ୍ଦ୍ର ଟାଟାର୍ଜୀଙ୍କର ଆନନ୍ଦମଠରେ ଏଇ ଶକ୍ତିସ୍ଵରୂପା ଆଦ୍ୟାଶକ୍ତି ହିଁ କାଳୀ, ଦୁର୍ଗା…ପୁଣି ସେ ଏଇ ଭାରତମାତାଙ୍କ ପ୍ରତୀକ । ସେଇ ଆରାଧନାର ବୀଜମନ୍ତ୍ର ବନ୍ଦେ ମାତରଂ । ପରାଧୀନ ଭାରତବର୍ଷ ମୁକ୍ତ ନ ହେବା ପର୍ଯ୍ୟନ୍ତ ଜନନୀ ଜନ୍ମଭୂମି ଏହିପରି ଅବହେଳିତ, ଲାଞ୍ଛିତ ଅବସ୍ଥାରେ ଥିବ । ସେଥିପାଇଁ ତ ଆମ ସମସ୍ତଙ୍କର ସେଇ ଗୋଟିଏ ସଂକଳ୍ପ–ସ୍ଵାଧୀନତା । ୧୯୩୦ରେ ଲାହୋର କଂଗ୍ରେସରେ ଏଇ ଘୋଷଣା କରାଯାଇଥିଲା । ଭାରତର ପୂର୍ଣ୍ଣ ସ୍ଵାଧୀନତା ହିଁ ଆମର ଏକମାତ୍ର ଦାବି ।

 

“ଦେଢ଼ଶହ ବର୍ଷର ସୁଖ ସମ୍ଭୋଗ ଛାଡ଼ି ଇଂରେଜମାନେ ଚାଲିଯିବେ ଏ ଦେଶରୁ ?” –କହିଲେ ବିଶ୍ଵନାଥ ।

 

–ଇଚ୍ଛା କରି ଚାଲିଯିବେନି, ସେମାନଙ୍କୁ ନିକାଲିଦେବାକୁ ହେବ । …ଇଂରେଜ ଶାସନକୁ ଅଚଳ କରିଦେବାକୁ ପଡ଼ିବ…ଆଉ ତାହା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନଦ୍ଵାରା ହେଉ ବା ସଶସ୍ତ୍ର ବିପ୍ଲବ ଦ୍ଵାରା ହେଉ ।

 

–ସେମାନଙ୍କ ହାତରେ ଅପର୍ଯ୍ୟାପ୍ତ ଗୁଳିଗୁଳା ଅସ୍ତ୍ର ଶସ୍ତ୍ର, କମାଣ, ଲଢ଼ୁଆ ବିମାନ । ଆମ ହାତରେ ଧନୁଶର, କୁରାଢ଼ି,–କହିଲେ ବିଶ୍ଵନାଥ ।

 

ଟିକିଏ ଚିନ୍ତା କରିବା ପରେ ନୀରବ ରହିବା ପରେ ଚାରିଆଡ଼ୁ ଆଖି ବୁଲେଇଆଣି କହିଲେ ଜନ୍ମେଜୟ–ଅସ୍ତ୍ର ଶସ୍ତ୍ର ଗୁଳିଗୁଳା ଆମେ ବି ତିଆରି କରିବୁ । ସେମାନେ ଲକ୍ଷେ କି ଦି’ ଲକ୍ଷ…ଆମେ ଚାଳିଶ କୋଟି । ଆମର ସଂକଳ୍ପ ସହିତ ମନ ଦୃଢ଼ ଥିଲେ ଖସି ଯାଇ ପାରିବେନି ସେମାନେ…ଗୋଡ଼େଇ ଗୋଡ଼େଇ ମାରିବୁ ।

 

–କିନ୍ତୁ ହିଂସା ପଥରେ ନ ଯାଇ ଅହିଂସା ପଥରେ ଯିବା ଉଚିତ୍ ହେବ ଭାବୁଛି ମୁଁ । ମହାତ୍ମା ତ ଅହିଂସା ମାର୍ଗ ଦେଖେଇଚନ୍ତି । ତା’ପରେ ସାଧାରଣ ଇଂରେଜ ଆମର ଶତ୍ରୁ ନୁହେଁ, କି ଇଂରେଜ ଜାତି ବି ଆମର ଶତ୍ରୁ ନୁହେଁ, ତେବେ…

 

–ତେବେ କିଏ ନନା ? ହଠାତ୍ ପଚାରିଦେଲେ ଜନ୍ମେଜୟ ।

 

–ଶାସକ ଇଂରେଜ ଆମର ଶତ୍ରୁ ।

 

–ସେଇ ଶତ୍ରୁକୁ ନିପାତ କରିବା ଆମର କାମ । ତମେ ଏଥିରେ ବିଶ୍ଵାସ କର ନା ନାହିଁ-?

 

ବିଶ୍ଵନାଥ ସହସା କୌଣସି ଉତ୍ତର ଦେଇପାରିଲେ ନାହିଁ । ତା’ପରେ ଧୀରେ ଧୀରେ କହିଲେ–ଯଦି ତାହା ହିଁ ଏକମାତ୍ର ପଥ ମୋର ଆପତ୍ତି ନାହିଁ । କିନ୍ତୁ ତା’ ଆଗରୁ ସବୁ ଉପାୟ ବର୍ଜନ କରିବା ଉଚିତ ହୋଇନପାରେ ।

 

–ମୁଁ ତୁମ ଯୁକ୍ତି ମାନିନେଉଛି । ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ଅସହଯୋଗର ମାର୍ଗ ବାଛିନେବା ଆମେ; କିନ୍ତୁ ମନେଥାଏ ଯେପରି ଇଂରେଜମାନେ ଆମର ସହଯୋଗ ନ ପାଇ ମଧ୍ୟ ଯୁଦ୍ଧରେ ଆମକୁ ପକ୍ଷ ଭୁକ୍ତ କରିଦେଇଛନ୍ତି ।

 

–କିନ୍ତୁ ଜୟଚନ୍ଦ୍ର, ଶିଖିମନେଇ, ମିରଜାଫର ପରି ଏ ଦେଶର କେତେକ ଲୋକ ଏବେବି ଇଂରେଜ ଶାସନ ସପକ୍ଷରେ; ଅନ୍ତତଃ ସାଧାରଣ ଲୋକଙ୍କର ସେଇ ଭାବନା ରହିଛି ।

 

–ସାଧାରଣ ଲୋକଙ୍କ ମନରୁ ସେଇ ଭାବନା ଦୂର କରିବା ତମପରି ଦେଶଭକ୍ତଙ୍କ କାମ-। ଇଂରେଜମାନେ ଏ ଦେଶକୁ ଶାସନ କରିବା ପାଇଁ ଆସିଛନ୍ତି । ସେମାନେ ଆମର ଶାସକ, ଆମଠାରୁ ବେଶୀ ବୁଦ୍ଧିମାନ୍, ବେଶୀ ବଳବାନ୍ । ଏଇ ଇଂରେଜ ପ୍ରେମ ଦୂର କରିବାକୁ ହେବ ଲୋକମାନଙ୍କ ମନରୁ । ସେମାନେ ଦେଢ଼ଶହ ବର୍ଷ ଭାରତକୁ ଶୋଷଣ କରି ନଥିଲେ ଆମ ଲୋକମାନେ ଏତେ ଦୁର୍ବଳ, ଶେତା ଦିଶୁ ନଥାନ୍ତେ । ଏ ଦେଶର କାରିଗର କାମ ନପାଇ ହା ହୁତାଶରେ ଦିନ କାଟେ । ଆଉ ବିଲାତରୁ ଆସେ ଲୁହା, ଯନ୍ତ୍ରପାତି… ଏପରିକି ପିନ୍ କଣ୍ଟା ମଧ୍ୟ ତିଆରି ହୁଏନା ଏ ଦେଶରେ ।

 

–ଅଥଚ ଏ ଦେଶରେ ଦିନେ ବହୁ ସଂଖ୍ୟାରେ କୁଶଳୀ କାରିଗର ଥିଲେ, ସ୍ଥପତି ବି ଥିଲେ । କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ସେଇ ଲମ୍ବା ଲୁହା କଡ଼ି ତା’ର ପ୍ରମାଣ… ଆଉ ଏମିତି ଶିଳ୍ପ ନୈପୁଣ୍ୟ ପୃଥିବୀରେ କେଉଁଠି ଅଛି ?

 

ତାଙ୍କଠାରୁ କଥା ଛଡ଼େଇନେଇ କହିଲେ ଜନ୍ମେଜୟ–ଆମ ଲୋକଙ୍କର ସେଇ ସୃଜନୀ ଶକ୍ତିକୁ ଧ୍ଵଂସ କରିବା ପାଇଁ ଉଦ୍ୟମ କରୁଛି ଇଂରେଜ । ଦୀର୍ଘକାଳ ଦାସତ୍ଵର ଶୃଙ୍ଖଳ ଭିତରେ ମଣିଷ ମନରୁ ସବୁ ସରସତା, ସୃଷ୍ଟି କରିବାର ସବୁ ଉନ୍ମେଷଶୀଳତା, ଲଢ଼ିବାର ସବୁ ଶକ୍ତି ନିଃଶେଷ ହୋଇଯିବ । ଛୁଆକୁ ଖେଳଣା ଦେଇ ମା’ ଯେପରି ଭୁଲେଇ ଦିଏ, ସେହିପରି କୌଶଳ ଅବଲମ୍ବନ କରି ଭାରତୀୟମାନଙ୍କୁ ଭୁଲେଇଦବା ପାଇଁ ଇଂରେଜମାନେ କେତେପ୍ରକାର ଜିନିଷ ଆମଦାନୀ କରି ଆମ ବଜାରରେ ବିକ୍ରି କରୁଛନ୍ତି ଦେଖୁଥିବ ନନା । ଅର୍ଥନୈତିକ ଦାସତ୍ଵ ପୂର୍ଣ୍ଣ ଦାସତ୍ଵର ପ୍ରଥମ ସୋପାନ । ଆମର ଅର୍ଥନୈତିକ ପରିଚାଳନା ସେମାନଙ୍କ ହାତରେ ରହିଲେ ସେମାନଙ୍କୁ ସୁହାଇବା ଭଳି କାମ କରିବେ ଇଂରେଜମାନେ । ଆମ ସ୍ଵାର୍ଥ ପ୍ରତି ଖାତିର ନ କରି ସେମାନଙ୍କ ସ୍ଵାର୍ଥର ସୁରକ୍ଷା ସକାଶେ ଶାସନର ନୀତି ନିୟମ ପ୍ରଣୟନ କରିବେ । ସେଥିପାଇଁ ତ ବ୍ୟବସାୟ ବାଣିଜ୍ୟ କରିବାକୁ ଆସି ଆମ ଭିତରେ ଦେଶାଭିମାନ, ସଙ୍ଗଠନ, ଶୃଙ୍ଖଳାର ଅଭାବ ଦେଖି ସେମାନେ ଦିନେ ଏତେ ବଡ଼ ଦେଶର ଶାସକ ହୋଇଗଲେ । ସିରାଜଦ୍ଦୌଲା, ଟିପୁ ସୁଲତାନମାନଙ୍କର ପତନ ହେଲା । ମିରଜାଫର୍‍ମାନଙ୍କ ବିଶ୍ଵାସଘାତକତା ସହିତ ସଙ୍ଗଠନ ଓ ଦେଶ ପାଇଁ ଆତ୍ମବଳି ଦେବାର ଆଗ୍ରହ ଅଭାବରୁ ଏ ଦେଶ ପଦାନତ ହେଲା । ଆଉ ଯୁକ୍ତି ତର୍କ କରିବାର ବେଳ ନାହିଁ ନନା, ଯେମିତି ହେଉ ଯେ କୌଣସି ଉପାୟରେ ହେଉ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବାକୁ ହେବ ।

 

“କିନ୍ତୁ ଆମେ କ’ଣ କରିବା କିଛି ତ କହିଲ ନାହିଁ ବାବୁ ?” ନୀରବତା ଭାଙ୍ଗି କହିଲା କୃପାସିନ୍ଧୁ ।

 

–ଚାଲିଯାଅ କହିଲେ ଇଂରେଜମାନେ ଚାଲିଯିବେନି ବନ୍ଧୁ…କଳ-କୌଶଳ କରି ସେମାନଙ୍କୁ ତଡ଼ିବାକୁ ହେବ । ମୟୂରଭଞ୍ଜ ତ ମୋଗଲବନ୍ଦୀ ନୁହେଁ, ଏଠାରେ ମହାରାଜାଙ୍କର ଶାସନ; କିନ୍ତୁ ତଥାପି ମହାରାଜା ତ ସ୍ଵାଧୀନ ନୁହଁନ୍ତି । ଇଂରେଜମାନଙ୍କ ଆଦେଶ ମାନି ଚଳିବା ଛଡ଼ା ଗତିନାହିଁ ତାଙ୍କର । ସ୍ଵାଧୀନତାର ବାର୍ତ୍ତା ଧୀରେ ଧୀରେ ପ୍ରଚାର କରିବାକୁ ହେବ । ସାଧାରଣ ଲୋକଙ୍କୁ ପରାଧୀନତା, ଦାସତ୍ଵ ବିରୁଦ୍ଧରେ ସଚେତନ କରିବାକୁ ହେବ । ସେଇ କାମ ତମେ ସବୁ କର ଏଠାରେ । ସାଧାରଣ ଲୋକ ବୁଝନ୍ତୁ ଯେ ଯେଉଁ କାମ କଂଗ୍ରେସ କରୁଛି ସେଇ କାମ କେବଳ ଗାନ୍ଧୀ ମହାତ୍ମାଙ୍କର ନୁହେଁ, ସମସ୍ତଙ୍କର । ଦେଶପ୍ରେମ ପ୍ରଜ୍ଵଳିତ କର ପ୍ରତି ପ୍ରାଣରେ । କଥାରେ କହିଦେଲେ କୌଣସି ଜାତି ସ୍ଵାଧୀନ ହୋଇଯାଏ ନାହିଁ, ସେଥିପାଇଁ ପ୍ରସ୍ତୁତ ହେବା ଦରକାର । ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଗଲେ ବି ଆମ ଲୋକଙ୍କ ମଧ୍ୟରେ ଯଦି ଏକତା ନ ରହେ ଆମେ ପୁଣି ପରାଧୀନ ହୋଇଯିବା । ତେଣୁ କୁହାଯାଇଥାଏ ଯେ ଚିରକାଳ ଜାଗ୍ରତ ରହିବା ହିଁ ମୁକ୍ତିର ମୂଲ୍ୟ । ସେଇ ମୂଲ୍ୟ ଦେଇ ନ ପାରି ଥରେ ନୁହେଁ ବାରବାର ପରାଧୀନ ହୋଇଛି ଭାରତବର୍ଷ । ଇତିହାସରୁ ଯଦି ଆମେ ଏତିକି ଶିକ୍ଷା କରୁ ତେବେ ଅନେକ କିଛି ହେଲା ବୋଲି ଧରି ନିଆଯିବ । ତମେ ଦୁହେଁ ଗୃହସ୍ଥ, ପରିବାରର ଦାୟଦାୟିତ୍ଵ ଛାଡ଼ି ହଠାତ୍ ମଇଦାନରେ ଛିଡ଼ା ହୋଇପାରିବ ନାହିଁ । ସେଇ ଆଗୁଆ ରଣକ୍ଷେତ୍ରରେ ଲଢ଼ିବା କାମ ମୋ’ ପରି ଘରଛଡ଼ା ଚାରିଦଉଡ଼ି କଟାମାନଙ୍କର । ଆମେ ତ ଜୀବନ ଉତ୍ସର୍ଗ କରିଦେଇଛୁ...ଦେଶର ମୁକ୍ତି ପାଇଁ ମରିବା ଲାଗି ଶପଥ ନେଇଛୁ । ପଛରେ ଥାଇ ବି କ୍ଷେତ୍ର ପ୍ରସ୍ତୁତ କରିବା କାମ ତମମାନଙ୍କର । ଆଗୁଆ ରଣକ୍ଷେତ୍ରକୁ ସାହାଯ୍ୟ ପଠାଇବାର ଦାୟିତ୍ଵ ବି ତମମାନଙ୍କର । କ୍ଷେତ୍ର ପ୍ରସ୍ତୁତ କରିବା ମଧ୍ୟ ସମ୍ମୁଖ ରଣାଙ୍ଗନରେ ଲଢ଼େଇ କରିବା ପରି ଗୁରୁତ୍ଵପୂର୍ଣ୍ଣ । ଲୋକମାନଙ୍କୁ ସଙ୍ଗଠିତ, ସଚେତନ କର ।

 

–“ଆମ ଏଠାରେ ମହାରାଜାଙ୍କ ଶାସନରେ ପ୍ରଜାମାନେ ଖୁସି ଅଛନ୍ତି । ନୀଳଗିରି ବା କେନ୍ଦୁଝର ପରି ଏଠାରେ ଅତ୍ୟାଚାର ହୁଏ ନାହିଁ କି କନିକାପରି ଚଉଷଠି ପ୍ରକାର କର ଏଠାରେ ଲଦିଦିଆହୋଇନି ପ୍ରଜାମାନଙ୍କ ଉପରେ । ତାଙ୍କ ପିତା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କୁ ଦେବତା ପରି ଭକ୍ତି କରନ୍ତି ପ୍ରଜାମାନେ ।’’ କହିଲ କୃପାସିନ୍ଧୁ ।

 

–ମୟୂରଭଞ୍ଜର ପରିସ୍ଥିତି ଅଲଗା । ଏଠାରେ ମହାରାଜାଙ୍କ ବିରୁଦ୍ଧରେ ଆନ୍ଦୋଳନ ନକରି ଇଂରେଜମାନଙ୍କ କୁଶାସନ ବିରୁଦ୍ଧରେ ଜନ ସାଧାରଣଙ୍କୁ ସଚେତନ କରିବାକୁ ହେବ । ଏହା ଛଡ଼ା ଲୋକ ସଂଗ୍ରହ କାର୍ଯ୍ୟର କ୍ଷେତ୍ର ଅତି ବିରାଟ । ସେମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାରଦ୍ଵାରା କୁସଂସ୍କାର ଦୂର କରିହେବ । ଗାଁର କଳି ଗାଁରେ ତୁଟେଇବା, ମେଳା ମହୋତ୍ସବରେ ସମସ୍ତଙ୍କର ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବା । ବସନ୍ତ, ହଇଜା ପ୍ରଭୃତି ମହାମାରୀ ବିରୁଦ୍ଧରେ ସଂଘବଦ୍ଧ ଭାବେ ପ୍ରଚେଷ୍ଟା କରିବା ପ୍ରଭୃତି କାମ ହାତକୁ ନେବା । ଯେଉଁଠି ସ୍କୁଲ ନାହିଁ ସେଠାରେ ସ୍କୁଲ ଖୋଲ । ରୋଗ ହେଲେ ଡାକ୍ତରଙ୍କ ପାଖକୁ ଯିବାକୁ ପ୍ରବର୍ତ୍ତାଅ ଲୋକମାନଙ୍କୁ । ଆହୁରି ଗୋଟେ ବଡ଼ କଥା କହିବାକୁ ଭୁଲିଯାଇଛି, ସେମାନଙ୍କୁ ନିଶାମୁକ୍ତ କର । ନିଶା ନ ଛାଡ଼ିଲେ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ ନାହିଁ । ବିଭିନ୍ନ କାମଧନ୍ଦା କରିବାକୁ ପ୍ରବର୍ତ୍ତାଅ ଲୋକମାନଙ୍କୁ । ହଁ ଆଉ ଗୋଟିଏ କଥା, ଅନ୍ୟାୟ ଅବିଚାର ସହି ନଯିବାପାଇଁ ଅନୁପ୍ରାଣିତ କର ସେମାନଙ୍କୁ ।

 

କୃପାସିନ୍ଧୁ କହିଲା–ଆମ ଗାଁରେ ପାଠ ପଢ଼ିବାର ସୁବିଧା ନାହିଁ, କୂଅ ପୋଖରୀ ନାହିଁ ସର୍ବସାଧାରଣ ବ୍ୟବହାର କରିବାପାଇଁ । ଖଜଣା ଯେତିକି ସେତିକି ମାମୁଲି ନିଏ ପଧାନ...ଥାନା ବାବୁ ଆସିଲେ ଛେଳିଟାଏ ମେଣ୍ଢାଟାଏ ନେଇଯାଏ ପଇସା ନଦେଇ ।

 

–ଏ ସବୁ ଅନ୍ୟାୟ, ଏହାର ପ୍ରତିରୋଧ କରିବାକୁ ହେବ । ସଙ୍ଗେ ସଙ୍ଗେ ପାଠ ପଢ଼େଇବାର ବ୍ୟବସ୍ଥା କର ।

 

–ଲୋକଙ୍କର ଅବସ୍ଥା ଭଲ ନୁହେଁ ବାବୁ । ଚାନ୍ଦା ଭେଦା ଦେଇପାରିବା ଭଳି ଶକ୍ତି ନାହିଁ । ଗତ ବର୍ଷ ଫସଲ ହୋଇଥିଲା ବୋଲି ଏ ବର୍ଷ ଟାଣିଟୁଣି ହୋଇ ଚଳୁଛନ୍ତି । ବର୍ଷା କମ୍ ହେବାରୁ ଏବର୍ଷ ତ ଫସଲ ଭଲ ହେଲାନି ।

 

“ଏଇଟା ଗୋଟେ ବଡ଼ ସମସ୍ୟା । ଚାଷ ଭଲ ନହେଲେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଏ । ବର୍ଷା ଉପରେ ତ ନିର୍ଭର, ଜଳସେଚନ ନାମକୁ ମାତ୍ର ବି ନାହିଁ ।’’ କହିଲେ ବିଶ୍ଵନାଥ ।

 

ଆଉ କିଛି ସମୟ ଆଲୋଚନା କରି ଉଠିବାବେଳକୁ ବେଳ ପଡ଼ିଆସିଥିଲା । ଶିମିଳିପାଳ ପର୍ବତ ଉପରେ ଝୁଲି ପଡ଼ିଥିଲେ ସୂର୍ଯ୍ୟ । ସେଇ ଦେବୀ ସ୍ଥାନରେ ଠିଆହୋଇ ଅନେକ ତଳେ ପଥର ଗୁମ୍ଫା ଭିତରେ ଭାଲୁ ବାଘଙ୍କ ରହିବା ସ୍ଥାନ ଦେଖାଇ ଦେଇ କୃପାସିନ୍ଧୁ ଗୋଟେ ଢିମା ପଥର ଗଡ଼ାଇଦେଲା ଉପରୁ । ପଥର ଗଡ଼ି ଗଡ଼ି ଠିକ୍ ଗୁମ୍ଫା ଆଗରେ ପଡ଼ିଲା ଏବଂ ହଠାତ୍ ଗୋଟେ ବଡ଼ ଭାଲୁ ବାହାରିପଡ଼ି ଅନେଇଲା ଉପରକୁ । ଆଉ ଗୋଟେ ପଥର ସେଇ ଆଡ଼କୁ ଗଡ଼େଇଦେଲା କୃପାସିନ୍ଧୁ । ଜନ୍ମେଜୟ ଘୁଞ୍ଚି ଆସି କହିଲେ–ଉପରକୁ ଉଠିଆସିବନି ତ ?

 

–ନା, ନା, ତରକିଯାଇଛି, ଏଇ ଦେଖୁନ କେମିତି ପଳେଇଯାଉଛି ।

 

ଗୋଟେ ମସ୍ତବଡ଼ ଭାଲୁ ଡାଳ ପତ୍ର ଭାଙ୍ଗି ଆଗକୁ ଯିବାର ଦୃଶ୍ୟ ତିନିହେଁ ଉପଭେୋଗ କରୁଥିବାବେଳେ କହିଲେ ବିଶ୍ଵନାଥ–ଏଇ ଜଙ୍ଗଲରୁ ବାହାରକୁ ବାହାରି ଯାଇଥିବା ହରିଣୀଟିଏ ସେଦିନ ଆମ ଗାଁ ଦାଣ୍ଡକୁ ପଶି ଆସିଥିଲା ।

 

–ତା’ପରେ… ? ପଚାରିଲେ ଜନ୍ମେଜୟ ।

 

–ତା’ପରେ ଗୋଡ଼େଇ ଗୋଡ଼େଇ ତାକୁ ଉଦିଆନନାର ଗୁହାଳ ଭିତରେ ପିଟି ପିଟି ମାରିଦେଲେ ଗାଁ–ବାଲା । ହରିଣୀ ମାଉଁସର ସୁଆଦ ଅଲଗା । ପ୍ରତି ଘରେ ଭାଗ ପାଇଥିଲେ ।

 

–ଜନ୍ତୁ ଜାନୁଆର ବଣର ଶୋଭା । ସେମାନେ ନଥିଲେ ଫାଙ୍କା, ନିର୍ଜୀବ ଅରଣ୍ୟ । କହିଲେ ଜନ୍ମେଜୟ ।

 

ଆଳାପ କରି କରି ଓହ୍ଲେଇଲାବେଳେ କୃପାସିନ୍ଧୁ କହିଲା–ଜନ୍ତାଳ ଦିନ ଏଠାରେ ମେଳା ବସେ । ପାଞ୍ଚ ଖଣ୍ଡ ଗାଁର ଲୋକ ଠୁଳ ହୁଅନ୍ତି । ବୋଦା, ମେଣ୍ଢା, କୁକୁଡ଼ା ବଳି ପଡ଼େ । ଦାସୀ ଲାଗେ…. ।

 

–ଦାସୀ କ’ଣ କହିଥିଲା ଗତ ବର୍ଷ ? ପଚାରିଲେ ଜନ୍ମେଜୟ ।

 

–ଦାସୀ ମାଗିଥିଲା ନଅଟା କଳା ବୋଦା । ନ ହେଲେ ଗାଁରେ ପଶି ଘାଡ଼ ମୋଡ଼ି ନଅଜଣକୁ ଖାଇଯିବ ବୋଲି କହିଥିଲା ।

 

–ଆଉ ତମେମାନେ ସବୁ ନଅଟା ବୋଦା ବଳି ଦେଲ ?

 

–ନ ଦେଲେ ଯେ ଠାକୁରାଣୀ ନଅଜଣକୁ ଖାଇଯିବ ବାବୁ ।

 

–ତୁମେ ସବୁ ବିଶ୍ଵାସ କର ବିଶୁ ନନା ?

 

–ବିଶ୍ଵାସ ନ କରି ଚାରା କ’ଣ ଅଛି ଜନ୍ମେଜୟ ! ବର୍ଷେ ଦାସୀ ଯାହା କହିଥିଲା ସେୟା ହେଲା । ବସନ୍ତ ଲାଗି ସାତଜଣ ମଲେ ।

 

–ଡାକ୍ତରଙ୍କୁ ଡାକି ନଥିଲ ନିଶ୍ଚୟ…

 

–ନା, ମା’ ଶୀତଳାଙ୍କୁ ଶାନ୍ତ କରିବା ପାଇଁ ଗାଁ–ବାଲା ତିନି ଦିନ ପୂଜା କରିଥିଲେ, ଶୀତଳା ମାହାତ୍ମ୍ୟ ଶୁଣିଥିଲେ ସମସ୍ତେ । ଡାକ୍ତର ଆସିଲେ ରୋଗ ଆହୁରି ବଢ଼ିବ ବୋଲି ଦେହୁରୀ କହିବାରୁ ଲୋକମାନେ ସାହସ କଲେନି ବାଙ୍ଗିରିପୋଷି ଡାକ୍ତରଖାନାକୁ ଖବର ଦେବାପାଇଁ । ତଥାପି ଚୌକିଦାରଠାରୁ ଖବର ପାଇ ମାସେ ପରେ ଆସିଥିଲେ ଡାକ୍ତର । ସେତେବେଳେକୁ ସାତ ଜଣ ମରିସାରିଥିଲେ ।

 

–କିନ୍ତୁ ତା’ପରେ ତ ଆଉ କେହି ମରିନାହାନ୍ତି ?

 

–ନା । ଏଇ ଦୁଇ ବର୍ଷ ହେଲା ଆଗୁଆ ଟୀକା ଦିଆହେଉଛି ।

 

“ଏଇ ଟୀକା ଦେବା ବିରୁଦ୍ଧରେ ବି କହନ୍ତି ଗାଁ–ବାଲା । ଟୀକା ଚିହ୍ନଲାଗି ଦେହ ଅଶୁଦ୍ଧ ହୋଇଯାଏ । କହିଲା କୃପାସିନ୍ଧୁ ।

 

ଜନ୍ମେଜୟଙ୍କ ଆଖି ଆଗରେ ମେଲି ହୋଇଯାଏ ଅଜ୍ଞତା, ଅନ୍ଧବିଶ୍ଵାସ ଓ କୁସଂସ୍କାରର ନଗ୍ନ ରୂପ । ଏହା ବିରୁଦ୍ଧରେ କିଏ ଲଢ଼େଇ କରିବ ? ସମସ୍ତେ ସଚେତନ ଲୋକ ତ ଇଂରେଜମାନଙ୍କୁ ତଡ଼ିବା ପାଇଁ ବ୍ୟସ୍ତ । ଏଇ ଅଜ୍ଞତା, ଅନ୍ଧବିଶ୍ଵାସ, ଆଳସ୍ୟ ଓ ଅପାରଗତା ବିରୁଦ୍ଧରେ ଲଢ଼େଇ କରିବା ବୋଧହୁଏ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାଠାରୁ ବଡ଼ କାମ । ଦେଶର ମୁକ୍ତି ସଂଗ୍ରାମର ଗୁରୁତ୍ଵ ହ୍ରାସ ନକରି ଏକ ସମୟରେ ଏସବୁ ସାମାଜିକ କଳଙ୍କ ବିରୁଦ୍ଧରେ ମଧ୍ୟ ଲଢ଼ିବା ପାଇଁ ସଚେତନ ଉଦ୍ୟମ ଦରକାର । ଶହ ଶହ ବର୍ଷର ପରାଧୀନତା ଲୋକମାନଙ୍କର ପ୍ରାଣଶକ୍ତିକୁ ଶୋଷି ନେଇଛି । ମୋଗଲ ଶାସନରେ ଦେଶର ସମ୍ପଦ ଲୁଟହୋଇ ଅନ୍ୟ ଦେଶକୁ ଚାଲି ଯାଉନଥିଲା, ଦେଶର ଧନସମ୍ପଦ ଦେଶରେ ରହୁଥିଲା । ମୋଗଲ ଶାସକ ପ୍ରଥମେ ବିଦେଶରୁ ଆସିଥିଲେ ସତ, କିନ୍ତୁ ବାବର ସ୍ଵଦେଶକୁ ଫେରି ନ ଯାଇ ଏଇ ଦେଶରେ ରହି ଯାଇଥିଲେ । ତାଙ୍କ ପରେ ତାଙ୍କର ବଂଶଧରମାନେ ଶାସକ ହୋଇ ରହିଗଲେ ଭାରତରେ । ଏ ଦେଶର କଳା, ସଙ୍ଗୀତ, ସାହିତ୍ୟ, ସ୍ଥାପତ୍ୟ ଶିଳ୍ପକୁ ବର୍ଣ୍ଣାଢ଼୍ୟ ରଙ୍ଗରେ ଚିତ୍ରିତ କଲେ ସେମାନେ । ସେଥିପାଇଁ ଗଢ଼ି ଉଠିଲା ସମନ୍ଵୟର ସୌଧ । କିନ୍ତୁ ଇଂରେଜମାନେ ତ ରହିଯିବା ପାଇଁ ଆସି ନଥିଲେ, ଲୁଣ୍ଠନ କରିବା ପାଇଁ ଆସିଥିଲେ । ସେଇ ଲୁଣ୍ଠନ ଦେଢ଼ ଶହ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଚାଲିଆସିଚି । ଭାରତର କୃଷ୍ଣକାୟ ନେଟିଭ୍‍ମାନଙ୍କୁ ଦରକାର ବେଳେ ଜନ୍ତୁ ଜାନୁଆର ପରି ନିର୍ମମଭାବେ ହତ୍ୟା ବି କରିଥିଲେ ଇଂରେଜ ଶାସକ । ଏତେ ବଡ଼ ଜାତିଟାକୁ ପରମୁଖାପେକ୍ଷୀ କିରାଣୀ କରିବା ଲାଗି ଇଂରେଜୀ ଶିକ୍ଷାର ପ୍ରସାର କରାଯାଇଛି । ହାତ କାଟି ଦିଆଯାଇ କୁଶଳୀ କାରିଗରମାନଙ୍କର ।

 

ଅଜ୍ଞତା ଓ ସବୁ ଉତ୍ପୀଡ଼ନର ମୂଳ ଇଂରେଜ ଶାସନକୁ ନିର୍ମୂଳ ନକଲାଯାଏ ବିଶ୍ରାମ କରିବା ସମ୍ଭବ ନୁହେଁ । ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଗଲେ ସ୍ଵାଧିନତାର ସ୍ୱାଦ ଚାଖିବେ ସର୍ବସାଧାରଣ । ସେତେବେଳେ ପିଲାମାନଙ୍କର ପାଠ ପଢ଼ିବା ପାଇଁ ଆପେ ଆପେ ବିଦ୍ୟାଳୟ ଖୋଲିବ, ରୋଗ ବିରୁଧରେ ସଂଗ୍ରାମ କରିବା ପାଇଁ ଜନଶକ୍ତି ସଚେତନ, ସଜାଗ ହେବ, ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ଆସିବ ମନରେ । ମୁକ୍ତ ଓ ସ୍ଵାଧୀନ ଜୀବନ ବ୍ୟତୀତ ସ୍ଵବିକାଶ ସମ୍ଭବ ନୁହେଁ । ସ୍ଵାୟତ୍ତଶାସନ ସହିତ ପୂର୍ଣ୍ଣ ସ୍ଵରାଜ ହିଁ ଭାରତର ଲକ୍ଷ୍ୟ । ଏହା ନ ଆସିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ।

 

ପାହାଡ଼ ଉପରୁ ଓହ୍ଲେଇ ବାଟ ଭାଙ୍ଗିବା ବେଳେ କହିଲେ ଜନ୍ମେଜୟ–ସବୁ କାମ ପଛକୁ ପଡ଼ିରହୁ ପଛେ, ଆଗେ ଇଂରେଜମାନଙ୍କୁ ତଡ଼ିବାକିୁ ହେବ ଦେଶରୁ । ଦେଶର ମୁକ୍ତି ହିଁ ପ୍ରଥମ ଲକ୍ଷ୍ୟ । ବନ୍ଦେ ମାତରମ୍…

 

ସେମାନଙ୍କୁ ଘରେ ପହଞ୍ଚେଇଦେଇ ବାହାରି ଆସୁଥିଲେ ବିଶ୍ଵନାଥ, ହଠାତ୍ ବାହାରେ କାହାର ତୁଣ୍ଡ ଶୁଣି ପଛେଇଗଲେ ପାଦେ । କୃପାସିନ୍ଧୁକୁ ଡାକି ଡାକି ଆଗେଇ ଆସୁଥିଲା ହୁରୁଷୀ । ତାଙ୍କୁ ଏତେବେଳେ ଏଠାରେ ଦେଖିଲେ କେତେ କଥା ରଟନା କରିବ ଗାଁରେ । ସେଥିପାଇଁ ଭିତରକୁ ପଶିଯାଇ କୃପାସିନ୍ଧୁକୁ ପଠେଇଦେଲେ ବାହାରକୁ । କୃପାସିନ୍ଧୁ ହୁରୁଷୀ ହାତକୁ ଆଠଣିଟିଏ ବଢ଼େଇଦେଇ କହିଲା–ବଡ଼ ଦୁଃଖକଷ୍ଟରେ ଦିନ ଯାଉଛି ନନା । ସୁବିଧା ହେଲେ ପରେ ଆଉ କିଛି ଦେବି ।

 

ହୁରୁଷୀ କଟମଟ କରି ଚାହିଁଲା କୃପାସିନ୍ଧୁର ମୁହଁକୁ । ତା’ ମୁହଁ ଚାହିଁ ଦେହରୁ ଝାଳ ବୋହିଗଲା କୃପାସିନ୍ଧୁର । ଦୁଷ୍ଟ ଲୋକକୁ ବିଶ୍ଵାସ ନାହିଁ–ବିଷଧର ସାପ ପରି । ହୁରୁଷୀ ଆଉ ଟିକେ ପାଖକୁ ଆସି ଗେହ୍ଲେଇ ହେବାପରି କହିଲା–ବିଶୁ ନନା ଆସିଥିଲେ ବୋଲି ଶୁଣିଥିଲି…ଦେଖିଥିଲୁ-?

 

–ନା, ନା, ମୁଁ ତ ତାଙ୍କୁ ଖୋଜି ଖୋଜି ଷ୍ଟେସନକୁ ଯାଇଥିଲି । ହୁରୁଷୀକୁ ହୁରୁଡ଼େଇ ଦେବା ପାଇଁ ମିଛ କହିଲା କୃପାସିନ୍ଧୁ ।

 

ହୁରୁଷୀ ଆଉ କିଛି କହିଲା ନାହିଁ ସତ, କିନ୍ତୁ ସେ ଯେ କୃପାସିନ୍ଧୁ କଥାରେ ବିଶ୍ଵାସ କରୁ ନଥିଲା । ଏହା ତା’ ମୁହଁରୁ ସ୍ପଷ୍ଟ ବାରିପାରୁଥିଲା କୃପାସିନ୍ଧୁ । ହୁରୁଷୀ ଗାଁ ଦାଣ୍ଡେ ଦାଣ୍ଡେ ଯିବାର ଦେଖି ଘର ଭିତରକୁ ଯାଇ କହିଲା କୃପାସିନ୍ଧୁ– ଏତିକିବେଳେ ଚାଲିଯାଅ ସଙ୍ଗାତ ।

 

ଜନ୍ମେଜୟ କହିଲେ–ପୁଣି କେବେ ଦେଖାହେବ କେଜାଣି…ତଥାପି ଆଶା ରଖ । ବିପ୍ଳବର ଦୀପ ଜଳି ଉଠିଛି…ତାହା ନିଭିନଯାଏ ଯେପରି । ମୁଁ କାଲି ପାହାନ୍ତାରେ ଚାଲିଯିବି । ଅନେକ କାମ ପଡ଼ିଛି । ଛଅମାସ ହେଲା ଆସିନଥିଲି । ଏଇ ତିନିଦିନ ଯେତେ ଶୋଇଛି ସେତକ ଆଉ ଛଅମାସ ଜୀଇଁରହିବା ଲାଗି ଯଥେଷ୍ଟ ।

 

କୋଳାକୋଳି ହେଲେ ଦୁହେଁ । ତା’ପରେ ଧୀରେ ଅଥଚ ସ୍ପଷ୍ଟ ସ୍ଵରରେ କହିଲେ ଜନ୍ମେଜୟ–ବନ୍ଦେ ମାତରମ୍ ।

 

ବିଦାୟ ନେଇ ବନ୍ଧ ଆଡ଼କୁ ଯାଉଥିବାବେଳେ ମନେପଡ଼ୁଥିଲା ବିଶ୍ଵନାଥଙ୍କର ସେଇ ପୁରୁଣା ଦିନର କଥା । ସେତେବେଳେ ଚିହ୍ନା ପରିଚୟ ନଥିଲା ଜନ୍ମେଜୟଙ୍କ ସହିତ । ସେ ଗୋପୀବଲ୍ଲଭପୁର ଯାଇଥିଲେ ବରଯାତ୍ରୀ ସହିତ । ସେଇଠି ପରିଚୟ ହେଲା ପ୍ରଥମ ଭୋଜି ଖାଇବାବେଳେ । ତାଙ୍କ ଆଗରେ ଠିଆହୋଇ ଆଉ ଟିକେ ମାଂସ ତରକାରୀ ଦେବାବେଳେ ଦଶଜଣଙ୍କ ମଧ୍ୟରେ ବାଛିହୋଇପଡ଼ିବା ଭଳି ଜଣେ ବ୍ୟକ୍ତିଙ୍କୁ ଦେଖି ମୁହୂର୍ତ୍ତେ ଅନାଇ ରହିଥିଲେ ବିଶ୍ୱନାଥ । ନିଜର ପରିଚୟ ପ୍ରଦାନ କରି ସେ କହିଲେ– “ମୋ ନାମ ଜନ୍ମେଜୟ । ପାର୍ବତୀ ମୋ ପିଉସୀ ଝିଅ ଭଉଣୀ ।’’

 

ବିଶ୍ଵନାଥ ନିଜର ପରିଚୟ ଦେବା ପରେ ଦୁହେଁ ବନ୍ଧୁ ହୋଇଯାଇଥିଲେ । ଅକୃତ୍ରିମ ବନ୍ଧୁତା କଳମଲତା ପରି ମାଡ଼ି ଚାଲେ, ବାଧା ପ୍ରତିବନ୍ଧକ ମାନେନାହିଁ । ସେଇଦିନୁ ସେ ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଚି ନିଃସ୍ଵାର୍ଥପର ବନ୍ଧୁତା । ଜନ୍ମେଜୟ ଜଣେ ବିପ୍ଳବୀ, ପରେ ଜାଣିଲେ ବିଶ୍ଵନାଥ । ମେଦିନୀପୁର କଲେକ୍ଟରଙ୍କୁ ଗୁଳି କରିବାର ଅସଫଳ ଉଦ୍ୟମ କରି ଯେଉଁ ବିପ୍ଳବୀ ଧରା ପଡ଼ିଥିଲେ ଜନ୍ମେଜୟ ତାଙ୍କର ସହକର୍ମୀ । ସେଇଦିନୁ ପୋଲିସ ଆଖିରେ ଧୂଳିଦେଇ ସେ ଅଜ୍ଞାତବାସରେ ବୁଲୁଛନ୍ତି । ବିପ୍ଳବର ବହ୍ନି ତାଙ୍କରି ଉଦ୍ୟମରୁ ପ୍ରସାରିତ ହେଉଛି ବନାଗ୍ନିପରି । କିନ୍ତୁ ବଙ୍ଗ ଦେଶର ମେଦିନୀପୁର, ଓଡ଼ିଶାର ବାଲେଶ୍ଵର ସୀମା ଅତିକ୍ରମ କରି ଗଡ଼ଜାତ ଆଡ଼କୁ ବିପ୍ଳବର ବାର୍ତ୍ତା ଆସିନାହିଁ ବୋଲି ମଧ୍ୟେ ମଧ୍ୟେ ଆସନ୍ତି ସେ କ୍ଷେତ୍ର ପ୍ରସ୍ତୁତ କରିବାପାଇଁ ବା ଆଉ କେତେବେଳେ ସହକର୍ମୀମାନଙ୍କ ସହ ପରାମର୍ଶ କରିବା ପାଇଁ ବହୁ ଆକାଂକ୍ଷିତ ଟିକେ ବିଶ୍ରାମ ନେବାପାଇଁ ।

 

ଜନ୍ମେଜୟଙ୍କ ପ୍ରକୃତି ରହସ୍ୟମୟ । ଉଭା ଯେତେ ପୋତା ସେତେ । ତାଙ୍କୁ ଦେଖି, ତାଙ୍କ ସହିତ ଆଳାପ ଆଲୋଚନା କରି ପାଞ୍ଚଫୁଟ ଛଅଇଞ୍ଚ ଉଚ୍ଚ ସେଇ ବ୍ୟକ୍ତିର ପ୍ରଖର ବ୍ୟକ୍ତିତ୍ଵ ସମ୍ପର୍କରେ ମୋଟାମୋଟି ଗୋଟିଏ ଧାରଣା ବି କରିହୁଏନାହିଁ । ସମାଜ ବା ଧର୍ମ ସମ୍ବନ୍ଧରେ ଆଲୋଚନା କଲେ ସେଥିରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଯେପରି ସହଜରେ ଧରା ପଡ଼ିଯାଏ, ସେହିପରି ଦର୍ଶନ, ସାହିତ୍ୟ, ଅର୍ଥନୀତି ବା ଶାସନନୀତି ସମ୍ପର୍କରେ ଆଲୋଚନା କଲେ ତାଙ୍କ ଜ୍ଞାନର ଗଭୀରତା ଜଣାପଡ଼େ । ୧୯୨୭ ମସିହାରେ କଲିକତା ବିଶ୍ଵବିଦ୍ୟାଳୟରୁ ସେ ଦର୍ଶନରେ ପ୍ରଥମ ଶ୍ରେଣୀରେ ଏମ୍.ଏ. ପାସ୍ କରି କେତେ ମାସ ପାଟଣାର ଗୋଟିଏ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ‘ପୂର୍ଣ୍ଣ–ସ୍ଵରାଜ’ ଭାରତବାସୀଙ୍କ ଲକ୍ଷ୍ୟ ବୋଲି ୧୯୩୦ର ଲାହୋର କଂଗ୍ରେସରେ ଘୋଷଣା କରାଯିବା ପରେ ସେ ପ୍ରଥମେ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଗାନ୍ଧିଜୀଙ୍କ ଅସହଯୋଗ ଓ ଅହିଂସା ନୀତିଦ୍ଵାରା ଇଂରେଜମାନଙ୍କୁ ତଡ଼ିବା ସମ୍ଭବ ନୁହେଁ ବୋଲି ଅନୁତାପ କରି କଂଗ୍ରେସରୁ ଇସ୍ତଫା ନଦେଇ ମଧ୍ୟ ବନ୍ଦେ ମାତରମ୍‍ ବିପ୍ଳବୀ ଦଳରେ ଯୋଗଦେଇଥିଲେ ଅନ୍ୟ କେତେଙ୍କ ସାଥୀଙ୍କ ପରି । ସଶସ୍ତ୍ର ବିପ୍ଳବ ଯେ ଭାରତକୁ ସ୍ୱାଧୀନ କରିବାର ଏକମାତ୍ର ପଥ ଏହା ବିଶ୍ଵାସ କରୁଥିଲେ ସେ । ତାଙ୍କର ପ୍ରେରଣାରେ ଅନେକ ଯୁବକ ସ୍କୁଲ କଲେଜ ଛାଡ଼ି ସଶସ୍ତ୍ର ସଂଗ୍ରାମର ସୈନିକ ଭାବେ ଯୋଗ ଦେଇଥିଲେ ବନ୍ଦେ ମାତରମ୍ ଦଳରେ । ମେଦିନୀପୁର କଲେକ୍ଟରଙ୍କୁ ହତ୍ୟାକରିବା ଉଦ୍ୟମ କରି ଦଳର ଦୁଇଜଣ ସାହସୀ ସଂଗ୍ରାମୀ କେବଳ ଗିରଫ ହୋଇନଥିଲେ, ଆହୁରି ଅନେକ କର୍ମୀଙ୍କୁ ପୋଲିସ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଥିଲା । ଆତ୍ମଗୋପନ କରି ଯେଉଁମାନେ ଏବେ ବି ଗ୍ରାମ ବା ସହରରେ ବିପ୍ଳବର ବାର୍ତ୍ତା ପ୍ରଚାର କରୁଥିଲେ ଜନ୍ମେଜୟ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

ବନ୍ଧ ଉପର ଦେଇ ଯାଉଥିବାବେଳେ ଷ୍ଟେସନଆଡ଼ୁ ଆସୁଥିବା ଜଣେ ଲୋକର ସାଇକେଲ ଧକ୍‍କାରେ ତଳେ ପଡ଼ିଗଲେ ବିଶ୍ଵନାଥ । ସାଇକେଲ ଆରୋହୀ ବି ପଡ଼ିଯିବାର ଶବ୍ଦ ଶୁଣିଲେ ସେ । ଅନ୍ଧାରରେ ବାଟ ବାରି ନପାରି ସେ ଯେ ଆସୁଥିଲା ସେଥିରେ ନିଃସନ୍ଦେହ ହୋଇ ଝାଡ଼ି ଝୁଡ଼ି ଉଠିପଡ଼ି ସାଇକେଲ ଆରୋହୀକୁ ଉଠେଇବା ପାଇଁ ହାତ ବଢ଼ାଇ କହିଲେ ବିଶ୍ଵନାଥ–ଅନ୍ଧାର ଯୋଗୁଁ ବାଟ ଦିଶୁ ନାହିଁ, ସେଥିପାଇଁ ଏପରି ଆଘାତ କଲା । ଆଘାତ ଲାଗିନାହିଁ ତ ?

 

–କିଏ ନନା… ? ସାଇକେଲ ଆରୋହୀର ପ୍ରଶ୍ନ ।

 

ମୁହୂର୍ତ୍ତକରେ ସବୁ ପରିଷ୍କାର ହୋଇଗଲା । ସାଇକେଲ ଆରୋହୀ ଆଉ କେହି ନୁହଁ କୃପାସିନ୍ଧୁର ସାନ ଭାଇ ଅର୍ଜ୍ଜୁନ । ବାରିପଦାରେ ପୋଲିସ ବିଭାଗର ସିପାହି ସେ । ବିଶ୍ଵନାଥ ଅବାକ୍ ହୋଇଗଲେ କ୍ଷଣକପାଇଁ । ତା’ପରେ ବିସ୍ମୟ ପ୍ରକାଶକରି କହିଲେ–କାହିଁ ତୋ’ ଆସିବାର କୌଣସି ଖବର କେହି ତ ଜାଣନ୍ତି ନାହିଁ ? ତୁ ଏମିତି ହଠାତ୍ ଚାଲିଆସିଲୁ ଯେ ?

 

–ଏଠାରେ ନୁହେଁ…କିଏ କୋଉଠି କାନଡେରି ଛପିଥିବ କିଏ ଜାଣେ ? ଫିସ୍ ଫିସ୍ କରି କହିଲା ଅର୍ଜୁନ । ତା’ପରେ ଦୁହେଁ ବନ୍ଧ ମୁଣ୍ଡରେ ପାହାଡ଼ ତଳର ଶ୍ମଶାନ ଭିତରକୁ ଗଲେ । ସେଇ ସ୍ଥାନ ଅପେକ୍ଷାକୃତ ନିରୋଳା ଓ ନିରାପଦ ।

 

–ନେତାଜୀ ସେଠାକୁ ଆସିଥିବା ଖବର କୌଣସି ସୂତ୍ରରୁ ପାଇଯାଇଛି ପୁଲିସ । ଆଜି ରାତି ପାହାନ୍ତାରେ ଜଗନ୍ନାଥଖୁଣ୍ଟା, ଖଡ଼ିଆଶୋଳ, ମାଝିସାହି ଘେରାଉକରି ଖାନତଲାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଶୁଣିବା କ୍ଷଣି ମୋ ଛାତି ତଳ ଅତଡ଼ା ଖସିଲା । କାଳେ ଯଦି ନେତାଜୀ ଆସିଥିବେ ଧରା ପଡ଼ିଯିବେ । ସେଥିପାଇଁ ଆଗେ ଆଗେ ସାଇକେଲରେ ଚାଲି ଆସିଲି ବାରିପଦାରୁ । ଅନ୍ଧାର ଜାଣି ମଧ୍ୟ ଜଲ୍‍ଦି ପହଞ୍ଚିବାପାଇଁ ସାଇକେଲରେ ବେଗରେ ଆସୁଥିଲାବେଳେ ଏ ଦୁର୍ଘଟଣା । ତମକୁ ଆଘାତ ଲାଗିନି ତ ନନା ? କହିଲା ଅର୍ଜୁନ ।

 

–ସେସବୁ ପରେ…ଆଗେ କହ ଏଇନେ କ’ଣ କରିବା ? ସ୍ଵରରେ ଉଦବେଗ ଖେଳାଇ କହିଲେ ବିଶ୍ଵନାଥ ।

 

“ନେତାଜୀ ଅଛନ୍ତି ଏଠାରେ ?” ପଚାରିଲା ଫିସ୍ ଫିସ୍ କରି ଅର୍ଜ୍ଜୁନ ।

 

ବିଶ୍ଵନାଥ ତା’ କାନ୍ଧ ଉପରେ ହାତ ରଖି ସୂଚନା ଦେଲେ ହଁ ।

 

–ତା’ହେଲେ ତ ଆଉ ମୁହୂର୍ତ୍ତେ ବିଳମ୍ବ ନ କରି ତାଙ୍କୁ ଏ ସ୍ଥାନ ଛାଡ଼ିବାକୁ ହେବ । କିଏ ଜାଣେ ତା’ ଆଗରୁ ହୁଏତ ପୁଲିସ ପହଞ୍ଚିଯାଇପାରେ ।

 

ଆଉ ବିଳମ୍ବ ନ କରି ଦୁହେଁ ଚାଲିଲେ ଗାଁ ଭିତରକୁ । ବିଶ୍ଵନାଥଙ୍କୁ ଲେଉଟି ଆସିବା ଦେଖି କୃପାସିନ୍ଧୁ ଆଶ୍ଚର୍ଯ୍ୟ ହୋଇ କହିଲା–“କ’ଣ ହେଲା ସଙ୍ଗାତ, ଫେରିଆସିଲ ଯେ ?” ଲକ୍ଷ୍ମୀ ଡିବିଟା ଆଗକୁ ଦେଖେଇଦେବାରୁ ବିଶ୍ଵନାଥଙ୍କ କପାଳ ଉପରେ ରକ୍ତର ଦାଗ ଦେଖି ଚମକିପଡ଼ି କହିଲା କୃପାସିନ୍ଧୁ–ରକ୍ତ ଯେ, କୋଉଠି କିପରି ଆଘାତ ଲାଗିଲା ?

 

–ପରେ କହିବି, ଅଜୁ ବି ଆସିଛି ।

 

ତା’ପରେ ତିନିଜଣ ଆଟୁଘର ଭିତରକୁ ପ୍ରବେଶ କଲେ । ବାହାରେ ପାର୍ବତୀ ଜଗିବସିଲା ଆଶୁ ବିପଦର ଆଶଙ୍କାକରି ।

 

ପନ୍ଦର ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଗଲେ ଜନ୍ମେଜୟ । ତା’ପରେ ଲକ୍ଷ୍ମୀ ଆଗକୁ ଆସି କହିଲେ–“ପୂର୍ବଜନ୍ମରେ ତୁ ମୋର ଭଉଣୀ ଥିଲୁ ଲକ୍ଷ୍ମୀ…ଏ ଜନ୍ମରେ ତା’ଠାରୁ ଆହୁରି ବେଶୀ ।” ଲକ୍ଷ୍ମୀ ପାଦଧୂଳି ନେଲା ।

 

ବିଶ୍ଵନାଥ, କୃପାସିନ୍ଧୁ ଓ ଅର୍ଜୁନଠାରୁ ବିଦାୟ ନେଲାବେଳେ କହିଲେ ନେତାଜୀ–ମୁଁ ଥାଏ କି ନଥାଏ ତାହା ବଡ଼ କଥା ନୁହେଁ…ବଡ଼ କଥା ହେଲା ବିପ୍ଳବ…ଏ ଦେଶର ମୁକ୍ତି ସଂଗ୍ରାମ । ବିପ୍ଲବର ବାର୍ତ୍ତା ଯଥାଶକ୍ତି ପ୍ରଚାର କର । ଆଜି ହେଉ ବା କାଲି ଭାରତ ଦାସତ୍ଵରୁ ମୁକ୍ତ ହେବା ସୁନିଶ୍ଚିତ… ଅବଧାରିତ ।

 

ଆଉ ବିଳମ୍ବ ନ କରି ଗୃହତ୍ୟାଗୀ ଗୈରିକବସନପରିହିତ ସାଧୁ ବେଶରେ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲେ ଜନ୍ମେଜୟ । କେତେକ୍ଷଣ ତାଙ୍କ ଯିବା ପଥକୁ ରୁଦ୍ଧଶ୍ୱାସରେ ଅନାଇ ରହିଲେ ସେମାନେ । ତା’ପରେ ନୀରବତା ଭଙ୍ଗକରି କହିଲା ଅର୍ଜୁନ–ଏଇନେ ଫେରିଯିବାକୁ ହେବ…ମୋ ଅବସ୍ଥା ବୁଝୁଥିବ ।

 

–ପଖାଳ ଗଣ୍ଡେ ଖାଇଦେଇ ଯାଅ ।

 

–ନା ଭାଉଜ, ଏବେ ସମୟ ନାହିଁ । କେତେବେଳେ କ’ଣ ହେବ କହିହେବନି । ପୁଲିସ ଲାଇନରେ ମୋତେ ଖୋଜିବା ପୂର୍ବରୁ ମୁଁ ସେଠାରେ ପହଞ୍ଚିଥିବା ଦରକାର ।

 

ତା’ର କାନ୍ଧ ଉପରେ ହାତ ରଖିଲେ ବିଶ୍ଵନାଥ । ନଇଁ ପଡ଼ି ବିଶ୍ଵନାଥଙ୍କ ପାଦ ଧୂଳି ନେଇ କହିଲା ଅର୍ଜୁନ–“କ୍ଷମା କରିବ ନନା ଅଜାଣତରେ ଦୋଷ କରିପକେଇଛି । ବିଶ୍ଵନାଥଙ୍କ ମୁହଁ ଉପରେ ଫୁଟି ଉଠିଲା ଅମାୟିକ ମୁଗ୍‍ଧ ପ୍ରସନ୍ନତା । ଅର୍ଜୁନକୁ ଛାତି ଉପରକୁ ଟାଣିନେଇ ତା’ ପିଠି ଥାପୁଡ଼େଇଲେ ବିଶ୍ଵନାଥ । ଅଳ୍ପ କେଇ ମୁହୂର୍ତ୍ତ ମଧ୍ୟରେ ସେ ବି ଅଦୃଶ୍ୟ ହୋଇଗଲା ଅନ୍ଧାରରେ ।

 

–ଆଟୁ ଘରଟା ଯେମିତି ଥିଲା ସେମିତି କରିଦିଅ ସଙ୍ଗାତ । ସେଠାରେ ଯେ କେହି ତିନିଦିନ ରହିଥିଲା ତା’ର କୌଣସି ଚିହ୍ନ ବର୍ଣ୍ଣ ନ ରହେ ଯେପରି ।

 

ବିଶ୍ଵନାଥଙ୍କୁ କିନ୍ତୁ ଖାଲି ହାତରେ ଫେରିଯିବାକୁ ଦେଲାନି ଲକ୍ଷ୍ମୀ । ଶୀତଦିନର ପରିବା ଭର୍ତ୍ତି ପାଛିଆଟିଏ କବାଟ ସେପାଖରୁ ବଢ଼େଇ ଦେଇ କହିଲା ଲକ୍ଷ୍ମୀ–ସଙ୍ଗାତୁଣୀଙ୍କୁ ଦେବ ।

 

ବିଶ୍ଵନାଥକୁ ଆଗେଇଦେବାପାଇଁ ବନ୍ଧ ପର୍ଯ୍ୟନ୍ତ ଆସିଲା କୃପାସିନ୍ଧୁ ।

 

[ ୬ ]

 

ଫ୍ରାନସ, ପୋଲାଣ୍ଡ, ଡେନମାର୍କ ପ୍ରଭୃତି ଗୋଟିକ ପରେ ଗୋଟିଏ ରାଷ୍ଟ୍ର ଜର୍ମାନ ସେନାବାହିନୀ ଅଧିକାର କରି ନେବା ପରେ ଯୁଦ୍ଧର ବିଭୀଷିକା ବଢ଼ିବାକୁ ଲାଗିଲା ଏବଂ ଖାଲି ୟୁରୋପରେ ନୁହେଁ ସାରା ବିଶ୍ଵ ଆତଙ୍କିତ ହୋଇ ଉଠିଲା । ନାଜୀମାନେ କେବଳ ଆର୍ଯ୍ୟବଂଶୋଦ୍ଭବ ଏବଂ ଅନ୍ୟ ସମସ୍ତେ ଅନାର୍ଯ୍ୟ, ତେଣୁ ନାଜୀମାନେ ହିଁ ଜଗତର ଭାବୀ ଶାସକ ଏଇ ତଥ୍ୟ ପ୍ରଚାର କରି ହିଟଲର୍‍ ଚମକାଇ ଦେଲା ଜଗତକୁ । ଶତ ସହସ୍ର ଇହୁଦୀଙ୍କୁ ବନ୍ଦୀ କରି ଅକଥନୀୟ ଅତ୍ୟାଚାର କଲେ ନାଜୀମାନେ । ମାନବିକ ଅଧିକାର ଦିବାନିଶି ଉଲ୍ଲଙ୍ଘନ ହେବାକୁ ଲାଗିଲା ଏବଂ ଲକ୍ଷ ଲକ୍ଷ ନିରୀହ, ନିରପରାଧ ଲୋକ ନାଜୀମାନଙ୍କ ଅତ୍ୟାଚାର ଓ ଉତ୍ପୀଡ଼ନର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ଜଗତ ସ୍ତବ୍‍ଧ ହୋଇଗଲା ହିଟଲର୍‍ର ସେ ଭୟଙ୍କର ରୂପ ଦେଖି ।

 

ବାରିପଦା, କୁଳିଅଣା, ଜଗନ୍ନାଥଖୁଣ୍ଟା ଆକାଶରେ ଅଧରାତିରେ ଯୁଦ୍ଧ ବିମାନ କେତୋଟି ଗର୍ଜନ କରି କଲେଇକୁଣ୍ଡା ଉଡ଼ିଗଲାବେଳେ ବିଶ୍ଵନାଥ ଅନାଇଦେଲେ ମୁହୂର୍ତ୍ତେ । ସେତିକିବେଳେ ତାଙ୍କର ମନେପଡ଼ିଲା ଯେ କୃପାସିନ୍ଧୁକୁ ଗୋଟେ ଜରୁରୀ କଥା କହିବାକୁ ସେ ଭୁଲି ଯାଇଛନ୍ତି । ଜନ୍ମେଜୟ ଯିବାପୂର୍ବରୁ ତାଙ୍କୁ ଏକାନ୍ତରେ କହିଯାଇଥିଲେ କେତେଜଣ ବିଶ୍ଵସ୍ତ ଯୁବକଙ୍କୁ ବ୍ୟାୟମ ଓ ଅସ୍ତ୍ରଚାଳନା ଶିକ୍ଷାଦେବା ପାଇଁ । ଠାକୁରାଣୀ ପାହାଡ଼ ଉପରେ ଶିକ୍ଷାକେନ୍ଦ୍ର ସ୍ଥାପନ କରିବା ପାଇଁ ମନେ ମନେ ସ୍ଥିର କରିଥିଲେ ସେ । କିନ୍ତୁ ଏଠାରେ ଶିକ୍ଷାକେନ୍ଦ୍ର ରହିଲେ ତାହା ଯେ ସମ୍ପୂର୍ଣ୍ଣ ଗୋପନୀୟ ହୋଇ ରହିବ ନାହିଁ ତାହା ବୁଝି ଏଇ ସିଦ୍ଧାନ୍ତ ପରିବର୍ତ୍ତନ କରିଥିଲେ ବିଶ୍ଵନାଥ । ଶିମିଳିପାଳର କୌଣସି ଗୋଟିଏ ଜାଗାରେ ଏଥିପାଇଁ ବ୍ୟବସ୍ଥା କରିବା ସବୁଦିଗରୁ ନିରାପଦ ଓ ସୁବିଧାଜନକ ହେବ ଭାବି ସେ ଏ ଭିତରେ ବୁଲି ଆସିଥିଲେ କେତୋଟି ସ୍ଥାନ । ଗୁହ୍ୟାପାଳ, ନୁଧୁନାରୁ ବାଟ ଦଶକୋଶ ହେବ ହାତୀପାଳଠାରେ ଏପରି ଏକ ଶିକ୍ଷାକେନ୍ଦ୍ର ଖୋଲାଗଲେ କାହାରି ଦୃଷ୍ଟି ଆକର୍ଷଣ କରିବ ନାହିଁ ଭାବି ମନେ ମନେ ସେହି ସ୍ଥାନ ବାଛିଥିଲେ ବିଶ୍ଵନାଥ । କିନ୍ତୁ ସଙ୍ଗାତକୁ ନ କହି, ତା’ ସହିତ ପରାର୍ମଶ ନକରି ସେ କୌଣସି ବିଷୟରେ ନିଷ୍ପତ୍ତି ନିଅନ୍ତି ନାହିଁ । ଏଣେତେଣେ ବ୍ୟସ୍ତ ରହି ଏକଥା ତାକୁ କହିବାକୁ ଭୁଲିଯାଇଥିଲେ, ହଠାତ୍ ତାହା ମନେପଡ଼ିଗଲା । କିନ୍ତୁ ଏତେ ରାତିରେ କୃପାସିନ୍ଧୁ ଘରେ ପହଞ୍ଚିଗଲେ ଅଯଥା ଆଶଙ୍କା ଓ ଆତଙ୍କ ସୃଷ୍ଟି ହୋଇପାରେ, ତେଣୁ ସେ ଖଡ଼ିଆଶୋଳ ଆଡ଼କୁ ପାଦ ବଢ଼ାଇ ପୁଣି ଦିଗ ବଦଳାଇ ଷ୍ଟେସନ୍‍ ଆଡ଼କୁ ଅଗ୍ରସର ହେଲେ । ଘରେ ପହଞ୍ଚିବାବେଳକୁ ମେଘାଚ୍ଛନ୍ନ ଆକାଶ ନିର୍ମଳ ହୋଇଯାଇଥିଲା ଏବଂ ଆକାଶରେ ନକ୍ଷତ୍ରମାନେ ଦୀପଜାଳି ଅନେଇଥିଲେ ପୃଥିବୀକୁ ।

 

* * * *

 

ସକାଳ ହେବା ପୂର୍ବରୁ କବାଟର କଡ଼ା ଖଟ୍‍ଖଟ୍ କଲା କିଏ ? ବିଶ୍ଵନାଥ ଉଠି ବସିଲେ । ତା’ ଆଗରୁ ପାର୍ବତୀ ଉଠି ସାରିଥାନ୍ତି । ତାଙ୍କୁ ନ ଯିବା ପାଇଁ ଇଙ୍ଗିତ କରି ନିଜେ ଆଗେଇଲେ । କବାଟ ସେପାଖରେ କୃପାସିନ୍ଧୁର କଣ୍ଠସ୍ଵର–ସଙ୍ଗାତ, କବାଟ ଖୋଲ । ପାହାନ୍ତାରେ ଦୁଆର ମୁହଁରେ ସଙ୍ଗାତକୁ ଦେଖି ଚକିତ ହେଲେ ବିଶ୍ଵନାଥ । “କ’ଣ ହେଲା ?’’ କବାଟ ଫିଟାଇଦେଇ କହିଲେ ସେ । ଘର ଭିତରକୁ ପଶି ଆସି କବାଟ ବନ୍ଦ କରିଦେଇ କହିଲା କୃପାସିନ୍ଧୁ–ପୋଲିସ ଜାଣିପାରିଛି ଯେ ନେତାଜୀ ଆସିବା ବିଷୟ…ଅର୍ଜୁନ ଆଉଥରେ ଆସି କହିଗଲା । ତା’ ଉପରେ ବି କଡ଼ା ନଜର ରଖିଛନ୍ତି ପୁଲିସ ସାହେବ ।

 

–ଆଉ କ’ଣ କହିଲା ? ଆଶ୍ଚର୍ଯ୍ୟ ନ ହୋଇ କହିଲେ ବିଶ୍ଵନାଥ ।

 

–ଜନ୍ମେଜୟ ଦେଉଳି ବାଟ ଦେଇ ଗୋପୀବଲ୍ଲଭପୁର ଯିବାବେଳେ ଧରା ପଡ଼ିଥିଲେ, କିନ୍ତୁ ବିଚକ୍ଷଣ ବୁଦ୍ଧି ତାଙ୍କର । ଯୋଉ ଦୁଇଜଣ କନେଷ୍ଟବଳ ଧରିଥିଲେ ସେମାନଙ୍କୁ ପିସ୍ତଲ୍ ଦେଖେଇ ଭୟଭୀତ କରି ଖସିଗଲେ । ତା’ପରେ ଖବରପାଇ ବାରିପଦାରୁ ଦଳବଳ ନେଇ ପୁଲିସ ସାହେବ ଗଲେ ସତ; କିନ୍ତୁ ସେତେବେଳେକୁ ମୟୂରଭଞ୍ଜ ସୀମା ପାରିହୋଇ ବଙ୍ଗଦେଶକୁ ଚାଲିଯାଇଥିଲେ ନେତାଜୀ ।

 

–ନିଶ୍ଚିନ୍ତ ହେଲି । ମହତ୍ କାମ କରିବା ପାଇଁ ଯାହାର ଜନ୍ମ ସେ ଏମିତି ଖସିଯାଏ ସଙ୍ଗାତ । ଜନ୍ମେଜୟ ସାଧାରଣ ଲୋକ ନୁହଁନ୍ତି, ତାଙ୍କ ମୁହଁର ଦୀପ୍ତି ଦେଖି ଏହା ବୁଝାଯାଏ ।

 

–କିନ୍ତୁ ଆମର କ’ଣ ହେବ ?

 

“ଭୟ ନ କରି ଅପେକ୍ଷା କରିବାକୁ ହେବ । ଆଉ ପୁଲିସ ଯଦି ଆମ ଭିତରୁ କାହାକୁ ଗିରଫ କରେ କରୁ, ପରୁଆ ନାହିଁ…ଜାଣିଶୁଣି ତ ଆମେ ଏ ଅମଡ଼ା ବାଟରେ ଗୋଡ଼ ରଖିଛୁ ।’’ ତାକୁ ଆଶ୍ଵସ୍ତ କରିବାପାଇଁ କହିଲେ ବିଶ୍ଵନାଥ ।

 

“ତଥାପି ଲକ୍ଷ୍ମୀ କହିଲାରୁ ଚାଲିଆସିଲି । ସେ କିନ୍ତୁ ଡରିଯାଇଚି, ଯଦି ପୁଲିସ ମତେ ଧରିନିଏ ତମେ ବୁଝିବ ସଂସାର କଥା ।’’ ସ୍ଵରରେ ବିଶ୍ଵାସ ଖେଳାଇ କହିଲା କୃପାସିନ୍ଧୁ ।

 

–ଆଉ ଯଦି ମତେ ଧରିନିଏ ତମେ ବୁଝିବ ଏମାନଙ୍କ କଥା ।

 

“ଯଦି ଦୁହିଁକୁ ଧରିନିଏ ?” –ଭୟ ମିଶା ସ୍ଵରରେ କହିଲେ ପାର୍ବତୀ ।

 

–ତମେ ଚଳେଇବ ସମସ୍ତଙ୍କୁ । ପରାଶର ଅଛି, ଦଶରଥ ଅଛି । ସେମାନେ ବଡ଼ ହେଲେଣି । ଶଙ୍କର ଛୋଟ ହେଲେ କ’ଣ ହେବ ତା’ର ବୁଦ୍ଧି ବିଚକ୍ଷଣ ।

 

ପାର୍ବତୀ ଝାଉଁଳିପଡ଼ିଲେ ଚିନ୍ତାରେ । କୃପାସିନ୍ଧୁ ଆହୁରି କହିଲା–କିଛି ଦିନ ପାଇଁ ଗାଁରୁ ବାହାରେ ରହିବା ଲାଗି ପରାର୍ମଶ ଦେଇଛି ଅର୍ଜୁନ । ମୁଁ ମାମୁଘରକୁ ଯାଉଛି । କୁସୁମବନ୍ଦୀରେ ରହିଯିବି କେତେଦିନ । ଘରେ କିଛି ଅସୁବିଧା ହେଲେ ଲକ୍ଷ୍ମୀ ଖବର ଦବ । ଆଜ୍ଞା ଦେଲେ ଯିବି । ସକାଳ ହେବା ପୂର୍ବରୁ ପଥୁରୀ ପାରହୋଇ ସାରିଥିବି ।

 

ତାକୁ ଅପେକ୍ଷା କରିବାକୁ କହି ପାର୍ବତୀ କୋଠରୀ ଭିତରକୁ ଚାଲିଗଲେ ଏବଂ ଟିକେ ପରେ ଫେରି ଆସି କହିଲେ–କିଛି ଚୁଡ଼ା ଆଉ ଗୁଡ଼ ଅଛି ଏଥିରେ, ଖାଇବ ବାଟରେ… କେତେ ବାଟ ଯିବାକୁ ଅଛି ।

 

କୃତଜ୍ଞତାରେ ମଥା ନୁଆଇଁ ବିଦାୟ ନେଲା କୃପାସିନ୍ଧୁ । ବାହାରିଗଲାବେଳେ କହିଲେ ବିଶ୍ଵନାଥ–ଦାଣ୍ଡେ ଦାଣ୍ଡେ ନଯାଇ ହୁଗୁଳା ସାହି ହୋଇ ସିଧା ଚାଲିଯାଅ ଯେ ଧଡ଼ାଙ୍ଗିରିଠାରେ ଉଠିବ ସଡ଼କ ଉପରକୁ । ଏଇ ଗାଆଁରେ ଆଉ କାହା ସହିତ ଦେଖା ନହୁଏ ଯେପରି । ଦାଣ୍ଡପିଣ୍ଡାରେ ଶୁଏ ହୁରୁଷୀ । କ’ଣ ବିଶ୍ଵାସ ତା’ ଉପରେ ?

 

ତା’ପରେ ନକହିଥିବା ସେଇକଥା ମନେ ପଡ଼ିଯିବାରୁ କହିଲେ–ହାତୀପାଳ ବୁଲିଆସିବ, ସେଠାରେ ଶିକ୍ଷାକେନ୍ଦ୍ର ଖୋଲିବା ସବୁଠାରୁ ଭଲହେବ ଭାବୁଛି । ନିର୍ଜନ ସ୍ଥାନ । ସହଜରେ କାହା ଆଖିରେ ପଡ଼ିବନାହିଁ କି କାହା ମନରେ ସନ୍ଦେହ ହେବ ନାହିଁ । ଜନ୍ମେଜୟ ବି ମଝିରେ ମଝିରେ ଆସି ରହିପାରିବେ । କାନକୁ ଦୁଇକାନ ନ ହୁଏ ଯେପରି ସଙ୍ଗାତ । ଆଉ ସାବଧାନ ହୋଇ ଚଳିବ–ମେଲେରିଆ ଜାଗା, ଦେହ ଖରାପ ନକର ଯେପରି ।

 

କୃପାସିନ୍ଧୁ ଖଳାବାଟ ଦେଇ ଗୁହୁଳା ସାହି ପାର ହୋଇ ସିଧା ଚାଲିଲା ଧଡ଼ାଙ୍ଗିରି ବାଟ ଧରି ।

 

ଶୋଇବା ପାଇଁ ଆଉ ବେଳ ନ ଥିଲା । କୁଆଁତାରା ଆଡ଼କୁ ଚାହିଁଦେଇ କହିଲେ ବିଶ୍ଵନାଥ– “ଏଇଟା ବ୍ରାହ୍ମମୁହୂର୍ତ୍ତ…ଧ୍ୟାନ କରିବାର ବେଳ…ନିତ୍ୟକର୍ମ ଶେଷ କରି ମୁଁ ପୂଜାରେ ବସିବାର ସମୟ ।” ପାର୍ବତୀ ଲାଗିଗଲେ ତାଙ୍କ କାମରେ ।

 

ମହାଦେବଙ୍କ ଅଭିଷେକ ସାରି ପୂଜାର୍ଚ୍ଚନା ଶେଷ କରି ମନ୍ଦିରରୁ ବାହାରି ପୂର୍ବ ଦିଗକୁ ଚାହିଁଲେ ବିଶ୍ଵନାଥ । ସିନ୍ଦୂର ଫାଟିଲାଣି, ସୂର୍ଯ୍ୟଦେବଙ୍କ ରଥ ଚଢ଼ିବାର ବେଳ । ଗାଁ ଦାଣ୍ଡରେ, ଗଛ ଓ ଚାଳ ଉପରେ ପ୍ରଭାତର ସୁନେଲି ଆଭା ବିଛେଇ ହୋଇ ପଡ଼ୁଥିଲା ଧୀରେ ଧୀରେ । ଏକ ଅପୂର୍ବ ପ୍ରସନ୍ନତାରେ ଭରିଗଲା ବିଶ୍ଵନାଥଙ୍କର ମନ–ଠିକ୍ ଶିଶିରବିନ୍ଦୁମାନଙ୍କୁ ଉଜ୍ଜ୍ୱଳି ଉଠିବାର ସୁଯୋଗ ଦେଇ ପ୍ରଭାତର ସୂର୍ଯ୍ୟ ରଶ୍ମି ନିଜେ ପୁଲକିତ ହେବା ପରି । ହଠାତ୍ ତାଙ୍କର ମନେପଡ଼ିଗଲା ବିବେକାନନ୍ଦଙ୍କ ବାଣୀ–ନିର୍ଭୀକ ହୁଅ, ସତ୍ୟାଶ୍ରୟୀ ହୁଅ ଭାରତବାସୀ, ସ୍ଵାଧୀନତା ଆସିବ ହିଁ ଆସିବ । ମନକୁ ମନ ପ୍ରଶ୍ନ କଲେ ବିଶ୍ଵନାଥ–ଆଉ କେତେଦୂର… ଆଉ କେତେଦୂର ସେଇ ସ୍ଵାଧୀନତା ? ସତରେ କ’ଣ ଇଂରେଜ ଏ ଦେଶ ଛାଡ଼ି ଚାଲିଯିବ ? ଆଜି ମନରୁ ସଂଶୟ ଯାଏନି । ଗାନ୍ଧିଜୀଙ୍କ ବାଣୀ ମନେପଡ଼େ । ମନେପଡ଼େ ଆଲିପୁର ଜେଲରୁ ମୁକ୍ତି ପାଇ ଗଙ୍ଗା ନଦୀ ଦେଇ ସମୁଦ୍ରପଥରେ ପଣ୍ଡିଚେରୀ ଚାଲିଯାଇଥିବା ମହାନ୍ ବିପ୍ଳବୀ ଯୋଗୀ ଶ୍ରୀ ଅରବିନ୍ଦଙ୍କ ବାଣୀ । ସେତେବେଳକୁ ଭାରତଛାଡ଼ର ଆହ୍ଵାନ ଦେଇଥାନ୍ତି ଗାନ୍ଧିଜୀ । ପ୍ରତି ଭାରତବାସୀର ମନରେ ଖେଳି ଯାଇଥାଏ ସ୍ଵାଧୀନ ହେବାର ଦୁର୍ବାର ଆକାଂକ୍ଷା ।

 

ବିଶ୍ଵନାଥ ସେଇ ବାଳସୂର୍ଯ୍ୟଙ୍କୁ ଚାହିଁ ସ୍ଵଗତୋକ୍ତି କଲାପରି କହିଲେ–ଆଉ କେହି ଅଟକାଇ ପାରିବ ନାହିଁ ଏ ଜାତିର ଅଗ୍ରଗତି, ମୁକ୍ତିମନ୍ତ୍ରରେ ଦୀକ୍ଷିତ ମଣିଷର ସଂକଳ୍ପ । ମନେପଡ଼ିଗଲା ଲୋକମାନ୍ୟ ତିଳକଙ୍କ ବାଣୀ–ସ୍ଵରାଜ ମୋର ଜନ୍ମଗତ ଅଧିକାର ।

 

ସ୍ଵାମୀଙ୍କ ପ୍ରଶାନ୍ତ ମୁହଁଙ୍କୁ ଦେଖି ପାର୍ବତୀ କହିଲେ–ଆଜି ଏତେ ଖୁସି ଯେ ? ବିଶ୍ଵନାଥ କହିଲେ–ଏତେଦିନ ଦୁଃଖ ଅପମାନରେ କଟିଛି…ସ୍ଵପ୍ନରେ ବି ସୁଖ ପାଇନାହାନ୍ତି ଭାରତବାସୀ । ପରାଧୀନ ମଣିଷର ଗ୍ଲାନି, ଦାସତ୍ଵର ଲାଞ୍ଛନା ବଡ଼ ଯନ୍ତ୍ରଣାଦାୟକ ପାର୍ବତୀ । ଏବେ ଦେଶ ସ୍ଵାଧୀନ ହେବାର ବେଳ ଆସିଛି । ଗାନ୍ଧିଜୀଙ୍କ ସର୍ତ୍ତ ମାନି ନାହିଁ ବ୍ରିଟିଶ୍ ସରକାର । କିନ୍ତୁ ଦିନେ ମାନିବାକୁ ବାଧ୍ୟ ହେବ । ନଦୀର ସ୍ରୋତକୁ କେହି ଅଟକାଇପାରେ ନାହିଁ । ଇଂରେଜମାନଙ୍କୁ ଭାରତଛାଡ଼ି ପଳେଇବାକୁ ହେବ ଦିନେ । ମୁକ୍ତିମନ୍ତ୍ର ସଞ୍ଜୀବିତ ପ୍ରତି ପ୍ରାଣରେ । ଏହା ନିରର୍ଥକ ହେବ ନାହିଁ । ଚାଳିଶକୋଟି ଲୋକଙ୍କର କଣ୍ଠରେ ମନ୍ଦ୍ରିତ ହେଉଛି ସେଇ ଗୋଟିଏ ଶବ୍ଦ–ସ୍ଵାଧୀନତା…ସ୍ଵାଧୀନତା… ।

 

ଏସବୁ କିଛି ବୁଝନ୍ତିନି ପାର୍ବତୀ । ସେ ମୁହଁ ଶୁଖାଇ କହିଲେ–ସକାଳଟାରେ କହିବାକୁ ବାଧ୍ୟ ହେଉଛି । ଘରେ ମୁଠାଏ ଚାଉଳ ନାହିଁ, ନାନୀ ଯାହା ଦେଇଥିଲେ ସରିଗଲାଣି । ପିଲାମାନେ ଭାତ ନ ଖାଇ ବଞ୍ଚିବେ କିପରି ?

 

ବିଶ୍ଵନାଥ ଲୁଗା ବଦଳ କରି କହିଲେ–ଟିକେ ବେଳ ହେଉ, ମୁଁ କୈଳାସକୁ କହିବି । ସେ ଶ୍ରଦ୍ଧା ଭକ୍ତି କରେ; ହୁଏତ କିଛି କରଜ ଦେଇପାରେ ।

 

ପାର୍ବତୀଙ୍କ ଖାଲି ହାତ, ଖାଲି ବେକ, ଖାଲି ନାକ, କାନ ଆଖିରେ ପଡ଼ିଲା ତାଙ୍କର । ଅଥଚ ସେ ଯେଉଁଦିନ ଏ ଘରକୁ ବୋହୂ ହୋଇ ଆସିଥିଲେ ସେଦିନ ହାତରେ ଥିଲା ସୂନା ଚୁଡ଼ି, ବେକରେ ଥିଲା ସୁନା ହାର, ନାକ ଓ କାନରେ ଥିଲା ସୁନା ଫୁଲ । ଆଜି ସେଥିରୁ କଣିକାଏ ବି ନାହିଁ ତାଙ୍କ ଦେହରେ । ଦୁଇ ହାତରେ ଲୁହା ବଳା ଦୁଇ ପଟ ସହିତ ନାଲି ପାଣିକାଚ । ଖାଲି ପାଦ । ଦେହରେ ସାତସିଆଁ ନାଲି କସ୍ତାଟିଏ । ଆଉ ଚାହିଁପାରିଲେ ନାହିଁ ବିଶ୍ଵନାଥ । ମଥା ପୋତିହୋଇଗଲା ଆପେ ଆପେ । ଦଶ–ଦୋଷ କ୍ଷମା କରି ଏଇ ପାର୍ବତୀଙ୍କୁ ସର୍ବତୋଭାବେ ପ୍ରତିପୋଷଣ ଓ ରକ୍ଷା କରିବା ଲାଗି ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ଶପଥ କରିଥିଲେ । ସାତ ଥର ପ୍ରଦକ୍ଷିଣ କରି ସାତ ପୁରୁଷ ପାଇଁ ପକ୍କା କରିଥିଲେ ସେଇ ସମ୍ପର୍କ ।

 

ପାର୍ବତୀ ତାଙ୍କ ହାତକୁ ନାଲି ଚା’ ଗିଲାସେ ବଢ଼େଇଦେଇ କହିଲେ–ଚିନି ତ ମିଳୁନି, ଦୁଧ ବି ନାହିଁ । ଚାନ୍ଦାରାଓ ଦେଇଥିବା ଚା’ ଆଉ ଦିନେ ଦି’ ଦିନ ଯିବ–ତା’ପରେ ?

 

ବିଶ୍ଵନାଥ ଉତ୍ତର ଦେଇ କହିଲେ–ରାମକୃଷ୍ଣ ପରମହଂସଙ୍କ କଥା ମନେପଡ଼ୁଛି ପାର୍ବତୀ-! ମାଆ ଥିଲେ ଛୁଆର ଭୟ କ’ଣ ? ମା’ ଭୁବନେଶ୍ଵରୀ ଏ ଘରେ ପୂଜାପାଉଥିବାଯାଏ ଏ ପ୍ରଶ୍ନର ଉତ୍ତର ମୋତେ ଦେବାକୁ ପଡ଼ିବନି, ସେ ବ୍ୟବସ୍ଥା କରିବେନି ?

 

–ତାଙ୍କରି କୃପାରୁ ତ ଚଳୁଛି ସବୁ…ତେବେ ଆମେ ତ ଶ୍ରୀକୃଷ୍ଣଙ୍କ ସୁଦାମା ନୋହୁଁ ଯେ…

 

ତାଙ୍କ ତୁଣ୍ଡରୁ କଥା ଛଡ଼ାଇ ନେଇ କହିଲେ ବିଶ୍ଵନାଥ–ସେଇ ପ୍ରତ୍ୟୟ ରଖ ପାର୍ବତୀ । ଭକ୍ତର ଦୁଃଖ ନିବାରଣ କରିବାପାଇଁ ଭଗବାନ ଯେପରି ଥରକୁ ଥର ଅବତରଣ କରନ୍ତି ମର୍ତ୍ତ୍ୟରେ, ସୁଦାମାମାନେ ବି ସେହିପରି ଜନ୍ମ ହୁଅନ୍ତି ଯୁଗେଯୁଗେ । ତମର ମନେଥିବ ବୋଧହୁଏ, ବୁଧବାର ଦିନ ତାରିଖ । ଯାହା ନିଷ୍ପତ୍ତି ହେବ ସେଦିନ । ଜମିଟା ତ ବଡ଼ବାପା ମତେ ଦେଇଥିଲେ ପୋଷ୍ୟପୁତ୍ର କଲାବେଳେ, ଧର୍ମ ଉପରେ ଭରସା, ସେଇ ଧର୍ମ ଉପରେ ଭରସା ରଖି ଆତଯାତ ହୁଏ ପୃଥିବୀ । ଭଲଦିନ ଆସିବ ବୋଲି ଆଶା ରଖି ବଞ୍ଚିରହେ ସାଧାରଣ ମଣିଷ ।

 

ଗତ ସନ ଫସଲ ଭଲ ହୋଇନଥିଲା ବୋଲି ଅଳ୍ପ ବିହନ ଛାଡ଼ି ଦେଇ ଆଉ ଯାହା ଥିଲା ନାମକୁ ମାତ୍ର ଚାଷୀ ବା ନିମ୍ନ ମଧ୍ୟବିତ୍ତ ପରିବାରରେ ସେତକ ସରିଗଲାଣି । ନିତିଦିନିଆ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେଲାଣି । ଅଳ୍ପ କେତେଜଣ ବଡ଼ ଚାଷୀଙ୍କୁ ଛାଡ଼ିଦେଲେ ଆଉ କାହାରି ଘରେ ଧାନ ନାହିଁ । ଯାହା ପାଖରେ ଅଛି ସେ ଚଢ଼ା ଦରରେ ବିକ୍ରି କରିଦେଉଛି ବଙ୍ଗଦେଶର ବ୍ୟବସାୟୀମାନଙ୍କୁ । ଦଶମାଇଲ୍ ଅତିକ୍ରମ କଲେ ବିହାର ଓ ବଙ୍ଗଦେଶ । ଅଭାବ ସେଠାରେ ଆହୁରି ବେଶି । ବଙ୍ଗଦେଶରେ ଦୁର୍ଭିକ୍ଷ ଯୋଗୁଁ ହଜାର ହଜାର ଲୋକ ଘରଦ୍ଵାର ଛାଡ଼ି ଦେଶାନ୍ତରୀ ହେଲେଣି । ଯେଉଁମାନେ ମାଟି କାମୁଡ଼ି ପଡ଼ିରହିଥିଲେ ଜନ୍ମଭୂମିର ମାୟା ମମତା ଏଡ଼ିନପାରି ସେମାନେ ପୋକମାଛି ପରି ମରୁଛନ୍ତି ପ୍ରତିଦିନ । ଯୁଦ୍ଧ ଯୋଗୁଁ ଦରଦାମ ହୁ–ହୁ ବଢ଼ିବାରେ ଲାଗିଛି । ସୈନ୍ୟମାନେ ଆବଶ୍ୟକତା ମେଣ୍ଟାଇବା ପାଇଁ ବଜାରରେ ମିଳୁଥିବା ଜିନିଷ ଚାଲାଣ ହେଉଛି ସେନା ଛାଉଣୀକୁ । ସାଧାରଣ ଲୋକଙ୍କ ପାଇଁ ଚାଉଳ, ଗହମ, ଔଷଧପତ୍ର, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦୁର୍ଲଭ । କିରାସିନୀ ତେଲ ଅମିଳ ହେଲାଣିବୋଲି ଜଡ଼ାତେଲ ବା କଚଡ଼ା ତେଲର ଦ୍ଵୀପ ଜାଳି କାମ ଚଳାଉଛନ୍ତି ଗାଁର ଲୋକମାନେ । ଭିକ ଦେବାକୁ ଘରେ ଚାଉଳ ମୁଠେ ନାହିଁ ଅଧିକାଂଶଙ୍କ ଘରେ । ମଣିଷ ଏତେ କଷ୍ଟ ସହି ବି ବଞ୍ଚିପାରେ ଦେଖି ସାହସ ହୁଏ ବିଶ୍ଵନାଥଙ୍କର ଆହୁରି ଲଢ଼ିବା ପାଇଁ, ହତାଶ ନ ହୋଇ ଶେଷ ନିଶ୍ଵାସ ବହୁଥିବା ଯାଏ ଜୀଇଁବା ପାଇଁ ।

 

ବେଳ ଦୁଇଘଡ଼ି ବେଳକୁ ଚାନ୍ଦାରାଓ ଆସି ପହଞ୍ଚିଲେ । ଆଜି ତାଙ୍କର ସାପ୍ତାହିକ ଛୁଟିଦିନ । ତାଙ୍କ ଜାଗାରେ କାମ ତୁଲାଇବା ପାଇଁ ଖଡ଼ଗପୁରରୁ ଆସିଛି ରମେଶ ଭଟ୍ଟାଚାର୍ଯ୍ୟ । ତାହାରି ମୁହଁରୁ ଶୁଣାକଥା ହଜମ କରିନପାରି ଚାନ୍ଦାରାଓ ଦଉଡ଼ି ଆସିଲେ ଆଉ ଜଣେ ସହଧର୍ମାଙ୍କୁ କହିବା ପାଇଁ ।

 

ବିଶ୍ଵନାଥ କରଜ ଧାନତକ କୈଳାସ ଘରୁ ମୁଲିଆ ହାତରେ ଘରକୁ ପଠେଇଦେଇ ବାଟରେ କୁନ୍ତଳା ନାନୀଠାରୁ ପାନ ଗୋଟେ ଖାଇ ପହଞ୍ଚିଲା ବେଳକୁ ଚାନ୍ଦାରାଓଙ୍କୁ ଦେଖି କହିଲେ–ଆରେ ତମେ ଯେ… କେତେବେଳୁ ଆସିଲଣି ?

 

–ଏଇ ପହଞ୍ଚିଲି ବିଶୁବାବୁ…ରମେଶ ଭଟ୍ଟାଚାର୍ଯ୍ୟ ମୋ ଜାଗାରେ କାମ କରୁଛି ଆଜି । ଫୁରୁସତ ପାଇ ଚାଲିଆସିଲି ।

 

–ରମେଶ କ’ଣ ଖବର ଆଣିଛି ?

 

–ସେ ତ କହୁଥିଲା ଯେ ଜାପାନ ବି ମାଡ଼ିଆସୁଛି ପୂର୍ବରୁ । ନେତାଜୀ ସୁବାଷ ବୋଷ କୁଆଡ଼େ ଜାପାନୀମାନଙ୍କ ସାହାଯ୍ୟ ନେଇ ଆଜାଦ ହିନ୍ଦ୍ ଫୌଜ ଗଠନ କରି ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ମୁକ୍ତିସେନାର ସେନାପତି ସେ ?

 

–ନେତାଜୀ ଜାପାନ, ଜର୍ମାନ ସପକ୍ଷରେ ? ବିଶ୍ଵାସ ହେଉନି ! ଅବିଶ୍ଵାସର ଚିହ୍ନ ଛିଟିକି ପଡ଼ିଲା ବିଶ୍ଵନାଥଙ୍କ ମୁହଁରୁ ।

 

–ହଁ, ହଁ…ଦେଶକୁ ସ୍ଵାଧୀନ କରିବା ଉଦ୍ଦେଶ୍ୟ ନେଇ ସେ ଅକ୍ଷଶକ୍ତି ସହିତ ହାତ ମିଳାଇଛନ୍ତି । ଏଇ ତ ସମୟ, ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ।

 

–ଇଂରେଜ ତ ଏକା ନୁହଁ ରାଓ ବାବୁ ! ସେମାନଙ୍କ ସପକ୍ଷରେ ଆମେରିକା, ଋଷିଆ ।

 

–ହଁ, ଋଷିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ହିଟଲର୍ ଭୁଲ୍ କଲା ବୋଲି ସମସ୍ତେ ଭାବୁଛନ୍ତି ।

 

–ଏଇ ସୁଯୋଗ ରାଓ ବାବୁ ! କଥାରେ ଅଛି–ଲୁହା ଗରମ ଥିଲାବେଳେ ପାହାର ଦବ । ହିଟଲର୍‍ର ମାଡ଼ ଖାଇ ଥରିଲେଣି ଇଂରେଜମାନେ । ଏତିକିବେଳେ ପାହାର ଦେଲେ ଏ ଦେଶ ଛାଡ଼ି ଚାଲିଯିବେ ସେମାନେ ।

 

–ରମେଶ ବି ସେଇ କଥା କହୁଥିଲା, କିନ୍ତୁ ଯୁଦ୍ଧ ଆୟୋଜନରେ କଂଗ୍ରେସ ଓ ଭାରତୀୟମାନେ ସାହାଯ୍ୟ ନକଲେ ବ୍ରିଟିଶ୍ ସରକାର ପ୍ରତିଶୋଧ ନନେଇ ଛାଡ଼ିବନାହିଁ ।

 

ଦେଶର ହାଲଚାଲ୍ ନେଇ ଆଲୋଚନା ଚାଲିଥିବାବେଳେ ବିଶ୍ଵନାଥଙ୍କ କାନ ପାଖରେ ମୁହଁରଖି କହିଲେ ଚାନ୍ଦା ରାଓ–ମେଦିନୀପୁରରୁ ଖବର ଆସିଛି, ଶାହାଜାହାନ ଖାଁ ଆସି ପହଞ୍ଚିବ ଦୁଇ ଦିନ ଭିତରେ । ସେ ଜନ୍ମେଜୟ ବାବୁଙ୍କ ବାର୍ତ୍ତା ନେଇ ଆସୁଛି । ପିଲାମାନଙ୍କୁ ଅସ୍ତ୍ରଚାଳନା ଶିକ୍ଷା ଦେବ ସେ ।

 

–ଏକଥା ପ୍ରଘଟ ହେଲେ କିନ୍ତୁ ସର୍ବନାଶ ହେବ ।

 

–ତମ ଉପରେ ଦାୟିତ୍ଵ ବିଶୁବାବୁ । କୋଉଠି ପିଲାମାନଙ୍କୁ ତାଲିମ୍ ଦେବ ଠିକ୍ କରିଛ-?

 

–କୃପାସିନ୍ଧୁ ଯାଇଛି ଦେଖିବା ପାଇଁ । ହାତୀପାଳ ସୁବିଧା ସ୍ଥାନ । ଗଭୀର ଅରଣ୍ୟ । ନିର୍ଜନ ଅଞ୍ଚଳ । ଯୁଯେଷ୍ଠି ମାଝୀର ଇଲାକା ସେଇଟା ।

 

–ସେ କ’ଣ ବୁଝେ ଏ ବିଷୟରେ ?– କହିଲେ ଚାନ୍ଦାରାଓ ।

 

–ସେ ସ୍ଵାଧୀନତା ସଂଗ୍ରାମ ବିଷୟ ବୁଝେନା, ଲଢ଼େଇ ବିଷୟରେ ଖବର ରଖେନା, ସେ ନିରକ୍ଷର; କିନ୍ତୁ ବେଶ୍ ଦରଦୀ ମଣିଷ । ଯାହାକୁ କହନ୍ତି ସେ ଭଲଲୋକ । ତା’ ବଂଶଧରମାନଙ୍କ ଉପରେ ବାମନଘାଟୀରେ ଜୁଲମ୍ କରାଯାଇଥିଲା ବୋଲି ସେ ପ୍ରତିଶୋଧ ନେବାକୁ ଚାହେଁ । ସେ ଆମ ପକ୍ଷର ଲୋକ । ମରିବ ପଛେ ବିଶ୍ଵସଘାତକତା କରିବନାହିଁ ।

 

–ତା’ ହେଲେ ତ ସୁବିଧା, କେତେଜଣ ଟୋକା ବାହାରିଲେଣି ?

 

–ସାତ-ଆଠଜଣ ହେବେ, ଆଉ ତିନି-ଚାରିଜଣ ଆସିପାରନ୍ତି । ସଂଖ୍ୟା ବଡ଼ କଥା ନୁହେଁ, ନିଷ୍ଠା ବଡ଼ କଥା ।

 

–ନିଶ୍ଚୟ ଆଉ ଗୋଟେ କଥା, ଗ୍ରେନସପ୍ ମେନେଜର୍‍ କର୍ମଚାରୀମାନଙ୍କ ଚିନି ଚାହା ନଦେଇ କଳାବଜାରରେ ବିକୁଥିଲାବେଳେ ସାହେବ ତାକୁ ଧରିଥିଲା ।

 

–ତା’ପରେ ?

 

–ହଜାରେ ଟଙ୍କା ଲାଞ୍ଚ ନେଇ ଛାଡ଼ିଦେଲା ଶୁଣିଛି । ଟଙ୍କା ପାଇଁ ଏତେ ବଡ଼ ଗର୍ହିତ କାମ ଚାପା ପଡ଼ିଗଲା ।

 

–ଲୋକଙ୍କର ଲୋଭ ବଢ଼ୁଛି, ଟଙ୍କାର ପ୍ରୟୋଜନ ବି ବଢ଼ୁଛି । ଟଙ୍କା ନ ଥିଲେ ଲୁଣ ଟିକେ ବା ଦିଆସିଲିଟାଏ କିଣିପାରିବ ନାହିଁ । କୁଲିମାନେ ନିଅନ୍ତି ନାହିଁ ବୋଲି ବଳକା ଜିନିଷ ମୁଁ ନିଏ ରାଓ ବାବୁ । ନ ହେଲେ ସେମାନଙ୍କ ପେଟର ଦାନା ମାରି ମୁଁ ବ୍ୟବସାୟ କରନ୍ତି ନାହିଁ ।

 

–ମୁଁ କ’ଣ ଜାଣେନି । ଆଉ ଦାଉଦ୍ ସାହେବ ବିଷୟ ଶୁଣିଥିବ ନିଶ୍ଚୟ ।

 

–ସାନ୍ତାଳମାନେ ମେଳି କରିଛନ୍ତି ତାକୁ ମାରିବା ପାଇଁ । ସନିଆର ସ୍ତ୍ରୀ ଫୁଲିକୁ ନେଇ ଘରେ ରଖିବା ଠିକ୍ ତା’ର ହୋଇନି । ଦାଉଦ୍ ସାହେବର ପଇସା ବଳ, ଲୋକବଳ ଅଛି ସତ, କିନ୍ତୁ ଧର୍ମ ବଳ ତା’ ପାଖରେ ନାହିଁ । ଆଉ ସେଇ ବିଷ୍ଣୁଟା ବି ବଦ୍‍ମାସ, ତାକୁ ବଳ ଦେଉଛି ଏଭଳି କାମରେ ।

 

–ମୁଁ ତାକୁ ସାବଧାନ କରିଦେଇଛି । ସନିଆଟା ମାତାଲ । ହାଣ୍ଡିଆ ଖାଇ ପଡ଼ିଥାଏ ନିଶାରେ । କିନ୍ତୁ ତା’ର ଜାତି ଭାଇମାନେ ଏଇ ଘଟଣାଟା ଚାପି ନଦେଇ ବରଂ ଉଖାରୁଚନ୍ତି । କେତେବେଳେ କ’ଣ ହେବ କିଏ ଜାଣେ ?

 

ଚାନ୍ଦାରାଓ ଫେରିଗଲାପରେ ବିଶ୍ଵନାଥଙ୍କର ହେଜ ହେଲା ଯେ, ଯୁଗ ବଦଳିବା ସଙ୍ଗେ ସଙ୍ଗେ ଲୋକ ଚରିତ୍ର ବି ବଦଳିବାରେ ଲାଗିଛି । ମଣିଷର ଲୋଭ, ମୋହ, ମାତ୍ସର୍ଯ୍ୟ ବଢ଼ିବାରେ ଲାଗିଛି । କଳିକାଳର ତ ଚିହ୍ନ ଏସବୁ; କିନ୍ତୁ ସତରେ କ’ଣ କଳ୍‍କୀ ଆସିବେ ଅନ୍ୟାୟ, ଅଧର୍ମ ନାଶକରି ଧର୍ମ ସଂସ୍ଥାପନ କରିବାପାଇଁ ?

 

ପାର୍ବତୀ ମନେପକାଇଦେଲେ ଯେ ବେଳ ଦି’ ପହର ହେଲାଣି, ଭାତ ବଢ଼ାହୋଇଛି, ଆସନରେ ବସିଲେ ହେଲା । ବିଶ୍ଵନାଥ ହାତମୁହଁ ଧୋଇ ଆସନରେ ବସି ଚଳୁ କଲେ । ଗୁଣ୍ଡାଏ ଭାତ ମୁହଁରେ ଦବାବେଳେ ପାର୍ବତୀ କହିଲେ–ଶଙ୍କରକୁ କହିବ ପଢ଼ାପଢ଼ିରେ ମନ ଦେଉ, ତା’ପରେ ଆଉ ସବୁ… ।

 

ବିଶ୍ଵନାଥ ସ୍ତ୍ରୀଙ୍କ ମୁହଁକୁ ଅନେଇଲେ, କିନ୍ତୁ କିଛି କହିଲେ ନାହିଁ କି ଭାତଗୁଣ୍ଡା ଗିଳି ବି ପାରିଲେନାହିଁ । ଦଣ୍ଡେ ରହିଯାଇ ମନକୁ ମନ କହିଲେ–ନୂଆ ଚେତନା ଜାଗୁଛି ମଣିଷ ମନରେ । ସେ କିନ୍ତୁ ଜାଣନ୍ତି ଯେ ଆଗୁଆ ରଣକ୍ଷେତ୍ରକୁ ସୈନ୍ୟ ପଠାଇ ଶତ୍ରୁସୈନ୍ୟର ଅଭିଯାନକୁ ସିନା ପ୍ରତିହତ କରାଯାଇପାରେ, କିନ୍ତୁ ଗୋଟିଏ ନୂଆ ଭାବନା, ନୂଆ ଚେତନାର ପ୍ରସାରକୁ କୌଣସି ପ୍ରତିବନ୍ଧକ ଅଟକାଇପାରେ ନାହିଁ । ବରଂ ବାଧାବିଘ୍ନ ଯେତିକି ବଢ଼େ ସେତିକି ନୂଆ ଚିନ୍ତା, ନୂଆ ଚେତନାର ପ୍ରସାର ହୁଏ । ନୂତନ ଚେତନାର ଶିହରଣ ସ୍ପନ୍ଦିତ କରୁଛି ଶଙ୍କରକୁ । କୋଉ ସାହସରେ ସେଥିରେ ଅନ୍ତରାୟ ସୃଷ୍ଟି କରିବାକୁ ଯିବେ ସେ ? ଦେଶ ଓ ଜାତି ପାଇଁ ଆତ୍ମବଳି ଦେବାର ଅଜସ୍ର ଦୃଷ୍ଠାନ୍ତ ରହିଛି ଶାସ୍ତ୍ର ପୁରାଣରେ । ଶଙ୍କର ଯଦି ଦେଶ ପାଇଁ କିଛି କରେ ସେ ବରଂ ଗର୍ବ କରିବେ, କିନ୍ତୁ ତାକୁ ବାରଣ କରିବେ ନାହିଁ ।

 

ପାର୍ବତୀ କହିଲେ–ହୁରୁଷୀ ଆସିଥିଲା ।

 

–କାହିଁକି ? ବିଶ୍ଵନାଥ ଜାଣିବାକୁ ଚାହିଁଲେ ।

 

–ପଇସା ମାଗୁଥିଲା ।

 

–ପଇସା କାହିଁ ଯେ ଦେବି ? କାହିଁକି ବା ଦେବି ? ଯାହା କରିବ କରୁ ।

 

[ ୭ ]

 

ମେଟ୍ରିକ୍ ପରୀକ୍ଷା ଦେଇସାରିବା ପରେ ଘରକୁ ନଯାଇ ମଧୁ ମାଷ୍ଟରଙ୍କ ସହିତ ଲୁଲୁଙ୍ଗ ଚାଲିଗଲା ଶଙ୍କର । ମଧୁ ମାଷ୍ଟରଙ୍କ ସହିତ ପରିଚୟ ତା’ର ଏଇ ଅଳ୍ପଦିନର । ସେ ସାହିତ୍ୟ ଶିକ୍ଷକ ଭାବେ ଦୁଇମାସ ହେଲା ଯୋଗ ଦେଇଥାନ୍ତି ସ୍କୁଲରେ । ପ୍ରଥମ ଦେଖାରୁ ସେ ଦୁହିଁଙ୍କ ଭିତରେ ସମ୍ପର୍କ । ମଧୁ ମାଷ୍ଟର ପ୍ରଥମ ଦିନ କ୍ଲାସ ନେବା ପରେ ଶଙ୍କରଙ୍କୁ ଡାକି ନେଇ କହିଲେ–ଭକ୍ତ କବିଙ୍କର ସେଇ ପଦ୍ୟଟି ମନେ ଅଛି ? ଶଙ୍କର ଗାଇଗଲା ସମଗ୍ର ପଦ୍ୟଟି–ତୁହି ମା’ ଜନମ ଭୂମି, ପବିତ୍ର ଭାରତ ଭୂମି, ତୋହର ସନ୍ତାନ ଆମ୍ଭେ ଅଟୁ ସରବେ…ମୁହଁ ଉପରେ ପ୍ରସନ୍ନତା ଖେଳାଇ ମଧୁ ମାଷ୍ଟର କହିଥିଲେ–ତମକୁ ଆଉ ଗୋଟେ ଭଲ ଗୀତ ଶିଖେଇବି । ତା’ପରେ ତାଙ୍କରି ମୁହଁରୁ ଶୁଣି ସେ ମନରେ ରଖିଥିଲା–ବନ୍ଦେ ମାତରମ୍ ! ସୁଜଳାମ୍, ସୁଫଳାମ୍ ମଳୟଜ ଶୀତଳାମ୍ ମାତରମ୍… ବନ୍ଦେ ମାତରମ୍‍ ।

 

ସେଇଦିନୁ ମଧୁ ମାଷ୍ଟରଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି । ମଧୁ ମାଷ୍ଟରଙ୍କ କଥା ଅକ୍ଷରେ ଅକ୍ଷରେ ମାନିବା ପାଇଁ ସେ ଚେଷ୍ଟା କରେ । ଲୁଲୁଙ୍ଗ ଯିବା ଦିନ ସେ କହିଲେ–ଏହି ଦେଶର ଚାଳିଶ କୋଟି ଲୋକଙ୍କର ସୁଖ ଦୁଃଖ ଏକ । ଜାତି ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସେମାନେ ସମସ୍ତେ ଗୋଟିଏ ମାଆର ସନ୍ତାନ । ସେମାନଙ୍କଠାରୁ ଆହୁରି ମହାନ ଏଇ ଭାରତବର୍ଷ, ଏହାର ଐତିହ୍ୟ ଓ ସଂସ୍କୃତି । ବୀର ପ୍ରସବିନୀ ଏଇ ମାଟି । କିନ୍ତୁ ପଛରେ ପଡ଼ିଯାଉଛି ନିଜର ଦୁର୍ବଳତାରୁ, ଜାତୀୟ ଜୀବନରେ ଐକ୍ୟ ଓ ସଙ୍ଗଠନର ଅଭାବରୁ । ପୁଣି ଉଠିବ ଭାରତବର୍ଷ, ପୁଣି ଶୁଣାଯିବ ଋଷିବାଣୀ–ଉତ୍ତିଷ୍ଠତ, ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ… । –ବିବେକାନନ୍ଦଙ୍କ କଥା ପୁଣି ମନେପଡ଼ିଲା ।

 

ମଧୁ ମାଷ୍ଟରଙ୍କ ମୁହଁକୁ ଚାହିଁରହିଥିଲା ଶଙ୍କର ତନ୍ମୟ ହୋଇ । ସେ କହୁଥିଲେ, ଆଉ ଶଙ୍କର ଶୁଣୁଥିଲା ।

 

–ଏଇ ପରାଧୀନତା ସବୁ ଅନିଷ୍ଟର ମୂଳ । ସ୍ଵାଧୀନ ମଣିଷ ହିଁ ସମ୍ମାନ ଓ ଶ୍ରଦ୍ଧାର ପାତ୍ର-। ମୁକ୍ତ ଚିନ୍ତାରୁ ହିଁ ସୃଷ୍ଟି ହୁଏ ନୂତନ ଚେତନା । ବହୁକାଳ ପରାଧୀନତାର ବେଡ଼ି ଲାଗି ଦାସ କରିଦେଇଛି ଭାରତବାସୀଙ୍କୁ । ସ୍ଵାଧୀନ ଚିନ୍ତା ନାହିଁ କି ସ୍ଵାଧୀନ ହେବାର ସ୍ଵପ୍ନ ଦେଖୁନାହାନ୍ତି ସେମାନେ । ସ୍ଵାଧୀନ ହେବାର ସ୍ୱପ୍ନ ଦେଖିବାପାଇଁ ଅନୁପ୍ରାଣିତ କର ଶଙ୍କର, ସମସ୍ତେ ସ୍ଵପ୍ନ ଦେଖନ୍ତୁ ସ୍ଵାଧୀନ ମୁକ୍ତ ଭାରତର, ଆଉ ସେଇ ସ୍ଵପ୍ନକୁ ସାକାର କରିବା ପାଇଁ ବଳିଦାନ ଯଦି ଆବଶ୍ୟକ ହୁଏ, ପଛେଇ ନଯାଇ ଆଗେଇ ଆସ ମାତୃଭୂମି ପାଇଁ ଆତ୍ମୋତ୍ସର୍ଗ କରିବା ଲାଗି ଅକୁଣ୍ଠ ଚିତ୍ତରେ, ନିର୍ମଳ ଓ ନିଃସଂଦିଗ୍ଧ ମନରେ ।

 

ସେତିକିବେଳେ ଆସି ପହଞ୍ଚିଲା ରାଖାଲ । ଯଦୁସିଂର ବଡ଼ପୁଅ । କୋଡ଼ିଏ କି ଏକୋଇଶ ବର୍ଷ । ମେଦହୀନ ପରିପୁଷ୍ଟ ଚେହେରା । ମୁହଁରେ କଟା ହୋଇ ନଥିବା ଅଯତ୍ନବର୍ଦ୍ଧିତ ନିଶ ଧାଡ଼ି । ଚାଲିରେ ସ୍ଫୁର୍ତ୍ତି । ଢଙ୍ଗରେ ବିନୟ । ହାତରେ ଧନୁଶର ।

 

ମଧୁ ମାଷ୍ଟର କହିଲେ–ଶିକାର କରିବାକୁ ଯାଉଛୁ ?

 

–ଗୋଟେ ଚଢ଼େଇ ନ ମାରିଲେ ମା’ ତୋ ପାଇଁ ରାନ୍ଧିବ କିସ ମାଷ୍ଟର ?

 

ଶଙ୍କର ସଂଶୋଧନ କରିଦେବାପାଇଁ କହିଲା–ମାଷ୍ଟରଙ୍କୁ କହିଲେ ସମ୍ମାନ କରି କହିବାକୁ ହୁଏ । ଆପଣଙ୍କ ପାଇଁ...

 

ମଧୁ ମାଷ୍ଟର ହସି ଦେଇ କହିଲେ–ଧୀରେ ଧୀରେ ଶିଖିଯିବ ।

 

ରାଖାଲ ସ୍କୁଲରେ କେବେ ପାଠ ପଢ଼ିନି । ନିରକ୍ଷର; କିନ୍ତୁ ଆଖି ଦୁଇଟିରେ ବୁଦ୍ଧିଦୀପ୍ତ ଦୃଷ୍ଟି । ମୁହଁ ଉପରେ ପ୍ରସନ୍ନତାର ଛାପ । ମଧୁ ମାଷ୍ଟର ତା’ ହାତକୁ ଖଡ଼ି ଆଉ ସିଲଟ ବଢ଼ାଇଦେଇ କହିଲେ–ତୋ ପାଇଁ ଆଣିଛି । ଆଗଥର କହିଯାଇଥିଲି–ମନେ ଅଛି ?

 

ମଥା ହଲାଇଲା ରାଖାଲ । ତା’ପରେ ବର୍ଣ୍ଣବୋଧ ଉପରେ ଜଳଛବିଟିଏ ଛାପି କହିଲେ ମଧୁ ମାଷ୍ଟର–ଏଇ ଥଳିରେ ଗୁଡ଼ାଏ ଜଳଛବି ଅଛି । ତୋରି ପାଇଁ ଆଣିଛି ।

 

ଶଙ୍କରର ମୁହଁକୁ ଚାହିଁଦେଇ କ’ଣ ଆଭାସ ପାଇଲା କେଜାଣି ଚଟ୍‍କରି ମଧୁ ମାଷ୍ଟରଙ୍କ ପାଦରେ ହାତ ଦେଇ ପ୍ରଣାମ କଲା ରାଖାଲ ।

 

ଶଙ୍କର କହିଲା–“ଆଜିଠାରୁ ସାର୍ ବୋଲି ଡାକିବୁ…।’’ ପୁଣି ମଥା ହଲାଇଲା ରାଖାଲ । ଘରଭିତରୁ ତା’ ମାଆର ଡାକ ଶୁଭିଲା– “ବଣକୁ ଯାଇ ସେଇଠି ବସିଗଲୁ ପୁଅ…।’’ ମା’ର ଆଦେଶ କେବେ ବି ଅବଜ୍ଞା କରିନି ରାଖାଲ । ସେ ଉଠି ଦୌଡ଼ିଲା ବଣ ଭିତରକୁ । ତାକୁ ବାରଣ କରିବା ପାଇଁ ସମୟ ପାଇଲେ ନାହିଁ ମଧୁ ମାଷ୍ଟର ।

 

ଟିକେ ପରେ ଚାରି ପାଞ୍ଚଟା ସିଝା କନ୍ଦମୂଳ ଆଣି ଆଗରେ ଥୋଇ ଦେଇ କହିଲା ଦିଶା– “ଏଇ କନ୍ଦମୂଳ ଟିକେ ଖା ବାବୁ…।’’ ମଧୁ ମାଷ୍ଟର ଖୁସି ହୋଇ କହିଲେ–ଏମାନଙ୍କର ସରଳତା ଆଉ ଅତିଥିପରାୟଣତା ଦେଖିଲୁ ଶଙ୍କର ?

 

ଶଙ୍କର ମୁଗ୍‍ଧ ହୋଇଯାଇଥିଲା । ସେଇ ସକାଳୁ ଯାହା ଖାଇଥିଲେ ଦୁହେଁ । ବେଶ୍ ଭୋକ କରୁଥିଲା । ମଧୁ ମାଷ୍ଟର ଶଙ୍କର ହାତକୁ ଗୋଟେ କନ୍ଦମୂଳ ବଢ଼ାଇଦେଇ ଆଉ ଗୋଟିଏ ନିଜେ ଉଠେଇନେଲେ । ହାଟରୁ ବାପା ଆଣୁଥିବା କନ୍ଦମୂଳଠାରୁ ଏ କନ୍ଦମୂଳ ଯେ ବେଶି ମିଠା ତାହା ମନେହେଲା ଶଙ୍କରର । ଦୁଇଟା କନ୍ଦମୂଳ ଖାଇ ଝରଣାରୁ କେତେ ଆଞ୍ଜୁଳା ପାଣି ପିଇସାରିବାପରେ ଫୁର୍ତ୍ତି ଫେରି ଆସିଲା ଦେହ ଓ ମନକୁ ।

 

ମଧୁ ମାଷ୍ଟର କହିଲେ– “ବଡ଼ ଭୋକ ଲାଗୁଥିଲା ନା ?” ଶଙ୍କର ହସିଦେଲା ।

 

ଘଣ୍ଟାଏ ଯାଇନଥିବ ଦୁଇଟା ହରଡ଼ ଚଢ଼େଇ ଧରି ଫେରିଆସିଲା ରାଖାଲ ।

 

–କେଉଁ ପକ୍ଷୀ ଚିହ୍ନିପାରୁଛୁ ଶଙ୍କର ? ହରଡ଼ ପକ୍ଷୀ ।

 

ଶଙ୍କର ଏଇ ପ୍ରଥମ ଦେଖିଲା ହରଡ଼ ପକ୍ଷୀ । ଶୁଣିଥିଲା ବାପାଙ୍କଠାରୁ, ସାଙ୍ଗମାନଙ୍କଠାରୁ, କିନ୍ତୁ ଦେଖିନଥିଲା ଆଜିଯାଏଁ । ସବୁ ଜଙ୍ଗଲରେ ନଥାନ୍ତି ହରଡ଼ ପକ୍ଷୀ । ଦୁଇଟି ସୁନ୍ଦର ପକ୍ଷୀ ମାରିଆଣିଥିବା ଦେଖି ବିଷଣ୍ଣ ହେଲା ଶଙ୍କର, କିନ୍ତୁ ମୁହଁ ଫିଟାଇ କିଛି କହିପାରିଲା ନାହିଁ । ଯଦୁ ସିଂ ଗାଁର ଚୌକିଦାର । ଥାନା ବାବୁ ଆସିଲେ କୁଟୁରା କି ହରିଣୀ ମାଂସ ରାନ୍ଧି ତାଙ୍କୁ ଖୁଆଇବାର ବାଗ ଶିଖି ଯାଇଥିଲା । ସେଥିପାଇଁ ସ୍ତ୍ରୀ କୁ ରାନ୍ଧିବାକୁ ନ ଦେଇ ନିଜେ ବସିଲା ଚୁଲି ମୁଣ୍ଡରେ ହରଡ଼ ମାଉଁସ ରାନ୍ଧିବା ପାଇଁ । ଭାଗ୍ୟେ ଚାଉଳ କିଛି ଥିଲା ହାଣ୍ଡିରେ, ନ ହେଲେ ମୁଢ଼ି ଆଉ ମାଉଁସ ଖାଇ ରହିଥାନ୍ତେ ଅତିଥିମାନେ ।

 

ଭାତ ଆଉ ମାଉଁସ ଝୋଳ ପେଟେ ପେଟେ ଖାଇଲେ ସମସ୍ତେ । ମଧୁ ମାଷ୍ଟର ପ୍ରଶଂସା କରି କହିଲେ–ବଡ଼ ସୁଆଦ ହୋଇଥିଲା ତରକାରୀ… ତମେ ରାନ୍ଧିବା କାହାଠୁ ଶିଖିଥିଲ ଯଦୁ ?

 

–ବାବୁମାନଙ୍କ ରୋଷେଇ କେମିତି ହୁଏ ଦେଖି ଦେଖି ଶିଖିଥିଲି… ହାତ ବାଗିନି ଏ ଯାଏ… କେଜାଣି କେମିତି ହେଲା ?

 

ଖାଇସାରିବା ପରେ ଦୀପ ନିଭେଇଦେଲେ ମଧୁ ମାଷ୍ଟର । କିରାସିନୀ ତେଲ ଅମିଳ ଏଇ ବଣ ମୁଲକରେ । ସୂର୍ଯ୍ୟାସ୍ତ ହେଲା ବେଳକୁ ଖାଇ ସାରିଥାନ୍ତି ଆଦିବାସୀମାନେ । ଡିବିରି ବା ଲଣ୍ଠନ ଜାଳିବା ଦରକାର ହୁଏନା । କେବେ କେମିତି ଉତ୍ସବ ହେଲେ ଡିବିରି ଜଳେ । ସାରା ଗାଁରେ ଗୋଟେ ଲଣ୍ଠନ ଅଛି ସର୍ଦ୍ଦାର ଘରେ । ବରଂ ଶୁଖିଲା କାଠ ଥାଏ ସମସ୍ତଙ୍କ ଘରେ । ସେଥିରୁ ଦି’ ଚାରିଟା ଏକାଠି କରି ଧୁନୀ ଜାଳିଦେଲେ ଆଲୁଅ ଦିଶେ ଚାରିଦିଗ, ଆଉ ମଶାଲ ଜଳେ ମେଳା ମଉତ୍ସବରେ ।

 

ଯଦୁ ଚାଲିଗଲା ପହରା ଦେବାପାଇଁ । ମଝିରେ ମଝିରେ ଏମିତି ଚାଲିଯାଏ ଗାଁ ଚାରିପାଖ ବୁଲିଆସିବା ପାଇଁ ।

 

ମଧୁ ମାଷ୍ଟର କାହାଣୀ କହିଲେ । ଭରତ ନାମରେ ଜଣେ ମହାପ୍ରତାପୀ, ପରାକ୍ରମୀ ରାଜା ଥିଲେ । ପ୍ରଜାପାଳନ ଥିଲା ତାଙ୍କର ଧର୍ମ । ତାଙ୍କରି ନାମ ଅନୁସାରେ ଏ ଦେଶର ନାମ ହେଲା ଭାରତ । ଆର୍ଯ୍ୟମାନଙ୍କ ଭୂମି ବୋଲି କେହି କେହି ବି କହନ୍ତି ଆର୍ଯ୍ୟାବର୍ତ୍ତ । ଧର୍ମ ଖାଲି ଏ ଦେଶର ଲୋକମାନଙ୍କର ଚଳଣିରେ ପ୍ରତିଫଳିତ ହୁଏ ନାହିଁ, ଭାରତୀୟମାନଙ୍କ ବିଶ୍ଵାସ, ଜୀବନଧାରା, ଦର୍ଶନ ଓ ଆଦର୍ଶ ସହିତ ଧର୍ମ ସର୍ବତୋଭାବେ ଜଡ଼ିତ । ନୀତି, ନିୟମ, ଅନୁଶାସନ, ଉଦାରତା, ତ୍ୟାଗ, ସତ୍ୟନିଷ୍ଠା, ସାଧୁତା, ମାନବିକତା, ଦୟା, କ୍ଷମା, ସହନଶୀଳତା, ସହଯୋଗ ଜୀବନର ବ୍ରତ ଭାବରେ ଏ ଦେଶର ଜନଜୀବନରେ ଚଳିଆସୁଛି ବୋଲି ଏଠାରେ ଧର୍ମର ସଂଜ୍ଞା ଏତେ ବ୍ୟାପକ । ଭାରତର ଧର୍ମ ରିଲିଜନ୍ ନୁହେଁ । ଗୋଟିଏ ସମ୍ପ୍ରଦାୟ, ଜାତି ବା ଗୋଷ୍ଠୀର ଜୀବନଧାରା ଓ ଚଳଣିରେ ଏହା ଆବଦ୍ଧ ନୁହେଁ । ଯୁଗ ଯୁଗ ଧରି ମୁନିଋଷିଙ୍କ ଦ୍ଵାରା ନିରୂପିତ ନିର୍ମଳ ଓ ପରିପୂର୍ଣ୍ଣ ଜୀବନଧାରା ଭାବରେ ଏଇ ନୀତି ସବୁ ପାଳିତ ହୋଇଆସୁଛି ବୋଲି ଏବଂ ଯୁଗ ଯୁଗ ଧରି ଏହା ମାନବ ଜାତିକୁ ମାର୍ଗଦର୍ଶନ କରାଏ ବୋଲି ଏହାର ନାମ ସନାତନ ଧର୍ମ । ଏହା ଆଗରୁ ଥିଲା, ଏବେ ଅଛି, ପୁଣି ଆଗକୁ ମଧ୍ୟ ଥିବ । ଏହାର କ୍ଷୟ ନାହିଁ । ଏହା ସଂକୀର୍ଣ୍ଣ ନୁହେଁ, ସୀମାବଦ୍ଧ ନୁହେଁ । ପରମଙ୍କୁ ଅନ୍ଵେଷଣ କରିବାର ଚିରନ୍ତନ ମାର୍ଗ ଏଇ ଧର୍ମର ବାଣୀରେ ସନ୍ନିହିତ । ଅଯୋଧ୍ୟା ବା ମଥୁରାରେ ଯେପରି ଭିନ୍ନ ଭିନ୍ନ ମାର୍ଗରେ ପହଞ୍ଚିହେବ, ସେହିପରି ବିଭିନ୍ନ ଧର୍ମ ପ୍ରଦର୍ଶିତ ମାର୍ଗରେ ଯିବାଦ୍ଵାରା ଇଶ୍ଵରପ୍ରାପ୍ତି ମଧ୍ୟ ସମ୍ଭବ । ରାମକୃଷ୍ଣ ପରମହଂସ ଇଶ୍ଵର ଏକ ଅଦ୍ଵିତୀୟ ବୋଲି ପ୍ରତ୍ୟକ୍ଷ କରିଥିଲେ । ତାଙ୍କର ଭିନ୍ନ ଭିନ୍ନ ରୂପ ଭିନ୍ନ ଭିନ୍ନ ନାମ, କିନ୍ତୁ ଶୀର୍ଷ ବିନ୍ଦୁ ସେଇ ଗୋଟିଏ । ଉତ୍ସ ସେଇ ଏକ–ନଦୀର ଉତ୍ସ ଯେପରି ଏକ, କିନ୍ତୁ ଧାର ଅନେକ ।

 

ମଧୁ ମାଷ୍ଟର ଟିକେ ରୋକିଯାଇ କହିଲେ–ଧର୍ମଭୂମି ଏଇ ଭାରତବର୍ଷ ସେଥିପାଇଁ ପୂଣ୍ୟଭୂମି । କିନ୍ତୁ ଧର୍ମାଚରଣ ନକରି ଅଧର୍ମର ସଂକୀର୍ଣ୍ଣ ପଥ ଆପଣେଇନବାରୁ ହେଲା ଜାତୀୟ ଦୁର୍ଗତି, ଅଧୋଗତି । ଏକତା ସ୍ଥାନରେ ବିଭେଦ ଦେଖାଗଲା । ଧର୍ମ ନାମରେ ଲଢ଼େଇ ଆରମ୍ଭ ହେଲା । ସାଂପ୍ରଦାୟିକତା ଅହଂକାର ବଢ଼ିଲା । ବିଭିନ୍ନତା ମଧ୍ୟରେ ଏକତାର ବାଣୀ ଏ ଦେଶର ବୀଜମନ୍ତ୍ର । କବିଗୁରୁ ରବୀନ୍ଦ୍ରନାଥ ଠାକୁର ସେଥିପାଇଁ ଗାଇଥିଲେ– ‘‘ନାନା ଜାତି, ନାନା ଭାଷା, ନାନା ପରିଧାନ, ବିବିଧେର ମାଝେ ଦେଖ ମିଲନ ମହାନ ।’’ କେତେ ଜାତି, କେତେ ଭାଷା, କେତେ ପ୍ରକାର ପୋଷାକ ଓ ପରିଧାନ…କିନ୍ତୁ ଏତେ ପାର୍ଥକ୍ୟ ସତ୍ତ୍ଵେ ଭାରତୀୟ ଜୀବନଧାରାରେ ଏକତ୍ଵର ସ୍ୱର ଝଙ୍କୃତ ହେଉଛି ଯୁଗଯୁଗ ଧରି । ସବୁଥିରେ ନୀତି ମାନିବାକୁ ହୁଏ ବୋଲି ନୈତିକତା ଏ ଦେଶର ମାନଦଣ୍ଡ ।

Unknown

 

ରାତି କେତେ ହେଲା ଜାଣିବାପାଇଁ ଇଚ୍ଛା ନଥିଲା ମଧୁ ମାଷ୍ଟରଙ୍କର । ଶଙ୍କରର ନିଦୁଆ ଆଖିକୁ ଚାହିଁଦେଇ କହିଲେ ସେ–ଶୋଇପଡ଼ ଏଥର…ରାଖାଲ ତୁ ବି ଶୋଇପଡ଼ । ରାଖାଲ କିନ୍ତୁ ଶୋଇନପଡ଼ି ମଧୁ ମାଷ୍ଟରଙ୍କ ଗୋଡ଼ ମୋଡ଼ିବାକୁ ଲାଗିଲା । ମଧୁ ମାଷ୍ଟର ମନା କଲେ ନାହିଁ, ବରଂ ସେଥିରେ ଏକ ଅନ୍ତରଙ୍ଗ ଆନୁଗତ୍ୟ ସହିତ ଅମାପ ସ୍ନେହର ପରଶ ପାଇଲେ ।

 

ରାତି କେତେ ହେବ କେଜାଣି । ଜୀବଜଗତ ସହିତ ନିଶ୍ଚିନ୍ତରେ ଶୋଇପଡ଼ିଛି ଶିମିଳିପାଳ । ସହାବସ୍ଥାନର ପୂଣ୍ୟଭୂମି । ମହାବଳ ବାଘ, ଦନ୍ତାହାତୀ, ଭାଲୁ, ବାଇସନ, ଅଜଗର ସହିତ ସୁକୁମାର ହରିଣହରିଣୀ, କୁଟୁରା, ମୟୂର, ହରଡ଼, ବଣ୍ୟ ଶୂକର ଓ ଆହୁରି କେତେକ ପ୍ରକାର ଦୁର୍ଲଭ ପ୍ରାଣୀଙ୍କ ନିତ୍ୟବିହାରସ୍ଥଳ ଏଇ ଶିମିଳିପାଳ । ମଣିଷ ଏଠାରେ ଅପ୍ରାସଙ୍ଗିକ ନହେଲେ ବି କେଡ଼େ ଅର୍ବାଚୀନ ? ବିରାଟ ମହୀରୁହ ତଳେ ଛିଡ଼ାହେଲେ ଆକାଶ ଲୁଚିଯାଏ ଆଖି ଆଗରୁ । କାନରେ ଶୁଭେ ମହୁଫେଣା ଚାରିପାଖରେ ଗୁଣୁଗୁଣୁ ଗୀତ ଗାଉଥିବା ମହୁମାଛିମାନଙ୍କର ସ୍ଵର । ପ୍ରତିଦିନ ସକାଳେ ଚା’ ନପିଇ ଏଇ ମହୁରୁ ଚାମୁଚେ ଖାଆନ୍ତି ମଧୁ ମାଷ୍ଟର ।

 

ନିଦ ଭାଙ୍ଗିଗଲା ଅତି ନିକଟରେ ବାଘର ଗର୍ଜନ ଶୁଣି । ତାଙ୍କୁ ନିଦକ କରିବା ପାଇଁ କହିଲା ରାଖାଲ–ଶୋଇପଡ଼ ସାର୍… ମୁଁ ଜଗିଛି, ଧନୁଶର ଅଛି ମୋ ପାଖରେ ।

 

–ତୋତେ ଡର ଲାଗୁନି ? ପଚାରିଲେ ମାଷ୍ଟର ?

 

–ବାପା କହେ, ଡର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚଉବାହାକୁ । ଏଇ ପର୍ବତ ଉପରେ ଠାକୁରାଣୀ ଅଛି, ଜନ୍ତାଳଦିନ ବଳି ପଡ଼େ, ଡାକିଲେ ଓ କରେ ଠାକୁରାଣୀ ।

 

ମଧୁ ମାଷ୍ଟର ତାଙ୍କର ଥଳି ଭିତରୁ ପିସ୍ତଲ୍ ବାହାରକରି ପରଖି ନେଲେ । ଗୁଳି ଠିକ୍ ସ୍ଥାନରେ ଅଛି । କିନ୍ତୁ ବାଘ ମାରିବାପାଇଁ ଏ ପିସ୍ତଲ୍ ଧରି ସେ ବୁଲୁନାହାନ୍ତି, ତାଙ୍କର ଲକ୍ଷ୍ୟ ମଣିଷରୂପୀ ବାଘ ଶିକାର । ଦେଢ଼ଶହ ବର୍ଷ ଧରି ଏ ଦେଶର ନିରୀହ ଲୋକଙ୍କର ରକ୍ତ ଶୋଷି ପୁଷ୍ଟ ହେଇଛି ଇଂରେଜ ସରକାର । ଇଂରେଜମାନେ ସତ୍ୟ, ଧର୍ମ, ଅହିଂସା, ଅସହଯୋଗ ବୁଝନ୍ତି ନାହିଁ । ବ୍ୟବସାୟ କରିବାକୁ ଆସି ବାହୁବଳରେ କୂଟବୁଦ୍ଧିରେ ଦେଶର ଶାସକ ହେଲେ । ଗୋଲାମ ହୋଇଗଲେ ଭାରତବାସୀ ।

 

ହଠାତ୍ ତାଙ୍କର ମନେପଡ଼ିଲା ଯେ ବିପ୍ଳବୀ ଦ୍ଵିବେଦୀ ମହାଶୟଙ୍କ ଚିଠିର ଉତ୍ତର ସେ ଏଯାଏଁ ପଠାଇନାହାନ୍ତି । ଆତ୍ମଗୋପନ କରି ବୁଲୁଚନ୍ତି ସେ । ଇଂରେଜ ସରକାର ବ୍ୟର୍ଥ ହୋଇଛି ତାଙ୍କୁ ଧରିବା ପାଇଁ । ଲୁଲୁଙ୍ଗଠାରୁ ଆଉ ଟିକେ ଉପରକୁ ଗଲେ ଯେଉଁ ଜାଗାଟା ଅଛି ସେଇଠାରେ ବିପ୍ଳବୀମାନଙ୍କର ଆତ୍ମଗୋପନ ପାଇଁ ବ୍ୟବସ୍ଥା କରାଯାଇପାରେ । ବାଲେଶ୍ଵରରୁ ନୀଳଗିରି ଓ ଉଦଳାବାଟେ ଆସିଲେ କାହାରି ଦୃଷ୍ଟିରେ ପଡ଼ିବା ଭୟ କମ୍ । ଏଇ ଜାଗା ସମ୍ବନ୍ଧରେ ଦ୍ଵିବେଦୀଙ୍କୁ ଜଣାଇଦେବେ ସେ । ରାଖାଲ ପରି ଭଲ ଓ ବିଶ୍ଵସ୍ତ ପିଲା ହାତରେ ରହିବ ସେମାନଙ୍କର ଦେଖାଶୁଣାର ଦାୟିତ୍ଵ । ମହାରାଜାଙ୍କ ଶାସନ ଚାଲେ ମୟୂରଭଞ୍ଜରେ । ଘୁଣାକ୍ଷରେ ବି କେହି ସନ୍ଦେହ କରିବେନି ଯେ ସେଇ ମହାରାଜାଙ୍କ ଅଳ୍ପ କେତେକ ପ୍ରଜା ସହଯୋଗ କରନ୍ତି ବିପ୍ଳବୀମାନଙ୍କ ସହିତ । ତା’ପରେ ମେଦିନୀପୁର ଓ ସିଂହଭୂମି ଜିଲ୍ଲାର ବିପ୍ଳବୀମାନଙ୍କ ପାଇଁ ଏ ଜାଗାଟା ଅତି ସୁବିଧାଜନକ । ସୀମା ଅତିକ୍ରମ କରି ଏଠାକୁ ପଳାଇଆସି ଆତ୍ମଗୋପନ କରିବା ଯେପରି ସହଜ, ଏଠାରୁ ଅଳ୍ପ ସମୟ ଭିତରେ ପୁଣି ଫେରିଯିବା ମଧ୍ୟ ସେହିପରି ସହଜ । ଚିହ୍ନା ବା ଧରାପଡ଼ିବାର ଭୟ ଆଦୌ ନାହିଁ କହିଲେ ଚଳେ । ଆଉଥରେ ସାନ୍ତାଳମାନଙ୍କର ବାହୁଛାୟା ତଳେ ଆଶ୍ରୟ ନେଲେ ଓ ସେମାନଙ୍କର ବିଶ୍ଵାସ ଅର୍ଜନ କଲେ ପୁଲିସର ସାଧ୍ୟ ନାହିଁ କିଛି କରିବ । ଦିନପାଇଁ ଅପେକ୍ଷା ନକରି ଟର୍ଚ୍ଚ ଜାଳି ଜଲ୍‍ଦି ଜଲ୍‍ଦି ସଙ୍କେତରେ ଚିଠି ଖଣ୍ଡେ ଲେଖିଲେ ମଧୁ ମାଷ୍ଟର । ସକାଳେ ଯଦୁକୁ ଦେଲେ ଶାମାଖୁଣ୍ଟା ଡାକଘରେ ପକାଇଦେଇ ଆସିବ ।

 

ତିନିଦିନ ପାଇଁ ଯାଇଥିଲେ, କିନ୍ତୁ ସାତଦିନ ରହିଗଲେ ମଧୁ ମାଷ୍ଟ୍ରେ । ଏଇ ସାତଦିନରେ ଶଙ୍କର ଓ ରାଖାଲ ଶିଖିଗଲେ ଗୁଳିଚାଳନା, ଆତ୍ମରକ୍ଷାର କୌଶଳ ଏବଂ ଲକ୍ଷ୍ୟଭେଦ କରିବାର ଏକାଗ୍ରତା । ଏହା ସହିତ ଦେଶର ଇତିହାସ, ସାମ୍ପ୍ରତିକ ଅବସ୍ଥା, ଯୁଦ୍ଧର ହାଲଚାଲ ପ୍ରଭୃତି ବିଷୟରେ ମଧ୍ୟ ସାଧାରଣଭାବେ ବୁଝେଇଦେଲେ ଦୁହିଁଙ୍କୁ । ରାଖାଲ ସିନା ନିରକ୍ଷର, କିନ୍ତୁ ମନଟି ଜିଜ୍ଞାସୁ ଛାତ୍ରର ମନ ପରି ତା’ର ଗ୍ରହଣଶୀଳତା ଦେଖି ଆଶ୍ଚର୍ଯ୍ୟ ହେଲେ ମଧୁମାଷ୍ଟ୍ରେ । ଆଧାର ଠିକ୍‍ ଥିଲେ ଶିକ୍ଷାଦେବା ସହଜ ହୁଏ ।

 

ମଧୁ ମାଷ୍ଟରଙ୍କର ଆଦ୍ୟ ଜୀବନ କଥା ମନେପଡ଼ିଯାଏ । ସତ୍ୟବାଦୀ ବନବିଦ୍ୟାଳୟରେ ସେ ଛାତ୍ର ଥାଆନ୍ତି ସେତେବେଳେ । ଦାସେଆପଣେଙ୍କ ବାହୁଚ୍ଛାୟା ତଳେ ବଢ଼ୁଥାଏ ବନବିଦ୍ୟାଳୟର ପ୍ରତିଷ୍ଠା । ଖାଲି ପାଠ ପଢ଼ିବା ଲାଗି ତ ସେଠାକୁ ଯାଉନଥିଲେ ପିଲାମାନେ, ଜୀବନ ଗଠନ କରିବାଲାଗି ପ୍ରଚୁର ଉପାଦାନ ଥିଲା ସେଠାରେ । ଦେଶ ଓ ଜାତିର ସେବା କରିବା ଓ ବହୁଙ୍କପାଇଁ ଜଣଙ୍କୁ ତ୍ୟାଗ କରିବାର ବ୍ରତ ଶିକ୍ଷା ଦିଆଯାଉଥିଲା ସେଠାରେ । ଦେଶକୁ ଓ ଜାତିକୁ ଭଲପାଇବାର ମନ୍ତ୍ର ନ ଜାଣିଲେ କ’ଣ ଆତ୍ମୋତ୍ସର୍ଗ କରିହୁଏ ? ସେଇଠାରେ ପଣ୍ଡିତ ହରିହର, ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶଙ୍କ ସାନ୍ନିଧ୍ୟଲାଭ କରିବାର ସୌଭାଗ୍ୟ ହୋଇଥିଲା ତାଙ୍କର । ସେହି ବନବିଦ୍ୟାଳୟରେ ସେ ଶିଖିଥିଲେ ନିର୍ଭୀକ ଓ ସତ୍ୟାଶ୍ରୟୀ ହେବାପାଇଁ । ସମାଜ କ’ଣ ଦେବ ତାହା ନ ପଚାରି, ସେ ସମାଜକୁ କ’ଣ ଦେଇପାରିବେ ସେଇ ସଂକଳ୍ପ ସଂପୁଟିତ ହୋଇଥିଲା ସତ୍ୟବାଦୀ ବନବିଦ୍ୟାଳୟର ଛୁରୀଅନା ବନରେ । ସେଇଠାରେ ଉତ୍କଳମଣି ଦାସେଆପଣେଙ୍କ ପାଦତଳେ ବସି ମୁକ୍ତିମନ୍ତ୍ର ଦୀକ୍ଷା ନେବାର ସୌଭାଗ୍ୟ ହୋଇଥିଲା ତାଙ୍କର ।

 

ଯିବା ଦିନ ରାଖାଲକୁ କହିଲେ ମଧୁ ମାଷ୍ଟ୍ରେ–ଶ୍ୟାମାଖୁଣ୍ଟାରେ ପାଠାଶାଳା ଅଛି । ସେଠାରେ ଶିକ୍ଷକଙ୍କୁ ମୁଁ କହିଦେଇଛି, ତୁ ଯିବୁ ପାଠ ପଢ଼ିବା ପାଇଁ । ପାଠପଢ଼ାରେ ବୟସ ବିଚାର ନାହିଁରେ ରାଖାଲ…ବୁଢ଼ା ହେବା ଯାଏଁ ପାଠ ପଢ଼ିବା, ଜ୍ଞାନ ଅର୍ଜନ କରିବାର ସମୟ । ଆଉ ତୋ ବାପାକୁ ବି କହିଯାଉଛି…

 

ରାଖାଲ ତାଙ୍କର ପାଦଧୂଳି ନେବାବେଳେ ତା’ ମଥା ଉପରେ ହାତ ବୁଲାଇଦେଇ କହିଲେ–ଏଇ ପାହାଡ଼ ପର୍ବତ, ବଣ, ଜଙ୍ଗଲ ସେପାଖରେ ଆହୁରି ଗୋଟେ ବଡ଼ ଜଗତ ଅଛି…ସେଠାରେ ତୋ’ ମୋ ପରି ଅଜସ୍ର ଲୋକ ଅଛନ୍ତି…ଆହୁରି ଅନେକ ସୀମା ଅଛି, ନଦୀନାଳ, ଗାଁ ସହର ଅଛି । ସେଇ ଆମର ଦେଶ । ସେଇ ଆମର ମା’ । ଦେଶ ସ୍ଵାଧିନ ହେଲେ ମା’ର ମର୍ଯ୍ୟାଦା ବଢ଼ିବ, ଆମେ ନିଜ କଥା ନିଜେ ବୁଝିବା, ନିଜେ ନିଜକୁ ଶାସନ କରିବା । ସେତେବେଳେ ଇଂରେଜମାନେ ନଥିବେ, ଲୋକମାନେ ହେବେ ଏ ଦେଶର ଭାଗ୍ୟବିଧାତା । ଯାହା କହିଛି ସବୁ ମନେରଖୁ ଯେପରି ।

 

ରାଖାଲର ସଜଳ ଆଖିକୁ ଚାହିଁଦେଇ କହିଲେ–ମୁଁ ଆସେ ବା ନଆସେ ଶଙ୍କର ଆସିବ-। ସେ ତୋଠାରୁ ବୟସରେ ସିନା ସାନ, କିନ୍ତୁ ପାଠରେ ବଡ଼ । ଆଉ ନୀଳଗିରିଆଡ଼ୁ ଯିଏ ଆସିବ ପରିଚୟର ସଂକେତ ନେଇ ତାଙ୍କୁ ଆଶ୍ରୟ ଦେବୁ ସେଇ ପାହାଡ଼ ଉପର ଢାଲୁଜାଗାରେ । କେହି ସୁରାକ ପାଇବେ ନାହିଁ । ଗୁଣ୍ଡୁଚିମୂଷା ବି ସେତୁବନ୍ଧ ବାନ୍ଧିବା ଲାଗି ସାହସ କରିଥିଲା...ତୁ ବି ପାରିବୁ-। ତୁ ଯେ ଶିବାଜୀର ଉତ୍ତରାଧିକାରୀ ।

 

ରାଖାଲାକୁ ଛାଡ଼ି ମଧୁ ମାଷ୍ଟ୍ରେ ଶଙ୍କର ସହିତ ଆଗେଇଲେ । ସେ ଆଗରେ, ଶଙ୍କର ପଛରେ । ସାଇକେଲଟା ପୁରୁଣା, କିନ୍ତୁ କୌଣସି ପ୍ରକାରେ କାମ ଚଳିଯାଏ । ଏଇ ସାତଦିନ ଧୋଇପୋଛି ଚକ୍‍ଚକ୍ କରିଦେଇଛି ରାଖାଲ ।

 

ଶାମାଖୁଣ୍ଟା ପହଞ୍ଚିବା ପୂର୍ବରୁ ମଧୁ ମାଷ୍ଟ୍ରେ କହିଲେ–ତୋତେ ଗୋଟେ କଥା କହିବାକୁ ସମୟ ପାଇନି ଶଙ୍କର । ମୋ ପିଛାରେ ପୁଲିସ ଲାଗିଛି । ମୁଁ ଯେ ବାରିପଦା ଆସି ଶିକ୍ଷକତା କରୁଛି ତାହାର ହୁଏତ ଟେର୍ ପାଇନି ମୋଗଲବନ୍ଦୀର ପୁଲିସ; କିନ୍ତୁ ମହାରାଜାଙ୍କ ଦରବାରକୁ ଗୁପ୍ତ ଖବର ଆସିଥିବ ନିଶ୍ଚୟ । ଆଉ ଯଦି ମୁଁ ଧରାପଡ଼େ ବା ମୋ ବିଷୟରେ ତତେ କେହି ପଚରାଉଚୁରା କରନ୍ତି ତୁ କହିବୁ ସେ ଶିକ୍ଷକ ମୁଁ ଛାତ୍ର, ଆଉ କିଛି ଜାଣେନି । ଆଉ ତୋତେ ଯୋଉ ଜିନିଷଟା ଦେଇଛି ଦରକାର ହେଲେ କାମରେ ଲଗାଇବୁ । ମନେଥାଏ ଯେପରି ଅହିଂସାରେ ଆମେ ବି ବିଶ୍ଵାସ କରୁ; କିନ୍ତୁ ବେଳେବେଳେ ଏପରି ସମୟ ଆସେ ଯେତେବେଳେ ଅସ୍ତ୍ର ଧରିବା ଦରକାର ହୁଏ । ନିରୀହ ଦେଶବାସୀ ଲାଞ୍ଛିତ, ଅପମାନିତ ହେଲେ ରକ୍ତଗରମ ହୋଇଯାଏରେ ଶଙ୍କର । ମହାଭାରତର କାହାଣୀ କହିଛି ତୋତେ, ଶ୍ରୀକୃଷ୍ଣ ଉପଦେଶ ଛଳରେ ଅର୍ଜୁନଙ୍କୁ କହିଥିଲେ ପରା– “ହତୋ ବା ପ୍ରାପ୍‍ସ୍ୟସି ସ୍ଵର୍ଗଂ ଜିତ୍ଵା ବା ଭୋକ୍ଷ୍ୟସେ ମହୀମ୍ । ତସ୍ମାଦ୍ ଉତ୍ତିଷ୍ଠ କୌନ୍ତେୟଃ ଯୁଦ୍ଧାୟ କୃତନିଶ୍ଚୟ !” –ଅର୍ଥାତ୍ ହେ କୁନ୍ତୀପୁତ୍ର ! ଯଦି ତୁମେ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କର, ତେବେ ସ୍ଵର୍ଗଲାଭ କରିବ; କିମ୍ବା ଯଦି ତୁମେ ବିଜୟ ହାସଲ କର ତେବେ ଭୌତିକ ସାମ୍ରାଜ୍ୟ ଲାଭ କରିବ । ତେଣୁ ଉଠ, ଯୁଦ୍ଧ କରିବା ନିମନ୍ତେ କୃତନିଶ୍ଚୟ ହୁଅ । ମହାଭାରତ ଯୁଦ୍ଧ ହୋଇଥିଲା ଅଧର୍ମ ବିରୁଦ୍ଧରେ, ଅନ୍ୟାୟ ବିରୁଦ୍ଧରେ । ଏଇ ଯୁଦ୍ଧ ବି ହେବ ଅଧର୍ମ, ଅନ୍ୟାୟ ବିରୁଦ୍ଧରେ । ଏହା ତୁ ମନେରଖ ।

 

ଶାମାଖୁଣ୍ଟା ପାରହେବା ପରେ ଶଙ୍କର କହିଲା–ଦୁଇଜଣ ଆମ ପଛେ ପଛେ ଆସୁଥିବା ପରି ଲାଗୁଛି ।

 

–ହୁଏତ ବାରିପଦା ଯାଉଥିବେ ।

 

–କିନ୍ତୁ ମୋର କାହିଁକି ସନ୍ଦେହ ହେଉଛି ସାର୍‍ ।

 

ହଠାତ୍ ଡାହାଣକୁ ସାଇକେଲ ବୁଲାଇଦେଇ ପୋଖରୀ ପାଖରେ ଠିଆ ହୋଇଗଲେ ମଧୁ ମାଷ୍ଟ୍ରେ । ସେ ଦୁଇଜଣ ପୋଖରୀ ପାର ହୋଇ ଚାଲିଗଲେ ସତ, କିନ୍ତୁ କିଛିଦୂର ଯାଇ ସେମାନେ ବି ଅଟକିଗଲେ ଗୋଟେ ଗଛମୂଳରେ । ସେଇଠାରେ ରାସ୍ତା ଢଳିଥିଲା ବାମଆଡ଼କୁ, କେତେପାଦ ଆଗକୁ ଗଲେ ଦିଶି ଯାଉଥିଲେ ଦୁଇଜଣ ସାଇକେଲ ଆରୋହୀ ।

 

–ତୁ ସାଇକେଲ ନେଇ ବାରିପଦା ଚାଲିଯା ଶଙ୍କର । ମୁଁ ଏଇ ବିଲ ବଣ ଭିତର ଦେଇ ଅକ୍ଳେଶରେ ଚମ୍ପଟ ଦେବି ।

 

–କୁଆଡ଼େ ଯିବେ ? ମୁଁ ଏକା ଯିବିନି ସାର୍… ଯଦି ଯିବା ଦୁହେଁ ସାଙ୍ଗହୋଇ ଗୋଟିଏ ବାଟରେ ଯିବା ।–କହିଲା ଶଙ୍କର ।

 

–ସମୀବୃକ୍ଷ ପାଖରେ ଗୋଟେ ଆଶ୍ରମ ଅଛି । ସେଠାରେ ମୋର ଜଣେ ବିଶ୍ଵାସୀ ବନ୍ଧୁ ଅଛନ୍ତି । ନିର୍ଭୟରେ ସେଠାରେ ରହିଯାଇପାରିବି, ଆଉ ମୁଁ କୋଉଠି ରହିଲି ତୁ ଯଥା ସମୟରେ ଜାଣିପାରିବୁ । ପୁଲିସ ତତେ ପଚାରିଲେ ତୁ କିନ୍ତୁ କହିବୁ ଯେ ମାମୁଁ ଶାମାଖୁଣ୍ଟା ଫାର୍ମକୁ ଆସିଥିଲେ…ଚାକିରି କରିବା ପାଇଁ । ସେ ଆଜି ଫେରିବେ ନାହିଁ–ମୁଁ ଫେରିଯାଉଛି । ଆଉ ସେଇ ଜିନିଷଟା ସାବଧାନରେ ରଖିବୁ, ସେମାନେ ଟେର ନ ପାଆନ୍ତି ଯେପରି ।

 

–କିନ୍ତୁ ମୁଁ ଆପଣଙ୍କ ସହିତ ଯିବାପାଇଁ ମନ ସ୍ଥିର କରିସାରିଛି ସାର୍ । ଆପଣ ଅନୁମତି ଦିଅନ୍ତୁ ।

 

ଆଉ ବାରଣ ନକରି କହିଲେ ମଧୁ ମାଷ୍ଟ୍ରେ–ସାଇକେଲଟା ଏଇ ଗଛ ଉପରେ ଡେରିଦେ । ସେମାନେ ଫେରି ଚାହିଁଲେ ସାଇକେଲ ଆଖିରେ ପଡ଼ିବ ଏବଂ ଭାବିନେବେ ଯେ ଆମେ ଅଛୁ ପାଖେ ପାଖେ । ଆଉ ସାଇକେଲ ଏଇଠି ଛାଡ଼ି ଆମେ ଚମ୍ପଟ ଦେବା ବଣେ ବଣେ । ସେମାନେ ହୁଏତ ଭାବୁଥିବେ ଆମେ ପୋଖରୀ ପାଣି ଯାଇଛୁ । କିଛି ସମୟ ପରେ ସେମାନଙ୍କ ଭୁଲ୍‍ ବୁଝିପାରିବେ ।

 

–ସାଇକେଲଟା ଛାଡ଼ି ଯିବା ଏଠାରେ ?

 

–ହଁ, ଅନ୍ୟ ଚାରା ନାହିଁ । ପୁରୁଣା ସାଇକେଲ… ମାଗି ଆଣିଥିଲି ଜଣେ ବନ୍ଧୁଠାରୁ ।

 

–ସେ କିଛି ମନେ କରିବେ ନାହିଁ । ଆଉ ପୁଲିସ ଯଦି ସାଇକେଲ ପାଇ ସୁରାକ ଖୋଜି ଶେଷରେ ବାହାର କରେ ସାଇକେଲର ମାଲିକକୁ ?

 

–ତୁ ବୁଦ୍ଧିମାନ୍‍ ମାନୁଛି ମୁଁ…କିନ୍ତୁ ଏ ସାଇକେଲଟା ନୂଆ ନୁହେଁ ପୁରୁଣା । ଏମିତି ଅନେକ ସାଇକେଲ ଅଛି ବାରିପଦାରେ । ତା’ପରେ ମୋଟରଗାଡ଼ି ପରି ସାଇକେଲ ରେଜିଷ୍ଟ୍ରେସନ୍ ନମ୍ବର ନଥାଏ । ସାଇକେଲ ଛାଡ଼ି ନଗଲେ ସେମାନଙ୍କୁ ଠକିବାର ଅନ୍ୟ ଉପାୟ ବି ଦେଖୁନି । ଆଉ ଯେଉଁ ବନ୍ଧୁଙ୍କ ସାଇକେଲ ଆଣିଛି ତାଙ୍କୁ ବୁଝାଇଦେବି । କେହି ତାଙ୍କୁ ପଚାରିଲେ ମଧ୍ୟ ସେ କହିବେ ନାହିଁ ଯେ ଏଇଟା ତାଙ୍କର ସାଇକେଲ ।

 

ସାଇକେଲ ଗଛ ଉପରେ ଡେରିଦେଇ ଦୁହେଁ ଭିନ୍ନ ଭିନ୍ନ ବାଟଦେଇ ପୋଖରୀର ଉତ୍ତର ପାଖରେ ଜଙ୍ଗଲ ଭିତରେ ପଶିଲେ, ତା’ପରେ ଗୋଟେ ବାଟରେ ଚାଲିଲେ ଉତ୍ତରଦିଗକୁ ।

 

–ଆଉ ଆମର ସୁରାକ୍ ପାଇବେନି ସେମାନେ । ଅଧଘଣ୍ଟାଏ ପରେ ଯେତେବେଳେ ଖୋଜି ଖୋଜି ପଛକୁ ଫେରିବେ ଦେଖିବେ ଯେ ସାଇକେଲ ଅଛି; କିନ୍ତୁ ଆରୋହୀ ନାହାନ୍ତି । ସାଇକେଲଟା ଯେଉଁ ଦିଗରେ ଅଛି ସେଇ ଦିଗକୁ ଆମେ ଯାଇଥିବା ବୋଲି ସେମାନଙ୍କ ମନରେ ସନ୍ଦେହ ହେବା ସ୍ଵାଭାବିକ । କିନ୍ତୁ ଆମେ ଆସିଲେ ଠିକ୍‍ ବିପରୀତ ଦିଗରେ । ସେମାନଙ୍କର ସବୁ ଶ୍ରମ ପଣ୍ଡ ହେବ । କିନ୍ତୁ ଗୋଟେ କଥା ନିଶ୍ଚିନ୍ତ ଯେ ମୋତେ ନେଇ ଖୋଳତାଡ଼ ଚାଲିଛି । ମୋତେ ଖୋଜି ବାହାରକରିବା ଲାଗି ହୁଏତ କଟକ ପୁଲିସ ମୋଗଲବନ୍ଦୀର ସବୁ ଜିଲ୍ଲା ଓ ଗଡ଼ଜାତ ପୁଲିସକୁ କହିସାରିଛି, ନହେଲେ ମୟୂରଭଞ୍ଜ ପୁଲିସ ମୋ ସନ୍ଧାନରେ ବୁଲନ୍ତେ କାହିଁକି ?

 

–ଆଉ କାହାର ସନ୍ଧାନ କରୁଥିବେ, ତା’ ଛଡ଼ା ସେମାନେ ଯେ ପୁଲିସ ଏଥିରେ ବି ନିଶ୍ଚୟତା ନାହିଁ ସାର୍ ।

 

–ନା, ମୁଁ ଏବେ ନିଶ୍ଚିତ ହୋଇଗଲିଣି । ସେମାନଙ୍କର ହାବଭାବରୁ ଏକଥା ସ୍ପଷ୍ଟ ହୋଇଯାଇଛି । ଗୁଇନ୍ଦା ପୁଲିସ ନିଶ୍ଚୟ । ଏଇଠୁ ସିଧା ବାଟ ନଧରି ଆମେ ଏଇ ବାମ ଆଡ଼କୁ ଯିବା । କିଛି ଦୂର ଯିବା ପରେ ପୁଣି ବାଟ ବଦଳ କରିବା । ହଠାତ୍‍ ଯଦି କାହାରି ସହିତ ଦେଖାହୋଇଯାଏ ତୁ କିଛି କହିବୁ ନାହିଁ–ପ୍ରଶ୍ନର ଉତ୍ତର ମୁଁ ଦେବି । ତା’ପରେ ଆଉ କିଛି ବାଟ ଯିବାପରେ ବେଶ ବଦଳେଇ ଦେବି ମୁଁ ।

 

ଦୁହେଁ କିଛି ବାଟ ଯିବା ପରେ ବାମକୁ ଏକ ଅପନ୍ତରା ବାଟରେ ଆଗେଇଲେ ସେମାନେ । ଏପରି ଜଙ୍ଗଲି ବାଟରେ ଚାଲିବାର ଅଭ୍ୟାସ ନଥିଲା ଶଙ୍କରର । ପାଦତଳେ କଣ୍ଟା ଫୁଟି କଷ୍ଟହେଲେ ବି ସେ କିଛି ନକହି ସେହିପରି ଚାଲିବାକୁ ଲାଗିଲା । ମନେ ପଡ଼ିଗଲା ମହାବୀର କର୍ଣ୍ଣଙ୍କ କଥା । ଗୁରୁଦେବ ତାଙ୍କ କୋଳରେ ମଥା ରଖି ସୁଖରେ ନିଦେଇ ପଡ଼ିଥିଲେ । କାଳେ ସେ ହଲଚଲ ହେଲେ ସୁଖନିଦ୍ରାରେ ବିଘ୍ନ ଉପୁଜିପାରେ ଏହି ଆଶଙ୍କାରେ ଏକ କୀଟ ତାଙ୍କ ଜଙ୍ଘକୁ କାମୁଡ଼ି ରକ୍ତାକ୍ତ କରିଦେବା ପରେ ମଧ୍ୟ ସେ ନିଶ୍ଚଳଭାବରେ ବସି ରହିଥିଲେ । ସେ କର୍ଣ୍ଣ ନୁହେଁ, ଆରୁଣୀ ବା ଏକଲବ୍ୟ ବି ନୁହେଁ, ତଥାପି ଗୁରୁଦେବଙ୍କ ନିରାପତ୍ତାଠାରୁ ଯେ ଆଉ କିଛି ବଡ଼ ବିଷୟ ଥାଇପାରେ ତାହା ଭାବିପାରିଲା ନାହିଁ ଶଙ୍କର ।

 

ତା’ପରେ ପୁଣି ଡାହାଣକୁ ଚାଲିଲେ ସେମାନେ । ସେଠାରେ ରାସ୍ତା ନଥିଲା । ବିପଦସଙ୍କୁଳ ଘନ ଅରଣ୍ୟ ଦେଇ ଅତି ସତର୍କତାର ସହିତ ଅଗ୍ରସର ହେଲେ ଶିକ୍ଷକ ଓ ଛାତ୍ର । ସେଇ ଗହନବନ ଭିତରେ ମଧୁ ମାଷ୍ଟ୍ରେ ବେଶ ବଦଳକରି ବାବାଜୀ ବେଶ ଧରିଲେ । ତାଙ୍କୁ ଚାହିଁଦେଇ ଶଙ୍କର ମଧ୍ୟ ଅବାକ୍ ହୋଇଗଲା ।

 

–ମତେ ହଠାତ୍ ଏହିପରି ବେଶରେ ଦେଖିଥିଲେ ଚିହ୍ନିପାରିଥାନ୍ତୁ ଶଙ୍କର ? ସ୍ନେହାଦ୍ର କଣ୍ଠରେ କହିଲେ ମଧୁ ମାଷ୍ଟ୍ରେ । ମଥା ହଲାଇଲା ଶଙ୍କର ।

 

ସେମାନେ ଆଗପଛ ହୋଇ ଚାଲୁଥିଲେ, କିନ୍ତୁ ହଠାତ୍ ପଛେଇଯାଇ ଶଙ୍କରର ହାତ ଚାପି ଚୁପ୍ ରହିବା ଲାଗି ଇଶାରା ଦେଲେ ମାଷ୍ଟ୍ରେ । ଆଗରେ ଗୋଟେ ଗଛ ଡାଳରୁ ଝୁଲୁଥିଲା ବିରାଟ ନାଗସାପ । ଭୟରେ ସର୍ବାଙ୍ଗ ଶିର୍‍ଶିର୍‍ କରିଉଠିଲା ଶଙ୍କରର । ଫିସ୍‍ଫିସ୍‍ କରି ମଧୁ ମାଷ୍ଟ୍ରେ କହିଲେ–ସେ ତା’ ବାଟରେ ଯାଉ, ଆମେ ଆମ ବାଟରେ ଯିବା ।

 

ବାଟ ଭାଙ୍ଗି ପୁଣି ଅଗ୍ରସର ହେଲେ ଦୁହେଁ । କିନ୍ତୁ ହଠାତ୍ ଆଉ ଆଗକୁ ଯିବାର ବାଟ ନପାଇ ଛିଡ଼ା ହୋଇଗଲେ ମଧୁ ମାଷ୍ଟ୍ରେ ।

 

–ବାଟ ଭୁଲି ଅନେକ ଦୂର ଆଗେଇ ଆସିଲେରେ ଶଙ୍କର !

 

–କ’ଣ କରିବା ସାର୍ ?

 

–ଚିନ୍ତା ନାହିଁ, କିଛି ନା କିଛି ଉପାୟ ବାହାରିଯିବ ନିଶ୍ଚୟ । ଭୟ କରୁଛୁ ?

 

–ଆପଣ ସାଙ୍ଗରେ ଅଛନ୍ତି ଭୟ କ’ଣ ?

 

ତା’ କାନ୍ଧ ଉପରେ ହାତ ରଖିଲେ ମଧୁ ମାଷ୍ଟ୍ରେ ।

 

କ’ଣ ଗୋଟେ ଶବ୍ଦ ହେଲା ନିକଟରେ । ମଧୁ ମାଷ୍ଟ୍ରେ ପିସ୍ତଲଟା କାଢ଼ି ହାତରେ ଧରିଲେ-। କିନ୍ତୁ ଅଳ୍ପ କେଇ ମୁହୂର୍ତ୍ତ ପରେ ତାଙ୍କ ସଂଶୟ ଦୂରକରି ଜଣେ ଆଦିବାସୀ ଗଛ ଉପରୁ କହିଲା–କୁଆଡ଼େ ଯାଉଛୁ ବାବାଜୀ ? ଆଉ ଯା’ ନା ଆଗକୁ ବାଘ ହାବୁଡ଼ରେ ପଡ଼ିବୁ, ବରଂ ଗଛ ଉପରକୁ ଉଠିଆ ।

 

ସେହି ଗହନ ବନରେ ଆଉ ଜଣେ ମଣିଷ ସହିତ ଏପରି ଅପ୍ରତ୍ୟାଶିତଭାବେ ଭେଟହେବାରୁ ଟିକେ ଆଶ୍ଵସ୍ତ ହେଲା ଶଙ୍କର । ମଧୁ ମାଷ୍ଟ୍ରେ ଆଉ ବାକ୍ୟବିନିମୟ ନକରି କହିଲେ– “ଗଛ ଚଢ଼ିଜାଣୁ ଶଙ୍କର ? “ଶଙ୍କର ମଥା ହଲାଇଲା । ତା’ପରେ ତାକୁ ସେଇ ଗଛ ଉପରକୁ ଚଢ଼ିବା ପାଇଁ ସୂଚନା ଦେଲେ ମଧୁ ମାଷ୍ଟ୍ରେ । ଶଙ୍କର ଚାହୁଁ ଚାହୁଁ ଗଛ ଉପରକୁ ଚଢ଼ିଗଲା । ଗୋଟେ ବଡ଼ ଶାଖା ମୂଳରେ ତାକୁ ବସିବାକୁ ଇଶାରା କରି ଦାନ୍ତ ଦେଖେଇ ହସିଲା ଆଦିବାସୀ ।

 

ମଧୁ ମାଷ୍ଟ୍ରେ ଆଉ ଗୋଟେ ଗଛ ଉପରକୁ ଉଠିଗଲେ ।

 

–ସେଇ ଜିନିଷଟା ଅଛି ତ ଠିକ୍‍ ଜାଗାରେ ? ଦରକାର ହେଲେ ବ୍ୟବହାର କରିବୁ ଶଙ୍କର । –କହିଲେ ମଧୁ ମାଷ୍ଟ୍ରେ ।

 

ଦରକାର ହେଲା ନାହିଁ । କିଛି ସମୟ ପରେ କହିଲା ଆଦିବାସୀ–ଚାଲ ଏଥର ଫେରିବା । କଲରାପତରିଆ ଚାଲିଗଲା, ଆଉ ଭୟ ନାହିଁ ।

 

–ପାଖରେ ଗାଁ ଅଛି ?

 

ପୂର୍ବ ଆଡ଼କୁ ହାତ ଦେଖେଇ କହିଲା ଆଦିବାସୀଟି–ଏଇ ଆଗରେ ।

 

ପ୍ରାୟ ଦୁଇକୋଶ ବାଟ ଅତିକ୍ରମ କରିବା ପରେ ସେମାନେ ଆସି ପହଞ୍ଚିଲେ ଗୋଟେ ଛୋଟ ଆଦିବାସୀ ଗାଁରେ । ଆଠ ଦଶଟି ଘର । ଦୁଇ ଚାରିଟା ପିଲା ଖେଳୁଥିଲେ ଘର ଆଗରେ । ଗୋଟେ କଟାଗଛର ଗଣ୍ଡି ଉପରେ ସେମାନଙ୍କୁ ବସିବାକୁ କହିଲା ଆଦିବାସୀ ।

 

ଏତେବେଳେକେ କହିଲେ ମଧୁ ମାଷ୍ଟ୍ରେ–ତୋ ନାଁ କ’ଣରେ ?

 

–ଧନୁ ।

 

–ପିଇବା ପାଇଁ ପାଣି ମିଳିବ ଧନୁ ?

 

ଧନୁ ଦୌଡ଼ିଗଲା ଘର ଭିତରକୁ । ଟିକେ ପରେ ଗୋଟେ ଲାଉତୁମ୍ବାରେ ପାଣିନେଇ ପହଞ୍ଚିଲା ସେମାନଙ୍କ ପାଖରେ । ମଧୁ ମାଷ୍ଟ୍ରେ କହିଲେ– “ହାତ ଆଞ୍ଜୁଳାରେ ପାଣି ପିଇନେ ଶଙ୍କର...।’’ ଶଙ୍କର ପାଣି ପିଇ ସାଷ୍ଟାଙ୍ଗ କଲା ନିଜକୁ । ସତରେ ଭାରି ଶୋଷ କରୁଥିଲା ତାକୁ ।

 

ତା’ପରେ ମଧୁମାଷ୍ଟ୍ରେ ସବୁତକ ପାଣି ପିଇ ଢେକୁରା ମାରି କହିଲେ–ଏ ପାଣି କୋଉଠୁ ଆଣିଲୁରେ ଧନୁ । ପାଣି ବେଶ୍ ନିର୍ମଳ ଆଉ ମିଠା ।

 

–ଚୁଆରୁ । ଚୁଆ ଆଡ଼କୁ ହାତ ଦେଖେଇ କହିଲା ଧନୁ ।

 

ସେଦିନ ସେଇ ଆଦିବାସୀମାନଙ୍କ ସହିତ ରହିଗଲେ ମଧୁମାଷ୍ଟ୍ରେ ଆଉ ଶଙ୍କର । ଗାଁଟାର ନାମ ସାହସପୁର । ପାଦଚଲା ରାସ୍ତାରେ ସେଠାରୁ କୋଡ଼ିଏକୋଶ ଉଦଳା । ନୟନପୁର ପାଞ୍ଚକୋଶ ଦୂରରେ । ଅପେକ୍ଷାକୃତ ଟିକେ ବଡ଼ ଗାଁ । ତିରିଶ ଚାଳିଶଘର ବାସିନ୍ଦା । ଡାକଘର ଅଛି-। ଦୁଇଦିନରେ ଥରେ ଡାକ ଯାଏ ଉଦଳା । ବେମାର ପଡ଼ିଲେ ଉଦଳା ଯିବାଛଡ଼ା ଗତି ନାହିଁ-। ନୟନପୁରରେ ଗୋଟେ ଛୋଟ ଦୋକାନ ଅଛି । ଚାଉଳ, ମୁଗ, ବିରି, କୋଳଥ, କଚଡ଼ା କି ମହୁଲ ବଦଳରେ ଦୋକାନରୁ ତେଲ, ଲୁଣ, ଧୁଆଁପତ୍ର, ଦିଆସିଲି, କିରୋସିନି, ଗୁଡ଼ ନିଅନ୍ତି ପାଞ୍ଚ ସାତଟା ଗାଁର ଲୋକେ । ସେଇ ଦୋକାନୀ ହାଟବାରି ପାଇଁ ଉଦଳାରୁ ମାଲ୍ ଆଣେ ବିକିବା ପାଇଁ-। ସେଇଦିନ ଧାନ, ଚାଉଳ, ମୁଗ, ବିରି, କୋଳଥ, କଚଡ଼ା ଯାହା ପାଇଥାଏ ସେତକ ବିକ୍ରିକରି ଦରକାରୀ ଜିନିଷ କିଣିଆଣେ ।

 

ଧନୁର ଘରଟା ଛୋଟହେଲେ କ’ଣ ହେଲା ଭିତରଟା ବେଶ୍‍ ପରିଷ୍କାର ପରିଚ୍ଛନ୍ନ । ଆସବାବପତ୍ର ନାହିଁ କହିଲେ ଚଳେ । ଗୋଟେ ବାଉଁଶ ପେଡ଼ି, ଦୁଇଟା ହେଁସ, ଧନୁଶର, କୁରାଢ଼ି, କଟୁରି, ଲାଉତୁମ୍ବା, କଳସୀ ଓ କେତୋଟି ମାଟିହାଣ୍ଡି ଘରର ସମ୍ପତ୍ତି । ସେସବୁ ଜିନିଷ ଗୋଟେ କଡ଼କୁ ଆଡ଼େଇଦେଇ ଦୁଇ ଅତିଥିଙ୍କ ରହିବାଲାଗି ଜାଗା କରିଦେଲା ଧନୁ । ସନ୍ଧ୍ୟାବେଳେ ମୋଟା ଲାଲ ବଗଡ଼ା ଚାଉଳର ଭାତ, ଲୁଣଲଙ୍କା ସାଙ୍ଗକୁ ଅଷାଢ଼ୁଆ ପୋଡ଼ି ସେଥିରେ ଲୁଣଲଙ୍କା ପକେଇ ଚଟଣି ତିଆରି କରି ଖାଇବାକୁ ଦେଲା ଦୁଇ ଅତିଥିଙ୍କୁ । ଗୋଟେ କୁକୁଡ଼ା ମାରିବା ପାଇଁ ଜିଦ୍ କରୁଥିଲା ଧନୁ, କିନ୍ତୁ ମାଷ୍ଟର ମନା କଲେ । ଅଷାଢ଼ୁଆ ପୋଡ଼ାର ସୁଆଦ ସେଇ ପ୍ରଥମ ଜାଣିଲେ ସେ ଦୁହେଁ ।

 

ତା’ ପରଦିନ ସୂର୍ଯ୍ୟ ଉଠିବା ପରେ ଶଙ୍କର ସହିତ ସେଇ ଆଦିବାସୀ ଗାଁରୁ ବିଦାୟ ନେବାବେଳେ ମାଷ୍ଟ୍ରେ ଧନୁ ହାତକୁ ଗୋଟିଏ ଟଙ୍କା ବଢ଼ାଇଦେଇ କହିଲେ–ତୋ’ ଭାରିଜାପାଇଁ ହାଟରୁ କସ୍ତାଟିଏ ଆଣିବୁ…। ଧନୁ ମାଷ୍ଟରଙ୍କ ଗୋଡ଼ ଧରି ପକାଇ କହିଲା–ମହାପୁରୁ ମୁଇଁ ସିନା ଗରିବ, ପଇସା ମୋର କି ହେବ…ତୁ ରଖିଥା… ଆଉ କେବେ ଆସିଲେ ଉଦଳା ବଜାରରୁ ମିଠେଇ ଆଣିଦବୁ ।

 

–ତୋ ଭାରିଜା ଓ ତୁ ଏତେ ଅସୁବିଧା ଭୋଗିଲ ଆମ ପାଇଁ । –କହିଲେ ମାଷ୍ଟ୍ରେ ।

 

–ନା, ନା ମହାପୁରୁ, ଏ କେମିତି କଥା କହୁଛ । ତୁ ଆଠଦିନ ରହିଯା । ତତେ ବାଘର ଘର ଦେଖେଇବି । ଅଜଗର ଦେଖେଇବି ।

 

ଆଉ ଦିନେ ଆସିବାପାଇଁ କଥାଦେଇ ଧନୁର ଭାର୍ଯ୍ୟା ଫୁଲି ହାତରେ ଟଙ୍କାଟା ଗୁଞ୍ଜିଦେଇ ଉଦଳା ବାଟ ଧରିଲେ ମାଷ୍ଟ୍ରେ । ଶଙ୍କର କହିଲା–ସାର୍, ଏମାନେ କେଡ଼େ ସରଳ ।

 

–ଦେଖିଲୁରେ ଶଙ୍କର ସେମାନଙ୍କର ଜୀବନ, ପ୍ରତିଦିନର ପ୍ରୟୋଜନ । ଲୁଣ ଲଙ୍କା ହେଲେ ଭାତ କି ପଖାଳ ଉଠିଯାଏ ଅକ୍ଳେଶରେ । ଅଗାଢ଼ୁଆ କି କନ୍ଦମୂଳ ସିଝା ହେଲେ ପରବଦିନର ଭୋଜିଭାତ । ଏମାନେ ଦୁଇଓଳି ପେଟପୂରାଇ ଖାଆନ୍ତିନି ବୋଲି ଆମ ରାଜ୍ୟରେ ଚାଉଳ ବଳକା ହୁଏ । ଏମାନେ ତିନିହାତ ଲୁଗା ପିନ୍ଧି ଚଳିଯାଆନ୍ତି ସେଥିପାଇଁ ଏତେ ଲୁଗା ମିଳେ ବଜାରରେ କିଣିବାପାଇଁ । ସହରର ଜୀବନ, ସହରୀ ମଣିଷଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ଜନ୍ମ ଏମାନଙ୍କର । ନିଜ ସୁଖ ଜାଣନ୍ତି ନାହିଁ । ବଣର ପଶୁପକ୍ଷୀ, ଗଛବୃଛ ସହିତ ସମ୍ପର୍କ ସେମାନଙ୍କର । ରୋଗ ହେଲେ ଏମାନଙ୍କର ଚିକିତ୍ସା ହୁଏ ନାହିଁ, ଭୋକ କଲେ ପାଣି ପିଇ ପେଟ ଶାନ୍ତ କରନ୍ତି । ଏମାନଙ୍କ ପାଇଁ କିଏ ଚିନ୍ତା କରେ । ବରଂ ଏମାନଙ୍କ ରକତ ଶୋଷି ବଡ଼ ହୁଅନ୍ତି ସାହୁ ମହାଜନ, ଅମଲା, ହାକିମ । ବରଷକେ ଥରେ ମକର ପର୍ବ ଆଗରୁ ସମସ୍ତେ ମିଶି ଗାଁର ଭେଟି ଦେଇଆସନ୍ତି ଦାରୋଗା ବାବୁକୁ । କିନ୍ତୁ ନ୍ୟାୟ ନିଶାପ ପାଇଁ ଏମାନେ କେବେ କୋର୍ଟ କଚେରୀକୁ, ଥାନା ବା ତହସିଲ ଅଫିସକୁ ଯାଆନ୍ତି ନାହିଁ । କେହି ବିଶ୍ଵାସଘାତକତା କି ଅନ୍ୟାୟ କଲେ ତାକୁ ଶାସ୍ତି ନଦେଇ ଛାଡ଼ିଦିଏନା ଆଦିବାସୀ ।

 

ଧନୁ କହିଥିବା କଥା ମନେପଡ଼ିଲା ଶଙ୍କରର । ଗାଁକୁ ପଧାନ ଆସିଥିଲା ଖଜଣା ନବାପାଇଁ । ଫୁଲି ସେତେବେଳେ ନୂଆହୋଇ ଆସିଥାଏ ତା’ଘରକୁ ବୋହୂହୋଇ । ତା’ ଡଉଲ–ଡାଉଲ ରୂପ ଦେଖି ପଧାନ କ’ଣ ବେଆଡ଼ା କଥା କହିଦେଲା ବୋଲି ତା’ ସ୍ତ୍ରୀର ଇଜ୍ଜତ ବଞ୍ଚାଇବାପାଇଁ ଗୋଟେ ମାଡ଼ରେ ପଧାନର ହାତ ଭାଙ୍ଗିଦେଇଥିଲା ଧନୁ । ପ୍ରାଣ ବିକଳରେ ସେ ପଳେଇନଥିଲେ ଜୀବନରେ ହୁଏତ ମାରି ପକାଇଥାନ୍ତା । ଏଇ ଦୋଷ ପାଇଁ ଦାରୋଗା ବାବୁ ତାକୁ ଥାନା ହାଜତରେ ତିନିଦିନ ବନ୍ଦ କରି ରଖିଥିଲେ, ତା’ଉପରେ ଅନେକ ଅତ୍ୟାଚାର କରିଥିଲେ; କିନ୍ତୁ ସେ ସେଇ ଗୋଟିଏ କଥା ସଦାବେଳେ କହୁଥିଲା ଯେ ସେ ଦୋଷୀକୁ ଦଣ୍ଡ ଦେଲା, ଏଥିରେ ତା’ର ଦୋଷ କୋଉଠି ରହିଲା ସେ ବୁଝିପାରୁନି । ଧନୁର ଉଦ୍ଦଣ୍ଡପଣିଆ ଦେଖି ତାକୁ ହାଜତରୁ ଛାଡ଼ିଦେବା ବେଳେ ଦାରୋଗା ବାବୁ କହିଥିଲେ– ‘‘ଖାସି ଗୋଟେ ମକର ଆଗରୁ ଆଣିଦେବୁ, ନହେଲେ ପୁଣି ଧରିଆଣିବି । ମହାରାଜାଙ୍କ ଶାସନ ଚାଲିଛି, ତୋ ଶାସନ ଚାଲୁନି–ଏକଥା ମନେ ଥାଏ ଯେପରି ।’’ ଧନୁ ଅନ୍ୟ ଉପାୟ ନଦେଖି କାଠ ବିକ୍ରିକରି ତିନିଟଙ୍କା ମୂଲ୍ୟର ଖାସିଟିଏ କିଣି ବାଉଣ୍ଟି ଆଗଦିନ ଦେଇଆସିଥିଲା ଦାରୋଗା ବାବୁଙ୍କୁ ।

 

ଶଙ୍କର ଆଗରେ ଖୋଲା ଆକାଶର ଆଲୁଅ ପରି ମୁକ୍ତ–ଜୀବନର ଉଲ୍ଲାସ ଉଛୁଳିପଡ଼ିଲା ଏବଂ ସେଇ ଆଲୁଅ ଗାରରେ ଲେଖି ହୋଇଗଲା ନବଜୀବନର ବାର୍ତ୍ତା, ସ୍ଵାଧୀନ ହେବାର ମୁକ୍ତିମନ୍ତ୍ର । ସ୍ଵାଧୀନ ହେବ ଭାରତବର୍ଷ, ଇଂରେଜମାନଙ୍କ ସ୍ଥାନରେ, ରାଜା ମହାରାଜାଙ୍କ ବଦଳରେ ଏ ଦେଶର ଲୋକମାନେ ନିଜେ ନିଜକୁ ଶାସନ କରିବେ, ନିଜକୁ ନିଜେ ନିୟନ୍ତ୍ରଣ କରିବେ । ନିଜେ ଯିଏ ନିଜର ଅଧିନ ସେ ସ୍ଵାଧୀନ । ଆଉ କେହି ତା’ର ପ୍ରଭୁ ନୁହେଁ, ସେ ନିଜେ ନିଜର ପ୍ରଭୁ । ତା’ ନିଜ ଆୟତ୍ତରେ, ନିଜ ଇଚ୍ଛାନୁସାରେ ଶାସନ ଚାଲିଲେ ତାହାହୁଏ ସ୍ଵାୟତ୍ତ ଶାସନ । ମହାରାଜା କି ଦେୱାନ୍ ସାହେବ ନୁହନ୍ତି, ପ୍ରଜାମାନେ ହିଁ ହେବେ ନିଜନିଜ ଦଣ୍ଡମୁଣ୍ଡର ପ୍ରଭୁ । ଗାନ୍ଧିଜୀଙ୍କ ଭାଷାରେ ଅତି ସାଧାରଣ ପ୍ରଜା ମଧ୍ୟ ସେତେବେଳେ ଅନୁଭବ କରିବ ଯେ ସେ ଅବହେଳିତ, ଲାଞ୍ଛିତ ନୁହେଁ, ସେ ବି ଏ ଦେଶର ସର୍ବେସର୍ବା । ଏ ଦେଶର ପ୍ରଭୁ ଇଂରେଜମାନେ ନୁହଁନ୍ତି, ଚାଳିଶକୋଟି ଭାରତବାସୀ ।

 

ଉଦଳାରୁ ବାରିପଦା ଫେରିଆସିଲା ଶଙ୍କର । ମଧୁମାଷ୍ଟ୍ରେ ଦ୍ଵିବେଦୀଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମ ଓ ନଗରରେ ବିପ୍ଳବର ବାର୍ତ୍ତା ପ୍ରଚାର କରିବା ପାଇଁ ମିଶିଗଲେ ଜନସମୁଦ୍ରରେ । ବାବାଜୀ ବେଶ ଛାଡ଼ି ମଧୁମାଷ୍ଟ୍ରେ ହୋମିଓପାଥି ବାକ୍‍ସ ଧରି ଗାଁ ଗାଁ ବୁଲି ଲୋକଙ୍କୁ ରୋଗମୁକ୍ତ, ନିରାମୟ କରିବା ଔଷଧ ବିତରଣ କରି ବୁଲିଲେ ଏବଂ ସମୟ ସୁଯୋଗ ଦେଖି ସ୍ଵାଧୀନତାର ମନ୍ତ୍ର ଦେବାକୁ ଲାଗିଲେ ।

 

ଶଙ୍କର ବାରିପଦାରେ ପହଞ୍ଚି ଜାଣିଲା ଯେ, ମଧୁ ମାଷ୍ଟରଙ୍କୁ ମୃତ ବା ଜୀବିତ ଅବସ୍ଥାରେ କେହି ଧରିଆଣିଲେ ହଜାରେ ଟଙ୍କା ପୁରସ୍କାର ପାଇବ । ସେ ବି ତାଙ୍କ ସହିତ ଥିଲା, କିନ୍ତୁ ତା’ନାମ କେହି କାହିଁକି ଉଚ୍ଚାରଣ ବି କରୁନାହାନ୍ତି ସେଥିପାଇଁ ଉଦାସ ହୋଇଗଲା ଶଙ୍କରର ମନ । ଆସନ୍ତାକାଲିର ରେଳଗାଡ଼ି ଧରିବାକୁ ଅପେକ୍ଷା ନକରି ସେ ପାଦ ବଢ଼ାଇଲା ଗାଁ ଆଡ଼କୁ । ଆଉ ହଠାତ୍ ତା’ର ମନହେଲା ଯେପରି ବ୍ୟାକୁଳ ଚିତ୍ତରେ ମା’ ତା’ ଫେରିବା ପଥକୁ ଅନାଇ ବସିଛନ୍ତି । ସେଇ ମାତୃମୂର୍ତ୍ତି ଭାସି ଉଠିଲା ଆକାଶରେ, ମାଟି ଉପରେ, ଗଛବୃଛ ଉପରେ, ନଦୀନାଳ ଓ ପାହାଡ଼ ପର୍ବତ ଉପରେ । ଦୁଃଖୀନି ମାଆର ବେଡ଼ି ଲଗା ହାତ ଦେଖି ପୁନର୍ବାର ଉତ୍କଳମଣିଙ୍କ ସେଇ ଶ୍ଳୋକ ଉଚ୍ଚାରଣ କଲା ଶଙ୍କର–“ସ୍ଵାଧୀନତା ପଥେ ଅଛି ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼...ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।’’ ତା’ପରେ ଉଚ୍ଚ ସ୍ଵରରେ କହିଉଠିଲା–ବନ୍ଦେ ମାତରମ୍…ବନ୍ଦେ ମାତରମ୍…ମାତରମ୍…ମାତରମ୍ ।

 

[ ୮ ]

 

ଯୁଦ୍ଧ କ୍ରମଶଃ ବ୍ୟାପିବାରେ ଲାଗିଛି । ଗୋଟିକ ପରେ ଗୋଟିଏ ସାର୍ବଭୌମ ଦେଶର ପତନ ଘଟିବାରେ ଲାଗିଛି । ହିଟଲର୍‍ର ନାଜୀ ସୈନ୍ୟବାହିନୀର ପ୍ରଚଣ୍ଡ ଆକ୍ରମଣ ଆଗରେ ମଥା ନୁଆଁଇ ତ୍ରାହି ତ୍ରାହି ଡାକ ଦେଉଛନ୍ତି ୟୁରୋପୀୟ ଦେଶମାନେ । ତଥାପି ହିଟଲର୍‍ର ତୃଷ୍ଣା ମେଣ୍ଟୁନାହିଁ । ଇଂରେଜ ଜାତି ଅପରାଜେୟ ବୋଲି ଚର୍ଚ୍ଚିଲ୍‍ଙ୍କ ଦମ୍ଭୋକ୍ତିର ଠିକଣା ଜବାବ ଦେବାକୁ ଯାଇ ଲଣ୍ଡନ ଉପରେ ଯେଉଁଦିନ ବୋମାମାଡ଼ ହେଲା, ସେ ଦିନଟି ଚିରଦିନ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତେଣେ ମିତ୍ରପକ୍ଷକୁ ବିରୋଧ କରି ଜାପାନ ପ୍ରବଳ ପରାକ୍ରମରେ ମାଡ଼ିଆସୁଛି । ସେହିପରି ଗୋଟିକ ପରେ ଗୋଟିଏ ଦୁର୍ଗର ପତନ ଘଟୁଛି । ପ୍ରତି ରଣକ୍ଷେତ୍ରରେ ଆଗୁଆ ଜାପାନୀ ସେନାବାହିନୀ । ବର୍ମା ସେମାନଙ୍କର ଅଧିକାରରେ । ନେତାଜୀ ସୁବାଷଚନ୍ଦ୍ର ବୋଷ ଜାପାନରେ ରହି ଭାରତୀୟ ଜାତୀୟବାହିନୀ ଗଠନ କରି ତାକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛନ୍ତି-। ତାଙ୍କର ଓଜସ୍ଵିନୀ ଆହ୍ଵାନରେ ଅନୁପ୍ରାଣିତ ହୋଇ ବର୍ମା ପ୍ରଭୃତି ବିଦେଶରେ ଲଢ଼ୁଥିବା ହଜାର ହଜାର ଭାରତୀୟ ସୈନିକ ଇଂରେଜ ଛାଉଣୀ ଛାଡ଼ି ନେତାଜୀଙ୍କ ଭାରତୀୟ ସେନାବାହିନୀରେ ଯୋଗଦେଇଛନ୍ତି । ଦେଶପାଇଁ ସର୍ବସ୍ଵ ତ୍ୟାଗ ଓ ଆତ୍ମବଳି ଦେବାପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି ନେତାଜୀ । ଭାରତର ସ୍ଵାଧୀନତାପାଇଁ ତାଙ୍କ ସହିତ ଚୁକ୍ତିବଦ୍ଧ ଜାପାନ । ଇଂରେଜମାନେ ପରାସ୍ତ ହେଲେ ଭାରତ ସ୍ଵାଧୀନ ହେବ । ଭାରତ ଅଧିକାର କରି ସାମ୍ରାଜ୍ୟବାଦକୁ ସୁଦୃଢ଼ କରିବାର ଅଭିପ୍ରାୟ ଜାପାନର ନାହିଁ । ରେଡ଼ିଓରୁ ଶୁଣାଯାଏ ନେତାଜୀଙ୍କ ଆହ୍ଵାନ ଭାରତବାସୀଙ୍କ ଉଦ୍ଦେଶ୍ୟରେ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’ ।

 

ଯେପରି ହେଉ ଇଂରେଜ ସାମ୍ରାଜ୍ୟକୁ ରକ୍ଷାକରିବା ଚର୍ଚ୍ଚିଲ୍‍ର ଲକ୍ଷ୍ୟ । ସୂର୍ଯ୍ୟାସ୍ତ ହେଉନଥିବା ଇଂରେଜ ସାମ୍ରାଜ୍ୟର ପତନ ଯେ ଅବଶ୍ୟମ୍ଭାବୀ, ଏହା ଜଳଜଳ ଦିଶିଗଲାଣି । ଇଂରେଜ ଓ ମିତ୍ରଶକ୍ତି ବିରୁଦ୍ଧରେ ଜର୍ମାନ ଓ ଜାପାନ ଅକ୍ଷଶକ୍ତି ସପକ୍ଷରେ ଭାରତ ଯୋଗ ଦବ ନାହିଁ ବୋଲି ଗାନ୍ଧିଜୀ କହିସାରିଲେଣି । ଇଂରେଜମାନେ ଗଣତନ୍ତ୍ରର ସମର୍ଥକ, ଜର୍ମାନୀ ଓ ଜାପାନ ଫାଶୀବାଦର ପ୍ରବର୍ତ୍ତକ । ଫାଶୀବାଦ ମାନବିକ ଅଧିକାରକୁ ଆଦୌ ସ୍ଵୀକାର କରେନା । ଜର୍ମାନମାନେ କେବଳ ଆର୍ଯ୍ୟ ଆଉ ସମସ୍ତେ ଅନାର୍ଯ୍ୟ ଏହି ତତ୍ତ୍ଵ ବାରମ୍ବାର ଘୋଷଣା କରୁଛି ହିଟଲର୍‍ । ସ୍ଵସ୍ତିକ ଚିହ୍ନ ଥିବା ନାଜୀ ଜର୍ମାନୀର ରାଷ୍ଟ୍ରୀୟ ପତାକା ଫରଫର ଉଡ଼ୁଛି ୟୁରୋପର ଅଧିକାଂଶ ଦେଶରେ । ତଥାପି ଆଶା ଅଛି । ଆଶା ଅଛି ବୋଲି ତ ମଣିଷ ଲଢ଼ୁଛି ଶତ ଶତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ । ଗୋଟିକ ପରେ ଗୋଟିଏ ରଣାଙ୍ଗାନରେ ମିତ୍ରପକ୍ଷ ହାରିଯାଇ ବି ଯୁଦ୍ଧରେ ବିଜୟୀ ହେବାର ଆଶା ପୋଷଣ କରନ୍ତି । ମିତ୍ରଶକ୍ତି ଅକ୍ଷଶକ୍ତି ପରି ଅନିଷ୍ଟକର ନୁହେଁ ବୋଲି ପୃଥିବୀର ଶାନ୍ତି ଓ ସ୍ଵାଧୀନତା କାମନା କରି ଜନସାଧାରଣ ମିତ୍ରଶକ୍ତିର ବିଜୟ ପାଇଁ ପ୍ରାର୍ଥନା କରନ୍ତି ମନ୍ଦିର, ମସ୍‍ଜିଦ୍ ଓ ଗୀର୍ଜାରେ ।

 

ସମସ୍ତେ ଜାଣନ୍ତୁ ବା ନ ଜାଣନ୍ତୁ ହିଟଲର୍‍ ହୁଏତ ଜାଣୁଥିବ ତା’ର ଦୁର୍ବଳତମ ମୁହୂର୍ତ୍ତରେ ଯେ ବିଶ୍ଵଯୁଦ୍ଧରେ ବିଜୟୀ ହୋଇ ମଧ୍ୟ ନାଜୀବାଦର ପ୍ରତିଷ୍ଠା ସହଜ ହେବନି ପୃଥିବୀରେ । ସେହିପରି ଚର୍ଚ୍ଚିଲ୍‍ ମଧ୍ୟ ଜାଣେ ଯେ ମିତ୍ରଶକ୍ତିର ଜୟ ବା ପରାଜୟ ଯାହା ହେଉନା କାହିଁକି ଏଇ ବିଶ୍ଵଯୁଦ୍ଧରେ ବଳିପଡ଼ୁଥିବା ଅଗଣିତ ଲୋକଙ୍କର ଦୀର୍ଘଶ୍ଵାସ ସାମ୍ରାଜ୍ୟବାଦର ବିଲୟକୁ ସହଜ ଓ ଦ୍ରୁତତର କରିବ । ଯୁଦ୍ଧ ସମାପ୍ତ ଦିନେ ନା ଦିନେ ହେବ ଅବଶ୍ୟ, କିନ୍ତୁ ସେତେବେଳର ପୃଥିବୀ ଯୁଦ୍ଧ ଆରମ୍ଭର ପୃଥିବୀଠାରୁ ଯେ ଭିନ୍ନ ହେବ ତାହା ଦିବାଲୋକ ପରି ସ୍ପଷ୍ଟ ହୋଇଗଲାଣି । ମୁକ୍ତିର ବାଣୀ ଆଉ ଅସ୍ପଷ୍ଟ ନୁହେଁ । ମୁକ୍ତିମନ୍ତ୍ର ପ୍ରଣବସିଦ୍ଧ ହୋଇସାରିଛି । ସପ୍ତ ମହାଦେଶର ସବୁଦିଗରୁ ଭାସିଆସୁଛି ମାନବବାଦର ନୂତନ ଝଙ୍କାର, ସାଧାରଣ ମଣିଷ ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଛି ସ୍ଵାଧୀନତାର ।

 

ଭାରତୀୟମାନଙ୍କୁ ଆଚ୍ଛନ୍ନ କରି ରଖିଛି ସେଇ ସ୍ଵପ୍ନ । ସମସ୍ତେ ଚାହାଁନ୍ତି ମୁକ୍ତି…ପରାଧୀନତାରୁ ନିଃସର୍ତ୍ତ ମୁକ୍ତି…ଅଖଣ୍ଡ ମୁକ୍ତି । ଏଇ ଦ୍ଵିତୀୟ ବିଶ୍ଵଯୁଦ୍ଧରୁ ଜନ୍ମହେବ ନୂତନ ସୃଷ୍ଟି, ନୂତନ ସ୍ଵାଧୀନତା । ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ କବର ଉପରେ ଗଢ଼ିଉଠିବ ବିଶ୍ଵଭ୍ରାତୃତ୍ଵ, ସମନ୍ଵୟ ଓ ଶାନ୍ତିର ସୌଧ । ଯୋଗୀ ଶ୍ରୀଅରବିନ୍ଦଙ୍କ ଭାଷାରେ ତାହା ହିଁ ନିଶ୍ଚିନ୍ତ ଓ ଅବଧାରିତ । ଏଇ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୃଥିବୀର ମାନଚିତ୍ର ଯେ ଅନେକ ବଦଳିଯିବ ଏଇ ଧାରଣା ପ୍ରସାରିତ ହେଉଛି । ଏହା ମଧ୍ୟ ଲୋକମାନେ ବିଶ୍ଵାସ କରିବାକୁ ଆରମ୍ଭ କଲେଣି ଯେ ସବୁ ବାଦ–ବିସମ୍ବାଦ ଉପରେ ଶେଷରେ ମାନବବାଦର ବିଜୟ ସୁନିଶ୍ଚିନ୍ତ ।

 

ଭାରତ ଯେ ଇଂରେଜ ସାମ୍ରାଜ୍ୟର ଅଙ୍ଗ ହୋଇ ଆଉ ରହିବ ନାହିଁ ଏ ଭବିଷ୍ୟତବାଣୀ ହୋଇସାରିଲାଣି । ଏବେ ପ୍ରତ୍ୟେକଙ୍କ ମୁହେଁ ମୁହେଁ ଝଂକୃତ ହେଉଛି ଲୋକମାନ୍ୟ ତିଳକଙ୍କ ଭାଷା– ‘ସ୍ଵାଧୀନତା ମୋର ଜନ୍ମଗତ ଅଧିକାର, ମୁଁ ତାହା ନିଶ୍ଚୟ ହାସଲ କରିବି’ । ଗାନ୍ଧିଜୀ ଇଂରେଜମାନଙ୍କୁ ଶେଷ ଆହ୍ଵାନ ଦେଇସାରିଲେଣି ଭାରତ ଛାଡ଼ିବା ପାଇଁ ।

 

ରବିବାର ଦିନ ହାଟ ବସେ କୁଳିଅଣାରେ । ଦୂରଦୂରାନ୍ତରୁ ଲୋକ ଆସନ୍ତି କିଣାବିକା କରିବା ପାଇଁ । ହାଟପାଖ ଆମ୍ବବଗିଚାରେ ସଭା ହେବ ବୋଲି ଡେଙ୍ଗୁରା ଦିଆଯାଇଥିଲା ପୂର୍ବରୁ । ଦୁଇଜଣ ଅଫିସର ଆସିଛନ୍ତି ବାରିପଦାରୁ । ସୈନ୍ୟବାହିନୀରେ ଲୋକ ଭର୍ତ୍ତି କରିବା ସେମାନଙ୍କ ଉଦ୍ଦେଶ୍ୟ । ଖବର ପାଇ ଗାଁ–ଗହଳରୁ ଶହ ଶହ ଯୁବକ ଆସିଛନ୍ତି ହାଟକୁ । ଚାଷ ଓ ଦିନମଜୁରୀଦ୍ଵାରା ଚଳନ୍ତି ଉପରିଭାଗର ଲୋକେ । ଲକ୍ଷେ ଲୋକଙ୍କ ମଧ୍ୟରେ ଶହେଜଣ ସରକାରୀ ଚାକିରି କରିନଥିବେ । ସେଥିପାଇଁ ସରକାରୀ ଚାକିରି ପାଇବା ଆଶାରେ ଗାଁ ଗଣ୍ଡାରୁ ଧାଇଁଆସିଛନ୍ତି ଚାକିରି ପ୍ରାର୍ଥୀ ଯୁବକମାନେ ।

 

ଗୋଟେ ଜିପ୍ ଆସି ଛିଡ଼ାହେଲା । ଦୁଇଜଣ ସାହେବ ଓହ୍ଲେଇପଡ଼ିବାକ୍ଷଣି ପୁଲିସ ପାଛୋଟିନେଲେ ସେମାନଙ୍କୁ । ଚୌକିଦାରମାନେ ଲୋକମାନଙ୍କୁ ଦୂରତ୍ଵ ରକ୍ଷାକରି ଶୃଙ୍ଖଳିତଭାବେ ଛିଡ଼ାକରିବାରେ ଲାଗିପଡ଼ିଲେ ।

 

ସଭାର ଉଦ୍ଦେଶ୍ୟ ବର୍ଣ୍ଣନା କରି ଜଣେ ସାହେବ କହିଲେ–ସରକାରଙ୍କ ହାତମୁଠା ଟାଣ କରିବା ଆମ ସମସ୍ତଙ୍କ କାମ । ବ୍ରିଟିଶ୍‍ ସରକାର ଭାରତର ସୁରକ୍ଷାପାଇଁ ଲଢ଼ୁଛନ୍ତି ଜର୍ମାନ ଆଉ ଜାପାନ ବିରୁଦ୍ଧରେ । ଅକ୍ଷଶକ୍ତିର ପରାଜୟ ନଘଟିଲେ ବିଶ୍ଵ ଧ୍ଵଂସ ହୋଇଯିବ । ସ୍ଵାଧୀନତା, ଗଣତନ୍ତ୍ର ଓ ମାନବିକ ଅଧିକାର ସ୍ଥାନରେ ଏକଛତ୍ରବାଦ, ଫାଶୀବାଦ ଓ ସ୍ଵୈରାଚାରୀ ଶାସନ ପ୍ରତିଷ୍ଠିତ ହେବ । ସେଥିପାଇଁ ମହାମାନ୍ୟ ସମ୍ରାଟଙ୍କ ସେନାବାହିନୀରେ ସମର୍ଥ ଯୁବକମାନେ ଯୋଗ ଦେବା ଦରକାର । ଯୁଦ୍ଧରେ ଇଂରେଜ ବିଜୟୀ ହେବା ନିଶ୍ଚିନ୍ତ । ଭାରତ ଲାଭବାନ୍‍ ହେବ ସେଥିରେ । ବ୍ରିଟିଶ୍‍ ସାମ୍ରାଜ୍ୟ ସହିତ ଆମର ଭାଗ୍ୟ ଯୋଡ଼ି ହୋଇଯାଇଛି ।

 

ଏଇ ସମୟରେ ଉପସ୍ଥିତ ଜନତା ମଧ୍ୟରୁ ଜଣେ କେହି ଉଚ୍ଚ ସ୍ଵରରେ କହିଲା–ଯୁଦ୍ଧ ପରେ ନୁହେଁ, ଯୁଦ୍ଧ ଶେଷହେବା ପୂର୍ବରୁ ଭାରତର ସ୍ୱାଧୀନତା ଘୋଷଣା କରାଯାଉ । ପରାଧୀନ ପଛଗୋଡ଼ାଣିଆ ଭାରତ ଯୁଦ୍ଧ ଆୟୋଜନରେ ସାମିଲ ହେବ ନାହିଁ, କିନ୍ତୁ ସ୍ଵାଧୀନ ଭାରତର ଯୁଦ୍ଧରେ ମିତ୍ରଶକ୍ତି ସହିତ ସହଯୋଗ କରିବାକୁ ପ୍ରସ୍ତୁତ । ଆଗେ ମହାମାନ୍ୟ ସମ୍ରାଟ୍ ଭାରତର ସ୍ଵାଧୀନତା ଘୋଷଣା କରନ୍ତୁ । ଭାରତୀୟମାନଙ୍କ ମନରେ ସ୍ଵାଧୀନ ହେବାର ସମ୍ମାନ ଜାଗ୍ରତ ହେଉ-

 

କେତେଜଣ ଧ୍ଵନିଦେଲେ–ଆମେ ଚାହୁଁ ସ୍ଵାଧୀନତା, ଆମେ ଚାହୁଁ ମୁକ୍ତି । ବନ୍ଦେ ମାତରମ୍…

 

ଲୋକମାନଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହେଲା । ଏପରି ବିଘ୍ନ ଉପସ୍ଥିତ ହେବ ବୋଲି ପୁଲିସ ଆଦୌ ଭାବିନଥିଲେ । ତଥାପି ଜନତାଙ୍କୁ ଶାନ୍ତ ଓ ଶୃଙ୍ଖଳିତ କରିବା ପାଇଁ ପୁଲିସ ସାହେବ ଘୋଷଣା କଲେ–ଶାନ୍ତ ହୁଅ, ଶାନ୍ତ ହୁଅ, ବାଚାଳମାନଙ୍କୁ ଏହିକ୍ଷଣି ଗିରଫ କରାଯିବ । ସରକାର ବିରୋଧୀମାନେ ଦେଶର ଶତ୍ରୁ । ସେମାନେ ଦେଶଦ୍ରୋହୀ । ପୁଣି ଧ୍ଵନି ଉଠିଲା ସେଇ ଦିଗରୁ–ବ୍ରିଟିଶ୍‍ ସରକାର ଦେଶ ଛାଡ଼ । ଭାରତର ସ୍ଵାଧୀନତା ଘୋଷଣା କର । ବନ୍ଦେ ମାତରମ୍…

 

ଆଗକୁ ମାଡ଼ି ଆସୁଥିବା କେତେଜଣ ଲୋକଙ୍କୁ ଲକ୍ଷ୍ୟକରି ଗୁଳିକଲା ପୁଲିସ । ଢଳି ପଡ଼ିଲେ ଦୁଇଜଣ, ଛତ୍ରଭଙ୍ଗ ଦେଇ ଲୋକେ ଏଣେତେଣେ ପଳାଇଯିବାକୁ ଲାଗିଲେ । ପୁଲିସ ଓ ଚୌକିଦାର ସାହେବମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଚାରିପାଖରେ ସୁରକ୍ଷା ବଳୟ ସୃଷ୍ଟି କଲେ । ଲୋକମାନଙ୍କ ଆଡ଼କୁ ବନ୍ଧୁକର ସଙ୍ଗୀନ ଦେଖାଇ ଛିଡ଼ାହୋଇ ରହିଲେ ପରବର୍ତ୍ତୀ ଆଦେଶ ଶୁଣିବାପାଇଁ ।

 

ସେତେବେଳକୁ ଆହତ ଓ ମୁର୍ମୂଷୁପ୍ରାୟ ଦୁଇଜଣ ଆଦିବାସୀ ଯୁବକଙ୍କୁ ଉଦ୍ଧାର କରିବାପାଇଁ ଚାରିପାଞ୍ଚଜଣ ଯୁବକ ବନ୍ଦେ ମାତରମ୍ ଧ୍ଵନି ଦେଇ ଆଗେଇ ଆସୁଥିବା ଦେଖି ପୁଲିସ ସାହେବଙ୍କ ଆଦେଶ ପାଇ ଲାଠିଚାର୍ଜ କଲେ ପୋଲିସବାହିନୀ । ଆଉ ଯେତିକି ଲୋକ ଥିଲେ ଛିନ୍‍ଛତ୍ର ହୋଇ ପଳାଉଥିବାବେଳେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ପୁଲିସ । ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୁଣ୍ଡ ଫାଟିଲା, ଗୋଡ଼ ଭାଙ୍ଗିଲା, ଆଉ କେତେକ ଲାଠିମାଡ଼ ଖାଇ ଅଚେତ ହୋଇ ପଡ଼ିରହିଲେ ।

 

ଉପସ୍ଥିତ ଜନତା ଅଦୃଶ୍ୟ ହୋଇଯିବା ଦେଖି ଅନ୍ୟ ସାହେବ କହିଲେ–ସବୁ ଉଦ୍ୟମ ପଣ୍ଡ ହେଲା । ଲଫଙ୍ଗା ଦେଶଦ୍ରୋହୀ ଟୋକା ପାଞ୍ଚଟା ସବୁ ନଷ୍ଟ କରିଦେଲେ ।

 

ବଡ଼ ସାହେବ କହିଲେ–ବନ୍ଦେ ମାତରମ୍ ନୁହେଁ, ଏମାନେ ବନ୍ଦୀ ହେବାକୁ ଚାହାନ୍ତି । ଏମାନଙ୍କ ଭାଗ୍ୟରେ ଦୁଃଖ ଛଡ଼ା ଆଉ କିଛି ନାହିଁ । ମହାମାନ୍ୟ ବ୍ରିଟିଶ୍ ସରକାରଙ୍କ ମହତ୍ ଉଦ୍ୟମ ଏମାନଙ୍କ ହିତ ପାଇଁ, ଅଥଚ ଏମାନେ ମୂର୍ଖ, ଅଜ୍ଞ…କିଛି ବୁଝିବାକୁ ଅକ୍ଷମ ।

 

ବିଶ୍ଵନାଥ ଆଗେଇ ଆସି ପରିଚୟ ଦେଇ କହିଲେ–ସାହେବ, ଏମାନେ ଆହତ, ବଞ୍ଚିବେ କି ନାହିଁ ଈଶ୍ଵର ଜାଣନ୍ତି । ଏମାନଙ୍କୁ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରାଯାଉ ।

 

–ସେ କଥା କହିବାକୁ ତୁ କିଏ ? ଆଉ କିଛି କହିଲେ ତୁ ବି ଗିରଫ ହେବୁ । ପୁଲିସ ସାହେବ କହିଲେ ଉଦ୍ଧତ ସ୍ଵରରେ ।

 

–ମୋତେ ଗିରଫ କଲେ ସମସ୍ୟାର ସମାଧାନ ହେବ ନାହିଁ ସାହେବ । ମୋ ମୁହଁ ବନ୍ଦ କରି ସମସ୍ତଙ୍କ ମୁହଁ ବନ୍ଦ କରିପାରିବେ ନାହିଁ ।

 

ସାହେବ ଦୌଡ଼ିଯାଇ ଏକ ଚାପଡ଼ା ମାରିଲେ ବିଶ୍ଵନାଥଙ୍କୁ । ସେ ପଡ଼ିଯିବାବେଳେ ତାଙ୍କୁ ଧରିପକେଇ କହିଲା କୃପାସିନ୍ଧୁ–ଅସୁରବଳ ସହିତ ଆମେ କ’ଣ ପାରିବା ସଙ୍ଗାତ । ଚାଲ, ଚାଲ ।

 

ସାହେବ ଚିତ୍‍କାର କଲା–ଭାଗୋ… ଭାଗୋ… ବ୍ଲଡ଼ି ସୁଅରକା ବଚ୍ଚା…

 

ମୁହଁ ଟେକି ଚାହିଁଲେ ବିଶ୍ଵନାଥ । ଅଗ୍ନି ବର୍ଷୁଥିଲା ତାଙ୍କ ଦୃଷ୍ଟିରୁ; କିନ୍ତୁ ଏଇ ପଥଭ୍ରଷ୍ଟ ନିର୍ବୋଧମାନଙ୍କୁ ଆଉ କିଛି କହିବା ନିରର୍ଥକ ମନେକରି କୃପାସିନ୍ଧୁ ସହିତ ବିଶ୍ଵନାଥ ଚାଲିଗଲେ କିଛି ଦୂରକୁ । କୃପାସିନ୍ଧୁର ବହୁ ଅନୁରୋଧ ଉପ୍ରୋଧସତ୍ତ୍ଵେ ସେଇ ଆହତମାନଙ୍କୁ ଛାଡ଼ି ସେ ଚାଲିଯିବା ପାଇଁ ରାଜିହେଲେ ନାହିଁ । କିଛି ସମୟ ପରେ ପୁଲିସ ଗାଡ଼ି ଭିତରେ ଗୁଳିବିଦ୍ଧ ସେଇ ଦୁଇଜଣଙ୍କ ସହିତ ଲାଠିମାଡ଼ରେ ଆହତ ହୋଇଥିବା ଆଉ ସାତଜଣଙ୍କୁ ବାରିପଦା ବଡ଼ ଡାକ୍ତରଖାନାକୁ ପଠାଇଦିଆଗଲା । ତା’ପରେ ବିଶ୍ଵନାଥ କହିଲେ–ଚାଲ ବାରିପଦା ଯିବା । ଶରତବାବୁଙ୍କୁ ଖବର ଦେବାକୁ ହେବ, ତା ଛଡ଼ା ଏମାନଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ନଜର ରଖିବାକୁ ପଡ଼ିବ । ଏ ଅଫିସରମାନେ କେତେ ନୃଶଂସ ହୋଇପାରନ୍ତି ଦେଖୁଛ ତ ।

 

କୃପାସିନ୍ଧୁ କହିଲା–କିନ୍ତୁ ତମେ କ’ଣ କିଛି ଖବର ପାଇଥିଲ ସଙ୍ଗାତ ?

 

–ନା, ମୁଁ ଜାଣିନଥିଲି, ଏ ସଂଗ୍ରାମୀମାନେ କିଏ କେଉଁଠୁ ଆସିଲେ ତାହା ବି ଜାଣେନି । କିନ୍ତୁ ନିଶ୍ଚୟ କଂଗ୍ରେସର ଲୋକେ ହୋଇଥିବେ । ନଚେତ୍‍ ଦେଶ ପାଇଁ ପ୍ରାଣବଳି ଦେବା ପାଇଁ ଆଗେଇ ଆସି ନଥାନ୍ତେ ।

 

କିଛି ସମୟ ପରେ ଜଣାଗଲା ଯେ ଗୁଳିମାଡ଼ରେ ସାଙ୍ଘାତିକ ଭାବେ ଆହତ ଦୁଇଜଣଙ୍କ ମଧ୍ୟରୁ ପ୍ରଥମ ଜଣକର ନାମ ନାରାୟଣ ଦାସ, ଘର ବାଲେଶ୍ଵରରେ । କଂଗ୍ରେସକର୍ମୀ । ଦ୍ଵିତୀୟଜଣକ ତା’ର ବନ୍ଧୁ ସର୍ବେଶ୍ଵର ମହାପାତ୍ର, ଘର ବାରିପଦା ନିକଟବର୍ତ୍ତୀ ଭଞ୍ଜକିଆରେ, ପ୍ରଜାମଣ୍ଡଳର ଜଣେ ସକ୍ରିୟ କର୍ମୀ । ଆହତମାନଙ୍କ ମଧ୍ୟରେ ଯେଉଁମାନେ ଥିଲେ ସେମାନଙ୍କ ଘର ଉପରଭାଗ ପ୍ରଗଣାର ବିଭିନ୍ନ ସ୍ଥାନରେ–ନାଦୁ ସିଂ, ମୋହନ ହେମ୍ବରମ, ରଘୁ ନାୟକ, ସାଧୁ ସେଠୀ, ହବିବ୍ ଖାଁ, ସୁର ପାଇକରାୟ । ସମସ୍ତଙ୍କର ବୟସ କୋଡ଼ିଏରୁ ବାଇଶ ତେଇଶ ମଧ୍ୟରେ ।

 

ଏଇ ନିରୀହ ଲୋକମାନଙ୍କ ଉପରେ ଯେଉଁ ଆକ୍ରମଣ ହେଲା ତାହା ବର୍ବରୋଚିତ ଓ କାପୁରୁଷର କାର୍ଯ୍ୟ । ସେମାନେ କେବଳ ପ୍ରତିବାଦ କରିବା ପାଇଁ ଆସିଥିଲେ । ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ସେମାନେ ସେମାନଙ୍କ ବକ୍ତବ୍ୟ ଦେବାବେଳେ ଆକ୍ରମଣ ହେଲା ସେମାନଙ୍କ ଉପରେ । କୌଣସି ସଭ୍ୟ ଦେଶର ଆଇନ ଶୃଙ୍ଖଳା ଦାୟିତ୍ଵରେ ଥିବା ଅଫିସର ଏପରି ଗର୍ହିତ କାର୍ଯ୍ୟ କରିବାର ଦୃଷ୍ଟାନ୍ତ ବିରଳ ।

 

ସେମାନଙ୍କର ଚିକିତ୍ସାରେ ଅବହେଳା କରାଯିବାର ଆଶଙ୍କା ଥିବାରୁ ବିଶ୍ଵନାଥ କିଛି ଅର୍ଥ ସଂଗ୍ରହ କରି କୃପାସିନ୍ଧୁ ସହିତ ଡାକ୍ତରଖାନା ଗଲେ, କିନ୍ତୁ ଆହତ ଓ ମୁର୍ମୂଷୁମାନଙ୍କୁ ଦେଖିବାକୁ ଅନୁମତି ପାଇଲେ ନାହିଁ । ଜଣେ ନର୍ସଙ୍କୁ ମିନତି କରିବାରୁ ସେମାନଙ୍କୁ ସେ ଏକାନ୍ତକୁ ଡାକିନେଇ କହିଲେ–ନାରାୟଣ ଦାସ ଆଉ ସର୍ବେଶ୍ଵର ମହାପାତ୍ରର ଅବସ୍ଥା ସାଂଘାତିକ । ଅସ୍ତ୍ରୋପଚାର ଦ୍ଵାରା ଗୁଳି ଦେହରୁ ବାହାର କରାଯାଇଛି ସତ, କିନ୍ତୁ ପ୍ରଚୁର ରକ୍ତ କ୍ଷରଣ ଯୋଗୁଁ ବଞ୍ଚିବାର ସମ୍ଭାବନା କ୍ଷୀଣ । କେବଳ ଭଗବାନ ଭରଷା । ଆଉ ଆହତମାନଙ୍କର ଅବସ୍ଥା ଗୁରୁତର ହେଲେ ମଧ୍ୟ ସାଂଘାତିକ ନୁହେଁ, ବର୍ତ୍ତିଯିବାର ସମ୍ଭାବନା ରହିଛି । ସେମାନଙ୍କର ଯତ୍ନ ନେବା ପାଇଁ ନର୍ସ କୁନ୍ତଳାଦେବୀଙ୍କୁ କିଛି ଦେବାପାଇଁ ଚାହିଁଥିଲେ ବିଶ୍ଵନାଥ, ସେ କିନ୍ତୁ କହିଲେ–ସେମାନେ ଦେଶ ପାଇଁ ଲଢ଼ି ଏ ଅବସ୍ଥାରେ ପଡ଼ିଛନ୍ତି । ଆପଣମାନେ ଦେଶ କାମରେ ବ୍ରତୀ । ଆପଣମାନଙ୍କଠାରୁ ଟଙ୍କା ନେବି ?

 

ବିଶ୍ଵନାଥଙ୍କ ଆଖି ଆଗରେ ସାଧାରଣ ମଣିଷର ଗୋଟିଏ ମହନୀୟ ଛବି ଭାସି ଉଠିଲା-। ସେଇ ନର୍ସଠାରେ ଦେଶସେବାର ଆଉ ଏକ ନୂତନ ରୂପ ଦେଖିଲେ ସେ । ରାଜନୈତିକ ଦଳରେ ଯୋଗ ନଦେଇ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବା ଦ୍ଵାରା ମଧ୍ୟ ଦେଶର ସେବା କରାଯାଏ । ଏହି ଦୃଷ୍ଟିରୁ ଖରା, ବର୍ଷା, ଶୀତ, କାକର ସହ୍ୟକରି ଶସ୍ୟ ଉପୁଜାଇବା ପାଇଁ ନିଷ୍ଠାର ସହିତ କାମକରୁଥିବା ଚାଷୀ, କଳକାରଖାନାରେ କାମ କରୁଥିବା କାରିଗର ବା ରାଜଦରବାରରେ କାମ କରୁଥିବା କିରାଣୀ ମଧ୍ୟ ଦେଶର ସେବକ ।

 

ଖବର ପାଇ ଆହତମାନଙ୍କର ବନ୍ଧୁ ଓ ସ୍ଵଜନ ଆସି ପହଞ୍ଚିଗଲେ । ସେମାନଙ୍କର ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ପରେ କୃପାସିନ୍ଧୁ ସହିତ ଚାଲିଚାଲି ଘରକୁ ଫେରିଲେ ବିଶ୍ଵନାଥ । ବାଟରେ ଯେଉଁ ବିଚିତ୍ର ଅଭିଜ୍ଞତା ହେଲା ତାହା ଅପାସୋର ରହିଯିବ ବଞ୍ଚିଥିବା ଯାଏ ।

 

କୁଳିଅଣା ପାରହେବାବେଳକୁ ରାତି ଚାରି ପାଞ୍ଚଘଡ଼ି ହୋଇଥିବ । ଅମାବାସ୍ୟାର ଅନ୍ଧାର ରାତି । ଦୁଇ ପାଖରେ ବଣ । ରାସ୍ତା ଦେଖାଯାଉନଥିଲେ ମଧ୍ୟ ସେମାନେ ସେଇ ବାଟରେ ଅନେକଥର ଯା ଆସ କରିଥିବାରୁ ଚାଲିଆସୁଥିଲେ ସ୍ଵାଭାବିକ ଭାବରେ । କୃପାସିନ୍ଧୁ ପରିସ୍ରା କରିବା ପାଇଁ ବସିଲା ପୋଲ ପାଖରେ । ବିଶ୍ଵନାଥ ଗତି ମନ୍ଥର କଲେ ବି ଠିଆ ନ ହୋଇ ଚାଲିବାକୁ ଲାଗିଲେ । ହଠାତ୍ କେହି ଜଣେ ତାଙ୍କ ଆଗେ ଆଗେ ଚାଲୁଥିବା ପରି ଲାଗିଲା ତାଙ୍କୁ । କେହି ବାଟୋଇ ଯାଉଥିବ ଭାବି ସେ କହିଲେ–କିଏ ? କିନ୍ତୁ ସେ କୌଣସି ଉତ୍ତର ନ ଦେବାରୁ ହୁଏତ ଶୁଣିପାରିନଥିବ ଭାବି ସେ ଆଉ ଥରେ ପଚାରିଲେ–କିଏ ଯାଉଚ ? ତଥାପି ନିରୁତ୍ତର ଦେଖି ମନରେ ଦକ ପଶିଲା । ବିଶ୍ଵନାଥ ଥମକି ଛିଡ଼ା ହୋଇଗଲେ । ସେ ମଧ୍ୟ ଛିଡ଼ାହେବା ପରି ଲାଗିଲା ତାଙ୍କୁ । କୃପାସିନ୍ଧୁ ପଛରେ ପଡ଼ିଥିଲା, ଟିକେ ପରେ ପହଞ୍ଚିଗଲା । ପୁଣି ଦୁହେଁ ଚାଲିବାକୁ ଲାଗିଲେ-। ବିଶ୍ଵନାଥ ମନର ଭ୍ରମ ବୋଲି କଥାଟା ଉଡ଼ାଇ ନଦେଇ କହିଲେ–ଏଇ ମୋ ଆଗେ ଆଗେ ଆଉ ଜଣେ କିଏ ଯାଉଥିବା ପରି ଲାଗିଲା, କିନ୍ତୁ ଦୁଇଥର ପଚାରିଲେ ବି ସେ କୌଣସି ଜବାବ ଦେଲାନି, କାହିଁ ସେ ତ ଆଉ ଆଗେ ଆଗେ ଯିବା ପରି ଜଣାପଡ଼ୁନି ।

 

ହଠାତ୍ ଭୁଷ୍‍କିନା ଗୋଟେ ଶବ୍ଦ ହେଲା ଏବଂ କେହି ଯେପରି ରାସ୍ତା ଉପରୁ ଗଛ ଆଡ଼କୁ ଡିଆଁମାରିଲା ସେହିପରି ଲାଗିଲା । କୃପାସିନ୍ଧୁ ପଶୁମାନଙ୍କର ହାବଭାବ ଜାଣେ । ସେ ବିଶ୍ଵନାଥଙ୍କୁ ସତର୍କ କରିଦେଇ କହିଲା–ଚିତାଟାଏ ହୋଇଥିବ । ତମ ପଛେ ପଛେ ବୋଧହୁଏ ଆସୁଥିଲା, ଆଉ ଜଣେ ଥିଲା ବୋଲି କହୁଥିଲ ନା ସଙ୍ଗାତେ । ସେଥିପାଇଁ ବର୍ତ୍ତିଗଲେ ଆଜି । ଆମ ଦୁହିଁଙ୍କ ଆବାଜ ପାଇ ଆଉ ଝାମ୍ପି ନ ପଡ଼ି ଚିତା ଚାଲିଗଲା ବଣ ଭିତରକୁ । ମଣିଷର ଲହୁ ଚାଖିନଥିବ ବୋଧହୁଏ ।

 

ବିଶ୍ଵନାଥଙ୍କ ମେରୁଦଣ୍ଡ ଦେଇ ଏକ ଶୀତଳ ଲହରୀ ସଞ୍ଚରିଗଲା । କପାଳରେ କରଯୋଡ଼ି ଭୁବନେଶ୍ଵରୀଙ୍କୁ କୋଟି କୋଟି ପ୍ରଣାମ କଲେ ସେ । ଦୈବର ସହାୟତା ବିନା ମଣିଷର ସାଧ୍ୟ ନାହିଁ ନିରାପଦରେ ପାଦେ ଚାଲିବା ପାଇଁ । ଭାଗ୍ୟ ବି ସେଇ ଦୈବର ଅଧୀନ । ସେ ପାଖେ ପାଖେ ଚାଲୁଥିଲା ବୋଲି ବାଘ ସାହସ କଲାନି ଡେଇଁବା ପାଇଁ ।

 

ଘରେ ପହଞ୍ଚିବାବେଳକୁ ରାତି ଅନେକ । କାନ ଡେରି ବୋଧହୁଏ ଶୋଇଥିଲେ ପାର୍ବତୀ, ନହେଲେ କବାଟରେ ହାତ ଦେବାକ୍ଷଣି ସେ ଉଠି ଦଉଡ଼ିଆସି ନଥାନ୍ତେ କବାଟ ଖୋଲିବା ପାଇଁ । ବିଶ୍ଵନାଥଙ୍କୁ ସାମନାରେ ଦେଖି ଅସ୍ପଷ୍ଟ ଭାବରେ କହିଲେ କିଛି ।

 

ଗୋଡ଼ ଧୋଇ ଘର ଭିତରକୁ ଆସି କହିଲେ ବିଶ୍ଵନାଥ–ଚିନ୍ତାରେ ପଡ଼ିଯାଇଥିଲ ନା ?

 

–କିଏ କେତେ ପ୍ରକାର କହୁଥିଲେ । ହୁରୁଷୀ ତ ଗାଁ ସାରା ରଟନା କରିଦେଇଥିଲା ଯେ ତମ ଦୁହିଁଙ୍କି ପୁଲିସ ବାନ୍ଧି ନେଇଛି ।

 

–ପୁଲିସଠାରୁ ଆହୁରି ବି କେହି ବଡ଼ ଅଛି ପାର ! ନହେଲେ ପୁଲିସ ହେଉ କି ବାଘ ହେଉ କାହାରି ହାବୁଡ଼ରେ ପଡ଼ିଥାନ୍ତି ନିଶ୍ଚୟ ।

 

ପାର୍ବତୀ କାନ୍ଦିପକାଇ କହିଲେ–ନା, ନା, ସେପରି ଅମଙ୍ଗଳ କଥାଗୁଡ଼ା ତୁଣ୍ଡରେ ଧରନି-। ପଖାଳ ବାଢ଼ୁଛି, ବସିପଡ଼ ଦୁହେଁ ।

 

ସେଇ ଅଧରାତିରେ ପିଆଜ ଭଜା, ଲଙ୍କା ଓ ଲୁଣ ଦେଇ କଂସାଏ କରି ପଖାଳ ଖାଇଲେ ବିଶ୍ଵନାଥ ଆଉ କୃପାସିନ୍ଧୁ । ଆଉ କିଛି ନଥିଲା ଘରେ । ପାର୍ବତୀ କିଛି କହିବା ପୂର୍ବରୁ କହିଲେ ବିଶ୍ଵନାଥ–ତମର ଲୁଗାଟା ଯେ ଏତେ ଚିରିଗଲାଣି ଏବେ ଜାଣୁଛି–କ’ଣ କରିବି କୁହ । ଦୁଇଟଙ୍କା ଜମା କରିଥିଲି ଦୁଇଟା କସ୍ତା ଶାଢ଼ୀ ଆଣିବାପାଇଁ; କିନ୍ତୁ ହେଲାନାହିଁ । ଅନ୍ୟବାଟେ ଖର୍ଚ୍ଚ ହୋଇଗଲା । ସେମାନେ ପୁଲିସ ଗୁଳିରେ ଜଖମ ହେଲେ, ପାଖରେ ତ ଆଉ କେହି ନଥିଲେ–ସେମାନଙ୍କ ଔଷଧ, ପଥୀ ଯୋଗାଡ଼ କରିବା ଦାୟିତ୍ଵ ପଡ଼ିଲା ଆମ ଦୁହିଁଙ୍କ ଉପରେ । ଲୁଗା ନ କିଣି ସେଇ ଟଙ୍କା ଖର୍ଚ୍ଚ କରିଦେଲି ସେମାନଙ୍କ ପାଇଁ ।

 

–ମୋର ତ ଚଳିଯାଉଛି, ପରେ ଆଣିଲେ ବି ଚଳିବ । ହେଲେ ପିଲାଗୁଡ଼ାଙ୍କ ମୁହଁକୁ ଚାହିଁପାରୁନି । ଦୁଧ କି ଦହି ତ ସପନ ହୋଇଗଲାଣି । ସାନକୁ ଗୁଡ଼ ଟିକିଏ ବି ଦେଇପାରେନି ସବୁଦିନ ।

 

ବିଶ୍ଵନାଥ ସବୁ ଜାଣନ୍ତି, ସବୁ ବୁଝନ୍ତି । ଖାଇସାରି ଦୁଇ ସଙ୍ଗାତ ପାଖାପାଖି ଶୋଇଲେ, କିନ୍ତୁ ନିଦ ହେଲା ନାହିଁ ବିଶ୍ଵନାଥଙ୍କର । ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ । ସେ ଇଚ୍ଛା କରିଥିଲେ ଆଉ ପାଞ୍ଚଜଣଙ୍କ ପରି ଜମି ଜମା, ଗାଈଗୋରୁ, ଯଜମାନ ନେଇ ଦୁଃଖେସୁଖେ ଚଳିଯାଇଥାନ୍ତେ; କିନ୍ତୁ ତାଙ୍କ ଇଚ୍ଛାନୁସାରେ ତ ଜଗତ ଚଳେନି, ଜଣକ ଆଜ୍ଞାନୁସାରେ ଚଳେ ଜଗତ । ସେ ନିମିତ୍ତମାତ୍ର । ସବୁ ଇଚ୍ଛା ସେଇ ଜଣକର । ‘ତ୍ରିଗୁଣ ରଜ୍ଜୁ ହସ୍ତେ ଧରି, ମୃଗୀ ନଚାଏ ନରହରି’ ।

 

ଠିକେ ଠିକେ ଶଙ୍କର ବିଷୟ ସ୍ଵାମୀଙ୍କୁ କହିଦେଇଥିଲେ ପାର୍ବତୀ । ବିଶ୍ଵନାଥ ଅଗଣା ଦେଇ ଆଖି ଆଗରେ ଭାସି ଉଠୁଥିବା ଫର୍ଚ୍ଚା ଆକାଶକୁ ଚାହିଁ ହସିଲେ ମନେ ମନେ… ଶଙ୍କର ଠିକ୍‍ ବାଟରେ ଯାଉଛି ବୋଲି ମନରେ ଗର୍ବ ହେଲା ଟିକେ । ଦେଶ ପାଇଁ, ଜାତି ପାଇଁ ଲଢ଼ିବାକୁ ଦାସେଆପଣେ ଶିଖେଇଥିଲେ । ସେଇ ଆଦ୍ୟ ଯୌବନରେ ତାଙ୍କ ବାଣୀ ବାରିପଦା ହାଟପଡ଼ିଆରେ ଶୁଣି ନଥିଲେ ତାଙ୍କ ଜୀବନର ଗତି ଗତାନୁଗତିକ ସ୍ରୋତରେ ଧାଇଁଥାନ୍ତା, ସେ ନୂଆ ବାଟ ଧରିନଥାନ୍ତେ । ଅମଡ଼ାବାଟରେ ଚାଲିବା ଯେତିକି କଷ୍ଟକର, ସେଥିରେ ଚାଲିବାର ଗୌରବ ତା’ଠାରୁ ବେଶି ଉଲ୍ଲାସକର ।

 

ଆଖିପତା ଲାଗି ଆସୁଥିଲା, ଏଇ ସମୟରେ କବାଟର କଡ଼ା ଠକ୍‍ଠକ୍‍ କଲା କିଏ । ଏତେ ରାତିରେ ପୁଣି କିଏ ଆସିଲା–ଉଠୁ ଉଠୁ ମନକୁ ମନ କହିଲେ ବିଶ୍ଵନାଥ । କୃପାସିନ୍ଧୁ ଶୋଇପଡ଼ିଥିଲା ନିଘୋଡ଼ ନିଦରେ । ପୁଣି କବାଟର କଡ଼ା ଶବ୍ଦ ଭାସିଆସିଲା । ଉଠିପଡ଼ି ସେ ଆଡ଼କୁ ଗଲେ ବିଶ୍ଵନାଥ । କବାଟର ସେ ପାଖରେ କେତେଜଣ ଠିଆ ହୋଇଥିବା ପରି ଲାଗିଲା ତାଙ୍କୁ । ଗାଁରେ ନଥିଲେ ସେ । ଆଉ କ’ଣ ଅଘଟଣ ଘଟିଛି କି ? ପୁଣି କଳିଗୋଳ ଆରମ୍ଭ ହୋଇଯାଇନି ତ ?

 

ସେ କବାଟ ଖୋଲିଦେବାକ୍ଷଣି ଜୋତା ମଚମଚ କରି ଭିତରକୁ ଥାନାବାବୁ ସହିତ ପଶିଆସିଲେ ଆଉ ଦୁଇ ଜଣ ସିପାହୀ…ପଛେ ପଛେ ହୁରୁଷୀ । ବିଶ୍ଵନାଥ ବୁଝିଗଲେ । ଥାନାବାବୁ କହିଲେ–କିଛି ଭଲ ଲାଗୁନି ନନା, ଶେଷରେ ଏତେ ରାତିରେ ଆସିବାକୁ ହେଲା ।

 

–ନା, ନା… କ’ଣ କୁହନ୍ତୁ…

 

–କୃପାସିନ୍ଧୁ ଏଇଠି ଅଛି ?

 

ମିଛ ନ କହି ଟିକେ ଦୂରରେ ସପ ଉପରେ ଶୋଇଥିବା କୃପାସିନ୍ଧୁ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ ବିଶ୍ଵନାଥ–ହଁ, ଏଇ ତ ଶୋଇଛି…

 

ଥାନାବାବୁ ତା’ ପାଖରେ ପହଞ୍ଚିବା ଆଗରୁ କୃପାସିନ୍ଧୁ ଉଠିସାରିଥିଲା । ଥାନାବାବୁଙ୍କୁ ଆଗରେ ଦେଖି ନମସ୍କାର କଲା ।

 

–ଚାଲ ମୋ ସାଙ୍ଗରେ ଥାନାକୁ ଯିବାକୁ ହେବ । ତୋ ଗିରଫ ପରୱାନା ମୋ ପାଖରେ ଅଛି, ଆଉ ତମେ ବି ଚାଲ ନନା । କେତେକ ବିଷୟ ତମଠାରୁ ବି ଶୁଣିବାର ଅଛି ।

 

ଚହଳ ପଡ଼ିଗଲା ଘରେ । ପାର୍ବତୀ କୋହରେ ଭାଙ୍ଗିପଡ଼ୁଥିଲେ; କିନ୍ତୁ ତାଙ୍କୁ ସାହସ ଦେଇ କହିଲେ ବିଶ୍ଵନାଥ–ଡରୁଛ କାହିଁକି ଯେ…ଆମେ ତ ଚୋରି କରିନୁ କି ମଣିଷ ମାରିନୁ, ଥାନାବାବୁ ଡାକୁଛନ୍ତି…ଯାଉଛୁ ତାଙ୍କ ସାଙ୍ଗରେ, ଆଉ ଯଦି ବି ଜେଲ୍ ଯିବାକୁ ହୁଏ ଯିବା । ଗାନ୍ଧି ମହାତ୍ମା ତ ବରଷ ବରଷ ଧରି ସରକାରର ଜେଲ୍‍ଖାନାରେ ବନ୍ଦୀ । ଦେଶ ପାଇଁ ଲଢ଼େଇ କଲେ କିଛି ସ୍ଵାର୍ଥ, କିଛି ସୁଖ ସୁବିଧା ଛାଡ଼ିବାକୁ ହୁଏ । ଅନ୍ୟାୟ ଅବିଚାର ବିରୁଦ୍ଧରେ ଲଢ଼ିଲେ କଷ୍ଟ ସହିବାକୁ ହୁଏ । ପାଣ୍ଡବମାନେ ଚଉଦ ବର୍ଷ ବନବାସରେ ଥିଲେ ତ !

 

–ଚାଲନ୍ତୁ ଥାନାବାବୁ ।

 

ପୁଲିସ ଘେରରେ ଘର ଭିତରୁ ବାହାରିଗଲେ ବିଶ୍ଵନାଥ ଆଉ କୃପାସିନ୍ଧୁ ।

 

ସେମାନେ ଥିବା ଯାଏ ଶଙ୍କରକୁ ଛାଡ଼ୁନଥିଲେ ପାର୍ବତୀ । ଆଟୁ ତଳେ ଲୁଚେଇ ଦେଇଥିଲେ ପୁଅକୁ । କୋଉ ବିଶ୍ଵାସ ଅଛି ପୁଲିସ ଉପରେ । ବାପ ପୁଅ ଗୋଟିଏ ପଥର ପଥିକ, ଦୁହିଁଙ୍କୁ ନେଇଗଲେ ସଂସାର ଉଜୁଡ଼ିଯିବ । ଆଉ କୋହ ସମ୍ଭାଳି ପାରିଲେ ନାହିଁ ପାର୍ବତୀ । ସେ ଲୋଟିପଡ଼ିବା ବେଳକୁ ଶଙ୍କର ତାଙ୍କୁ ଧରି ନେଇ କହିଲା–ଇଏ କାନ୍ଦିବାର ବେଳ ନୁହେଁ ମା’, ମନରେ ଦମ୍ଭ ଧର । କିଛି ହେବ ନାଇଁ, ଜେଲଖାନାରେ ସଂଗ୍ରାମୀମାନେ ରହିଲା ଦିନୁ ତାହା ତ ମନ୍ଦିର ପାଲଟି ଯାଇଛି । ଆଉ ମନେପକାଅ ଭାଗବତର କଥା । ଜଗତକୁ ଉଦ୍ଧାର କରିବା ପାଇଁ କଂସର ବନ୍ଦୀଶାଳରେ ଜନ୍ମିଥିଲେ ଶ୍ରୀକୃଷ୍ଣ ।

 

ପାର୍ବତୀ କିନ୍ତୁ ଅବୋଧ ଶିଶୁପରି କାନ୍ଦିବାକୁ ଲାଗିଲେ । ଏଇ ଘରସଂସାରର ଚାରିକୋଣ ମଧ୍ୟରେ ବାନ୍ଧିହୋଇ ରହିଥିବା ଜଗତ ଯେ ଏତେ ବିରାଟ ତାହା ସେ ଭାବି ପାରୁ ନଥିଲେ ।

 

[ ୯ ]

 

ଆଗୁଆ ରଣକ୍ଷେତ୍ରରେ ମୁତୟନ ଥିବା ସୈନ୍ୟମାନଙ୍କ ପାଇଁ ରସଦ ଯୋଗାଇବା କଷ୍ଟକର ହେଲା । ସମଗ୍ର ବଙ୍ଗପ୍ରଦେଶରେ ଦୁର୍ଭିକ୍ଷ । ଖାଦ୍ୟାଭାବରୁ ପୋକମାଛି ପରି ମରୁଥାନ୍ତି ଲୋକମାନେ । ଯାହା ଅଳ୍ପ ସଳ୍ପ ଚାଉଳ, ଗହମ, ପନିପରିବା, ମାଛ, ମାଂସ ମିଳେ ତାହା ବଜାରକୁ ଆସିବା ଆଗରୁ କିଣିନେଇ ସେନା ଛାଉଣୀକୁ ଚାଲାଣ କରନ୍ତି ଠିକାଦାରମାନେ । ବେଶ୍‍ ଲାଭ ହୁଏ ସେଥିରେ । କେନ୍ଦୁଝରର ଶାହାବୁଦ୍ଦିନ୍‍ ଚାଇଁବସାର ସେନା ଛାଉଣୀକୁ ରସଦ ଯୋଗାଇ ବଡ଼ଲୋକ ହୋଇଗଲା ବରଷକରେ । ବଳଦ ଯୋଗାଡ଼ କରି ନପାରି ନିଜେ ଶଗଡ଼ ଟାଣୁଥିବା ଶାହାବୁଦ୍ଦିନ ଦିନେ ଯେତେବେଳେ କେନ୍ଦୁଝର ଗଡ଼ରେ ଗଦି ଖୋଲି ବସିଗଲା ଲୋକମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଗାଁ–ଗହଳିରୁ ଛେଳି, ମେଣ୍ଢା, କୁକୁଡ଼ା, ଗୋରୁବାଛୁରୀ କିଣି ସେ ଚାଲାଣ କଲା ଖଡ଼ଗପୁର ଆଉ କଲିକତାକୁ । ଚାଇଁବସା, ସିଂହଭୂମି, ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରେ ଯାହା ପନିପରିବା, ଅଣ୍ଡା, ମାଛ, ଫଳମୂଳ ମିଳିଲା ସେତକ ବି ଆଗୁଆ ପଇସା ଦେଇ କିଣିନେଲା ଶାହାବୁଦ୍ଦିନ୍‍ । ଟଙ୍କାକର ଜିନିଷ ଚାରିଅଣା ଆଠଅଣାରେ ଚାଲିଗଲା । ଖାଣ୍ଟି ଘିଅ, ଦୁଧ ମିଳୁଥିଲା । ପଇସା ଲୋଭରେ ଗୁଆଘିଅ ସହିତ ବଜାରର ବନସ୍ପତି ଘିଅ, ଦୁଧ ସହିତ ପାଣି ମିଶାଇ ଆହୁରି ଚଢ଼ା ଦରରେ ବିକ୍ରିହେଲା । ଚାଉଳ ବସ୍ତାରେ ଖୁଦ, ବାଲି ମିଶାଇବା ଆହୁରି ସହଜ । ସୋରିଷ ତେଲରେ ଅଗରା ଏପରି ମିଶିଗଲା ଯେ ସହଜରେ ବାରିହେଲା ନାହିଁ । ଚଳୁଚଳୁ ଭେଜାଲ ଘିଅ, ଦୁଧ, ତେଲ, ଚାଉଳ, ଅଟା ସବୁ ଚଳିଗଲା । ଲୋକମାନେ ଜାଣିଗଲେ ଅପମିଶ୍ରଣ କିପରି ହୁଏ । ଅଭାବରେ ହନ୍ତସନ୍ତ ହେଉଥିବା ଲୋକମାନେ ଧର୍ମ ଅଧର୍ମ, ନୀତି ନୈତିକତା ବିଚାର କରିବାକୁ ସମୟ ନପାଇ ଧୀରେ ଧୀରେ ଦୁଧରେ ପାଣି, ଘିଅରେ ବନସ୍ପତି, ସୋରିଷ ତେଲରେ ଅଗରା, ଅଟାରେ ମକାଗୁଣ୍ଡ ଚାଲିଲେ ଚାଉଳରେ ଖୁଦ ମିଶେଇ, ଧୀରେ ଧୀରେ ସବୁ ଚଳିଗଲା । ବଜାରର ଯେତିକି ବଢ଼ିଲା ଭେଜାଲ ସାମଗ୍ରୀ ମଧ୍ୟ ସେତିକି ଅମିଳ ହେଲା । ବଜାରକୁ ଜିନିଷ ଆସିବା ଆଗରୁ ଗାଁ–ଗହଳର ଲୋକମାନଙ୍କୁ ଅଭାବ ସମୟରେ ଆଗୁଆ ବହିନା ଦେଇ ହାତରେ ରଖିଥିବା ବ୍ୟବସାୟୀମାନେ ଘର ଘର ବୁଲି ଜିନିଷପତ୍ର ସଂଗ୍ରହ କରି ରପ୍ତାନୀ କଲେ ସହରବଜାର ଓ ସେନାଛାଉଣୀକୁ । ତା’ ସହିତ ଚାଲୁହେଲା ବାହାରୁ ଆସିଥିବା ନୂଆଚଳଣି ।

 

ମହନି କଲିଆ ଗାଁଦାଣ୍ଡ କଦମ୍ବ ଗଛମୂଳେ ବସି କହିଲା–ଦିନେ ଏଇ କଦମ୍ବ ଫୁଲ ବି ଅମିଳ ହୋଇଯିବ ପୁଅ । ଦେଖୁନ କେମିତି ଦିନରାତି ଗଛକଟା ଚାଲିଛି । ଠାକୁରାଣୀ ପାହାଡ଼ର ପଞ୍ଜରା ଦେଖାଗଲାଣି । ଶିମିଳିପାଳ ପାହାଡ଼କୁ ପଅରଦିନ ଯାଇଥିଲ ଯେ, ଜଙ୍ଗଲର ଅବସ୍ଥା ଦେଖି ଆଖିରେ ପାଣି ଆସିଲା । କୋଉଠୁ ଏତେ ଠିକାଦାର ଆସିଲେ କେଜାଣି । ଶହ ଶହ ସଂଖ୍ୟାରେ ବିଶାଳ ଗଛଗୁଡ଼ା କାଟି ପକେଇବା ଦେଖିଲେ ନିଜ ବେକରେ କରତ ଚାଲିଲା ପରି ଲାଗେ ପୁଅ…ହେଲେ ଆମ କଥା କିଏ ଶୁଣୁଛି…ଗୋଟେ ନୂଆ ନିଶା ଲାଗିଛି ମଣିଷଙ୍କୁ…ରାତାରାତି ଧନୀ ହେବାପାଇଁ ଦୌଡ଼ ଆରମ୍ଭ ହୋଇଛି ପୁଅ । ନୀତି ନିୟମ ଧର୍ମ ଅଧର୍ମ ନମାନି ପଇସା ଲୋଭରେ ପାଗଳହାତୀ ପରି ଦୌଡ଼ୁଛନ୍ତି ଲୋକମାନେ । ଏପରି ଚାଲିଲେ ସଂସାର ଉଜୁଡ଼ିଯିବ…ଅଧର୍ମ, ପାପର ଭାର ବଢ଼ିଲେ ସତ୍ୟାନାଶ ହେବ । ମାଳିକା କ’ଣ ମିଛ ଲେଖିଛି ? ଶ୍ରୀମଦ୍‍ଭାଗବତରେ ଲେଖାଅଛି ଯେ–ସର୍ବେ ହୋଇବେ ଅଳ୍ପାୟୁଷ, ପାପେ ସକଳେ ଯିବେ ନାଶ । ମୋ ଭାଗ୍ୟ ମନ୍ଦରେ ପୁଅ, ମରିବା ଆଗରୁ ଆଉ ପୁରସ୍ତମ ଯାଇପାରିଲି ନାହିଁ ।

 

ସେଇ ବାଟ ଦେଇ ଚାଲିଯାଉଥିଲେ ବାମଦେବ ପାଣି । ଠିଆ ହୋଇଯାଇ କହିଲେ–ମୁଁ ତ ଏଇ ରଥକୁ ଯିବି ବୋଲି କଣ୍ଟ କରିଛିରେ ମହନି–ତୁ ସାଙ୍ଗ ହେଲେ ଆହୁରି ଭଲ ।

 

ମହନି ଉତ୍ସାହିତ ହୋଇ କହିଲା–ସତ କହୁଛ ? ସେଥର କାର୍ତ୍ତିକ ଯେମିତି ଦଗାଦେଲା ସେପରି ହବନାଇଁ ତ ?

କଦମ୍ବଗଛ ମୂଳେ ପଡ଼ିଥିବା ମାଙ୍କଡ଼ା ପଥରଟା ଉପରେ ବସିପଡ଼ି କହିଲେ ବାମଦେବ–ମତେ କାର୍ତ୍ତିକ କରି ପାଇଲୁ ? ପୁରସ୍ତମ ଯିବାପାଇଁ ମନ କଲିଣି ଦୁଇବରଷ ହେଲା । ହେଲେ ଯାଇପାରୁଛି କୋଉଠି ? ବୟସ ବଢ଼ୁଛି, ଏବେ ନଗଲେ ଏତେ ବାଟ ଯିବାକୁ ଆଉ ସାହସ କୁଳେଇବ ନାହିଁ । କେତେବେଳେ ମରି ହଜିଗଲେ କଥା ସରିଲା ।

–ତମେ ସେଦିନ ଯୋଉ କଳିକାଳ କଥା କହୁଥିଲ ତାହା ଆସିଗଲା ନନା ! ଦେଖୁନ ଅଧର୍ମ ଅନୀତି କେମିତି ବଢ଼ିବାରେ ଲାଗିଛି । ତେବେ କାଳିଆର ଡୋର ଲାଗିଲେ ଆଉ ଅଟକେଇ ପାରିବ କିଏ ?

ତା’ପରେ ବାମଦେବଙ୍କ କାନ ପାଖରେ ମୁହଁ ରଖି ଆଉ କେହି ଶୁଣିପାରିବା ଭଳି ଫିସ୍‍ ଫିସ୍‍ କରି କହିଲା ମହନି–ହୁରୁଷୀର କାଣ୍ଡ ଶୁଣିଥିବ, ସେଇ ରାଣ୍ଡର ଛୁଆ ହେବ ଶୁଣୁଛି ।

–ଆଉ ସେ ପାପକଥାଗୁଡ଼ା ଶୁଣାନା ମହନି, ଯିଏ ଯେମିତି କାମ କରିବ ସେ ତା’ର ଫଳ ପାଇବ । ଛି ଛି...ଏସବୁ ଶୁଣିବା ପାଇଁ ବଞ୍ଚିଥିଲୁ ଆମେ । କାର୍ତ୍ତିକ ମାସରେ ହବିଷ ନକରି ସେ ମାଛ ଖାଏ ବୋଲି ଶୁଣିଥିଲି ।

ମହନି କଲିଆ ଚାରିଆଡ଼କୁ ଚାହିଁଦେଇ କହିଲା–ସୁର ସେନାପତିର ଛେଳିଗୁଡ଼ା ଚରୁଥିଲେ ତୋଟାରେ । ସୁର ହାଟକୁ ଯାଇଥିଲା ଯେ, ଫେରିବାକୁ ଅନ୍ଧାର ହୋଇଗଲା । ଘରକୁ ଚାରିଟା ଛେଳି ଫେରିଆସିଲେ । ଆଉ ଗୋଟେ ଆସିଲା ନାହିଁ । ସୁର ଅନେକ ଖୋଜିଲା, ବିଲବାଡ଼ି ବୁଲିଲା, ଘର ଘର ଯାଇ ପଚାରିଲା, କାହିଁ ପାଇଲା ନାହିଁ କି କେହି ଦେଖିଛନ୍ତି ବୋଲି କହିଲେ ନାହିଁ । ଆଉ ରାତିରେ ଅର୍ଜୁନ ଘରେ ମାଉଁସ ରାନ୍ଧିଥିଲେ ଯେ ଆମ ଘରଯାଏ ବାସନା ଆସୁଥିଲା । କୋଉଠୁ ମାଉଁସ ଆଣିଲା ଅର୍ଜୁନ ? ଷ୍ଟେସନରେ ଗେଙ୍ଗକୁଲିମାନଙ୍କୁ କିଛି ମାଉଁସ ବିକିଦେଲା ଶୁଣୁଛି । ନଜାଣିବା ପରି ପଚାରିଥିଲି । ସେ କହିଲା କ’ଣ ଜାଣ ? କୁଆଡ଼େ ପାଣିଶାଳ ଯାଇଥିଲା, ଫେରିବା ବାଟରେ ମାଉଁସ ସେରେ ହେବ କିଣି ଆଣିଥିଲା । ଆଉ ସେ ଷ୍ଟେସନ ଯାଇନି କି କିଏ କ’ଣ କଲା ଜାଣିନି; କିନ୍ତୁ ଗେଙ୍ଗୁକୁଲିମାନେ ଷ୍ଟେସନମାଷ୍ଟରକୁ କହିଛନ୍ତି ଯେ ଅର୍ଜୁନର ଭାଇ ସହଦେବ ସେମାନଙ୍କୁ ମାଉଁସ ବିକିଥିଲା । ହାଣ୍ଡିଆ ବସେଇଥିଲେ, ମାଉଁସ ମିଳିଯିବାରୁ ପରବ ମାନିଲେ ।

ବାମଦେବ କହିଲେ–ସେଇଥିପାଇଁ ହୁରି କରୁଥିଲା ସୁର । ଦେଖିନବ ବୋଲି କହୁଥିଲା, ମୁଁ ପଚାରିଲାରୁ କହିଲା ଯିଏ ତା’ ଛେଳିର ବେକ କାଟିଛି ସେ ତା’ ବେକ ସେହିପରି କାଟିବ । କଥାଟା ଗୁରୁତର ମହନି । ଗାଁରେ ତ ମାଲିମୋକଦ୍ଦମା ଲାଗିରହିଛି । ଏଇ ଛେଳି ଚୋରିରୁ ଆଉ ଗୋଟେ କିଛି ଅଘଟଣ ଯଦି ଘଟିଯାଏ !

ତାଙ୍କ ତୁଣ୍ଡରୁ କଥା ନସରୁଣୁ ସୁର ସେନାପତି ପୁରିଆ, ନରିଆ ସହିତ ରେରେକାର କରି ଆସି ପହଞ୍ଚିଗଲା ସେଠାରେ । ହଇହଲ୍ଲା ଆରମ୍ଭ ହୋଇଗଲା । ଚାହୁଁ ଚାହୁଁ ଲୋକ ଠୁଳ ହୋଇଗଲେ ଗାଁ ଦାଣ୍ଡରେ । ସୁର ହାତରେ ଟାଙ୍ଗିଆ ଥିଲା, ସେଇଟାକୁ ବୁଲେଇ ବୁଲେଇ ଗର୍ଜନ କରି କହିଲା ସେ–ଘର ଭିତରେ ତିର୍ଲାପରି ଶୋଇଛୁ କାହିଁକି ବେ ଅର୍ଜୁନ, ଶଳା ତାକତ ଅଛି ତ ବାହାରକୁ ଆ । ଚୋରିକରି ତୋ ମାଉଁସଖିଆ ମୁହଁଟା ସମସ୍ତେ ଦେଖନ୍ତୁ । ଶଳା ଏଡ଼େ ଅଲାଜୁକ, ବେହିଆ, ହାରମଜାଦା ଜଗତରେ ଦେଖିନି ମୁଁ । ଆଉ ଦିନେ ରଘୁନନାର ବତକ ଖାଇଥିଲୁ, କାଲି ମୋ ଛେଳି ଖାଇଲୁ, ଆଜି ତତେ ମୁଁ ନ ହାଣି ଘରକୁ ଫେରିବିନାହିଁ…ତ୍ରିବାର ସତ୍ୟ କରୁଛି ।

 

ଭୀମବଳ କୁଇନ୍ତା ଜାଣେ । ଅର୍ଜୁନ ବାହାରେ ହେଉଥିବା ତର୍ଜନଗର୍ଜନ ଶୁଣି ଛଟପଟ ହେଉଥିଲା ଏଇ ସୁଯୋଗରେ ସୁର ସେନାପତିକୁ ପାନେ ଦେବା ପାଇଁ । ସୁରଟା ମାଇଚିଆ ହୋଇନଥିଲେ ଏତେ ଲୋକଙ୍କୁ ସାଙ୍ଗରେ ଧରି ଆସିଥାନ୍ତା ? ଜଣକୁ ଜଣେ । ହାତୀକା ଦାନ୍ତ ମରଦକା ବାତ୍ । ସେଦିନ ସେଇ କଥା ସେ କହିଥିଲା ସୁର ସେନାପତିକୁ–ଯଦି ବାହୁରେ ବଳ ଅଛି ଆ ତୋର ମୋର ଲଢ଼ିବା । ଜିଭରେ ଯଦି ହାଡ଼ ଅଛି, ଆଉ ଥରେ ମୋ ବାପ ଗୋସେଇଁବାପ ନାମ ଧର । ଦୁଃଶାସନକୁ ଭୀମ ଫାଡ଼ିଲା ପରି ତତେ ଦୁଇଖଣ୍ଡ କରି ନ ଦେଇଛି ତ କହିବୁ ।

 

ଆଜି କିନ୍ତୁ ସୁର ସେନାପତି ଏକା ଆସିନି, ସାଙ୍ଗରେ ଆସିଛନ୍ତି ନରିଆ, ପୁରିଆ ଓ ଆହୁରି କେତେଜଣ । ତଥାପି ଅର୍ଜୁନ ଉଠୁଥିଲା ଟାଙ୍ଗିଆ ନେଇ ବାହାରକୁ ଯିବାପାଇଁ । ତା’ ଭାରିଯା ତାକୁ ଅଟକାଇ ଦେଇ କହିଲା–ଏଇନେ ନୁହେଁ, ଏତେ ଲୋକଙ୍କୁ ପାରିବନି । ତମେ ଏକା, ସେମାନେ ଅନେକ । ବରଂ ମୋ ସାନକୁହା ମାନ, ଖଳାବାଟ ଦେଇ ଧଡ଼ାଙ୍ଗିରୀ ଚାଲିଯାଅ । ଅବସ୍ଥା ସୁଧୁରିଗଲେ ରାତିକୁ ଫେରିବ । ନହେଲେ ବାଙ୍ଗିରିପୋଷି ଚାଲିଯାଅ, ଭଉଣୀ ଘରେ ଦି’ଦିନ ରହି ଫେରିବ ।

 

ଅର୍ଜୁନ ସେୟା କଲା । ଖଳା ବାଟେ ଲୁଚି ଲୁଚି କେତେବେଳେ ଘରଛାଡ଼ି ପଳେଇଗଲା ଜାଣିପାରିଲାନି ସୁର ସେନାପତି । ଅର୍ଜୁନ କଲିଆ ଘରଛାଡ଼ି ପଳେଇଥିବା ଖବର ଦାଣ୍ଡରେ ପହଞ୍ଚିବାକ୍ଷଣି ସୁରର ସାନଭାଇ ନରି ଡିଆଁମାରି ଦାଣ୍ଡ କମ୍ପାଇ କହିଲା–ଶଳା ତିର୍ଲା ପରି ଲୁଚି ଲୁଚି ପଳେଇଗଲା । ହେଲେ ଯେବେ ଫେରିବ ଏଇ କୁରାଢ଼ିରେ ତାକୁ ଯଦି ଦି’ ଗଡ଼ ନକରିଛି ମୁଁ ହରି ସେନାପତିର ପୁଅ ନରି ସେନାପତି ନୁହେଁ କି ସୁର ସେନାପତିର ସାନ ଭାଇ ନୁହେଁ ।

 

କିଛି ସମୟ ଏମିତି ହୋହଲ୍ଲା ଚାଲିଲା । ତା’ପରେ ଧୀରେ ଧୀରେ ଭଟ୍ଟା ପଡ଼ି ଆସିଲା ଉତ୍ତେଜନାର । ଯେଉଁମାନେ କଳି ଦେଖିବା ପାଇଁ ଘର ପିଣ୍ଡା ଛାଡ଼ି ଦାଣ୍ଡକୁ ଚାଲିଆସିଥିଲେ ଗୋଟେ ଅପୂର୍ବ ସୁଯୋଗ ହାତଛଡ଼ା ହୋଇଯିବା ଦେଖି ମନମାରି ଯେ ଯାହା ଘରକୁ ଫେରିଗଲେ-। ମହନି ଆଉ ବାମଦେବ କିନ୍ତୁ ସେଠାରେ ସେହିପରି ବସି ବସି ଦୁଃଖ ସୁଖ ହେବାକୁ ଲାଗିଲେ-

 

ବାମଦେବ କହିଲେ–ବିଶୁକୁ ପୋଲିସ ବାନ୍ଧି ନେଇଥିଲା ଶୁଣିଥିବ ।

 

–କିନ୍ତୁ ବିଶୁ ତ କିଛି ଅନ୍ୟାୟ କରିନି ନନା । ସେ କାହାରି ମନ୍ଦ ପାଞ୍ଚେନି, ନିଜ ଦୁଃଖ ସୁଖ ନେଇଥାଏ । ସମସ୍ତଙ୍କର କେମିତି ଭଲ ହେବ ସେଇ କଥା କହେ ।

 

–ବିଶୁର ବାହାରରୂପ ଦେଖି ତୁ ସିନା ଏକଥା କହୁଛୁ, କିନ୍ତୁ ପୁଲିସ କିଛି ସୁରାକ ପାଇନଥିଲେ ବିନା ଦୋଷରେ ବାନ୍ଧିନେଇଥାନ୍ତା ?

 

–ମୁଁ ଶୁଣିଛି ବିଶୁ ହାତରେ ହାତକଡ଼ି ନଦେଇ ଏମିତି ଡାକିନେଇଥିଲେ ଦାରୋଗା ବାବୁ-

 

–ନିମନ୍ତ୍ରଣ ଖାଇବାକୁ ଡାକି ନଥିଲା ନିଶ୍ଚୟ । ପୁଲିସକୁ କି ବିଶ୍ଵାସ ଅଛି ? କୃପାସିନ୍ଧୁ ଆଉ ତା’ ହାତରେ ହାତକଡ଼ା ପକେଇ ଥାନାକୁ ନେଉଥିବାର ବାଟରେ ଦେଖିଛନ୍ତି ଲୋକେ । ମୁଁ ଦେଖିଲା କଥା କହୁଛି ମହନି ।

 

–ମୋର କିନ୍ତୁ ବିଶ୍ଵାସ ହେଉନି ନନା, ମହାରାଜାଙ୍କ ଅମଳରେ ନିର୍ଦ୍ଦୋଷକୁ କେବେ ଦଣ୍ଡ ହୋଇନି ।

 

–ଇଏ ନିର୍ଦ୍ଦୋଷ ବୋଲି ଜାଣିଲୁ କେମିତି ଯେ ?

 

–ସବୁ ମଣିଷ ଖରାପ ନୁହଁନ୍ତି କି ସମସ୍ତେ ଭଲ ନୁହଁନ୍ତି । ବିଶୁ ଗାନ୍ଧି ମହାତ୍ମାଙ୍କ ଶିଷ୍ୟ ।

 

–ଆଉ ତୁ କ’ଣ ଶୁଣିନୁ ଯେ ଗାନ୍ଧିର ଶିଷ୍ୟମାନେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ଲାଗିପଡ଼ିଛନ୍ତି । ସେମାନେ ଚାଲିଗଲେ ଅରାଜକତା ବ୍ୟାପିଯିବ । ଏବେ ଏକା ଘାଟରେ ବାଘ ଛେଳି ପାଣି ପିଉଛନ୍ତି, ସେମାନେ ଚାଲିଗଲେ କେହି କାହା କଥା ମାନିବେ ନାହିଁ । ଯିଏ ଯାହା ହାତରେ ଚଉଦ ପା’ ହେଲେ ଗାଁ ଗଣ୍ଡା ଭାଙ୍ଗିଯିବ, ସବୁ ଅରାଜକ ହେଇଯିବ ।

 

–ଆମର ମହାରାଜା ଅଛନ୍ତି, ଇଂରେଜମାନେ ଥିଲେ କେତେ ଗଲେ କେତେ । ତେବେ ଗାନ୍ଧି ମହାତ୍ମା ଏତେବଡ଼ ଲୋକ, ସେ କ’ଣ ମିଛରେ ଲାଗିଥିବେ ?

 

–ସେ ନିଜେ ପରା ସମ୍ରାଟ୍ ହେବାକୁ ଚାହାଁନ୍ତି । ତୁ ତ ଜାଣୁ ମହନି, ଗୋରାଲୋକଙ୍କ ବଳବୁଦ୍ଧି ଆମଠାରୁ ଢେର୍ ଢେର୍‍ ବେଶି । ନହେଲେ କି ଗୋରା ସାହେବଙ୍କୁ ମହାରାଜା ସମ୍ମାନ ଦେଖାଉଥାନ୍ତେ ?

 

–ମୁଁ ଏତେ କଥା ବୁଝେନି ନନା । ବିଶୁ କହୁଥିଲା ଇଂରେଜମାନେ ଚାଲିଗଲେ ଏ ଦେଶ ସ୍ଵାଧୀନ ହେବ । ନିଜ କଥା ନିଜେ ବୁଝିବେ ଦେଶ ଲୋକେ । ଇଂରେଜମାନେ ଦେଶକୁ ଲୁଟୁଛନ୍ତି, ଦେଖୁନା ସେମାନଙ୍କର ଲଢ଼େଇ ଚାଲିଛି । ଆମେ କିନ୍ତୁ ହନ୍ତସନ୍ତ ହେଉଛୁ । ସବୁ ଅମିଳ, ଯାହା ମିଳୁଛି ଅତି ମହରଗ । କିରାସିନି ଟିକେ ମିଳୁନି ଯେ ଜଡ଼ାତେଲ ଦେଇ ଦୀପ ଜାଳେ ପୁରମା ।

 

ବାମଦେବ କିନ୍ତୁ ମାନିଲେ ନାହିଁ । ସେ ବାରମ୍ବାର ସେଇ ଗୋଟିଏ କଥା ଦୋହରାଇଲେ–ଇଂରେଜମାନେ ଏ ଦେଶର ରକ୍ଷାକର୍ତ୍ତା । ସେମାନଙ୍କ ପରି ନ୍ୟାୟପରାୟଣ ଶାସକ ଆଉ କେହି ନାହିଁ । ସେମାନେ ଏ ଦେଶ ଛାଡ଼ି ଚାଲିଗଲେ ଚୋରତସ୍କରଙ୍କ ପାଳି ପଡ଼ିବ । ଅରାଜକତା ବ୍ୟାପିଯିବ । ରଜା ମହାରଜା ଇଂରେଜ ଶାସନର ଅଧୀନ । ସମ୍ରାଟଙ୍କ ସାମ୍ରାଜ୍ୟ ଏତେ ବଡ଼ ଯେ ସେଥିରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ସେମାନଙ୍କର ଜାତି ଅଲଗା । ଶାସନ କରିବା ପାଇଁ ସେମାନଙ୍କର ଜନ୍ମ ।

 

ବାମଦେବ ଚାଲିଗଲା ପରେ ବି ମହନି କଲିଆ ବସି ରହିଲା କଦମ୍ବ ମୂଳରେ । ବେଳ ହେଲାଣି; କିନ୍ତୁ ଗାଧୋଇଯିବାକୁ ମନ ହେଉନଥାଏ । ଦେହଟା କସ୍‍ମସ୍ କରୁଛି କାଲିଠୁ । ଜର ଆସିବ କି କ’ଣ । ପାଞ୍ଚନଟିକେ ଖାଇଲେ ଉପଶମ ହେବ । କବିରାଜ ଘରେ ନାହିଁ, ପାଣିଶାଳ ଯାଇଛି ରୋଗୀ ଦେଖିବା ପାଇଁ ।

 

ଟିକେ ଆରାମ କରିବା ପାଇଁ କଦମ୍ବ ଗଛ ଉପରେ ଆଉଜିପଡ଼ି ଗୋଡ଼ ଲମ୍ବାଇଦେଲା ମହନି । ନିଦ ଲାଗିଯାଇଥିଲା; କିନ୍ତୁ କାହାର ପାକ ଶୁଣି ଉଠିବସିଲା ଧଡ଼ପଡ଼ କରି । ଆଗରେ ଠିଆହୋଇଥିଲା ଜଣେ ଯୋଗୀ । ହାତରେ କେନ୍ଦେରା, କାନ୍ଧରେ ଝୁଲି । ଯୋଗୀ କିନ୍ତୁ ଗୀତ ନ ଗାଇ କହିଲା–ଏଇ ଗାଁକୁ ଥରେ ଅଧେ ଆସିଛି ମଉସା, ତମ ସହିତ କିନ୍ତୁ ଦେଖାହୋଇନି କେବେ-। ତାଙ୍କ ଘର ବି ଦେଖିନି ।

 

–କାହାକୁ ଖୋଜୁଚ ?

 

–ବିଶୁନନାକୁ ପୁଲିସ ନେଇଗଲା ଶୁଣିଲି, ସେଥିପାଇଁ ଆସିଲି ବାଟ ଭାଙ୍ଗି । ଖାସା ଭଲ ମଣିଷଟିଏ । ପରପାଇଁ ଏତେ ଦରଦ ଆଉ କାହାରି ଅଛି ଏ କଳିକାଳରେ ? ସବୁ ଭାଗ୍ୟ, ନହେଲେ ତାଙ୍କ ପରି ଧର୍ମାତ୍ମାକୁ ପୁଲିସ ଡାକିନେଇଥାନ୍ତା ଥାନାକୁ । ଚୋରି ଡକେଇତି କରି ନିର୍ଭୟରେ ଲୋକେ ବୁଲୁଛନ୍ତି, ଖୁନୀ ଆସାମୀ ଦେଶାନ୍ତରୀ ହୋଇଯାଉଛନ୍ତି । ସେମାନଙ୍କୁ ନ ଧରି ଭଲଲୋକଙ୍କୁ ଧରିନେଉଛି ପୁଲିସ । ଏ ଅନ୍ୟାୟ କିନ୍ତୁ ଦଇବ ସହିବ ନାହିଁ ମଉସା ।

 

–ଦଇବ ସହୁ ବା ନ ସହୁ ତା’ ଘର ତ ଅଚଳ ହୋଇଯିବ । ଛୁଆ ପିଲାଙ୍କ ଭାର ନବ କିଏ ? ବୋହୂ କାନ୍ଧରେ ବଳ କାହିଁ ଏତେ ଭାର ବୋହିବା ପାଇଁ ? ଶଙ୍କରଟା ବଡ଼ ହେଲାଣି ସତ; କିନ୍ତୁ ସେ ବି ବାପପରି ଦେଶ କାମରେ ଲାଗିଛି । ପାଠପଢ଼ା ତ ଏଯାଏଁ ସରୁନାହିଁ ।

 

ଯୋଗୀ ନିଶ୍ଚିନ୍ତ ହୋଇ କହିଲା–ଜନ୍ମେଜୟ ବାବୁ ପଠେଇଛନ୍ତି ମତେ ସବୁ କଥା ବୁଝିଯିବା ପାଇଁ । ମୁଁ ତ ନୂଆ ଆସିଛି ଏ ଗାଁକୁ । ମିଛ କହିଲି ବୋଲି ଅପ୍ରାଧ ନବନି ମଉସା, ମତେ ଟିକେ ତାଙ୍କ ଘର ଦେଖାଇଦିଅନ୍ତନି !

 

ମହନି କଲିଆର ପଛେ ପଛେ ଚାଲିଲା ଯୋଗୀ । କାଳେ କେହି ସନ୍ଦେହ କରିପାରେ ସେଥିପାଇଁ କେନ୍ଦେରା ବଜାଇ ଗୀତ ଗାଇ ଗାଇ ଚାଲିଥିଲା ସେ । ମହାଦେବ ମନ୍ଦିର ଆଗରେ ଯାଇ ମହନି ଛିଡ଼ାହେଲା, ଆଉ ଯୋଗୀ ପଶିଲା ବିଶ୍ଵନାଥଙ୍କ ଘରେ । କିଛି ସମୟ ପରେ ମହନି ବି ଭିତରକୁ ଗଲା । ପାର୍ବତୀ ଆଣ୍ଠୁ ଉପରେ ମୁହଁ ରଖି ବସିଥିଲେ । ଘରେ ଚାଉଳ ମୁଠାଏ ନାହିଁ କି ମୁଢ଼ି କୁଣାଏ ନାହିଁ । ପିଲାମାନେ ଉପାସ ଥିଲେ ରାତିରେ । ସକାଳେ ପିଉସୀ ନେଇଯାଇଛନ୍ତି ତାଙ୍କ ଘରକୁ ଜଳଖିଆ ଖୁଆଇବା ପାଇଁ ।

 

ମହନି କହିଲା–ସବୁ ଜାଣେ ବୋହୂ । ମୋ ଘରେ ବି ଅଭାବ, ତଥାପି ବିହନ କିଛି ଅଛି, ସେଥିରୁ ଠେକାଏ ପଠେଇଦେବି । କାମ ଚଳିଯାଉ ।

 

ପାର୍ବତୀ ଓଢ଼ଣା ଟାଣି କହିଲେ–ୟାଙ୍କୁ ତ ମୁଁ ଚିହ୍ନେନି ।

 

–ଇଏ ଜନ୍ମେଜୟଙ୍କ ଲୋକ, ବିଶ୍ଵାସୀ ।

 

ଯୋଗୀ କହିଲା–ଏଇ କାଗଜ ପୁଡ଼ାଟା ନେତାଜୀ ଦେଇଛନ୍ତି ତମ ହାତରେ ଦେବା ପାଇଁ ମାଉସୀ । କିଛି ଟଙ୍କା ବି ଅଛି । ଦମ୍ଭ ଧର । ସାହସ ହରାଅ ନାହିଁ । ସବୁ ଠିକ୍‍ ହୋଇଯିବ । ଦେଶ କାମ କଲେ ଦଣ୍ଡ ଭୋଗିବାକୁ ହୁଏ । ରାବଣ ତ ବିନାଯୁଦ୍ଧରେ ରାମଙ୍କୁ ଛାଡ଼ିଦେଇ ନଥିଲା ଲଙ୍କାରେ ପାଦ ପକେଇବା ପାଇଁ । ମୁଁ ମଝିରେ ମଝିରେ ଆସି ଭଲମନ୍ଦ ବୁଝିଯିବି ।

 

ପାର୍ବତୀ ମଥା ଟୁଙ୍ଗାରିଲେ । ମହନି କଲିଆ କହିଲା– “କିଛି ଦରକାର ହେଲେ ମୋ ପାଖକୁ ଖବର ପଠେଇବ ବୋହୂ । ମୁଁ ତ ମରିଯାଇନି, ଏବେ ବି ବଞ୍ଚିଛି ।’’ ଆଖି ପୋଛିଲା ମହନି-

 

ଯୋଗୀ ପୁଣି ଗୀତ ଗାଇ ଗାଇ ଦାଣ୍ଡେ ଦାଣ୍ଡେ ଚାଲିଗଲା । ତା’ ପଛେ ପଛେ ଫେରୁଥିଲା ମହନି କଲିଆ ।

 

ଭୋଳି ମିଶ୍ରଙ୍କ ଘର ଆଗରେ ଠିଆହୋଇ ହୁରି ଛାଡ଼ୁଥିଲା ହୁରୁଷି । ଅକଥ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଯାଉଥିଲା ଏକାଧାରରେ । ମୁହଁରେ ବାଡ଼ବତା ନାହିଁ । ନିଶା ଛାଡ଼ିଯାଇଛି ହୁଏତ । ପୁଣି କାହା ମୁଣ୍ଡରେ ହାତ ବୁଲାଇବା ପାଇଁ କେହି ମିଳି ନାହାନ୍ତି ଏଯାଏଁ । ଭୋଳି ମିଶ୍ରେ ଧାରରେ ଅଫିମ ଦେବେନି–ମନା କରିଦେଲେ । ତାଙ୍କୁ ତ ଗାଳି ଦେବାର ସାହସ ନାହିଁ ହୁରୁଷୀର, ଆଉ କିଏ କେଉଁଦିନ ଦବ କହି ଏଯାଏଁ ଦେଇନଥିଲେ ବୋଲି ସାତ ପୁରୁଷର ଶ୍ରାଦ୍ଧ କରୁଥିଲା ସେମାନଙ୍କର ।

 

ମହନିକୁ ଦେଖି ଚିହିଙ୍କି ଉଠିଲା । ସେ କିନ୍ତୁ ଚିହ୍ନେ ହୁରୁଷୀକୁ, ତା’ ଆଡ଼କୁ ନିଘା ନଦେଇ ଦାଣ୍ଡେ ଦାଣ୍ଡେ ଚାଲିଯାଉଥିଲାବେଳେ ହୁରୁଷୀ ତା’ ହାତ ଧରିପକେଇ କହିଲା–ଦାଣ୍ଡେ ଦାଣ୍ଡେ ଚୁପ୍‍ଚାପ୍ ଚାଲିଯାଉଛୁ ଯେ, କୁଆଡ଼େ ଯାଇଥିଲୁ ? କାହାଘରକୁ ଯାଇଥିଲୁ ? କାହିଁକି ଯାଇଥିଲୁ ?

 

ହୁରୁଷୀର ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ନଦେଇ ମହନି ଖାଲି କହିଲା–ତୁ ସେଥିରୁ କ’ଣ ପାଇବୁ ?

 

ହୁରୁଷୀ ବିଗିଡ଼ିଗଲା । ଏଇ ମହନି କଲିଆ ଉପରେ ତା’ର ରାଗ ଥିଲା; କିନ୍ତୁ ସୁଯୋଗ ପାଉନଥିଲା କିଛି କହିବା ପାଇଁ । ହଠାତ୍‍ ବ୍ରାହ୍ମଣ ଶାସନ ଦାଣ୍ଡରେ ତା ସହିତ ମୁହାଁମୁହିଁ ହୋଇଯିବାରୁ ତେଜିଉଠି କହିଲା–ଏଇଟା ତୋ ଜମିଦାରୀ ନୁହଁ ଯେ ଯେତେବେଳେ ଇଚ୍ଛା ଆସୁଥିବୁ ଆଉ ଯାଉଥିବୁ । ଏଇଟା ଶାସନ । ମହାରାଜାଙ୍କ ପୁରୋହିତ, ପାଣିଗ୍ରାହୀ ସମସ୍ତେ ଏଇ ଶାସନର ।

 

ମହନି ମୁହଁ ଖୋଲିଲାନାହିଁ । ଯୋଗୀ କିନ୍ତୁ ପଛକୁ ଫେରିଆସି କହିଲା–ବୁଢ଼ା ଲୋକ ସେ, ତାଙ୍କ ସହିତ ତୁଚ୍ଛାଟାରେ କାହିଁକି ଲାଗିଛ ନନା ।

 

ହୁରୁଷୀ ସମ୍ଭାଳି ପାରିଲାନାହିଁ । ଗାଁ ଦାଣ୍ଡରେ ତା’ ଆଧିପତ୍ୟ ଏଯାଏଁ କେହି ଏଡ଼ିଦେଇ ପାରିନଥିଲେ । ଭିକମଗା ଯୋଗୀର ମୁହଁ ଏତେ ଟାଣ ? ଠାସ୍‍କିନା ତା’ ଗାଲରେ ଚାପୁଡ଼ାଏ କସିଦେଇ କହିଲା ହୁରୁଷୀ–ଭିକାରୀର ମୁହଁ ଏଡ଼େ ଟାଣ ? ଶଳା ଚିହ୍ନିନୁ ମତେ, ତୋ ଘର ଯଦି ପାଉଁଶ କରି ନ ଦେଇଛି ।

 

ଯୋଗୀ ଏହାର ଉପଯୁକ୍ତ ଜବାବ ଦେଇପାରିଥାନ୍ତା । ହୁରୁଷୀ ପରି ଲୋକଙ୍କୁ କିପରି ଦଣ୍ଡଦେବାକୁ ହୁଏ ସେ ଜାଣେ । କିନ୍ତୁ ସେ ଯେଉଁ ଉଦ୍ଦେଶ୍ୟ ନେଇ ଆସିଥିଲା, ଏଠାରେ ଗଣ୍ଡଗୋଳରେ ସାମିଲ ହେଲେ ତାହା ପଣ୍ଡ ହୋଇଯିବାର ଆଶଙ୍କା କରି ସେ ମାଡ଼ ଖାଇ ମଧ୍ୟ କିଛି କହିଲା ନାହିଁ, ବରଂ ହୁରୁଷୀକୁ ପ୍ରଣାମ କରି ମହନି କଲିଆର ହାତଧରି ଧୀରେ ଧୀରେ ଆଗକୁ ଚାଲିଲା ।

 

ହୁରୁଷୀ ବୀର ପରି ଉପରକୁ କୁଦା ମାରି କହିଲା–ମହନି କଲିଆ କେରାଣ୍ଡି ମାଛ, ଟିପ ଜାକିଲେ ଛାଏଁ ମରିଯିବ, ଆଉ ଏ ଭିକାରିଟା ମୋ ଦେହର ମଳି ସହିତ ସରି ନୁହେଁ । ଚୁଚୁନ୍ଦ୍ରା ମାରିଲେ ହାତ ଗନ୍ଧାଇ ଲାଭ କ’ଣ ?

 

ଯୋଗୀ ଫେରି ଚାହିଁଲା ଥରେ, କିନ୍ତୁ ମହନି କହିଲା–ଚାଲ ବାପା ଚାଲ । ଇଏ ଭଲଲୋକ ନୁହେଁ, କୋଉଦିନ ଘରେ ନିଆଁ ଲଗାଇଦବ କିଏ ଜାଣେ ?

 

ଯୋଗୀ ତାକୁ ଭରସା ଦବାପାଇଁ କହିଲା–ଭୟ କରନା ମଉସା । ଏମିତି ବଦମାସମାନଙ୍କୁ କିପରି ଶାସ୍ତି ଦବାକୁ ହୁଏ ମୁଁ ଜାଣେ, ହେଲେ ଏ ଜାଗା ନୁହେଁ କି ସମୟ ନୁହେଁ । ଆଉ ତୁମ ଉପରେ ଯଦି କେବେ ତା’ ଶନିଦୃଷ୍ଟି ପଡ଼େ ତାକୁ ମୁଁ ଛାଡ଼ିଦେବିନି କହୁଛି ।

 

ଯୋଗୀ ଚାଲିଗଲା ପରେ ମହନିର ମନେପଡ଼ିଲା ଯେ ସେ ତା’ ନାମ ଧାମ ପଚାରିପାରିଲା ନାହିଁ, ତାକୁ ପାଣି ଗିଲାସେ କି ମୁଢ଼ି ଗଣ୍ଡେ ଖାଇବାକୁ ଦେଇପାରିଲା ନାହିଁ । ଆହା-! ଦେଶ ଓ ଦଶର କାମ କରିବା କେଡ଼େ କଷ୍ଟ ? ନିଜ କଥା ବୁଝି ବୁଝି ସମୟ ଚାଲିଯାଉଛି-। ଇଏ ତ ପର କଥା ବୁଝିବା ପାଇଁ ଶପଥ ନେଇଛି ବିଶ୍ଵନାଥ ପରି । ଭଗବାନ ତାକୁ ସୁଖରେ ରଖ, ଭଲରେ ରଖ, ହାତ ଯୋଡ଼ି ମହନି ପ୍ରଣାମ କଲା ।

 

ଠିକ୍ ସେତିକିବେଳେ ଠାକୁରାଣୀଶାଳ ଆଡ଼ୁ ଭାସି ଆସିଲା ବାଙ୍ଗିରିପୋଷି ଆଡ଼ୁ ଆସୁଥିବା ରେଳଗାଡ଼ିର ତୂରୀ । ମହନି ମନକୁ ମନ କହିଲା–ଠିକ୍‍ ଠିକ୍‍…ସେ ଅଛନ୍ତି ସର୍ବତ୍ର, ସେଥିପାଇଁ ତ ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି, ପବନ ଆତଯାତ ହେଉଛି, ସତ୍ୟ ଧର୍ମ ଅଛି ସଂସାରରେ । ଆଉ କେହି ଯେପରି କହିଗଲା ମହନି କଲିଆର କାନେ କାନେ–ଭୟ କରୁଛୁ କାହାକୁ । କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ । ହୁରୁଷୀର ଦମ୍ଭ ମଧ୍ୟ ରହିବ ନାହିଁ ।

 

[ ୧୦ ]

 

ଶଙ୍କରକୁ ବହୁଦିନପରେ ଆସିବା ଦେଖି ଅଭିମାନରେ ମୁହଁ ବୁଲାଇନେଲା ମାଳିନୀ । ଶଙ୍କର ତୁଳସୀ ଚଉରା ପାଖର ଗୋଲାପ ଗଛରୁ ତୋଳିଆଣିଥିବା ଫୁଲଟି ତା’ ଆଡ଼କୁ ବଢ଼ାଇଦେଇ କହିଲା–“ଏଥର ଖରା ଛୁଟିରେ ମାନଭଞ୍ଜନ ନାଟକ ଅଭିନୀତ ହେବ । ବୈଷ୍ଣବ ପାଣିଙ୍କ ନାଟକ ଦେଖିଲେ ଉଠିପାରିବନି ବସିବା ଜାଗାରୁ ।”

ମାଳିନୀ ତଥାପି କିଛି କହିଲା ନାହିଁ, ବରଂ ଘର ଭିତରକୁ ପଶିଯାଉଥିଲା । ତା’ ହାତ ଧରିପକେଇ କହିଲା ଶଙ୍କର–“ସବୁ ଭୁଲ୍‍ର କ୍ଷମା ଅଛି । ଆଉ ମୋ ଭୁଲ୍‍ର ।” ତା’ ମୁହଁ ଉପରେ ହାତ ଜାକି କହିଲା ମାଳିନୀ–କ୍ଷମା ନାହିଁ । ମୁଁ ତୁମ ଘରର ନୁହଁ କି ଦଳର ନୁହେଁ, ଆସିବ କାହିଁକି ଯେ ?

ମାଳିନୀର ଆଖି ସଜଳ ହୋଇଉଠିଲା । ତା’ ପିଠି ଆଉଁସିଦେଇ କହିଲା ଶଙ୍କର ସାନ୍ତ୍ଵନା ମତେ ଦେଇଆସେନି; କିନ୍ତୁ ଏତିକି ଜାଣିରଖ ଯେ ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଥିଲି, ଆସିବା ପାଇଁ ମନ ହେଲେ ବି ଆସି ପାରୁନଥିଲି ।

–ସତେ ? ଏଥର ଆଖି ନଚେଇ ଅଧର ଉପରେ ପ୍ରସନ୍ନତା ପ୍ରକଟ କରି କହିଲା ମାନିନୀ ।

–ମୁଁ ଯାହା କହୁଛି ସତ କହୁଛି ।

–ଏଇଟା ଅଦାଲତ ନୁହେଁ ମ । ଖତେଇ ହୋଇ କହିଲା ମାଳିନୀ ।

 

–କିନ୍ତୁ ହାକିମ ଯେ ମୋ ଆଗରେ, ତାଙ୍କୁ ତ ମିଛ କହିପାରିବିନି ।

 

–ସତ କୁହ ତା’ହେଲେ…

 

ମାଳିନୀ ମୁହଁକୁ ଏଥର ସିଧା ଚାହିଁଲା ଶଙ୍କର । ଏତେ ସୁନ୍ଦର ଆଖି ଯୋଡ଼ିଏ ଆଉ କାହିଁ ଦେଖିନାହିଁ ସେ । ସେଇପରି ଏକ ଲୟରେ ଚାହିଁ ରହିଲା ତା’ ମୁହଁକୁ ।

 

–ଏମିତି ଚାହିଁ ରହିଛ ଯେ, କିଛି କହିବନି, ସେଇ ସତକଥା ?

 

ତା’ ହାତଟା ଟାଣିନେଇ ହଠାତ୍ କହିଲା ଶଙ୍କର–ତୁମକୁ ଦେଖିଲେ ମୁଁ କହିବା କଥା ଯେ ପାଶୋରିଯାଏ ।

 

ଅନ୍ତର ପୂର୍ଣ୍ଣ ହୋଇଗଲା ମାଳିନୀର । ତଥାପି ସେ ନ ଶୁଣିବା ପରି କହିଲା–କ’ଣ କହିଲ ଆଉ ଥରେ କୁହ ।

 

–ସତରେ ତୁମକୁ ଦେଖିଲେ କହିବା କଥା କହି ହୁଏନା । ମନ ଭର୍ତ୍ତି ହୋଇଯାଏ ଆଉ କେଉଁ ଭାବନାରେ ।

 

ମାଳିନୀ ଆଉ ସମ୍ଭାଳିପାରିଲା ନାହିଁ । ହସିଦେଇ କହିଲା– ‘‘ଆଉ କେଉଁ ଭାବନା ? ଆଉ ତା’ପରେ ଭଙ୍ଗା ଭଙ୍ଗା ଶବ୍ଦରେ କହିଲା–“ତୁମକୁ ମୁଁ କେତେ ଅପେକ୍ଷା କରେ ଜାଣ ତମେ ଆସି ପହଞ୍ଚିଗଲେ ମନ ପୂରିଉଠେ ବର୍ଷାଦିନ ନଦୀର ଦୁଇକୂଳ ପୂରି ଉଠିବାପରି ।“

 

ଗଛକୁ ହାତ ବଢ଼ାଇଲା ମାଳିନୀ ଫୁଲ ଗୋଟେ ତୋଳିବା ପାଇଁ ।

 

–ନା, ଥାଉ ମାଳିନୀ, ତାକୁ ଫୁଟିବାକୁ ଦିଅ… ଫୁଟିବାରେ ହିଁ ତା’ର ଆନନ୍ଦ ।

 

ଚାନ୍ଦାରାଓ ଘର ଭିତରକୁ ପଶି ଆସୁ ଆସୁ କହିଲେ–କ’ଣ ଗପୁଛ ଦୁହେଁ । କେତେବେଳେ ଆସିଲୁ ଶଙ୍କର ? –ଉତ୍ତର ଶୁଣିବାକୁ ଅପେକ୍ଷା ନରଖି କହିଲେ ଚାନ୍ଦାରାଓ–କେତେଦିନ ପରେ ଆସିଛି ଶଙ୍କର… କଫି ଦବୁ ନାଇଁ ?

 

ମାଳିନୀ ଲାଜେଇଯାଇ ରୋଷେଇଘର ଭିତରକୁ ପଶିଗଲା ବେଳକୁ ଭାବୁଥିଲା ଭାଇ ଆଉ ଶୁଣି ନାହାନ୍ତି ତ କିଛି ?

 

ଶଙ୍କରକୁ ପାଖରେ ବସାଇ କହିଲେ ଚାନ୍ଦାରାଓ–ମୁଁ ଯାହା ଆଶଙ୍କା କରିଥିଲି ଶେଷରେ ସେୟା ହେଲା । ବିଶ୍ଵନାଥ ବାବୁ ଆଉ କୃପାସିନ୍ଧୁ ଦୁହିଁଙ୍କୁ ଗିରଫକରି ବାରିପଦାକୁ ପଠେଇଦେଇଛି ପୁଲିସ ।

 

–ଏହାପରେ କ’ଣ କରାଯିବ ? ଶଙ୍କିତ କଣ୍ଠରେ ପଚାରିଲା ଶଙ୍କର ।

 

–ଜନ୍ମେଜୟ ଖବର ପାଇସାରିଛନ୍ତି । ତାଙ୍କ ଲୋକଙ୍କ ମୁହଁରୁ ଏଇ ଖବର ପ୍ରଚାର ହୋଇଯାଇଛି ଉପରଭାଗ ପ୍ରଗଣାରେ । କାଲି ଶୀର୍ଷାରେ ପ୍ରତିବାଦ ସଭା ହୋଇଥିଲା । ସ୍କୁଲ ଛାତ୍ରମାନେ ଶୋଭାଯାତ୍ରାରେ ବାହାରିଥିଲେ ଗିରଫର ପ୍ରତିବାଦ କରିବା ପାଇଁ । ପୁଲିସ ଘଉଡ଼େଇ ଦେଇଛି ସେମାନଙ୍କୁ । ଏସବୁ କାହା ନିର୍ଦ୍ଦେଶରେ ହେଉଛି ତାହା ଜାଣିବା ପାଇଁ କେତେଜଣଙ୍କୁ ଥାନାଙ୍କୁ ଧରିନେଇ ପଚରାଉଚରା କରୁଥିବାର ଖବର ପାଇଛି । ଶୀର୍ଷାର ନରେନ୍ଦ୍ର ପାଳଙ୍କ ନାମ ଶୁଣିଥିବ । ସେ ଜଣେ ବଡ଼ ଚାଷୀ । ଉତ୍କଳମଣି ଗୋପବନ୍ଧୁ ଦାସ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ସରକାରୀ ଓକିଲ ଥିଲାବେଳେ ନରେନ୍ଦ୍ର ପାଳଙ୍କ ଅତିଥି ହୋଇ ରହିଥିଲେ ଦି’ ଦିନ । ତାଙ୍କରି ସମ୍ପର୍କରେ ଆସିବା ଦିନୁ ସେ ଦେଶ ସେବାରେ ମନ ଦେଇଛନ୍ତି । ଗାନ୍ଧି ମହାତ୍ମାଙ୍କ ଶିଷ୍ୟ, ଖଦଡ଼ ପିନ୍ଧନ୍ତି । ତାଙ୍କୁ ସନ୍ଦେହ କରି ଥାନାକୁ ଧରି ନେଇଥିଲା ପୁଲିସ । ଥାନାରେ ଶାରିରୀକ ନିର୍ଯ୍ୟାତନା ବି ଦେଇଥିବାର ଶୁଣାଯାଉଛି । ଏବେ ବାରିପଦା ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ନାକ ଓ କାନରୁ ରକ୍ତସ୍ରାବ ବନ୍ଦ ହୋଇଛି ସିନା କିନ୍ତୁ ଅବସ୍ଥା ଠିକ୍ ହୋଇନାହିଁ ।

 

ଗରମ ବରା ଦୁହିଁଙ୍କ ଆଗରେ ରଖିଦେଇ କପି ଆଣିବାକୁ ଗଲା ମାଳିନୀ ।

 

–ଶଙ୍କର କହିଲା–ନେତାଜୀ ଏସବୁ ଜାଣନ୍ତି ?

 

–ଖବର ପାଇଥିବେ ନିଶ୍ଚୟ, ନହେଲେ ଶୀର୍ଷା ଥାନା ଉପରେ ଅଚାନକ ଆକ୍ରମଣ କରିବା ପାଇଁ ମସୁଧା କରୁନଥାନ୍ତେ ।

 

–ଆପଣ ଜାଣନ୍ତି ଠିକ୍ ?

 

–ହଁ, ତାଙ୍କରି ନିର୍ଦ୍ଦେଶରେ ଯେ କୌଣସି ଦିନ ଥାନା ଉପରେ ଆକ୍ରମଣ କରିବେ ବିପ୍ଳବୀମାନେ ।

 

–ମୁଁ ଯିବି ?

 

–ନା, ନା, ଘରେ ରହିବା ପାଇଁ ଆଦେଶ ଦେଇଛନ୍ତି ସେ–ବାପା ତ ହାଜତରେ, ତୁ ବି ଘରୁ ବାହାରିଗଲେ ଅବସ୍ଥା କ’ଣ ହେବ ଭାବିଛୁ ?

 

–କିନ୍ତୁ ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଛି ଯେ ।

 

–ଯୁଦ୍ଧରେ ଇଂରେଜମାନେ ହାରିବାରେ ଲାଗିଛନ୍ତି । ସେମାନଙ୍କର ମନୋବଳ ଦୋହଲି ଗଲାଣି । ସେମାନେ ବି ଜାଣିଗଲେଣି ଯେ ଯୁଦ୍ଧ ପରେ ସୂର୍ଯ୍ୟ କେବେ ଅସ୍ତ ହେଉନଥିବା ବ୍ରିଟିଶ ସାମ୍ରାଜ୍ୟ ଆଉ ଏପରି ଅବସ୍ଥାରେ ରହିବ ନାହିଁ । ଶେଷଥର ପାଇଁ ଏଇ ଭାରତଭୂମିରେ ହିଁ ଦିନେ ସେମାନଙ୍କୁ ହୁଏତ ବ୍ରିଟିଶ୍‍ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ଦେଖିବାକୁ ପଡ଼ିବ ।

 

–ମାଷ୍ଟର ବାବୁ ବି ସେଇକଥା କହୁଥିଲେ । ବିପ୍ଳବୀ ଦ୍ଵିବେଦୀଙ୍କ ଶିଷ୍ୟ ସେ ।

 

–ଜନ୍ମେଜୟଙ୍କ ସହିତ ତାଙ୍କର ଯୋଗସୂତ୍ର ଥିବ ନିଶ୍ଚୟ ?

 

–ଅଛି…ଓଡ଼ିଶାର ବିପ୍ଳବୀ ନେତା ଦ୍ଵିବେଦୀଙ୍କ ନିର୍ଦ୍ଦେଶରେ କାମ ହେଉଛି । ବଙ୍ଗଳା ଓ ବିହାରର ବିପ୍ଳବୀମାନଙ୍କ ସହିତ ସମ୍ପର୍କ ରଖିଛନ୍ତି । ଜୟପ୍ରକାଶ, ଅରୁଣା ଆସଫ୍ ଅଲ୍ଲି, ରାମ ମନୋହର ଲୋହିଆଙ୍କ ଘନିଷ୍ଠ ବନ୍ଧୁ ସେ ।

 

–ହୁଏତ ଦିନ ଆସିବ ଯେତେବେଳେ ବିପ୍ଳବର ଜୟ ହେବ, ଭାରତ ସ୍ଵାଧୀନ ହେବ; କିନ୍ତୁ ସେତବେଳକୁ ବହୁ ନିରୀହ, ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିବେ, ବ୍ରିଟିଶ୍‍ ଶାସନର ଅତ୍ୟାଚାରରେ ପଙ୍ଗୁ, ଅଥର୍ବ ହୋଇଯାଇଥିବେ ।

 

–ବିନା ମୂଲ୍ୟରେ କେବେ କୌଣସି ଦେଶରେ ସ୍ଵାଧୀନତା ଆସିନାହିଁ, ଏଠାକୁ ମଧ୍ୟ ଆସିବ ନାହିଁ । ନେତାଜୀ ସୁଭାଷ ସେଥିପାଇଁ ସଶସ୍ତ୍ର ବିପ୍ଲବର ପକ୍ଷପାତୀ–କିନ୍ତୁ ଗାନ୍ଧିଜୀ ମାନୁନାହାନ୍ତି ।

 

–ଗାନ୍ଧିଜୀଙ୍କ ମତ ଠିକ୍‍ ବୋଲି ମନେହୁଏ ଶଙ୍କର । ପ୍ରବଳ ପରାକ୍ରମୀ ବ୍ରିଟିଶ୍‍ ଶାସକ ବିରୁଦ୍ଧରେ ନିରୀହ ଦେଶବାସୀ କୋଦାଳ, କୁରାଢ଼ୀ, ଲାଠି, ଟାଙ୍ଗିଆ ଧରି କେତେ ଦିନ ଲଢ଼ିବେ ? ସେମାନଙ୍କ ହାତରେ ବନ୍ଧୁକ ଅଛି, କମାଣ ଅଛି, ଉଡ଼ାଜାହାଜ ଅଛି, ଯୁଦ୍ଧ ଜାହାଜ ଅଛି, ମାରଣାସ୍ତ୍ର ଅଛି ।

 

ଧୀରେ ଧୀରେ ବରାତକ ଶେଷ କରି କଫି କପ୍‍ଟି ହାତକୁ ଉଠେଇ ନେଇ କହିଲା ଶଙ୍କର–ମୁଁ ଆଗେ ଚା’ କି କଫି ପିଉ ନଥିଲି । ଆପଣଙ୍କ ଘରକୁ ଆସି ଆସି ଏବେ ଅଭ୍ୟାସ ହୋଇଗଲାଣି । ଖାଣ୍ଟି ଦୁଧରେ ମାଉସୀଙ୍କ ହାତ ତିଆରି କଫି ପିଇବାକୁ ଲୋଭ ହୁଏ ସତରେ ।

 

“ଆଜି କିନ୍ତୁ ମୁଁ ନୁହେଁ, ମାଳିନୀ କଫି ତିଆରି କରିଛି ପୁଅ ।” –କହିଲେ ଚାନ୍ଦାରାଓଙ୍କ ମା’ ।

 

ମାଳିନୀ ବସିବା କୋଠରିକୁ ପଶିଆସୁଥିଲା, ତା’ ନାମ ପଡ଼ିଥିବା ଶୁଣି ଫିକ୍‍କିନା ହସିଦେଇ ଫେରିଗଲା । ଶଙ୍କର କେବଳ ଦେଖିପାରିଲା ମାଳିନୀ ମୁହଁର ସେଇ ସ୍ନିଗ୍ଧ ହସ । ଅନୁରାଗର ସେଇ ପ୍ରତିଲିପି, ଅନ୍ତର୍ଲିପିର ସେଇ ଅନୁପମ ଅଭିବ୍ୟକ୍ତି ।

 

ଟ୍ରେନ୍ ଆସିବା ବେଳ ହୋଇଗଲାଣି । ବାରିପଦା ଆଡ଼ୁ ଆସୁଥିବା ଏଇ ଗାଡ଼ିକୁ ଅପେକ୍ଷା କରନ୍ତି ସେ ପ୍ରତିଦିନ । ଖବରକାଗଜ ଆସେ ଏଇ ଗାଡ଼ିରେ । ଟ୍ରେନ୍‍ ଚାଲିଯିବା ପରେ ଅଫିସ୍‍ କାମ ଶେଷ କରି ନିରୋଳାରେ ବସି ବସି ଖବରକାଗଜ ପଢ଼ନ୍ତି ଚାନ୍ଦାରାଓ ।

 

ଷ୍ଟେସନକୁ ଯିବା ବାଟରେ କେଜାଣି କାହିଁକି ଚାନ୍ଦାରାଓଙ୍କର ମନେ ହେଲା ଯେ ମାଳିନୀର ବିବାହ ବୟସ ହୋଇଗଲାଣି । ଏବେ ଦଶମ ଶ୍ରେଣୀରେ ପଢ଼ୁଛି । ଆଉ ବରଷେ ପରେ ମେଟ୍ରିକ ପାସ୍‍ କଲେ କଲେଜକୁ ପଠେଇବାର ସୁବିଧା ନାହିଁ । କିନ୍ତୁ ଚିନ୍ତା କଲାକ୍ଷଣି ତ ବାହାଘର ହୋଇଯାଏ ନାହିଁ, ସେଥିପାଇଁ ଉଦ୍ୟମ କରିବାକୁ ହୁଏ । ଆଜିଠୁ ଯତ୍ନ କଲେ ହୁଏତ ଦୁଇ ତିନିବର୍ଷ ମଧ୍ୟରେ ରତ୍ନଟିଏ ମିଳିବ । କିନ୍ତୁ ସେ ତ ଆନ୍ଧ୍ରଦେଶର ଲୋକ । ତାଙ୍କର ଭାଷା ଭିନ୍ନ । ଚଳଣି ବି ଏ ଅଞ୍ଚଳର ଚଳଣିଠାରୁ ଫରକ । ତଥାପି ଯଦି କିଛି ଗୋଟାଏ ଠିକ୍‍ ହୋଇଯାଆନ୍ତା ସେ ନିଶ୍ଚିନ୍ତ ହୁଅନ୍ତେ । ଆଉ ମାଳିନୀ ରୂପରେ ଗୁଣରେ ଅଯୋଗ୍ୟା ନୁହେଁ । ପନ୍ଦର ଚାଲିଛି । ଆସନ୍ତା ଫଗୁଣରେ ଷୋହଳ ପଶିବ । ସେ ଅଠର ବରଷରେ ମାଟ୍ରିକ ପାସ୍‍ କରିଥିଲେ । ମାଳିନୀ ପନ୍ଦର ବରଷରେ ପାସ୍ କରିବ । ଆଉ ଉପରକୁ ପଢ଼ିବାର ସୁଯୋଗ ନାହିଁ । ବିଜୟନଗରମରେ କି ବାରିପଦାରେ ଏବେ ବି କଲେଜ ଖୋଲିନି ।

 

–ତୁ ତ ମେଟ୍ରିକ୍ ପରୀକ୍ଷା ଦେଇସାରିଛୁ ଶଙ୍କର–ଫଳ କେବେ ବାହାରିବ ? ପଚାରିଲେ ଚାନ୍ଦାରାଓ ।

 

–ସମୟ ହୋଇଗଲାଣି, ହୁଏତ ଶୀଘ୍ର ବାହାରିବ ।

 

–ତା’ପରେ କ’ଣ କରିବୁ ?

 

–ବାପା ଚାହାଁନ୍ତି ମୁଁ ଆହୁରି ପଢ଼େ, ମୋର ବି ସେଇ ଇଚ୍ଛା । ଗ୍ରାଜୁଏଟ୍ ହେବା ଲକ୍ଷ୍ୟ ।

 

–Very good । ତୁ ଲକ୍ଷ୍ୟ ପଥରେ ଆଗେଇ ଯା’ ଶଙ୍କର ।

 

–କିନ୍ତୁ ଆମ ଘରର ଅବସ୍ଥା ତ ଆପଣ ଜାଣନ୍ତି । ବାରିପଦାରେ କୌଣସି ପ୍ରକାର ଚଳିଯାଉଥିଲି । ମେଦିନୀପୁର ବା ବାଲେଶ୍ଵର ଯିବାକୁ ହେବ କଲେଜରେ ପଢ଼ିବା ପାଇଁ । ନଚେତ କଟକ ବା ପୁରୀ ।

 

–ରେଭେନ୍‍ସା କଲେଜର ନାମ ଡାକ, ଅନେକ ବଡ଼ ବଡ଼ ଲୋକଙ୍କ ପୁଅଝିଅ ପଢ଼ନ୍ତି ସେଠାରେ । ପ୍ରତିବର୍ଷ ପାଟଣା ୟୁନିଭର୍‍ସିଟିର ରେଜଲଟ୍ ଦେଖିଲେ ଏଇ କଲେଜର ଷ୍ଟାଣ୍ଡାର୍ଡ଼ ସମ୍ପର୍କରେ ଧାରଣା ହୁଏ ଶଙ୍କର ।

 

–ଆମ ବହିରେ ଗୋଟିଏ କଥା ପଢ଼ିଥିଲି–ଆକାଶ କଇଁଆ ଚିଲିକା ମାଛ ।

 

–ଅଥଚ ଅସମ୍ଭବ ବୋଲି କିଛି ଗୋଟେ ଶବ୍ଦ ଅଛି ବୋଲି ଆଦୌ ସ୍ଵୀକାର କରୁନଥିଲେ ନେପୋଲିଅନ୍ । ଏଇ ସ୍ଵାଧୀନତା ବିଷୟ କହୁନୁ, କେହି କ’ଣ ଦିନେ ସ୍ଵପ୍ନରେ ଭାବିଥିଲା ଯେ ଏ ଦେଶ ଦିନେ ସ୍ଵାଧୀନ ହେବ ? କିନ୍ତୁ ଏବେ ତ ଅନ୍ଧାର ଶେଷ ହୋଇ ଆସିବା ପରି ଲାଗୁଛି । ଆଉ ବର୍ଷ କେତୁଟାରେ ଭାରତ ଯେ ସ୍ଵାଧୀନ ହେବ ଏହା ତ ପ୍ରାୟ ନିଶ୍ଚିତ ହୋଇଗଲାଣି ।

 

–ଆପଣ ନେତାଜୀ ସୁଭାଷଙ୍କ କଥା କହୁଛନ୍ତି ?

 

–ନା, ନା, ଖାଲି ନେତାଜୀଙ୍କର ନୁହେଁ, ଏଇ କଥା ଏବେ ଶହ ଶହ ଲୋକଙ୍କ ମୁହଁରୁ ଶୁଣାଯାଉଛି । ତୁ କଟକ, କଲିକତା ବା ମେଦିନୀପୁର ଯା, ଅନେକ ଲୋକଙ୍କ ମୁହଁରୁ ଏଇ କଥା ଶୁଣିବୁ । ଇଞ୍ଚୁଡ଼ିରେ ଲୁଣ ମାରିବାକୁ ଯାଇ ଯେଉଁମାନେ ପ୍ରାଣବଳି ଦେଲେ, ସେମାନଙ୍କ ତ୍ୟାଗ କ’ଣ ନିଷ୍ଫଳ ହୋଇଯିବ ? କେବେ ନୁହେଁ । ମୟୂରଭଞ୍ଜରେ ରାମଚନ୍ଦ୍ର ଭଞ୍ଜଙ୍କ ପରି ଜଣେ ଋଷିପ୍ରାଣ ରାଜା ଥିଲେ ବୋଲି ପ୍ରଜା ଆନ୍ଦୋଳନ ଆରମ୍ଭ ହେଲା ଅନେକ ବିଳମ୍ବରେ । ତା’ପରେ ଚାନ୍ଦାରାଓ କହିବାକୁ ଆରମ୍ଭ କଲେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ କୀର୍ତ୍ତି । ତାଙ୍କର ଦୂରଦୃଷ୍ଟିର ଫଳଶ୍ରୁତି ଏଇ ଅପ୍ରଶସ୍ତ ରେଳପଥ । ୧୯୦୪ରେ ମୟୂରଭଞ୍ଜ ଲାଇଟ୍‍ ରେଲୱେର ଶୁଭ ଉଦ୍‍ଘାଟନ କରିଥିଲେ ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଆଣ୍ଡୃ ଫ୍ରେଜର । ତାଙ୍କରି ନାମ ଅନୁସାରେ ବାରିପଦା ଉଚ୍ଚ ଇଂରାଜୀ ବିଦ୍ୟାଳୟର ପରିସର ମଧ୍ୟରେ ତିଆରି ହୋଇଥିଲା ଗୋଟିଏ ଛାତ୍ରାବାସ, ଯାହାକୁ ତମେ ସବୁ କୁହ ଫ୍ରେଜର୍ ହଷ୍ଟେଲ ।

 

ତାଙ୍କୁ ବିଶ୍ଵନାଥ ଆହୁରି କେତେକଥା କହିଥିଲେ ମହାରାଜଙ୍କ କୀର୍ତ୍ତି ସମ୍ପର୍କରେ । ତାଙ୍କରି ଦ୍ଵାରା ୧୯୦୫ରେ ସ୍ଥାପିତ ହୋଇଥିଲା ବାରିପଦା ମ୍ୟୁନିସିପାଲିଟି । ସ୍ଵାୟତ୍ତଶାସନର ପ୍ରଥମ ଭିତ୍ତି ସ୍ଥାପନ କରିଥିଲେ ମହାରାଜା ଶ୍ରୀରାମଚନ୍ଦ୍ର । ସୁନାରେ ସୋହାଗାର ସଂଯୋଗ ହେବାପରି ମହାରାଜା ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ଗଢ଼ିଉଠିଥିଲା ଅନ୍ତରଙ୍ଗ ସମ୍ପର୍କ । ସେଇ ଉଦାର, ମାନବବାଦୀ ମହାତ୍ମାଙ୍କ ପ୍ରଭାବରେ ମହାରାଜା ହୋଇଉଠିଥିଲେ ଆହୁରି ଉଦାର । ସେଇ ପୌରପରିଷଦର ଉପସଭାପତି ଥିଲେ ଉତ୍କଳମଣି, ଆଉ ମହାରାଜା ଥିଲେ ସଭାପତି–ମଣିକାଞ୍ଚନ ସଂଯୋଗ ।

 

ସେତେବେଳେ ରେଳଲାଇନ ଉପରେ ଗାଡ଼ି ଚାଲିବ ବୋଲି ଆଦୌ ବିଶ୍ଵାସ ନଥିଲା ଲୋକଙ୍କର । ସେମାନେ ବହୁସଂଖ୍ୟାରେ ଛିଡ଼ା ହୋଇଥିଲେ ରେଳପଥର ଦୁଇକଡ଼ରେ ଯନ୍ତ୍ରରାକ୍ଷସକୁ ଦେଖିବାପାଇଁ । ଆଦିବାସୀମାନେ ଦୂରଦୂରାନ୍ତରୁ ଆସିଥିଲେ ହାତରେ ତୀର ଧନୁଧରି । କିନ୍ତୁ ସବୁ କଳ୍ପନା ଜଳ୍ପନା ଓ ଆଶଙ୍କା ଦୂରକରି ସତକୁ ସତ ଯେତେବେଳେ ମେଦିନୀ କମ୍ପାଇ ତୂରୀ ବଜେଇ ଧୁଆଁଛାଡ଼ି ବଡ଼ ବଡ଼ ଚକଲାଗିଥିବା କଳା ଲୁହା ଇଞ୍ଜିନ୍ ଚାରିଟା ଡବା ଟାଣି ଝମାଝମ୍ ତାଳପକେଇ ଚାଲିଗଲା, ଆଖି ଆଗରେ ଲୋକମାନେ ଅବାକ୍ ହୋଇଗଲେ । ବୁଢ଼ାମାନେ ବିଶ୍ଵାସ କରିନପାରି ମନ୍ତ୍ରବଳରେ କେହି ଭେଳିକି ଦେଖାଉଛି ବୋଲି ଭାବିଲେ । କିନ୍ତୁ ତା’ ପରଦିନଠାରୁ ପ୍ରତିଦିନ ପ୍ରାୟ ଠିକ୍‍ ସମୟରେ ସେଇ ଯନ୍ତ୍ରରାକ୍ଷସ ଯେତେବେଳେ ଆସିବାକୁ ଲାଗିଲା, ଆଉ ଭୟ ନକରି ତା’ ପାଖକୁ ଗଲେ ଲୋକମାନେ । ସିନ୍ଦୂର ଲଗେଇ ଫୁଲ ଚଢ଼େଇ ବନ୍ଦାପନା କରି ପ୍ରଣାମ କଲେ ଇଞ୍ଜିନ୍ ଆଗରେ । ଶୁଣାକଥା ହେଲେ ବି ମିଛ ନୁହେଁ–ସତ । ଶହେଟା ଶଗଡ଼ରେ ଯେତିକି ଲୋକ ଯାଇ ନ ପାରିବେ ତା’ଠାରୁ ଅଧିକ ଲୋକ ଗୋଟେ ରେଳଗାଡ଼ିରେ ଯାଇପାରିବେ । ଧନ୍ୟ କହିବ ସେଇ ଇଂରେଜମାନଙ୍କୁ । ଧନ୍ୟ କହିବ ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ । ମନେପଡ଼ୁଥିଲା ଅତୀତ ।

 

ମୟୂରଭଞ୍ଜ ଲାଇଟ୍ ରେଲୱେ କାର୍ଯ୍ୟ କରିବାର ତିରିଶବର୍ଷ ପରେ ସେ ଚାକିରିରେ ଯୋଗଦେଇଥିଲେ । ପାଞ୍ଚବରଷ ବାହାରେ ରହିବା ପରେ ବୁଢ଼ାମରା ଷ୍ଟେସନକୁ ବଦଳି । ସେଇଦିନୁ ରହିଯାଇଛନ୍ତି ଏଠାରେ । ଏଇ ଷ୍ଟେସନ ଆଗରେ ଛିଡ଼ାହୋଇ ପୂର୍ବକୁ ଚାହିଁଲେ ଚହଟି ଉଠେ ଠାକୁରାଣୀ ପାହାଡ଼ର ସବୁଜ ଶ୍ୟାମଳ ରୂପ । ରାତିରେ ପଶ୍ଚିମରେ କୋଡ଼ିଏ କୋଶ ଦୂରରେ ଶିମିଳିପାଳ ପର୍ବତମାଳା ଧ୍ୟାନମଗ୍ନ ଋଷିପରି ଗମ୍ଭୀର ପ୍ରଶାନ୍ତ ଦେଖାଯାଏ । ଉତ୍ତର ଓ ଦକ୍ଷିଣରେ ଧାନଖେତ । ଠାକୁରାଣୀ ପାହାଡ଼ର ପାଦ ଦେଶରେ ଯେଉଁ ବନ୍ଧ ଅଛି ତାହା ନିର୍ମାଣ କରିଥିଲେ ପୂଣ୍ୟଶ୍ଲୋକ ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ମହାରାଜା ପୂର୍ଣ୍ଣଚନ୍ଦ୍ର ୧୯୧୭ ମସିହାରେ । ଜଳସେଚନର ସୁବିଧା ପାଇଁ ଆହୁରି ଦୁଇଟା ବନ୍ଧ ନିର୍ମାଣ କରାଇଥିଲେ ବାଲିଡିହା ଓ ହଳଦିଆରେ-। ବାପ ପରି ପୁଅ ।

 

ଚାନ୍ଦାରାଓଙ୍କ ଆଖି ଆଗରେ ଭାସିଯାଉଥିଲା ଇତିହାସ । ସେ ଷ୍ଟେସନକୁ ଗଲେ ଗାଡ଼ି ଆସିବାର ବେଳ ହେବାରୁ ।

 

ଟ୍ରେନ୍ ଆସୁଥିବା ଶବ୍ଦ ଶୁଭିଲା । ଚାନ୍ଦାରାଓ ଦକ୍ଷିଣକୁ ଚାହିଁଲେ ଏବଂ ଇଞ୍ଜିନ୍‍ର ଧୂଆଁ ଦେଖିବାପରେ ସିଗ୍‍ନାଲ ତଳକୁ କଲେ ।

 

ଗାଡ଼ି ପହଞ୍ଚିଲେ ଗହଳଚହଳ ବଢ଼ିଯାଏ ଷ୍ଟେସନରେ । ସେ ଆସିବା ଆଗରୁ ଏଠାରେ ଗୋଟେ ଚାଉଳ କଳ ବସାଇଥିଲେ ଦାଉଦ ମିଆଁ । ଚାକୁଳିଆର ଲୋକ । ସେଠାରେ କାରବାର ଭଲ ଚାଲିଲା ନାହିଁ ବୋଲି ଉଠିଆସିଲେ ଏଠାକୁ । ମହାରାଜା ଜମି ଯୋଗାଇ ଦେଇଥିଲେ ମାଗଣାରେ–ମିଲ୍ ବସିଲେ ବ୍ୟବସାୟ ବଢ଼ିବ, କାମଧନ୍ଦା ପାଇବେ ଲୋକମାନେ ।

 

ଟ୍ରେନ ଆସି ଛିଡ଼ାହେଲା ଷ୍ଟେସନରେ । ଟ୍ରେନ୍‍ରୁ ଓହ୍ଲାଇଲେ ଚାଉଳକଳର ମାଲିକ ଦାଉଦ ସାହେବ–ମିଆଁ ବରକତ୍ଉଲ୍ଲା ଦାଉଦ । ଚାନ୍ଦାରାଓ ନମସ୍କାର କରି କହିଲେ–କ’ଣ ଆଣିଲେ ସାହେବ ବାରିପଦାରୁ ?

 

ମୁହଁ ଶୁଖେଇ କହିଲେ ଦାଉଦ ମିଆଁ–ଯୁଦ୍ଧ ବଢ଼ିବାରେ ଲାଗିଛି ମାଷ୍ଟର ବାବୁ । ବଜାରରେ ସବୁ ଅମିଳ । ଯାହା ମିଳୁଛି ସେସବୁର ଆକାଶଛୁଆଁ ଦର । ଆଉ ବୋଧେ ମିଲ୍ ଚାଲିବ ନାହିଁ । ଯାହା ଚାଉଳ ଥିଲା ସବୁ ତ ମିଲିଟାରୀ ନେଇଗଲେ । ବାହାରେ ଚାଉଳ ସେର ଚାରିଅଣା, ଆଉ ସେମାନେ ମୋ ମିଲ୍‍ରୁ ନେଲେ ଦୁଇଅଣାରେ । କଲିକତାରେ ପୋକମାଛି ପରି ମରୁଛନ୍ତି ଲୋକେ ।

 

“ଋଣକ୍ଷେତ୍ରରେ ଲଢ଼ୁଥିବା ସୈନ୍ୟମାନଙ୍କ ପାଇଁ ଚାଉଳ, ଅଟା, ମୁର୍ଗୀ, ଛେଳି, ଅଣ୍ଡା, ପନିପରିବା ସବୁ ଚାଲାଣ ହେଉଛି ଦିନରାତି । ଏଠାରେ ବି ଆଉ କିଛି ମିଳୁନି–କହିଲେ ଚାନ୍ଦାରାଓ-

 

“କାଲି ମିଲିଟାରୀ ଅଫିସର ଆସିଥିଲା । ଗୋରା ସାହେବ । ପୁଣି ପଅରଦିନ ଆସିବ । ଔରତ ଯୋଗାଡ଼ କରିବାକୁ କହିଯାଇଛି ମତେ । ମା’ ବହିନକୁ ତା’ ହାତରେ ଟେକିଦେବି ? ”

 

ଚାନ୍ଦାରାଓଙ୍କ ଆପଦମସ୍ତକ ଶିର୍‍ଶିରେଇ ଉଠିଲା ଘୃଣା ଏବଂ ରାଗରେ । ଏକଥା ବି ଶୁଣିବାକୁ ଥିଲା ଜୀବନରେ ?

 

କେତେବେଳୁ ଶଙ୍କର ଆସି ପଛରେ ଛିଡ଼ାହୋଇଥିଲା ଜାଣିନଥିଲେ ସେ । ସେଇ ଗୋରା ସାହେବଙ୍କୁ ଖତମ୍‍ କଲେ କେମିତି ହୁଅନ୍ତା ? ଚାନ୍ଦାରାଓଙ୍କ କାନ ପାଖେ ଫିସ୍‍ ଫିସ୍‍ କରି କହିଲା ଶଙ୍କର ।

 

ଦାଉଦ ସାହେବ ପଚାରିଲେ–କ’ଣ କହୁଛି ଶଙ୍କର ?

 

କଥା ବାଆଁରେଇ ଦବାପାଇଁ କହିଲେ ଚାନ୍ଦାରାଓ–ସେ ଅନ୍ୟ ବିଷୟ । ତେବେ ମୋ ମନ କହୁଛି ଆପଣ ଏ ବିଷୟ ନେଇ ମୁଣ୍ଡ ଘୁରାନ୍ତୁ ନାହିଁ । ଆପଣଙ୍କୁ ଶ୍ରଦ୍ଧା କରନ୍ତି ଲୋକମାନେ ।

 

–କିନ୍ତୁ ଏଇ ମିଲ୍‍ଟାରିଙ୍କୁ ନେଇ ମୁସ୍କିଲ ହେଉଛି ମାଷ୍ଟର ବାବୁ । ଔରତ ଯୋଗେଇ ନଦେଲେ ମୋ ମିଲ୍ ବନ୍ଦ କରିଦେବ ମହାରାଜାଙ୍କୁ କହି ।

 

–ମହାରାଜା ପ୍ରତାପଚନ୍ଦ୍ର ଏମିତି ନୁହଁନ୍ତି ସାହେବ ।

 

–ମୁଁ ଜାଣେ ମାଷ୍ଟର ବାବୁ, କିନ୍ତୁ ସେ କ’ଣ କରିବେ ? ତାଙ୍କ ଉପରେ ପଲିଟିକାଲ୍ ଏଜେଣ୍ଟ ଅଛି । ସେ ତ ଗୋରା ସାହେବ । ମିଲିଟାରୀମାନଙ୍କ ସୁଖ ସୁବିଧାରେ ଯେପରି ବିଘ୍ନ ନହୁଏ ତାହା ଦେଖିବା ପାଇଁ କୁହାଯାଇଛି ସବୁ ରାଜା ମହାରାଜାମାନଙ୍କୁ ।

 

ଟ୍ରେନ୍ ଛାଡ଼ିଦେଲା । ଦାଉଦ ସାହେବ ଚାଲିଲେ ମିଲ୍ ଆଡ଼କୁ । କ’ଣ ଭାବି ଦୁଇପାଦ ଯାଇ ଅଟକିଗଲେ ପୁଣି । ଚାନ୍ଦାରାଓଙ୍କୁ ପାଖକୁ ଡାକି କହିଲେ–ମାଳିନୀ ଆସିଛି ଶୁଣିଲି । ଚାନ୍ଦାରାଓ ହଁ କି ନା କିଛି ଉତ୍ତର ନଦେଇ ମୁହଁ ବୁଲାଇଦେଲେ । ଶଙ୍କରର ଆପାଦମସ୍ତକ ଥରି ଉଠିଲା ଘୃଣାରେ । ଦାଉଦ ଦୃଷ୍ଟିପଥରୁ ଅଦୃଶ୍ୟ ହୋଇଯିବା ପରେ ଶଙ୍କର କହିଲା–ୟାକୁ ମୁଁ ଖତମ କରି ଦେବି କାକାବାବୁ… । ଚାନ୍ଦାରାଓ ତା’ ମୁହଁକୁ ତୀକ୍ଷଣ୍ ଦୃଷ୍ଟିରେ ଚାହିଁଲେ, କିନ୍ତୁ କ’ଣ ଉତ୍ତର ଦେବେ ଭାବିପାରିଲେ ନାହିଁ । ତାଙ୍କ ଆଖି ଆଗରେ ଭାସି ଉଠିଲା ମାଳିନୀର ସରଳ, ନିରୀହ ମୁହଁ-। ହଠାତ୍ ତାଙ୍କ କାନେ କାନେ କେହି ଯେପରି କହିଦେଲା–ଯଦି ମାଳିନୀ ଉପରେ ଦୃଷ୍ଟି ପଡ଼େ କ’ଣ କରିବ ଚାନ୍ଦାରାଓ ? ଦାଉଦ ମିଆଁର ହାତ ବହୁତ ଲମ୍ବା ଯେ !

 

ଚାନ୍ଦାରାଓ ଉତ୍ତେଜିତ ହୋଇଉଠିଲେ । ବିନ୍ଦୁ ବିନ୍ଦୁ ଝାଳ ଉକୁଟି ଉଠିଲା କପାଳ ଉପରେ-। ଶଙ୍କର କ’ଣ ବୁଝିଲା କେଜାଣି କହିଲା ଦୃଢ଼ ଓ ଦୃପ୍ତ ସ୍ଵରରେ–ଆପଣ ନିଶ୍ଚିନ୍ତ ଥାଆନ୍ତୁ କାକାବାବୁ...କର୍ତ୍ତବ୍ୟ ସ୍ଥିର କରିସାରିଛି ମୁଁ । ଦାଉଦ ସାହେବ ଆଉ କାହାକୁ ନକହି କାହିଁକି ଆପଣଙ୍କୁ ଏକଥା କହିଲା ତା’ର ବି ଗୂଢ଼ ଅର୍ଥ ଅଛି । କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ଯେ ସେ ଆଉ ନଥିବ ମିଲିଟାରି ଅଫିସରର ଖିଦ୍‍ମତ୍‍ଗାରୀ ଖଟିବା ପାଇଁ ତାହା ନିଶ୍ଚିତ । ସଲାମତ ଅଲ୍ଲୀ ନିଜର ସ୍ତ୍ରୀ ହରେଇଥିଲା ଏଇ ଦାଉଦ ସାହେବ ପାଇଁ । ସେଇ ସଲାମତ ଅଲ୍ଲୀ ଭୁଲିନି ସେକଥା । ଆଉ ସେ ଦେଶଭକ୍ତ…ମୁଣ୍ଡ ଛିଣ୍ଡିଯିବ ପଛେ ତୁଣ୍ଡ ଖୋଲିବ ନାହିଁ । ତା’ କାନ୍ଧ ଉପରେ ସମ୍ମତିର ହାତ ରଖିଲେ ଚାନ୍ଦାରାଓ…। ହଠାତ୍‍ ଶଙ୍କର ବିଜ୍ଞ ବୟସ୍କ ହୋଇଉଠିଲା ତାଙ୍କ ଆଖି ଆଗରେ-

 

[ ୧୧ ]

 

ଦୁଇଟି ଘଟଣା ଏତେ କ୍ଷିପ୍ର ଓ ଅପ୍ରତ୍ୟାଶିତ ଭାବେ ଘଟିଗଲା ଯେ ଗୋଟିଏ ଜଗତକୁ ଚମକାଇ ଦେଲା ଓ ଆଉ ଗୋଟେ ଚମକାଇ ଦେଲା ଏକ ନିଶ୍ଚେତନ ଅଞ୍ଚଳକୁ ।

 

ଯେଉଁଦିନ ନାଜୀ ଜର୍ମାନୀର ବୋମା ପଡ଼ିଲା ଲଣ୍ଡନ ପାର୍ଲିଆମେଣ୍ଟ ହାଉସ୍‍ ପାଖରେ, ସେଦିନ ମିତ୍ରଶକ୍ତି ଶିହରି ଉଠିଥିଲେ ଏକ ଅଜ୍ଞାତ ଆଶଙ୍କାରେ । ଫାଶୀବାଦ ଆଗରେ ଶେଷରେ କ’ଣ ବିଲୟ ଘଟିବ ଗଣତାନ୍ତ୍ରିକ ଜଗତର ?

 

ଠିକ୍ ସେହିପରି ଶୀର୍ଷାଥାନା ଉପରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଅଚାନକ ଆକ୍ରମଣ ସ୍ତବ୍‍ଧ କରିଦେଇଥିଲା ଏଇ ବଣମୂଲକର ଏକ ଅପାଙ୍‍କ୍ତେୟ ଅଞ୍ଚଳର ନିରୀହ ଜନସାଧାରଣଙ୍କୁ । ସାନ୍ତାଳମାନଙ୍କ ବିଦ୍ରୋହର ପ୍ରାୟ ପଚାଶବର୍ଷ ପରେ ପୁଣି ବିଦ୍ରୋହର ଅଶନି ସଙ୍କେତ ଚମକାଇ ଦେଲା ଦରବାରକୁ ।

 

ରାତିରେ ବେଶ୍ ନିଶ୍ଚିନ୍ତରେ ଶୋଇଥିଲେ ଥାନାବାବୁ ଏବଂ କନେଷ୍ଟବଳମାନେ । ଶୀର୍ଷାପରି ଏକ ଗ୍ରାମ୍ୟଥାନା ସରକାରୀ ଶକ୍ତିର ପ୍ରତୀକ ଛଡ଼ା ଆଉ କିଛି ନୁହେଁ । ଏ ଅଞ୍ଚଳରେ ଡକାୟତି, ନରହତ୍ୟା, ଧର୍ଷଣ ପ୍ରଭୃତି ଘୃଣ୍ୟ ଅପରାଧ କଦାଚିତ୍ ଘଟିଥାଏ । ଜଣେ କନେଷ୍ଟବଳକୁ ଦେଖିଲେ ଗାଁର ସହସ୍ର ଜନତା ଭୀତତ୍ରସ୍ତ ହୋଇ ବାଟ ଛାଡ଼ିଦିଅନ୍ତି । ସଦରମହକୁମାରୁ କେହି ହାକିମ ବା କଦବାକ୍ଵଚିତ୍ ଦେୱାନ ସାହେବ ବିଜେ କଲେ ନିର୍ବାକ ଜନସାଧାରଣ ଦୂରରେ ରାସ୍ତାରେ ଦୁଇକଡ଼ରେ ଛିଡ଼ାହୋଇ ପ୍ରଣାମ ଜଣାନ୍ତି ପଦସ୍ଥ ଅଧିକାରୀ ବା ଦେୱାନ ସାହେବଙ୍କୁ । ରାଜାଙ୍କ ଆଜ୍ଞା ଅମାନ୍ୟ କରିବା ଦୂରେ ଥାଉ, କନେଷ୍ଟବଳ ବା ଗ୍ରାମ ଚୌକିଦାରର ଆଦେଶ ଶିରୋଧାର୍ଯ୍ୟ କରି ସେମାନେ କାମ କରନ୍ତି ବିନା ପ୍ରତିବାଦରେ । ସେପରି ଏକ ନିଶ୍ଚେତନ ଅଞ୍ଚଳରେ ରାଜଶକ୍ତିର ପ୍ରତୀକ ପୋଲିସ ଥାନା ଉପରେ ଆକ୍ରମଣ କରି ମାରଣାସ୍ତ୍ର ଛଡ଼ାଇ ନେବା ଘଟଣା କେବେ କେହି ଶୁଣି ନଥିଲେ ।

 

ରାତି ଗୋଟାଏ ଦେଢ଼ଟା ମଧ୍ୟରେ ଥାନାବାବୁ ବସାରେ ନିଶ୍ଚିନ୍ତରେ ଶୋଇଥିବାବେଳେ ଡିଉଟିରେ ଥିବା ଦୁଇଜଣ କନେଷ୍ଟବଳଙ୍କୁ କାବୁ କରି ତିନିଟା ବନ୍ଧୁକ ଓ ଗୁଳିଗୁଳା ଲୁଟ୍‍ କରି ବିପ୍ଳବୀମାନେ ଥାନାରେ ନିଆଁ ଲଗାଇଦେଇ ଚାଲିଗଲେ । ଥାନା ଜଳୁଥିବାର ଖବର ନିମିଷକ ମଧ୍ୟରେ ଯେମିତି ପ୍ରଚାରିତ ହୋଇଗଲା ଆଖପାଖ ଗ୍ରାମମାନଙ୍କର ଲୋକମାନେ ଥାନାରେ ନିଆଁ ଲିଭାଇବା ପାଇଁ ନ ଆସି ବରଂ କବାଟ କିଳି ଘର ଭିତରେ ପଶିଲେ । ରାତିରେ ସେଇ ନିରବତା ଭଙ୍ଗକରି ନିଆଁ ଲାଗି ବାଉଁଶ ଫୁଟିବାର ଶବ୍ଦରେ କମ୍ପିଉଠିଲା ଲୋକାଳୟ । ବିପ୍ଳବୀମାନେ ଚତୁରତାର ସହିତ ଏହା ବନ୍ଧୁକର ଆବାଜ ବୋଲି ପ୍ରଚାର କରିଦେଲା ମାତ୍ରେ, ପୁଲିସ ଓ ବିପ୍ଳବୀମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ସମ୍ବାଦ ସହିତ ଆତଙ୍କ ଖେଳିଗଲା ସର୍ବତ୍ର । ଖବର ପାଇ ଦଳବଳ ନେଇ ବାରିପଦାରୁ ସଶସ୍ତ୍ର ପୁଲିସ୍ ବାହିନୀ ଶୀର୍ଷାରେ ପହଞ୍ଚିଲାବେଳକୁ ଦିନ ଦଶଟା । ତା’ପରେ ଘରେ ଘରେ ପଶି ପୁଲିସ ଯେଉଁ ଦମନଲୀଳା ଚଳାଇଲା ତାହା ଆଉ କେବେ କେହି ଦେଖିନଥିଲେ । ଯିଏ ପୁଲିସ ହାବୁଡ଼ରେ ପଡ଼ିଲା ତା’ଉପରେ ହେଲା ନିର୍ମମ ଅତ୍ୟାଚାର । ମାଡ଼ ଭୟରେ ଅନେକ ଗାଁ ଘର ଛାଡ଼ି ନଦୀ ପାରହୋଇ ବିହାରକୁ ପଳାଇଗଲେ, ଆଉ କେତକ ଦୂର ଦୂରାନ୍ତରେ ଥିବା ଆତ୍ମୀୟମାନଙ୍କ ଘରକୁ ଚାଲିଗଲେ ନିରାପଦରେ ଆଶ୍ରୟ ନେବା ପାଇଁ । ସାରସକଣା, ଶୀର୍ଷା ଏବଂ ପାଖଆଖର ପାଞ୍ଚଟା ଗ୍ରାମରେ ସଞ୍ଚରିଗଲା ଶ୍ମଶାନର ନିରବତା ।

 

ପୁଲିସ ସାହେବ କିନ୍ତୁ ସେତିକିରେ ଶାନ୍ତ ନହୋଇ ଗ୍ରାମବାସୀମାନଙ୍କ ଉପରେ ପିଟୁଣୀ କର ବସାଇବା ନିଷ୍ପତି ଘୋଷଣା କଲେ । ପ୍ରତି ପରିବାର ପିଛା ପଚାଶଟଙ୍କା ପିଟୁଣି କର ଚବିଶ ଘଣ୍ଟା ମଧ୍ୟରେ ପଇଠ ନକଲେ ରାଜ୍ୟ ଛାଡ଼ି ଚାଲିଯିବାପାଇଁ ଆଦେଶ ଦବାଲାଗି ସରକାର ବାଧ୍ୟ ହେବେ ବୋଲି ମଧ୍ୟ ଘୋଷଣା କଲେ ପୁଲିସ ସାହେବ । ପ୍ରକୃତରେ କୋକୁଆଭୟ ଖେଳିଗଲା ସେଇ ଅଞ୍ଚଳରେ । କିନ୍ତୁ ସନ୍ଦେହ କରି ଥାନାକୁ ଧରିନିଆଯାଇଥିବା ଲୋକଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେବାସତ୍ତ୍ଵେ କାହାରିଠାରୁ ବିପ୍ଳବୀମାନଙ୍କ ସମ୍ବନ୍ଧରେ ସଠିକ୍ ସୂଚନା ପାଇଲା ନାହିଁ ପୁଲିସ । ଜନ୍ମେଜୟ ଛଡ଼ା ଆଉ କେହି ଯେ ଏ କାମ କରିବାକୁ ସାହସ କରିବ ନାହିଁ ଏହା ଧରିନେଇ ସେଇ ମର୍ମରେ ଦରବାରକୁ ରିପୋର୍ଟ କଲେ ପୁଲିସ ସାହେବ । ମୟୂରଭଞ୍ଜର ଗ୍ରାମ, ବଣଜଙ୍ଗଲ ସବୁ ତନ୍ନ ତନ୍ନ କରି ଘାଣ୍ଟି ପକେଇଲେ ପୁଲିସବାହିନୀ, କିନ୍ତୁ ଜନ୍ମେଜୟଙ୍କ ପତ୍ତା ମିଳିଲା ନାହିଁ । କେବଳ ତାଙ୍କ ସହିତ ସମ୍ପର୍କ ଥିବା ବା ତାଙ୍କୁ ସମର୍ଥନ କରୁଥିବା କେତେକ ନିରୀହ ପ୍ରଜା ଉତ୍ପୀଡ଼ନ ଓ ଅତ୍ୟାଚାର ଭୟରେ ବିହାର ଓ ବଙ୍ଗଳାରେ ଥିବା ସମ୍ପର୍କୀୟମାନଙ୍କ ଘରେ ଆଶ୍ରୟ ନବାଲାଗି ଘରଛାଡ଼ି ପଳାଇଗଲେ ।

 

ଏଇ ଘଟଣା ଘଟିଯିବା ପରେ ବିଶ୍ଵନାଥ ଓ କୃପାସିନ୍ଧୁଙ୍କୁ ଛାଡ଼ିଦେବା ପ୍ରଶ୍ନ ଫାଇଲ୍ ତଳେ ଚାପା ପଡ଼ିଗଲା, ବରଂ ବ୍ରିଟିଶ୍ ଶାସନ ବିରୁଦ୍ଧରେ କାର୍ଯ୍ୟ କରୁଥିବାର ଅକାଟ୍ୟ ପ୍ରମାଣ ଦରବାରରେ ଥିବାରୁ ଏବଂ ବାଲେଶ୍ଵର ଓ ମେଦିନୀପୁରରୁ ମିଳିଥିବା ସରକାରୀ ରିପୋର୍ଟ ଏହା ସମର୍ଥନ କରୁଥିବାରୁ ଆହୁରି କଠୋର ହେଲା ମନ । ପଲିଟିକାଲ୍ ଏଜେଣ୍ଟ ଦୃଢ଼ ହସ୍ତରେ ଅରାଜକତା ଦମନ କରିବାକୁ ଆଦେଶ ଦେଲେ । ଅନିଚ୍ଛା ସତ୍ତ୍ଵେ ପିଲିଟିକାଲ୍ ଏଜେଣ୍ଟଙ୍କ ଆଦେଶ ଅନୁସାରେ ଆଇନ୍ ଶୃଙ୍ଖଳା ରକ୍ଷା ବ୍ୟବସ୍ଥା ଅହୁରି ଦୃଢ଼ କରାଗଲା ଏବଂ ପିଟୁଣୀ କର ଆଦାୟ କରି ସେଇ ଅର୍ଥରେ ନୂତନ ଥାନାଘର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା ଏକ ସମୟରେ ।

 

ସାରସକଣା ଓ ଶୀର୍ଷା ଅଞ୍ଚଳର ଯେଉଁ କେତେକ ଲୋକଙ୍କୁ ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତ ଥିବା ସନ୍ଦେହ କରି ଗିରଫ କରାଗଲା ସେମାନଙ୍କ ମଧ୍ୟରେ ଥିଲେ ବଡ଼ ଚାଷୀ ଓ ସଦାଶୟୀ ନରେନ୍ଦ୍ର ପାଲ, ଶୀର୍ଷା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ପାତ୍ର, ଜନ୍ମେଜୟଙ୍କ ବାଲ୍ୟସାଥୀ ତନ୍ତ୍ରସାଧକ ଭୈରବାନନ୍ଦ ଏବଂ ସପ୍ତମ ଶ୍ରେଣୀର ଛାତ୍ର ଅଗ୍ନି ପଟ୍ଟନାୟକ । ସେମାନଙ୍କୁ ହାତକଡ଼ି ପିନ୍ଧେଇ ପୋଲିସ ଭ୍ୟାନରେ ବସେଇ ସଶସ୍ତ୍ର ପୁଲିସ ପହରା ସହ ବାରିପଦା ନବା ରାସ୍ତାରେ କୁଳିଅଣା ଜଙ୍ଗଲ ପାରହେବା ବେଳେ ଗାଡ଼ି ଅଟକିଲା ଗୋଟିଏ ନିର୍ଜନ ସ୍ଥାନରେ । ଭୈରବାନନ୍ଦଙ୍କ ପଛେ ପଛେ ଗଲା ଜଣେ ସଶସ୍ତ୍ର ପୁଲିସ । ସେ ଝାଡ଼ା ଯିବାରୁ ସଶସ୍ତ୍ର ପୁଲିସ ମଧ୍ୟ ଝାଡ଼ା ଗଲା ପ୍ରକୃତିର ବଶହୋଇ । ସେ ପ୍ରାୟ ସାତ ଆଠ ମିନିଟ୍‍ ପରେ ଶୌଚ ହୋଇ ଭୈରବାନନ୍ଦଙ୍କୁ ଅପେକ୍ଷା କଲା । ଦଶ ମିନିଟ୍, ପନ୍ଦର ମିନିଟ୍, ପଚିଶ ମିନିଟ୍ ଅତିବାହିତ ହେଲେ ମଧ୍ୟ ଆଉ ସେ ଫେରିଲେ ନାହିଁ । ତାଙ୍କୁ ଖୋଜିବାପାଇଁ ସଶସ୍ତ୍ର ପ୍ରହରୀମାନେ ବଣ ଭିତରକୁ ପଶିବା ପରେ ହଠାତ୍ ମୁହଁ ଉପରେ କଳାକନା ବାନ୍ଧିଥିବା କେତେଜଣ ଅଚିହ୍ନା ଲୋକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରି ପହରା ଦେଉଥିବା ତିନିଜଣ କନେଷ୍ଟବଳଙ୍କୁ କାବୁ କରି ସେମାନଙ୍କର ହାତଗୋଡ଼ ବାନ୍ଧି ପୁଲିସ ଭ୍ୟାନ୍ ଭିତରେ ବନ୍ଦ କରିଦେଲେ । ଡ୍ରାଇଭରକୁ ସିଟ୍‍ ସହିତ ବାନ୍ଧିଦେଲେ ଏବଂ ଟାୟାର୍‍ର ହାୱା ଖୋଲିଦେଲେ । ତା’ପରେ ବନ୍ଦୀମାନଙ୍କୁ ମୁକ୍ତକରି ନିଘଞ୍ଚ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ ।

 

ଶୀର୍ଷାରୁ ଗିରଫ କରି ଆଣୁଥିବା ବନ୍ଦୀମାନେ ପୁଲିସ ବାହିନୀ ଆଖିରେ ଧୂଳିଦେଇ ଅକସ୍ମାତ୍ ଏପରି ଖସିଯିବାର ଖବର ତୁଣ୍ଡରୁ ତୁଣ୍ଡକୁ, କାନରୁ କାନକୁ ଏତେ ଶୀଘ୍ର ପ୍ରସରିଗଲା ଯେ ସନ୍ଧ୍ୟା ପୂର୍ବରୁ ମହାପ୍ରତିପତ୍ତିଶାଳୀ ରାଜଦରବାରରେ ଆତଙ୍କ ଖେଳିଗଲା । ଏପରି ଅବସ୍ଥାରେ ରାଜପରିବାରର ଲୋକ ଓ ବଡ଼ ବଡ଼ ଅଫିସରମାନେ ଯେ ବିପ୍ଳବୀମାନଙ୍କର ଶରବ୍ୟ ହେବେ ସେହି ଆଶଙ୍କା ବ୍ୟକ୍ତ କଲେ ଦେୱାନ ସାହେବ । କିନ୍ତୁ ମହାରାଜା ପ୍ରଜାମାନଙ୍କ ମନକଥା ଜାଣନ୍ତି । ତେଣୁ ରାଜପରିବାର ଓ ହାକିମମାନଙ୍କ ସୁରକ୍ଷା ସକାଶେ ବିଶେଷ ବ୍ୟବସ୍ଥା କରିବାଲାଗି ଦେୱାନ ଦେଇଥିବା ପ୍ରସ୍ତାବ ମହାରାଜା ସ୍ଵୟଂ ନାକଚ କରିଦେଇ କହିଲେ–ଆମର ସୁରକ୍ଷା ପ୍ରଜାମାନଙ୍କ ହାତରେ । ଇଏ ଗୋଟିଏ ଅସଂପୃକ୍ତ ଓ ବିକ୍ଷିପ୍ତ ଘଟଣା । ରାଜା ଓ ରାଜପରିବାର ବା ଶାସନ ପ୍ରତି ପ୍ରଜାମାନଙ୍କ ମନରେ ଅନୁରାଗ ନାହିଁ ବା ଅନୁଶାସନ ଭାଙ୍ଗିଗଲାଣି କହିବା ଭୁଲ୍‍ ହେବ । ପ୍ରଜାମାନଙ୍କ ସୁରକ୍ଷା ଯେପରି ରାଜାଙ୍କ ଧର୍ମ, ରାଜାଙ୍କ ସୁରକ୍ଷା ସେହିପରି ପ୍ରଜାମାନଙ୍କ କର୍ତ୍ତବ୍ୟ । ମୁଁ ନିଶ୍ଚିନ୍ତ ଯେ ସେମାନେ ସେଇ କର୍ତ୍ତବ୍ୟ ପାଳନ କରିବାରେ ଅବହେଳା କରିବେ ନାହିଁ, ବରଂ ରାଜା ବା ରାଜଶକ୍ତି ବିରୁଦ୍ଧରେ ଷଡ଼ଯନ୍ତ୍ର ହେଲେ ତା’ ବିରୁଦ୍ଧରେ ସେମାନେ ନିଜେ ବିଦ୍ରୋହ କରିବେ । ସେମାନଙ୍କର ଅଭିଯୋଗ ଆମ ବିରୁଦ୍ଧରେ ନୁହେଁ, ମହାମହିମ ବ୍ରିଟିଶ୍‍ ଶାସନ ବିରୁଦ୍ଧରେ–ଦରବାର ଉପଲକ୍ଷ୍ୟ ମାତ୍ର । ଏହାପରେ ଦେୱାନ ସାହେବ ଚୁପ୍ ହୋଇଗଲେ । ଆଲୋଚନା ସେହିଠାରେ ସମାପ୍ତ ହେଲା ।

 

ସମସ୍ତେ ଚାଲିଯିବା ପରେ ପ୍ରଜାମଣ୍ଡଳ ନେତା ଶରତ ଦାସଙ୍କ ସହିତ ଆଲୋଚନା କରିବାପାଇଁ ସ୍ଵୟଂ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଆଦେଶ ଦେଲେ ମହାରାଜା । ଶରତ ଦାସ ମୟୂରଭଞ୍ଜ ପ୍ରଜାମଣ୍ଡଳର ନେତା, ତା’ ଛଡ଼ା ଓଡ଼ିଶା ରାଜନୀତି ସହିତ ସେ ସଂପୃକ୍ତ । ସଦାଚାରୀ, ଦେଶଭକ୍ତି, ମିତଭାଷୀ ଶରତ ଦାସ ସାରା ମୟୂରଭଞ୍ଜରେ ମୟୂରଭଞ୍ଜରଗାନ୍ଧି ନାମରେ ପରିଚିତ । ତାଙ୍କ ସହିତ ପରାମର୍ଶ କରିବା ପାଇଁ ଗଲାବେଳେ ପୁଲିସ ସାହେବଙ୍କର ମନେଥିଲା ଯେ ମୟୂରଭଞ୍ଜ ଗାନ୍ଧି ସ୍ଵାଧୀନତା ସଂଗ୍ରାମୀ କିନ୍ତୁ ସନ୍ତ୍ରାସବାଦୀ ନୁହଁନ୍ତି । ସେ ଅହିଂସାରେ ବିଶ୍ଵାସୀ । ଥାନା ଉପରେ ଆକ୍ରମଣ ବା ବଳପ୍ରୟୋଗ କରି ପୁଲିସ ହାତରୁ ବନ୍ଦୀମାନଙ୍କୁ ମୁକ୍ତ କରିବା କୌଣସିଟି ତାଙ୍କର ସମର୍ଥନ ପାଇବ ନାହିଁ । ସେ ଯାଇ ଶରତ ଦାସଙ୍କୁ ନିଭୃତିରେ ଭେଟିଲେ ବେତନଟିରେ । ସେତେବେଳେ ଶରତବାବୁ ନିଜର ସ୍ପଷ୍ଟ ମତ ପ୍ରକାଶ କରି କହିଲେ ଯେ, ସେ ସ୍ଵାଧୀନତା ସଂଗ୍ରାମୀ–ସନ୍ତ୍ରାସବାଦ ନୁହଁନ୍ତି କି ସଶସ୍ତ୍ର ବିପ୍ଲବରେ ତାଙ୍କର ବିଶ୍ଵାସ ନାହିଁ । ସେ ଗାନ୍ଧି ମହାରାଜାଙ୍କ ଶିଷ୍ୟ । ଅହିଂସା ଓ ଅସହଯୋଗ ମାର୍ଗରେ ଭାରତ ଯେ ସ୍ଵାଧୀନ ହେବ ସେଥିରେ ସେ ନିଶ୍ଚିନ୍ତ । ଉତ୍ତମ ଲକ୍ଷ୍ୟ ପାଇଁ ଉତ୍ତମ ପନ୍ଥା ମଧ୍ୟ ଆଦର୍ଶର ଏକ ଅପରିହାର୍ଯ୍ୟ ଅଂଶ । ମନ୍ଦ ପନ୍ଥା ଅବଲମ୍ବନ କରି ଉତ୍ତମ ଲକ୍ଷ୍ୟ ସାଧନ କରିହୁଏନା, ଆଉ କଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୁଏନା । ଅରାଜକତା ବାଟରେ ସ୍ଵରାଜ ଆସିବ ନାହିଁ ।

 

ପୁଲିସ ସୁପରିଟେଣ୍ଡେଣ୍ଟଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ ହେଲା । ସେ ଆଶ୍ଵସ୍ତ ହେଲେ । ମୟୂରଭଞ୍ଜରେ ଯେ ସଶସ୍ତ୍ର ବିପ୍ଲବ ହେବ ନାହିଁ ଏ ବିଷୟରେ ସେ ନିଶ୍ଚିନ୍ତ ହେଲେ । ଶରତବାବୁଙ୍କ ନିକଟରୁ ବିଦାୟ ନେବାବେଳେ ମୟୂରଭଞ୍ଜର ଗାନ୍ଧୀ ସ୍ଵଭାବସୁଲଭ ଢଙ୍ଗରେ କହିଲେ–ପୁଲିସ ସାହେବ, ଆପଣ ମହାରାଜାଙ୍କ ଦୂତ ହୋଇ ମୋ ପାଖକୁ ଆସିଥିଲେ । ଯାହା ଆଲୋଚନା ହେଲା ସେ ବିଷୟରେ ମହାରାଜାଙ୍କୁ କହିବେ । ଆଉ ମୋର ପ୍ରାର୍ଥନା ବିଷୟରେ ମଧ୍ୟ କହିବେ । ଯେଉଁମାନଙ୍କୁ ସନ୍ଦେହ କରି ଗିରଫ କରାଯାଇଛି ସେମାନଙ୍କୁ ମୁକ୍ତି କରିଦିଆଯାଉ, ପିଟୁଣି କର ପ୍ରତ୍ୟାହାର କରାଯାଉ, ଏବଂ ନିରୀହ ନିର୍ଦ୍ଦୋଷ ପ୍ରଜାମାନଙ୍କ ମନରେ ରାଜ୍ୟଶାସନ ପ୍ରତି ଅନୁରାଗ ପ୍ରଦର୍ଶନ କରିବା ପାଇଁ କିଛି ଜନହିତକର କାର୍ଯ୍ୟ ସେ ଅଞ୍ଚଳରେ କରାଯାଉ । ଆଉ ଗୋଟିଏ କଥା ବି ମହାରାଜାଙ୍କୁ କହିବେ–ଗୋଟେ ନୂଆ ଚିନ୍ତା, ଗୋଟିଏ ନୂଆ ଚେତନା–ଆପେ ଆପେ ପ୍ରସାରିତ ହୁଏ । ବାଧା ପ୍ରତିବନ୍ଧକ ଆପେ ଆପେ ଭାଙ୍ଗିଯାଏ । ଶତ୍ରୁପକ୍ଷର ଆକ୍ରମଣକୁ ସୈନ୍ୟ ପଠାଇ ପ୍ରତିହତ କରାଯାଇପାରେ, କିନ୍ତୁ ନୂତନ ଚେତନାର ପ୍ରସାରଣକୁ ପ୍ରତିହତ କରିବା ଅସମ୍ଭବ । ସମୟକୁ ଚାହିଁ ଶାସନର ଲକ୍ଷ୍ୟ ଓ ବ୍ୟବସ୍ଥାରେ ସଂସ୍କାର କଲେ ରାଜ୍ୟ ରହିବ, ରାଜା ମଧ୍ୟ ରହିବେ-। ଦେଶର ସ୍ଵାଧୀନତାକୁ ଯେପରି କେହି ଅଟକାଇ ପାରିବେ ନାହିଁ, ଗଣତନ୍ତ୍ରର ଜୟଯାତ୍ରାକୁ ମଧ୍ୟ କେହି ଅଟକାଇ ପାରିବେ ନାହିଁ । କାନ୍ଥରେ ଯାହା ଲେଖାହୋଇଛି ତାହା କେବଳ ସ୍ଲୋଗାନ ନୁହେଁ, ଆସୁଥିବା ସମୟର ଇସ୍ତାହାର ।

 

ପୁଲିସ ସାହେବ ବିଦାୟ ନେଇ ଚାଲିଆସିଲେ । ମନ ଅସ୍ଥିର ହେଉଥାଏ । ଶରତ ବାବୁ ଯେଉଁ ଆସନ୍ତାକାଲିର ସଙ୍କେତ ଦେଲେ ତା’ର ରୂପ ଏବେ ବି ଅସ୍ପଷ୍ଟ । ନୂତନ ବ୍ୟବସ୍ଥାରେ ତାଙ୍କର ସ୍ଥାନ ସୁରକ୍ଷିତ ରହିବ କି ନାହିଁ; ବଂଶାନୁକ୍ରମେ ଯେଉଁମାନେ ବହୁ ସୁଖ ସୁବିଧା ଓ ସ୍ଵାଧିକାର ଭୋଗ କରି ଆସୁଛନ୍ତି ସେମାନଙ୍କ ସ୍ଥିତି କିପରି ଓ କ’ଣ ହେବ ସେସବୁ ବିଷୟ ଚିନ୍ତା କରି ଭାରାକ୍ରାନ୍ତ ମନରେ ରାଜବାଟିରେ ପହଞ୍ଚିଲାବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇସାରିଥାଏ । ମହାରାଜା ଟେନିସ୍ ଖେଳିସାରି ଫେରୁଥାନ୍ତି । ପୁଲିସ ସାହେବ ତାଙ୍କୁ ଅପେକ୍ଷା କରୁଥିବା ଖବର ପାଇବାମାତ୍ରେ ସେଇ ଖେଳ ପୋଷାକରେ ସେ ଡାକି ପଠାଇଲେ । ପାଦର ଜୋତା ଖୋଲି ଘାସ ମଲମଲ ଲନ୍ ଉପରେ ଗୋଡ଼ ଲମ୍ବାଇଦେଲେ ମହାରାଜା ।

 

ପୁଲିସ ସାହେବଙ୍କଠାରୁ ସବୁ ଶୁଣିସାରି ସେ କହିଲେ–ମୋର ଧାରଣା ନିର୍ଭୁଲ ପ୍ରମାଣିତ ହେଲା, ଏବେ ନିଶ୍ଚିନ୍ତ ହେଲି ମୁଁ । ଭାରତୀୟ ସଂସ୍କୃତି, ଭାରତୀୟ ବିଶ୍ଵାସରେ ହିଂସାର ସ୍ଥାନ ନାହିଁ । ଉଗ୍ରବାଦ ବା ସନ୍ତ୍ରାସବାଦ କମ୍ୟୁନିଜିମ୍ ବିଦେଶରୁ ଆମଦାନୀ କରାଯାଇଛି ଏ ଦେଶକୁ । ଫୁଲଦାନୀରେ ଥିବା ଫୁଲ ପରି, ଏହାର ମୂଳ ନାହିଁ ।

 

ମହାରାଜା ଆହୁରି କହିଲେ ଯେ ନିର୍ଦ୍ଦୋଷ ପ୍ରଜାମାନଙ୍କୁ ବନ୍ଦୀ କରିବା, ହଇରାଣ ହରକତ କରିବା ବିପକ୍ଷରେ ସେ । ଯେଉଁମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ବା ସନ୍ତ୍ରାସବାଦୀ କାର୍ଯ୍ୟକଳାପ କରୁଥିବାର ପ୍ରତ୍ୟକ୍ଷ ଓ ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ ସେମାନଙ୍କୁ ଖଲାସ କରିଦିଆଯାଉ-। ଏହି ମର୍ମରେ ଦେୱାନ ସାହେବଙ୍କୁ ସେ ଆଦେଶ ଦେଇଥିବା ମଧ୍ୟ କହିଲେ । ଏ କାର୍ଯ୍ୟ ସପ୍ତାହକ ମଧ୍ୟରେ ସମାପ୍ତ କରିବା ପାଇଁ ମଧ୍ୟ ଆଦେଶ ଦଲେ ଏବଂ ଯୁଦ୍ଧ ସମାପ୍ତ ହେବା ପରେ ରାଜ୍ୟରେ ପ୍ରଜାମାନଙ୍କ ପ୍ରତିନିଧିମାନଙ୍କୁ ନେଇ ରାଜ୍ୟଶାସନ ସମ୍ବନ୍ଧରେ ପରାମର୍ଶ ଦେବା ପାଇଁ ପରାମର୍ଶଦାତା ପରିଷଦ ଗଠନ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ମହାରାଜା ସୂଚନା ନ ଦେଲେ ପୁଲିସ ସାହେବଙ୍କୁ ।

 

ସହସା ନୁହେଁ, ଧୀରେ ଧୀରେ ପ୍ରଜାମାନଙ୍କୁ ସ୍ଵରାଜ ଆଡ଼କୁ ନେଇଯିବା ମହାରାଜାଙ୍କ ଲକ୍ଷ୍ୟ । ସେଇ ଶୁଭ ଚିନ୍ତା ପଲ୍ଲବିତ, ପ୍ରସ୍ଫୁଟିତ ହେଉ ବୋଲି କାମନା କରି ଫେରୁଥିଲାବେଳେ ପୁଲିସ ସାହେବଙ୍କ ମନ ହଠାତ୍ ଉଦାସ ହୋଇଗଲା । ରାଜପରିବାର ପରି ତାଙ୍କ ବଂଶଧର ବଂଶାନୁକ୍ରମେ ପାଇଆସୁଥିବା ସୁବିଧା ସୁଯୋଗ ଯେ ଆଉ ବହୁକାଳ ରହିବ ନାହିଁ ଏହା ନିଶ୍ଚିତ ବୋଲି ଅନୁଭବ କଲେ ସେ ।

 

କେଜାଣି କାହିଁକି ମନହେଲା ଗାଡ଼ିରୁ ଉହ୍ଲେଇ ଚାଲି ଚାଲି ବଙ୍ଗଳାକୁ ଫେରିବା ପାଇଁ । ଗୁଜୁରି ବଜାର ଆଗରେ ଗୋଟେ ଅପେକ୍ଷାକୃତ ଅନ୍ଧାରୁଆ ସ୍ଥାନରେ ଗାଡ଼ିରୁ ଉହ୍ଲେଇ ଧୀରେ ଧୀରେ ଅଗ୍ରସର ହେଲେ ପୁଲିସ ସାହେବ । ତାଙ୍କ ପ୍ରତାପରେ ଥରହର ରାଜ୍ୟର ରାଜଧାନୀର ଚିହ୍ନା ରାସ୍ତାରେ ଅଚିହ୍ନା ଲୋକ ପରି ସେ ଚାଲୁଥିଲେ ଅନ୍ୟମନସ୍କ ଭାବରେ । ହୁଏତ ସେଇ ଅଚିହ୍ନା, ଅଜଣା, ଅନାଦୃତମାନଙ୍କର ସମୟ ଆସିବ ଭବିଷ୍ୟତରେ । ଦୁର୍ବଳମାନେ ହିଁ ଅଧିକାର କରିବେ ପୃଥିବୀକୁ ।

 

ବିଶ୍ଵନାଥ, କୃପାସିନ୍ଧୁ ଏବଂ ଆହୁରି କେତେଜଣ ଜେଲ୍ ହାଜତକୁ ମୁକ୍ତିପାଇ ବନ୍ଦେ ମାତରମ୍‍ ସଙ୍ଗୀତ ଗାଇ ଗାଇ ଆନନ୍ଦରେ ଫେରୁଥିଲେ ଗ୍ରାମକୁ । ବାରିପଦାରୁ ଜଗନ୍ନାଥ ଖୁଣ୍ଟାର ଦୂରତ୍ଵ ମାତ୍ର ଚଉଦ ମାଇଲ୍ । ସହରରୁ ବାହାରିବାବେଳକୁ ସନ୍ଧ୍ୟା ହୋଇଗଲା । ଚିପଟ ପୋଲ ପାର ହୋଇ ତେଲଳିଡ଼ିଙ୍ଗା ଅତିକ୍ରମ କଲାବେଳେ କହିଲା କୃପାସିନ୍ଧୁ–ହଠାତ୍ କାହିଁକି ଆମକୁ ଖଲାସ କରିଦେଲେ ବୁଝିପାରୁନି । ଏଇ ଜେଲ୍‍ଖାନା ଭିତରେ ହୁଏତ ବରଷଟା କଟିଯିବ ବୋଲି ଭାବିଥିଲି ।

 

–ଜେଲ୍‍ଖାନାର ସୁପରିଟେଣ୍ଡେଣ୍ଟ ଯାହା କହୁଥିଲେ ତମେ ତା’ହେଲେ ଶୁଣିନ ସଙ୍ଗାତ ? ମହାରାଜାଙ୍କ ଆଦେଶ ଟାଳିବ କିଏ ? ନିର୍ଦ୍ଦୋଷ, ନିରପରାଧ ଲୋକଙ୍କୁ ବନ୍ଦୀଶାଳରେ ରଖିଲେ ବିଦ୍ରୋହ ଦବିଯାଏନି, ଆହୁରି ବଢ଼େ ବନାଗ୍ନି ପରି ମାଡ଼ିଯାଏ । ଆମ ସଭିଙ୍କୁ ମୁକ୍ତି ନଦେବା ପାଇଁ ହାକିମମାନଙ୍କ ମନ୍ତ୍ରଣା ସତ୍ତ୍ଵେ ମହାରାଜା ନିର୍ଦ୍ଦୋଷମାନଙ୍କୁ ମୁକ୍ତି ଦେବା ପାଇଁ କହିଲେ । ଆମେ ଚୋର ତସ୍କର ନୋହୁଁ କି ରାହାଜାନୀ ଅପରାଧରେ ଧରାପଡ଼ିନୁ । ନରହତ୍ୟା କି ନାରୀ ଧର୍ଷଣ ଭଳି ଜଘନ୍ୟ ଅପରାଧ ଅଭିଯୋଗ ନାହିଁ ଆମ ବିରୁଦ୍ଧରେ । ତେବେ କେଉଁ କାରଣରୁ ଜେଲ୍ ହାଜତରେ ବିଚାରାଧୀନ ବନ୍ଦୀ ଜୀବନ କାଟିବୁ ଆମେ ? ଦେଶର ସ୍ଵାଧୀନତା ପାଇଁ ଭାବିବା, ସେଥିପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ କାର୍ଯ୍ୟ କରିବା ଅପରାଧ ନୁହେଁ । ଆମ ପାଞ୍ଚ ସାତଜଣଙ୍କୁ ଯାବଜ୍ଜୀବନ କାରାଦଣ୍ଡ ବା ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ହୁକୁମ ଦେଲେ ସ୍ଵରାଜ ଚିନ୍ତା ମନରୁ ଉଭେଇଯିବ ନାହିଁ, ବରଂ ଧୀରେ ଧୀରେ ସେଇ ଚିନ୍ତା ଘାରିବ ସମସ୍ତ ପ୍ରଜାଙ୍କୁ । ସେଇ ଚିନ୍ତାକୁ ବରଷେ ଦୁଇବରଷ ଅଟକାଇ ଦିଆଯାଇପାରେ । ଶାସ୍ତି ଦେଇ, ଉତ୍ପୀଡ଼ନ ଓ ଅତ୍ୟାଚାର ଦ୍ଵାରା ସେଇ ଚିନ୍ତାକୁ କିଛିକାଳ ଚାପି ଦିଆଯାଇପାରେ; କିନ୍ତୁ ବୁଝିଲ ସଙ୍ଗାତ, ତାକୁ ସବୁକାଳ ପାଇ ଚାପିଦବା ବା ନିଶ୍ଚିହ୍ନ କରିବା ପାଇଁ କେହି ପୁଅ ଜନ୍ମ ହୋଇନି ଧରାଧାମରେ । କଂସ ତ ଏତେ ଚେଷ୍ଟା କରିଥିଲା, ଅଭେଦ୍ୟ ବନ୍ଦୀଶାଳାରେ ହାତଗୋଡ଼ ବାନ୍ଧି ଦେଇଥିଲା ବସୁଦେବ ଆଉ ଦେବକୀଙ୍କର…ପାରିଲା ? ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜନ୍ମ ହେଲେ ନା ନାହିଁ ? ଶ୍ରୀକୃଷ୍ଣ ସବୁ ଯୁଗ ପାଇଁ ମହାନ୍ ଚେତନାର ପ୍ରତୀକ ଅଧର୍ମ, ଅନ୍ୟାୟ ଓ ଉତ୍ପୀଡ଼ନ କରୁଥିବା ଦୁଷ୍ଟମାନଙ୍କୁ ଦମନ କରି ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ସେ ଆସନ୍ତି ଯୁଗେ ଯୁଗେ । ଅବତରଣ କରନ୍ତି ମନୁଷ୍ୟ ଦେହରେ । କଂସ ବନ୍ଦ କରିପାରିଲା ତାଙ୍କର ଆଗମନ ? ତାଙ୍କୁ ମାରିବା ପାଇଁ କେତେ ଷଡ଼ଯନ୍ତ୍ର ନ କଲା ? କେହି ପାରିଲେ ? ବିଷ ଅମୃତରେ ପରିଣତ ହେଲା…ବରଂ ଘାତକ ତାଙ୍କରି ପାଦତଳେ ଜୀବନ ଛାଡ଼ି ସ୍ଵର୍ଗକୁ ଗଲା । ମୁକ୍ତି ପାଇଲା ।

କୃପାସିନ୍ଧୁ ବୁଝିପାରେନି ଏତେ କଥା, ଏତେ ଦର୍ଶନ–ସେ ଆଜ୍ଞା ପାଳନ କରେ । ବିଶ୍ଵନାଥଙ୍କର, ଜନ୍ମେଜୟଙ୍କର ଆଜ୍ଞାବହ ସେ । ସେମାନେ ଦେଶର, ଲୋକମାନଙ୍କର ମଙ୍ଗଳପାଇଁ କାମ କରନ୍ତି ବୋଲି ବିଶ୍ଵାସ ହେଲାଦିନୁ ସେ ଆଉ ପଛକୁ ଫେରି ଚାହିଁନି, ନିଜର ସ୍ଵାର୍ଥ ଓ ଅଧିକାରକୁ ମିଶାଇ ଦେଇଛି ସେମାନଙ୍କର ସ୍ଵାର୍ଥ, ଅଧିକାର ସହିତ । ସେମାନେ ତ ନିଜପାଇଁ ଲଢ଼ୁନାହାନ୍ତି, ଲଢ଼ୁଛନ୍ତି ସ୍ଵରାଜ୍ୟ ପାଇଁ, ଗୋରା ଶାସକମାନଙ୍କ ସ୍ଥାନରେ ସ୍ଵାୟତ୍ତ ଶାସନ ପ୍ରତିଷ୍ଠା କରିବାପାଇଁ । ଦେଶ ସ୍ଵାଧୀନ ହେଲେ ପ୍ରଜାମାନଙ୍କର ସ୍ଵାଭିମାନ ବଢ଼ିବ । ନିଜ ଦାୟିତ୍ଵ ନିଜ କାନ୍ଧରେ ପଡ଼ିବ । ପରର ଶାସନ ତଳେ ନିଶ୍ଵାସ ନ ମାରି ନିଜର ଶାସନାଧୀନ ହେବେ ସମସ୍ତେ ।

–କ’ଣ ଭାବୁଛ ସଙ୍ଗାତ ? ପଚାରିଲେ ବିଶ୍ଵନାଥ ।

–ତମେ କହିଥିବା କଥା, ଜନ୍ମେଜୟ କହିଥିବା କଥା ମନେପଡ଼ୁଛି ସଙ୍ଗାତ । ମହାରାଜା ବି ହୁଏତ ସେଇକଥା ଭାବୁଥିବେ । ନହେଲେ ଆମକୁ ଫାଶୀ କି ଶୂଳୀ ଦେଇଥାନ୍ତେ…ଘରକୁ ଫେରିଯିବା ପାଇଁ ଛାଡ଼ି ଦେଇନଥାନ୍ତେ । ବାପ ପରି ପୁଅ । ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଯାହା କରିଥାଆନ୍ତେ, ତାଙ୍କ ପୁଅ ସେୟା କଲେ । ମଣିମାଙ୍କର ବଡ଼ପଣ ଆହୁରି ବଢ଼ୁ, କୋଟି ପରମାୟୁ ଦିଅନ୍ତୁ ତାଙ୍କୁ ଜଗନ୍ନାଥେ, ରଜା ହେବ ତ ଏହିପରି ।

ଦିବାକର ଆସିଥିଲେ ମୋକଦ୍ଦମାର ତାରିଖ ଥିଲା ବୋଲି । ବିଶ୍ଵନାଥଙ୍କ ବିପକ୍ଷରେ ଚାଲିଥିଲା ମୋକଦ୍ଦମାର ତାରିଖ ଥିଲା ଆଜି । ମହଲତ ନେବାପାଇଁ ଓକିଲଙ୍କୁ କହିଲେ । ପରେଶ ବାବୁ ହାକିମଙ୍କ ଅଦାଲତରେ ମହଲତ ପାଇଁ ପ୍ରାର୍ଥନା କଲେ । ମଞ୍ଜୁର ହେଲା ପ୍ରାର୍ଥନା । ମାସେ ପରେ ସେଇ ତାରିଖରେ ପୁଣି ଶୁଣାଣି ଦିନ ଧାର୍ଯ୍ୟ କଲେ ହାକିମ । ପପୁ ବାବୁର ଗୋଦାମରୁ କିଛି ଜିନିଷପତ୍ର କିଣୁଥିଲାବେଳେ ବିଶ୍ୱନାଥ ଓ କୃପାସିନ୍ଧୁଙ୍କ ସହିତ ଭେଟ ହେଲା । ତିନିହେଁ ମିଶି ଦିବାକର ଆଣିଥିବା ଚୁଡ଼ାଗୁଡ଼ ଖାଇ ପାଣି ପିଇଲେ ।

ଦିବାକର ଏଯାଏଁ ଶୁଣୁଥିଲେ, କିଛି କହିନଥିଲେ । ହଠାତ୍ ତାଙ୍କର ମୁହଁ ଖୋଲିଗଲା ଯେପରି ଫଗୁଣ ଆରମ୍ଭରେ ମଳୟ ବହେ ଅକୃପଣ ଭାବରେ–ତମେ ଚାଲିଗଲା ପରେ ଅନେକ କାଣ୍ଡ ଘଟିଗଲା ହେ ବିଶ୍ଵନାଥ । ତା’ପରେ ଗୋଟିଗୋଟି କରି କହିଗଲେ ସବୁ । କୁଳିଅଣା ଜଙ୍ଗଲ ପାଖରେ ପହଞ୍ଚି କହିଲେ–ଏଇ ଜାଗାଟା କେତେ ନିଛାଟିଆ ଅନୁଭବ କରୁଛ ? ଆଉ ଠିକ୍ ଏଇଠି ଗତବର୍ଷ ଶ୍ରାବଣ ମାସ ଅମାବାସ୍ୟା ଦିନ ଆମେ ମୁହାଁମୁହିଁ ହୋଇଥିଲୁ ସେ କଲରାପତରିଆ ବାଘ ସହିତ ମନେଥିବ ନିଶ୍ଚୟ । ଏଇଠୁ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ଦେଇଥିଲେ ଭୈରବାନନ୍ଦ । ତାଙ୍କର ବୁଦ୍ଧି ଓ କୌଶଳ…ନହେଲେ ନରେନ୍ଦ୍ରପାଳ, ରାମଚନ୍ଦ୍ର ପାତ୍ରର ସାହସ ହୁଅନ୍ତା ଏପରି ଦୁଃସାହସ କରିବାପାଇଁ ?

–କିନ୍ତୁ ଧରାପଡ଼ିଲେ କ’ଣ ହେବ ନନା ? ଶଙ୍କିତ ସ୍ଵରରେ କହିଲା କୃପାସିନ୍ଧୁ ।

 

–ସେମାନେ ଜୀବନକୁ ପାଣି ଛଡ଼େଇ ଦେଶ କାମରେ ଲମ୍ଫ ଦେଇଛନ୍ତିରେ କୁରୁପା । ଆମ ପରି ଡରୁଆ ନୁହଁନ୍ତି । ଫାଶୀ, ଶୂଳୀକୁ ଖାତିର ନାହିଁ । ବରଂ କଥାକଥାରେ ଖୁଦୀରାମର ଉପମା ଦିଅନ୍ତି ଭୈରବାନନ୍ଦ ।

 

–ଖୁଦୀରାମଙ୍କୁ ଫାଶୀ ଦିଆଗଲାବେଳେ ସେ କହିଥିଲେ–ବନ୍ଦେ ମାତରମ୍…କହିଲେ ବିଶ୍ଵନାଥ ।

 

–ମାଆର ନାମ ମୁହଁରେ ଧରି କେତେଜଣ ନିର୍ବିକାର ଚିତ୍ତରେ ଫାଶୀକାଠରେ ଝୁଲିପାରନ୍ତି ଦୁନିଆରେ ? ପରେ ପରେ କହିଲେ ବିଶ୍ଵନାଥ ।

 

ଫଗୁଣ ମାସର ବସନ୍ତ ପବନ ଦେହରେ ବାଜି ପୁଲକିତ ହେଉଥିଲା ମନ । ନିର୍ମେଘ ନିର୍ମଳ ଆକାଶର କୋଟି କୋଟି ନକ୍ଷତ୍ର ଦୀପଜାଳି ବସିଥିଲେ ପୃଥିବୀର ଦୁଃଖୀ ରଙ୍କି, ପାପୀତାପୀମାନଙ୍କୁ ଉଦ୍ଧାର କରିବା ଲାଗି ମାନସିକ କରି । ଦିବାକର ବାସ୍ତବତାକୁ ଫେରିଆସି କହିଲେ–ତମ ଘରେ ସିନ୍ଧି କରିଥିଲେ ଶୁଣିଥିବ ?

 

–ନାଁ ତ…ଚମକିପଡ଼ି କହିଲେ ବିଶ୍ଵନାଥ ।

 

–ପଶ୍ଚିମ କାନ୍ଥ କାଟି ଦୋକାନ ଘର ଭିତରକୁ ପଶିଥିଲେ ଚୋରମାନେ । କିନ୍ତୁ ହଠାତ୍ କ’ଣ ଗୋଟେ ଶବ୍ଦ ହେବାରୁ ଘରଲୋକେ ଉଠିଗଲେଣି ଭାବି ଦୌଡ଼ି ପଳେଇଗଲେ । କିଛି ନେଇନାହାନ୍ତି–ଗୋଟେ ଗୁଡ଼କୁନ୍ଦା ଛଡ଼ା । ସେଇଟା ପୁଣି ପାଣିଶାଳର ପାଣିଗୁଡ଼ ।

 

ହସିଲେ ବିଶ୍ଵନାଥ ।

 

–ଏକଥା ଶୁଣି ଆହୁରି ହସୁଚ ସଙ୍ଗାତ ?” କହିଲା କୃପାସିନ୍ଧୁ ।

 

–ହସିବି ନାହିଁ ! ସର୍ବସ୍ଵ ନେବାପାଇଁ ଆସିଥିଲେ–ଗୁଡ଼କୁନ୍ଦାଟେ ନେଇ ଫେରିଗଲେ । ଗୁଡ଼ ଖାଉଥିବେ ଗୁଣ ଗାଉଥିବେ ।

 

ତାଙ୍କର କହିବା ଭଙ୍ଗୀ ଏପରି ସରସ ଥିଲା ଯେ ଦିବାକର ଏବଂ କୃପାସିନ୍ଧୁ ହୋ–ହୋ କରି ହସି ଉଠିଲେ । ସେଇ ହସର ଶବ୍ଦରେ ଗଛ ଡାଳରେ ନିଶ୍ଚିନ୍ତରେ ନିଦ୍ରାଯାଇଥିବା ପକ୍ଷୀମାନେ ଚମକିପଡ଼ି ଫଡ଼୍‍ଫାଡ଼୍‍ ଉଡ଼ିଗଲେ ଆକାଶକୁ । ବିଲୁଆ ଗୋଟେ ବାଟ କରି ବାମରୁ ଡାହାଣକୁ ଚାଲିଗଲା । ଦିବାକର କହିଲା–ବିଲୁଆ ବାମରୁ ଡାହାଣକୁ ବାଟ କାଟିବା ଶୁଭ ଲକ୍ଷଣ । ନିର୍ଭୟ ନିଃଶଙ୍କ ହୋଇ ଚାଲ ।

 

–ଗାଁରେ ବସନ୍ତ ଲାଗିଛି । ଚରଣ ସିଂର ଭାର୍ଯ୍ୟା କାଲି ମରିଗଲା । ସନିଆ ଦିହରେ ଜାଗା ନାହିଁ । ରବିର ଦେହକୁ ଆଉ ଚାହିଁ ହଉନି ।

 

“ମା’ ବିଜେ କରିଛନ୍ତି ତା’ହେଲେ । କୋଉ ଅନୀତିରୁ ଏମିତି ହେଲା ନନା ? ଆମ ଗାଁର ଖବର ଶୁଣିଛ ?” –କୃପାସିନ୍ଧୁ ଶଙ୍କିତ ହୋଇ କହିଲା ।

 

–ତମ ଗାଁ ଖବର ଭଲରେ କୁରୁପା, କିନ୍ତୁ ତୋ’ ସ୍ତ୍ରୀର ଅବସ୍ଥା ଭଲ ନୁହେଁ । ଜନ୍ମେଜୟ ସମ୍ବନ୍ଧରେ ପୋଲିସ ତାକୁ ବାରମ୍ବାର ପଚରା-ଉଚୁରା କରିବାରୁ ପିତ୍ତ ଚଢ଼ିଯାଇଛି ଲକ୍ଷ୍ମୀର । ତୁ ଆସିଗଲୁ–ଭଲ ହେଲା । ଏବେ ସାହସ ପାଇବ ଲକ୍ଷ୍ମୀ । କାଲି ଧାଙ୍ଗୁଡ଼ିଶୋଳ ଯାଇ କବିରାଜଙ୍କଠାରୁ ବଟିକା ନେଇଆ । ଶ୍ରୀହରି ପାଣି କବିରାଜଙ୍କ ହାତଯଶରୁ ସମସ୍ତେ ଭଲ ହୋଇଯାଆନ୍ତି ।

 

‘‘ଡାକ୍ତରକୁ ଖବର ଦିଆଯାଇଛି ?’’ –ପଚାରିଲେ ବିଶ୍ଵନାଥ ।

 

–ଡାକ୍ତର ଆସିଲେ ବି ଚିକିତ୍ସା କରିବାକୁ ରାଜିହେବ କିଏ ? ମା’ ଆସିଛନ୍ତି । ଘରେ ଘରେ ଝୁଣା ଧୂପ ଦିଆଯାଉଛି । ରୋଗ ଛାଡ଼ିଲେ ଶୀତଳାଙ୍କ ପୂଜା କିରିବା ଲାଗି ମନସ୍ଥ କରିଛନ୍ତି ଗ୍ରାମବାସୀ ।

 

–କିନ୍ତୁ ଚିକିତ୍ସା ନକଲେ ଲୋକ ପୋକମାଛି ପରି ମରିଯିବେ । ଡିଆଁରୋଗ ଏଇଟା ।

 

–କିଏ ଶୁଣୁଛି ଏକଥା ? ପୂର୍ଣ୍ଣ ପଣ୍ଡିତ ଆସିଥିଲେ–କହିଗଲେ ବାରିପଦା ଡାକ୍ତରଖାନାରେ ଖବର ଦବାପାଇଁ । କାଲି ରାତି ଗାଁରେ ସଭା ବସିଥିଲା । କେହି ରାଜିହେଲେନି । ଡାକ୍ତର ଆସିଲେ ମା’ଙ୍କ କୋପ ଆହୁରି ବଢ଼ିବ, ଲୋକ ଆହୁରି ମରିବେ । ଏଇ ନିଷ୍ପତ୍ତି ହେଲା ଶେଷରେ ।

 

–ମୁଁ କିନ୍ତୁ ଏ ନିଷ୍ପତ୍ତି ମାନିବି ନାହିଁ । ଆମ ଘର ଲୋକଙ୍କୁ ଟୀକା ଦବାପାଇଁ କହିବି । ବାଙ୍ଗିରିପୋଷି ଯାଇ ଡାକ୍ତରଙ୍କୁ ଡାକି ଆଣିବି–କହିଲେ ବିଶ୍ଵନାଥ ।

 

–ତମର ଏତେ ସମସ୍ୟା ଯେ ନାମ ପୋଛିବାକୁ ସମୟ ନାଇଁ… ଆହୁରି ଏ କାମ ଯଦି ହାତକୁ ନିଅ ନିଆଁ ପାଣି ବାସନ୍ଦ କରିବା ଆଡ଼କୁ କଥାଯିବ ସଙ୍ଗାତ ।

 

–ସେମାନଙ୍କୁ ଡରିଲେ ସେମାନେ ଡରାଇବେ ହେ ଦିବାକର…ସମସ୍ତଙ୍କ ଭଲ ପାଇଁ ମୁଁ କରିବି । ସେମାନେ ଯାହା କରିବେ କରନ୍ତୁ । ସେବର୍ଷ ପାଞ୍ଚଜଣ ମରିଥିଲେ ବସନ୍ତରେ । ଏ ବର୍ଷ ସାତ କି ଦଶ ଯେ ଖସି ନଯିବେ କିଏ କହିବ ?

 

ପଦ୍ମପୋଖରୀ ପହଞ୍ଚିବା ବେଳକୁ ପ୍ରାୟ ରାତି ଅଧ । ଖାଁ ଖାଁ ଆମ୍ବତୋଟାରୁ କାହାର କାନ୍ଦିବା ଶବ୍ଦ ଭାସିଆସୁଛି ଦକ୍ଷିଣା ପବନରେ । ସ୍ତ୍ରୀଲୋକ କାନ୍ଦିବା ପରି ଜଣାପଡ଼ୁଛି । କିଏ ପତି ବା ପୁତ୍ରହରା ଦୁଃଖିନୀ କାନ୍ଦି ଚାଲିଛି ଏଇ ନିର୍ଜନ ଆମ୍ବତୋଟାରେ ? ଠିଆ ହୋଇଗଲେ ତିନିହେଁ । ବିଶ୍ଵନାଥ ସଙ୍କେତ ଦେଲେ ଚୁପ୍‍ଚାପ୍ ଠିଆହୋଇ ରହିବାପାଇଁ । କ୍ରମଶଃ ହଜିଗଲା ସେଇ କାନ୍ଦ ତୋଟା ସେପାରିର ବିଲ ମଝିରେ । ଉତ୍ତରପୂର୍ବ କୋଣରେ ବଡ଼ ପୋଖରୀର ହୁଡ଼ା ଉପରେ କେହି ବିଚରଣ କଲାପରି ଜଣାଯାଉଛି । କିଏ ସେ ଏତେ ରାତିରେ ବୁଲୁଛି ସେଠାରେ ? ଆଲୁଅ ଲିଭିଯାଉଛି ପୁଣି ଜଳି ଉଠୁଛି ।

 

ଫିସ୍‍ଫିସ୍ କରି କହିଲେ ଦିବାକର–ଡାଆଣୀ ଚରୁଛି ପୋଖରୀ ହୁଡ଼ା ଉପରେ । ଚାଲ ଚାଲ ଆଉ ଡେରି କରନା । ମୁହାଁମୁହିଁ ହୋଇଗଲେ ନିସ୍ତାର ନାହିଁ, କଞ୍ଚା ଖାଇଯିବ ।

 

କୃପାସିନ୍ଧୁ ଭୟରେ ବିଶ୍ଵନାଥଙ୍କ ହାତ ଧରିପକେଇଲା । ତା’ ହାତର ଝାଳ ଲାଗିଲା ବିଶ୍ଵନାଥଙ୍କ ହାତରେ । ସେ ଜାଣିଲେ ଯେ କୃପାସିନ୍ଧୁ ଭୟ ପାଇଯାଇଛି । କାନ ପାଖେ କହିଲେ–ଡରିଗଲ କି ସଙ୍ଗାତ ? କୃପାସିନ୍ଧୁର ମୁହଁରୁ ଶବ୍ଦ ସ୍ଫୁରିଲା ନାହିଁ ।

ଭୂମିଜ ସାହି ଭିତର ଦେଇ ଯେଉଁ ସରୁ ମାଟି ରାସ୍ତା, ସେଇବାଟ ଦେଇ ଗାଁ ଭିତରକୁ ଯିବାକୁ ହୁଏ । ଭୂମିଜ ସାହି ପାରିହେବାବେଳେ ମକରୁ ଘରୁ କାନ୍ଦିବା ଶବ୍ଦ ଭାସିଆସିଲା । ଦଳେ ଲୋକଙ୍କର କାନ୍ଦିବା ଶବ୍ଦ ଶୁଣି ଦିବାକର କହିଲେ–ଆଉ ଜଣେ ଚାଲିଗଲା ପରି ଲାଗୁଛି ।

ଗାଁ ଭିତରକୁ ପଶିବାବେଳକୁ ନିର୍ଜନତା ଗୋଡ଼େଇ ହେଲାପରି ଲାଗିଲା । ଇଏ ଏକ ନୂଆ ଅନୁଭୂତି ବିଶ୍ଵନାଥଙ୍କର । ହୁରୁଷୀ ଦାଣ୍ଡପିଣ୍ଡାରେ ଶୋଇନଥିଲା, ତା’ ଖଟ ଉପରେ ବିଛଣା ପଡ଼ିଥିଲା, କିନ୍ତୁ ତାକୁ ସେଠାରେ ନଦେଖି ସେମାନେ ଭାବିଲେ ହୁଏତ ପୋଖରୀପାଣି କି ପରିଶ୍ରା କରି ଯାଇଥିବ । କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ ଯେତେବେଳେ ବିଶ୍ଵନାଥଙ୍କ ଘର ଚାଳରୁ ନିଆଁ ଜଳିଉଠିଲା ହୁତ୍‍ହୁତ୍‍ କରି ବିଶ୍ଵନାଥ ମୁହୂର୍ତ୍ତେମାତ୍ର କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ, କିନ୍ତୁ ପରମୁହୂର୍ତ୍ତରେ କହିଲେ–ଦେଖୁଛ ଦିବାକର ଦେଖୁଛ, ଏଇ ସର୍ବଗ୍ରାସୀ ନିଆଁ କେମିତି ଶିଖାଟେକି ଉପରକୁ ଉଠୁଛି ।

କୃପାସିନ୍ଧୁର ଚିତ୍‍କାର ଶୁଣି ଗାଁଲୋକ ଉଠିପଡ଼ିଲେ । ପ୍ରଥମ ନିଜ ନିଜ ଘର ଉପରେ ସତର୍କ ଦୃଷ୍ଟି ନିକ୍ଷେପ କରି ଏଯାଏଁ ନିଆଁ ଦୂରରେ ଥିବା ଜାଣି କଳସୀ, ବାଲତି, ଉଁରୁଆ ଯିଏ ଯାହା ପାଇଲେ ସେଥିରେ ପାଣି ଭରି ଦଉଡ଼ିଲେ ସମସ୍ତେ ବିଶ୍ଵନାଥଙ୍କ ଜଳୁଥିବା ଘର ଚାଳରେ ଢାଳିବା ପାଇଁ । କିନ୍ତୁ ସେଇ ନିଆଁର ସର୍ବଗ୍ରାସୀ ରୂପ ଦେଖି ବିଶ୍ଵନାଥ ପ୍ରଥମରୁ ଜାଣିଯାଇଥିଲେ ଯେ ଏ ଚେଷ୍ଟା ବୃଥା । ତଥାପି ସ୍ତ୍ରୀ, ଭାଇ, ପୁଅ, ଝିଅ ଓ ଗୋରୁଗାଈଙ୍କୁ ଉଦ୍ଧାର କରିବା ପାଇଁ ପଶିଗଲେ ଘର ଭିତରେ । ମଣିଷ, ଗୋରୁଗାଈ ଉଦ୍ଧାର ପାଇଲେ ସତ, କିନ୍ତୁ ଠାକୁର ଘରୁ ଗୋପୀନାଥ ଏବଂ ତାଳପତ୍ର ପୋଥିଗଦାକୁ ଆଉ ଉଦ୍ଧାର କରିପାରିଲେ ନାହିଁ ସେ । ସେତେବେଳକୁ ଠାକୁର ଘର ପିଣ୍ଡା ଉପରେ ହୁତ୍‍ହୁତ୍‍ କରି ଜଳୁଥାଏ ନିଆଁ । ଗୋଟେ ବାଉଁଶରେ ନିଆଁଲାଗି ତାହା ଏତେ ଜୋରରେ ଫୁଟିଲା ଯେ ପାଖାଆଖ ଆଲୋକିତ ହୋଇଗଲା । ଗଛଡ଼ାଳରେ ଆଶ୍ରା ନେଇଥିବା ପକ୍ଷୀମାନେ ଗଛ ବସା ଛାଡ଼ି ଆକାଶ ଉପରକୁ ଉଠିଗଲେ ସୁରକ୍ଷା ଆଶାରେ । କିନ୍ତୁ ହୁତ୍‍ହୁତ୍ କରି ଜଳୁଥିବା ଘରର ଅନତିଦୂରରେ ଛିଡ଼ାହୋଇ ରହିଲେ କେତେଜଣ ଅରକ୍ଷିତ, ଅସହାୟ ମଣିଷ ।

ଏବଂ ସେତିକିବେଳେ ହୁରୁଷୀକୁ ଘୋଷାରି ଘୋଷାରି ଗାଁ ଦାଣ୍ଡରେ ଛିଡ଼ାକରି କହିଲା ଶଙ୍କର–“ହାତେ ହାତେ ଧରିଛି ପାପୀକୁ । ଆମ ଘରେ ନିଆଁଲଗାଇ ଦୌଡ଼ି ପଳେଇଯାଉଥିଲା, ମୁଁ ତା’ ପିଛା କଲି । ଗୁହୁଳା ସାହି ଭିତରେ ପଶିଥିଲା ଛପିଯିବା ପାଇଁ; କିନ୍ତୁ ତା ଭାଗ୍ୟ ମନ୍ଦ, ମୁଁ ଦେଖିଦେଲି । ସୁରିଆ, ପୁରିଆ, ସନିଆ, ଭୋଳା ସାହାଯ୍ୟ କଲେ ତାକୁ ଧରିବା ପାଇଁ । ଏବେ ୟାର ବିଚାର ହେଉ, ନହେଲେ ଏଇ ଜଳନ୍ତା ନିଆଁକୁ ଫୋପାଡ଼ିଦେବି ଶୟତାନକୁ ।’’

ଏହା କହି ଶଙ୍କର ଏତେ ଜୋରରେ ତାକୁ ନିଆଁ ଆଡ଼କୁ ଝିଙ୍କିନେଲା ଯେ ସେ ହାମୁଡ଼ି ପଡ଼ିବାବେଳେ ତା’ ମୁହଁ ଉପରେ ମୃତ୍ୟୁର କଳାଛାଇ ଦେଖି ଚମକିପଡ଼ି କହିଲେ ବିଶ୍ଵନାଥ–ସେ ଅହିନର୍କରେ ପଡ଼ିବ ଶଙ୍କର । ମା’ ଭଗବତୀ ତାକୁ ଶାସ୍ତି ଦେବେ । ଛାଡ଼ିଦେ, ଛାଡ଼ିଦେ ତାକୁ । ଆସନ୍ତାବର୍ଷ ଏଇ ଫଗୁଣ ଆସିବା ଆଗରୁ ନିଆଁରେ ଖସିପଡୁଥିବା ଘରର ଅଂଶପରି ତା’ ଦେହର ଗୋଟିଏ ଅଙ୍ଗ ଗଳିପଡ଼ିବ କୋଷ୍ଠରୋଗରେ । ଛାଡ଼ିଦେ, ଛାଡ଼ିଦେ ତାକୁ । ଘୃଣ୍ୟ ଅସ୍ପୃଶ୍ୟ ନୀଚ ଲୋକର ସ୍ପର୍ଶଦୋଷ ଅନିଷ୍ଟକର ।

ହୁରୁଷୀ ବିକଳ ହୋଇ ରଡ଼ି ଛାଡ଼ୁଥାଏ । ମତେ ନିଆଁକୁ ଫିଙ୍ଗିଦେନାରେ ଶଙ୍କର । ମୋ ବୁଦ୍ଧିରେ ମୁଁ ଏ କାମ କରିନାହିଁ । ସାଧୁମିଶ୍ରେ ଟଙ୍କାଏ ଦେଇଥିଲେ ଏହା କରିବା ପାଇଁ । ମତେ ଛାଡ଼ିଦେ, ମତେ ଛାଡ଼ିଦେ ।

 

[ ୧୨ ]

 

ଖରାପ ସମୟ ବିଶ୍ଵନାଥଙ୍କୁ ଅପେକ୍ଷା କରିଥିଲା, ଯେପରି ବଣ ଭିତରେ ଶିକାର ଉପରେ ଝାମ୍ପିପଡ଼ିବାପାଇଁ ଅପେକ୍ଷା କରେ ଚିତାବାଘ । ମୋକଦ୍ଦମାରେ ସିନା ଜିଣିଲେ, କିନ୍ତୁ ସନ୍ଧି କରିବାକୁ ଆସି ବିଫଳ ହୋଇ ଯେଉଁମାନେ ଫେରିଗଲେ ସେମାନଙ୍କର ଫାନ୍ଦରେ ପଡ଼ିଗଲେ ବିଶ୍ଵନାଥ । ଅକ୍ଷୟତୃତୀୟା ଦିନ ମୁଠି କରିବାକୁ ଯାଇଥିଲେ ସେ ଠାକୁରାଣୀଶାଳ ଚକକୁ । ମୂଲିଆମାନେ ହଳ ଲଙ୍ଗଳ ନେଇ ତାଙ୍କ ପୂର୍ବରୁ ପହଞ୍ଚିଥିଲେ ସେଠାରେ । କିନ୍ତୁ ସେମାନଙ୍କୁ ଚକ ବାହାରେ ଗୋଚର ଜମି ଉପରେ ଅପେକ୍ଷା କରୁଥିବା ଦେଖି ଖଟକା ଲାଗିଲା ମନରେ । ଚକ ଭିତରେ ପାଞ୍ଚଟା ଲଙ୍ଗଳ କାର୍ଯ୍ୟରତ ଥିବା ଦେଖି ସେ ଚାହିଁଲେ ଚାରିଆଡ଼କୁ । ଅଳ୍ପ ସମୟ ମଧ୍ୟରେ ନାଟର ଗୋବର୍ଦ୍ଧନକୁ ଗଛ ଛାଇରେ ଗଛକୁ ଆଉଜି ହାୱା ଖାଉଥିବା ଦେଖି ବ୍ରହ୍ମ ତାତି ଉଠିଲା ତାଙ୍କର । କିନ୍ତୁ ପାଖଆଖରେ ଆଉ ସାତ ଆଠଜଣଙ୍କୁ ଦେଖି ସେ ଯେ ଦଳବଳ ସହିତ ପ୍ରସ୍ତୁତ ହୋଇ ଆସିଥିଲା ଏହା ସହଜରେ ବୁଝିଗଲେ ବିଶ୍ଵନାଥ ।

 

ଚକ୍ରଧର ପାନପିକ ଲେଣ୍ଡାଏ ପକେଇ କହିଲା ଶୁଣେଇ ଶୁଣେଇ–ଅକ୍ଷୟତୃତୀୟାର ମୁଠି ଏଇ ଚକରୁ ଆରମ୍ଭ । ଏଇ ଜମି ବନ୍ଧକ ରଖି ମୁଁ ଯୋଉ ଟଙ୍କା ଦେଇଥିଲି ତାହା ଏଯାଏଁ ପରିଶୋଧ ହୋଇନି । ଆଇନାନୁସାରେ ଜମି ମୋର ଅଧିକାରରେ । କାରଣ ପୂରା ଟଙ୍କା ନଶୁଝିବା ପର୍ଯ୍ୟନ୍ତ ଜମି ଚାଷ କରିବାର ଅଧିକାର ମୋର । କାଗଜପତ୍ର ବି ମୋ ସପକ୍ଷରେ ।

 

ଚକ୍ରଧର ପାଣି ଯେ ଏତେ ବଡ଼ କୁଚକ୍ର ରଚନା କରିପାରେ ତାହା ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ବିଶ୍ଵନାଥ । ଉତ୍ତେଜିତ ହୋଇପଡ଼ୁଥିଲେ ସେ ଚକ୍ରଧରର ଅହଙ୍କାର ଦେଖି, କିନ୍ତୁ ନିଜକୁ ସଂଯତ କରି କହିଲେ–ଏ କାମ କିଛି ଭଲକଲୁନି ଚକ୍ରଧର । ଜମି ବନ୍ଧକ ଦେବା ମୁଁ ଜାଣେନାହିଁ । କେବେହେଲେ କହିନୁ ଆଗରୁ । ଆଜି କିପରି ହଠାତ୍ ଜମି ତୋ ଅଧିକାରକୁ ଚାଲିଗଲା ମୁଁ ବୁଝିପାରୁନି ।

 

ଚକ୍ରଧରକୁ ସମର୍ଥନ କରି ଦନେଇ ପାଣି କହିଲା–ସେ କ’ଣ ମିଛ କହୁଛି । ଜମି ବନ୍ଧକ ଦେଇ ଟଙ୍କା ନେଇଥିବାର କାଗଜପତ୍ର ସାକ୍ଷୀ ସବୁତ୍ ସବୁ କ’ଣ ମିଛ ? ତମେ ଏକା ସତ୍ୟବାନୀ ଧର୍ମରାଜ ଯୁଧିଷ୍ଠିର ?

 

–କିନ୍ତୁ ମୁଁ କେବେ ଟଙ୍କା ନେଇଛି କହୁ ଚକରା । ଏଇ ଠାକୁରାଣୀଙ୍କୁ ଚାହିଁ ଶପଥ କରି କହୁ ।

 

ଦନେଇ କହିଲା–କିଏ ଟଙ୍କା ନେଇଛି କାଗଜପତ୍ରରେ ଲେଖାହୋଇଛି । ଏଇ ସମ୍ପତ୍ତି ଖାଲି ତମର ନୁହେଁ, ଅନ୍ୟ ଭାଇମାନଙ୍କର ବି ଭାଗ ଅଛି ଏଥିରେ । ତମ ବାପା ଗୋସେଇଁ ବାପା ଓ ତାଙ୍କ ଭାଇମାନେ କେବେ ଅଲଗା କରିନଥିଲେ ନିଜ ନିଜର ଅଂଶ । ଇଜମାଲି ସମ୍ପତ୍ତି ପରି ଚଳିଆସୁଥିଲା ଏଯାଏଁ । ଯାହାର ଅଂଶ ବେଶୀ ସେ ବନ୍ଧକ ଦେଇ ଟଙ୍କା ନେଇଛି ।

 

ଏବେ ତାଙ୍କ ପଛରେ ତାଙ୍କ ଅଜ୍ଞାତରେ କକାପୁଅ–ଭାଇମାନେ କିପରି ଚକ୍ରଧରର ହୀନ ଚକ୍ରାନ୍ତର ଶିକାର ହୋଇଯାଇଛନ୍ତି ତାହା ସ୍ପଷ୍ଟ ବୁଝିପାରିଲେ ବିଶ୍ଵନାଥ । ଏଥିାଇଁ ଦୁର୍ଗାପୂଜା ଏତେ ଧୂମ୍‍ଧାମରେ କରିଥିଲେ ସେମାନେ ! ଏଥିପାଇଁ ପୁଅର ବ୍ରତଘରେ ଆଖିବୁଜି ଖର୍ଚ୍ଚ କରିଥିଲେ ଭୋଜିଭାତରେ ।

 

ଆକାଶରୁ ଝରିପଡ଼ୁଥିଲା ସୂର୍ଯ୍ୟଦେବତାଙ୍କ ଅଗ୍ନିବର୍ଷୀ ଉତ୍ତାପ । ନୈଋତ କୋଣରେ ଭାସୁଥିଲେ କେତୋଟି ଧଳାମେଘ ବନ୍ଦରରେ ଆଶ୍ରା ନପାଇ ମଝି ଦରିଆରେ ଭାସୁଥିବା ପୋତପରି । ଝାଳ ବୋହିଗଲା ବିଶ୍ଵନାଥଙ୍କ ଦେହରୁ । ମେରୁଦଣ୍ଡ ନଇଁ ଆସୁଥିଲା, କିନ୍ତୁ ସେ ତ ଭିନ୍ନ ଧାତୁରେ ଗଢ଼ା–ଭାଙ୍ଗଯିବେ ପଛେ ନଇଁବେ ନାହିଁ । ମନେପଡ଼ିଲା ବାପାଙ୍କ କଥା । ଦିନେ ଏହିପରି ଏକ ବିପତ୍ତିରେ ଦିଗହରା ନହୋଇ ବାପା କହିଥିଲେ–ବିପଦ ସମୟରେ, ସଙ୍କଟ ସମୟରେ ମତିଗତି ଧୀରସ୍ଥିର ରଖିବା ବୁଦ୍ଧିମାନର କାର୍ଯ୍ୟ । ସାଲିସ ନକରି ମଥା ଉଚ୍ଚ କରି ଚାଲିଲେ ଦୁଃଖ ପଡ଼େ, ଦଣ୍ଡ ଭୋଗ କରିବାକୁ ହୁଏ । କିନ୍ତୁ ବାପା ଇଏ ତ ସଂସାରର ରୀତି । ବହୁ ସମସ୍ୟା ଆସିବ, ବଡ଼ ବଡ଼ ବିପଦ ବି ପଡ଼ିବ, କିନ୍ତୁ ନଇଁଗଲେ ଚଳିବ ନାହିଁ, ବୀରପରି ଠିଆହେବାକୁ ହେବ । ପଡ଼ିଗଲେ ଆଣ୍ଠୁ ଗଣ୍ଠି ଭାଙ୍ଗିଯାଇପାରେ, କିନ୍ତୁ ପୁନର୍ବାର ଉଠିବାକୁ ପଡ଼ିବ । ଆଉ ଠିକ୍ ସାଙ୍ଗେ ସାଙ୍ଗେ ମନେପଡ଼ିଲା ଗୋପବନ୍ଧୁଙ୍କର କବିତା ଦୁଇଧାଡ଼ି–‘ପଛଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେବେ ପରାଣ ଆତଙ୍କେ’ ।

 

ଆଉ ଠାକୁରାଣୀଶାଳ ଚକ ଭିତରକୁ ନ ପଶି ଜମି ବାହାରେ ନାମକୁମାତ୍ର ମୁଠି କରି ବିଶ୍ଵନାଥ ଦଶଦିଗକୁ ସାକ୍ଷୀକରି କହିଉଠିଲେ–କିଏ ଟଙ୍କା ନେଇଛି ମୁଁ ଜାଣେ ନାହିଁ । ଏ ଜମି ମୋ ଭାଗରେ ପଡ଼ିଛି । ମୁଁ ଏଗାର ବର୍ଷ ହେଲା ଚାଷକରି ଆସୁଛି । କେହି ଭାଇ ବିରୋଧ କରିନାହିଁ । ଆଉ କେହି ଯଦି ମୋ ଅଜ୍ଞାତରେ ବନ୍ଧକ ଦେଇ ଋଣ କରେ ମୁଁ ସେଥିପାଇଁ ଦାୟୀ ନୁହେଁ କି ମୁଁ ସେ କାଗଜପତ୍ର ସାକ୍ଷୀ ସବୁତ୍ ମାନିବାପାଇଁ ବାଧ୍ୟ ନୁହେଁ । ସାତଟା ମୋକଦ୍ଦମା ଚାଲିଛି ଅଦାଲତରେ–ଏଇଟା ହେବ ଅଷ୍ଟମ । ଆଉ ସମସ୍ତେ ଜାଣନ୍ତି ଅଷ୍ଟମ ଗର୍ଭର ସନ୍ତାନ କିପରି କାଳ ହୋଇଥିଲା ମହାଅହଙ୍କାରୀ କଂସର । ଯାହା କହନ୍ତି କୁଳ ନାଶ ହେଲାବେଳେ ଘୋଡ଼ାମୁହାଁ ପୁଅ । ମୁଁ ଫେରିଯାଉଛି ଚକ୍ରଧର; କିନ୍ତୁ ଯେଉଁଦିନ ଫେରି ଆସିବି ସେଦିନ ମୋ ପକ୍ଷରେ ଥିବ ସତ୍ୟ, ଧର୍ମ ଓ ନ୍ୟାୟର ପାଣ୍ଡବସେନା । କେବଳ ଦୁଃଖ ଏତିକି ଯେ ସେ ବର୍ଷର ଅକ୍ଷୟତୃତୀୟା ପାଳିବାକୁ ନଥିବୁ ତୁ । ଏଇ ମଧ୍ୟାହ୍ନରେ ସୂର୍ଯ୍ୟଦେବଙ୍କୁ ସାକ୍ଷୀକରି ଏଇ ସତ୍ୟ ମୁଁ କରିଯାଉଛି ।

 

ବିଶ୍ଵନାଥଙ୍କ ବଜ୍ରନିର୍ଘୋଷ ବାଣୀ ପ୍ରତିଧ୍ଵନିତ ହୋଇ ଚହଲି ବୁଲିଲା ଚତୁର୍ଦ୍ଦିଗରେ । ଚକ୍ରଧର ଚିହିଁକି ଆସିବା ପୂର୍ବରୁ ସ୍ଥାନ ଛାଡ଼ି ଚାଲିଯାଇଥିଲେ ବିଶ୍ଵନାଥ । ମୂଲିଆମାନଙ୍କୁ ଘରକୁ ପଠେଇଦେଇ ସେ ନିଜ ଚାଲିଲେ ଷ୍ଟେସନ ଆଡ଼କୁ । ଦୁର୍ଦ୍ଦିନରେ ଚାନ୍ଦାରାଓ ହିଁ ପ୍ରକୃତ ବନ୍ଧୁ । ତାଙ୍କଠାରୁ ଶୁଣିବାପାଇଁ ଇଚ୍ଛା ହେଲା ଏହାପରେ ସେ କ’ଣ କରିବା ଉଚିତ ।

 

ଅଫିସ ବନ୍ଦକରି କ୍ଵାଟରରେ ବିଶ୍ରାମ କରୁଥିଲେ ଚାନ୍ଦାରାଓ । ବିଶ୍ଵନାଥଙ୍କ ସ୍ଵର ଶୁଣି ଦାଣ୍ଡଦୁଆରୁ ତାଙ୍କୁ ପାଛୋଟିନେଲେ ଭିତରକୁ, ଆଉ ତାଙ୍କ ମୁହଁକୁ ଚାହିଁ ଅନ୍ତର୍ଯ୍ୟାମୀ ପରି କହିଲେ–କ’ଣ କିଛି ଅଘଟଣ ଘଟିଯାଇଛି ନନା, ତୁମେ ଚିନ୍ତିତ ଜଣାପଡ଼ୁଛ ।

 

ବିଶ୍ଵନାଥ କିଛି କହିବା ପୂର୍ବରୁ ତାଙ୍କ ହାତକୁ ପାଣି ଲୋଟାଏ ବଢ଼ାଇଦେଇ କହିଲା ମାଳିନୀ–ଆଗେ ହାତମୁହଁ ଧୋଇ ନିଅନ୍ତୁ କାକାବାବୁ–ତା’ପରେ ବସି ଆଲୋଚନା କରିବେ ।

 

ବିଶ୍ଵନାଥ ସେ’ୟା କଲେ । ହାତମୁହଁ ଧୋଇ ବସିବାବେଳକୁ ତାଙ୍କ ହାତକୁ ଦହି ସରବତ ଗିଲାସେ ବଢ଼ାଇଦେଇ କହିଲା ମାଳିନୀ–ମା’ କହିଛି ସରବତ ପିଇଲେ ବେଶ୍ ଆରାମ ଲାଗିବ । ତା’ ମୁହଁକୁ ମନ୍ତ୍ରମୁଗ୍ଧ ପରି ଅନାଇ ରହିଲେ ବିଶ୍ଵନାଥ । ଜନନୀ ଓ କନ୍ୟାର ଆଧାର ଏକ, ହୃଦୟ ମଧ୍ୟ ସମାନ ।

 

ବିଶ୍ଵନାଥ ଗୋଟି ଗୋଟି କରି କହିଲା ସବୁ କଥା । ଚାନ୍ଦାରାଓ ଶୁଣିସାରିବା ପରେ ଟିକେ ରହିଯାଇ ତା’ପରେ କହିଲେ–ମଥା ଗରମ କରି ଉତ୍ତେଜନାରେ କିଛି ନକରି ବଡ଼ ଭଲ କରିଛ ନନା । ମୁଁ ଭାବୁଛି ଥାନାରେ ଏ ବିଷୟରେ ଏତଲା ଦେବା ଉଚିତ ହେବ । ତା’ପରେ ଫୌଜଦାରୀ ମାମଲା । ଆଇନ୍‍ ଅନୁସାରେ ଚାଲିବା ହିଁ ଶ୍ରେୟସ୍କର ପନ୍ଥା । ବିଳମ୍ବ ହେଉ କିନ୍ତୁ ନିଜ ହାତକୁ ଆଇନ୍‍କୁ ନେବା ବୁଦ୍ଧିମାନର କାମ ନୁହେଁ ।

 

ବିଶ୍ଵନାଥ ସହମତ ହୋଇ କହିଲେ–ମୁଁ ବି ସେ’ୟା ଭାବିଛି ରାଓ ବାବୁ । ଦଶ ବରଷ ହେଲା ମୋକଦ୍ଦମା ଲଢ଼ୁଛି ମୁଁ । ସାତଟା ମୋକଦ୍ଦମା ଏବେ ବି ଅଦାଲତରେ ବିଚାରାଧୀନ, ଏଇଟା ହେବ ଆଠଟା । ମୁଁ ଡରୁନାହିଁ, କିନ୍ତୁ ଏଇ ମୋକଦ୍ଦମା ଲଢ଼ି ମୋ ସହିତ ସେମାନେ ବି ଯେ ସର୍ବସ୍ଵାନ୍ତ ହେଲେଣି ସେଥିପାଇଁ ଭାବୁଛି । ଆମ ପରି ସାଧାରଣ ଲୋକ ପକ୍ଷରେ ଓକିଲ ପୋଷିବା, ସାକ୍ଷୀ ପ୍ରମାଣ ଧରି ମାସରେ ସାତଥର ବାରିପଦା ଦୌଡ଼ିବା ଯେ କେଡ଼େ କଷ୍ଟକର ତାହା ବୁଝୁଥିବ-। ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ଦେଉନି ବୋଲି ଏଇ କଷଣ ସହିବାକୁ ପଡ଼ୁଛି ।

 

–ବିପଦ ପରେ ବିପଦ ମାଡ଼ିଆସୁଛି ନନା । କଥାରେ କହନ୍ତିନି–ବିପଦ ଏକା ଆସେନାହିଁ, ସାଙ୍ଗରେ ସାଥୀ ନେଇ ଆସେ । ତମେ ବିନା ଦୋଷରେ ହାଜତରେ ରହିଲ, ପରର ମଙ୍ଗଳ କରିବାକୁ ଯାଇ ପୁଲିସ ଦ୍ଵାରା ଲାଞ୍ଛନା ସହ୍ୟ କଲ, ଶେଷରେ ଏତକ ହେଲାନାହିଁ ଯେ ଘର ପୋଡ଼ିଦେଲେ । ତା’ପରେ ଏଇ ଜମି ଜବର ଦଖଲ ।

 

–ଘରପୋଡ଼ିଠାରୁ ବିପତ୍ତି ନାହିଁ ଯାହା କହନ୍ତି ଅକ୍ଷରେ ଅକ୍ଷରେ କେଡ଼େ ସତ ତାହା ଅନୁଭବୀ ହିଁ କହିବ । ପ୍ରତିଦିନ ମନେହୁଏ ଜୀବନର ଶେଷଦିନ–ଆଉ ପାରିବି ନାହିଁ । କିନ୍ତୁ କି ଆଶ୍ଚର୍ଯ୍ୟ, ଅବଶ ଦେହହାତ ସହିତ ଅବସନ୍ନ ମନ କେଉଁ ଅଜ୍ଞାତ ଶକ୍ତିର ପରଶ ପାଇ ପୁଣି ଚେଇଁଉଠେ । ପୁଣି ଜାଗିଉଠେ ପ୍ରାଣ । ଲଢ଼ିବା ପାଇଁ ଆଉଥରେ ସଂକଳ୍ପ କରେ । ଲହୁଲୁହାଣ ହୋଇ ଯନ୍ତ୍ରଣା ଭୋଗୁଥିବା ବିଷୟ ପାଶୋରିଯାଏ । ସବୁ ଶୂନ୍ୟ ଦିଶିଲାବେଳକୁ ଅପ୍ରତ୍ୟାଶିତଭାବେ ଅଯାଚିତ ସାହାଯ୍ୟ ପହଞ୍ଚିଯାଏ । ଏଇ ଦେଖୁନ କିଣିବି କିଣିବି ବୋଲି ଛଅମାସ ହେବ କସ୍ତା ଖଣ୍ଡେ କିଣିପାରୁନଥିଲି । କିନ୍ତୁ ପଅରଦିନ ମାଳିନୀ ଯାଇ ଏଡ଼େ ସୁନ୍ଦର ସାଢ଼ୀ ଖଣ୍ଡେ ତା’ ଖୁଡ଼ୀକୁ ଦେଇଆସିଲା ଯେ ସେ ମନାକରିନପାରି ରଖିନେଲା ପରମ ଆନନ୍ଦରେ-। ଶଙ୍କରକୁ ବାରିପଦା ପଠାଇବା ପାଇଁ ହାତରେ ପଇସା ନଥିଲା ବୋଲି ବିବ୍ରତ ହେଉଥିବା ବେଳେ ହଠାତ୍ ଜନ୍ମେଜୟଙ୍କ ବାର୍ତ୍ତା ସହିତ ତା’ ପାଇଁ ପଠାଇଥିବା ପଚିଶ ଟଙ୍କା ଆସି ପହଞ୍ଚିଲା ସେଇ ଯୋଗୀ ହାତରେ । ଆମ ଶାସ୍ତ୍ର କହେ ପରୋପକାର ହିଁ ଧର୍ମ, ଆଉ ପରପୀଡ଼ନ ଅଧର୍ମ-

 

ବିଶ୍ଵନାଥଙ୍କ ଅଙ୍ଗେନିଭା କାହାଣୀ ଶୁଣି ସେଇ ଲଢ଼ୁଆ ଲୋକଟିକୁ ପରମ ଶ୍ରଦ୍ଧାରେ ଚାହିଁ ରହିଥିଲେ ଚାନ୍ଦାରାଓ ।

 

ସେ ଦିନ ସେହିଠାରେ ମଧ୍ୟାହ୍ନ ଭୋଜନ କରି ଘରକୁ ଫେରିବାବେଳକୁ ବେଳ ଗଡ଼ିଯାଇଥାଏ ସତ, କିନ୍ତୁ ଗୋଟିଏ ଲୟରେ ସ୍ଵାମୀଙ୍କୁ ପ୍ରତୀକ୍ଷା କରୁଥିଲେ ପାର୍ବତୀ । ଅଭୁକ୍ତ ସ୍ତ୍ରୀଙ୍କୁ ଖୁଆଇସାରିବା ପରେ ବିଶ୍ଵନାଥ କହିଲେ–ମୋର ଭୁଲ, ଖବର ପଠାଇପାରିଲି ନାହିଁ । କିନ୍ତୁ ମୁଁ ଚାନ୍ଦାରାଓଙ୍କ ଘରକୁ ଯିବା ଜାଣି ସୁଦ୍ଧା ତମେ ଅଭୁକ୍ତ ରହିବା ଠିକ୍‍ ହେଲା ନାହିଁ ପାର୍ବତୀ । ଆଉ ଏପରି କରିବ ନାହିଁ । ସହିବାର ସୀମା ଅଛି ।

 

ପାର୍ବତୀ କିଛି କହିଲେ ନାହିଁ । କିନ୍ତୁ ତାଙ୍କ ମୁହଁ ଉପରେ ଉକୁଟି ଉଠୁଥିଲା ଏକ ଅନିର୍ବଚନୀୟ ପ୍ରସନ୍ନତା ଯାହାର ପଟାନ୍ତର କବିର କବିତାରେ ଖୋଜିଲେ ମିଳେ ନାହିଁ କି ଭାଷାରେ ବର୍ଣ୍ଣନା କରିବାର ଶକ୍ତି ନାହିଁ ।

 

ଦିବାକରକୁ ସାଙ୍ଗରେ ନେଇ ସାଙ୍ଗେ ସାଙ୍ଗେ ବାଙ୍ଗିରିପୋଷି ବାହାରିଗଲେ ବିଶ୍ଵନାଥ । ବାଙ୍ଗିରିପୋଷି ଥାନା । ଦାରୋଗା ବାବୁଙ୍କୁ ସବୁ କହି ଆସିବା ଭଲ । ବାଟରେ ଦେଖାହେଲା ପଥୁରୀର ଚିନ୍ତାମଣି ଗୋଛାଏତ ସହିତ । ମହାପ୍ରସାଦ ଦେଇ ପାର୍ବତୀଙ୍କୁ ଧର୍ମଭଉଣୀ କରିଥିଲା ପଞ୍ଚାନନ । ବିଶ୍ଵନାଥଙ୍କଠାରୁ ଠିକେଠିକେ ସବୁ ଶୁଣି କହିଲା–ଚାଲ ନନା ତମ ସହିତ ମୁଁ ଯିବି । ଦାରୋଗା ମୋର ଚିହ୍ନା, ସଦ୍‍ଭାବ ବି ଅଛି । ମାସିକାସବାରି ନିଏ ପ୍ରତିମା ମୋ କଥା ଟାଳିପାରିବନାହିଁ ।

 

ଦିବାକର କହିଲେ–କାଳ ବଦଳୁଛି ହେ ଚିନ୍ତାମଣି । ଆମେ ପିଲା ବୟସରେ ଯାହା ଦେଖିନଥିଲୁ କି ଶୁଣିନଥିଲୁ । ଏବେ ସବୁ ସତ ହେଲାଣି । ମହାରାଜା ଶ୍ରୀରାମଚନ୍ଦ୍ର କି ପୂର୍ଣ୍ଣଚନ୍ଦ୍ରଙ୍କ ସମୟରେ ଦାରୋଗା କେବେ ମାସିକାବାରି ନେଉଥିଲେ ? ହାକିମହୁକୁମା ବରଂ ଡରୁଥିଲେ ମହାରାଜାଙ୍କୁ । ତାଙ୍କର ଆଖି ଓ କାନ ସିନା ଦୁଇଦୁଇଟା, କିନ୍ତୁ ସହସ୍ର ସୂତ୍ରରୁ ଖବର ଆସେ ତାଙ୍କ କାନକୁ, ଅନେକ ଲୋକଙ୍କ ଆଖିଦେଇ ଦେଖନ୍ତି ସେ । କିନ୍ତୁ ସମସ୍ତେ ଏମିତି ନୁହଁନ୍ତି । ଏବେବି ଅଧିକାଂଶ ହାକିମ ସତରେ ଧର୍ମାବତାର ।

 

ଚିନ୍ତାମଣି ଗୋଛାଏତଙ୍କ ଶଗଡ଼ରେ ବସିଥିଲେ ତିନିଜଣ କାଳିଆ, କସରା ଦୌଡ଼ୁଥିଲେ ଘୋଡ଼ାପରି । ଲାଙ୍ଗୁଡ଼ରେ ହାତ ବାଜିଲା କ୍ଷଣି ଶଗଡ଼ ଗଡ଼ିଯାଉଥିଲା ମହାରାଜାଙ୍କ ଘୋଡ଼ାଗାଡ଼ି ପରି । ତଥାପି ବାଙ୍ଗିରିପୋଷିରେ ପହଞ୍ଚିବା ବେଳକୁ ରତରତ । ସୂର୍ଯ୍ୟଦେବତା ଶିମିଳିପାଳ ପର୍ବତଚୂଡ଼ା ଉପରେ ତରଳ ସୁନା ଢାଳି ଦେଉଥିଲେ ବୋଲି ସବୁରି ଆଖି ଦୃଷ୍ଟି ଅଟକିଯାଇଥିଲା ସେଠାରେ ।

 

ଦାରୋଗା ବାବୁ ଆଗରୁ ଖବର ପାଇସାରିଥିଲେ । କିନ୍ତୁ କିଛି ନ ଜାଣିବାପରି ପଚାରିଲେ–ନନା ! ଫେର୍ କ’ଣ ହେଲା ? ତମ ଘର ତ ପୋଡ଼ିଯାଇଥିଲା ସେଦିନ । କେହି ଧରାପଡ଼ିଲେ ? କାହା ନାମରେ ଅଭିଯୋଗ ଅଛି ତମର ?

 

ବିଶ୍ଵନାଥ କିଛି କହିବା ପୂର୍ବରୁ ଚିନ୍ତାମଣି ଗୋଛାଏତ କହିଲା–“ଆଗେ ଘରେ କହିଦେଇ ଆସନ୍ତୁ । ଯାହା ଆସିଛି ଫେରାଇ ନଦେଇ ସେସବୁର ସଦ୍‍ବ୍ୟବହାର ହୁଏ ଯେପରି ।’’ ତା’ପରେ ଦାରୋଗା ବାବୁଙ୍କ କାନ ପାଖରେ କହିଲା ଚିନ୍ତାମଣି–“ବାଡ଼ିର ପାଚିଲା କଦଳୀ କାନ୍ଧି, ପାଟକପୁରା-। ପୋଖରୀରେ ମାଛ ଧରୁଥିଲେ ଯେ ଦୁଇଟା ତଟକା ରୋହି ପାଇଗଲି ତ ନେଇ ଆସିଲି–ଚାରି ପାଞ୍ଚ ସେରରୁ କମ୍‍ ହେବ ନାହିଁ ।’’

 

ଦାରୋଗା ବାବୁ ପ୍ରସନ୍ନ ହୋଇ ସେହିପରି ଅନୁଚ୍ଚ ସ୍ଵରରେ କହିଲେ–ଏତେ ମାଛ ଭାଜିବା ପାଇଁ ତେଲ ନଥିବ ଘରେ…ତମେ ବରଂ ଯାଇ ସେଇ ବ୍ୟବସ୍ଥା କରିଆସ ଚିନ୍ତାମଣି ।

 

ଚିନ୍ତାମଣି ପ୍ରସ୍ତୁତ ହୋଇ ଯାଇନଥିଲେ, କିନ୍ତୁ ବାଙ୍ଗିରିପୋଷିରେ ତାଙ୍କର ନାମ ଡାକ । ସଙ୍ଗେ ସଙ୍ଗେ ନାଥୁରାମ ଯଖମଲର ଗୋଦାମରୁ ସୋରିଷ ତେଲ ଟିଣେ ନେଇ ରଖିଦେଲେ ଦାରୋଗା ବାବୁଙ୍କ କ୍ଵାଟରରେ ।

 

ଡାଏରୀରେ ପୁଙ୍ଖାନୁପୁଙ୍ଖ ସବୁ ବିବରଣୀ ଲେଖିସାରି କହିଲେ ଦାରୋଗା ବାବୁ–ତମ ହାତ ଏବେ ଟାଣ ହେଲା ନନା । କାଲି ମୁଁ ନିଜେ ଯାଇ ତଦନ୍ତ କରି ଆସିବି । କିନ୍ତୁ ପୁଲିସର କ୍ଷମତା ଜମିଜମା ବିଷୟରେ ସୀମାବଦ୍ଧ । ତମେ ବିଳମ୍ବ ନକରି ସିଭିଲ କୋର୍ଟରେ ନାଲିସ କର ଯେପରି ।

 

ଥାନାରେ କାମ ଶେଷକରି ନାଥୁରାମର ଦୋକାନରେ ଚୁଡ଼ାଗୁଡ଼ ଖାଇ ଜଗନ୍ନାଥଖୁଣ୍ଟାକୁ ଫେରିବାବେଳକୁ ରାତି ଚାରିପାଞ୍ଚ ଘଡ଼ି ହୋଇଥିବ । କିନ୍ତୁ ସଡ଼କର ପଦ୍ମପୋଖରୀ ଆଡ଼କୁ ବାଟ ଭାଙ୍ଗିବାବେଳେ ଆଉ କେହି ସେମାନଙ୍କୁ ଅପେକ୍ଷା କରୁଥିବା ପରି ସୂଚନା ପାଇ ଦିବାକର କହିଲେ–ଶଳା ଏଠି ବି ଜଗିଛି, ଜଗୁ । ସବୁଦିନ ଯେ ସମାନ ଯାଏ ନାହିଁ । ଏଥର ଚକ୍ରଧର ବୁଝିବ ନିଶ୍ଚୟ ।

 

ଗାଁ ଦାଣ୍ଡରେ ସେମାନଙ୍କ ଫେରିବା ବାଟକୁ ଚାହିଁ ପିଣ୍ଡାରେ ବସିଥିଲେ ରାଧାନାଥ । ଷଡ଼ଙ୍ଗୀବଂଶର ମଉଡ଼ମଣି । ବିଶ୍ଵନାଥଙ୍କ ତୁଣ୍ଡ ବାରି କହିଲେ–ଏତେ ରାତି ହେଲା ଯେ ?

 

–ଘର ଭିତରକୁ ଚାଲ ସେଇଠି କହିବି ।

 

ବିଶ୍ଵନାଥଙ୍କ, ଦିବାକର ଓ ରାଧାନାଥ ଘର ଭିତରକୁ ଗଲେ ସତ, କିନ୍ତୁ କବାଟ ଏପାଖରେ କାନ ଡେରି ଜଣେ କେହି ଛିଡ଼ାହୋଇଥିବା ପରି ସନ୍ଦେହ ହେଉଥିଲା ମନରେ । ମଣିଷ ନା ଭୂତ ? କେଜାଣି ।

 

ଜନ୍ମେଜୟ ସେଦିନ ମଧ୍ୟରାତ୍ରିରେ ହଠାତ୍ ଆସି ପହଞ୍ଚିଗଲେ । ତାଙ୍କର ଆସିବା ଏକାବେଳେ ଅପ୍ରତ୍ୟାଶିତ ଥିଲା ଏବଂ ସେ ଏ ସମ୍ବନ୍ଧରେ କୌଣସି ସୂଚନା ମଧ୍ୟ ଦେଇନଥିଲେ । ଅସହ୍ୟ ଗରମରୁ ଟିକେ ରକ୍ଷା ପାଇବାପାଇଁ ଅଗଣାରେ ଶୋଇଥିଲେ ବିଶ୍ଵନାଥ । କବାଟ ପାଖରୁ ସାଙ୍କେତିକ ଶବ୍ଦ ତିନିଥର ଭାସିଆସିଲା, ନିଦ ଭାଙ୍ଗିଗଲା ସତ, କିନ୍ତୁ ସେ ନିଦର ଆବେଶରେ ସଠିକ୍ କିଛି କଳନା କରିନପାରି ପୁଣି କାନ ଡେରିଲେ । ଏଥର ସେଇ ଶବ୍ଦ–ନିର୍ଭୁଲ ଓ ସ୍ପଷ୍ଟ । ଲମ୍ଫଦେଇ ବିଛଣାରୁ ଉଠି ସିଧା ଯାଇ ଦାଣ୍ଡ କବାଟ ପାଖରେ ହାଜର ହୋଇଗଲେ ବିଶ୍ଵନାଥ । ଏପାଖରୁ ସାଙ୍କେତିକ ଶବ୍ଦ କଲେ ଦୁଇଥର । ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଆସିଲା । କବାଟ ଖୋଲିଦେଇ ଜନ୍ମେଜୟଙ୍କୁ ସ୍ଵାଗତ କଲେ ବିଶ୍ଵନାଥ ।

 

ପାର୍ବତୀ ଉଠିପଡ଼ିଥିଲେ ସେତେବେଳକୁ । ଜନ୍ମେଜୟ କହିଲେ–ନାନୀ, ବଡ଼ ଭୋକ କରୁଛି । କିଛି ଅଛି ହାଣ୍ଡିରେ ?

 

–ପଖାଳ କଂସାଏ ହେବ ପଡ଼ିଛି, କିନ୍ତୁ ତରକାରୀ ତ କିଛି ନାହିଁ । ଲାଜେଇଯାଇ କହିଲେ ପାର୍ବତୀ ।

 

–ଦୌପଦୀଙ୍କ ହାଣ୍ଡିରୁ ଅନ୍ନ କାଣିକାଏ ଖାଇ ଶ୍ରୀକୃଷ୍ଣ କିପରି ଉଦର ପୂର୍ଣ୍ଣ କରିଥିଲେ ତାହା ତୁମଠାରୁ ଶୁଣିଛି । ସେଇ ବିଷୟ ମୋ ଜୀବନରେ ପୁଣି କେବେ ଘଟିବ ବୋଲି କେବେ ଭାବିନଥିଲି । ପଖାଳ କଂସାକ ବାଢ଼ିଦିଅ, ଲୁଣ ଲଙ୍କା ଥିବ ନିଶ୍ଚୟ ।

 

ବିଶ୍ଵନାଥ ଭାତ ବାଢ଼ିବାପାଇଁ କହି ଚାଲିଗଲେ ବାଡ଼ିକୁ । ଖୋଜିଲେ କେତୋଟି କୁନ୍ଦୁରୀ ହୁଏତ ମିଳିଯାଇପାରେ ଗଛରୁ । ତାଙ୍କ ଧାରଣା ଯେ ନିର୍ଭୁଲ ଏହା ପ୍ରମାଣିତ କରି ପାଞ୍ଚମିନିଟ୍ ଭିତରେ ସେ ଫେରି ଆସିଲେ ହାତରେ କେତୋଟି କଷି କୁନ୍ଦୁରି ନେଇ । ପାର୍ବତୀ ହାତରେ ସ୍ଵର୍ଗ ପାଇଲେ ଯେପରି । ନିଆଁ ଜାଳି କୁନ୍ଦୁରି ପୋଡ଼ି ଟିକେ ସୋରିଷ ତେଲ, ପିଆଜ ଓ କଞ୍ଚାଲଙ୍କା ମିଶେଇ ବାଢ଼ିଦେଲେ ପଖାଳ ସହିତ । ଖାଇସାରି ତୃପ୍ତିରେ ଗୋଟେ ବଡ଼ ଏଉଡ଼ିମାରି କହିଲେ ଜନ୍ମେଜୟ–ବହୁଦିନପରେ ପରିପୂର୍ଣ୍ଣ ଆହାର କଲି ନାନୀ । ଲୁଚି ଲୁଚି ବୁଲୁଥିବା ବାରବୁଲାକୁ ଖାଇବାକୁ ମିଳିବ କୋଉଠୁ ?

 

ବିଶ୍ଵନାଥ କହିଲେ–କୌଣସି ସୂଚନା ନଦେଇ ହଠାତ୍ ଚାଲିଆସିଲ ଯେ ? କିଛି ବିଶେଷ ଖବର ଅଛି ?

 

ପାର୍ବତୀ ଅଇଁଠା ବାସନ ଉଠେଇନେଇ ଚାଲିଗଲେ । ଜନ୍ମେଜୟ କହିଲେ–ଅସ୍ତ୍ରଶସ୍ତ୍ର ଶିକ୍ଷାଦେବା ପାଇଁ ଗୋଟିଏ ନିରାପଦ ଥାନ ବାଛିବା ଲାଗି କହିଥିଲି ତମକୁ । ମନେ ଅଛି ?

 

–ହଁ…ଶିମିଳିପାଳର ନିଘଞ୍ଚ ଅରଣ୍ୟ ଭିତରେ । ହାତୀପାଳ । ଯୁଜେଷ୍ଠି ମାଝି ଆମ ନିଜ ଲୋକ । ପରମ ବିଶ୍ଵାସୀ । ମୁଣ୍ଡ କଟିଯିବ । କିନ୍ତୁ ମୁହଁରୁ ପଦେ କଥା ବାହାରିବ ନାହିଁ । ତା’ର ରାଗ ଅଛି ପୁଲିସ ଉପରେ । ପ୍ରଜାମେଳରେ ତା ଗୋସେଇଁ ବାପା ପରଖୁ ମାଝୀ ନେତୃତ୍ଵ ନେଇଥିଲା ବୋଲି ଶୂଳୀ ପାଇଥିଲା । ଦରବାରରେ ପୁଲିସର ବୟାନ ଗ୍ରହଣ କରିନେଇଥିଲେ ମହାରାଜା । ପରଖୁ ପଟରୁ କେହି ନଥିଲେ କିଛି କହିବାପାଇଁ । ଆଉ ମହାରାଜା ଯେମିତି ତା’ କଥା ଜାଣିବାକୁ ଚାହିଁଲେ ପରଖୁ ହାତଯୋଡ଼ି କହିଲା–ତୁ ଧର୍ମାବତାର, ତୁ ବୁଝିଲେ ବୁଝିବୁ ନ ବୁଝିଲେ ନାଇଁ । ମୋ ଯୁଆନ ବୋହୂ ଉପରେ ଦାରୋଗାର ଆଖି ପଡ଼ିଥିଲା । ସମୁ ନାଏକର ଭଉଣୀର ଇଜ୍ଜତ ନେଇଥିଲା ସେଇ ଦାରୋଗା ବାବୁ । ପାଳି କରି ଡାକୁଥିଲା ଜଣକୁ ଜଣକୁ । ତୁ ସହିପାରିବୁ ତୋ ଘର ଝିଅବୋହୂକୁ ନେଇଗଲେ ?

 

ପରଖୁ ମାଝିର ସାହସ ଦେଖି ସେଦିନ ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ । କେଇମୁହୂର୍ତ୍ତପାଇଁ ନୀରବ ନିଶ୍ଚଳ ହୋଇଯାଇଥିଲା ଦରବାର ।

 

ମହାରାଜା କୃଷ୍ଣଚନ୍ଦ୍ରଭଞ୍ଜଙ୍କ ରାଜତ୍ଵ ସେତେବେଳେ । ପୁଲିସ ପକ୍ଷରୁ ତତ୍‍କ୍ଷଣାତ ପେସ୍‍ କରାଗଲା–ତା’ ସାହସ ଦେଖନ୍ତୁ ହଜୁର୍‍ । ଯିଏ ଏମିତି ଅସନା କଥା କହିପାରେ, ସେ ସବୁ ପ୍ରକାର ଜଘନ୍ୟ କାମ ବି କରିପାରେ । ଦାରୋଗା ଉପରେ ଦଳବଳ ନେଇ ପରଖୁ ଆକ୍ରମଣ କରିଥିବା ସତ୍ୟ । ଆଉ ଏହା ବି ସତ୍ୟ ଯେ ତାହାର କୁରାଢ଼ି ଚୋଟ ପ୍ରଥମେ ପଡ଼ିଥିଲା ଦାରୋଗା ପଟ୍ଟନାୟକର ମୁଣ୍ଡ ଉପରେ ।

 

ଶୂଳୀ ଆଦେଶ ହେଲା । ଏପରି ଭୟଙ୍କର ପ୍ରଜା ରାଜ୍ୟରେ ରହିଲେ ଶାସନ ରହିବ ନାହିଁ । ମୁହଁ ବଢ଼ିଯିବ ଆଇନ ଭାଙ୍ଗୁଥିବା ଲୋକମାନଙ୍କର । ପରଖକୁ ଶୂଳୀ ଦିଆଗଲା ଶିମିଳିପାଳର ଆଉ ଏକ ଅଖ୍ୟାତ ଗୁପ୍ତସ୍ଥାନରେ ।

 

ଜନ୍ମେଜୟ କହିଲେ–ଯୁଗ ଯୁଗ ଧରି ହେମ ପଟ୍ଟନାୟକମାନେ ଜବରଦସ୍ତ ବଳାତ୍କାର କରିଆସିଛନ୍ତି । ଯୁଗ ଯୁଗ ଧରି ସେମାନଙ୍କ ଯୂପକାଠରେ ବଳିପଡ଼ିଛି ନିରିହ ଅସହାୟ ସାଧାରଣ ମଣିଷ । ତେବେ ବିପ୍ଳବର ଇତିହାସ ପ୍ରମାଣ କରିଦେଇଛି ଯେ ଅତ୍ୟାଚାରୀ ଶାସକର ଦିନକାଳ ସରିଆସୁଛି । ଆଜି ନହେଲେ ମଧ୍ୟ ପାଞ୍ଚବରଷ ଦଶ ବରଷ ମଧ୍ୟରେ ଦେଶ ସ୍ଵାଧୀନ ହେବ ନିଶ୍ଚୟ-। କିନ୍ତୁ ମନେଥାଏ ଯେପରି–ସ୍ଵାଧୀନତା ଆସିଗଲେ, ଇଂରେଜମାନେ ହଟିଗଲେ–ଅତ୍ୟାଚାର, ଉତ୍ପୀଡ଼ନ, ଅବିଚାର ବନ୍ଦ ହୋଇ ଯିବନାହିଁ । ଇଂରେଜମାନଙ୍କ ସ୍ଥାନ ଦଖଲ କରିବେ ଯେଉଁମାନେ ସେମାନେ ଯେ ଆହୁରି ନୀଚ ଓ ସ୍ଵାର୍ଥପର ନହେବେ ଏହା ହଲପ କରି କିଏ କହିବ ? ତେବେ ବିପ୍ଳବର ବହ୍ନି ପ୍ରଜ୍ଜ୍ଵଳିତ ଥିଲେ, ବିପ୍ଳବର ଅସ୍ତ୍ର ବି ପ୍ରସ୍ତୁତ ରହିବ ସଦାବେଳେ ଏମାନଙ୍କୁ ଶାସ୍ତିଦେବା ପାଇଁ । ଆହୁରି ଗୋଟେ ବିଷୟ ତମେ ଜାଣିରଖ ନନା ଯେ ଇଂରେଜମାନେ ଝିଅ ବୋହୂଙ୍କୁ ଇଜ୍ଜତ ଲୁଟି ନଥିଲେ । ରାଜୁଡ଼ା ଶାସନରେ ମହାରାଜାଙ୍କ ଚଣ୍ଡମୁଣ୍ଡ ସେଇ କାମ କିନ୍ତୁ ନିର୍ବୋଧରେ କରୁଥିବା ବହୁ ଘଟଣା ମୋ କାନକୁ ଆସିଛି । ତମେ ସବୁ ସଜାଗ ରହ । ଉପଯୁକ୍ତ ସମୟ ଆସିଲେ ଶାସ୍ତି ନପାଇ ଦୋଷୀ ଖସିନଯାଏ ଯେପରି ।

 

ଦୁହିଁଙ୍କୁ ମଧ୍ୟରେ ଆଲୋଚନା ହେବାପରେ ହାତୀପାଳ ଉପଯୁକ୍ତ ସ୍ଥାନ ବୋଲି ହୃଦ୍‍ବୋଧ ହେଲା ଜନ୍ମେଜୟଙ୍କର । ତଥାପି ନିଜେ ଯାଇ ସରଜମିନ କରି ଆସିବା ଭଲ ଭାବି ଭୋର୍ ହେବାପୂର୍ବରୁ ବିଶ୍ଵନାଥଙ୍କୁ ନେଇ ହାତୀପାଳ ଅଭିମୁଖେ ବାହାରିଗଲେ ଜନ୍ମେଜୟ । ସେ ଯେପରି ଗୋଟେ ସ୍ଵୟଂଚାଳିତ ଯନ୍ତ୍ର । ଆହାର ବି ବିଶ୍ରାମର ଠିକ୍‍ ଠିକଣା ନାହିଁ । ହାଇ ମାରିବାକୁ ବେଳ ନାହିଁ–ସଦାବେଳେ ଗତିଶୀଳ । ବେଳେବେଳେ ସେଇ ଗତି ମଳୟ ପରି ଅନୁକୂଳ ତ ଆଉ କେତେବେଳେ ପ୍ରଭଞ୍ଜନ ପରି ଭୟଙ୍କର ।

 

ସେମାନଙ୍କ ଯିବା ବାଟକୁ ଅନାଇ ରହିଲେ ପାର୍ବତୀ । ସକାଳ ପାହିଲା ସାତପ୍ରାଣୀ କୁଟୁମ୍ବ ମୁହଁରେ କ’ଣ ଆହାର ଦେବେ ତାହା ହିଁ ଚିନ୍ତିତ, ବିବ୍ରତ କରୁଥିଲା ତାଙ୍କୁ । ରାତିରେ ଭଲ ନିଦ ହୁଏନି ଆଜିକାଲି । ଏଇ ଘରକୁ ସେ ପ୍ରଥମେ ବୋହୂ ହୋଇ ଆସିବା ବେଳେ ଘିଅ ମହୁରେ ଭାସୁଥିଲା ଘର । ଦୁଃଖୀରଙ୍କି, ସାଧୁ, ସନ୍ନ୍ୟାସୀ ଆସିଲେ ସେମାନଙ୍କୁ ପରିପୂର୍ଣ୍ଣ ଭୋଜନ କରାଇବା ଥିଲା ଏଇ ବଂଶର ପରମ୍ପରା । ଆଜି କର୍ପୂର ନାହିଁ, କନା ଖଣ୍ଡକ ପଡ଼ିରହିଛି । କନା ଭିତରକୁ ପୁଣି କର୍ପୂରର ବାସନା ଫେରାଇ ଆଣିବାର ଦାୟିତ୍ଵ ଭାବି ବଂଶଧରମାନଙ୍କ ଉପରେ । ଶଙ୍କର ପାରିବ ସେଇ କାମ ।

 

କେତେବେଳୁ ପୁଅ ଆସି ତାଙ୍କ ପଛରେ ଠିଆ ହୋଇଛି ତାହା ଆଦୌ ଜାଣିନଥିଲେ ପାର୍ବତୀ ।

 

–କିଏ ଆସିଥିଲା ମା’ ? ବାପା କାହା ସହିତ ସାରା ରାତି କଥା ହେଉଥିଲେ ?

 

ପାର୍ବତୀଙ୍କ ମୁହଁ ଉପରେ ସରୁ ହସର ରେଖାଟିଏ ସଞ୍ଚରିଗଲା । ସେ କହିଲେ–ଏତେ ରାତିରେ କିଏ ଆସିଥାଇପାରେ ଭାବିପାରୁଛୁ ?

 

ଶଙ୍କର ମୁହୂର୍ତ୍ତେ ବିଳମ୍ବ ନକରି କହିଲା–ଜନ୍ମେଜୟ ମାମୁ ।

 

–ହଁ…

 

ଶଙ୍କରର ମୁହଁ ଉଜ୍ଜ୍ଵଳ ହୋଇଉଠିଲା ସୂର୍ଯ୍ୟ ଉଠିବାବେଳର ଆକାଶ ପରି ।

 

ସମ୍ଭାବନାଗୁଡ଼ାକ ପଡ଼ିରହିଛି ଜଗତରେ ଯତ୍ରତତ୍ର, ସେସବୁକୁ ଉଠାଇନବାହିଁ ସଫଳ ମଣିଷର କାମ । ବିପ୍ଳବର ପ୍ରଥମ ମଞ୍ଜି କିଏ ପୋତିଥିଲା ମଣିଷ ମନରେ ? କିଏ ମଣିଷ ମନରେ ଅନ୍ୟାୟ, ଅବିଚାର ବିରୁଦ୍ଧରେ ବିଦ୍ରୋହ କରିବାର ପ୍ରଥମ ଚେତନା ଜାଗ୍ରତ କରିଥିଲା ? ପରାକ୍ରମୀମାନଙ୍କ ଅନାଚାର ବିରୁଦ୍ଧରେ ସଂଗଠିତ ହେବା ପାଇଁ କିଏ କହିଥିଲା ଦୁର୍ବଳମାନଙ୍କୁ ? ଏଇ ପ୍ରଶ୍ନର ଉତ୍ତର କେହି ଦେଇନି ତାକୁ । ସେ ମଧ୍ୟ ପଚାରିପାରିନି କାହାକୁ । କିନ୍ତୁ ଅବବୋଧରେ ସେ ଅନୁଭବ କରେ ଯେ, ବିବର୍ତ୍ତନବାଦୀ ସୃଷ୍ଟିରେ ମଣିଷର ପ୍ରତ୍ୟେକ ପଦପାତ ସହିତ ଏଇ ପ୍ରଶ୍ନ ଜଡ଼ିତ ।ଏଇ ପ୍ରଶ୍ନର ଉତ୍ତର ମଧ୍ୟ ରହିଛି ପାଦେ ପାଦେ କରି ଅଗ୍ରଗତି କରୁଥିବା ମଣିଷ ସଭ୍ୟତାର ଇତିହାସରେ । ଆଦି-ମଣିଷର ଚେତନାର ଉତ୍ତରଣ ତ ପ୍ରମାଣ ରଖିଯାଇଛି ପଥର ଦେହରେ, ଗୁମ୍ଫା ଭିତରେ, ଶିଳାଲେଖରେ ବା ତାମ୍ରଫଳକରେ । ପାଞ୍ଚହଜାର କି ଦଶହଜାର ବର୍ଷର ସେଇ ଇତିହାସ ସିନା ସଭ୍ୟ ଶିକ୍ଷିତ ମଣିଷ ଲିପିବଦ୍ଧ କରିଛି, କିନ୍ତୁ ତା ପୂର୍ବରୁ ଇତିବୃତ୍ତ, ସଂଗ୍ରାମ ଓ ସଂଘର୍ଷର କାହାଣୀ ତ ଲୁଚି ରହିଛି କାଳଗର୍ଭରେ । ଡିନୋସର୍ ସିନା ଆଉ ନାହିଁ ଜଗତରେ, କିନ୍ତୁ ତା’ର ଆତ୍ମା ତ ଅଜର ଅମର ପରି ଏବେବି ଘୂରି ବୁଲୁଛି ଜଗତରେ । ଏବେ ବି ଦୁର୍ବଳ ନିଃସହାୟ ପଦଦଳିତ, ଲାଞ୍ଛିତ ହେଉଛି ଜଗତରେ ।

 

ପାର୍ବତୀ କହିଲା–ଏମିତି ବଲବଲ କରି ମୋ ମୁହଁକୁ ଚାହିଁଛୁ ଯେ… କ’ଣ ହେଲା ? ରାତିରେ ଖାଇନଥିଲୁ, ଭୋକ କରୁଥିବ । ଶୀଘ୍ର ଶୀଘ୍ର ମୁହଁ ହାତ ଧୋଇପକା, ମୁଠେ ମୁଢ଼ି ପଡ଼ିଛି ଟିଣରେ, ସେତକ ଖାଇ ପାଣି ଗିଲାସେ ପିଇଦେ ଯେ ଭଲଲାଗିବ ।

 

–କିନ୍ତୁ ଅନ୍ୟମାନେ କ’ଣ ଖାଇବେ ? ଘର ତ ଚାଉଳ, ଚୁଡ଼ା କିଛି ନାହିଁ ।

 

–ଚିନ୍ତାମଣିଭାଇ ପଠେଇବ କହିଛି । ହୁଏତ ଚୁଡ଼ା, ଚାଉଳ ନେଇ ଲୋକ ବାହାରିସାରିବଣି ଏତେବେଳକୁ ।

 

–ପିଉସା କହୁଥିଲେ ମୁଁ କଲେଜରେ ପଢ଼ିବାକୁ ।

 

–ମୁଁ ବି ତ ସେଇକଥା କହୁଛି ପୁଅ । ତୁ ତ ବାପାଙ୍କ ଅବସ୍ଥା ଦେଖୁଛୁ, ଜାଣୁଛୁ । ତୁ ବି ଟିକେ ଚେଷ୍ଟା କର । କୋଉଠାରୁ ଯଦି କିଛି ମିଳିଯାଏ ।

 

–ହଁ ମା’, ମୁଁ ବି ଚେଷ୍ଟା କରୁଛି । ତମକୁ କହିନି ଏଯାଏ, ଅପରାଧ ମାର୍ଜନା କରିବ । ଦେୱାନ ସାହେବଙ୍କ କୋଠିକୁ ଦିନେ ଯାଇଥିଲି । ଫାଟକ ଖୋଲି ଭିତରକୁ ପଶିବାକୁ ଡର ଲାଗୁଥିଲା । ବାପାଙ୍କ କଥା ମନେ ପଡ଼ିଲା । ସେ କହିଥିଲେ ମନରୁ ଭୟ ନଗଲେ କିଛି ଭଲ କାମ, ବଡ଼ କାମ କରି ହୁଏନି । ଦେୱାନ ସାହେବ ବଗିଚାରେ ବୁଲୁଥିଲେ । ମୁଁ ଫାଟକ ଖୋଲି ଭିତରକୁ ଗଲା କ୍ଷଣି ପଚାରିଲେ–“କିଏ ? କ’ଣ ଦରକାର ?” ମୁଁ କହିଲି–“ବଡ଼ ଗରିବ ସାର୍ ! ବାପା ଆଉ ଚଳେଇ ପାରୁନାହାନ୍ତି । ମେଟ୍ରିକ ପରୀକ୍ଷା ଦେଇଛି, ଆହୁରି ପଢ଼ିବାକୁ ଇଚ୍ଛା…” ସେ ମୋ ମନକଥା ଜାଣିବା ପରି କହିଲେ–“ସାହାଯ୍ୟ, ସହାୟତା ?” ହିନ୍ଦୁସ୍ଥାନୀ ଲୋକ ତ, ଭଙ୍ଗା ଭଙ୍ଗା ଓଡ଼ିଆ କହୁଥିଲେ, ବୁଝିବାକୁ କଷ୍ଟ ହେଉନଥିଲା । ମୁଁ କହିଲି–“ସାହାଯ୍ୟ ପାଇଁ ଆସିଛି ସାର୍ ।’’ ସେ ମୋ ହାତରେ ଗୋଟେ ଟଙ୍କା ଦେଇ କହିଲେ–ପଢ଼, ଆହୁରି ପଢ଼ । ମଝିରେ ମଝିରେ ଆସିବ ।

 

ପୁଅର ସାହସ ଦେଖି ପାର୍ବତୀଙ୍କ ଆଖି ଆର୍ଦ୍ର ହୋଇଆସିଲା, ଉନ୍ମୁଖ ଉତ୍ତପ୍ତ ତୃଷାର୍ତ୍ତ ପୃଥିବୀ ବର୍ଷାର ଅପେକ୍ଷା ନକରି ଯେପରି ସକାଳର ସାମାନ୍ୟ ଆର୍ଦ୍ରତାକୁ ଆପଣାର କରିନିଏ ।

 

–ମୋତେ କହିନଥିଲୁ ଆଜିଯାଏ !

 

–ତମକୁ କହିଲି ବାପାଙ୍କୁ କହିଦେବ…ବଡ଼ଲୋକଙ୍କ ଦୟାପ୍ରାର୍ଥୀ ହେବା ଯଦି ସେ ପସନ୍ଦ ନକରନ୍ତି…

 

–ମୁଁ ତାଙ୍କୁ ବୁଝେଇଦେବି । ତୁ ଆହୁରି ଚେଷ୍ଟା କର…ଶୁଣିଛି ପୁଲିସ ସାହେବ ଦୟାଶୀଳ-। ଗରିବ ଗୁରୁବାଙ୍କୁ ସାହାଯ୍ୟ କରନ୍ତି ।

 

–ଏଥର ଗଲେ ତାଙ୍କ ପାଖକୁ ଯିବି । ସେ ତ ଆମ ଓଡ଼ିଆଲୋକ, ଏଇ ବାରିପଦାରେ ଘର ।

Unknown

 

ମା’ ପୁଅଙ୍କ କଥାବାର୍ତ୍ତା ସରିବା ଆଗରୁ ସତକୁ ସତ ପଥୁରୀରୁ ପହଞ୍ଚିଗଲେ ଦୁଇଜଣ ଭାରୁଆ । ଦୁଇବସ୍ତା ଚାଉଳ, କିଛି ଚୂଡ଼ା, ଧାନ ବସ୍ତାଏ, ବାଡ଼ିର ଆବାଦ କରିଥିବା କିଛି ପରିବା ଆଉ ଆମ୍ବ ପଣସ ଓ ତାଳସଜ ।

 

ହଠାତ୍ ମନେପଡ଼ିଲା ପାର୍ବତୀଙ୍କର ଯେ ପଅରଦିନ ସାବିତ୍ରୀବ୍ରତ । ନିଜ ଭାଇମାନେ ପାରୁନାହାନ୍ତି ସତ କିନ୍ତୁ ଧର୍ମଭାଇ ତ ସେଇ ଦାୟିତ୍ଵ ସମ୍ଭାଳି ନେଉଛି । ଆଉ ଥରେ ଠାକୁରେ ଘର ଆଡ଼କୁ ମୁହଁ କରି ମୁଣ୍ଡରେ ହାତ ଛୁଆଁଇଲେ ପାର୍ବତୀ । ଦୟାମୟୀର ଦୟାର ଅନ୍ତ ନାହିଁ । ପୁଅକୁ ଶୁଣାଇଲେ ତାଙ୍କ ଆଖି ଦେଖା କାହାଣୀ । ସେତେବେଳେ ଶାଶୁ ଶଶୁର, ସମସ୍ତଙ୍କୁ ନେଇ ଘୋ ଘୋ କରୁଥିଲା ସଂସାର । ପାର୍ବତୀ ବାହାହୋଇ ନୂଆ ଆସିଥାନ୍ତି ଶାଶୁଘରକୁ । ଅମ୍ବି ଗଉଡ଼ୁଣୀର ଘର କେନ୍ଦୁଡ଼ିହାରେ । ପ୍ରତିଦିନ ଦହି ବିକ୍ରିକରି କୁଟୁମ୍ବ ପୋଷେ । ସ୍ଵାମୀ ଅସମୟରେ ଚାଲିଗଲା । ନାବାଳକ ପାଞ୍ଚବରଷର ପୁଅକୁ ପାଳିବା, ବଡ଼ କରିବା ଦାୟିତ୍ଵ ପଡ଼ିଲା ଅମ୍ବି ଗଉଡ଼ୁଣୀ ଉପରେ । ପ୍ରତିଦିନ ଦହି ଦେଇଯାଏ ଏବଂ ଫେରିବା ବାଟରେ ଧାନ ନେଇଯାଏ । ପଇସା କାହା ହାତରେ ଅଛି ଯେ ଦବ ? ଏଇ ଦବାନେବାର ବିନିମୟଦ୍ଵାରା ସମ୍ପର୍କ ଗଢ଼ିଉଠୁଥିଲା ଧୀରେ ଧୀରେ ।

 

ଅମ୍ବି ଗଉଡ଼ୁଣୀ ଦହି ଦେଇ ଦ୍ଵାର ମୁହଁରେ ଅପେକ୍ଷା କଲା । ବୋହୂମାନଙ୍କୁ ଡାକିଲା, କିନ୍ତୁ କେହି ଜବାବ ଦେଲେ ନାହିଁ । ଅଜବ କଥା–ହେଲା କ’ଣ ? ସେ କବାଟ ଠେଲି ଦେଇ ଦେଖିଲା ଘର ଶୂନ । ଘର ଖୋଲାରଖି ଏକାବେଳେ ପୋଖରୀକୁ ଗାଧୋଇ ଚାଲିଗଲେ ଶାଶୂ ବୋହୂ ସମସ୍ତେ ! ପୁରୁଷମାନେ ବି ବିଲକୁ ଚାଲିଯାଇଥିଲେ ତା’ ଆଗରୁ ।

 

ଅମ୍ବି ପୁଣି ଥରେ ଡାକିଲା–କିଏ ଅଛ ଦହି ନେଇଯାଅ… ଉଛୁର ହେଉଛି ବୋହୂ…

 

ପାଦରେ ଅଳତା, ପାଉଁଜି ଲଗେଇ, ରୁଣୁଝୁଣୁ ଶବ୍ଦକରି ନାଲି କସ୍ତାଟିଏ ପିନ୍ଧି ଯୋଉ ଅପୂର୍ବ ସୁନ୍ଦରୀ ଏଗାରବର୍ଷର ଝିଅଟିଏ କଂସା ବଢ଼ାଇଦେଲା ଦହି ପାଇଁ ତାକୁ ଆଉ କେବେ ଦେଖିଥିଲା ପରି ମନେକରିପାରିଲା ନାହିଁ ଅମ୍ବି ଗଉଡ଼ୁଣୀ । ଦହି ଦେଇସାରି କୋମଳ ସ୍ଵରରେ ପଚାରିଲା–ତୁ ନୂଆହୋଇ ଆସିଛୁ ? ତତେ ତ ଆଗରୁ କେବେ ଦେଖିନାହିଁ ଝିଅ ?

 

ଦହି କଂସା ଉଠେଇ ନେଇ ମୁହଁ ଉପରେ ହସଖେଳାଇ ଆଉ କିଛି ଉତ୍ତର ନଦେଇ ଚାଲିଗଲା ଝିଅଟି । ରୋଷଘରକୁ ନଯାଇ ସେ ଠାକୁର ଘରକୁ ପଶିବାର ଦେଖିଲା ଅମ୍ବି । ଏ ଘରର ସମସ୍ତଙ୍କୁ ଜାଣେ ଅମ୍ବି । ଇଏ ହୁଏତ କୌଣସି ସମ୍ପର୍କୀୟା ହୋଇଥିବ । ମନର ସନ୍ଦେହ ମନରେ ରଖି କବାଟ ଆଉଜାଇଦେଇ ଚାଲିଗଲା ସେ । ପୁଣି ଫେରିବା ବାଟରେ ଧାନନେବା ପାଇଁ ଯେତବେଳେ ଘର ଦୁଆର ମୁହଁରେ ପାଦ ରଖିଲା ଅମ୍ବି ସେତେବେଳକୁ ପୋଖରୀରୁ ଫେରିଆସିଥିଲେ ଶାଶୂ ବୋହୂମାନେ । ଅମ୍ବି ଦ୍ଵାରମୁହଁରେ ଦହିହାଣ୍ଡି ରଖି ଧାନ ମାଗିଲା । ଶାଶୁ ବଞ୍ଚିଥିଲେ ସେତେବେଳେ । ପାର୍ବତୀ ଫେରିଯାଇ ତାଙ୍କ ଶାଶୁକୁ କହିଲେ, ସେ ପଚାରିଲେ ଅନ୍ୟମାନଙ୍କୁ । ଦହି କିଏ ନେଇଥିଲା କେହି କହିପାରିଲେ ନାହିଁ । ଅମ୍ବି ଗଉଡ଼ୁଣୀ କିନ୍ତୁ ନଛାଡ଼େ । ସେ ନିଜ ହାତରେ ଦହି ଦେଇଛି, ଏମିତି ଭୁଲ୍‍ କରିବ ନନା ଘରେ । ବଡ଼ ଗୋସେଇଁ ବଞ୍ଚିଥାନ୍ତି ସେତେବେଳେ । ସବୁ ଶୁଣିସାରି ସେ ଗୁମ୍ ମାରି ମୁହୂର୍ତ୍ତେ ଠିଆ ହୋଇ କହିଲେ–ସତ କହୁଛୁ ଅମ୍ବି-?

 

ଅମ୍ବି ସାଷ୍ଟାଙ୍ଗ ହୋଇ କହିଲା–ମୁଁ କ’ଣ ମିଛ କହିବି ସାଆନ୍ତେ ? ମୋ ଜିଭରେ ହାଡ଼ ଅଛି ? ବ୍ରାହ୍ମଣ ଆଗରେ ମିଛ କହିଲେ ଅହିନର୍କରେ ପଡ଼ିବି । ଜିଭ ଛିଣ୍ଡିଯିବ ।

 

ମଧୁସୂଦନଙ୍କ ରାଗ ପଞ୍ଚମକୁ ଉଠିଲା । ସେ ଚିତ୍କାର କଲେ–ଅମ୍ବି କ’ଣ ମିଛ କହୁଛି ? କିଏ ଦହି ରଖିଲ କହୁନ କାହିଁକି ? ସେ ଦହି ଗଲା କୁଆଡ଼େ ?

 

ଅମ୍ବି କହିଲା–ଦଶ ଏଗାର ବରଷର ଝିଅଟିଏ । ସୁନ୍ଦର ଯେ ଗୋଟିଏ ଚାଉଳରେ ଗଢ଼ା-। ନାଲି କସ୍ତାଟିଏ ପିନ୍ଧିଥିଲା । ପାଦରେ ଅଳତା । ରୁଣୁଝୁଣୁ ପାଉଁଜି ଦେଖି ମୁଁ ଭାବିଲି କିଏ ସମ୍ପର୍କୀୟା ଆସିଥିବ । ଦହି ନେଇ ମୋରି ଆଗରେ ଏଇ ଠାକୁରଘରେ ପଶିଲା । ଶିକା ଉପରେ ଦହିକଂସା ରଖିବା ମୁଁ ନିଜ ଆଖିରେ ଦେଖିଛି ସାଆଁନ୍ତେ ।

 

ତାକୁ ଅବିଶ୍ଵାସ ନକରି ନିଜେ ଠାକୁର ଘର କବାଟ ଖୋଲିଲେ ମଧୁସୂଦନ । ଦହି କଂସା ଉଠେଇଆଣି ଚତୁର୍ଦ୍ଦିଗକୁ ଚାହିଁଲେ ମଧୁସୂଦନ । ସନ୍ଦେହ ମୋଚନ ହେଲା ସେଇ ମୁହୂର୍ତ୍ତରେ । ଏଯାଏଁ ସେ ଭୁଲିଯାଇଥିଲେ ଯେ କାଲି ଭୁବନେଶ୍ଵରୀଙ୍କୁ ସେ ନୂଆ କସ୍ତାଟିଏ ପିନ୍ଧାଇ ଦେଇଥିଲେ-। ରାଗ ଆହୁରି ବଢ଼ିଗଲା ଏବଂ ଚିତ୍କାର କରି କହିଲେ–ଅମ୍ବି ସତ କହୁଛି । ଏହାର ସାହସ ଏତେ ବଢ଼ିଗଲାଣି ଯେ କେହି ଘରେ ନଥିବା ବେଳେ ଦହି ରଖିବ ? ଏଡ଼େ ସୁଆଦଖିଆ ପାଟି ?

 

ରାଗରେ ତମତମ ମଧୁସୂଦନ ସେଇଦିନ ଠାକୁରାଣୀଙ୍କୁ ଆସନରୁ ଉଠେଇନେଇ ଖତଗଦା ଭିତରେ ପୋତିଦେଇ ଆସିଲେ । ରାତି ପାହିବା ପୂର୍ବରୁ ରାଗ କମିଲା । କାନ୍ଦି କାନ୍ଦି ଭୁବନେଶ୍ଵରୀଙ୍କୁ ଖତଗଦା ଭିତରୁ ଉଦ୍ଧାର କରି ପଞ୍ଚାମୃତରେ ସ୍ନାନ କରାଇ ପୁଣି ଅଭିଷେକ କଲେ ମଧୁସୂଦନ ।

 

ମହାତାନ୍ତ୍ରିକ ଥିଲେ ମଧୁସୂଦନ । ଡାକିଲେ ‘ଓ’ କରୁଥିଲେ ଜଗତଜନନୀ ଭୁବନେଶ୍ଵରୀ-। ଏହା ଘଟିଥିଲା ପାର୍ବତୀ ନୂଆହୋଇ ଏ ଘରକୁ ବୋହୂହୋଇ ଆସିବା ପରେ ।

 

[ ୧୩ ]

 

ଶଙ୍କର ଆଗରୁ ଶୁଣିଥିଲା, ଆଉଥରେ ଶୁଣିବା ପରେ ବି ନୂଆପରି ଲାଗିଲା । କଥାରେ ଅଛି–ବିଶ୍ଵାସେ ମିଳଇ ହରି । ଏଇ ବିଶ୍ଵାସ ବଳରେ ଗଢ଼ିଉଠିଛି ମାନବିକ ସମ୍ପର୍କ, ହଜାର ହଜାର ବର୍ଷର ପରମ୍ପରା, ଚଳଣି ଓ ସଂସ୍କୃତି । ଏହାର ଚେର କେତେ ତଳକୁ ଯାଇଛି ତାହା କେହି ଜାଣେନାହିଁ । ସଂସ୍କୃତି ସଂସ୍କାରଗୁଡ଼ାକୁ ଅଙ୍ଗୀଭୂତ କରିଦେଇଛି ସତ, କିନ୍ତୁ ପରମ୍ପରା, ଅଭ୍ୟାସ ଓ ଚଳଣି ନାମରେ ବହୁ ନୂଆ ଜୀବନଶୈଳୀ ମଧ୍ୟ ମିଶିଯାଇଛି ଭାରତୀୟ ସଂସ୍କୃତିରେ । ଧର୍ମ ଏଠାରେ ରିଲିଜିଅନ ନୁହେଁ, ବଞ୍ଚିବାର ଗୋଟେ ମାର୍ଗ । ସନାତନ ଧର୍ମର ଉଦାରତା, ମାନବିକତା, ପୁଣି ପ୍ରସାରଣଶୀଳିତା ଭାରତୀୟ ଜୀବନଧାରା ଓ ଜୀବନଦର୍ଶନକୁ ପରିପୁଷ୍ଟ କରିଛି । ସେଥିପାଇଁ ନୂତନ ନାମରେ ଯାହା ଆସିଛି ଏ ଭୂମିକୁ ତାହା ପ୍ରତ୍ୟାଖ୍ୟାତ ନହୋଇ ରହିଯାଇଛି ଏ ଦେଶରେ, ମିଶିଯାଇଛି ଭାରତୀୟ ଚଳଣିରେ । ଏଇ ବୃହତ୍ତରର ମହତ୍ତର ଉତ୍କର୍ଷତା ସନାତନ ଧର୍ମ ନାମରେ ଚିହ୍ନିତ ହୋଇଛି । ଯୁକ୍ତିବାଦକୁ ଏଠାରେ ପ୍ରତ୍ୟାଖ୍ୟାନ କରାଯାଇନାହିଁ, କିନ୍ତୁ ଯୁକ୍ତି ଉପରେ ବିଶ୍ଵାସ ସ୍ଥାନ କରିନେଇଛି ବୋଲି ଯାହା ଚଳିଆସୁଚି ତାହା ଗ୍ରହଣ କରିବା ଆଗରୁ କେହି ପ୍ରଶ୍ନ ପଚାରି ନାହିଁ । ତଥାପି ତ ମହାଭାରତ ଯୁଦ୍ଧରେ କିଂକର୍ତ୍ତବ୍ୟବୁମୂଢ଼ ଅର୍ଜ୍ଜୁନ ଓ ଜଗଦ୍‍ଗୁରୁ ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର ହିଁ ‘ଗୀତା’ ର ସାରାଂଶ । ସବୁ ପ୍ରଶ୍ନର ଉତ୍ତର ଦେବା ପରେ ବି ଅର୍ଜ୍ଜୁନକୁ ନିଃସଂଶୟ ଓ ନିଃଶଂକ ନଦେଖି ଶ୍ରୀକୃଷ୍ଣ କହିଲେ– ‘ସବୁଧର୍ମ ପରିତ୍ୟାଗ କରି ମୋତେ କେବଳ ଅନୁସରଣ କର’ ।

 

ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।

ଅହଂ ତ୍ଵାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।।

 

–ସମସ୍ତ ପ୍ରକାର ଧର୍ମ ତ୍ୟାଗ କର, କେବଳ ମୋତେ ଅନୁସରଣ କର । ମୁଁ ତୁମକୁ ସମସ୍ତ ପ୍ରକାର ପାପକର୍ମର ପ୍ରତିକ୍ରିୟାକୁ ମୁକ୍ତି ଦେଇପାରିବି । ଏଥିରେ କିଛି ଭୟ ନାହିଁ ।

 

ଯୀଶୁଖ୍ରୀଷ୍ଟ, ମହମ୍ମଦ, ବୁଦ୍ଧ ମଧ୍ୟ ବିଭିନ୍ନ ଭାବରେ ଏଇ କଥା କହିଥିଲେ । ସେଥିପାଇଁ ତ ଯୁଗ ଯୁଗ ଧରି ସେମାନଙ୍କୁ ଅନୁସରଣ କରି ଆସୁଛି ମଣିଷ । ସେମାନଙ୍କ ଉକ୍ତି ଓ ଉପଦେଶକୁ ଗ୍ରହଣ କରି ନେଇଛି ଅଭ୍ରାନ୍ତ ସତ୍ୟ ନାମରେ । ଧର୍ମ ଯୁଗାନୁସାରୀ ନୁହେଁ, ବରଂ ଯୁଗ ଅନୁସରଣ କରେ ଧର୍ମକୁ । କିନ୍ତୁ ଶତାବ୍ଦୀ ଶତାବ୍ଦୀ ଧରି ଈଶ୍ଵରଙ୍କ ପ୍ରତିନିଧି ବୋଲି ଦାବିକରୁଥିବା ମହନ୍ତ, ଧର୍ମଯାଜକ ଓ ପୁରୋହିତ ଧର୍ମର ଅଫିମ ଖୁଆଇ ଜନଗଣଙ୍କ ଚୁଟି ହାତରେ ରଖିବାକୁ କେତେ ପ୍ରୟାସ ନ କରିଛନ୍ତି ! ମଧୁ ପଣ୍ଡିତେ ସେଦିନ ସେଇ କଥା କହୁଥିଲେ । ଧର୍ମ ଭିତରେ ଲୋକାଚାର, ଚଳଣୀ, ପରମ୍ପରା ନାମରେ ଏମିତି ଅନେକ ଅଧର୍ମ, ଅସତ୍ୟ ପଶିଯାଇ ଧର୍ମର ମାନ୍ୟତା ପାଇଯାଇଛି ଯାହାର ମୂଳୋତ୍ପାଟନ ନକଲେ ଭାରତରେ ମଣିଷର ଉତ୍‍ଥାନ ହେବ ନାହିଁ କି ସେ ଅଜ୍ଞତା, କୁସଂସ୍କାର ଓ ଅନ୍ଧବିଶ୍ଵାସରୁ ମୁକ୍ତି ପାଇବ ନାହିଁ । ପୃଥିବୀର ଅନେକ ବିଶ୍ଵାସ, ଉକ୍ତି ଉପଦେଶ ଯେ ଅଭ୍ରାନ୍ତ ସତ୍ୟ ନୁହେଁ, କି ସବୁକାଳ ପାଇଁ ଏକମାତ୍ର ସତ୍ୟ ନୁହେଁ ତାହା ପ୍ରମାଣିତ ହୋଇଯାଇଛି ଗାଲିଲିଓଙ୍କ ସିଦ୍ଧାନ୍ତ ପ୍ରମାଣିତ ହେବା ପରି । ଗାଲିଲିଓ ପ୍ରଚଳିତ ଧର୍ମବିଶ୍ଵାସ ବିରୁଦ୍ଧରେ ମତ ବ୍ୟକ୍ତ କରି ଯେତେବେଳେ ପ୍ରମାଣ କରିଦେଲେ ଯେ ପୃଥିବୀ ଗୋଟିଏ ସ୍ଥାନରେ ନ ରହି ସୂର୍ଯ୍ୟ ଚାରିପାଖରେ ବୁଲେ, ତାହା ପ୍ରଚଳିତ ବିଶ୍ଵାସକୁ ଦୋହଲାଇ ଦେଲା । ଧର୍ମଯାଜକମାନେ ତାଙ୍କୁ ଧର୍ମଦ୍ରୋହୀ ଆଖ୍ୟା ଦେଇ ଦଣ୍ଡିତ କଲେ । ମୃତ୍ୟୁ ଦଣ୍ଡରୁ ରକ୍ଷାପାଇବା ପାଇଁ ଗାଲିଲିଓ ଶେଷରେ ନିଜ ମତରେ ଆଂଶିକ ପରିବର୍ତ୍ତନ କଲେ ସତ, କିନ୍ତୁ ଜୀବନର ଅବଶିଷ୍ଟ ସମୟ ବନ୍ଦୀ ଭାବେ କଟାଇଥିଲେ । ଅଥଚ ଆଧୁନିକ ବିଜ୍ଞାନ ନିର୍ଭୁଲଭାବେ ପ୍ରମାଣ କରିସାରିଛି ଯେ ପୃଥିବୀ ହିଁ ସୂର୍ଯ୍ୟ ଚାରିପାଖରେ ବୁଲେ, ସୂର୍ଯ୍ୟ ଅଶ୍ଵଯୋଚା ହୋଇଥିବା ରଥରେ ବସି ପୃଥିବୀ ପ୍ରଦକ୍ଷିଣ କରନ୍ତି ନାହିଁ ।

 

ସେଥିପାଇଁ ଈଶ୍ଵରଙ୍କ ପୁତ୍ର ବା ଅବତାରଭାବେ ଯେଉଁମାନେ ଧରାଧାମରେ ଅବତରଣ କରି ପୃଥିବୀକୁ ନୂତନ ମାର୍ଗ ଓ ଜୀବନ ଦର୍ଶନ ଦେଇଛନ୍ତି, ସମୟର ପରିବର୍ତ୍ତନ ସହିତ ଏଥିରେ ହୁଏତ କେତେକ ତତ୍ତ୍ଵ ଏବେ ଗ୍ରହଣୀୟ ହୋଇ ନପାରେ । ସମୟ ନୂତନକୁ ଜନ୍ମ ଦିଏ କାଳେ କାଳେ । ଜ୍ଞାନ ଓ ପ୍ରଜ୍ଞାର ଆଲୋକରେ ଉଦ୍ଭାସିତ ହୁଏ ନୂତନ ସତ୍ୟ । ଧର୍ମ ଅନ୍ଧବିଶ୍ଵାସ ନୁହେଁ, କି ଅଜ୍ଞତାପ୍ରସୂତ ନୁହେଁ । ଏହା ଉର୍ଦ୍ଧ୍ଵମୁଖୀ ଚେତନା ଓ ଅନ୍ଵେଷଣର ଫଳ । ଅନ୍ଵେଷଣ କେବେହେଁ କୌଣସି ସତ୍ୟକୁ ଅଭ୍ରାନ୍ତ ଓ ଅପରିବର୍ତ୍ତନୀୟ ବୋଲି କହେନାହିଁ; ବରଂ ସତ୍ୟକୁ ଠାବ କରିବା, ସତ୍ୟକୁ ପ୍ରତିଷ୍ଠିତ କରିବା ଏବଂ ଜୀବନକୁ ସତ୍ୟାଶ୍ରୟୀ କରିବା ହିଁ ଧର୍ମଧାରାର ଏକ ମୌଳିକ ନୀତି-। ଯେତେବେଳେ ଏହା ହୋଇନାହିଁ ସେତେବେଳେ ଜନ୍ମନେଇଛି ମୌଳବାଦ । ମୌଳବାଦ ହିଁ ଅନ୍ଧାନୁସରଣ । ପ୍ରଶ୍ନ ପଚାରିବାର ସାହସ ଥିବାଯାଏ ସତ୍ୟତା ଅଗ୍ରଗତି କରୁଥିବ । ଯେଉଁଦିନ ପ୍ରଶ୍ନ ପଚାରିବା ବନ୍ଦହୋଇଯିବ ବା ବନ୍ଦ କରିଦିଆଯିବ, ସେହିଦିନଠାରୁ ଚାଲିବ ଏକଛତ୍ରବାଦୀ ନିରଙ୍କୁଶ ଶାସନ । ମଧୁ ପଣ୍ଡିତେ, ଜନ୍ମେଜୟ, ଏପରିକି ବିଶ୍ଵନାଥ ମଧ୍ୟ ଏହି କାରଣରୁ ମୌଳବାଦର ବିରୋଧୀ ।

 

ଜନ୍ମେଜୟ ଓ ମଧୁ ପଣ୍ଡିତଙ୍କ କଥା, ପ୍ରତି ବିଷୟରେ ତାଙ୍କର ତର୍କ, ସତ୍ୟକୁ ଜାଣିବାର ଆଗ୍ରହ ଶଙ୍କରକୁ ପ୍ରକୃତରେ ଅନେକ ପ୍ରଭାବିତ କରିଛି । ସେଇ ପ୍ରଭାବ ଚାଳନଶକ୍ତି ଭାବେ କାର୍ଯ୍ୟ କରୁଛି ତା’ ଜୀବନରେ ।

ପାର୍ବତୀ ଘର ଭିତରୁ ଫେରିଆସି କହିଲେ–ଚାଳ ଉପରେ ଖରା କେତେଦୂର ଗଲାଣି ଦେଖିଛୁ ? ଆଉ ତୁ ସେଇ ଗୋଟିଏ ଜାଗାରେ ଛିଡ଼ାହୋଇ ଏତେ କ’ଣ ଭାବୁଛୁ… ଶୀଘ୍ର ଆ… ଜଳଖିଆ ବାଢ଼ି ଦେଇଛି ।

 

ଶଙ୍କର ଖାଇଲା କି ନାହିଁ, ତା’ ଭାଇ–ଭଉଣୀମାନେ ଖାଇଲେ କି ନାହିଁ ଏଇଟା ହିଁ ପାର୍ବତୀଙ୍କର ସବୁଠାରୁ ବଡ଼ ଚିନ୍ତା । ସେଇ ଚିନ୍ତାରୁ ମୁକ୍ତି ମିଳୁନି ବୋଲି ସେ ମୋକ୍ଷ ବିଷୟରେ ଭାବନ୍ତି ନାହିଁ । ବରଂ ଏହି ସଂସାର ଭଲ । ଏହାର ଶତ ଦୁଃଖ ଜଞ୍ଜାଳ ସତ୍ତ୍ଵେ, ସ୍ନେହ ପ୍ରେମର ଆକର୍ଷଣ ବିହ୍ଵଳିତ ଓ ଆଲୋକିତ କରେ ଅନ୍ତରକୁ । ତାଙ୍କ ଆଗରେ ଏଇ ସଂସାର ହିଁ ସତ୍ୟ, ଆଉ ସବୁ ପାହାନ୍ତାର ଆକାଶ ପରି ଅସ୍ପଷ୍ଟ । ଶଙ୍କର କେବଳ ଏକା ଖାଇଲା ନାହିଁ, ପେଟ ପୂରାଇ ତା ସହିତ ଖାଇଲେ ସବୁ ପିଲା । ଚୁଡ଼ା, ଗୁଡ଼ । ଦହିଟିକେ ଥିଲେ ଆହୁରି ଭଲହୋଇଥାନ୍ତା । ଘରେ ଗାଈ ନାହିଁ କି ଦୁଧ ନାହିଁ ।

 

ପାର୍ବତୀଙ୍କ ମୁହଁ ଉପରେ ଗଭୀର ପ୍ରସନ୍ନତା ପ୍ରସାରିତ ହେଉଥିବାର ଦେଖି ଶଙ୍କର ପୁଲକିତ ହେଲା । ମାଆର ଦୁଃଖିନୀ ରୂପ ତାକୁ ଦଗ୍ଧ କରେ ତିଳ ତିଳ କରି । ଖାଇସାରି ଦାଣ୍ଡକୁ ବାହାରିଯିବା ଆଗରୁ କହିଲା ଶଙ୍କର–ଅମ୍ବି ମାଉସୀ କେତେବେଳେ ଦହି ନେଇ ଆସିବେ ମା’ ? ତାଙ୍କୁ ଦେଖିବାକୁ ଇଚ୍ଛା ହେଉଛି ।

 

–ତତେ ଦେଖିଲେ ସଜମରା ଘିଅ ପୋଷେ ନଖୁଆଇ କ’ଣ ଛାଡ଼ିବ ସେ…କହିଲେ ପାର୍ବତୀ ।

 

ଏଇ ସଜମରା ଗୁଆଘିଅ ପରି ମାଆର ମମତା ବି ବଡ଼ ସୁଆଦିଆ । ସଦାବେଳେ ମହମହ କରେ ଏହାର ବାସ୍ନା । ପୁଅ ବାହାରିଯିବାବେଳେ କହିଲେ ସେ ଗାଁରେ କ’ଣ ଲାଇବ୍ରେରୀ କରିବୁ କହୁଥିଲୁ ଯେ କ’ଣ ହେଲା ?

 

ଶଙ୍କର କହିଲା–ସେଇ କାମରେ ବାହାରିଛି ମା’ । ଆମେ ସମସ୍ତେ ମିଶି ଏଇନେ ଯିବୁ କେଶରପୁର । ଶୀତଳ ମହାନ୍ତ ଘରେ ଭଲ ପିଆଶାଳ ପଟା ଅଛି । ଆମର କଥା ଶୁଣି ମାଗଣା ଦବ କହିଛି । ଅକ୍ଷୟ, ବସନ୍ତ, ପହଲି ବି ଯିବେ ।

 

–କିନ୍ତୁ ଆଲମାରୀ ତିଆରି ହେଲେ ରାମାୟଣ, ମହାଭାରତ, ହରିବଂଶ, ଭାଗବତ ନିଶ୍ଚୟ ଆଣି ରଖିବୁ ପୁଅ । ତାଳପତ୍ର ପୋଥି ତ ତୁ ପଢ଼ି ପାରିବୁ ନାହିଁ, ଛାପା ବହି ସମସ୍ତେ ପଢ଼ିପାରିବେ ।

 

ତାଙ୍କ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ସଂକଳ୍ପ କଲା ଶଙ୍କର ।

 

[ ୧୪ ]

 

ଧରିତ୍ରୀ ପୃଷ୍ଠରେ ଆଷାଢ଼ରେ ଅବତରଣ ଆସନ୍ନପ୍ରାୟ । ଆକାଶକୁ ଚାହିଁ ଠିଆ ହୋଇଥିଲା ମାଳିନୀ ।

 

ମେଘମାଳା ଦେଖି ହୁଏତ ମୟୂର ନାଚୁଥିବେ । ଅସରାଏ ବର୍ଷାର ଅପେକ୍ଷା କରିଛି ତୃଷାର୍ତ୍ତ ଧରିତ୍ରୀ । ଚାତକ ପକ୍ଷୀ ଚାହିଁରହିଛି ଟୋପେ ପାଣିପାଇଁ ।

 

ଶଙ୍କର ପଛପଟୁ ଆସି ନିଃଶବ୍ଦରେ ଠିଆହେଲା । ଗୁଣୁଗୁଣୁ ହୋଇ କାଳିଦାସଙ୍କ ମେଘଦୂତରୁ ସଂସ୍କୃତ କବିତା ଗାଉଥିଲା ମାଳିନୀ–

 

କଶ୍ଚିତ୍କାନ୍ତାବିରହଗୁରୁଣା ସ୍ଵାଧିକାରାତ୍‍ପ୍ରମତ୍ତଃ

ଶାପେନାସ୍ତଂଗମିତମହିମା ବର୍ଷଭାଗ୍ୟେଣ ଭର୍ତ୍ତୁଃ ।

ଯକ୍ଷଶ୍ଚକ୍ରେ ଜନକତନୟାସ୍ନାନପୁଣ୍ୟୋଦକେଷୁ

ସ୍ନିଗ୍‍ଧଚ୍ଛାୟାତରୁଷୁ ବସତିଂ ରାମଗିର୍ଯ୍ୟାଶ୍ରମେଷୁ ।

ତସ୍ନିନ୍ନଦ୍ରୌ କତିଚିଦବଳାବିପ୍ରଯୁକ୍ତଃ ସ କାମୀ

ନୀତ୍ଵା ମାସାନ୍‍କନକବଳୟଭ୍ରଂଶରିକ୍ତଃପ୍ରକୋଷ୍ଠଃ ।

ଆଷାଢ଼ସ୍ୟ ପ୍ରଥମଦିବସେ ମେଘମାଶ୍ଳିଷ୍ଟାସାନୁଂ–

ବପ୍ରକ୍ରୀଡ଼ାପରିଣତଗଜପ୍ରେକ୍ଷଣୀୟଂ ଦଦର୍ଶ ।

 

ମୁଗ୍ଧ ମୋହିତ ଶଙ୍କର ଶୁଣୁଥିଲା ମେଘଦୂତର ଶ୍ଳୋକ ସେଇ ଅନୁକୂଳ ପ୍ରାକୃତିକ ପରିବେଶରେ । ମାଳିନୀ କ’ଣ ଅନୁଭବ କଲା କେଜାଣି ପଛକୁ ଚାହିଁଦେଇ ଲାଜେଇଗଲା ଶଙ୍କରକୁ ଦେଖି । ଜିଭ କାମୁଡ଼ି ପକେଇ ଦଉଡ଼ି ପଳେଇଯାଉଥିଲା, କିନ୍ତୁ ଶଙ୍କର ତା’ ହାତ ଧରିପକାଇ କହିଲା–ପଣ୍ଡିତେ ଏଇ ଶ୍ଳୋକ ପଢ଼ିବା ଶୁଣିଛି ମୁଁ, କିନ୍ତୁ ତମ କଣ୍ଠରେ ଏହା ମୁର୍ତ୍ତ ଜୀବନ୍ତ ହୋଇଉଠିଛି । ଆକାଶରେ ମେଘମାନଙ୍କର ସମରସଜ୍ଜା । ପବନ ବହିଲେ ହୁଏତ ବର୍ଷା ପଡ଼ିବ । ତୃଷାର୍ତ୍ତ ଉନ୍ମୁଖ ପୃଥିବୀ ଅନାଇ ରହିଛି ଉପରକୁ ।

 

ମାଳିନୀ କହିଲା–ମୁଁ ତ ଏହାର ଅର୍ଥ ବୁଝେନି–ଜେଜେବାପାଙ୍କଠାରୁ ଶିଖିଛି କେବଳ ।

 

ଅର୍ଥ ବୁଝାଇଦେବା ପାଇଁ କହିଲା ଶଙ୍କର–ମୁଁ ମଧ୍ୟ ସଂସ୍କୃତ ଜାଣେନି ଭଲଭାବେ । କିନ୍ତୁ ପଣ୍ଡିତେ ଏହାର ଅର୍ଥ କରନ୍ତି ସେତକ ମନେ ଅଛି । ସଦାବେଳେ ନବପରିଣିତା ସ୍ତ୍ରୀ ବିଷୟ ମନେପଡ଼ିବାରୁ କର୍ତ୍ତବ୍ୟରେ ଅବହେଳା କରି ପ୍ରଭୁଙ୍କଦ୍ଵାରା ଦଣ୍ଡିତ ହେଲା ଯକ୍ଷ । ସେ ଅଭିଶାପ ଦେଲେ ଯେ ଯକ୍ଷ ନବପରିଣୀତା ପତ୍ନୀଠାରୁ ବର୍ଷାବଧିକାଳ ଦୂରରେ ରହିବ । ସେୟା ହେଲା । ଅଭିଶାପଗ୍ରସ୍ତ ଯକ୍ଷ ସୀତାଙ୍କ ସ୍ନାନ ଯୋଗୁ ପବିତ୍ର ହୋଇଥିବା ଗୋଦାବରୀ ନଦୀର ତୀରବର୍ତ୍ତୀ ଛାୟାଶୀତଳ ରାମଗିରି ଆଶ୍ରମରେ ଅବସ୍ଥାନ କରୁଥିଲା । ସ୍ତ୍ରୀ ବିରହରେ ପୀଡ଼ିତ ଯକ୍ଷ ସେଇ ପର୍ବତରେ କେତେମାସ ଅତିବାହିତ କରି ଅତି ଦୁର୍ବଳ ହୋଇଯିବାରୁ ସେ ପିନ୍ଧିଥିବା କଙ୍କଣ ତା’ର ମଣିବନ୍ଧରୁ ଖସିପଡ଼ିଲା । ସେହି ଯକ୍ଷ ଆଷାଢ଼ ମାସ ଆରମ୍ଭରେ, ପାଗଳାହୋଇ ମାଟି ଖୋଳିୁଥିବା ଦନ୍ତାହାତୀ ପରି ଛୋଟଛୋଟ ଗିରିଶୃଙ୍ଗରେ ଘୋଟି ଯାଉଥିବା କଳାମେଘକୁ ଦେଖିଲା ।

 

–ଏହା ପରେ କ’ଣ ହେଲା ଗାଇଯାଅ ମାଳିନୀ…ଅନୁନୟ କଲା ଶଙ୍କର ।

 

–ଆଉ ତ ମନେ ନାହିଁ । ଶୁଣି ଶୁଣି ଯାହା ମନେଥିଲା ଗାଉଥିଲି ।

 

–ଆଉ ମନେ ରଖିଥିଲେ ଜାଣିଥାନ୍ତ ସେହି ବିରହୀ ପକ୍ଷ ତା’ର ବିରହ ଯନ୍ତ୍ରଣା ଯକ୍ଷିଣୀକୁ କହିବା ପାଇଁ କିପରି ମେଘକୁ ଅନୁରୋଧ କରିଥିଲା ।

 

ସତେଅବା ମାଳିନୀ ମୁହଁରେ କିଏ ଅବିର ବୋଳିଦେଲା । ସେ ଏତେ ଅର୍ଥ ଜାଣିନଥିଲେ ବି ଏହାର ସମ୍ୟକ୍ ଆଭାସ ପାଇଥିଲା ।

 

–ତମେ ଧରାପଡ଼ିଗଲ ମାଳିନୀ । ତମର ପକ୍ଷପାଇଁ ତମ ଦୃଦୟରେ ବେଦନା ନଥିଲେ ଏପରି କବିତା ଗାଇପାରନ୍ତ ନାହିଁ ।

 

–ଧେତ୍…ତମେ ବଡ଼ ଫାଜିଲ୍ ହୋଇଗଲଣି । ଗୀତ ଗାଇବା ମାନେ ଗୀତ ଗାଇବା ।

 

–କିନ୍ତୁ ମନର ଅନୁଭବ ସହିତ ସମ୍ପର୍କ ନଥିଲେ ଏପରି ପ୍ରାକୃତିକ ପରିବେଶରେ ଏମିତି ବିଦଗ୍ଧ କଣ୍ଠରେ ସୁନ୍ଦର କବିତା ଗାଇହୁଏନାହିଁ ।

 

–ସବୁଥିରୁ ଅର୍ଥ ଅର୍ଥାନ୍ତର ବାହାରକରିବାପାଇଁ ତମେ ଏତେ ବ୍ୟାକୁଳ କାହିଁକି ଯେ ?

 

–ଗୋଟିଏ ଆକୁଳ ପ୍ରାଣର ଅବ୍ୟକ୍ତ ବ୍ୟଥା ଜାଣିବାପାଇଁ । ତମ ଭାଇ କହୁଥିଲେ ତମ ବାହାଘର କଥା… ସେଥିପାଇଁ ବୋଧେ କବିତା ପଢ଼ିଛ ।

 

–ସତେ !

 

–ସତରେ ମାଳିନୀ, ତମକୁ ଦେଖିଲେ ମୋର ମଧ୍ୟ କବି ହେବାକୁ ଇଚ୍ଛାହୁଏ ।

 

–ହୋଇଗଲଣି ବୋଧେ ।

 

–ଗୋଟେ ଦୁଇଟା ଯେ ନ ଲେଖିଛି ତାହା ନୁହେଁ !

 

–ପଢ଼… ପଢ଼… ମୁଁ ଟିକେ ଶୁଣେ !

 

ଟିକେ ସଂକୋଚ ଲାଗୁଥିଲା ଶଙ୍କରକୁ । କେହି ଯଦି ଶୁଣେ କ’ଣ ଭାବିବ ବୋଲି ଦୁରୁଦୁରୁ କରୁଥିଲା ଛାତି… ତଥାପି ମାଳିନୀର ଅନୁରୋଧ ଏଡ଼ିନପାରି ପକେଟରୁ ଟୁକରାଏ କାଗଜ ବାହାରକରି ପଢ଼ିବାକୁ ଲାଗିଲା–

 

ମେଘର ଦେହରେ

ମୋ ମନର କଥାସବୁ ଲେଖିବି ମୁଁ ବିଜୁଳିର ଗାରେ

ଆଲୋକର ଝଲକରେ

ଲେଖା ହେବ ମୋର ନିବେଦନ

ତୁମପାଇଁ ବଞ୍ଚେ ପ୍ରିୟା ଦୂରେ ଏ ଜୀବନ ।

 

ହାତ ତାଳି ଦେଇ କହିଲା ମାଳିନୀ–ତୁମେ ଏତେ ସୁନ୍ଦର କବିତା ଲେଖିପାର, କାହିଁ ମତେ ଦିନେ ହେଲେ କହିନାହଁ ତ ?

 

ଶଙ୍କର କହିଲା–ନୂଆ ନୂଆ ଲେଖିଛି । ପ୍ରାଣରେ ଆବେଗ ନଥିଲେ ଅଭିବ୍ୟକ୍ତ ହୁଏନା କବିତା । ଆଉ ମଣିଷର ମୁହଁ ତ ସବୁଠାରୁ ବେଶି ଆକର୍ଷଣ କରେ ।

 

ଆକାଶର ବାର୍ତ୍ତା ନେଇ କେତେବେଳେ ଟୁପ୍ ଟୁପ୍ କରି ବର୍ଷା ପଡ଼ିବା ଆରମ୍ଭ ହୋଇଥିଲା ଜାଣିନଥିଲେ ଦୁହେଁ । ହଠାତ୍ କାହାର ସ୍ଵର ଶୁଣି ଚମକିପଡ଼ି ଚାହିଁଲେ ।

 

ଜନ୍ମେଜୟ କହିଲେ–ବର୍ଷାରେ ଭିଜୁଛ କାହିଁକି ? ଚାଲ ଭିତରକୁ ଚାଲ । ତାଙ୍କ ପଛେ ପଛେ ଚାନ୍ଦାରାଓ । ମାଳିନୀ ଘର ଭିତରେ ଅଦୃଶ୍ୟ ହୋଇଗଲା । ଶଙ୍କରକୁ ପାଖରେ ବସାଇ କହିଲେ ନେତାଜୀ–“ତୋ ବାପାଙ୍କଠାରୁ ଶୁଣିଲି ତୁ ଆସିଛୁ ବୋଲି…କେତେଦିନ ଛୁଟି…କୋଉ କ୍ଲାସ୍ ହେଲା ତୋର ?’’

 

–ଖରାଛୁଟି ସରିଆସିଲାଣି । ରଥଯାତ୍ରା ପରେ କଲେଜ ଖୋଲିବ । ଏଡ଼୍‍ମିଶନ ନେବି ଭାବୁଛି...

 

–ପରୀକ୍ଷା ଫଳ ତ ବାହାରିସାରିଛି । କେଉଁ ଡିଭିଜନ୍ ପାଇଲୁ ?

 

–ଫାଷ୍ଟ୍‍ ଡିଭିଜନ୍…କହିଲା ଶଙ୍କର ।

 

–ତା’ପରେ କ’ଣ କରିବୁ ବୋଲି ଭାବିଛୁ ?

 

–ବାପା ଚାହାଁନ୍ତି ମୁଁ ଆହୁରି ପଢ଼େ ।

 

–ହଁ, ମୁଁ ବି ସେୟା ଚାହେଁ…ଏଇଟା ପଢ଼ିବା ସମୟ । ଭଲକରି ପଢ଼ ଶଙ୍କର । ତୋ ଉପରେ ଅନେକ ଆଶା, ଅନେକ ଭରସା ତୋ ବାପା ମା’ଙ୍କର ।

 

–ଆଉ ତମର କ’ଣ କମ୍ ନେତାଜୀ ? –କହିଲେ ଚାନ୍ଦାରାଓ ।

 

–ସେଥିପାଇଁ ତ ତାକୁ ଖୋଜି ଖୋଜି ଚାଲିଆସିଲି ଏଠାକୁ । ମୁଁ ଆସିଲିଣି ମାସେ ହେବ । କାମରେ ଯାଇଥିଲି ଅନ୍ୟତ୍ର । ଶଙ୍କରର ବାପା ବି ଯାଇଥିଲେ । ଆଜି ସକାଳୁ ଫେରିଲୁ । ରାତିରେ ଚାଲିଯିବି । କିନ୍ତୁ ତା’ ଆଗରୁ ଶଙ୍କର ସହିତ କେତେକ କଥା ଅଛି ।

 

ଝରକା କବାଟ ଆଉଜାଇଦେଇ ଚାନ୍ଦାରାଓ କହିଲେ–ତୁମେ କହୁଥାଅ…ମୁଁ ଟିକେ କାମସାରି ଆସେ । କେହି ଯେପରି ତୁମକୁ ଡିଷ୍ଟର୍ବ ନକରନ୍ତି କହିଯାଉଛି ଘରେ ।

 

–ଆଉ ଏହା ବି ନିଶ୍ଚୟ କର ଯେ ମୋର ଆସିବା ଖବର ଯେପରି ପ୍ରଘଟ ନହୁଏ ।

 

ମଥା ହଲାଇ ସମ୍ମତି ଜଣାଇ ଚାନ୍ଦାରାଓ ଚାଲିଗଲେ ।

 

ଶଙ୍କରକୁ ପାଖରେ ବସାଇ କହିଲେ ଜନ୍ମେଜୟ–ତୋ’ ପାଇଁ କେତୋଟି ବହି ଦେଇଆସିଛି ତୋ’ ମା’ ପାଖରେ । ସେଥି ମଧ୍ୟରେ ଅଛି–ବଙ୍କିମଚନ୍ଦ୍ରଙ୍କର–ଆନନ୍ଦମଠ, ଫରାସୀ ବିପ୍ଳବ ଓ ରୁଷବିପ୍ଲବର କାହାଣୀ, ଭାରତର ମୁକ୍ତି ସଂଗ୍ରାମ ବିଷୟକ କେତେକ ବହି ଓ ପତ୍ରପତ୍ରିକା, ଆଲିପୁର ଜେଲରେ ବନ୍ଦୀ ଥିବାବେଳେ ଅରବିନ୍ଦ ଘୋଷଙ୍କ ବିଚାର ଓ ମୁକ୍ତିର କାହାଣୀ, ଗାନ୍ଧିଜୀଙ୍କ ହରିଜନ ପତ୍ରିକାର କେତେଖଣ୍ଡ । ତୁ ବଙ୍ଗଳା ଜାଣୁ, ଇଂରାଜୀ ତ ପଢ଼ିପାରୁ … ସବୁ ନବୁଝିଲେ ବି ଅନେକ କିଛି ବୁଝୁଥିବୁ… ମେଟ୍ରିକ୍ ପାସ୍ କରିଛୁ ।

 

ଶଙ୍କର ମଥା ହଲାଇଲା । ଜନ୍ମେଜୟଙ୍କ ସହିତ ଏକାନ୍ତରେ ଏତେ ନିକଟରେ ବସିବା ଏଇ ପ୍ରଥମ । ସେଥିପାଇଁ ଭୟ ବି ଲାଗୁଥିଲା । ଏତେ ବଡ଼ ଜ୍ଞାନୀ, ଗୁଣୀ ପୁରୁଷ…

 

ତା’ପରେ ଜନ୍ମେଜୟ କହିଲେ–ଉତ୍କଳମଣି ଗୋପବନ୍ଧୁଙ୍କର ବହି ପଢ଼ିବୁ । ପ୍ରତିଦିନ ଖବରକାଗଜ ପଢ଼ିବୁ । ସକାଳେ ଘଣ୍ଟାଏ ବ୍ୟାୟାମ କରିବୁ । ସ୍ଵାସ୍ଥ୍ୟ ଭଲ ରହିବା ଦରକାର । ତା’ପରେ ତା’ ମଥା ଆଉଁସିଦେଇ ତାକୁ ଆହୁରି ପାଖକୁ ଟାଣିଆଣି କହିଲେ–ଦେଶକାମ କରିବୁ ?

 

ସମ୍ମତିସୂଚକ ମଥା ହଲାଇଲା ଶଙ୍କର ।

 

–ନା ସେପରି ନୁହେଁ, ତୋ’ ମୁହଁରୁ ସ୍ପଷ୍ଟ ଶୁଣିବାକୁ ଚାହେଁ । ଦେଶକାମ ସହଜ ନୁହେଁ । ଦେଶକୁ ମା’ ଭାବି ଯଦି ପୂଜାକରିପାରୁ, ବନ୍ଦିନୀ ମା’ କୁ ମୁକ୍ତକରିବା ପାଇଁ ଯଦି ସବୁ ପ୍ରକାର ତ୍ୟାଗ, ବଳିଦାନ ଦେବାକୁ ନିଜକୁ ପ୍ରସ୍ତୁତ କରୁ, ନିଜର ସ୍ଵାର୍ଥକୁ ତୁଚ୍ଛ କରି ଯଦି ସାଧାରଣଙ୍କ ସ୍ଵାର୍ଥ ରକ୍ଷା ସକାଶେ ଜୀବନ ଉତ୍ସର୍ଗ କରିପାରୁ ତେବେ ଦେଶ କାମ କରିପାରିବୁ ଶଙ୍କର । ଏଥିରେ ପାଇବାର ଆଶା ନାହିଁ, କେବଳ ଦେବାକୁ ହୁଏ । ସ୍ଵପ୍ନ ଦେଖିବାକୁ ହୁଏ । ପୁଣି ସେଇ ସ୍ଵପ୍ନକୁ ସାକାର କରିବାପାଇଁ ପ୍ରାଣପାତ କରିବାକୁ ହୁଏ । ପାରିବୁ ?

 

–ପାରିବି କାକାବାବୁ !

 

–ତୋ’ ଆଗରେ ତୋ’ ବାପାଙ୍କ ଦୃଷ୍ଟାନ୍ତ…ଆହୁରି ଦୂରକୁ ଚାହିଁଲେ ବହୁ ଦୃଷ୍ଟାନ୍ତ ପାଇବୁ, ବହୁ ମୁହଁ ଦେଖିପାରିବୁ ।

 

–ମୁଁ ଆପଣଙ୍କର ଶିଷ୍ୟ ହେବାକୁ ଚାହେଁ ନେତାଜୀ ।

 

–ତୋତେ ପାଇଲେ ମୁଁ ଖୁସି ହେବି ଶଙ୍କର । କିନ୍ତୁ ସେ ସମୟ ଆସିନି । ତୋର ପଢ଼ା ସରୁ । ଭାରତ ସ୍ଵାଧୀନ ହେବା ସୁନିଶ୍ଚିତ । ସେଥିପାଇଁ ତିଥି ନକ୍ଷତ୍ର ଶୁଭ ମୁହୂର୍ତ୍ତ ହୁଏତ ଏଯାଏ ଠିକ୍‍ ହୋଇନାହିଁ, କିନ୍ତୁ ଦିନେ ଦେଶ ସ୍ଵାଧୀନ ହେବ ନିଶ୍ଚୟ । କେହି ତାହା ଅଟକାଇ ପାରିବେନାହିଁ-। ସେତେବେଳେ ଅନେକ ଶିକ୍ଷିତ, ଶୃଙ୍ଖଳିତ, ଜନସେବୀଙ୍କର ପ୍ରୟୋଜନ ହେବ-। ସମାଜ ଓ ଶାସନ ସମସ୍ତେ ପରିଚାଳନା କରିପାରନ୍ତି ନାହିଁ । ସେଥିପାଇଁ ପ୍ରଶିକ୍ଷଣ ବି ଦରକାର-

 

–କିନ୍ତୁ ମୁଁ ତା’ ପୂର୍ବରୁ ବନ୍ଦେ ମାତରମ୍ ଦଳରେ ଯୋଗଦେବାକୁ ଚାହେଁ ।

 

–ସେଥିପାଇଁ ତୋତେ ମୁଁ ନିଜେ ତାଲିମ୍ ଦେବି । ପାଠପଢ଼ା ବନ୍ଦ ନକରି ଛୁଟିରେ ତାହା କରାଯାଇପାରିବ । ଦେଶପାଇଁ କଷ୍ଟ ସହିପାରିବୁ । ଦରକାର ହେଲେ ନିଜକୁ ବଳି ଦେଇପାରିବୁ ?

 

–ପାରିବି କାକାବାବୁ… ଶପଥ କରି କହୁଛି ପାରିବି ।

 

ତା’ ପିଠିରେ ହାତ ମାରି କହିଲେ ଜନ୍ମେଜୟ–ସାବାସ୍…ତୋ ମୁହଁରୁ ଏତକ ଶୁଣିବାପାଇଁ ମୁଁ ଆସିଥିଲି । ତୁ ଉପଯୁକ୍ତ ପିତାର ଉପଯୁକ୍ତ ପୁତ୍ର…କିନ୍ତୁ ଆଉ ଗୋଟେ କଥା…

 

ତାଙ୍କ ମୁହଁକୁ ଆଗ୍ରହରେ ଅନାଁଇଲା ଶଙ୍କର ।

 

ସେ କହିଲେ–ଯୁବକ ସୁଲଭ ଉନ୍ମାଦନା, ଭାବପ୍ରବଣତା ଏଇ ବୟସର ଲକ୍ଷଣ । ତାହା ଅସ୍ଵାଭାବିକ ମଧ୍ୟ ନୁହେଁ । କିନ୍ତୁ ପୁଅ ଦେଶପାଇଁ ଯଦି ନିଜକୁ ଉତ୍ସର୍ଗ କରିବାକୁ ଚାହୁଁ ଏସବୁକୁ ନିୟନ୍ତ୍ରିତ କରିବାକୁ ପଡ଼ିବ । ପ୍ରେମ, ଦୟା, କ୍ଷମା କିଛି ଖରାପ ବିଷୟ ନୁହେଁ । କିନ୍ତୁ ବୟସର ସୁଖ ପାଇଁ କାହାକୁ ପ୍ରେମ ନକରି ଦେଶକୁ ପ୍ରେମ କରି ଶିଖ । ଅନ୍ୟାୟୀ, ଅବିଚାରୀ, ଅତ୍ୟାଚାରୀକୁ ଦୟା, କ୍ଷମା ନକରି ଯିଏ ତା’ର ଯୋଗ୍ୟ ତାକୁହିଁ କେବଳ ଦୟା କ୍ଷମା କରାଯାଉ ।

 

ଶଙ୍କର ବୁଝିବାପାଇଁ ଚେଷ୍ଟା କରୁଥିଲା ନେତାଜୀଙ୍କ କହିବାର ଗୂଢ଼ ଅର୍ଥ ।

 

ସେ ପୁଣି କହିଲେ–ମାଳିନୀ ବେଶ୍ ଭଲ ଝିଅ…କିନ୍ତୁ ତୋର ତା’ ସହିତ ଏ ବୟସରେ ଏତେ ମିଳାମିଶା ଶୁଭଙ୍କର ନୁହେଁ । ତମେ ଦୁହେଁ ନିର୍ମଳ, ପବିତ୍ର କିନ୍ତୁ ତୁମ ଦୁହିଁଙ୍କର ବନ୍ଧୁତ୍ଵ ସେତିକିରେ ଥାଉ । ବିପ୍ଲବର ପଥ ବଡ଼ ପିଚ୍ଛିଳ ପୁଣି ବଡ଼ କଠିନରେ ଶଙ୍କର । ଖଣ୍ଡାଧାରରେ ଚାଲିବା ହିଁ ଏକମାତ୍ର ପଥ । ପାଦ ଥରେ ପିଚ୍ଛିଳି ଗଲେ ପତନ ଅନିବାର୍ଯ୍ୟ । ଦେଶପ୍ରୀତି ଅବିଭାଜ୍ୟ ଆନୁଗତ୍ୟ ଦାବି କରେ । ଦେଶପ୍ରେମ ହିଁ ବଡ଼–ଆଉ ସବୁ ତୁଚ୍ଛା ଯଦି ଦେଶପ୍ରୀତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରୁ, ତେବେ ବ୍ୟକ୍ତିଗତ ଆବେଗକୁ ପଛକୁ ଠେଲିଦେବାକୁ ହେବ । ପାରିବୁ ?

 

ଶଙ୍କର ଚମକିପଡ଼ିଲା ନେତାଜୀଙ୍କ କଥା ଶୁଣି । ତା’ର ଅନ୍ତର ଭିତରଟା ମନ୍ଥିହୋଇଗଲା । ଏହା ଯେ ଉପଦେଶ ନଥିଲା, ବରଂ ଥିଲା ତାଙ୍କର ଅଲଂଘ୍ୟ ଆଦେଶ, ଏହା ବୁଝିପାରିଥିଲା ଶଙ୍କର । ତଣ୍ଟି ଶୁଖିଗଲା । ଜିଭ ଲେଉଟିଲା ନାହିଁ ସଙ୍ଗେ ସଙ୍ଗେ ହଁ କରିବାପାଇଁ । ଶେଷକୁ ଗ୍ରହଣ କଲେ ମାଳିନୀକୁ ଛାଡ଼ିବାକୁ ହେବ ଏହା ମଧ୍ୟ ସ୍ପଷ୍ଟ ହୋଇଗଲା ତା’ ଆଗରେ ।

 

ତା’ ପିଠି ଉପରେ ହାତରଖି କହିଲେ ନେତାଜୀ–ଦୁହେଁ ଦୁହିଁଙ୍କର ଦୂରତ୍ଵ ରଖି ସଂପର୍କ ରଖିବାରେ ମୋର ଆପତ୍ତି ନାହିଁ । ତାହା ହେବ ଦୁଇଜଣ କମ୍ରେଡ୍‍ଙ୍କର ବନ୍ଧୁତ୍ଵ । ଗୋଟିଏ ଆଦର୍ଶ ଓ ଲକ୍ଷ୍ୟ ପଛରେ ଆତ୍ମବଳି ଦେବାକୁ ପ୍ରସ୍ତୁତ ଥିବା ଦୁଇଜଣ ବନ୍ଧୁଙ୍କର ବନ୍ଧୁତ୍ଵ । ଇମୋସନ୍ ବା ଆବେଗ ବଡ଼ ଭୟଙ୍କରରେ ଶଙ୍କର । ସତର୍କ ନହେଲେ ଝୁଣ୍ଟି ପଡ଼ିବା ନିଶ୍ଚିତ । ତା’ପରେ ମାଳିନୀ କ’ଣ ଚାହେଁ, ନିଜ ବିଷୟରେ ତା’ର ଧାରଣା କ’ଣ, ଲକ୍ଷ୍ୟ କ’ଣ ଏହା ମୁଁ ଜାଣେନି–ତାକୁ ବି ପଚାରିବି । କିନ୍ତୁ ତା’ ପୂର୍ବରୁ ତୋ କଥା ଶୁଣିବାକୁ ଚାହୁଁଥିଲି । ଏବେ ତୁ ଯାଇପାରୁ; କିନ୍ତୁ ମୁଁ ଚାଲିଯିବା ପୂର୍ବରୁ କୃପାସିନ୍ଧୁ ଘରେ ସନ୍ଧ୍ୟାରେ ଆଉ ଥରେ ସାକ୍ଷାତ ହୁଏ ଯେପରି । ବାପା ସାଙ୍ଗରେ ଆସିବୁ ଏବଂ ସେତେବେଳେ ମୁଁ ତୋର ଶେଷ ସିଦ୍ଧାନ୍ତ ଶୁଣିବାକୁ ଚାହେଁ ।

 

ଶଙ୍କର ପାଦଧୂଳି ନେଇ ଅଦୃଶ୍ୟ ହୋଇଗଲା ଅଙ୍କାବଙ୍କା ପଥରେ ।

 

ଜନ୍ମେଜୟଙ୍କ ହାତକୁ ଚା’ କପେ ବଢ଼ାଇଦେଇ ପାଖରେ ବସିଲା ମାଳିନୀ । ଜନ୍ମେଜୟ କହିଲେ–ସେଇ ଗୀତଟି ମନେଅଛି ?

 

ମାଳିନୀ ସହିତ ତାଙ୍କର ଥରେ ମାତ୍ର ଦେଖାହୋଇଥିଲା ବର୍ଷେ ପୂର୍ବରୁ । ସେତେବେଳେ ତାକୁ ଗୋଟେ ଗୀତ ଲେଖିଦେଇ କହିଥିଲେ ନେତାଜୀ ଯେ ଏଇଟା ଗୀତ ନୁହେଁ, ମନ୍ତ୍ର । ଯେକୌଣସି ଲୋକ ଗୀତ ବୋଲିପାରେ; କିନ୍ତୁ ମନ୍ତ୍ର ପଢ଼ିପାରେ ନାହିଁ । ସେଥିପାଇଁ ମାନସିକ ଶୁଦ୍ଧତା, ଏକାଗ୍ରତା ଓ ପ୍ରସ୍ତୁତି ଦରକାର । ସେଦିନ ମାଳିନୀ ଆଗ୍ରହର ସହିତ–ତାହା ପାଳନ କରିବ ବୋଲି ଅଙ୍ଗୀକାର କରିଥିଲା । ସେ ଲେଖିଦେଇଥିବା ମନ୍ତ୍ରଟି ଥିଲା ବନ୍ଦନା, ଭାରତ ମାତାଙ୍କ ବନ୍ଦନା–ବନ୍ଦେ ମାତରମ୍ ! ସୁଜଳାମ୍ ସୁଫଳାମ୍‍ ମଳୟଜ ଶୀତଳାମ୍…

 

ସେଇ ଗୀତ ମନେପଡ଼ିଯିବାରୁ ଶିହରି ଉଠିଲା ମାଳିନୀ । ଗୀତ ତ ନୁହେଁ ମନ୍ତ୍ର । ସେ ସଚେତନ ହୋଇ କହିଲା–ମନେଅଛି…ମନ୍ତ୍ର କ’ଣ ଭୁଲିହୁଏ ?

 

–ସାବାସ୍, ତୁ ଗାଇଯା, ଶୁଣିବାକୁ ଇଚ୍ଛା ହେଉଛି ।

 

ମାଳିନୀ ଗାଇଗଲା । ମନ୍ତ୍ର ଶୁଣି ଶୁଣି ଧ୍ୟାନସ୍ଥ ହେଲେ ଜନ୍ମେଜୟ । ସେଇ ମନ୍ତ୍ରଧ୍ଵନି ଭିତରେ ହଜାଇଦେଇଥିଲେ ସେ ନିଜକୁ । ଧୀରେ ଧୀରେ ପୁଣି ବାସ୍ତବ ଜଗତକୁ ଫେରିଆସି କହିଲେ–ମନ୍ତ୍ର ମନନକଲେ ଶୃଙ୍ଖଳା ମାନିବାକୁ ହୁଏ, ଦେହ ଓ ମନର ଶୁଦ୍ଧତା ରକ୍ଷା କରିବାକୁ ହୁଏ-। ସେଥିପାଇଁ ମାନସିକ ଓ ଦୈହିକ ପ୍ରସ୍ତୁତି ଦରକାର–ପାରିବୁ ?

 

ମାଳିନୀ ମଥା ହଲାଇ ସମ୍ମତି ଜଣାଇଲା ।

 

–ଦେଶକୁ ଯିଏ ଭଲପାଏ ତା’ ଆଗରେ ଆଉ ସବୁ ଭଲପାଇବା ନଗଣ୍ୟ । ଦେଶପ୍ରେମୀ କେବଳ ଦେବାର ସଂକଳ୍ପ କରେ ଓ ସେଇ ସଂକଳ୍ପ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କେବଳ ଦେଇଯାଏ । ତ୍ୟାଗ ହିଁ ଦେଶସେବାର ପ୍ରଥମ ସର୍ତ୍ତ । ଆଉ ଯେ କେହି ଏହା କରିପାରନ୍ତି ନାହିଁ । ଚାରିତ୍ରିକ ଦୃଢ଼ତା, ଶାରୀରିକ ଓ ମାନସିକ ନିର୍ମଳତା ଏଥିପାଇଁ ଆବଶ୍ୟକ ହୁଏ । ଛୋଟ ଛୋଟ ଆବେଗ, ଭାବପ୍ରବଣତା, ସ୍ନେହ ମମତା ବଳିଦେବାକୁ ହୁଏ । ଆବେଗ ଓ ଆବେଶରେ ଭାସିଯିବା ସହଜ । ଏଇଟା ବରଂ ସୁଖକର । ବୟସର ଦାବି; କିନ୍ତୁ ଏହା ତ ବ୍ୟକ୍ତିଗତ ସୁଖ, ଏଥିରେ ଦେଶର କିଛି ଯାଏ ଆସେ ନାହିଁ । ଦେଶସେବାର କାମ ଏତେ ସହଜ ନୁହେଁ । ଯିଏ ନିଜର ସୁଖସୁବିଧା ଦେଶର ସୁଖସୁବିଧା ପାଇଁ ସହଜରେ ଛାଡ଼ିପାରେ, ଦେଶ ସେହିପରି ବୀରମାନଙ୍କୁ ସ୍ଵାଗତ କରେ । ଲକ୍ଷ୍ମୀବାଈଙ୍କ କଥା ଶୁଣିଥିବୁ । କସ୍ତୁରବାଙ୍କ କଥା ଶୁଣିଥିବୁ । ସେଇ ପଥ ବାଛିନେଇ ପାରିବୁ ? ଭାବି ଦେଖ, ଚିନ୍ତାକର । ସଙ୍ଗେ ସଙ୍ଗେ ଉତ୍ତର ଦେବାକୁ କହୁନି । ହିଁ ଆଉ ଗୋଟେ କଥା, ତୁ କିଛି ମନେକରିବୁନି । ତୋ ବ୍ୟକ୍ତିଗତ ଇଚ୍ଛା ଉପରେ ମୁଁ ହସ୍ତକ୍ଷେପ କରୁଛି । ମୁଁ ତୋର ଶୁଭାକାଙ୍‍କ୍ଷୀ ।

 

ତା’ପରେ ଟିକିଏ ରହି କହିଲେ–ବି.ଏ ଟା ପାସ୍ କରିବା ଦରକାର । ଦେଶ ସ୍ଵାଧୀନ ହେଲେ ବହୁ ଶିକ୍ଷିତ ଯୁବକ ଧୁବତୀ ଦରକାର ଦେବେ ଦେଶ ନିର୍ମାଣ କାର୍ଯ୍ୟ କରିବାପାଇଁ । ଅତୀତରେ ଚରିତ୍ରବତ୍ତା, ଏକତା ଓ ଦେଶପ୍ରୀତି ଅଭାବରୁ ଭାରତ ବାରମ୍ଵାର ପଦାନତ ହୋଇଥିଲା-। ତାହାର ପୁନରାବୃତ୍ତି ବନ୍ଦ କରିବା ପାଇଁ ପ୍ରସ୍ତୁତି ଦରକାର । ଚରିତ୍ର ନିର୍ମାଣ ଓ ସଙ୍ଗଠନ ପାଇଁ ଦେଶପ୍ରୀତି ହିଁ ଏକମାତ୍ର ପଥ । ଶଙ୍କରକୁ କହିଛି–ତୋତେ ମଧ୍ୟ କହୁଛି ଯେ ବୟସର ଏଇ ଚପଳତା ଓ ଆବେଗରେ ଭାସି ନଯାଇ, ବରଂ ଦେଶସେବା ପାଇଁ ପ୍ରସ୍ତୁତ କର ନିଜକୁ । ବ୍ୟକ୍ତିଗତ ଆବେଗ, ସୁଖ, ସମ୍ଭୋଗ ପଛକୁ ଥାଉ । ଦେଶର ସ୍ଵାଧୀନତା ହିଁ ବର୍ତ୍ତମାନର ଏକମାତ୍ର ଲକ୍ଷ୍ୟ ଏବଂ ତାହା ହିଁ ଏକମାତ୍ର କାମ୍ୟ । ତୁ ଆତ୍ମବଳି ଦେଇପାରିବୁ ? ଚିନ୍ତା କର । ସନ୍ଧ୍ୟା ପୂର୍ବରୁ ମୋତେ କହିବୁ ତୋର ସିଦ୍ଧାନ୍ତ । ମୁଁ ବାଧ୍ୟ କରିବି ନାହିଁ । ବାଧ୍ୟବାଧକତାଦ୍ଵାରା ଦେଶପ୍ରୀତି ସୃଷ୍ଟିକରି ହୁଏ ନାହିଁ । ସ୍ଵତଃସ୍ପୂର୍ତ୍ତ, ସଚେତନ ସଂକଳ୍ପ ହିଁ କେବଳ ମାର୍ଗଦର୍ଶନ କରାଏ ।

 

ଆଉ ବିଳମ୍ଵ ନକରି ନେତାଜୀ ଉଠିଲେ । ମାଳିନୀ ତାଙ୍କର ପାଦଧୂଳି ନେଲା । ସେ ତାକୁ ଛାତି ଉପରକୁ ଆଉଜାଇ ନେଇ କହିଲେ–ମାତୃଶକ୍ତି ଅପରାଜେୟ, ଅପରିସୀମ । ତୁ ଅନନ୍ତ ସମ୍ଭାବନାର ପ୍ରତୀକ । ମୁଁ ଥାଏ ବା ନଥାଏ, ତୋ ମନରେ ଏହା ଜାଗ୍ରତ ଥାଏ ଯେପରି ।

 

ଜନ୍ମେଜୟ ଆଶୀର୍ବାଦ କରି ବାହାରିଗଲେ । ତାଙ୍କ ସହିତ ଗଲେ ଚାନ୍ଦାରାଓ । ମଧ୍ୟାହ୍ନ ସୂର୍ଯ୍ୟ ନିସ୍ତେଜ । ଆକାଶରେ ମେଘୋତ୍ସବର ପୂର୍ବାଭାସ…ଆଦ୍ୟ ଆଷାଢ଼ର ଗୁଞ୍ଜରଣ । ତୃଷାର୍ତ୍ତ ଭୂମି, ଶୁଷ୍କ ବନଭୂମି ଉତ୍କଣ୍ଠାରେ ଅନାଇ ରହିଛି ବର୍ଷାବତରଣକୁ । ବର୍ଷା ହିଁ ନବଜନ୍ମର ବାର୍ତ୍ତାବହ । ଏହାହିଁ ଶୃଙ୍ଗାରର ଋତୁ, ସର୍ଜନାର ସମୟ ।

 

ରେଳଲାଇନ୍ ଓ ସଡ଼କ ମଝିରେ ଗୋଟିଏ ବିରାଟ ବଟବୃକ୍ଷ । ଓହଳ ସବୁ ଭୂଇଁ ଭିତରକୁ ପଶିଯାଇଥାନ୍ତି ଚେରପରି । ସେଇ ଗଛର ବଡ଼ ବଡ଼ ଲମ୍ଵା ଡାଳରେ ବସି ଗୀତ ଗାଉଥିଲେ ଚାରି ପାଞ୍ଚଜଣ ସାନ୍ତାଳ ଯୁବତୀ । ବୟସ ସତର ଅଠର ମଧ୍ୟରେ । ସେମାନଙ୍କ ମଧ୍ୟରେ ଗାଇବାର ପ୍ରତିଯୋଗିତା ଚାଲିଥିଲା । ଯେଉଁ ଅକ୍ଷରରେ ଗୀତ ଶେଷ ହେବ ସେଇ ଅକ୍ଷର ଧରି ଆଉ ଜଣେ ଗାଇବ ।

 

ଜଣେ ଗାଇଲା–କିଆ ଫୁଲ ମହ ମହ

କା’ ହାତ ଧରିବୁ ଗୁପତେ କହ

ମନ ହୁଏ ଟହ ଟହ ।

 

ଆଉ ଜଣେ ସୁର ଧରିଲା–ହାତୀ ଆସେ ଝୁଲି ଝୁଲି

ମୋହରି ବାଡ଼ିରେ ଫୁଟିଛି ମଲ୍ଲୀ

କିଏ ନବ କହ ତୋଳି ?

 

ସଡ଼କ ପାରିହେବା ଆଗରୁ ଗୋଟେ ମିଲିଟାରୀ ଜିପ୍ ଆସି ଛିଡ଼ାହେଲା ବରଗଛ ପାଖରେ । ଝପ୍ ଝପ୍ କରି ଓହ୍ଲାଇପଡ଼ିଲେ ଦୁଇଜଣ ପଲଟଣ । ଜୋତା ମଚ୍ ମଚ୍ କରି ବଟମୂଳକୁ ଆସିବାବେଳକୁ ଖପ୍‍ଖାପ୍ ଡେଇଁପଡ଼ି ଏକାଠି ଛିଡ଼ାହୋଇଗଲେ ଝିଅମାନେ । ମିଲିଟାରୀବାଲାଙ୍କୁ ଦେଖି ଛାତି ଥରିଉଠୁଥାଏ ସେମାନଙ୍କର । କାକୁସ୍ଥ ହୋଇ ତଳକୁ ମଥାପୋତି ଛିଡ଼ାହୋଇଥିବାର ଦେଖି ଜଣେ ପଲଟଣ କହିଲା–ସୁନ୍ଦରୀ, ଟୁମ୍ ଡରୋ ମତ୍… ହାମ୍ ଟୁମ୍‍ଙ୍କୁ ପ୍ୟାର୍ ଦେଗା ।

 

ନେତାଜୀ ଆଗକୁ ନଯାଇ ଛିଡ଼ାହୋଇଗଲେ ତାକୁ ଦେଖି, ଛିଡ଼ାହୋଇଗଲେ ଚାନ୍ଦାରାଓ-। ଚାନ୍ଦାରାଓ କହିଲେ–ଏଠି ଅଟକିଯିବା ନିରାପଦ ନ ହୋଇପାରେ ନେତାଜୀ ।

 

–ମୁଁ ଜାଣେ । କିନ୍ତୁ ଏଇ ଝିଅମାନଙ୍କୁ ବିପଦରେ ଛାଡ଼ି ଆମେ ଚାଲିଯିବା କିପରି ? ସେମାନେ ଯେ ନିରାପଦ ନୁହଁନ୍ତି ସେମାନଙ୍କ ମୁହଁ ଦେଖିଲେ ଅନୁମାନ କରିହୁଏ ।

 

ଜଣେ ପଲଟଣ ପକେଟ୍‍ରୁ ଟଙ୍କା ବାହାରକରି ସେମାନଙ୍କ ଆଡ଼କୁ ଫିଙ୍ଗିଦେଇ କହିଲେ–ରୂପୟା ଲୋ… ଔର୍ ଗାଡ଼ି ମେ ଚଢ଼ୋ ।

 

ସେଇ ଗୋରା ପଲଟଣର ଆଚରଣ ଦେଖି ସର୍ବାଙ୍ଗ ଜଳିଉଠିଲା ଜନ୍ମେଜୟଙ୍କର । ଜନ୍ମେଜୟଙ୍କର । ପିସ୍ତଲଟା ଯଥା ସ୍ଥାନରେ ଅଛି କି ନାହିଁ ସେ ପରଖିନେଲେ । ତା’ପରେ ଗଛମୂଳକୁ ଆସି କହିଲେ–“ଏ ଝିଅମାନେ, ତୁମେ ସବୁ ଘରକୁ ଯାଅ…’’

 

ଝିଅମାନେ ସାହସ ପାଇଲେ ।

 

ଜଣେ ଗୋରା ସୈନିକ ନେତାଜୀଙ୍କ ସାମନାକୁ ଆସି କହିଲେ–ବ୍ଲଡି ନେଟିଭ୍… ହ୍ଵାଇ ଡୁ ୟୁ ଇଣ୍ଟର୍‍ଫିଅର୍… ?

 

ନେତାଜୀ ଶୁଦ୍ଧ ଇଂରାଜୀରେ କହିଲେ–ବ୍ଲଡି ଆମେରିକାନ୍, ୟୁ ସୁଡ୍ ନୋ ହାଓ ଟୁ ବିହେଭ୍… ଇଟ୍ ଇଜ୍ ଇଣ୍ଡିଆ, ନଟ୍ ଆମେରିକା ।

 

ସେଇ ଆମେରିକାନ୍ ସାହେବ ହାତ ଉଞ୍ଚାଇ ମାଡ଼ିଆସିଲାବେଳକୁ ତା’ ହାତ ଧରିପକାଇ କହିଲେ ଜନ୍ମେଜୟ–ବି କେଆର୍‍ଫୁଲ୍, ଇଟ୍ ଇଜ୍‍ ଇଣ୍ଡିଆ ।

 

ସେତେବେଳକୁ ସେଇ ବାଟ ଦେଇ ଯାଉଥିବା କେତେଜଣ ଲୋକ ଛିଡ଼ାହୋଇଯାଇଥିଲେ ସାହେବମାନଙ୍କୁ ଦେଖିବାପାଇଁ । ଇଂରାଜୀରେ ଅନ୍ୟ ସୈନିକଟା କହିଲା–ହଙ୍ଗାମା କରି ଲାଭ ନାହିଁ । ଲୋକଗୁଡ଼ା ଭଲ ମନେହେଉନାହାନ୍ତି । ବରଂ ମିଲ୍‍ମାଲିକ ଜରିଆରେ ଏ କାମ ହୋଇପାରିବ ସହଜରେ । ଏମାନେ ନିହାତି ଗରିବ, ଟଙ୍କାପାଇଁ ନିଜକୁ ବିକିଦେବେ ସହଜରେ ।

 

ନେତାଜୀ ଶୁଣିଲେ । କ୍ରୋଧରେ ସର୍ବାଙ୍ଗ ଥରୁଥିଲା ତାଙ୍କର । କିନ୍ତୁ ତାଙ୍କ କାନ୍ଧରେ ଚାପଦେଲେ ଚାନ୍ଦାରାଓ–ଏତିକିରେ ସମାପ୍ତ ହେଉ ।

 

କିନ୍ତୁ ସେଇ ଆମେରିକାନ୍ ଗୋରା ପଲଟଣ ନେତାଜୀଙ୍କୁ ଛାଡ଼ିଲେ ନାହିଁ । ତାଙ୍କୁ ଜୋର–ଜବରଦସ୍ତ ଜିପରେ ବସାଇ ନେଇଗଲାବେଳେ ସେମାନେ ବୁଝିପାରୁନଥିବା ଓଡ଼ିଆରେ କହିଲେ ଜନ୍ମେଜୟ–କିଛି ଚିନ୍ତା କରନା । ମୁଁ ଆଶାବାଦୀ । ହୁଏତ ଏମାନଙ୍କ ହାତରୁ ଖସି ବି ଯାଇପାରେ; କିନ୍ତୁ ତମେ ସବୁ ସତର୍କ ରହିବ, ଦେଶକାମ କରିଯିବ ।

 

ସେଠାରେ ଆଉ ଅଧିକ ଲୋକ ଠୁଳ ହେବା ପୂର୍ବରୁ ଜିପ୍ ଛାଡ଼ିଦେଲା ।

 

ହୁରୁଷୀ ଯେ ଅଳ୍ପ ଦୂରରେ ଠିଆହୋଇ ଏ ଦୃଶ୍ୟ ଦେଖୁଥିଲା ତାହା ଜାଣିନଥିଲେ ଚାନ୍ଦାରାଓ । ସେ ପାଖକୁ ଆସି କହିଲା–ଇଏ କିଏ ? ତାଙ୍କୁ ବା ଗୋରା ପଲଟଣ ଧରିନେଲେ କାହିଁକି ?

 

ଚାନ୍ଦାରାଓ ପ୍ରସଙ୍ଗ ଏଡ଼ାଇ ଯିବାପାଇଁ କହିଲେ–ସେ ଲୋକଟା ଟ୍ରେନ୍‍ରୁ ଓହ୍ଲାଇ ଅପେକ୍ଷା କରୁଥିଲା । ଏମାନେ କାହିଁକି ତାକୁ ଧରିନେଲେ ତାହା କହିପାରିବିନି ମୁଁ ।

 

ହୁରୁଷୀ ବିଦ୍ରୂପ କରି କହିଲା–ସବୁ ଜାଣି ନଜାଣିବା ପରି କଥା କହୁଛ କାହିଁକି ମାଷ୍ଟରବାବୁ ? ସେ କିଏ ତମେ ନକହ, ବଳେବଳେ ଗଣ୍ଠି ଫିଟିବନି ସମୟ ଆସିଲେ ।

 

ଚାନ୍ଦାରାଓ ଚିନ୍ତିତ ହୋଇପଡ଼ିଲେ । ଏତେ ଦିନ ଯାହା ଗୋପନରେ ଚାଲିଥିଲା ତାହା ଯେ ଏବେ ପଦାରେ ପଡ଼ିଯାଇପାରେ ଏଇ ଆଶଙ୍କା ଜାତ ହେଲା ମନରେ । ଚାକିରି ଖଣ୍ଡକ ହୁଏତ ଚାଲିଯିବ । ଯାଉ । ସେ ଏଇ ସ୍ଥାନ ଛାଡ଼ିଯିବେ ନାହିଁ । ଏଇଠି ରହି ବ୍ୟବସାୟ କରି କୁଟୁମ୍ଵ ପୋଷିବେ । କକାଙ୍କ କଥା ମନେପଡ଼ିଲା–ସେ ଗାନ୍ଧିଜୀଙ୍କ ବାଣୀ ଉଦ୍ଧାର କରି ଯାହା କହିଥିଲେ ମନେଅଛି ଏବେ ବି । ସେଇ ଉକ୍ତି ଲେଖାହୋଇଥିବା କାଗଜଟି ତାଙ୍କ ପକେଟ୍‍ ବହି ଭିତରେ ଥାଏ ସଦାବେଳେ ।

 

ଚାନ୍ଦାରାଓ ଷ୍ଟେସନ୍ ଅଭିମୁଖେ ପାଦ ବଢ଼ାଇବା ପୂର୍ବରୁ ନୋଟ୍‍ ବହି ବାହାରକରି ପଢ଼ିଲେ ସେଇ ବାଣୀ । ଗାନ୍ଧିଜୀ କହିଥିଲେ–ଯେତେବେଳେ ତୁମ ମନରେ ସନ୍ଦେହ ଉପୁଜିବ ଯେ ଏହା କରିବି କି ନାହିଁ ବା କେଉଁ କାମଟିକୁ ବାଛିନେବି, ଯାହା ଅନ୍ୟଭାବରେ କହିଲେ କୁହାଯିବ ଯେ ତୁମ ପାଇଁ ଧର୍ମସଂକଟ ଦେଖାଦେଇଛି ଏବଂ ଗୋଟିଏ ଛକରେ ଠିଆହୋଇ ଭାବୁଛି ଦୁଇଟି ରାସ୍ତାରୁ କେଉଁଟିକୁ ବାଛିନବ, ସେତେବେଳେ ଗୋଟିଏ କାମ କରିବ, ଯେଉଁ ଦରିଦ୍ରତମ ନିଃସହାୟ ଲୋକଟିକୁ କେବେ ଦେଖିଥିବ ତାହାରି ମୁହଁ ମନେପକାଅ । ତା’ର ମୁଖମଣ୍ଡଳରେ କିଭଳି ଦୁଃଖ ଓ ନିରାଶାର ରେଖାସବୁ ଫୁଟିଉଠିଥିଲା ତାହା ଆଖି ଆଗରେ ନାଚିଯାଉ । ନିଜକୁ ପଚାର–ମୁଁ ଯାହା କରିବାକୁ ଯାଉଛି ସେଥିରେ ଏଇ ଲୋକର କିଛି ଭଲ ହେବ କି ? ଏହାଦ୍ୱାରା ସେ କିଛି ଉପକାର ପାଇବ କି ? ଯଦି ଉତ୍ତର ପାଇଲ ‘ହଁ’–ତେବେ ଆଗେଇଯାଅ । ସେଇ ହେଉଛି ତୁମର ବାଟ ।

 

ଚାନ୍ଦାରାଓ ଏଯାଏଁ ଧର୍ମସଂକଟରେ ପଡ଼ିନଥିଲେ । ଆଜି ସେଇ ସମୟ ଆସିଥିବାରୁ ମନେପକାଇବା ପାଇଁ ଚେଷ୍ଟାକଲେ ପ୍ରତିଦିନ ଦେଖୁଥିବା ଦୀନଦଳିତ ଏ ଦେଶର ସହସ୍ର ଲୋକଙ୍କୁ-। ସେମାନଙ୍କ ମୁହଁ ଉପରେ ଉଦାସୀନତା, ଚାହାଁଣୀରେ ସର୍ବହରାର ନୈରାଶ୍ୟ । ନିପୀଡ଼ିତ, ନିଃସହାୟ ମଣିଷର ଦୁଃଖଭରା ମୁହଁ ଉପରେ ହସ ଫୁଟିବ କେବେ ? ସେ ଚାକିରି କରି ସୁଖରେ ରହିବେ କେତେ ଦିନ ?

 

ଚାନ୍ଦାରାଓ ସଂକଳ୍ପ କଲେ ସଂକଟର ସାମନା କରିବା ପାଇଁ । ଚାକିରି ଚାଲିଗଲେ ବା ଜେଲ୍‍କୁ ଗଲେ ଚିନ୍ତା ନାହିଁ । ଦେଶ କାମ କରିବାଲାଗି ଯେଉଁ ବ୍ରତ ଗ୍ରହଣ କରିଛନ୍ତି ତାହା ଛାଡ଼ିବେ ନାହିଁ ଏବଂ ଏହା ସହିତ ତାଙ୍କ ଆଖି ଆଗରେ ଭାସିଉଠିଲା ବନ୍ଦିନୀ ଭାରତମାତାର ଦୁଃଖିନୀ ରୂପ ।

 

[ ୧୫ ]

 

ପ୍ରତିମା ସେଦିନ ଅବେଳରେ ଝିଅ ସହିତ ବୁଲିଆସି ପହଞ୍ଚିଗଲେ ଶଙ୍କରଘରେ । ପାର୍ବତୀ ମସିଣା ଖଣ୍ଡେ ଉପରେ ଶୋଇରହି ଭାବୁଥିଲେ ନିଜର ଅତୀତ ଓ ଭବିଷ୍ୟତ । ଅସରାଏ ବର୍ଷା ହୋଇଯାଇଥିଲା ଦି’ପ୍ରହର ସମୟରେ । ଚାଳରୁ ଠପ୍ ଠପ୍ କରି ପାଣି ପଡ଼ୁଥିଲା ଭୂାଁଇ ଉପରେ । ମେଘ ଛାଡ଼ିଯିବା ପରେ ଏକପ୍ରକାର ନରମ ହଳଦିଆ ଖରା ସଞ୍ଚରି ଯାଇଥିଲା ଆମ୍ଵ, ତେନ୍ତୁଳି, ବାଉଁସ ଓ ସଜନା ଗଛର ଶାଖାପ୍ରଶାଖାରେ । ଓଦା ଚାଳ ଉପରେ ବଣି ଦୁଇଟି ଗପସପ ହେଉଥିଲେ ।

 

ଅଚିହ୍ନାଲୋକ ଦୁଆର ମୁହଁରେ ଦେଖି ଶାରୀ ଡାକିଲା–କିଏ…କିଏ…?

 

ପାର୍ବତୀ କଡ଼ ଲେଉଟାଇ ଚାହିଁଲେ । ଗାୟତ୍ରୀର ହାତ ଧରି ପ୍ରତିମା ଘର ଭିତରକୁ ପଶିଆସୁଥିବା ଦେଖି ଉଠିପଡ଼ି କହିଲେ ପାର୍ବତୀ–ଇଲୋ ମୋ ମାଆଲୋ…ସୂର୍ଯ୍ୟ ପଶ୍ଚିମରେ ଉଇଁଲେ କି ଆଜି–ନହେଲେ ଏ ଗରିବ ବଡ଼ଲୋକଙ୍କ ପାଦ ପଡ଼ନ୍ତା… ।

 

ପ୍ରତିମା ପାର୍ବତୀଙ୍କ ପାଖରେ ବସିପଡ଼ି କହିଲେ–ଗାଁକୁ ଆସିବାଦିନୁ ତମ ଘରକୁ ବୁଲିଆସିବାପାଇଁ ମନ ଉଚ୍ଛନ୍ନ ହେଉଛି । କିନ୍ତୁ ସମୟ ହେଲେ ତ !

 

ଏତେ ସବୁ କ’ଣ କାମ କରୁଛ କି… ଝିଅ ବାହାଘରପାଇଁ ସଜବାଜ ନୁହେଁ ତ ?

 

ଗାୟତ୍ରୀ ମା’ ପାଖରୁ ଉଠି ଚାଲିଗଲା ଅଗଣାର ତରାଟ ଗଛ ମୂଳକୁ । ତରାଟ ଗଛ ଫୁଲରେ ଟହ ଟହ ଦିଶୁଥିଲା । ପିଜୁଳି ଗଛର ଡାଳ ନୁଆଁଇ ଦୁଇଟା ପିଜୁଳି ତୋଳିନେଲା ଗାୟତ୍ରୀ । ପ୍ରତିମା ଆକଟ କଲେ ଝିଅକୁ । ପାର୍ବତୀ କିନ୍ତୁ କହିଲେ–ତୋଳୁ…ତୋଳୁ…ପାକଳ ହେଲେ ଆହୁରି ସୁଆଦ ଲାଗିବ ।

 

ପ୍ରତିମାଙ୍କ ସହିତ ପ୍ରାୟ ବର୍ଷକ ପରେ ଦେଖା । ସ୍ଵାମୀଙ୍କ ସହିତ ସେ ରହନ୍ତି ମେଦିନୀପୁରରେ । ସେଠାରେ ଚାକିରି କରନ୍ତି ପ୍ରଭାସ । ସଂସ୍କୃତ ଶିକ୍ଷକ । ଗ୍ରୀଷ୍ମ ଛୁଟିରେ ସେମାନେ ଘରକୁ ଆସନ୍ତି ପ୍ରତିବର୍ଷ । ଗାୟତ୍ରୀ ଏକମାତ୍ର ସନ୍ତାନ ।

 

ପାର୍ବତୀଙ୍କ କଥାର ଖିଅ ଧରି କହିଲେ ପ୍ରତିମା–ଆଠ ନଅ ବର୍ଷରେ କନ୍ୟାଦାନର ଫଳ ଭାଗ୍ୟରେ ଥିଲେ ମିଳେ ନାନୀ । ମନ ତ ଚାହେଁ କାମ ଉଠେଇଦବାପାଇଁ ? କିନ୍ତୁ ଏତେ ମଧୁର ସପନକୁ ରାତି କାହିଁ ? ମନ୍ଦାକିନୀର ବାହାଘର ସରିଲାପରେ ବଡ଼ନାନୀଙ୍କ ତିନିଝିଅ ଚାଲିଯିବେ ଯେ ଯାହା ଘରକୁ । ଆଉ ସାନଟା ତ ଗାୟତ୍ରୀଠାରୁ ଚାରି ବରଷରେ ଛୋଟ । ଅନେକ ଦିନ ବାକି ଅଛି ଶୁଭକାମପାଇଁ ।

 

କୋଉଠି ଦେଖିଲ ଯେ ? –ପଚାରିଲେ ପାର୍ବତୀ ।

 

ମୁରୁକି ହସି କହିଲେ ପ୍ରତିମା–ସେଇ ଭାର ତ ତମକୁ ଦବାକୁ ଆସିଛି । ତମେ ଯାହା କହିବ । ଗାୟତ୍ରୀକୁ ତ ତମେ ଦେଖୁଛ । ମୁଁ ଝିଅର ମା’–ମୋ ମୁହଁରୁ ନଶୁଣିବା ଭଲ ।

 

–ଏଇ ଅପୂର୍ବ ସୁନ୍ଦରୀ ଝିଅକୁ ମୋର ଯିଏ ଦେଖିବ ଫୁଲ ପରି ଗୋଟାଇନେବ ଆଦରରେ । ଲକ୍ଷ୍ମୀପାଦ ପରି କୁନି କୁନି ପାଦ… ପଦ୍ମପତ୍ର ପରି ଆଖି… ସଦାବେଳେ ମୁହଁରେ ହସର ସରୁ ରେଖାଟିଏ । ଗୌରୀ ପ୍ରତିମା । କନ୍ୟାସୁନା । ଟାକିବସିଥିବେ କେତେ ଲୋକ । ଯାହା ଘରକୁ ଯିବ ପୂରିଉଠିବ ତା’ ସଂସାର । ଭାଗ୍ୟରେ ଥିଲେ…

 

–ତା’ ବାପା ତ ସେଇ ଗୋଟେ କଥା ଧରିଚନ୍ତି । ଗୋଟିଏ ବୋଲି ଝିଅ ଦୂରକୁ ଯିବ ନାହିଁ–ପାଖରେ ରହିବ । ବଡ଼ଘର ନହେଉ–ବାରମାସ ଚଳିଗଲେ ହେଲା । ପାଠ ପଢ଼ୁଥିବ…

 

–ପଣ୍ଡିତେ ଦେଖିଛନ୍ତି କାହାକୁ ?–ପାର୍ବତୀ ପଚାରିଲେ–ମନର ଉତ୍କଣ୍ଠା ପ୍ରଶମନପାଇଁ ।

 

–ସେଥିପାଇଁ ତ ତମ ପାଖକୁ ପଠେଇଲେ । ଶଙ୍କର ପାଇଁ କ’ଣ ଅନୁପଯୁକ୍ତ ଗାୟତ୍ରୀ ? –କଥାଟା କହିଦେଇ ମୁହଁ ତଳକୁ କରି ବସିରହିଲେ ପ୍ରତିମା ।

 

ପାର୍ବତୀ ମୁହଁରେ ଏକ ଅନିର୍ବଚନୀୟ ପ୍ରସନ୍ନତା ଦେଖାଇ କହିଲେ–ମୋ ମନକଥା ତମେ କହିଦେଲ ପଣ୍ଡିତାଣୀ । ହେଲେ କହିବାକୁ ସାହସ ହେଉନଥିଲା । ଯେତେହେଲେ ଆମେ ଗରିବ । ତମେ ତ ଜାଣ ସବୁ…

 

–ଏଇଟା କ’ଣ ରହିଥିବ ସବୁଦିନ ନା ଥିଲା ଆଗରୁ ? ଏଇ ଘର ଦିନେ ଘିଅ ଦୁଧରେ ଭାସୁଥିଲା । ଖରାପ ସମୟ ପଡ଼ିଛି । ପୁଣି ଜଗନ୍ନାଥେ ଆଡ଼ ନୟନରେ ଚାହିଁଦେଲେ ସବୁ ଠିକ୍ ହୋଇଯିବ ।

 

ପାର୍ବତୀଙ୍କ ଅନ୍ତର ଭିତରଟା ଉଲୁସି ଉଠୁଥିଲା ନୂଆ କିଛି ପାଇବାର ପୁଲକରେ । ସେ ଗାୟତ୍ରୀକୁ କୋଳ ଉପରକୁ ଟେକିନେଇ କହିଲେ–ମୁଁ ବି ଦେଖୁଥିବି ଆଉ ତୁମେ ବି ଦେଖୁଥିବ । ଦୁହିଁଙ୍କର ହୋଇ ରହିବ ଇଏ ।

 

–ଶଙ୍କରବାପାଙ୍କୁ କୁହ–ସେ ରାଜି ହେଲେ ତ ?–କହିଲେ ପ୍ରତିମା ।

 

–କାହିଁକି ହେବେନି ଯେ…ଗାଁଆର କଳି ଗଛର ଛାଇପରି ଏଇନେ ଅଛି ଏଇନେ ନାହିଁ । ଦିନେ ଦୁଇ ପରିବାର ବନ୍ଧୁ ପରି ଚଳୁଥିଲେ, ଏଇ କେତେବର୍ଷ ହେଲା ମନ ଅମେଳ… ସେସବୁପାଇଁ ଚିନ୍ତା କରନି । ମୁଁ ୟା’ଙ୍କୁ କହିବି । ତା’ପରେ ଠାକୁରଘର କବାଟ ଖୋଲି ମା’ ଭୁବନେଶ୍ଵରୀଙ୍କୁ ପ୍ରଣାମ କରି କହିଲେ ପାର୍ବତୀ–ଏଇ ଶୁଭ ଖବରରେ ପର ଲାଗୁ ମା’…ଫୁଲ ଚନ୍ଦନ ପଡ଼ୁ…ମୋ ମନସ୍କାମନା ପୂର୍ଣ୍ଣ କର ।

 

ପ୍ରତିମା ଉଠୁଥିଲେ । ତାଙ୍କୁ ବସାଇଦେଇ କହିଲେ–ଏଡ଼େ ବେଗି ଚାଲିଯିବ ? ମୋ ମନ ତ ଉଡ଼ୁଛି…ଏଯାଏଁ ପାନ ଖଣ୍ଡେ ଦେଇନି । ତା’ପରେ ପାନ ଭାଙ୍ଗିଲେ ପାର୍ବତୀ । ଦୁଇଖଣ୍ଡ ପାନ ପ୍ରତିମାଙ୍କୁ ବଢ଼େଇଦେଇ କହିଲେ–ଟିକେ ବସିଥାଅ…ମୁଁ ଏଇନେ ଆସୁଛି । ତା’ପରେ ବାଡ଼ିକୁ ଯାଇ ବଡ଼ ପିଜୁଳି ଗଛରୁ ପାଞ୍ଚଟା ପାକଳ ପିଜୁଳି ତୋଳିଆଣି ଗାୟତ୍ରୀକୁ ଦେଇ କହିଲେ–ମୋର ମନେ ନଥିଲା ମା’, ବାରିପଟ ଗଛରେ ପିଜୁଳି ପାକଳ ହୋଇଛି । ନେଇଯା ଏତକ । ଆଉଦିନେ ବେଶୀକରି ତୋଳି ଦେବି ।

 

ଗାୟତ୍ରୀ କହିଲା–ପିଉସୀ, ଆମ ଘରେ ପିଜୁଳି ଗଛ ଅଛି ସତ, କିନ୍ତୁ ଫଳ ଏତେ ସୁଆଦିଆ ନୁହେଁ ।

 

ସେମାନେ ଚାଲିଗଲା ପରେ ଭାଷା ଓ ଉଷା ଦଉଡ଼ିଆସି କହିଲେ–ମାଈଁଙ୍କ ସହିତ ଏତେ ସମୟ ଟୁପୁରୁଟାପୁର କ’ଣ ଗପୁଥିଲୁ କି ମା’ ?

 

ପାର୍ବତୀ କହିଲେ–କିଛି ନଜାଣିବା ପରି ପଚାରୁଛୁ ଯେ, ଶଙ୍କରପାଇଁ ପ୍ରସ୍ତାବ ନେଇ ଆସିଥିଲେ ।

 

–ହେଁ ? ଦୁଇଭଉଣୀ ଗୋଟିଏ ସ୍ଵରରେ କହିଉଠିଲେ ।

 

–ଗାୟତ୍ରୀ କ’ଣ ନାକରା ଦିଶିବ ? ଝିଅମାନଙ୍କୁ ପଚାରିଲେ ପାର୍ବତୀ ।

 

–ନା, ନା, ଭଲ ଝିଅଟାଏ ତ–ହେଲେ ବଡ଼ ଚଞ୍ଚଳୀ…ଏଇଠି ଅଛି ଏଇଠି ନାହିଁ…ଚାହୁଁ ଚାହୁଁ ପିଜୁଳି ଗଛ ଉପରକୁ ଉଠିଯାଏ, କଇଁଫୁଲ ତୋଳିବାପାଇଁ ପୋଖରୀ ଭିତରେ ପହଁରେ ।

 

ହସିପକାଇଲେ ପାର୍ବତୀ । ହଁ, ତାଙ୍କର ଶଙ୍କରପାଇଁ ଏଇମିତି ବୃଦ୍ଧିମତୀ, ଚପଳା, ଉଚ୍ଛୁଳା ଝିଅଟିଏ ଦରକାର । ଶଙ୍କରର କେତେ ସ୍ଵପ୍ନ…କେତେ ଆଶା…ଆଉ ତାହାରିଠାରେ ତ ଏଇ ବଂଶର ସବୁ ଭରସା ।

 

ଭାଷା କହିଲା–ଗାୟତ୍ରୀ ଅନେକ ମନ୍ତ୍ର ଶିଖିଛି ମା’ ।

 

–ଶିଖିବନି ! ବାପା ତା’ର ପଣ୍ଡିତ ! ଆମ ଘରକୁ ଏମିତି ଝିଅ ଲୋଡ଼ା ଲୋ ଭାଷା ।

 

ଏଇ ସମୟରେ ଶଙ୍କର ଗୋଟେ ମାଛଧରି ପହଞ୍ଚିଲା ! ବଡ଼ଭଉଣୀ ଭାଷା କହିଲା–“କୋଉଠୁ ଆଣିଲୁରେ ବାୟା ?’’

 

–ବଡ଼ପୋଖରୀରୁ ମାଛ ଧରୁଥିଲେ । ବରଷା ପାଣି ନୂଆ ପଶିଛି । ୟା’ପରେ ତ ଆଉ ଧରା ପଡ଼ିବେନି । ଏଇଟା ନେଇଆସିଲି ଆଠଅଣାରେ–ସେରେ ହେବ ।

 

ତାଜା ରୋହୀମାଛ ଦେଖି ତା’ ହାତରୁ ଝାମ୍ପିନେଲା ଉଷା । ଦୁଇଭଉଣୀ ଚାଲିଗଲେ ବାରିପଟକୁ ମାଛ କାଟିବାପାଇଁ ।

 

ପୁଅ ମୁଁହକୁ ଚାହିଁ କିନ୍ତୁ ସ୍ତବ୍‍ଧ ହୋଇଗଲେ ପାର୍ବତୀ । କ’ଣ ହେଲା ? ଏଇ କେତେଦିନ ହେଲା ସଦାପ୍ରସନ୍ନ ମୁହଁ ଶୁଖିଲା ଦିଶୁଛି କାହିଁକି ? ମନରେ ସରସତା ନାହିଁ । ଅନ୍ୟମନସ୍କଭାବେ ଯେପରି ସବୁ କରିଯାଉଛି । ପୁଅ ପାଖକୁ ଲାଗିଆସି କହିଲେ ପାର୍ବତୀ–କ’ଣ ହୋଇଛି ତୋର ମତେ କହିବୁନି । ଏମିତି ଉଦାସ ହୋଇ ବୁଲୁଛୁ ଯେ…

 

ଶଙ୍କର କିଛି କହିଲା ନାହିଁ, ବରଂ ମାଆର ସାନ୍ନିଧ୍ୟ ପାଇବାପାଇଁ ଆହୁରି ପାଖକୁ ଲାଗିଗଲା । ପାର୍ବତୀ ବୁଝିଲେ ଏଇ ସ୍ନେହୀ ପୁଅର ମନର ବେଦନା । ଯେତେବେଳେ ଏକାକୀ ହୋଇଯାଏ ଅନ୍ତର ଭିତରେ, ଦୁର୍ବଳ ହୋଇଯାଏ ମନରେ, ସେତେବେଳେ ତାଙ୍କ କୋଳରୁ ଶାନ୍ତି ଓ ସାନ୍ତ୍ଵନା ଆହରଣ କରିବାପାଇଁ ପାଖରେ ଆସି ବସେ କି ଶୁଏ ଶଙ୍କର । ତାକୁ ନିଜ ପାଖକୁ ଟାଣିନେଇ କହିଲେ ପାର୍ବତୀ–ତୋ ମୁହଁ ଶୁଖିଲା ଦିଶୁଛି… ତୋ ଦେହ ବି ଅବସନ୍ନ ମନେହେଉଛି । ଆ’ ଟିକେ ଶୋଇପଡ଼…।

 

ଶଙ୍କର ମା’ କୋଳରେ ମୁହଁ ଗୁଞ୍ଜିଲା–ଶିମିଳିପାଳର ଅଭୟାରଣ୍ୟରେ ବାଘୁଣୀ କୋଳରେ ବାଘଛୁଆ ନିଶ୍ଚିନ୍ତରେ ଶୋଇଯିବାପରି । ପାର୍ବତୀ ଚାହିଁରହିଥିଲେ ପୁଅ ମୁହଁକୁ । ଏଇ ତାଙ୍କର ଭବିଷ୍ୟତ । ଏହାରି ଭବିଷ୍ୟତ ନିର୍ଭର କରୁଛି ଏତେବଡ଼ ସଂସାର ।

 

ମୁହଁରେ ନ କହିଲେ ବି ବିଶ୍ଵନାଥ ପୁଅ ମୁହଁ ଚାହିଁ ଆଶ୍ଵସ୍ତ ହୁଅନ୍ତି । ସାହସ ତାଙ୍କର ବଢ଼ିଯାଏ । ମଝି ନଈରେ ଯିବାବେଳେ ଥକିପଡ଼ୁଥିବା ନାଉରିଆ ହାତରୁ କାତ ନେଇ ତା’ ପୁଅ ଯେତେବେଳେ ଏ ମଙ୍ଗରୁ ସେ ମଙ୍ଗ ଦଉଡ଼େ, ସେତେବେଳର ସେଇ ଅନୁଭବ ପରି ତାଙ୍କର ଅନୁଭବ ବୋଲି ଦିନେ କଥା ଛଳରେ କହିଥିଲେ ବିଶ୍ଵନାଥ । ବୟସ ହେଲାଣି, ଥକିପଡ଼ିବାର ଚିହ୍ନ ଉକୁଟିଉଠୁଛି ମୁହଁରେ । ଆଖି ତଳେ କଳାଦାଗଟା ପ୍ରସରିବାରେ ଲାଗିଛି । ମଥାରୁ କେଶ କମିବାର ଲାଗିଛି; କିନ୍ତୁ ତାହା ଯେପରି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବିଶ୍ଵନାଥ । ଏତେ କାମ ହାତରେ, ବିଶ୍ରାମ କରିବାର ବେଳ କାହିଁ ଯେ…ଆରାମ କରିବା ତାଙ୍କ ଜାତକରେ ନାହିଁ । ପୁଅଟା ଯଦି ପାରଙ୍ଗମ ହୁଏ ତେବେ ହୁଏତ କ’ଣ ହୋଇପାରେ ।

 

ଘର ଭିତରକୁ ପଶିଆସି ଗୋଟେ ଶୁଭ ଖବର ଦେଲା ବିଶ୍ଵନାଥ–ଫୌଜଦାରୀ କେସରେ ଜୟ ହୋଇଛି । ଠାକୁରାଣୀଶାଳ ଜମି ଛାଡ଼ିଦେବାପାଇଁ ରାୟ ଦେଇଛନ୍ତି ଜଜ୍ ସାହେବ ।

 

–କିଏ କହିଲା ?

 

–ଦିବାକର ଯାଇଥିଲେ ବାରିପଦା–ଶୁଣି ଆସିଲେ ।

 

–ତମେ କ’ଣ ତାରିଖ ଭୁଲିଯାଇଥିଲ ?

 

ନା, ନା, କାହିଁକି କେଜାଣି ଭୟ ଲାଗୁଥିଲା ହାରିଯିବି ବୋଲି । ଅର୍ଥବଳ ତ ମୋର ନାହିଁ-। ଧର୍ମବଳକୁ ଭରସା କରି ଚାଲିଛି । ସେଥିପାଇଁ ଦିବାକରଙ୍କୁ ପଠେଇଥିଲି । ସେ ରାୟ ଶୁଣି ଆଉ ମୁହୂର୍ତ୍ତେ ଅପେକ୍ଷା ନକରି ଚାଲିଆସିଲେ ।

 

ପାର୍ବତୀଙ୍କର ଦୁଇହାତ ଆପେ ଆପେ ଯୋଡ଼ିହୋଇଗଲା ସେଇ ସତ୍ୟ ଓ ଧର୍ମର ନିୟନ୍ତାଙ୍କ ଉଦ୍ଦେଶ୍ୟରେ ।

 

ଚକ୍ରଧର ମୋକଦ୍ଦମାରେ ହାରିଯାଇଥିବା ଖବରଟା ଦିବାକର ଗାଁରେ ପହଞ୍ଚିବା ଆଗରୁ କିପରି ପହଞ୍ଚିସାରିଥିଲା ତାହା ଆଦୌ ବୁଝିପାରିଲେ ନାହିଁ ବିଶ୍ଵନାଥ । ଅବଶ୍ୟ ଏହା ଥିଲା ଜଜ୍‍ସାହେବଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ । ସେ ରାୟରେ ଆହୁରି ବି ଉଲ୍ଲେଖ କରିଥିଲେ ଯେ ଜମି ଉପରେ ସତ୍ତ୍ଵ ଥିବାର ପ୍ରମାଣ ଦେଇପାରିନାହିଁ ଚକ୍ରଧର । ଯଦି ହିନ୍ଦୁ ଆଇନ୍ ଅନୁସାରେ ସମ୍ପତ୍ତି ଉପରେ ତା’ର ତାହା କୌଣସି ଭାଗ ଥାଏ, ତେବେ ସେ ଦେଓ୍ଵାନୀ ମୋକଦ୍ଦମା କରିପାରେ-। ସମ୍ପତ୍ତି ଉପରେ ସେପରି ଅଧିକାର ସାବ୍ୟସ୍ତ ନକରି, ଦୀର୍ଘଦିନ ବିଶ୍ଵନାଥଙ୍କ ଦଖଲରେ ଥିବା ଜମି ଜବରଦଖଲ କରି ଶାନ୍ତି ଭଙ୍ଗ କରିଥିବାରୁ ପ୍ରତିପକ୍ଷକୁ ସାବଧାନ କରିଦେଇଥିଲେ ଜଜ୍‍ସାହେବ-। ଆଇନ୍ ଅନୁସାରେ କାର୍ଯ୍ୟ ନକରି ଯିଏ ହାତକୁ ନିଏ ତା’ ବିରୁଦ୍ଧରେ ଶାସନଦଣ୍ଡ ଚିରକାଳ ଲାଗୁହୁଏ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ ଜଜ୍ ସାହେବ ।

 

ଶଙ୍କର ଉଠି ବସିଥିଲା ସେତେବେଳକୁ । ଉଦ୍‍ବିଗ୍ନ ହୋଇ ବିଶ୍ଵନାଥ କହିଲେ–ଅବେଳରେ ଶୋଇଛୁ ଯେ ? ଦେହ ଭଲ ଅଛି ତ ?

 

ଥକିଯାଇଥିଲା ବୋଲି ମୋ ପାଖରେ ଶୋଇପଡ଼ିଥିଲା ଟିକେ…ପୁଅର ପକ୍ଷ ନେଇ ଉତ୍ତର ଦେଲେ ପାର୍ବତୀ ।

 

ଦାଣ୍ଡରୁ ହୁରି ଶୁଭିଲା । ଚକ୍ରଧର, ସାଧୁ ମିଶ୍ର, ହୁରୁଷୀ ମନ୍ଦିର ଆଗରେ ଛିଡ଼ାହୋଇ ଉଚ୍ଚ ପାଟିରେ ତୁମ୍ଵିତୋଫାନ କରୁଥିଲେ । ସାଧୁ ମିଶ୍ରେ ଛାତିରେ ହାତ ପିଟି କହୁଥିବାର କାନରେ ପଡ଼ିଲା–ଏକା ମାଘରେ ଶୀତ ଯାଏନି ହେ ଚକ୍ରଧର ! ପୁଅକୁ ଏମିତି ପାନେ ଦେବି ଯେ ବଞ୍ଚିଥିବା ଯାଏଁ ମନେ ରଖିଥିବ । ତମେ ଏଇ ଗୋଟେ ମୋକଦ୍ଦମାରେ ହାରିଗଲ ବୋଲି ମନମାରି ବସିଛ…ଆହୁରି ଦଶଟା ମୋକଦ୍ଦମା ଦାଏର ହେବ । କେତେ ଲଢ଼ିବ ଲଢ଼ୁଥାଉ ।

 

ତା’ପରେ ଖତେଇ ହେଲାପରି ହୋ ହୋ ହସିଉଠିଲା ହୁରୁଷୀ ଏବଂ ତା’ ସହିତ ଅନ୍ୟମାନେ । ସେଇ ହସର ଲହରି ଲଗାମ୍‍ଛଡ଼ା ପବନ କବାଟ ଉପରେ ଆସି ପଡ଼ିଲା । ଶଙ୍କର ବାହାରି ପଡ଼ିଲା ବେଳକୁ ତାକୁ ରୋକିନେଇ କହିଲେ ବିଶ୍ଵନାଥ–ସେମାନେ ଯାହା କହିବେ କୁହନ୍ତୁ…ତାତିଲା ପାଣିରେ ଘର ପୋଡ଼େ ନାହିଁ ।

 

ଏହି ସମୟରେ କାହାଠାରୁ ଖବର ପାଇଲା କେଜାଣି ବାଜାବାଲା ଗଉରା ବାଜାବଜେଇ ବଜେଇ ବ୍ରାହ୍ମଣ ସାହି ଦାଣ୍ଡ ମଝିରେ ଆସି ପହଞ୍ଚିଲା । ତା’ ପଛେପଛେ ଗିନି ବଜେଇ ଚାଲିଥିଲେ ସୁର ସେନାପତି ଆଉ ତା’ ଦଳ । ମୃଦଙ୍ଗ ବଜାଉଥିଲା ମହନି କଲିଆର ବଡ଼ପୁଅ ପୁରସ୍ତମ ।

 

କ’ଣ ହେଲା ବେ ଗଉରା । ଶଳା, ଶାସନ ଭିତରକୁ ବୀର ବିକ୍ରମରେ ପଶିଆସୁଛୁ ? ଅନୁମତି ନେଇଥିଲୁ ? –ହାଙ୍କିଲା ହୁରୁଷୀ ।

 

ଗଉରା କହିବା ଆଗରୁ ସୁର ସେନାପତି କହିଲା–ଗୋଟେ ଭଲ ଖବର ଶୁଣି ଗଉରା ଟିକିଏ ମନ ଖୁସି କରିବାପାଇଁ ବାହାରିଛି ନନା ଆଉ ଆମେ ବି ଘରେ ଚୁପ୍ ହୋଇ ନବସି ବାହାରିଛୁ ବିଶ୍ଵନାଥଙ୍କ ଘରୁ ପଣା ପିଇବାପାଇଁ । ତା’ପରେ ସୁର ଦେଲା ସୁରର ଭାଇ ନରି–

 

ଜୟ ଜୟ ଜୟ ଜୟ ଗୋବିନ୍ଦ ଜୟ

ଜୟ ଜୟ ଜୟ ଜୟ ଧର୍ମର ଜୟ ।

 

ହୁରୁଷୀ ତା’ ଆଡ଼କୁ ଚିହିଁକିଯାଉଥିଲା, କିନ୍ତୁ ସାବଧାନ କରିଦେଇ କହିଲା ସୁର–ଏ ଦାଣ୍ଡରେ ବିଲେଇମାନେ କଳିକରିପାରିବେ, କୁକୁରମାନେ ଭୁକିପାରିବେ, ଆଉ ଗଉରା ବାଜା ବଜେଇ ପାରିବନାହିଁ, ଆମେ କୀର୍ତ୍ତନ କରିପାରିବୁନାହିଁ ?

 

ସାଧୁ ମିଶ୍ରେ ସେତେବେଳକୁ ବୁଝିଗଲେଣି ଏ ବିଜୟଗୀତ କାହାପାଇଁ, ଗଉରା ବାଜା ବଜାଉଥିଲା କେଉଁ ଖୁସିରେ । ସମୟ ବଦଳୁଥିବା ଲକ୍ଷ୍ୟକରି ଆଉ ସେଠାରେ ନରହି ଫେରିଯିବାବେଳେ ବଡ଼ପାଟିରେ କହିଲେ ସାଧୁ ମିଶ୍ରେ–ହଉବେ ଗଉରା ଏକା ମାଘରେ ଶୀତ ଯାଏନି । ଆଉ ଦିନେ ବୁଝିବୁ । ସେଦିନ ଏ ନିଶା ଛାଡ଼ିଯାଇଥିବ । ତୁ ଶଳା ଗଡ଼ି ଗଡ଼ି ମରିଗଲେ ବି ଧାନ ପାଏ ଦେବିନି । ଆରେ ! ଖାଇବୁ ମୋର… ଆଉ ଗୁଣ ଗାଇବୁ ଆଉ କାହାର ?

 

ଗଉରା ଜୋରରେ ବାଜା ବଜାଇ ନାଚିବାକୁ ଲାଗିଲା । ସତ୍ୟର ଜୟ, ଧର୍ମର ଜୟ…ଗିନିର ତାଳେତାଳେ କହୁଥିଲା ସୁର ସେନାପତି ।

 

[ ୧୬ ]

 

ବିପ୍ଲବର ବାର୍ତ୍ତା ପ୍ରସାରିତ ହେଉଛି । ସ୍ଵାଧୀନତା ସଂଗ୍ରାମର ଝଙ୍କାର ପାହାଡ଼ ପର୍ବତ ଡେଇଁ ନଦୀ ନାଳ ପାରହୋଇ ହଠାତ୍ ଦିନେ ଆସି ପହଞ୍ଚିଗଲା ଉପରଭାଗ ପ୍ରଗଣାରେ ରାତି ଅଧରେ ।

 

ଆଗୁଆ ରଣକ୍ଷେତ୍ରରେ ଲଢ଼ୁଥିବା ଗୋରା ସୈନିକଙ୍କପାଇଁ ଟ୍ରକରେ ଛେଳି, କୁକୁଡ଼ା, ମେଣ୍ଢା, ଘୁଷୁରି ଚାଲଣ କରନ୍ତି ଦାଉଦ ସାହେବ । ଛେଳି, ମେଣ୍ଢା ବୋହି ପ୍ରାୟ ପ୍ରତିଦିନ ରାତିରେ ଯାଉଥିବା ଏଇ ଟ୍ରକ୍‍ଗୁଡ଼ାକରେ ଯେ ସୈନିକମାନଙ୍କପାଇଁ ରସଦ ଯାଏ ଏହା କେହି ଜାଣିନଥିଲେ ଆଗରୁ । ଦିନେ ରାତିରେ ଗୋଟେ ଟ୍ରକ୍ କପ୍ତିପଦାରୁ ମାଲ୍‍ ନେଇ କଲେଇକୁଣ୍ଡା ଯିବା ବାଟରେ ଅଚଳ ହୋଇଗଲା ବୁଢ଼ାମରା ପାଖରେ । ସକାଳେ ସେହି ଟ୍ରକ୍‍ ଦେଖି ଗାଁବାଲା ରୁଣ୍ଡ ହେଲେ । କ୍ଲିନର୍‍କୁ ଟ୍ରକ୍‍ ପାଖରେ ଜଗୁଆଳି ରଖି ଡ୍ରାଇଭର୍‍ ଗୋଟେ ସାଇକେଲ୍‍ ନେଇ ପାହାନ୍ତାରୁ ଚାଲିଯାଇଥିଲା ବାରିପଦା । ପାଖରେ ସେପରି କୌଣସି ଦୋକାନବଜାର ନଥିଲା । ମୋଟର ମେକାନିକ୍ ବା ଯନ୍ତ୍ରପାତି ମଧ୍ୟ ନଥିଲା । ବାରିପଦା ଯିବା ଛଡ଼ା ଅନ୍ୟ ଉପାୟ ନଥିଲା । କ୍ଲିନର୍ ବି ଜଳଖିଆ ଖାଇବାପାଇଁ ଗାଁ ଭିତରେ ପଶିଥିଲା । ଏଣେ ଟ୍ରକ୍‍ ରେ କେହି ନଥିବାବେଳେ ପଛର ଜାଲି କାଟି କୁକୁଡ଼ା, ଛେଳି, ମେଣ୍ଢା ଚୋରି କରିବାକୁ କେତେଜଣ ବାହାରିଥିଲେ । ଏଇ ସମୟରେ ମଥାରେ ପଗଡ଼ି, ମୁହଁରେ ଦାଢ଼ି, କୁସ୍ତି କଲାଭଳି ଅଣ୍ଟାରେ ଲୁଗାକୁ ଭିଡ଼ିଦେଇ ଛ’ଫୁଟିଆ ଜଣେ ଲୋକ ହୁଙ୍କାର ଦେଇ କହିଲା–କ୍ଲିନର୍‍ ତମ ଗାଁକୁ ଯାଇଛି ଜଳଖିଆ ଖାଇବାପାଇଁ, ଆଉ ଏଇ ମଉକାରେ ତମେ ସବୁ ତା’ ଉପରେ ଦାଉ ସାଧୁଛ ? ଏସବୁ ତମେ ଚୋରିକରି ନେଇଗଲେ ଯେ ଶୂଳିରେ ଚଢ଼ିବ । ଇଂରେଜ ସରକାର ଛାଡ଼ିବ ନାହିଁ । ଆଉ ଦାଉଦ ମିଆଁକୁ ଚିହ୍ନିନ ତମେମାନେ ?

 

ଇଂରେଜ ସରକାରଙ୍କ ନାମ ଶୁଣିନଥିଲେ ସେମାନେ । ଗୋରା ସାହେବ କେତେଜଣଙ୍କୁ ଦେଖି ଅବାକ୍ ହୋଇଯାଇଥିଲେ ଏବଂ ମନରେ ପ୍ରତ୍ୟୟ ଜନ୍ମିଯାଇଥିଲା ଯେ ଏମିତି ନହେଲେ ଦରିଆ ସେପାଖରୁ ଆସି ଏତେବଡ଼ ମୁଲକକୁ ଶାସନ କରିପାରନ୍ତେ ! କିନ୍ତୁ ସ୍ଵ-ଚକ୍ଷୁରେ ଗୋରା ଶାସକକୁ ଦେଖିନଥିଲେ ।

 

ସେଇ ପଗଡ଼ିପିନ୍ଧା ଦାଢ଼ିବାଲା ସର୍ଦ୍ଦାର ହାତରେ ଗୋଟେ ବଡ଼ ଲାଠିଥିଲା । ଗାଁବାଲା ତା’ ମୁହଁକୁ ଚାହିଁ ଥମ୍‍କି ଛିଡ଼ାହୋଇଗଲେ । ଆଉ ସାହସ କୁଳାଇଲାନାହିଁ ଟ୍ରକ୍‍ ଭିତରେ ପଶିବାପାଇଁ । ଏଇ ସମୟରେ କ୍ଲିନର୍ ବି ଆସି ପହଞ୍ଚିଗଲା । ଛିନ୍‍ଛତ୍ର ହୋଇ ପଳାଇବାକୁ ଲାଗିଲେ ଗାଁବାଲା ।

 

ଅଠର ଉଣେଇଷ ବର୍ଷର ଟୋକାଟିଏ ଗୁଣୁଗୁଣୁ କରି ଗାଉଥିଲା ବିପ୍ଲବୀ କବିଙ୍କର ଅମର ସଙ୍ଗୀତ ।

 

ସେଇ ପଗଡ଼ିପିନ୍ଧା ଦାଢ଼ିବାଲା ସର୍ଦ୍ଦାର କହିଲା–ଭଲ ଗୀତ ଗାଉଛୁ ତ… କ’ଣ ପଢ଼ୁଛୁ-?

 

–ପଢ଼ୁଥିଲି । –ପିଲାଟି କହିଲା ।

 

–ଛାଡ଼ିଦେଲୁ ?

 

–ହଁ, ବାପା ପଇସା ଦେଇପାରିଲେ ନାହଁ । ତେବେ ଘରେ ପଢ଼େ । ପୁରାଣ ସବୁ ପଢ଼ିସାରିଛି ।

 

–ହଉ, ପାରିବୁ ପଢ଼ିବୁ । ଶିକ୍ଷାରୁ ସଚେତନା ଆସେ…ଆଉ ସଚେତନାରୁ ଆସେ ସ୍ଵାଧୀନତା ।

 

ପଗଡ଼ିବାଲା ସର୍ଦ୍ଦାର ପିଲାର ପିଠି ଥାପୁଡ଼ାଇ ଦେଇ କହିଲେ–ତୁ ଏବେ ଗାଉଥିବା ଗୀତଟି କାହାଠୁ ଶିଖିଲୁ ? ଏ ମନ୍ତ୍ର ତୋତେ ଦେଲା କିଏ ?

 

ପିଲାଟି ସତର୍କ ହୋଇଗଲାପରି ଜଣାପଡ଼ିଲା । ସେ ସଙ୍କିତ ହୋଇ କହିଲା–ନା ଏମିତି ମନେରହି ଯାଇଥିଲା ଜଣେ କବିଙ୍କ ରଚନାରୁ ଦି’ପଦ…

 

–ନା, ନା, ତା’ ନୁହେଁ । ମୋତେ ଭୟ କରନା ମୁଁ ବି ଏ ଦେଶର ଲୋକ…ତୋ ଭାଇବିରାଦର ମନେକର ।

 

–ଏହା କହି ତା’ ପିଠି ଆଉଁସିବାରେ ଲାଗିଲା ସର୍ଦ୍ଦାର ଜୀ । ପିଲାଟି ସାହସ ପାଇଲା ଯେପରି ।

 

–ତୋ ନାଁ କ’ଣ ?

 

–ଅଭିମନ୍ୟୁ ପୁଟି ।

 

–ବାପା କ’ଣ କରନ୍ତି ?

 

–ପାଇଟି କରି ଚଳନ୍ତି । ଜମି ଖଣ୍ଡେ ଅଛି । ଚାଷ ବି କରନ୍ତି ।

 

ସର୍ଦ୍ଦାର ଜୀ ତା’ କାନପାଖରେ ଫିସ୍‍ଫିସ୍ କରି କହିଲେ–ମଧୁପଣ୍ଡିତଙ୍କୁ ଚିହ୍ନୁ ?

 

ସେଇ ନାମ ଶୁଣି ସଚେତନ ହୋଇଉଠିଲା ଅଭିମନ୍ୟୁ । ତା’ର ମୁହଁ ଉପରେ ଫୁଟିଉଠିଲା ଅଦମନୀୟ ପ୍ରସନ୍ନତା ।

 

–ହଁ…ସେ ଆଉ ମିଛ କହିପାରିଲା ନାହିଁ ।

 

–କେବେ ଦେଖିଥିଲୁ ?

 

–ଆସିଥିଲେ ଆମ ଗାଁକୁ । ଠାକୁରାଣୀ ପାହାଡ଼ ଉପରେ ଥିଲେ ଦି’ ଦିନ । ମୁଁ ସାଙ୍ଗରେ ଥିଲି ।

 

ତା’ ମଥା ଉପରେ ହାତରଖି କହିଲେ ସର୍ଦ୍ଦାର ଜୀ–ଏତେ ଶୀଘ୍ର ମୋତେ ଭୁଲିଗଲୁ ଅଭିମନ୍ୟୁ ? ଅଭିମନ୍ୟୁ ଚମକିପଡ଼ିଲା ସେଇ ପରିଚିତ ଗମ୍ଭୀର ସ୍ଵର ଶୁଣି । ସେ ହଠାତ୍ ନଇଁପଡ଼ି ତାଙ୍କର ପାଦଧୂଳି ନେଇ କହିଲା–ଆପଣଙ୍କୁ ତ ଆଦୌ ଚିହ୍ନିହେଉନି…ଏମିତି ପୋଷାକ…ଏତେ ଦାଢ଼ି…ଏଇ ପଗଡ଼ି…

 

ହୋ–ହୋ କରି ହସିଉଠିଲେ ମଧୁ ପଣ୍ଡିତେ । ତାକୁ ଆଉ ଟିକେ ଦୂରକୁ ଡାକିନେଇ କହିଲେ–ତୁ ନଜର ରଖିଥା ଏଇ ଟ୍ରକ୍ ଉପରେ…କ୍ଲିନର୍‍କୁ ମୁଁ ପଠେଇଦେବି ଅନ୍ୟଆଡ଼େ । ଦାଉଦ ମିଆଁର ଛେଳି, ମେଣ୍ଢା, କୁକୁଡ଼ା ଘୁଷୁରୀ ସବୁ ଛାଡ଼ିଦେବି ଏଇନେ । ଟ୍ରକ୍‍ର ଇଞ୍ଜିନ୍ ଆଉ ଚାଲିବା ଅବସ୍ଥାରେ ନାହିଁ । ପୁଲିସ ପହଞ୍ଚିବା ଆଗରୁ ସବୁ ଶେଷ ହୁଏ ଯେପରି । ଏଠାରେ ଲୋକମାନେ ଖାଇବାକୁ ନପାଇ ଅନ୍ନଛତ୍ର ଖୋଜୁଚନ୍ତି…ଆଉ ଦାଉଦ ମିଆଁ ଏସବୁ ଅଳ୍ପ ଦାମ୍‍ ରେ କିଣି ଛାଉଣୀକୁ ଚାଲାଣ କରୁଛି । କଲିକତାର ଖବର ବଡ଼ ଭୟାନକରେ ଅଭିମନ୍ୟୁ । ଖାଇବାକୁ ନପାଇ ଶହ ଶହ ଲୋକ ମରୁଛନ୍ତି ପ୍ରତିଦିନ । ଦୁର୍ଭିକ୍ଷ ଆମ ଅଞ୍ଚଳକୁ ଆସିବାପରି ଅବସ୍ଥା ହେଲାଣି । ଏ ବର୍ଷ ବର୍ଷା ନାହିଁ । ରୁଆ ବିହୁଡ଼ା ହୋଇନି ଆଜିଯାଏ । ଆଉ ଦୁଇତିନିମାସ ପରେ ଅବସ୍ଥା ଅସମ୍ଭାଳ ହେବ ।

 

କ୍ଲିନର୍‍କୁ ଫେରିଆସୁଥିବା ଦେଖି କହିଲେ ସର୍ଦ୍ଦାର ଜୀ–ମୁଁ ଟ୍ରକ୍‍ ଜଗିଛି…ତୁ ଯା’ ଭାଇ…ବାହଡ଼ାଗୋଡ଼ା ଚାଲି ଯା’ ଗୋଟେ ସାଇକେଲ୍ ନେଇ । ସେଠାରେ ଯନ୍ତ୍ରପାତି ମିଳିବ । ମିସ୍ତ୍ରୀ ବି ମିଳିବେ । ଡ୍ରାଇଭର୍‍ ତ ଫେରିଲାନାହିଁ ଏଯାଏ । ଦୁଇଆଡ଼ୁ ଚେଷ୍ଟା ହେଉ ।

 

କ୍ଲିନର୍‍ ମନକୁ ପାଇଲା କଥାଟା । କିନ୍ତୁ ବିଶ୍ଵାସ ହେଉ ନଥାଏ ଦାଢ଼ିବାଲାକୁ । ସର୍ଦ୍ଦାର ଜୀ କହିଲେ–ମୁଁ ଖଡ଼ଗପୁର ଯିବି । ମୋ ରିସ୍ତେଦାର ସେଇଠି ରହନ୍ତି । ରେଳବାଇରେ କାମ କରନ୍ତି-। ଏ ବିପଦରେ ମୁଁ ତମର ସାଥୀ । ଟ୍ରକ୍‍ ଠିକ୍‍ ହେଲେ ତମ ସହିତ ଏଇ ଟ୍ରକ୍‍ ରେ ଖଡ଼ଗପୁର ଚାଲିଯିବି ।

 

କ୍ଲିନର୍‍ର ଏବେ ବିଶ୍ଵାସ ହେଲା ତାଙ୍କ କଥାରେ । ସେ ତାଙ୍କ ଜିମା ଟ୍ରକ୍ ଆଉ ମାଲ୍ ଚାଲିଗଲା ବାହଡ଼ାଗୋଡ଼ା ଗାଁକୁ ଗୋଟେ ସାଇକେଲ୍‍ ଭଡ଼ାରେ ନେଇ ।

 

ଏହାର ଅଳ୍ପ ସମୟ ପରେ ଛେଳି, ମେଣ୍ଢା, କୁକୁଡ଼ା, ଘୁଷୁରି ସବୁ ମୁକ୍ତ କରିଦେଲେ ସର୍ଦ୍ଦାର ଜୀ । ଲୋକମାନେ ଅଭିଭୂତ ହୋଇ ଦେଖୁଥିଲେ ଏ ଦୃଶ୍ୟ ଟିକେ ଦୂରରୁ । ମାତ୍ର ପାଖକୁ ଆସିବା ପାଇଁ ସାହସ ହେଉନଥିଲା ।

 

ଖରାଦିନେ ବଣ ନିଆଁ ଚରିଯିବାପରି ମୁହଁରୁ ମୁହଁ କଥା ରଟିଗଲା ଚାରିଦିଗରେ । ବୁଢ଼ାମରା, ଉଦାଳୀ, ମାଝି ସାହି, ମୁଣ୍ଢାକଟାର ଲୋକମାନେ ଖବର ପାଇ ପହଞ୍ଚିଗଲେ ଅଳ୍ପ ସମୟ ଭିତରେ । ଏଇ ସୁଯୋଗରେ ଅଭିମନ୍ୟୁକୁ ସାଙ୍ଗରେ ନେଇ ସେଠାରୁ ଖସିଗଲେ ମଧୁ ପଣ୍ଡିତେ ।

 

ଦାଉଦ ମିଆଁର ଦେଶଦ୍ରୋହୀ କାର୍ଯ୍ୟର ସୁରାକ୍‍ ସେ ଆଗରୁ ପାଇଥିଲେ; କିନ୍ତୁ ନିଶ୍ଚିତ ହୋଇନଥିଲେ ସେଥିରେ । ଏବେ ସିରାଜ ଖାଁ ଖଡ଼ଗପୁରରୁ ଆସି ତାଙ୍କୁ ଯାହା କହିଲା ସେକଥା ସେ ଭୁଲିନାହାଁନ୍ତି । ଗୋରା ସେନାଛାଉଣୀକୁ ଖାଲି ରସଦ ଚାଲାଣ କରୁନି ଦାଉଦ ମିଆଁ, ଗରିବ ନିରୀହ ଆଦିବାସୀ ଝିଅମାନଙ୍କୁ ବି ଚାଲାଣ କରୁଛି କାମ ଦେବାର ଲୋଭ ଦେଖାଇ । ଶ୍ରାବଣ ଶେଷହେଲାଣି, ବିଲରେ ପାଣି ନାହିଁ । ସବୁଜ ଧାନ କିଆରୀ ଜଳିଗଲାଣି ଖରାରେ । ତିରୋଟ ସମୟ । କାମଧନ୍ଦା ନାହିଁ । ହାତଗୋଡ଼ ଜାକି କେତେଦିନ ବା ବସି ରହିବେ ଲୋକେ । ବଣର ଫଳମୂଳ ବି ସରି ଆସିଲାଣି । ଏ ମୁଲକ ଯାକର ଲୋକଙ୍କ ପେଟ ତ ପୂରିବନି ସେଥିରେ !

 

ମଧୁ ପଣ୍ଡିତେ ଅଭିମନ୍ୟୁକୁ ନେଇ ଚାଲିଗଲେ ଷ୍ଟେସନ୍ । ଗାଡ଼ି ଆସିବା ସମୟ । ଏଠାରେ ଆଉ ବେଶୀ ସମୟ ଅପେକ୍ଷା ନକରି ସେ ଚାଲିଯିବେ ବାଙ୍ଗିରିପୋଷି । ଶଙ୍କରକୁ ଆଗରୁ ଖବର ଦେଇଥିଲେ ଗାଡ଼ିରେ ଉଠିବାପାଇଁ । ବାଙ୍ଗିରିପୋଷି ଘାଟି ଦେଇ ଯାନବାହନ ଚଳାଚଳ କରେ । ଟାଟାନଗର୍ ସହିତ ଏଇ ସଂଯୋଗପଥ ଦେଇ ବଡ଼ ବଡ଼ ମାଲ୍‍ ବୋଝେଇ ମିଲିଟାରୀ ଲରି, ସୈନ୍ୟ ଭିର୍ତ୍ତି ଗାଡ଼ି ଏଇ ଘାଟି ବାଟ ଦେଇ ଯିବା ଆସିବା କରେ । ଶିର୍ଷା ପାଖର ଖରାଦିନିଆ ରାସ୍ତା କୋଉଦିନୁ ବନ୍ଦ ହୋଇଗଲାଣି ।

 

କିନ୍ତୁ ଷ୍ଟେସନରେ ପହଞ୍ଚି ଆଉ ଏକ ଅଚାନକ ବିପଦର ସମ୍ମୁଖୀନ ହେଲେ ମଧୁ ପଣ୍ଡିତେ । ଦାଉଦ ସାହେବ ଦଳବଳ ନେଇ ଷ୍ଟେସନରେ ଅପେକ୍ଷା କରିଥିଲେ । ସେ ଛଦ୍ମବେଶରେ ଥିଲେ ବୋଲି କେହି ତାଙ୍କୁ ଚିହ୍ନିବାର ଉପାୟ ନଥିଲା–ଏପରିକି ଚାନ୍ଦାରାଓ ମଧ୍ୟ ଜାଣିପାରିଲେ ନାହିଁ ସେ କିଏ । ଟିକଟ ନେବାବେଳେ ସଙ୍କେତ ଚିହ୍ନ ଚାନ୍ଦାରାଓଙ୍କୁ ଦେଖାଇଲେ ସର୍ଦ୍ଦାର ଜୀ । ଓଠ ଉପରେ ମଧୁର ହସ ଖେଳାଇ ତାଙ୍କୁ ସ୍ଵାଗତ କଲେ ଚାନ୍ଦାରାଓ ।

 

ଆଖିରେ, ଓଠରେ ଏତେ କଥା ଥାଏ ବୋଲି କିଏ ଜାଣିଥିଲା ? ଚାନ୍ଦାରାଓ ପୁଲକିତ ହେଲେ । ସମୟ ଭଲ ନୁହେଁ । ତାଙ୍କ ଭାଗ୍ୟ ମଧ୍ୟ ସୂତା ଖିଅରେ ଝୁଲୁଛି । କେତେବେଳେ ଯଦି କେହି ଟେର୍‍ ପାଏ ତାଙ୍କ ସହିତ ବିପ୍ଲବୀମାନଙ୍କର ସଂପର୍କ ନେଇ ତେବେ ଚାକିରିଟା ଚାଲିଯିବ ଅକ୍ଲେଶରେ । ଯାଉ, ସେଥିପାଇଁ ଚିନ୍ତା ନାହିଁ । ଚିନ୍ତା କେବଳ ମା’ ପାଇଁ, ମାଳିନୀ ପାଇଁ । ମାଳିନୀର ବାହାଘର କରି ହାତ ଖାଲି କରିବା ମାଅଙ୍କର ଇଚ୍ଛା; କିନ୍ତୁ ଏଇ ପନ୍ଦର ବରଷର ଝିଅ ବାହାହେଲେ କ’ଣ ଶିଖିବ, ଜାଣିବ ? ପଢ଼ିବାପାଇଁ ଏତେ ଅଛି, ଜାଣିବା ଶିଖିବାପାଇଁ ଜଗତ ପଡ଼ିଛି ।

 

ଟିକଟ ନେଇ ପ୍ଲାଟ୍‍ଫର୍ମରେ ଘେରାଏ ବୁଲି ଆସିଲେ ସର୍ଦ୍ଦାର ଜୀ । ଗାଁର ଗରିବ ଲୋକ-। ଅଠର ପଇସା ଦେଇ ଟିକଟ କାଟି ବୁଢ଼ାମରାରୁ ବାରିପଦା ଯିବା ସହଜ ନୁହେଁ ।

 

ଟ୍ରେନ୍ ଆସିବାପାଇଁ ଆହୁରି ଟିକେ ଡେରି ଅଛି । ଠାକୁରାଣୀଶାଳ ଆଡ଼ୁ ଦୁଇଜଣ ଧଇଁସଇଁ ହୋଇ ଆସୁଥିବାର ଦେଖାଯାଉଛି । ସମୟ ହୋଇଗଲାଣି । ଗାଡ଼ି ଆସୁଥିବା ଶବ୍ଦ ଶୁଣାଯାଉଛି । ଆକାଶରେ ପ୍ରସାରିତ ହେଉଛି ଧୁଆଁର କୁଣ୍ଡଳୀ । ଖଡ଼ିଆଶୋଳ, କେନ୍ଦୁଡ଼ିହା, କୋଉଲିସ୍ମତାର ଅସମର୍ଥ, ଅଜ୍ଞ ଲୋକମାନଙ୍କର ନିଷ୍ପ୍ରଭ ପ୍ରାଣରେ ଟିକେ ଆଶା ଓ ବିଶ୍ଵାସ ସଞ୍ଚାର କରିପାରିଲେ କେତେ ବଡ଼ କାମ ହୁଅନ୍ତା । ଶିକ୍ଷା-ଶିକ୍ଷାର ପ୍ରସାରଦ୍ଵାରା ଏସବୁ କରାଯାଇପାରିବ; କିନ୍ତୁ ସେ କାମ କରିବ କିଏ ? ଏତେ ତ୍ୟାଗ କରିବାପାଇଁ ଲୋକ ମିଳିବେ କେଉଁଠୁ ?

 

ଟ୍ରେନ୍ ଆସିଲା ଭୂମି ଦୁଲୁକାଇ ଗାର୍ଡ଼ବାବୁ ଚମକୁଥିବା ଧଳା ପୋଷାକ, ମଥାରେ ଟୋପି, ହାତରେ ନାଲି, ନେଳି ପତକା ଧରି ଓହ୍ଲେଇପଡ଼ିଲେ ଟ୍ରେନ୍‍ରୁ । ଚିହ୍ନା ଚିହ୍ନା ଲାଗିବାରୁ ଆଉ ଟ୍ରେନ୍ଆଡ଼େ ନଆସି ଇଞ୍ଜିନ୍ଆଡ଼େ ଚାଲିଲେ ସର୍ଦ୍ଦାର ଜୀ । ଯେକୌଣସି ଡବାରେ ବସିଗଲେ ଚଳିବ; କିନ୍ତୁ ପ୍ରଥମଶ୍ରେଣୀ ଡବା ପାରହେବା ବେଳେ ତାଙ୍କୁ ଦେଖି ଡବା ଭିତରୁ ଓହ୍ଲେଇ ପଡ଼ିଲେ ସାଦା ପୋଷାକଧାରୀ ହୁଇଜଣ ପୋଲିସ୍‍ କର୍ମଚାରୀ । କିଛି ନ ଜାଣିବା ପରି ସର୍ଦ୍ଦାରଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲେ ।

 

ମଧୁ ପଣ୍ଡିତେ ସାମନାରେ ବିପଦ ଦେଖି ସାବଧାନ ହୋଇଗଲେ; କିନ୍ତୁ ଏମାନଙ୍କ କବଳରୁ ରକ୍ଷା ପାଇବାର ଉପାୟ କ’ଣ ? ଗାଡ଼ି ତୁରୀ ବଜାଇ ଛାଡ଼ିଲା । ସର୍ଦ୍ଦାର ଜୀ ତରତର ହୋଇ ଉଠିଗଲେ ଡବା ଭିତରକୁ । ତା’ପାଖ ଡବାରେ ଉଠିଲେ ସେଇ ଦୁଇଜଣ ଛଦ୍ମବେଶୀ ପୁଲିସ୍‍ କର୍ମଚାରୀ । ଚାନ୍ଦାରାଓ ପତାକା ହଲାଉଥିଲେ । ହାତ ହଲାଇ ବିଦାୟ ନେଲେ ସର୍ଦ୍ଦାର ଜୀ । ଟ୍ରେନ୍ ଗତି ବଢ଼ାଇଦେଲା ଝମାଝମ୍…ଝମାଝମ୍…ଝମାଝମ୍…। ଜୀବନର ତାଳ ବି ଏହିପରି । ଛନ୍ଦମୟ । ସଙ୍ଗୀତମୟ । ପୁଣି ସଂଘର୍ଷମୟ ବି ।

 

ଗଡ଼ାଣିଆ ରାସ୍ତା ପରେ ଉଦାଳି ପୂର୍ବରୁ ଉଠାଣି ରାସ୍ତା । ଟ୍ରେନ୍‍ର ଗତି ଟିକେ ମନ୍ଥର ହେବାରୁ ସର୍ଦ୍ଦାର ଜୀ କହିଲେ ଅଭିମନ୍ୟୁକୁ–ତୁ ଚାଲିଯା…ରାଜାଲୋକାରେ ଓହ୍ଲେଇଯିବୁ । କିଛି ନ ଜାଣିବା ପରି ଚାଲିଆସିବୁ ଗାଁକୁ । ମୋ ପିଛା ଧରିଛି ପୁଲିସ୍ । ଏଇ ଖଇରାବଣି ପରେ ଜଙ୍ଗଲ ପଡ଼ିବ । ମୁଁ ସେଇଠି ଖସିଯିବି ଚଳନ୍ତା ଗାଡ଼ିରୁ । ତୋର ଭୟ କରିବାର କିଛି ନାହିଁ । ଆଉ ଏଇ ଟଙ୍କା କେତେଟା ରଖିଥା…ଦରକାରବେଳେ କାମରେ ଆସିବ ।

 

ତା’ପରେ ଅଣ୍ଟାର ଗୁପ୍ତ ସ୍ଥାନରୁ କାଗଜ ଟୁକୁରାଏ ବାହାର କରି କହିଲେ–ଯେମିତି ହେଲେ ଶଙ୍କରକୁ ଦେବୁ ଏଇ କାଗଜଟି–ଜଗନ୍ନାଥଖୁଣ୍ଟାର ବିଶୁନନାଙ୍କ ପୁଅ–ଜାଣିଥିବୁ ନିଶ୍ଚୟ ।

 

ମଥା ହଲାଇଲା ଅଭିମନ୍ୟୁ । ତା’ର ମଧ୍ୟ ଇଚ୍ଛା ହେଉଥିଲା ମଧୁପଣ୍ଡିତଙ୍କ ସହିତ ଯିବାପାଇଁ । ତା’ ମନକଥା ଜାଣିବାପରି ମଧୁପଣ୍ଡିତେ କହିଲେ–ଏଠାରେ କର୍ମୀ ବେଶୀ ନାହାନ୍ତି । କାମ କରିବାପାଇଁ ଲୋକ ଦରକାର । ଯୋଗସୂତ୍ର ରଖିବା ବଡ଼ କାମ । ଏଥର ରହିଯା’ ତୁ । ଆଉ ଥରେ ଆସିଲେ ନେଇଯିବି ସାଙ୍ଗରେ । ତା’ପରେ ତା’ କାନ ପାଖେ ପାଖେ କହିଲେ–କେହି ପଚାରିଲେ କହିବୁ କିଛି ଜାଣିନୁ । ଆଉ ସେଇ ଗୀତଟା ସମୟ ସୁବିଧା ଦେଖି ଗାଇବୁ । ସେଇ ଗୀତଟା ତ ମନ୍ତ୍ର ହୋଇଯାଇଛି ।

 

ଗାଡ଼ି ଖଇରାବଣି ପାର ହେବା ପରେ ଜଙ୍ଗଲ ରାସ୍ତା ଆରମ୍ଭ ହେଲା । କୋଉଠି ଥିଲା କଳାହାଣ୍ଡିଆ ମେଘ ଖଣ୍ଡେ ଛାଇଗଲା ଆକାଶସାରା । ଅନ୍ଧାର ଦିଶିଲା ଚଉଦିଗ ।

 

ଏଇ ସୁଯୋଗରେ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା ମଧୁ ପଣ୍ଡିତେ ।

 

ଅଭିମନ୍ୟୁ ହାତ ଯୋଡ଼ି ଠାକୁରାଣୀ ପାହାଡ଼ ଆଡ଼କୁ ଅନାଇଁ ନମସ୍କାର କଲା ପ୍ରାର୍ଥନା କରିବା ଭଙ୍ଗୀରେ । କେହି ଜାଣିଲେ ନାହିଁ ସେ କାହାକୁ ଡାକୁଥିଲା । ରାଜାଲୋକାରେ ସେ ଓହ୍ଲାଇପଡ଼ିଲା । ତା’ ପାଖକୁ ମାଡ଼ିଆସି ଜଣେ ପଚାରିଲା–ଏଇଠି ସେ ସର୍ଦ୍ଦାର ଜୀ ବସିଥିଲେ, କାହିଁ ତାକୁ ଦେଖୁନି ତ ?

 

ଅଭିମନ୍ୟୁ କହିଲା–ଆଗ ଡବାକୁ ଯାଇଥିବ ।

 

ସେଇ ସାଦାପୋଷାକଧରୀ ପୁଲିସ୍ ଆଗ ଡବାକୁ ଯିବାବେଳେ ଗାଡ଼ି ଛାଡ଼ିଦେଲା । ଅଭିମନ୍ୟୁ ଏଇ ସୁଯୋଗରେ ଧାନବିଲ ଭିତରେ ଅଦୃଶ୍ୟ ହୋଇଗଲା ।

 

ବର୍ଷା କମିଆସିଥାଏ ସେତେବେଳକୁ । ପାଣି ଭର୍ତ୍ତି ବିଲରେ, ଭିଜା ଭିଜା ପବନରେ ଦୋଳି ଖେଳି ଖେଳି ଆଳାପ କରୁଥାନ୍ତି ଧାନଗଛମାନେ । ଆପେ ଆପେ ଅଭିମନ୍ୟୁ ତୁଣ୍ଡରୁ ବାହାରିଗଲା–ସୁଜଳାମ ସୁଫଳାମ୍ ମଳଜୟ ଶୀତଳାମ୍…ମାତରମ୍ ।

 

[ ୧୭ ]

 

୧୯୪୧ ମସିହା, ଡିସେମ୍ଵର ୭ ତାରିଖ । ପାର୍ଲ ହାର୍ବର୍ ଉପରେ ହଠାତ୍ ଜାପାନ୍ ବୋମାମାଡ଼ କରିବା ଦ୍ଵାରା ସେଠାରେ ନଙ୍ଗର ପକାଇ ରହିଥିବା ଆମେରିକାର ନୌବାହିନୀ ଧ୍ଵଂସ ହୋଇଗଲା । ମିତ୍ରଶକ୍ତି ଚମକି ପଡ଼ିଲେ ପୂର୍ବ ରଣାଙ୍ଗନର ଭୟାବହତା ଦେଖି । ମାତ୍ର ପାର୍ଲ ହାର୍ବର୍‍ର ପରାଜୟ ଯୁକ୍ତରାଷ୍ଟ୍ର ଆମେରିକା ସହଜରେ ଗ୍ରହଣ କରିନେଇ ପାରିବନାହିଁ । ଏହାର ପ୍ରତିଶୋଧ ନେବାପାଇଁ ଯୁଦ୍ଧରେ ସମସ୍ତ ଶକ୍ତି ଓ ସମ୍ଵଳ ବିନିଯୋଗ କରିବ । ଠିକ୍ ତାହା ହିଁ ହେଲା-। ଭାରତକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିବାଲାଗି ନେତାଜୀ ସୁଭାଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ-। କିନ୍ତୁ ଜାପାନ ଆମେରିକାର ନୌବାହିନୀ ଉପରେ ଅଚାନକ ଆକ୍ରମଣ କରିବାରୁ ଆମେରିକା ନୀରବ ନରହି ପୂର୍ଣ୍ଣପ୍ରାଣରେ ଝାସଦେଲା ଯୁଦ୍ଧରେ ମିତ୍ରପକ୍ଷ ସପକ୍ଷରେ । ଏହା ପୂର୍ବରୁ ୧୯୪୧ ମସିହା, ଜୁନ୍ ୨୨ ତାରିଖ ଦିନ ରୁଷିଆ ଆକ୍ରମଣ କରି ହିଟ୍‍ଲର ଯେଉଁ ଭୁଲ୍ କରିଥିଲା ପୂର୍ବ ରଣାଙ୍ଗନରେ ଜାପାନର ଏହି ଦ୍ଵିତୀୟ ଭୁଲ ସଂକେତ ଦେଇସାରିଥିଲା ଯେ ଦିନେ ନା ଦିନେ ଅକ୍ଷଶକ୍ତି ପରାଜିତ ହେବ ମିତ୍ରଶକ୍ତିଦ୍ଵାରା । ପଶ୍ଚିମରେ ନାଜୀ ଜର୍ମାନୀର ହିଟ୍‍ଲର ଓ ଇଟାଲିର ମୁସୋଲିନୀ ଏବଂ ପୂର୍ବରେ ଜାପାନ; କିନ୍ତୁ ବିଶ୍ଵର ଆଉ ସବୁ ଶକ୍ତି ସେମାନଙ୍କ ବିରୁଦ୍ଧରେ-। ଗୋଟିକ ପରେ ଗୋଟିଏ ନୂତନ ରଣାଙ୍ଗନ ଖୋଲିବା ପରେ ଅକ୍ଷଶକ୍ତିର ସୈନ୍ୟସାମନ୍ତ ଯେ ବିକ୍ଷିପ୍ତ ହୋଇଯିବେ ତାହା ନିଶ୍ଚିତ ଜାଣି ମିତ୍ରଶକ୍ତି ସମସ୍ତ ଶକ୍ତି ବିନିଯୋଗ କରିଥିଲେ ଯୁଦ୍ଧ ଜୟ କରିବା ପାଇଁ ।

 

ଜନ୍ମେଜୟ ଶିମିଳିପାଳର ଏକ ଅତି ଗୋପନୀୟ ସ୍ଥାନରେ ବସି ସାତଜଣ ଅତି ବିଶ୍ଵସ୍ତ ଶିଷ୍ୟଙ୍କୁ ଗୁଳିଚାଳନା ଓ ଗରିଲା ଯୁଦ୍ଧ ସମ୍ଵନ୍ଧରେ ଶିକ୍ଷା ଦେବାବେଳେ ସେମାନଙ୍କୁ କହିଥିଲେ ନିଜ ମନର କଥା । ଜର୍ମାନୀ ଓ ଜାପାନକୁ ଏହି ଭୁଲ୍‍ର ଶାସ୍ତି ଯେ ଭୋଗିବାକୁ ପଡ଼ିବ ତାହା ସେ ଭବିଷ୍ୟତ୍‍ବାଣୀ କରିଥିଲେ । ଏପର୍ଯ୍ୟନ୍ତ ବିଶ୍ଵର ସର୍ବହରାମାନେ ସାମ୍ୟବାଦୀ ରୁଷିଆ ଯୁଦ୍ଧରେ ଯୋଗନଦେଇଥିବାରୁ ମିତ୍ରଶକ୍ତି ସପକ୍ଷରେ ନଥିଲେ, କିନ୍ତୁ ଯେଉଁଦିନ ହିଟ୍‍ଲର ଲେଲିନ୍‍ଗ୍ରାଡ଼୍ ଆକ୍ରମଣ କଲା ସେହିଦିନ ବିଶ୍ଵର କୋଟି କୋଟି ସର୍ବହରାଙ୍କ ବିଶ୍ଵ–ସାମ୍ୟବାଦର ସ୍ଵପ୍ନ ଭାଙ୍ଗିଗଲା ଏବଂ ସମସ୍ତେ ସୋଭିଏତ୍ ରୁଷ୍ ସପକ୍ଷରେ ଏକତ୍ର ହୋଇଗଲେ । ପୃଥିବୀର ବିଭିନ୍ନ ଦେଶର କମ୍ୟୁନିଷ୍ଟ୍ ଦଳ ଏହାପରେ ମିତ୍ରଶକ୍ତିର ଯୁଦ୍ଧ ପ୍ରଚେଷ୍ଟାକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବାକୁ କୁଣ୍ଠିତ ହେଲେନାହିଁ, କାରଣ ସାମ୍ୟବାଦୀ ସୋଭିଏତ୍ ରୁଷିଆ ମିତ୍ରଶକ୍ତି ସପକ୍ଷରେ ଏବଂ ଅକ୍ଷଶକ୍ତି ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଦେଲା ।

 

ଜନ୍ମେଜୟ ଦିନ ଗଣୁଥିଲେ ବସି ବସି । ୧୯୪୧ ଅତୀତ ହେଲା । ୧୯୪୨ରେ ଯୁଦ୍ଧ ଆହୁରି ଭୟଙ୍କର ଏବଂ ନୃଶଂସ ହେଲା । ମଣିଷର ସେଇ ନୃଶଂସତା ଦେଖି ଶିହରି ଉଠିଲେ ବିଶ୍ଵର ମୁକ୍ତିକାମୀ ନିରୀହ ନିରସ୍ତ୍ର କୋଟି କୋଟି ନରନାରୀ ।

 

ଜନ୍ମେଜୟ ସେଥିପାଇଁ ସେଦିନ ଜିପରେ ଧରାହୋଇ ଯାଉଥିବାବେଳେ ଖରାଦିନିଆ ରାସ୍ତା ଉପରେ ନଦୀ ପାରହେବା ସମୟରେ ସାହେବମାନେ ଅସତର୍କ ଥିବା ସମୟରେ ନିଜ ଗୁପ୍ତାଙ୍ଗ ପାଖରେ ଗୋପନରେ ରଖିଥିବା ପିସ୍ତଲ୍ ବାହାରକରି ଦୁଇଜଣଙ୍କୁ ଗୁଳିକଲେ ପଛରୁ । ଲକ୍ଷ୍ୟ ଅଭେଦ୍ୟ । ନଦୀ ପାରହେବା ପୂର୍ବରୁ ଅଟକିଗଲା ଜିପ୍ ଜିପ୍‍ରୁ ଡେଇଁପଡ଼ି ନଦୀକୂଳର ବଣ ଭିତରେ ହଜିଗଲେ ଜନ୍ମେଜୟ । ପ୍ରାୟ ତିନିଘଣ୍ଟାଯାଏଁ ନଦୀ କୂଳେ କୂଳେ ଆବୁଡ଼ାଖାବୁଡ଼ା ଅମଡ଼ା ରାସ୍ତରେ ଆସିବାଦ୍ଵାରା ତାଙ୍କର ହାତ, ପାଦ ଓ ଦେହର ଅନେକ ସ୍ଥାନ କ୍ଷତବିକ୍ଷତ ହୋଇଥିଲା; କିନ୍ତୁ ସେଥିପାଇଁ ଭ୍ରୂକ୍ଷେପ ନକରି ସେ ଓଡ଼ିଶା ସୀମାର ଏକ ଲୋଧା ବସ୍ତିରେ ପହଞ୍ଚିଯାଇଥିଲେ ସନ୍ଧ୍ୟା ପୂର୍ବରୁ । ଲୋଧାମାନେ କାମରୁ ଫେରିନଥିଲେ ସେତେବେଳକୁ । ପୋଖରୀରୁ ପେଟେ ପାଣିପିଇ ହାତ ମୁହଁ ଧୋଇ ଗାଁ ଭିତରକୁ ନଯାଇ ଗାଁ ବାହାର ଠାକୁରାଣୀ ମନ୍ଦିର ନିକଟରେ ସେ ଅପେକ୍ଷା କରୁଥିବାବେଳେ ଜଣେ ଲୋଧା ଯୁବତୀ ହାବୁଡ଼ରେ ପଡ଼ିଗଲେ । ସେ ତାଙ୍କୁ ଚାହିଁଦେଇ କହିଲା–ଦେହରୁ ଯେ ରକତ ବହୁଛି ବାବୁ…ଟିକେ ବସ…ମୁଁ ଉଷୁଦ ନେଇ ଆସେ…। ସତକୁସତ ପାଞ୍ଚ ମିନିଟ୍ ଯାଇନଥିବ ଲୋଧା ଯୁବତୀଟି କେତୋଟି ପତ୍ର ଆଣି ସେଥିରୁ ରସ ନିଗାଡ଼ି ଲଗାଇଦେଲା କ୍ଷତ ସ୍ଥାନରେ । ପ୍ରଥମେ ନିଆଁମାଡ଼ି ଦେବା ପରେ କ୍ଷତସ୍ଥାନ ଯନ୍ତ୍ରଣାରେ ଜଳିଉଠିଲା ସତ କିନ୍ତୁ ଧୀରେ ଧୀରେ କ୍ଷତସ୍ଥାନ ଶାନ୍ତ ଶୀତଳ ହୋଇଆସିଲା ।

 

ସେ ଚାଲିଯିବା ପାଇଁ ଆସିଥିଲେ; କିନ୍ତୁ ଲୋଧାମାନଙ୍କର ସ୍ନେହ ଓ ଆତିଥ୍ୟ ସ୍ଵୀକାର କରି କିଛିଦିନ ସେଠାରେ ରହିଗଲେ । ସେଠାରେ ଥିବା ସମୟରେ ଜଣେ ଆତତାୟୀଦ୍ଵାରା ଦୁଇଜଣ ଆମେରିକାନ୍ ଅଫିସର ନିହତ ହେବା ଏବଂ ପୁଲିସ୍ ଆତତାୟୀକୁ ଖୋଜୁଥିବାର ସମ୍ଵାଦ ଠିକ୍ ସମୟରେ ପହଞ୍ଚିଥିଲା ତାଙ୍କ ପାଖରେ । ଲୋଧାମାନେ ସରକାର ବିରୋଧୀ । ସେମାନେ ଦୁର୍ଦ୍ଧର୍ଷ ଏବଂ ଅପରାଧପ୍ରବଣ । ସେମାନଙ୍କ ସହିତ ଜନ୍ମେଜୟଙ୍କ ପରିଚୟ ବନ୍ଧୁତ୍ଵରେ ପରିଣତ ହୋଇସାରିଥିଲା ସେତେବେଳକୁ ଏବଂ ସେ ମନେ ମନେ ନିଶ୍ଚିତ ହୋଇସାରିଥିଲେ ଯେ ଲୋଧାମାନେ ତାଙ୍କର ଶତ୍ରୁତା କରିବେ ନାହିଁ କି ତାଙ୍କ ବିଷୟରେ କୌଣସି ଖବର ବା ପୁଲିସ୍‍ ବା ଆଉ କାହାକୁ ଦେବେ ନାହିଁ । ତଥାପି ଗୋଟିଏ ସ୍ଥାନରେ ବେଶୀଦିନ ରହିବା ଯେ ନିରାପଦ ନୁହେଁ ଏହା ଭାବି ସେ ସନ୍ଧ୍ୟାବେଳେ ଲୋଧା ଯୁବତୀ ରେଣୁଠାରୁ ବିଦାୟ ନେବାବେଳେ କହିଲେ–ତୁ ମୋର ସାନଭଉଣୀ । ତୋ’ ଭାଇ ବଞ୍ଚିଥିବାଯାଏ ତୋର ଆଦର ଯତ୍ନ ମନେ ରଖିବ ।

 

ରେଣୁର ଆଖି ଛଳ ଛଳ ହୋଇଯାଇଥିଲା । ସେ କହିଲା–ମତେ ସାଙ୍ଗରେ ନବୁନି ?

 

–ମୋର ତ ଘରଦ୍ଵାର କିଛି ନାହିଁ ରେଣୁ…ମୁଁ ଆଜି ଏଠାରେ ତ କାଲି ଆଉ କେଉଁଠାରେ-। ତୋତେ ନେଇ ରଖିବି କୋଉଠି ?

 

–ମୁଁ ତୋ’ ସହିତ ବୁଲିବି ।

 

ଜନ୍ମେଜୟ ହସିଦେଇ ତା’ ମଥା ଉପରେ ପରମ ସ୍ନେହରେ ହାତ ବୁଲାଇ ଆଣି କହିଲେ–ବେଳ ହେଲେ, ସୁବିଧା ହେଲେ ପୁଣି ଆସିବି…ସେତେବେଳେ ତୋତେ ନେଇଯିବି ସାଙ୍ଗରେ ।

 

ତାଙ୍କ କଥା ଶୁଣି ଆଶାର ଆଲୁଅ ଚିକ୍‍ଚିକ୍ କରିଉଠିଲା ରେଣୁର ମୁହଁ ଉପରେ । ଜନ୍ମେଜୟଙ୍କୁ ଟିକେ ଅପେକ୍ଷା କରିବାକୁ କହି ସେ ଦୌଡ଼ିଯାଇ ଘର ଭିତରୁ ଗୋଟେ କାଚଶିଶି ଆଣି ତାଙ୍କ ହାତକୁ ବଢ଼ାଇଦେଇ କହିଲା–ଉଷୁଦ ଅଛି…ହାତ ପାଦ କଟିଗଲେ, ଖଣ୍ଡିଆ ଖାବରା ହେଲେ ଏଇଥିରୁ ଟିକେ ଲଗାଇଦବୁ…ଭଲ ହୋଇଯିବ ।

 

ବିପ୍ଳବର ବାଣୀ ପ୍ରଚାର କରି କରି ମନର ସରସତା ଓ କୋମଳତା ନଷ୍ଟ ହୋଇଯାଇଥିଲା, ତଥାପି ଜନ୍ମେଜୟଙ୍କ ଆଖି ସଜଳ ହୋଇଆସିଲା ଏବଂ ସେ ଆଉଥରେ ରେଣୁର ମଥା ଉପରେ ହାତ ବୁଲାଇଆଣି କହିଲେ–ତତେ ଦେବାପାଇଁ ମୋ ପାଖରେ କିଛି ନାଇଁ ରେଣୁ…ତଥାପି ତତେ ଏଇ ଆଶ୍ଵାସନା ଦେଇଯାଉଛି ଯେ ଯଦି ତୋର କେବେ ବାହାଘର ହୁଏ ମୁଁ ନିଶ୍ଚେ ଆସିବି ତୋତେ ଆଶୀର୍ବାଦ କରିବା ପାଇଁ । ରେଣୁ ଲାଜେଇଯାଇ ମୁହଁ ପୋତିଲା ଏବଂ ସେଇ ଅବସରରେ ଆଗକୁ ପାଦ ବଢ଼ାଇଲେ ଜନ୍ମେଜୟ ।

 

ଲୋଧାଶୂଳୀର ଅନତିଦୂରରେ ହରିଜନ ବସ୍ତିର ରାଧୁସେଠୀ ଘରେ ମଧୁ ପଣ୍ଡିତଙ୍କ ସହିତ ଭେଟ ହେଲା ଜନ୍ମେଜୟଙ୍କର । ମଧୁ ପଣ୍ଡିତେ ପାଦଧୂଳି ନେବାପାଇଁ ନଇଁ ପଡ଼ୁଥିଲେ କିନ୍ତୁ ତାଙ୍କୁ ଉଠେଇ ନେଇ ଛାତି ଉପରେ ଜାକିଧରି କହିଲେ ଜନ୍ମେଜୟ, କମ୍ରେଡ଼୍…ତମ ସ୍ଥାନ ସେଠାରେ ନୁହେଁ ଏଠାରେ ।

 

ମଧୁ ପଣ୍ଡିତ କହିଲେ–ଆପଣ ମୋର ଗୁରୁ ।

 

ତା’ପରେ ଦୁହେଁ ଗୋଟିଏ ଛୋଟ ଅପ୍ରଶସ୍ତ ଅନ୍ଧାରୁଆ କୋଠରୀ ଭିତରେ ବସି ଆଲୋଚନାରେ ମଗ୍ନ ହେଲେ । ଦ୍ଵିବେଦୀଙ୍କଠାରୁ ପାଇଥିବା ସନ୍ଦେଶ ଜନ୍ମେଜୟଙ୍କୁ ଦେଲେ ମଧୁ ପଣ୍ଡିତେ । ଜୟପ୍ରକାଶ ଏବଂ ବନ୍ଦେ ମାତରମ୍‍ ଦଳଠାରୁ ପାଇଥିବା ପ୍ରାସଙ୍ଗିକ ସୂଚନା ମଧୁ ପଣ୍ଡିତଙ୍କୁ କହିଲେ ଜନ୍ମେଜୟ ।

 

“ଯୁଦ୍ଧର ଭୟାବହ ରୂପ ଦେଖି ଲାଗୁଛି ଆହୁରି ଧ୍ଵଂସ ଦେଖିବାକୁ ବାକି ଅଛି’’ କହିଲେ ମଧୁ ପଣ୍ଡିତ । ଜନ୍ମେଜୟ କହିଲେ–“ଧ୍ଵଂସ ଭିତରୁ ସୃଷ୍ଟି ହୁଏ । ଏତେ ମୃତ୍ୟୁ, କିନ୍ତୁ ଜୀବନ ଶେଷ ହେଉନି ।’’

 

ତା’ପରେ ଘରର ଗୋଟିଏ କୋଣରେ ପଡ଼ିଥିବା ଏକ ମାଙ୍କଡ଼ା ପଥର ଦିହରୁ ବାହାରିଥିବା ଗୋଟେ ଛୋଟ ସବୁଜ ଚାରାକୁ ଦେଖି ଉଲ୍ଲସିତ ହୋଇ କହିଲେ ଜନ୍ମେଜୟ, “ବିପ୍ଲବ ଠିକ୍ ଏଇପରି । ଆଲୁଅ, ପାଣି, ପବନ ଓ ମୃତ୍ତିକାର ରସ ନପାଇ ମଧ୍ୟ ଏଇ ଚାରାଗଛ ପଥରର ଛାତି ବିଦୀର୍ଣ୍ଣ କରି କିପରି ଉଠୁଛି ଦେଖ ମଧୁ । ଏଇ ଚାରା ସହଜରେ ମରିଯିବ ନାହିଁ, ଦିନେ ପଲ୍ଲବିତ ହେବ, ଶାଖା–ପ୍ରଶାଖା ମେଲି ଉଭାହେବ ବନସ୍ପତି ରୂପରେ । ସେତେବେଳେ ଉର୍ଦ୍ଧ୍ୱବାହୁ ମଣିଷପରି ସେ ଆଶ୍ରା ଦେବ ପକ୍ଷୀମାନଙ୍କୁ, ଛାୟା ଦେବ ଶ୍ରାନ୍ତ କ୍ଲାନ୍ତ ପଥିକମାନଙ୍କୁ, ଫଳ ଦେବ କ୍ଷୁଧାର୍ତ୍ତମାନଙ୍କୁ । ପତ୍ର ଦେବ ଜାଳେଣିପାଇଁ ।’’

 

ମଧୁମାଷ୍ଟର ନିର୍ନିମେଷ ନୟନରେ ଅନାଇଥିଲେ ଜନ୍ମେଜୟଙ୍କ ମୁହଁକୁ । ଏଇ ଯେ ନେତା…ଆଗକୁ ଦୃଷ୍ଟା ପ୍ରସାରିତ ବୋଲି ସେ ଦେଖିପାରନ୍ତି ଭବିଷ୍ୟତର ଅନ୍ଧାର ଭେଦକରି । ସେଥିପାଇଁ ସେ ଦ୍ରଷ୍ଟା । ଆଉ ନିର୍ଜୀବ ପାଷାଣର ଛାତି ବିଦାରି ଉଠୁଥିବା ଚାରାଗଛର ଯତ୍ନ ନେବା ତାଙ୍କର ଧର୍ମ ବୋଲି ସେ ମଧ୍ୟ ସ୍ରଷ୍ଟା ।

 

–“ଲୋହିଆ, ଅରୁଣା, ୟୁସୁଫ ଅଲୀ କେହି ଗିରଫ ହୋଇନାହାନ୍ତି । ସେମାନଙ୍କୁ ଠାବ କରିବାପାଇଁ ପୁଲିସର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି । କିନ୍ତୁ ପ୍ରକାଶ୍ୟରେ କାମ କରୁଥିବା ଅନେକ ନେତା ଜେଲ୍ ଭିତରେ ବନ୍ଦୀ’’–କହିଲେ ଜନ୍ମେଜୟ । “ପ୍ରଜାମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । କଟକ, ବାଲେଶ୍ଵର, ପୁରୀରୁ ଯେଉଁସବୁ ଖବର ମିଳୁଛି ସେଥିରୁ ଗୋଟିଏ ବିଷୟ ସ୍ପଷ୍ଟ ହୋଇଯାଇଛି ଯେ ପୁଲିସ୍ ଫଉଜ ଦେଖି ଆଉ ଡରିଯାଉନାହାନ୍ତି ଲୋକମାନେ । ସରକାରୀ ଲୋକ ଗାଁରେ ପହଞ୍ଚିଲେ ଆଉ ଆଦର ଅଭ୍ୟର୍ଥନା ସହିତ ମହାମାନ୍ୟ ଅତିଥିଙ୍କୁ ଆପ୍ୟାୟିତ କରିବାଲାଗି ପ୍ରତିଯୋଗିତା ଲାଗୁନି ଗ୍ରାମବାସୀମାନଙ୍କ ଭିତରେ’’–କହିଲେ ମଧୁମାଷ୍ଟର ।

 

–ଚେତନା ଗୋଟିଏ ସ୍ଥାନରେ ବା ଗୋଟିଏ ମନର ଆବଦ୍ଧ ହୋଇ ରହେ ନାହିଁ, ଗୋଟିଏ ମନକୁ ଛୁଇଁଯାଏ ହୋ ମଧୁ ! ଚେତନା ପବନ ପରି ପ୍ରସାରିତ ହୁଏ । ବାଧାବନ୍ଧନ ଡେଇଁ ମାଡ଼ିଯାଏ ଚତୁର୍ଦ୍ଦିଗରେ ବଢ଼ିପାଣି ମାଡ଼ିଯିବା ପରି ।

 

ବହୁ ସମୟ ଆଳାପ ଆଲୋଚନା କରି ମଧ୍ୟାହ୍ନରେ ବଗଡ଼ା ଚାଉଳର ପେଜମିଶା ଭାତ ସହିତ ଶୁଖୁଆ ବେସର ଖାଇ ହାତ ଧୋଇବାବେଳେ ପନ୍ଦର ଷୋହଳ ବର୍ଷର ଜଣେ ଟୋକା ଦଉଡ଼ିଆସି ଗାଁ ମୁଣ୍ଡରେ ପୁଲିସ୍ ଲୋକମାନଙ୍କୁ କ’ଣ ପଚରାଉଚୁରା କରୁଥିବା ଖବର ଦେଲା । ପୁଲିସ୍‍ ପାଖରେ ପହଞ୍ଚିଯାଇଛି ଭାବି ଆଉ କାଳ ବିଳମ୍ଵ ନକରି ବିଲ ଭିତର ଦେଇ ବିହାର ସୀମା ଆଡ଼କୁ ଅଗ୍ରସର ହେଲେ ଜନ୍ମେଜୟ ଆଉ ମଧୁ ପଣ୍ଡିତେ । କିଛି ଦୂର ଚାଲିଆସିବା ପରେ ଧାନଗଛ ଭିତରୁ ମୁଣ୍ଡ ଟେକି ପଛକୁ ଫେରି ଚାହିଁଲେ ଜନ୍ମେଜୟ; କିନ୍ତୁ କେହି ସେମାନଙ୍କ ପିଛା କରୁଥିବା ପରି ମନେ ହେଲା ନାହିଁ । ତଥାପି ଆଉ ସେଠାରେ ରହିବା ନିରାପଦ ନୁହେଁ ଏହା ଜାଣି ମଥା ନୁଆଁଇ ଅଣ୍ଟା ଭାଙ୍ଗି ଚାଲିଲେ ଦୁଇ ଜଣ । ସମସ୍ତେ ଯେଉଁ ବାଟରେ ଯାଆନ୍ତି ସେଇ ବାଟ ଛାଡ଼ି ଅବାଟରେ ଯିବାବେଳେ ଗୋଟେ ଗଛ ମୂଳେ ବଦଳ କରି ନେଲେ ଦୁହେଁ–ଠିକ୍ ଚାଷୀ ପରି ଦେଖିବାକୁ ।

 

ମଧୁ ପଣ୍ଡିତେ କହିଲେ–“ଏମିତି ଆଉ କେତେ ଦିନ ଆତ୍ମଗୋପନ କରି ରହିଥିବା ।’’

 

ଜନ୍ମେଜୟ କହିଲେ–“ଯୁଦ୍ଧର ପରିଣାମ ଯାହା ହେଉ ନା କାହିଁକି, ଭାରତର ସ୍ଵାଧୀନତା ଆଉ ଅଟକାଇ ପାରିବ ନାହିଁ ବ୍ରିଟିଶ ସରକାର । ଜର୍ମାନ ଆଉ ଜାପାନ ଯେ ଇଂରେଜ ଓ ଆମେରିକାନ୍‍ମାନଙ୍କଠାରୁ ବେଶୀ ଉଦାର ହେବେ ଏ କଥା ଭାବିବା ଭୁଲ । ସେମାନଙ୍କର ସାମ୍ରାଜ୍ୟବାଦୀ ଓ ଉପନିବେଶବାଦୀ ମନୋବୃତ୍ତି ଇଂରେଜୀମାନଙ୍କଠାରୁ ଆହୁରି ହୀନ । ଫାଶୀବାଦର ପ୍ରସାର ଘଟିଲେ ପୃଥିବୀରେ ଯାହା କିଛି ଉତ୍ତମ ସେସବୁ ନଷ୍ଟ ହୋଇଯିବ । ଫାଶିବାଦୀ ମଣିଷର ପ୍ରଧାନ ଶତ୍ରୁ । ଏଥିରେ ଅସମାନତା ଅନ୍ତର୍ନିହିତ ଏବଂ ବର୍ବରତା ଏହାର ବାହ୍ୟରୂପ ।’’

 

ମଧୁ ପଣ୍ଡିତେ ଧର୍ମସଙ୍କଟରେ ପଡ଼ିବାପରି ମନେହେଲା । ସେ କହିଲେ–ଏସବୁ ଜାଣିଜାଣି ନେତାଜୀ ସେମାନଙ୍କର ସହଯୋଗ ଚାହିଁବେ ଠିକ୍ ହେଉନାହିଁ ବୋଲି ମୋର ମତ ।

 

ଜନ୍ମେଜୟ କହିଲେ–ନେତାଜୀଙ୍କ ଦେଶପ୍ରେମର ତୁଳନା ନାହିଁ । ଦେଶ ପ୍ରତି ତାଙ୍କର ଆନୁଗତ୍ୟ ଅବିଭାଜ୍ୟ; କିନ୍ତୁ ବର୍ତ୍ତମାନ ସଂକଟର ସୁଯୋଗ ନେଇ ସେ କିଛି କରିବା ପାଇଁ ଚାହାନ୍ତି । ଜର୍ମାନ୍ ଓ ଜାପାନର ଫାଶୀବାଦ ଇଂରେଜମାନଙ୍କର ଉପନିବେଶବାଦଠାରୁ ଆହୁରି ଭୟଙ୍କର । ଫାଶୀବାଦ ମୁକ୍ତି ଓ ମୁକ୍ତଚିନ୍ତା ବିରୋଧୀ ସେ ଏହା ଜାଣି ମଧ୍ୟ ଭାରତର ସ୍ଵାଧୀନତାପାଇଁ ଅକ୍ଷଶକ୍ତିକୁ ବ୍ୟବହାର କରିବାକୁ ଚାହାଁନ୍ତି । ଯୁଦ୍ଧରେ ଇଂରେଜମାନେ ଯଦି ହାରିଯାଆନ୍ତି ଭାରତକୁ ସ୍ଵାଧୀନତା ଦେବାପାଇଁ ଅକ୍ଷଶକ୍ତି ଅଙ୍ଗୀକାରବଦ୍ଧ ଏବଂ ଯଦି ଅକ୍ଷଶକ୍ତି ହାରିଯାଏ ତେବେ ବିଶ୍ଵମତାମତ ସହିତ ମିତ୍ରଶକ୍ତିର ଅନୁକୂଳ ମତାମତ ଏବଂ ଆନ୍ତର୍ଜାତିକ ତଥା ଭାରତର ଆଭ୍ୟନ୍ତରୀଣ ଅବସ୍ଥା ଚର୍ଚ୍ଚିଲଙ୍କୁ ବାଧ୍ୟ କରିବ ଭାରତକୁ ସ୍ଵାଧୀନତା ଦେବାପାଇଁ ।

 

ମଧୁ ପଣ୍ଡିତେ କହିଲେ–ଉଭୟେ ଆମର ଶତ୍ରୁ; କିନ୍ତୁ ଜଣେ ଶତ୍ରୁକୁ ଆଉ ଜଣକ ବିରୁଦ୍ଧରେ ବିନିଯୋଗ କରି ଯଦି କାର୍ଯ୍ୟ ହାସଲ କରାଯାଏ ତେବେ ତାହା ସ୍ଵାଗତଯୋଗ୍ୟ ।

 

“ବର୍ଷାଆଶ୍ରିତ ଜମି । ଇନ୍ଦ୍ରଦେବତାଙ୍କ କୃପା ଉପରେ ନିର୍ଭରଶୀଳ ଚାଷୀକୁଳ । ଜଳସେଚନର ସୁବିଧା ନାହିଁ । ବର୍ଷାପାଣି ନଦୀକୁ ଏବଂ ନଦୀରୁ ସମୁଦ୍ରକୁ ବୋହିଯାଏ । ସେଇ ପାଣିକୁ ବନ୍ଧ ବାନ୍ଧି ଜଳସେଚନର ସୁବିଧା କଲେ ଚାଷର ରୂପ ବଦଳିଯାଆନ୍ତା ।’’ ଅନ୍ୟ ପ୍ରସଙ୍ଗକୁ ଯାଇ କହିଲେ ଜନ୍ମେଜୟ । ସନ୍ଧ୍ୟାବେଳକୁ ସେମାନେ ଖମାର ଗାଁରେ ପହଞ୍ଚି ଆଶ୍ରୟ ନେଲେ ଈଶ୍ଵର ହୋତାଙ୍କ ଘରେ । ସେ ସିଂହଭୂମିର ଜଣେ ସ୍ଵାଧୀନତା ସଂଗ୍ରାମ ଏବଂ ଗୋପବନ୍ଧୁଙ୍କ ଶିଷ୍ୟ; କିନ୍ତୁ ତାଙ୍କ ଘରକୁ ସମସ୍ତ ପ୍ରକାର ଲୋକ ଆସୁଥିବାରୁ ତାହା ନିରାପଦ ସ୍ଥାନ ହେବ ନାହିଁ ଭାବି ଈଶ୍ଵରବାବୁ ସେମାନଙ୍କୁ ଚର୍ଚ୍ଚା କରିସାରି ଗୁହ୍ୟାପାଳର ଯଦୁ ମିଶ୍ରଙ୍କ ଘରେ ରଖାଇଦେଇ ଆସିଲେ । ଯଦୁ ମିଶ୍ର ତାନ୍ତ୍ରିକ, ଜ୍ୟୋତିଷୀ ଏବଂ ପୁରୋହିତ, ତେଣୁ ସେ ସନ୍ଦେହର ଊର୍ଦ୍ଧ୍ୱରେ । ତାଙ୍କ ଘରେ ସହାୟକ କର୍ମକାଣ୍ଡୀ ବ୍ରାହ୍ମଣଭାବେ ରହିଗଲେ ଜନ୍ମେଜୟ ଓ ମଧୁମାଷ୍ଟ୍ରେ । ବୃତ୍ତି ଅନୁସାରେ ବେଶ-ବଦଳ କଷ୍ଟକର ହେଲାନାହିଁ ।

 

ଖବର ପାଇ ଦୁଇଦିନ ପରେ ସେଠାରେ ଆସି ପହଞ୍ଚିଲେ ବିଶ୍ଵନାଥ, କୃପାସିନ୍ଧୁ ଏବଂ ଶଙ୍କର । ସେମାନଙ୍କ ସହିତ ପରିସ୍ଥିତିର ତର୍ଜମା କରି ସେଇ ରାତି ବହଡ଼ାଗୋଡ଼ାକୁ ଫେରିଆସିଲେ ବିଶ୍ଵନାଥ ଓ କୃପାସିନ୍ଧୁ । ବହଡ଼ାଗୋଡ଼ା ବଜାରରୁ ତେଜରାତି ସଉଦା ନେବାପାଇଁ ମାସକୁ ଥରେ ଦୁଇଥର ବିଶ୍ଵନାଥ ଆସୁଥିବା ସମସ୍ତେ ଜାଣନ୍ତି । ତେଣୁ ଗୁହ୍ୟାପାଳରେ ନରହି ସେଠାରେ ରହି ସକାଳୁ କିଛି ସଉଦା କିଣି ଜଗନ୍ନାଥଖୁଣ୍ଟା ଫେରିଆସିଲେ ସନ୍ଦେହର ଅବକାଶ ରହିବନାହିଁ ଭାବି ସେମାନେ ଶଙ୍କରକୁ ସେଠାରେ ଏକା ଛାଡ଼ି ଚାଲିଆସିଲେ ସତ; କିନ୍ତୁ ବିପଦ ଯେପରି ଅପେକ୍ଷା କରୁଥିଲା ସେମାନଙ୍କୁ । ଶୀର୍ଷା ଗଣ୍ଡଗୋଳ, ଥାନାପୋଡ଼ି ଓ ପ୍ରଜା ଆନ୍ଦୋଳନ ପରେ ସୀମାନ୍ତ ଅଞ୍ଚଳରେ ଯେ ଆନ୍ତଃରାଜ୍ୟ ଗୁଇନ୍ଦା ପୋଲିସ୍ ନଜର ରଖିଥିଲେ ଏହା ଜଣାପଡ଼ିଲା ଯେତେବେଳେ ରାତି ଏଗାରଟାରେ ଗୋଦାମ ଘର ଦୁଆରେ ଖଟ୍ ଖଟ୍ କଲା କିଏ । କୃପାସିନ୍ଧୁ ଧଡ଼ପଡ଼ ଉଠିବସି କବାଟ ଖୋଲିବାକୁ ଯାଉଥିଲେ; କିନ୍ତୁ ତାକୁ ବାରଣ କରି ନିଜ ପାଖରେ ଥିବା କାଗଜପତ୍ର ଓ ଚିଠି ଗୋଟେ ଡାଲିବସ୍ତା ଭିତରେ ଲୁଚାଇ ରଖି କବାଟ ଖୋଲିଲେ ବିଶ୍ଵନାଥ ।

 

ପୁଲିସ୍ ଦାରୋଗା ଭିତରକୁ ପ୍ରବେଶ କରି ସେ ଦୁହିଁଙ୍କ ନାମ ଓ ଠିକଣା ପଚାରି ସେମାନଙ୍କୁ ଥାନାକୁ ଡାକିନେଇ ଯିବାବେଳେ ଗୋଦାମର ମାଲିକ ପ୍ୟାରେଲାଲ୍ ଚନ୍ଦନଲାଲ୍ ଦାରୋଗା ବାବୁଙ୍କ ହାତକୁ ଗୋଟେ ଲଫାପା ବଢ଼ାଇଦେଇ କହିଲେ–“ଏମାନେ ଓଡ଼ିଶାର ବ୍ୟବସାୟୀ ଦାରୋଗା ବାବୁ । ସଉଦା ନେବାକୁ ଆସିଛନ୍ତି । ସେମାନଙ୍କୁ ଥାନାକୁ ନେଲେ ଆମର ବଦନାମ ହେବ । ଆମ ଗୋଦାମକୁ ଆଉ କେହି ସାହସ କରି ଆସିବେ ନାହିଁ । ଆପଣ ଦୟାକରନ୍ତୁ…ପରେ ଆଉ ଯାହା ପ୍ରାପ୍ୟ ମୁଁ ଦେଇଆସିବି ବଙ୍ଗାଳରେ ନେଇ ।

 

ଦାରୋଗା ବାବୁ ଟିକିଏ ମୁରୁକି ହସି ନିଶ ଉପରେ ହାତ ବୁଲେଇଦେଇ ଚାଲିଗଲେ । ବିଶ୍ଵନାଥ, କୃପାସିନ୍ଧୁ ଫରି ଆସିଲେ ପ୍ୟାରେଲାଲ୍‍ଙ୍କ ସାଙ୍ଗରେ ।

 

ପ୍ୟାରେଲାଲ୍ ଚତୁର ହେଲେ ବି ଧୂର୍ତ୍ତ ନୁହଁନ୍ତି । ଲୋଟା କମ୍ଵଳ ନେଇ ତିରିଶ ବର୍ଷ ପୂର୍ବେ ଜନ୍ମଭୂମି ଗୁଜୁରାଟ ଛାଡ଼ି ଚାଲିଆସିଥିଲେ ନୂତନ ଚରାଭୂମି ଅନ୍ଵେଷଣ କରିବା ଉଦ୍ଦେଶ୍ୟ ନେଇ । ପ୍ରଥମେ ଜାମସେଦପୁରରେ ଆଡ଼୍ଡ଼ା ପକାଇଥିଲେ ଜଣେ ଆତ୍ମୀୟଙ୍କ ଘରେ; କିନ୍ତୁ ସେଠାରେ ବ୍ୟବସାୟୀ କରିବାପାଇଁ ଅନୁକୂଳ ପରିବେଶ ନଥିଲା ସେତେବେଳେ । ମୟୂରଭଞ୍ଜ, ବିହାର ଓ ବଙ୍ଗଳାର ଏକ ଛକ ଜାଗାରେ ବହଡ଼ାଗୋଡ଼ା ଅବସ୍ଥିତ । ବିହାରରେ ଥିଲେ ମଧ୍ୟ ଅଧିକାଂଶ ଅଧିବାସୀ ଓଡ଼ିଆ ଏବଂ କିଛି ବଙ୍ଗାଳୀ । ବିହାରୀଙ୍କ ସଂଖ୍ୟା ନଗଣ୍ୟ । ସୁବର୍ଣ୍ଣରେଖା ନଦୀ ମୟୂରଭଞ୍ଜ ଓ ବିହାର ଭିତରେ ସୀମାରେଖା ଭାବେ ଚିହ୍ନିତ । ନଦୀ ପାରହୋଇ ବ୍ୟବସାୟୀମାନେ ମୟୂରଭଞ୍ଜରୁ ଆସୁଥିଲେ ବହଡ଼ାଗୋଡ଼ା ସାଇକେଲ୍, ଗୋରୁଗାଡ଼ିରେ ବା ପାଦରେ ଚାଲି ଚାଲି । ବହଡ଼ାଗୋଡ଼ା ବଙ୍ଗଳା ସୀମାନ୍ତରେ । କଲିକତା ବେଶୀ ଦୂର ନୁହେଁ । ଏପରି ସ୍ଥାନ ଆନ୍ତଃ–ପ୍ରାଦେଶିକ ଚୋର ତସ୍କର ଲୋକଙ୍କର ଚରାଭୂଇଁ । ବିହାରରେ ଧରାପଡ଼ିବାର ଆଶଙ୍କା ଥିଲେ ବଙ୍ଗଳାକୁ ବା ମୟୂରଭଞ୍ଜକୁ ସହଜରେ ଖସିଯାଇହୁଏ । ଓଡ଼ିଶା ବା ବଙ୍ଗଳାରେ ଧରାପଡ଼ିବାର ଆଶଙ୍କା ଥିଲେ ବାହାଡ଼ାଗୋଡ଼ା ହୁଏ ଆଡ଼୍‍ଡ଼ାମାରିବା ଜାଗା ।

 

ପ୍ୟାରେଲାଲ୍ ଏପରି ଏକ ଜାଗାକୁ ଆସି ବର୍ଷ ତିନି ଚାରିଟା ଭିତରେ ବେଶ୍ ଜମେଇ ବସିଗଲେ । ଡାଲି, ଗହମ, ଅଟା, ମଇଦା, ସୁଜି, ତେଲର ଛୋଟ ଦୋକାନରୁ ଚାରିବର୍ଷ ଭିତରେ ଗୋଦାମର ଶେଠ ବନିଗଲେ । ଏବେ ତିନିଟା ରାଜ୍ୟର ସୀମାନ୍ତ ଇଲାକାରେ ତାଙ୍କର ନାମଡ଼ାକ । ଗୋ–ସେବା ପାଣ୍ଠିପାଇଁ ପ୍ରତି ଗ୍ରାହକଠାରୁ ଦି’ପଇସା ଆଦାୟ କରି ଏକ ଗୋ–ଶାଳାର ପରିଚାଳନା ଓ ଦାନଧର୍ମରେ ଖର୍ଚ୍ଚ କରନ୍ତି ପ୍ୟାରେଲାଲ୍ । ତହସିଲଦାର୍, ଥାନାବାବୁ, ହାକିମ–ହୁକୁମାଙ୍କ ସହିତ ଭଲ ସମ୍ପର୍କ ତାଙ୍କର । ସମସ୍ତଙ୍କର ମାସକାବାରି ତାଲିକା ଅନୁସାରେ ନିଜେ ନେଇ ଦେଇଆସନ୍ତି ପ୍ୟାରେଲାଲ୍ । ସେ ଜାଣନ୍ତି ଯେ ପୁଲିସ୍, ମାଜିଷ୍ଟ୍ରେଟ୍ ହାତରେ ଥିଲେ ଆଉ ଡର ନଥାଏ । ସେଥିପାଇଁ ପ୍ୟାରେଲାଲ୍‍ଙ୍କ ପ୍ରଭାବ ପ୍ରତିପତ୍ତି ବି ଅନ୍ୟମାନଙ୍କଠାରୁ ବେଶୀ । ବ୍ୟବସାୟସୂତ୍ରରେ ବାହାରୁ ଆସୁଥିବା ବେପାରୀମାନଙ୍କ ରହିବା ଖାଇବା ନିଜେ ବୁଝନ୍ତି ସେ । ଜିନିଷ ନେବାପାଇଁ ଶଗଡ଼ନେଇ ଆସୁଥିବା ଶଗଡ଼ିଆ ଏବଂ ବଳଦ ରହିବାପାଇଁ ଅଲଗା ଜାଗା ଅଛି ଗୋଦାମ ପାଖରେ । କୁଣ୍ଡା, ପିଡ଼ିଆ, ପାଣି ମୁଫତରେ ମିଳେ ବଳଦମାନଙ୍କ ପାଇଁ ।

 

ବିଶ୍ଵନାଥ ଓ କୃପାସିନ୍ଧୁଙ୍କୁ ଗୋଦାମଘରେ ଛାଡ଼ି ଘରକୁ ଯିବାବେଳେ କହିଲେ ପ୍ୟାରେଲାଲ୍–ଗାନ୍ଧି ମହାତ୍ମା ଆମ ଗାଁ ପାଖର ଲୋକ । ସମ୍ଭ୍ରାନ୍ତଘର ମଣିଷ । ବାପ ବିଲାତ ପଠାଇଥିଲେ ବଡ଼ ସାହେବ ହେବାପାଇଁ; କିନ୍ତୁ ସେ ଫେରିଆସିଲେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବାପାଇଁ । ସାହେବମାନେ ବେପାରୀହୋଇ ଆସିଲେ, ଶାସକହୋଇ ରହିଗଲେ । ଏ ଦେଶକୁ ଶୋଷଣ କରି ସବୁ ରସ ଟାଣିନେଲେଣି । ଆଉ ନୁହେଁ… ଏଥର ଦେଶ ସ୍ଵାଧୀନ ହେବ ।

 

ବିଶ୍ଵନାଥ ଚମକିପଡ଼ିଲେ । ଏଯାଏଁ ପ୍ୟାରେଲାଲ୍‍ଙ୍କ ଅସଲ ପରିଚୟ ସେ ଜାଣିନଥିଲେ-। ପ୍ରତି ପଇସାର ହିସାବ ରଖୁଥିବା ଏଇ ବ୍ୟବସାୟୀ ଯେ ଭିତରେ ଭିତରେ ଦେଶର ସ୍ଵାଧୀନତା ପାଇଁ ସ୍ଵପ୍ନ ଦେଖେ, ଦରକାର ହେଲେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସାହାଯ୍ୟ କରେ ଏହା ଜାଣିନଥିଲେ ସେ । ବିଶ୍ଵନାଥ ପ୍ୟାରେଲାଲ୍‍ଙ୍କୁ ହାତ ଦୁଇଟା ଧରିପକାଇ କହିଲେ–ଆପଣଙ୍କର ଆହୁରି ବଢ଼ତି ହେଉ ଶେଠଜୀ… ଆପଣ ତା’ହେଲେ ଆମର ଗୁରୁ… ସମଧର୍ମା… ପଥ ପ୍ରଦର୍ଶକ-

 

ପ୍ୟାରେଲାଲ୍‍ଙ୍କ ମୁରୁକି ହସ ଆହୁରି ରହସ୍ୟମୟ ହୋଇ ଉଠିଲା । ସେ କହିଲେ–“ଶୋଇପଡ଼, ରାତି ହେଲାଣି ।’’ ସେ ବିଦାୟ ନେଇ ଚାଲିଯାଉଥିଲେ; କିନ୍ତୁ ପୁଣି ଫେରିଆସି କହିଲେ–“ଥାନାବାବୁ ଯେତେବେଳେ ଜାଣିଗଲେଣି ଏଠାରେ ବେଶୀଦିନ ନିରାପଦରେ ରହି ପାରିବ ନାହିଁ ନନା । ପୁଲିସ୍‍କୁ ବିଶ୍ଵାସ ନାହିଁ । ତୁମେ ଦୁହେଁ ସକାଳ ହେବା ଆଗରୁ ବରଂ ନଦୀ ସେପାଖକୁ ଚାଲିଯାଇ ଧୁନିବାବାଙ୍କ ମଠରେ ଆଶ୍ରୟ ନିଅ । ଧୁନିବାବାଙ୍କୁ ମୁଁ ଗୋଟେ ଚିଠି ଲେଖିଦେବି । ସେ ସ୍ଵାଗତ କରିବେ ତୁମ ଦୁହିଁଙ୍କୁ ।’’

 

ବିଶ୍ଵନାଥ ଧୁନିବାବଙ୍କ ନାମ ଶୁଣିଲେ; କିନ୍ତୁ ଦର୍ଶନ କରିନଥିଲେ । ସେ ବାହାରେ ସାଧୁ ହେଲେ ବି ଭିତରେ ଭିତରେ ତା’ହେଲେ ସ୍ଵାଧୀନତା ସଂଗ୍ରାମୀ ! ସେ’ୟା ହେଲା । ସକାଳ ହେବା ପୂର୍ବରୁ ନଦୀ ପାରହୋଇ ମୟୂରଭଞ୍ଜ ସୀମାନ୍ତରେ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ଧୁନିବାବାଙ୍କ ଆଶ୍ରମକୁ ଚାଲି ଆସିଲେ ବିଶ୍ଵନାଥ ଆଉ କୃପାସିନ୍ଧୁ ।

 

ଧୁନିବାବାଙ୍କ ଅତୀତ ଅଜ୍ଞାତ । କେହି ଜାଣନ୍ତିନି ତାଙ୍କର ପୂର୍ବାଶ୍ରମର ପରିଚୟ । କେହି ଜିଜ୍ଞାସୁ ଭକ୍ତ ପଚାରିଦେଲେ ମୁହଁ ଉପରେ ଫାଳେ ହସ ଖେଳାଇ ଧୁନିବାବା କହନ୍ତି–ସନ୍ନ୍ୟାସ ନେଇ ଚାଲିଆସିବା ପରେ ପୂର୍ବାଶ୍ରମ ଗୁପ୍ତ ରହିଯାଏ । ତାଲାପଡ଼ିଥିବା ସିନ୍ଦୁକ ଭିତରେ କ’ଣ ଅଛି କିଏ ଜାଣେ ? ଧୁନିବାବା କେବଳ ଏତିକି କହନ୍ତି–ତେବେ ଏତିକି ଜାଣିରଖ ଯେ ମଣିଷ ନିଜ ପାଇଁ ବଞ୍ଚେନାହିଁ, ନିଜ ପାଇଁ ବଞ୍ଚିବାରେ ସରସତା ନାହିଁ କି ସାର୍ଥକତା ନାହିଁ । କାହାଠାରୁ କିଛି ନେବାପାଇଁ ଆଶା ନରଖି ଯାହା ପାରିବ ଦିଅ…ଆଞ୍ଜୁଳା ଭର୍ତ୍ତିକରି ଯାହା ପାରିବ ଦେଇଯାଅ । ଏ ଦେଶର ମୃତ୍ତିକାର ଫଳମୂଳ ଖାଇ, ଏହାର ପାଣି ପବନରେ ବଡ଼ ହୋଇଛ ଏଯାଏଁ କେବଳ ନେଇଛ…ଏବେ ଦେଶପାଇଁ କିଛି କର ।

 

ବିଶ୍ଵନାଥଙ୍କଠାରୁ ଚିଟାଉ ପାଇଁ ସବୁ ବୁଝିଗଲେ ଧୁନିବାବା । ମଠ ପଛପଟେ ଥିବା କୁଡ଼ିଆ ଘରେ ବିଶ୍ଵନାଥ ଆଉ କୃପାସିନ୍ଧୁଙ୍କର ରହିବା ବ୍ୟବସ୍ଥା ହୋଇଗଲା । ଦିନବେଳେ ସେମାନେ ବାହାରନ୍ତିନାହିଁ, ରାତିହେଲେ ବାବାଙ୍କ କୋଠରୀରେ ମନ୍ତ୍ରଣା ଚାଲେ ଅଧରାତି ବା ପାହାନ୍ତା ପର୍ଯ୍ୟନ୍ତ ।

 

ଜନ୍ମେଜୟଙ୍କ ଯୋଜନା ଅନୁସାରେ କାର୍ଯ୍ୟ ଠିକ୍‍ ଚାଲିଛି । ମେଦିନୀପୁର ପରେ ଧଜଭୂମଗଡ଼ ଏବଂ ବହଡ଼ାଗୋଡ଼ା ଥାନା ଦଖଲ କରିନେବାର ସମସ୍ତ ଯୋଜନାକୁ ରୂପ ଦେବାପାଇଁ ଶୁଭ ମୁହୂର୍ତ୍ତର ଅପେକ୍ଷା କରୁଛନ୍ତି ଜନ୍ମେଜୟ, ମଧୁମାଷ୍ଟର । ଧୁନିବାବା ବିଶ୍ଵନାଥଙ୍କୁ ଏକାନ୍ତରେ କହିଲେ–ଗାନ୍ଧି ମହାତ୍ମାଙ୍କ ସତ୍ୟାଗ୍ରହ, ଅହିଂସା ଆନ୍ଦୋଳନ ଅକାମୀ ହୋଇଯିବାପରି ଲାଗୁଛି । ସଶସ୍ତ୍ର ବିପ୍ଳବପାଇଁ ନେତାଜୀ ଡାକରା ଦେଇଛନ୍ତି । ତାଙ୍କ ମତ ଠିକ୍‍ ପରି ଲାଗୁଛି ବିଶ୍ଵନାଥ ।

 

–କିନ୍ତୁ ଇଂରେଜମାନଙ୍କର ସୈନ୍ୟବଳ, ଅସ୍ତ୍ରବଳ ଆଗରେ ପାରିବା ଆମେ ? ଶାସନର ପୂରା ଶକ୍ତି ସେମାନେ ଖର୍ଚ୍ଚ କରିବେ ସ୍ଵାଧୀନତା ସଂଗ୍ରାମକୁ ଦମନ କରିବାପାଇଁ ।

 

–ଇଂଲଣ୍ତ ଉପରେ ବୋମାମାଡ଼ କରୁଛି ହିଟଲର୍ । ଏଣେ ଜାପାନୀମାନଙ୍କ ଦୁର୍ଦ୍ଧର୍ଷ ଆକ୍ରମଣ ଆଗରେ ଗୋଟିଏ ପରେ ଗୋଟିଏ ବିଟ୍ରିଶ୍ ଦୁର୍ଗ ଭୁଶୁଡ଼ି ପଡ଼ିବାରେ ଲାଗିଛି ପୂର୍ବ ରଣାଙ୍ଗନରେ । ଦେଶକୁ ଆଉ ବେଶୀଦିନ ନିଜ ଅକ୍ତିଆରରେ ରଖିପାରିବ ନାହିଁ ଇଂରେଜ ସରକାର ।

 

ଧୁନିବାବାଙ୍କ ଆଶ୍ରମରେ ପ୍ରାୟ ପନ୍ଦର ଦିନ ରହିଗଲେ ବିଶ୍ଵନାଥ ଆଉ କୃପାସିନ୍ଧୁ । ସେଠାରେ ଥିବା ସମୟରେ ଜନ୍ମେଜୟ ଅଚାନକ ଆକ୍ରମଣ କରି ଚାକୁଳିଆ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟକରିବା ଓ ଥାନାରେ ନିଆଁଲଗାଇବା ଖବର ଯଥା ସମୟରେ ପାଇଲେ ସେମାନେ । ଧୁନିବାବା ସେମାନଙ୍କୁ ସତର୍କ କରିଦେଇ କହିଲେ–ଯେଉଁ ଲୋକଠାରୁ ଏଇ ଖବର ମିଳିଲା ସେ ଆହୁରି ବି କହିଲା ଯେ ବିହାର, ବଙ୍ଗଳା ଓ ଓଡ଼ିଶା ପୁଲିସ୍ ଖୋଜୁଛନ୍ତି ଜନ୍ମେଜୟଙ୍କୁ । ପୁଲିସ୍‍ର ଦମନଲୀଳାରେ ଦୁଲୁକୁଛି ଗାଁ ଭୂଇଁ । ଜନ୍ମେଜୟଙ୍କ ପତ୍ତା ମିଳିନି ଏଯାଏଁ ।

 

–କିନ୍ତୁ ସେ ଧରାପଡ଼ିଗଲେ ଯେ ସର୍ବନାଶ ହେବ ବାବା ! ଶଙ୍କିତ ସ୍ଵରରେ କହିଲେ ବିଶ୍ଵନାଥ ।

 

–ଜନ୍ମେଜୟଙ୍କୁ ଧରିବା ଏତେ ସହଜ ନୁହେଁ । ମୋତେ ଲାଗୁଛି ସେ ବିହାର, ବଙ୍ଗଳା ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି ।

 

କିଛି ସମୟ ନୀରବ ରହିଲେ ସମସ୍ତେ । ପରିବେଶ ବେଶ୍ ଗମ୍ଭୀର ହୋଇଉଠିଥିଲା । ଏଇ ପରିସ୍ଥିତିରେ କର୍ତ୍ତବ୍ୟ ନିର୍ଦ୍ଧାରଣ କରିବା ସହଜ ନୁହେଁ । ବିଦ୍ରୋହର ରଣଦୁନ୍ଦୁଭି ଶୁଣି ଥରିଉଠୁଛି ବ୍ରିଟିଶ୍ ସରକାରର ସିଂହାସନ ।

 

ବହୁତ ସମୟ ଧ୍ୟାନସ୍ଥ ହେବା ପରି ବସିରହିଲେ ଧୁନିବାବା । ଚକ୍ଷୁ ମୁଦ୍ରିତ । ମୁଖମଣ୍ଡଳ ପ୍ରଶାନ୍ତ ନହେଲେ ମଧ୍ୟ ଉଦବେଗର ଚିହ୍ନ ନଥିଲା ସେଥିରେ । ନୀରବତା ଭଙ୍ଗକରି ଭବିଷ୍ୟତବାଣୀ କଲାପରି କହିଲେ ଧୁନିବାବା–ଜୟପ୍ରକାଶ, ଅରୁଣା, ଲୋହିଆ ଏଯାଏଁ ଗିରଫ ହୋଇନାହାନ୍ତି–ଏଇ ସାନ୍ତ୍ଵନା । ଦ୍ଵିବେଦୀଙ୍କ ନେତୃତ୍ଵରେ ଓଡ଼ିଶାରେ ବଞ୍ଚିରହିଛି ବିପ୍ଳବ; କିନ୍ତୁ ବିପ୍ଳବର ମୂଳୋତ୍ପାଟନ କରିବାଲାଗି ସଂକଳ୍ପବଦ୍ଧ ବ୍ରିଟିଶ୍ ସରକାର ।

 

କୃପାସିନ୍ଧୁ କହିଲା–ଆମକୁ ଧରିବାପାଇଁ ହୁଏତ ପଡ଼ିଉଠି ଲାଗିଥିବ ପୁଲିସ୍ । ଶିକାର ନପାଇ ବାଘ ଉନ୍ମତ୍ତ ହେବାପରି ସେମାନେ ବି ଦରାଣ୍ଡି ବୁଲୁଥିବେ ଗାଁ ଭୂଇଁ । ମୁଁ ଭାବୁଛି ଆଉ ଲୁଚି ନରହି ପଦାକୁ ବାହାରିଆସିଲେ ପୁଲିସ୍‍ର ଅର୍‍ମାନ୍ ମେଣ୍ଟିବ କିଛିଟା । ଜନ୍ମେଜୟ ଓ ମଧୁମାଷ୍ଟର ନମିଳିଲେ ନାହିଁ–ଆମକୁ ଦେଖେଇତ କିଛି କରିଥିବା ପରି ସନ୍ତୋଷ ପାଇବ ।

 

ଧୁନିବାବା କହିଲେ–ତମ କଥାଟା ଉଡ଼େଇ ଦେଇ ପାରୁନି; କିନ୍ତୁ ତୁମେ ଦୁହେଁ ପୁଲିସ୍‍ର ନିର୍ଯ୍ୟାତନା ସହିପାରିବ ?

 

–ଜେଲ୍‍ ଯିବାକୁ ମୋର ଭୟ ନାହିଁ ବାବା । କହିଲା କୃପାସିନ୍ଧୁ ।

 

–ଖାଲି ଜେଲ୍‍ ନୁହେଁ ଜେଲ୍‍ ଭିତରେ ବିପ୍ଳବୀମାନଙ୍କ ଉପରେ କିପରି ଅମାନୁଷିକ ଅତ୍ୟାଚାର କରାଯାଏ ତାହା ତମେ ଜାଣିନ । କ୍ଷୁଧାର୍ତ୍ତ ସିଂହ ଶିକାର ଉପରକୁ କୁଦିପଡ଼ି ତାକୁ ଖିନ୍‍ଭିନ୍ କରିବା ଭଳି ସେମାନେ ବିପ୍ଳବର ଗୁପ୍ତ ରହସ୍ୟ ଓ ଜନ୍ମେଜୟଙ୍କ ଠିକଣା ଜାଣିବାପାଇଁ ଅକଥନୀୟ ଅତ୍ୟାଚାର କରିବେ । ଏତେ ମାନସିକ ଓ ଶାରୀରିକ ଯନ୍ତ୍ରଣା ସହ୍ୟ କରିପାରିବ ?

 

ବିଶ୍ଵନାଥ ସେଇ ବିଷୟ ଭାବୁଥିଲେ । ଘରେ ସ୍ତ୍ରୀ ପାର୍ବତୀ ଓ ପିଲାମାନେ । ଏତେ ବଡ଼ ପରିବାର ନିରାଶ୍ରୟ ହୋଇଯିବ ଆବର୍ତ୍ତ ଭିତରେ ପଡ଼ିଥିବା କୁଟାଖିଅ ପରି । ଗାଁରେ ଶତ୍ରୁ ଉଣ୍ଡି ବସିଚନ୍ତି, ମଉକା ପାଇଲା କ୍ଷଣି ମାଡ଼ି ବସିବେ । ଏଇ ଦେହ ତ ସଦୁଦିନ ରହିବ ନାହିଁ, ସେଥିପାଇଁ ଚିନ୍ତା କରନ୍ତିନି ବିଶ୍ଵନାଥ । ତାଙ୍କର ସବୁ ଚିନ୍ତା ପୁଅ, ଝିଅ ଓ ଭାଇମାନଙ୍କପାଇଁ । ପାର୍ବତୀ ସବୁ ସହି ପଡ଼ିରହିଛନ୍ତି ପାଷାଣୀ ଅହଲ୍ୟାପରି । ପଦେ କଥା ବାହାରେ ନାହିଁ ମୁହଁରୁ–ପ୍ରତିବାଦ ବା ପ୍ରତିରୋଧ କରିବା ତ ଦୂରର କଥା । ହୁଏତ ଶଙ୍କରକୁ ବି ଧରିନେଇଯିବେ ସେମାନେ । ସ୍ଵାମୀ, ପୁତ୍ର ବିନା ହୁଏତ ଭାସିଯିବେ ପାର୍ବତୀ, ଭାସିଯିବ ଏତେଦିନର ବୁନିଆଦି ପରିବାର–ବଢ଼ିପାଣିରେ ଉପୁଡ଼ି ପଡ଼ିଥିବା ଗଛ ଭାସିଯିବାପରି ।

 

ସେ ନୀରବତା ସହ୍ୟ ହେଉନଥିଲା । ପବନ ବହୁନଥିଲା ବୋଲି କେମିତି ଜମାଟ ଲାଗୁଥିଲା ପରିବେଶ । ଝଡ଼ ପୂର୍ବର ସୂଚନା ପରି ଲାଗୁଥିଲା ଧୁନିବାବାଙ୍କୁ । ସେ ଚିମୁଟାରେ ଜଳୁଥିବା କାଠଖଣ୍ଡକୁ ଓଲଟାଇ ଦେଇ କହିଲେ–ଆତ୍ମସମର୍ପଣ କରିବା ଠିକ୍ ହେବନାହିଁ; ବରଂ ତୁମେ ଦୁହେଁ ଗାଁକୁ ଫେରିଯାଅ । ଏକତ୍ର ନଯାଇ ଅଲଗା ଅଲଗା ଯାଅ । ମହାରାଜା ଅଛନ୍ତି । ତାଙ୍କ ପ୍ରଜା କେହି ନିର୍ଯ୍ୟାତିତ ହେଉ ଏହା ବୋଧହୁଏ ସେ ଚାହିଁବେନାହିଁ । ତଥାପି ସତର୍କ ରହିବାକୁ ପଡ଼ିବ । କିଛିଦିନ ନୀରବ ରହିଯିବା ଭଲ । ଭିତରେ ଭିତରେ ଅନ୍ତର୍ଘାତୀ କାମ କିନ୍ତୁ ବନ୍ଦ ହେବ ନାହିଁ । ସେ ସବୁ କରିବାପାଇଁ ଅନ୍ୟ ଲୋକ ଅଛନ୍ତି ।

 

ଧୁନିବାବାଙ୍କ ଆଶ୍ରମ କିପରି ଚଳେ କେହି ସଠିକ୍ କହିପାରନ୍ତି ନାହିଁ । ଅତିଥି ଅଭ୍ୟାଗତ, ସାଧୁସନ୍ଥଙ୍କ ଯିବାଆସିବା ଲାଗିରହିଥାଏ ବର୍ଷସାରା । ଏହାଛଡ଼ା ପର୍ବପର୍ବାଣି, ଯାଗଯଜ୍ଞ ବି ଅଛି । ସେଥିପାଇଁ ବେଶ୍ କିଛି ଖର୍ଚ୍ଚ କରିବାକୁ ହୁଏ । ଲୋକ ସଂଗ୍ରହ କାର୍ଯ୍ୟର ମାଧ୍ୟମ ଏସବୁ । ଲୋକ ସମବେତ ହେଲେ ଧୁନିବାବା ସୁଯୋଗ ପାଆନ୍ତି କିଛି କରିବାପାଇଁ । ଲୋକମାନଙ୍କୁ ବୁଝାନ୍ତି ଧର୍ମାନ୍ଧତା ବିରୁଦ୍ଧରେ । କହନ୍ତି–ସବୁ ଧର୍ମର ମୌଳିକ ଚେତନା ଏକ, ଉତ୍ସ ମଧ୍ୟ ଏକ । ସବୁ ଧର୍ମର ସମନ୍ଵୟଦ୍ଵାରା ଗଢ଼ି ଉଠିବ ଅସଲ ମାନବଧର୍ମ । ରାମକୃଷ୍ଣ ପରମହଂସଙ୍କ ଉଦାହରଣ ଦିଅନ୍ତି । ଜାତିପ୍ରଥା, ସାଂପ୍ରଦାୟିକତା, ଅଜ୍ଞତା ଓ କୁସଂସ୍କାର କିପରି ଭାରତକୁ ଅନ୍ତଃସାରଶୂନ୍ୟ କରିଦେବାକୁ ବସିଲାଣି ସେଇ ବିଷୟ କହନ୍ତି । ସମୁଦାୟ ମଣିଷ ସମାଜ ଗୋଟିଏ ଜାତି । ଜାତି ନୁହେଁ, ପୁରୁଷକାର ହିଁ ଶକ୍ତିର ପ୍ରତୀକ । ବିବେକାନନ୍ଦ, ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟାନ୍ତ ଦିଅନ୍ତି-

 

ଧୁନିବାବାଙ୍କ ପ୍ରବଚନ କାହାକୁ ଭଲଲାଗେ, ଆଉ କାହାକୁ ଖରାପ । ଗାଁର ମହାଜନ ସତୀଶ ପାଲ୍ ଏବଂ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜକ ବିନାୟକ ଆଚାର୍ଯ୍ୟ ଧୁନିବାବାଙ୍କ ବିରୁଦ୍ଧରେ ଲୋକଙ୍କୁ କହନ୍ତି; କିନ୍ତୁ ଧୁନିବାବା ତନ୍ତ୍ରମନ୍ତ୍ର କରିଦିଅନ୍ତି ବୋଲି ସାଧାରଣ ଗ୍ରାମବାସୀମାନଙ୍କର ବିଶ୍ଵାସ । ସେଥିପାଇଁ ତାଙ୍କ ମତ ଗ୍ରାହ୍ୟ ନହେଲେ ସୁଦ୍ଧା ତାଙ୍କ ବିରୁଦ୍ଧରେ ଯିବାପାଇଁ କେହି ସାହସ କରନ୍ତି ନାହିଁ ।

 

ଅନେକ ରାତି ଯାଏଁ ଧୁନି ପାଖରେ ବସିଥିଲେ ଧୁନିବାବା ଏବଂ ଅନ୍ୟମାନେ । ହଠାତ୍ ନଦୀଆଡ଼ୁ କେହି ଜଣେ ଦୌଡ଼ି ଆସୁଥିବାର ଶବ୍ଦ ସମସ୍ତଙ୍କୁ ସତର୍କ ହେବାପାଇଁ ସଙ୍କେତ ଦେଲେ ଧୁନିବାବା । ଆଖି ପିଛଡ଼ାକେ ବିଶ୍ଵନାଥ ଓ କୃପାସିନ୍ଧୁ ଅଦୃଶ୍ୟ ହୋଇଗଲେ ପରିବ୍ୟାପ୍ତ ଅନ୍ଧାର ଭିତରେ । ସେଇ ଲୋକ ଧୁନିବାବାଙ୍କ ପାଦତଳେ ବସିପଡ଼ି କହିଲା–ବାବା, ମଧୁମାଷ୍ଟରଙ୍କୁ ପୁଲିସ୍ ଗିରଫ କରିନେଇଛି । ଭାଗ୍ୟ ଭଲ, ଜନ୍ମେଜୟ ଖସିଯାଇଚନ୍ତି; କିନ୍ତୁ ପଚାଶ ମାଇଲ୍ ବ୍ୟାସାର୍ଦ୍ଧ ଘେରିରହିଛି ପୁଲିସ୍ । ମିଲିଟାରୀ ସାହାଯ୍ୟ କରୁଛି । ଆଶ୍ରମ ଉପରେ ଚଢ଼ାଉ କରିପାରନ୍ତି ରାତିରେ-। ପ୍ୟାରେଲାଲ୍‍ଙ୍କଠାରୁ ସୂଚନା ପାଇ ଦଉଡ଼ି ଆସିଛି କହିବା ପାଇଁ ।

 

ଧୁନିବାବାଙ୍କ ଶାନ୍ତ ଚକ୍ଷୁ ଜଳିଉଠିଲା ଦପ୍‍ କରି । ସେ ଚିମୁଟା ଧରି ଉଠିପଡ଼ି କହିଲେ–ତୁ ଆଶ୍ରମ ଛାଡ଼ି ଚାଲି ନ ଗଲେ ବିପଦରେ ପଡ଼ିବାର ଆଶଙ୍କା ଅଛି । ଶୀଘ୍ର ଚାଲିଯା… ମୁଁ ମୋ କଥା ବୁଝିବି ।

 

ସେଇ ଲୋକ ଯେପରି ଅନ୍ଧାରରେ ଆସିଥିଲା ସେହିପରି ଅନ୍ଧାରରେ ଅଦୃଶ୍ୟ ହୋଇଗଲା । ଧୁନିବାବା ପଦ୍ମାସନରେ ବସି ଧ୍ୟାନସ୍ଥ ହେଲେ; କିନ୍ତୁ ଅଧଘଣ୍ଟାଏ ବିତିନଥିବ ଧୁନିବାବାଙ୍କ ଆଶ୍ରମର ଶାନ୍ତ ନୀରବତା ଭଙ୍ଗକରି ମାଡ଼ିଆସିଲେ ସଶସ୍ତ୍ର ପୁଲିସ୍‍ ବାହିନୀ । ହୁଇସିଲ୍‍ ବାଜିଉଠିଲା ଆଶ୍ରମର ଚତୁର୍ଦ୍ଦିଗରେ । ତଥାପି ଧୁନିବାବାଙ୍କର ଧ୍ୟାନ ଭଙ୍ଗ ହେଲାନାହିଁ ।

 

ଜଣେ ଶ୍ଵେତାଙ୍ଗ ଅଫିସର୍ ଚିତ୍କାର କରି ଉଠିଲା–ଶାଲା ଧପ୍‍ପାବାଜ୍...ସାଧୁ ନେହିଁ ଟେରୋରିଷ୍ଟ ହୈ…ଆରେଷ୍ଟ୍ ହିମ୍ ।

 

ବାୟୋନେଟ୍ ଉଞ୍ଚେଇ ଚାର୍ଜ କଲା ଢଙ୍ଗରେ ଜଣେ ଅଧସ୍ତନ ଅଫିସର ଆଗେଇଗଲା ଧୁନିବାବାଙ୍କ ଆଡ଼କୁ । ହଠାତ୍ ଗୋଟେ ତୀକ୍ଷ୍ଣ ଶବ୍ଦ ଶୁଣାଗଲା ଓ ତା’ ସଙ୍ଗେ ସଙ୍ଗେ ବାୟୋନେଟ୍ ଉଞ୍ଚେଇ ଆଗେଇଯାଉଥିବା ସଶସ୍ତ୍ର ପୁଲିସ୍ ଅଫିସର ଟଳିପଡ଼ିଲା ଭୂମି ଉପରେ । ଏତେ ଶୀଘ୍ର ତଡ଼ିତ ଗତିରେ ଏସବୁ ଘଟିଗଲା ଯେ କେଇ ମୁହୂର୍ତ୍ତ ପର୍ଯ୍ୟନ୍ତ କ’ଣ ହେଲା କେହି ଜାଣିପାରିଲେ ନାହିଁ ।

 

ଗର୍ଜନ କରିଉଠିଲା ସାହେବ–ଫାୟାର୍‍…ସଙ୍ଗେ ସଙ୍ଗେ ଥରେ ନୁହେଁ ତିନିଥର ଗୁଳି ଫୁଟିଲା । ପଦ୍ମାସନରେ ଶାନ୍ତ ମୁଦ୍ରାରେ ବସିଥିବା ଧୁନିବାବା ଟଳିପଡ଼ିଲେ ଗୁଳି ଚୋଟରେ ।

 

ଖଣ୍ଡଯୁଦ୍ଧ ଲାଗିଗଲା । ରାତିର ଅନ୍ଧାରରେ ପୁଲିସ୍ ବାହିନୀ ଜାଣିପାରୁ ନଥିଲେ ଆତତାୟୀର ଲକ୍ଷ୍ୟ ସମ୍ଵନ୍ଧରେ । ତେଣୁ ଆଖିବୁଜା ଗୁଳି ଚଳାଉଥିଲେ ଚାରିଆଡ଼କୁ ଲକ୍ଷ୍ୟକରି । ପ୍ରାୟ ଦଶମିନିଟ୍ ପରେ ପାଲଟା ଆକ୍ରମଣର ଆଉ କୌଣସି ସୂଚନା ନପାଇ ସାହେବ କହିଲା–ହି ଇଜ୍ ଡେଡ୍… ଥ୍ରୋ ହିମ୍ ଟୁ ଦ ରିଭର୍ ।

 

ଧୁନିବାବାଙ୍କ ଗୁଳିବିଦ୍ଧ ଶରୀରକୁ ନଦୀରେ ଭସାଇଦେଇ ବିଜୟୋଲ୍ଲାସରେ ଫେରିଗଲାବେଳେ ପୁଲିସ୍ ବାହିନୀ ପ୍ରତିଶୋଧ ନେବାପାଇଁ ଘରେ ଘରେ ପଶି ପୁରୁଷ ଲୋକଙ୍କ ଉପରେ ନିମର୍ମ ଆକ୍ରମଣ କଲା ,ଏବଂ ଅନେକ ଝିଅବୋହୂ ସେମାନଙ୍କ କାମାଗ୍ନିର ଶିକାର ହେଲେ-। ସେଦିନ ଭୋର ସକାଳେ ଲଜ୍ଜ୍ୟାରେ ଯେପରି ମେଘତଳେ ମୁହଁ ଢାଙ୍କିଥିଲେ ସୂର୍ଯ୍ୟଦେବ-

 

[ ୧୮ ]

 

ଶଙ୍କର ନିଜକୁ ଅତି ଅସହାୟ ମନେ କରୁଥିଲା । କାକାମାନେ ଥିଲେ, ମା’ ଥିଲେ, ତଥାପି ବାପାଙ୍କ ଅନୁପସ୍ଥିତି ତାକୁ ଯେ କିଛିଟା ହତୋତ୍ସାହ ଓ ନିରାଶ କରିନଥିଲା ଏପରି ନୁହେଁ । ଘରର ଅବସ୍ଥା ସ୍ଵଚ୍ଛଳ ନଥିଲା । ଦୁର୍ଦ୍ଦଶାର ଅନ୍ତ ନାହିଁ । ଭଉଣୀମାନେ ଚିରା ଲୁଗା ପିନ୍ଧି ବୁଲୁଛନ୍ତି । ପିଉସା ପ୍ରତିଦିନ ଖୋଜଖବର ନିଅନ୍ତି, ପିଉସୀ ତାକୁ ଡାକିନେଇ ଭଲମନ୍ଦ ଖୁଆଇ ଦିଅନ୍ତି, ବେଳେବେଳେ ଅଭାବ ଦେଖି ଚାଉଳ ଚୁଡ଼ା କି ପରିବା କିଛି ପଠାଇଦିଅନ୍ତି; କିନ୍ତୁ ମାଗି ଆଣିବା ତିଅଣରେ ଯେ ସଂସାର ଚଳେନାହିଁ ତାହା ବୁଝିବାର ବୟସ ଓ ବୁଦ୍ଧି ଅଛି ଶଙ୍କରର । ବେଳେବେଳେ ଉଦାସ ହୋଇଯାଏ ମନ । ଅନ୍ୟମନସ୍କତା ବେଳେବେଳେ ତାକୁ ଅନିର୍ଦ୍ଦିଷ୍ଟ କରିଦିଏ-। ପ୍ରତିଦିନ ଘଟୁଥିବା ଘଟଣା ଗୁଡ଼ାକୁ ଅନାସକ୍ତ ଭାବେ ସେ ଦେଖେ ବେଳେବେଳେ; କିନ୍ତୁ ଏସବୁ ସତ୍ତ୍ଵେ ସେ ଯେତେବେଳେ ମା’ ମୁହଁକୁ ଚାହିଁଦିଏ, ତାଙ୍କ ମୁହଁରୁ ପଦେ କଥା ଶୁଣି ଝାଉଁଳି ଯାଉଥିବା ଚେର ପୁଣି ପାଣି ଓ ଛାଇ ପାଇ ସତେଜ ହୋଇ ଉଠିବା ପରି ସେ ନିଜକୁ ନିଜେ ସଜାଡ଼ିନିଏ-। ସେଦିନ ନାରଣ ଯୋଗୀ କେନ୍ଦେରା ବଜାଇ ଗୀତ ଗାଇ ଭିକ୍ଷା ନେଇ ଚାଲିଗଲା ପରେ ସେ ଶୂନ୍ୟଦୃଷ୍ଟିରେ ଅନାଇଁ ରହିଥିବାବେଳେ ମା’ ପିଠି ଉପରେ ହାତ ବୁଲାଇ ଦେଇ କହିଲେ–ଏସବୁ ବାଧା ବିପତ୍ତିକୁ ଡରିଗଲେ ଚଳିବ ନାହିଁ ପୁଅ । ତୁ ମନ୍ତ୍ର ନେଇଛୁ ଲଢ଼ିବାପାଇଁ, ଦେଶକୁ ମୁକ୍ତ କରିବା ପାଇଁ । ସେଇ ମନ୍ତ୍ର ଭୁଲି ନ ଯାଉ ଯେପରି । ଅଭାବ ଅସୁବିଧା ଆଗକୁ ଯିବାର ବାଧକ ନୁହେଁ, ବରଂ ସେଇଠୁ ଆସେ ଅମାନିଆପଣ ଲଢ଼ିବା ପାଇଁ । ଏଇ ଦେଶର ଏତେ ଲୋକଙ୍କ ମୁହଁର ଭାଷା ଯେଉଁଦିନ ପଢ଼ିପାରିବୁ ସେଇଦିନ ତୁ ଆଉ ପଛକୁ ନ ଚାହିଁ, ଦ୍ଵିଧା ନକରି ମନ୍ତ୍ରସାଧନା କରିବୁ ଲକ୍ଷ୍ୟରେ ପହଞ୍ଚିବା ପାଇଁ । ତୋ’ ବାପା ସେଦିନ କହୁଥିଲେ ପରା ସେଇ ଗାନ୍ଧି ମହାତ୍ମାଙ୍କ କଥା । ସବୁଠାରୁ ସେଇ ଦରିଦ୍ର, ନିଃସହାୟ ମଣିଷଟିର ମୁହଁକୁ ଚାହିଁ, କ’ଣ କରିବ ଆପେ ଆପେ ନିଷ୍ପତ୍ତି ହୋଇଯିବ ମନରେ । କେବଳ ସାହସ ଦରକାର, ଆତ୍ମବିଶ୍ଵାସ ଲୋଡ଼ା ।

 

ଶଙ୍କର ତାଙ୍କ ଛାତି ଉପରେ ଆଉଜି ପଡ଼ିଲା ଆତ୍ମବିଶ୍ଵାସ ଫେରିପାଇବା ଆଶାରେ । ଅନେକ ଦିନ ହେଲା ପୁଅକୁ ଛାତି ଉପରେ ଜାକି ଧରିବାର ବେଳ ପାଇନଥିଲେ ପାର୍ବତୀ । ପୁଅ ବଡ଼ ହେଲାଣି, କଲେଜରେ ପଢ଼ୁଛି । ସେ ଆଉ କୋଡ଼ପୋଛା ପୁଅ ପରି ତାଙ୍କ ସାଙ୍ଗରେ ଶୁଏ ନାହିଁ, ବେଳ–ଅବେଳରେ ଅଳିଅର୍ଦ୍ଦଳି କରେନାହିଁ । ବୁଝିପାରିବାର ବୟସ ଏଇଟା; କିନ୍ତୁ ବୟସ ତ ବଢ଼େନି ମା’ ଆଖିରେ ! ସନ୍ତାନ ସବୁଦିନ ସସେଇ ଅସହାୟ ଶିଶୁ ହୋଇ ରହିଯାଏ ।

 

ମା’ ପୁଅଙ୍କୁ ସେଇ ଅବସ୍ଥାରେ ଦେଖି ବଡ଼ଝିଅ ଭାଷା କହିଲା–ସେ ଏଡ଼େଟିଏ ହେଲାଣି, ଛୁଆ ହୋଇଛି ଯେ ତାକୁ ଗେଲ କରୁଛୁ ମା’…ଆମେ ତେଣେ ବସିଛୁ ଖାଇବାପାଇଁ…ଭୋକ ହେଲାଣି ଯେ…

 

ପାର୍ବତୀଙ୍କର ହେଜନଥିଲା ଏକଥା । ବେଳ ତିନିଘଡ଼ି ହେଲାଣି ଏଯାଏଁ ଜଳଖିଆ ଖାଇ ନାହାନ୍ତି ପିଲାମାନେ । ସେ ଉଠିପଡ଼ି କହିଲେ–ତୋତେ ବି ଭୋକ କରୁଥିବ…ଆ ବାପା; କିନ୍ତୁ ଉଠିଯିବାବେଳେ ତାଙ୍କର ଆହୁରି ବି ମନେ ପଡ଼ିଗଲା ଯେ ସକାଳ ଜଳଖିଆ ପରେ ଆଉ ମୁଢ଼ି ମୁଠାଏ ନଥିବ ଟିଣ ଭିତରେ । ଧାନ ନାହିଁ–କରଜ ଆଣିଲେ ଉଷୁଆଁ ହେବ ।

 

ପାର୍ବତୀ ପୁଅ ପାଖକୁ ଲାଗିଆସି କହିଲେ–ଖାଇସାରି ଟିକେ କୈଳାସ ଘରକୁ ଯା ବାପା । ସେ ତ ଜାଣନ୍ତି ସବୁ । ଦୁଇ–ତିନି ବସ୍ତା ଧାନ ନଦେଲେ ଘର ଅଚଳ ହୋଇଯିବ । କହିବୁ ମୁଁ କହିଛି–ମନା ନ କରନ୍ତି ଯେପରି । ତୋ ବାପା ଆସିଲେ ବୁଝିବେ ସବୁ ।

 

ପିଲାମାନଙ୍କୁ ଜଳଖିଆ ବାଢ଼ିଦେଲେ ପାର୍ବତୀ–ମୁଢ଼ି, ପିଆଜ, ଲୁଣ । ଦୁଧ କି ଘିଅ ଥିଲେ ଦେଇଥାନ୍ତେ । ଅମ୍ଵି ଗଉଡ଼ୁଣୀ ଆସିଥିଲା; କିନ୍ତୁ ତାକୁ ଦେବାପାଇଁ ପଇସା କି ଧାନ ଘରେ ନାହିଁ ବୋଲି ଫେରାଇ ଦେଇଥିଲେ । ସୋରିଷତେଲ ବୁନ୍ଦାଏ ବୁନ୍ଦାଏ ମୁଢ଼ି ଉପରେ ଢାଳିଦେଲାବେଳେ ଛାତି ଭିତରଟା କରତି ହୋଇଗଲା ତାଙ୍କର । ଦୁଧ ଦହି ନପାଇ, ଭଲମନ୍ଦ ନଖାଇ ଛୁଆଗୁଡ଼ା ରୋଗା ହୋଇଗଲେଣି । ଆଖି ଛଳ ଛଳ ହୋଇଗଲା ପାର୍ବତୀଙ୍କର । ସେ ନିରୁପାୟ । ମା’ ଭଗବତୀ ଯାହା କରିବେ ।

 

କିନ୍ତୁ ଶଙ୍କର ଧାନ କରଜ ଆଣିବାପାଇଁ କୈଳାସ ଘରକୁ ବାହାରିଯିବା ପୂର୍ବରୁ ଦ୍ଵାରମୁହଁରେ ହୁରୁଷୀର ସ୍ଵର ଶୁଣାଗଲା । ପାର୍ବତୀ ଆଡ଼ ହୋଇଗଲେ । କାହିଁକି କେଜାଣି ଏଇ ଲୋକଟାର ମୁହଁ ଦେଖିବାକୁ ବି ଭୟଲାଗେ ତାଙ୍କୁ । ହୁରୁଷୀ ଦାଣ୍ଡଦୁଆରେ ଠିଆହୋଇ ସମସ୍ତଙ୍କୁ ଶୁଣେଇବା ପରି କହିଲେ–“ଖବର ପାଇଥିବ ନିଶ୍ଚୟ, ତଥାପି ମନ ମାନିଲା ନାହିଁ ବୋଲି ଦଉଡ଼ି ଆସିଲି । ଯେତେହେଲେ ବଡ଼ଭାଇ ତ…ଭଲମନ୍ଦ ବୁଝିବା ପାଇଁ ମନଟା ଆଉଟ ପାଉଟ ହେଉଥିଲା-।’’

 

–କ’ଣ ହେଲା କାକା ? ଶଙ୍କର ପଚାରିଦେଲା ।

 

–ହବ ଆଉ କ’ଣରେ ଶଙ୍କର ? ଏଣ୍ଡୁଅର ଦଉଡ଼ ବାରୁଣାମୁଣ୍ଡାଯାଏ । ସେଇ ଗୋଟିଏ ଜାଗା ଜେଲ୍‍ଖାନା । ସେଇଠି ଭର୍ତ୍ତି କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯାଏ ବୋଲି ଭାବନ୍ତି ଗୋରା ସାଇବମାନେ ।

 

–କାହାକୁ ଜେଲ୍‍ ରେ ଭର୍ତ୍ତିକଲେ । ଶଙ୍କିତ ହୋଇ ପଚାରିଲା ଶଙ୍କର ।

 

–ଆଉ କାହାକୁ ? ଯୋଉମାନେ ବନ୍ଦେ ମାତରମ୍ କହୁଥିଲେ…ଗାନ୍ଧି ମହାତ୍ମାଙ୍କ ନାମ ଧରି ତ୍ରିରଙ୍ଗା ପତାକା ଉଡ଼ାଉଥିଲେ…ସୂତାକାଟି ଖଦଡ଼ ପିନ୍ଧି ଦେଶକୁ ସାଇବଠାରୁ ମୁକୁଳାଇବା ଲାଗି ଲଢ଼ୁଥିଲେ ।

 

ଆକାଶ ଫର୍ଚ୍ଚା ହୋଇଆସିବାପରି ସବୁକଥା ସ୍ପଷ୍ଟ ହୋଇଆସୁଥିଲା । ଶଙ୍କର କହିଲା–ଦେଶକାମ କରି ଜେଲ ଯିବା ତ ପୂଣ୍ୟ କଥା କାକା…ଆଉ ଡରୁଛି କିଏ ଏଇ ସାହେବମାନଙ୍କୁ ?

 

ତା’ ସ୍ଵରର ଦୃଢ଼ତାରେ ଟିକେ ଚକିତ ହେଲା ହୁରୁଷୀ । ତା’ପରେ ସ୍ଵର ନରମ କହିଲା–ତଥାପି ନିଜଲୋକ ବୋଲି ଦଉଡ଼ି ଆସିଥିଲି କହିବାପାଇଁ ଯେ ଧୁନିବାବାର ଆଶ୍ରମକୁ ଜାଳି ଦେଇଛନ୍ତି ସାହେବମାନେ । ବିଦ୍ରୋହୀମାନେ ଗିରଫ ହୋଇଛନ୍ତି । ବିଶୁନନା କୁରୁପାକୁ ବି ଚାଲାଣ କରିଛି ପୁଲିସ୍ । ହୁଏତ ମୋ ଶୁଣିବା କଥା ମିଛ ବି ହୋଇପାରେ ।

 

ଏତିକି କହିଦେଇ ଆଉ କାଳବିଳମ୍ଵ ନକରି ଫେରିପଡ଼ି ଗୀତ ଧରିଲା ହୁରୁଷୀ–ନଟ ନାଗର ହେ, କେତେ ନାଟ ଲଗାଉଛ କହ…

 

ସେ ଚାଲିଯିବା ପରେ ଭୂକମ୍ପରେ ଧୂଳିସାତ୍‍ ଧରଣୀ ପରି ନିର୍ବାକ୍‍ ନିସ୍ପନ୍ଦ ଭାବେ ଛିଡ଼ାହୋଇରହିଲେ ପାର୍ବତୀ । ତାଙ୍କୁ ଖଟ ଉପରେ ବସାଇଦେଇ କହିଲା ଶଙ୍କର–ଦେଶପାଇଁ ଦଶପାଇଁ ଦଧୀଚି ଆତ୍ମାହୁତି ଦେଇ ଅସ୍ଥିଦାନ କରିଥିଲେ । ମା’ ତୁମେ ତ କହିଥିଲ ଏଇ କାହାଣୀ । ଆଉ ସେଇ ଦେଶର ଚାଳିଶିକୋଟି ଲୋକଙ୍କ ମୁକ୍ତିଯୁଦ୍ଧରେ ଯୋଗଦେଇ ବାପା ଯଦି ଜେଲ୍‍ ଯାଆନ୍ତି ତେବେ ଦୁଃଖ କରିବ କାହିଁକି, ଭାଙ୍ଗିପଡ଼ିବ କାହିଁକି ? ବରଂ ସଙ୍କଟ ସମୟରେ ବଟଗଛପରି ଦୃଢ଼ଭାବେ ଉର୍ଦ୍ଧ୍ୱମୁଖୀ ହୋଇ ଛିଡ଼ାହେବାପାଇଁ କହିଛନ୍ତି ବାପା । ବରଗଛ ଉପୁଡ଼ି ପଡ଼ିଲେ ତା’ ଛାୟା ଆଉ ମିଳେନାହିଁ, ତା’ ଶାଖାପ୍ରଶାଖାରେ ବସାବାନ୍ଧି ନିର୍ଭୟରେ ନିଶ୍ଚିନ୍ତରେ ରହୁଥିବା ଚଢ଼େଇମାନେ ଆଶ୍ରା ପାଆନ୍ତି ନାହିଁ । ତୁମେ ଦୃଢ଼ ହୁଅ । ମୁକ୍ତିମନ୍ତ୍ର ନେଇଛ…ଦେଶସେବାର ବ୍ରତ ଗ୍ରହଣ କରିଛ…

 

ଝରିପଡ଼ୁଥିବା ଲୁହ ପୋଛିନେଇ ପାର୍ବତୀ ବାଷ୍ପାକୁଳ କଣ୍ଠରେ କହିଲେ–ନା, ମୁଁ କାନ୍ଦିବି ନାହିଁ, ଦୁଃଖରେ ମୁହଁ ମାଡ଼ି ପଡ଼ି ରହିବି ନାହିଁ, ବରଂ ଯେମିତି କିଛି ହୋଇନି ସେହିପରି ବଞ୍ଚିରହିବି-

 

ଶଙ୍କର ଚାଲିଗଲା ଧାନ କରଜ ଆଣିବାପାଇଁ । ପାର୍ବତୀ ଲାଗିଗଲେ ଘରକାମରେ । ଟିକେ ପରେ ଜଣେ ଅଚିହ୍ନା ଲୋକକୁ ଦ୍ଵାର ମୁହଁରେ ଦେଖି ଉଷା ଖବରଦେଲା ମା’ଙ୍କୁ । ପାର୍ବତୀ କବାଟ ଉହାଡ଼ରୁ କହିଲେ–କାହାକୁ ଖୋଜୁଛ ?

 

ସେଇ ଅଚିହ୍ନା ଲୋକଟି ଆଉ ଟିକେ ଆଗେଇଆସି ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କରି କହିଲା–ମା’, ମୋ ନାମ ଅଭୟ, ଧୁନିବାବାଙ୍କ ଆଶ୍ରମରୁ ଆସିଛି ।

 

ପାର୍ବତୀ ତାକୁ ଭିତରକୁ ଡାକିନେଇ କହିଲେ–କିଛି ଖବର ଆଣିଛ ବାପା ?

 

–ହଁ ମା’, ସେଇଥିପାଇଁ ତ ଆସିଛି । ଧୁନିବାବା ପୁଲିସ୍ ଗୁଳିରେ ନିହତ ହେଲେ । ଦେଶପାଇଁ ହସିହସି ସ୍ଵର୍ଗକୁ ଗଲେ । ସ୍ଵାଧୀନତା ସଂଗ୍ରାମରେ ଆଉ ପାଦେ ଆଗେଇଲା ଦେଶ; କିନ୍ତୁ ସାହେବ ଏତେ ସହଜରେ ହାର୍‍ ମାନିବ ନାହିଁ ମା’…ସେ ଅଞ୍ଚଳର ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଛି ।

 

–ମହାରାଜା ବାରଣ କରୁନାହାଁନ୍ତି ?

 

ମହାରାଜା ତ ବ୍ରିଟିଶ୍ ସମ୍ରାଟ ନୁହଁନ୍ତି ମା’ । ସୂର୍ଯ୍ୟାସ୍ତ ହେଉନଥିବା ବ୍ରିଟିଶ୍‍ ସାମ୍ରାଜ୍ୟର ମହାମହିମ ସେ । ସମ୍ରାଟ୍‍ ବଦଳନ୍ତି; କିନ୍ତୁ ସିଂହାସନର ବିଲୟ ହୁଏ ନାହିଁ । ତା’ପରେ ପ୍ରସଙ୍ଗ ଘେରକୁ ଆସି କହିଲା ଅଭୟ-ମଉସା କୃପାସିନ୍ଧୁଙ୍କ ସହିତ ଗିରଫ ହୋଇଥିଲେ ଶୀର୍ଷାଃ ପାଖରେ । ସେମାନଙ୍କୁ ପୁଲିସ୍‍ ଘେରରେ ରଖି ସଶସ୍ତ୍ର ପୁଲିସ୍ ଗାଁ ଭିତରକୁ ଯାଇଥିବା ସମୟରେ ଜନ୍ମେଜୟଙ୍କ ବନ୍ଦେ ମାତରମ୍ ବାହିନୀ ଅତି ଅଚାନକ ଆକ୍ରମଣ କରି ସେମାନଙ୍କୁ ଛଡ଼ାଇନେଇ ସୀମା ପାରହୋଇ ଚାଲିଯାଇଛନ୍ତି । କେଉଁଠାରେ ଅଛନ୍ତି ସେମାନେ ମୁଁ ବି ଜାଣେ ନାହିଁ । ତେବେ ଆପଣ ଏତିକି ଜାଣି ନିଶ୍ଚିନ୍ତ ରହନ୍ତୁ ଯେ ସେମାନେ ନିରାପଦରେ ଅକ୍ଷତ ଅବସ୍ଥାରେ ଅଛନ୍ତି ।

 

ପାର୍ବତୀ ହାତଯୋଡ଼ି ପ୍ରଣାମ କଲେ ଭୁବନେଶ୍ଵରୀଙ୍କୁ । ତାଙ୍କ ହାତକୁ ଗୋଟେ କାଗଜ ଲଫାପା ବଢ଼ାଇଦେଇ କହିଲା ଅଭୟ–ଏ ଭିତରେ କିଛି ଟଙ୍କା ଅଛି ମା’ । ଜନ୍ମେଜୟ ପଠେଇଛନ୍ତି-। ଆପଣ ରଖନ୍ତୁ । କିଛି ଖବର ଦେଲେ ଯଥାସ୍ଥାନରେ ପହଞ୍ଚାଇ ଦେବାର ଦାୟିତ୍ଵ ମୋର-

 

ପାର୍ବତୀ କହିଲେ–ତୁମେ ତ ସବୁ ଦେଖିଗଲ ବାପା । ଦୁଃଖେସୁଖେ ଚଳିଯାଉଛୁ । ସେମାନେ ନିରାପଦରେ ରହନ୍ତୁ, ସଂଗ୍ରାମରେ ବିଜୟ ହୁଅନ୍ତୁ ଏତିକି ପ୍ରାର୍ଥନା କରୁଛି ବାପା ।

 

ଅଭୟ ତା’ପରେ ଫିସ୍‍ଫିସ୍‍ କରି କହିଲା–ଯଦି କେହି ମୋ କଥା ପଚାରେ ତେବେ କହିଦେବ ଯେ ମୁଁ ଆପଣଙ୍କ ବାପଘର ଗାଆଁର । ଖଇରବଣୀ ଯାଇଥିଲି ଗୋଟେ ବାହାଘର ପ୍ରସ୍ତାବ ନେଇ । ଏଇ ବାଟଦେଇ ଫେରିବାବେଳେ ପଶିଗଲି ସମସ୍ତଙ୍କୁ ଦେଖିଯିବାପାଇଁ । ଆଉ ମୋ ନାମ ଅଭୟ… ଗାଁର ଲେଖାଯୋଖା ସମ୍ପର୍କରେ ପୁତୁରା ।

 

ପାର୍ବତୀ ମୁଣ୍ଡ ହଲାଇ କହିଲେ–ଏମିତି ଖାଲି ଚାଲିଯାଇପାରିବନି । ବାପା…ମୁଢ଼ି ମୁଠେ ଖାଇଯାଅ । ଗୋଟେ ଛୋଟ କଂସାରେ କିଛି ମୁଢ଼ି, ତା’ ଉପରେ ଟିକେ ସୋରିଷ ତେଲ, ଗୋଟିଏ ପତରଠୋଲାରେ ପିଆଜ, କଞ୍ଚାଲଙ୍କା, ଲୁଣ ଅଭୟ ଆଗରେ ବାଢ଼ିଦେଇ କହିଲେ–ତମେ ଏମିତି ସମୟରେ ଆସିଲ ଯେ ଚର୍ଚ୍ଚା କରିବାର ସୁଯୋଗ ପାଇଲି ନାହିଁ ବାପା ।

 

ପରମତୃପ୍ତିରେ ଆହାର ଶେଷକରି କହିଲା ଅଭୟ–ଶଙ୍କର ଘରେ ନାହିଁ ?

 

–ଆସୁଥିବ…ମହାଜନ ଘରକୁ ଯାଇଚି ଧାନ ଆଣିବାପାଇଁ ।

 

ତାଙ୍କ ତୁଣ୍ଡର କଥା ସରିବାବେଳକୁ ଶଙ୍କର ଆସିବାର ପାଦଶବ୍ଦ ଶୁଭିଲା । ଘର ଭିତରେ ଧାନବସ୍ତାଟା ରଖିଦେଇ ସେ ଅଭୟର ମୁହଁକୁ ପ୍ରଶ୍ନିଳ ଦୃଷ୍ଟରେ ଚାହିଁବାବେଳକୁ ଅଭୟ କହିଲା–ତୁମକୁ ଅପେକ୍ଷା କରୁଥିଲି ଭାଇ । ମା’ଙ୍କୁ ସବୁ କିଛି, ତାଙ୍କରି ମୁହଁରୁ ଶୁଣିବ…ସମୟ ନାହିଁ, ମୁଁ ଯାଉଛି । ହଁ, ଆଉ ଗୋଟେ କଥା…ତମେ ଏପରି ଖୋଲାଖୋଲି ରହିବା ନିରାପଦ ନୁହେଁ…ବରଂ କିଛିଦିନ ପାଇଁ ଆତ୍ମଗୋପନ କର…ଶିମିଳିପାଳ କିମ୍ଵା ଅନ୍ୟତ୍ର ଚାଲିଯାଅ…କେଉଁ ମୁହୂର୍ତ୍ତରେ ଧରାହେବ କିଏ ଜାଣେ ?

 

ଶଙ୍କର କହିଲା–ସେଥିପାଇଁ ଭୟ ନାହିଁ … ମୁଁ ଘର ଛାଡ଼ି ଚାଲିଗଲେ ମା’ ଭାଙ୍ଗିପଡ଼ିବେ-

 

–ମୁଁ ମନକୁ କହିନାହିଁ … ଜନ୍ମେଜୟଙ୍କ ଆଦେଶ ।

 

ଶଙ୍କର ମଥା ନୁଆଁଇ କହିଲା–ଆଜ୍ଞା ଶିରୋଧାର୍ଯ୍ୟ । ତମେ କହିଦେବ ମୁଁ ତାଙ୍କ ଆଜ୍ଞା ମାନି ଚଳିବି… ବରଂ ତାଙ୍କ ନିରାପତ୍ତା ହିଁ ଆମ ସମସ୍ତଙ୍କର କାମ୍ୟ ।

 

ଅଭୟ ଚାଲିଗଲାପରେ ଶଙ୍କର ମାଆଙ୍କୁ ଏକାନ୍ତରେ ସବୁ କହିଲା ଏବଂ ତାଙ୍କ ପାଦ ଛୁଇଁ ପ୍ରଣାମ କଲା । ତାକୁ ଆଶୀର୍ବାଦ କରି କହିଲେ ପାର୍ବତୀ–ଆଉ ତା’ହେଲେ ବିଳମ୍ଵ କରିବୁ କାହିଁକି ? ଆଜି ବାହାରି ଯାଇପାରୁ ।

 

ସେହିଦିନ ସନ୍ଧ୍ୟାରେ ବାରିପଦା ଆଡ଼କୁ ଯାଇଛି କହି ଶଙ୍କର ସଡ଼କ ପାରହୋଇ ପାଣିଶାଳ ରାସ୍ତା ଧରିଲା । ସେ ଜାଣିଥିଲା ଯେ ସେଠାରେ ନଦୀ ପାରହୋଇ ଶିମିଳିପାଳ ଆଡ଼କୁ ଯିବା କଷ୍ଟକର ହେବନାହିଁ; ଯିବା ଆଗରୁ କିନ୍ତୁ ଗାୟତ୍ରୀ ସହିତ ଆଉ ଦେଖାକରିବା ସମ୍ଭବ ହେଲାନାହିଁ କି ଚାନ୍ଦାରାଓଙ୍କୁ ସବୁକଥା କହିବାପାଇଁ ସୁବିଧା ମିଳିଲା ନାହିଁ । ତଥାପି ସେ ନିଶ୍ଚିତ ଥିଲା ଯେ ଚାନ୍ଦାରାଓ ସବୁ ଜାଣିବେ ଏବଂ ଗାୟତ୍ରୀ ବି ଧୀରେ ଧୀରେ ସବୁ ବୁଝିଯିବ ।

 

ବିପ୍ଳବର ବାଟ ଏହିପରି । ସବୁ ପ୍ରିୟଜନଙ୍କ ଆଦର ଓ ଆକର୍ଷଣଠାରୁ ଆଦର୍ଶ ଏବଂ ଜନନୀ ଜନ୍ମଭୂମି ହିଁ ବଡ଼ । ସେଥିପାଇଁ ସୁଖ ସମ୍ଭୋଗ ଓ ସବୁ ସ୍ନେହ ସୋହାଗଠାରୁ ଜନ୍ମଭୂମିର ସେବା ଅନେକ ବଡ଼ ଅନେକ ମହାନ୍ ।

 

[ ୧୯ ]

 

ଜନ୍ମେଜୟ ଶରତ୍‍ର ନିର୍ମଳ ଆକାଶକୁ ଚାହିଁଲେ । ଯୁଦ୍ଧର ଗତି ବଦଳିବାରେ ଲାଗିଛି । ରୁଷିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ନିଜ ହାତରେ ନିଜର ମୃତ୍ୟୁ ପରଓ୍ଵାନା ଲେଖିଦେଇଛି ହିଟଲର୍ । ସାରା ଜଗତ ସର୍ବହରାମାନଙ୍କୁ ଏକତ୍ର କରିବା ପାଇଁ ରୁଷ ଉପରେ ନାଜୀ ଜର୍ମାନୀର ଆକ୍ରମଣ ପ୍ରଥମ ପାହାଚ ବୋଲି ଭାବୁଛନ୍ତି ଜନ୍ମେଜୟ ।

 

ପଳେଇ ପଳେଇ ଆଉ କେତେଦିନ ବୁଲିବେ ? କେତେଦିନ ଆତ୍ମଗୋପନ କରିବେ ? ହଠାତ୍ ରେଡ଼ିଓରେ ଭାସି ଆସିଲା ପୂର୍ବ ରଣାଙ୍ଗନର ଦୃଶ୍ୟ । ଜାପାନ ମଧ୍ୟ ଆଗେଇ ଆସୁଛି ଭାରତ ଭୂଖଣ୍ଡ ଆଡ଼କୁ । ମନେ ପଡ଼ିଯାଉଛି ମହାନ୍ ବିପ୍ଳବୀ ଅରବିନ୍ଦଙ୍କ ବାଣୀ–ଭାରତ ଚିରଦିନ ପରପଦାନତ ହୋଇ ରହିବା ପାଇଁ ଜନ୍ମ ହୋଇନାହିଁ । ପରାଧୀନ ଭାରତ ପୁଣି ସ୍ଵାଧୀନ ହେବ, ପୁଣି ଭାରତର ଅମର ଆତ୍ମା ଝଲସି ଉଠିବ ଜଗତ ଆଗରେ ।

 

କିନ୍ତୁ ବିପର୍ଯ୍ୟୟ ପରେ ବିପର୍ଯ୍ୟୟର ସମ୍ଵାଦ ଶୁଣି ମଧ୍ୟ କାହିଁକି କେଜାଣି ମନ ସଙ୍କୁଚିତ ହେଉନାହିଁ, ବରଂ ବିସ୍ଫାରିତ ହେଉଛି । କିଏ ଯେପରି କାନେ କାନେ କହିଦେଉଛି–ଆଉ ବେଶୀ ଡେରି ନାହିଁ…ସ୍ଵାଧୀନତାର ସୂର୍ଯ୍ୟ ଜନ୍ମ ନେଉଛି ଅନ୍ଧକାରର ଗର୍ଭରେ । ମାତୃଗର୍ଭରେ ଭ୍ରୂଣ ସଂସ୍ଥାପିତ ହେବାର ଅମୃତମୟ ମୁହୂର୍ତ୍ତ ପରି ସଞ୍ଚରି ଯାଉଛି ଆନନ୍ଦ ଭୂମିରୁ ଭୂମା ପର୍ଯ୍ୟନ୍ତ ।

 

ଶରତ୍ ଆକାଶର ବକ୍ଷ ବିଦୀର୍ଣ୍ଣକରି ପୂର୍ବଦିଗକୁ ଉଡ଼ିଗଲେ କେତୋଟି ଉଡ଼ାଜାହାଜ । ଯୁଦ୍ଧଜାହାଜ ବୋଧହୁଏ । ଏଇ କେତେଦିନ ହେଲା ଆକାଶପଥ ଚଞ୍ଚଳ ହୋଇଉଠିଛି । ପୂର୍ବ ରଣାଙ୍ଗନରେ ଭାରତ ଆଡ଼କୁ ଅଗ୍ରସର ହେଉଥିବା ଜାପାନୀମାନଙ୍କୁ ପ୍ରତିହତ କରିବାପାଇଁ ପାଲଟା ଆକ୍ରମଣ କରୁଛନ୍ତି ମିତ୍ରପକ୍ଷର ସୈନ୍ୟମାନେ । ଦୁର୍ବଳ ହୋଇଯାଇଥିବା ବ୍ରିଟିଶ୍ ସୈନ୍ୟବଳ ଆମେରିକାର ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ସମାବେଶ ଯୋଗୁ ଶକ୍ତିଶାଳୀ ହୋଇ ଉଠିଛି । ଏଇ ପ୍ରକୃତ ସମୟ ବ୍ରିଟିଶ୍ ଶାସନର ମୂଳଦୁଆକୁ ଆଉ ଟିକେ ଦୋହଲାଇ ଦେବାପାଇଁ । ଶତ୍ରୁର ମୁକାବିଲା କରିବାଲାଗି ସମସ୍ତ ଶକ୍ତି ବିନିଯୋଗ କରି ଲଢ଼ୁଥିବା ଶାସନକୁ ଏଇ ଦୁଃଖ ସମୟରେ ମାଡ଼େ ଦେବା ଦରକାର । ଉରୁଭଙ୍ଗ ନହେବା ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ଥିଲା ଦୁର୍ଦ୍ଦମନୀୟ । ଜନ୍ମେଜୟ ବୁଡ଼ିଗଲେ ନୂତନ ଚିନ୍ତାରେ ।

 

ଗୋପୀବଲ୍ଲଭପୁର ନିରାପଦ ସ୍ଥାନ ନୁହେଁ ତାଙ୍କପାଇଁ । ବିପ୍ଳବୀମାନଙ୍କ ଚାରଣଭୂଇଁ ବୋଲି ସନ୍ଦେହ କରି ପୁଲିସ୍କଡ଼ା ନଜର ରଖିଥାଏ ନୟାବସାଣ ଆଉ ଗୋପୀବଲ୍ଲଭପୁର ଊପରେ । ମୟୂରଭଞ୍ଜ ମହାରାଜାଙ୍କ ଜମିଦାରୀର ଅନ୍ତର୍ଭୁକ୍ତ ଏଇ ଅଞ୍ଚଳ । ବଙ୍ଗର ବିପ୍ଳବୀମାନେ ନଦୀ ପାରହୋଇ ସହଜରେ ଚାଲିଆସନ୍ତି ଏଠାକୁ ଆତ୍ମଗୋପନ କରିବା ପାଇଁ; କିନ୍ତୁ ଗତବର୍ଷ ଗୋପୀବଲ୍ଲଭପୁରରୁ ଅର୍ଜୁନ ଲୋଧା, ଜୀବନ ମହାପାତ୍ର ଏବଂ ନାସୀରୁଦ୍ଦିନ୍ ଗିରଫ ହେବା ପରେ କିଛିସମୟପାଇଁ ବିପ୍ଳବୀମାନଙ୍କ କାର୍ଯ୍ୟକ୍ରମ ଶିଥିଳ ହୋଇଯାଇଥିଲା, ମନୋବଳ ବି ହୁଗୁଳା ହୋଇଯାଇଥିଲା; କିନ୍ତୁ ତିନିଚାରିମାସ ମଧ୍ୟରେ ପୁନର୍ବାର ସଂଗଠିତ ହୋଇଯାଇଥିଲେ ସେମାନେ । ସେଇ ପୁନର୍ଗଠିତ ବିପ୍ଳବୀ ଦଳର ନାୟକ ଥିଲେ ଜନ୍ମେଜୟ ।

 

ସେଇ ରାତି କୁଆଁତାରା ଉଠିବାବେଳକୁ ଆଉ ଏକ ନିରାପଦ ସ୍ଥାନ ଉଦ୍ଦେଶ୍ୟରେ ଗୋପୀବଲ୍ଲଭପୁର ତ୍ୟାଗକଲେ ଜନ୍ମେଜୟ । ସାଙ୍ଗରେ ଥିଲା ମହେଶ । ସୁବର୍ଣ୍ଣରେଖା ପାରିହୋଇ ମୟୂରଭଞ୍ଜ ଭିତରକୁ ପ୍ରବେଶ କଲାବେଳକୁ ପୂର୍ବକାଶରେ ରକ୍ତିମ ଆଭା ଉକୁଟି ଉଠିଥିଲା । ପୂର୍ବ ଯୋଜନା ଅନୁସାରେ ବଡ଼ଦେଉଳିର ବଡ଼ ବ୍ୟବସାୟୀ ଶୋଭାକର ସାହୁର ଗୋଦାମ ଘରେ ପହଞ୍ଚଥିବାବେଳକୁ ପୂର୍ବାହ୍ନ ନଅଟା ।

 

ଗୋଦାମ ଘର ମହୁଲ, କଚଡ଼ା, କଷାଫଳ, ହରଡ଼, ଧାନରେ ଭର୍ତ୍ତି । ଏସବୁ ଜିନିଷ ଅମଳ ସମୟରେ ସଂଗ୍ରହ କରି ପରେ ବାହାର ବ୍ୟବସାୟୀମାନଙ୍କୁ ବିକ୍ରି କରନ୍ତି ଶୋଭାକର । ବେଶ୍ କିଛି ଲାଭହୁଏ ଏଇ କାରବାରରେ । ଗୋଦାମଘର ପଛରେ ଗୋରୁ ମଇଁଷି ରହିବାପାଇଁ ଗୋଟେ ବଡ଼ ଗୁହାଳ । ସେଇ ଗୋରୁ ଓ ମଇଁଷିଙ୍କ ଯତ୍ନ ନେବାପାଇଁ ସେମାନଙ୍କୁ ନିଯୁକ୍ତ କରିଥିବା କଥା ଶୋଭାକର କହିଲେ ଘରେ ବାହାରେ । କୁଣ୍ଡା, ଚୋକଡ଼, କୁଟା ରହୁଥିବା କୋଠରୀକୁ ଲାଗି ଲୁହାଲକ୍କଡ୍‍ ଥିବା ଆଉ ଗୋଟେ ଅପ୍ରଶସ୍ତ କୋଠରୀ ସଫା କରି ସେଇଠି ରହିଗଲେ ଜନ୍ମେଜୟ । ଦିନବେଳେ ପ୍ରାୟ ପଦାକୁ ବାହାରନ୍ତି ନାହିଁ । ରାତିରେ ବାହାରକୁ ଆସନ୍ତି ଟିକେ ବୁଲାବୁଲି କରିବାପାଇଁ ବନ୍ଧକୁ ଯାଇ ନିରୋଳାରେ ସାଥୀ ଓ ଶିଷ୍ୟମାନଙ୍କ ସହିତ ଆଳାପ ଆଲୋଚନା କରନ୍ତି ରଣକୌଶଳ ସମ୍ଵନ୍ଧରେ ।

 

ଲୁହା ତାତିଥିବାବେଳେ ତା’ଉପରେ ପାହାର ପଡ଼ିଲେ କାମ ହୁଏ, ଯେପରି ଇଚ୍ଛା ସେହିପରି ଜିନିଷଟିଏ ଗଢ଼ି ହୁଏ । ଜାପାନୀ ଆକ୍ରମଣର ମୁକାବିଲା କରୁଥିବା ବିଦେଶୀ ସରକାରର ଶକ୍ତି କ୍ଷୟ କରିବାଲାଗି ସବୁ ଚେଷ୍ଟା କରିବା ଥିଲା ବିପ୍ଳବୀମାନଙ୍କର କାର୍ଯ୍ୟ ।

 

ଲୋଧାମାନଙ୍କ ସାହସ ଓ ଶକ୍ତିକୁ ସେଇ କାର୍ଯ୍ୟରେ ବିନିଯୋଗ କରିବାପାଇଁ ନିଷ୍ପତ୍ତି ନେଇ ସେମାନଙ୍କୁ ସଂଗଠିତ କରିବାରେ ଲାଗିଗଲେ ଜନ୍ମେଜୟ । ଲୋଧାମାନେ ଦୁର୍ଦ୍ଧର୍ଷ, ଶକ୍ତିଶାଳୀ । ସେମାନଙ୍କୁ ସ୍ଵତନ୍ତ୍ର ଜୀବନଶୈଳୀ ଉପରେ ବ୍ରିଟିଶ୍ ଶାସକ ହସ୍ତକ୍ଷେପ କରିଥିବାରୁ ସେମାନେ ଅସନ୍ତୁଷ୍ଟ ଥିଲେ ବହୁକାଳୁ । ବଣରେ ଅବାଧ ଶିକାର କରିବା, ଶର ଧନୁ ଓ ମାରଣାସ୍ତ୍ରର ବ୍ୟବହାର ଶିକ୍ଷାକରିବା ବ୍ରିଟିଶ୍ ସରକାର ବେଆଇନ ଘୋଷଣା କରିବା ପରେ ସେମାନଙ୍କ ମଧ୍ୟରୁ ଅନେକ ବଙ୍ଗ ସୀମା ଅତିକ୍ରମ କରି ମୟୂରଭଞ୍ଜ ଭିତରକୁ ପଶି ଆସି ସ୍ଥାୟୀଭାବେ ରହିଯାଇଥିଲେ-

 

ଜନ୍ମେଜୟଙ୍କ କଥା ଶୁଣି ସେମାନଙ୍କର ପ୍ରତିଶୋଧ ନେବାର ନିଶା ଉଗ୍ର ହୋଇଉଠିଲା । ଲୋଧାମାନଙ୍କୁ ଅପରାଧୀ ସଂପ୍ରଦାୟଭୁକ୍ତ କରି ସେମାନଙ୍କ ପ୍ରତି ଯେଉଁ ଅବିଚାର କରିଥିଲା ଇଂରେଜ ସରକାର, ତା’ର ପ୍ରତିଶୋଧ ନେବାପାଇଁ ସୁଯୋଗର ଅପେକ୍ଷା କରୁଥିଲେ ସେମାନେ । ଇଂରେଜମାନଙ୍କ ଶକ୍ତି ଆଗରେ ଦୁର୍ବଳ ଅନୁଭବ କରୁଥିଲେ; କିନ୍ତୁ ଇଂରେଜ ଯେ ଦୁର୍ଜେୟ ନୁହେଁ ତାହା ଯେତେବେଳେ ପ୍ରମାଣ କରିଦେଲେ ଜନ୍ମେଜୟ ସେତେବେଳେ ତାଙ୍କ ନେତୃତ୍ୱରେ ଅପହୃତ ସମ୍ମାନ ଫେରିପାଇବା ଲାଗି ସଂକଳ୍ପ କଲେ ।

 

ବୈରାଗୀ ଲୋଧା ଗାଁର ମୁଖିଆ । ଆଖପାଖର ଲୋଧା ବସ୍ତିର ଲୋକମାନଙ୍କର ବି ସେ ସର୍ଦ୍ଦାର । ତାକୁ ଭୟ ଭକ୍ତି କରନ୍ତି ସେମାନେ । ସେ ଜନ୍ମେଜୟଙ୍କୁ ନିଜର ନେତା ସ୍ଵୀକାର କରିବା ପରେ ଆଉ କୌଣସି ବାଧା ପ୍ରତିବନ୍ଧକ ରହିଲା ନାହିଁ ସମସ୍ତଙ୍କୁ ଏକଜୁଟ କରିବାରେ । ଲୋଧା ଯୁବକମାନଙ୍କୁ ସଂଗଠିତ କରି ବନ୍ଧୁକ ଚାଳନା ଶିକ୍ଷା ଦେଲେ ସେ । ସମର୍ଥ ସକ୍ଷମ ଲୋଧା ସ୍ତ୍ରୀ–ପୁରୁଷମାନଙ୍କୁ ଶତ୍ରୁର ମୁକାବିଲା କରିବାଲାଗି କଳକୌଶଳ ଶିକ୍ଷାଦେଲେ । ଲୋଧାମାନେ ସେମାନଙ୍କର ପାରମ୍ପରିକ ପ୍ରଥାକୁ ପୁନରୁଜ୍ଜୀବିତ କରି ପୁଣି ତୀର ଚାଳନା, ଲାଠିଖେଳ, କୁସ୍ତି, ଖଣ୍ଡାଖେଳରେ ନିଜନିଜର ପାରଦର୍ଶିତା ପ୍ରମାଣ କରିବାରେ ଲାଗିପଡ଼ିଲେ ପୂର୍ଣ୍ଣପ୍ରାଣରେ; କିନ୍ତୁ ଏସବୁ କାମ ପ୍ରକାଶ୍ୟରେ ନକରି ଗୋପନରେ କରାଗଲା । ଦିନବେଳେ ଗାଁଦାଣ୍ଡ ବାବିଲ ମଝିରେ ଆଖଡ଼ା ନକରି ବଣ ଭିତରେ ଆଖଡ଼ା ବସିଲା ।

 

ଲୋଧାମାନେ ଆଦିବାସୀ ନହେଲେ ମଧ୍ୟ ସେହି ଶ୍ରେଣୀର–ଅନୁନ୍ନତ ଓ ଅଶିକ୍ଷିତ । ଜମିଜମାର ଅଧିକାରୀ ନୁହଁନ୍ତି କେହି । କେତେଜଣ ନାମକୁମାତ୍ର ଚାଷୀ ତ ଅଧିକାଂଶ ବଣଜଙ୍ଗଲରୁ କାଠପତ୍ର, ଫଳମୂଳ, ମହୁ, ଝୁଣା ଆଣି ହାଟବଜାରରେ ବିକ୍ରିକରି ଚଳନ୍ତି ଏବଂ ଚାଷବାସ ସମୟରେ ମୁଲିଆ କାମ କରନ୍ତି । ଦୀର୍ଘକାଳ ଶୋଷିତ ଓ ନିଷ୍ପେସିତ ହେବା ଫଳରେ ସେମାନଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଦାନା ବାନ୍ଧି ଶେଷରେ ସେମାନଙ୍କୁ କରିଦେଇଥିଲା ଉଗ୍ର ଓ ପ୍ରତିଶୋଧପରାୟଣ । କେହି କେହି ଶେଷରେ ଦଳବାନ୍ଧି ଥିଲାବାଲାଙ୍କ ଘରୁ ଚୋରି ଡକାୟତି ବି କରୁଥିଲେ । ପ୍ରତିରୋଧର ସମ୍ମୁଖୀନ ହେଲେ ଶତ୍ରୁର ମୁଣ୍ଡ କାଟିବା ଥିଲା ସେମାନଙ୍କର ଏକମାତ୍ର ଶପଥ ।

 

ସେଦିନ ରଘୁ ଲୋଧା ଚାନ୍ଦୁଆର ମହାଜନ ବିଶୁ ଗୋଛାଏତର ମୁଣ୍ଡ କାଟି ଭେଟିଦେବାପାଇଁ ଯେତେବେଳେ ଥାନାରେ ପହଞ୍ଚିଲା ତା’ର ହିଂସ୍ର ଓ ବୀଭତ୍ସ ରୂପ ଦେଖି ଥାନାରୁ କର୍ତ୍ତବ୍ୟରତ ଦୁଇଜଣ ସିପାହୀ କବାଟ କିଳିଦେଲେ । ଥାନାବାବୁ ପାଖ ଗାଁକୁ ଯାଇଥିଲେ ଗୋଟେ ଡକାୟତି କେସ୍ ତଦନ୍ତ କରିବାପାଇଁ । ସେମାନଙ୍କର ଭୀରୁତା ଦେଖି ହୋ ହୋ କରି ବହେ ହସିଲା ରଘୁ ଲୋଧା । ସେଇ ହସ କାନ୍ଥବାଡ଼ ଗଛବୃଛରେ ବାଜି ପ୍ରତିଧ୍ଵନିତ ହେଲା କିଛି ସମୟ । ସିପାହୀମାନେ ତେବେ ବି ଘର ଭିତରୁ ନ ବାହାରିବା ଦେଖି ରଘୁ ବିଶୁ ଗୋଛାଏତର ମୁଣ୍ଡକୁ ଥାନାର ପିଣ୍ଡା ଉପରେ ରଖିଦେଇ ଗାଁକୁ ଫେରି ସବୁ କହିଲା ବୈରାଗୀ ସର୍ଦ୍ଦାରକୁ । ଜନ୍ମେଜୟ ବି ସବୁ ଶୁଣିଲେ ଏବଂ ରଘୁର ମୁହଁ ଉପରେ ଦୃଷ୍ଟି ନିବଦ୍ଧ କରି କହିଲେ–ବିଶୁ ଗୋଛାଏତ ଏକା ନୁହେଁରେ ରଘୁ, ତା’ଠାରୁ ବହୁତ ବଡ଼ ବଡ଼ ଅତ୍ୟାଚାରୀ ଅଛନ୍ତି । ସେ ଅତ୍ୟାଚାରୀ ହେଲେ ବି ଆମ ଦେଶର ମଣିଷ; କିନ୍ତୁ ଏ ଦେଶକୁ ଦିନରାତି ଲୁଟୁଥିବା ସାହେବମାନେ ଯେ ବେଶ୍ ଆରାମରେ ଅକ୍ଷତ ଅବସ୍ଥାରେ ଅଛନ୍ତି । ସେମାନଙ୍କର ମୁଣ୍ଡ କାଟି ଆଣି ପାରିବୁ ?

 

ରଘୁ ନିର୍ବିକାର ଉତ୍ତର ଦେଲା, ପାରିବି–ଖାଲି ମୋତେ ଟିକେ ଚିହ୍ନେଇ ଦିଅ ବାବୁ ।

 

ଜନ୍ମେଜୟଙ୍କ ଆଖି ଦୁଇଟା ମୁହୂର୍ତ୍ତକ ପାଇଁ ଜଳିଉଠିଲା; କିନ୍ତୁ ନିଜକୁ ପୁଣି ରହସ୍ୟମୟ କରି କହିଲେ ସେ–ତୋତେ ଖୋଜି ଖୋଜି ପୁଲିସ ଏ ଗାଁକୁ ଆସିବ ନିଶ୍ଚୟ । ବରଂ ତା’ ଆଗରୁ ତୁ ନଦୀ ସେପାଖ ଜଙ୍ଗଲରେ ଲୁଚିଯା, ସଙ୍କେତ ପାଇଲେ ଆସିବୁ ।

 

ରଘୁ ଲୋଧା କିନ୍ତୁ ଡରିନଯାଇ କହିଲା–ଥାନାବାବୁର ମୁଣ୍ଡ କାଟିବି ବାବୁ ? ଜନ୍ମେଜୟ କହିଲେ–ନା, ମେଦିନୀପୁରରୁ ଯୋଉ ସାଇବ ଆସିବ ବସ୍ତିରେ ତାକୁ ସାବାଡ଼ କରିବା ଦାୟିତ୍ଵ ତୋର । ବେପରବାୟ ହୋଇ ରଘୁ ଲୋଧା–ବେଶ୍ ପାରିବି ।

 

ବୈରାଗୀ ସହିତ ପରାମର୍ଶ କଲେ ଜନ୍ମେଜୟ । ଆଉ ଦୁଇଦିନ ପରେ ବଙ୍ଗର ସୀମାନ୍ତ ଅଞ୍ଚଳ ଗସ୍ତରେ ଆସିବ ମେଦିନୀପୁରର ମାଜିଷ୍ଟ୍ରେଟ୍ ମ୍ୟାକ୍‍ଫିଲଡ୍ ସାହେବ । ଅତି ଦୁର୍ଦ୍ଦାନ୍ତ, ଅତ୍ୟାଚାରୀ । ଭାରତୀୟମାନଙ୍କର କଳା ଚମଡ଼ା ଦେଖି ନାକ କୁଞ୍ଚିତ ହୁଏ ତା’ର । ତଥାପି ସେଇ ଭାରତୀୟ ଝିଅ ବୋହୂଙ୍କୁ ସେ ବ୍ୟବହାର କରେ ତା’ର ପାଶବିକ କାମନା ଚରିତାର୍ଥ କରିବାପାଇଁ ।

 

ଆଲୋଚନା ପରେ ରଣକୌଶଳ ସ୍ଥିର ହେଲା । ମ୍ୟାକ୍‍ଫିଲଡ୍ ସାହେବ ନୂଆହୋଇ ଖୋଳାଯାଇଥିବା ପୋଖରୀ ଦେଖିବାକୁ ମଦନପୁର ଗାଁକୁ ଆସିବା ଗସ୍ତ ସୂଚୀରେ ଅନ୍ତର୍ଭୁକ୍ତ ହୋଇଥିଲା । ମଦନପୁର ଗାଁର ଅବସ୍ଥିତି ଓ ଜନସଂଖ୍ୟା ଦୃଷ୍ଟିରୁ ସାହେବ ଯେ ବିଶେଷ ସୁବିଧା କରିପାରିବନାହିଁ ଏଥିରେ ନିଶ୍ଚିନ୍ତ ଥିଲେ ସେ । ତେଣୁ ରଘୁକୁ ସତର୍କ କରିଦେଇ କହିଲେ–ବ୍ରାହ୍ମଣ ପଣ୍ଡିତମାନେ ସ୍ଵସ୍ତିବାଚନ ଶ୍ଳୋକ ପଢ଼ି ସାହେବ ଉପରକୁ ଫୁଲଚନ୍ଦନ ପକାଉଥିବାବେଳେ ସେ ନିଜର ସମ୍ଵନ୍ଧରେ ସଚେତନ ନଥିବ ନିଶ୍ଚୟ । ସେତିକିବେଳେ ସମବେତ ଲୋକମାନଙ୍କ ପଛରୁ ଯଦି ତୀର ଚଳାଇପାରୁ…

 

ରଘୁ ଲୋଧା ହଠାତ୍ କହିପକାଇଲା–ନା, ନା, ଏତେ ଲୋକଙ୍କ ଭିତରେ ତୀର ଚଳାଇବା ସୁବିଧା ହେବନି ବାବୁ…ବରଂ ତାଙ୍କୁ ଖୁସି କରିବାପାଇଁ ବାଜାବାଲାମାନେ ବାଜା ବଜାଉଥିବାବେଳେ ମୁଁ ମିଶିଯିବି ସେମାନଙ୍କ ଦଳରେ । ମୁଁ ବାଜା ବଜାଇଜାଣେ ବାବୁ…କେହି ସନ୍ଦେହ କରିବେ ନାହିଁ…ଆଉ ସାହେବର ପାଖାପାଖି ହେଲେ ଅଣ୍ଟାରେ ଲୁଚାଇ ରଖିଥିବା ଛୁରୀ ଆଗରୁ ସେ ବର୍ତ୍ତି ଯାଇପାରିବ ନାହିଁ ।

 

ତା’ ପିଠି ଉପରେ ହାତ ବୁଲାଇ କହିଲେ ଜନ୍ମେଜୟ–ନା, ନା, ରଘୁ, ଏ କାମ ଏତେ ସହଜ ନୁହେଁ । ଏଥିପାଇଁ ଛୁରୀ ନୁହେଁ ବନ୍ଧୁକ ଦରକାର–ବନ୍ଧୁକ ଚଳାଇପାରିବୁ ?

 

–ହଁ ନିଶ୍ଚୟ ପାରିବି ବାବୁ । ମୋତେ ଟିକେ ଦେଖେଇଦିଅ…ମୁଁ ବେଶ୍ ପାରିବି ।

 

ଜନ୍ମେଜୟଙ୍କ ମନରୁ ସନ୍ଦେହ ଦୂରକରିବା କହିଲା ବୈରାଗୀ ସର୍ଦ୍ଦାର–ସେ ଯାହା କହୁଛନ୍ତି ସତ ବାବୁ…

 

Unknown

ଜନ୍ମେଜୟ ଆଶ୍ଵସ୍ତ ହେଲେ ସିନା ନିଶ୍ଚିନ୍ତ ହେଲେ ନାହିଁ । ତଥାପି ତାକୁ ସାହସ ଦେଇ କହିଲେ–ଆଜିଠାରୁ ଅଭ୍ୟାସ କର…ସବୁ ଠିକ୍ ହୋଇଯିବ ।

 

ମ୍ୟାକଫିଲଡ୍ ସାହେବ ସହିତ ଆହୁରି କେତେଜଣ ଗୋରା ପଲଟଣ ଆସୁଥିବା ଗୁପ୍ତ ଖବର ପାଇଥିଲେ ଜନ୍ମେଜୟ । ଲୋକମାନଙ୍କ ଗାଁ ସବୁ ମୟୂରଭଞ୍ଜ ଓ ବଙ୍ଗଳା ଉଭୟ ପଟରେ ଥିବାରୁ ଏବଂ ସେମାନଙ୍କର ଅପରାଧ ପ୍ରବଣତା ସମ୍ବନ୍ଧରେ ସରକାରଠାରେ ଅନେକ ତଥ୍ୟ ଥିବାରୁ ସେ ଯେ ଆବଶ୍ୟକ ପ୍ରସ୍ତୁତି ସହ ଏହା ଜାଣନ୍ତି ଜନ୍ମେଜୟ; କିନ୍ତୁ ସଶସ୍ତ୍ର ଗୋରା ପଲଟଣଙ୍କ ଗହଣରେ ରଘୁ ଲୋଧା କେତେଦୂର ଏଥିରେ ସଫଳତା ପାଇବ ସେଇ ଭାବନା ମନକୁ ଆନ୍ଦୋଳିତ କରିବାକୁ ଲାଗିଲା ।

 

ଆଜିଠାରୁ ଦୁଇଦିନ ପାଇଁ କେବଳ ରଘୁ ଲୋଧା ନୁହେଁ ସେମାନଙ୍କୁ ସମସ୍ତଙ୍କୁ ଆତ୍ମଗୋପନ କରିବାକୁ ପଡ଼ିବ । ଯେତିକି ଗୋପନରେ ଅଛନ୍ତି ତାହା ହୁଏତ ଯଥେଷ୍ଟ ନୁହେଁ । ସାମାନ୍ୟ ସୂଚନା ବାହାରକୁ ଚାଲିଗଲେ ସବୁ ଯୋଜନା ଫସର ଫାଟିଯିବ ଏବଂ ପୋଲିସ୍ ହାତରେ ବନ୍ଦୀ ହେବେ ସମସ୍ତେ । ତେଣୁ ଆହୁରି ଅଧିକ ନିରାପଦ ସ୍ଥାନକୁ ସେଇ ସନ୍ଧ୍ୟାରେ ଜନ୍ମେଜୟ, ବୈରାଗୀ, ରଘୁ ପ୍ରଭୃତି ଚାଲିଗଲେ ।

 

ନିର୍ଜନ ଅରଣ୍ୟର ଶ୍ଵାପଦମାନଙ୍କ ପରି ନିର୍ଭୟରେ ଦୁଇଦିନ କଟିଗଲା ଚାହୁଁ ଚାହୁଁ । ମ୍ୟାକଫିଲଡ୍ ସାହେବର ଆସିବା ଦିନ ସେମାନେ ଜଙ୍ଗଲରୁ ବାହାରିବାବେଳକୁ ଏକାବେଳେ ବଦଳିଯାଇଥିଲେ ଆକୃତି ଓ ବେଶଭୂଷାରେ । ରଘୁକୁ ତା’ ସ୍ତ୍ରୀ ଲତା ମଧ୍ୟ ଚିହ୍ନି ପାରିଲା ନାହିଁ । ବୈରାଗୀ ନାଗା ସନ୍ନ୍ୟାସୀର ଅଭିନୟରେ ଏତେ ଚତୁରତା ପ୍ରଦର୍ଶନ କଲା ଯେ ବନ୍ଧୁବାନ୍ଧବ ଚିହ୍ନାପରିଚୟ ସତକୁ ସତ ତାକୁ ନାଗା ସନ୍ନ୍ୟାସୀ ବୋଲି ଜାଣିଲେ । ଜନ୍ମେଜୟ ତ ସହଜରେ ବହୁରୂପୀ । କାବୁଲିଓ୍ଵାଲାର ଛଦ୍ମବେଶ ତାଙ୍କୁ ମାନିଥିଲା ଚମତ୍କାର ।

 

ମାଜିଷ୍ଟ୍ରେଟ୍ ସାହେବ ଦଳବଳ ନେଇ ସୀମାନ୍ତକୁ ଆଇନଶୃଙ୍ଖଳା ଅବସ୍ଥା ନିରୀକ୍ଷଣ କରିବାକୁ ଆସୁଥିବାରୁ ଉଭୟ ବଙ୍ଗଳା ଓ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରେ ଅନେକ ଆଗ୍ରହ ଓ ଆଶଙ୍କା ସୃଷ୍ଟି ହୋଇଥିଲା । ସାଧାରଣ ପ୍ରଜାମାନେ ଧାଡ଼ି ବାନ୍ଧିଲେ ଗାଁ ଚୌକିଦାର ଓ ପଧାନମାନଙ୍କ ନିର୍ଦ୍ଦେଶ ପାଇ । ଉପରୁ ଆଦେଶ ଆସିଥିଲା ସେଇ ମର୍ମରେ । ମାଜିଷ୍ଟ୍ରେଟ୍ ଯେବେ ସେବେ ଆସନ୍ତି ନାହିଁ । ବିରଳ ତାଙ୍କ ଦର୍ଶନ । ତେଣୁ ପ୍ରଜାମାନେ ଯଥେଷ୍ଟ ସଂଖ୍ୟାରେ ଠୁଳହୋଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ସମ୍ରାଟଙ୍କ ପ୍ରତି ଅଖଣ୍ଡ ଆନୁଗତ୍ୟର ପରିଚୟ ଦେବା ଦରକାର । ପ୍ରଜାମାନଙ୍କ ମନରୁ କିନ୍ତୁ ଆଶଙ୍କା ଦୂର ହେଲାନାହିଁ । ଗୋରା ପଲଟଣମାନେ ସାହେବ ସହିତ ଆସୁଥିବା ଅଶୁଭ ସୂଚନା ଭାବି ସେମାନେ ଉଦବିଗ୍ନ ଥିଲେ । ସମର୍ଥ ସକ୍ଷମ ଯୁବକମାନଙ୍କୁ ସୈନ୍ୟବାହିନୀରେ ଭର୍ତ୍ତିକରିବାଲାଗି ଜାଣିଶୁଣି ଏଇ ବ୍ୟବସ୍ଥା କରାଯାଇନାହିଁ ତ ! ସେଥିପାଇଁ କେତେକ ଧନୁର୍ଦ୍ଧର ଶକ୍ତିଶାଳୀ ଯୁବକ ଆଗେ ଆଗେ ନଯାଇ ପଛରେ ରହିଲେ ସାହେବର ଶ୍ୟେନ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ।

 

ମଦନପୁର ଗାଁ ପାଠଶାଳା ପାଖରେ ଥିବା ଆମ୍ବ ବଗିଚାରେ ପ୍ରଜାମାନେ ଠୁଳ ହେବାକୁ ଲାଗିଲେ । ପାଠଶାଳା ଓ ବଗିଚା ମଝିରେ ଥିବା ସମତଳ ପ୍ରଶସ୍ତ ସ୍ଥାନରେ ମଣ୍ଡପ ତିଆରି କରାଯାଇଥିଲା ଏବଂ ସାମିଆନା ଟାଣି ସଜାଯାଇଥିଲା । ଏଥିପାଇଁ ମେଦିନୀପୁରରୁ ଲୋକ ଆସିଥିଲେ । ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସବୁ କାର୍ଯ୍ୟ ହୋଇଥିଲା । ସେଥିପାଇଁ ସାତ–ଆଠଦିନ ଧରି ଅନେକ ପ୍ରଜାଙ୍କୁ ବେଠି ଖଟିବାକୁ ପଡ଼ିଥିଲା । ପ୍ରଜାମାନେ ଧାଡ଼ିବାନ୍ଧି ଯିବାବେଳେ ନିଜ ନିଜର ପାରମ୍ପରିକ ବେଶଭୂଷା ପରିଧ୍ୟାନ କରିଥିଲେ । ଲୋଧାମାନେ ମଥାରେ ଲଗାଇଥିଲେ କୁକୁଡ଼ା ଚୂଳ, ହାତରେ ତୀର, ଧନୁ ଫାର୍ଶା । ସାନ୍ତାଳମାନେ ନାନା ଫଳର ମାଳ ପିନ୍ଧି, ହାତରେ ଧନୁଶର ଧରି ମାଦଳ ଧୂମସା ବଜାଇ ଆସିଥିଲେ । ହାଟୁଆମାନଙ୍କ ମଧ୍ୟରେ ଅଧିକ ଥିଲେ ମାହାନ୍ତ, ଗଉଡ଼ ଓ ଚଷା । ସେମାନେ ମଧ୍ୟ ପଛରେ ନପଡ଼ି, ସଫା ଲୁଗା ପିନ୍ଧି, କାନ୍ଧରେ ଗାମୁଛା ଓ ହାତରେ ଫୁଲମାଳ ନେଇ ଆସିଥିଲେ ବହୁ ସଂଖ୍ୟାରେ । ବେଳ ଚାରି ଘଡ଼ିକୁ ପ୍ରାୟ ଶହ ଶହ ଲୋକ ଠୁଳହୋଇ ଗଲେ ଆମ୍ବ ବଗିଚାରେ । ମଣ୍ଡପ ଓ ବଗିଚା ମଧ୍ୟରେ ଥିବା ଖାଲିସ୍ଥାନରେ ଗାଁ ଚୌକିଦାର ଓ ପଧାନମାନେ ଠୁଳହୋଇଥିଲେ । ସାହେବ ଓ ପ୍ରଜାମାନଙ୍କ ମଧ୍ୟରେ ସେମାନେ ଥିଲେ ପ୍ରଧାନ ପ୍ରତିବନ୍ଧକ । ସେଇ ଜନଗହଳିରେ ଜନ୍ମେଜୟଙ୍କ ଦଳ କେଉଁଠି ଛପିଗଲେ କେହି ଜାଣିପାରିଲେ ନାହିଁ ।

 

ମାଜିଷ୍ଟ୍ରେଟ୍ ସାହେବ ମଣ୍ଡପ ଉପରକୁ ଉଠିବାକ୍ଷଣି ଶଙ୍ଖ ବାଜିଲା, ମାଦଳ ଧୂମ୍‍ସା କାହାଳୀ ବାଜିଲା ଏବଂ ଚତୁର୍ଦ୍ଦିଗ ଜୟଧ୍ଵନିରେ କମ୍ପିଉଠିଲା । ଗୋଟିଏ ଉଚ୍ଚ ଚୌକିରେ ମ୍ୟାକଫିଲଡ଼୍ ସାହେବ ବସିଲେ ଏବଂ ତାଙ୍କ ପଛରେ ବସିଲେ ଚାରିଜଣ ପଲଟଣ । ସେମାନେ ସମସ୍ତେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିଥିଲେ ଆସନ୍ନ ରଣାଙ୍ଗନକୁ ଡେଇଁପଡ଼ିବା ପାଇଁ ସୈନ୍ୟମାନେ ପ୍ରସ୍ତୁତ ହୋଇ ଆସିବା ପରି ।

 

ପ୍ରତି ଗ୍ରାମର ପ୍ରତିନିଧି ଆସି ଫୁଲମାଳ ଅର୍ପଣ କଲେ ମାଜିଷ୍ଟ୍ରେଟ୍‍ଙ୍କୁ । ହସ ହସ ମୁହଁରେ ମ୍ୟାକଫିଲଡ଼୍‍ ସାହେବ ସମସ୍ତଙ୍କ କରମର୍ଦ୍ଦନ କଲା, ଧନ୍ୟବାଦ ସହ ସାବାସି ବି ହେଲା । ଏହାପରେ ମଦନପୁରର ପଣ୍ଡିତ ଜନାର୍ଦ୍ଦନ ଦ୍ଵିବେଦୀ ସ୍ଵସ୍ତିବାଚନ ପଢ଼ିଲାବେଳେ ସଭାସ୍ଥଳ କିଛି ସମୟ ପାଇଁ ଶାନ୍ତ ନୀରବ ହୋଇଗଲା । ତା’ପରେ ସାହେବ ଉଠିଲା କିଛି କହବା ପାଇଁ । ପ୍ରଜାମାନେ ଉତ୍କଣ୍ଠାରେ ଅପେକ୍ଷା କରୁଥିଲେ ଶ୍ରୀମୁଖବାଣୀ ଶୁଣିବାପାଇଁ ।

 

“ମୋର ଅନୁଗତ ପ୍ରଜାଗଣ ! ସମ୍ରାଟ୍‍ଙ୍କ ପ୍ରତି ତୁମେ ସବୁ ଅନୁଗତ ଥିବାରୁ ମୁଁ ଅତି ଖୁସି । ତୁମମାନଙ୍କର ଦୁଃଖ ସୁଖ ବୁଝିବାପାଇଁ ମୁଁ ନିଜେ ଆସିଛି । ଯୁଦ୍ଧ ଚାଲିଛି । ଶତ୍ରୁ ଯେ ପରାସ୍ତ ହେବ ତାହା ନିଶ୍ଚିତ; କିନ୍ତୁ ଏଇ ଯୁଦ୍ଧରେ କେବଳ ସୈନ୍ୟମାନେ ଲଢ଼ୁନାହାନ୍ତି, ପ୍ରଜାମାନଙ୍କୁ ମଧ୍ୟ ସମ୍ରାଟ୍‍ଙ୍କ ଜୟଗାନ କରି ଝାସ ଦେବାକୁ ହେବ ଯୁଦ୍ଧରେ । ଜାପାନୀମାନେ ଯଦିବା ମାଡ଼ି ଆସନ୍ତି ମୂଳପୋଛ ହେବେ । ସେଇ କାମ କରିବେ ପ୍ରଜାମାନେ । ଆମ ସୈନ୍ୟମାନଙ୍କର ସୁଖ ସୁବିଧା ଦେଖିବା କାମ ବି ପ୍ରଜାମାନଙ୍କର । ରାଜସ୍ଵ ଠିକ୍ ସମୟରେ ପଇଠ କରିବା ବି ପ୍ରଜାମାନଙ୍କର କାମ-। ତୁମ୍ଭେମାନେ ଅଖଣ୍ଡ ଆନୁଗତ୍ୟ ପ୍ରଦର୍ଶନ କରିବା ଲାଗି ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ମୁଁ ଭାରି ଖୁସି । ସମସ୍ତଙ୍କୁ ଧନ୍ୟବାଦ । ଏଇ ଜଳାଶୟ ତୁମ୍ଭମାନଙ୍କର ସୁବିଧାପାଇଁ ମୁଁ ଆନନ୍ଦର ସହିତ ଉଦ୍‍ଘାଟନ କଲି…” ଏହା କହି ଭାରତୀୟ ପରମ୍ପରା ପ୍ରତି ସମ୍ମାନ ଜଣାଇ ନଡ଼ିଆଟିଏ ଭାଙ୍ଗିବାପାଇଁ ମାଜିଷ୍ଟ୍ରେଟ୍ ସାହେବ ନଇଁପଡ଼ିବାବେଳକୁ ହଠାତ୍ ଅଘଟଣ ଘଟିଗଲା-

 

ହଠାତ୍ ଲାଗି ଲାଗି ଦୁଇଟା ଗୁଳି ଫୁଟିଲା...ମ୍ୟାକଫିଲଡ୍ ସାହେବ ଟଳିପଡ଼ୁଥିବା ବେଳେ ଜଣେ ଗୋରା ପଲଟଣ ତାକୁ ଧରିନେବାବେଳେ ଅନ୍ୟ ତିନିଜଣ ବନ୍ଧୁକ ଫୁଟାଇ ଜବାବ୍ ଦେଲେ ଅତର୍କିତ ଆକ୍ରମଣର । ହଇଚଇ ଲାଗିଗଲା । ସମବେତ ହୋଇଥିବା ପ୍ରଜାମାନେ ପ୍ରାଣ ବିକଳରେ ଯିଏ ଯେଉଁବାଟେ ପାରିଲେ ପଳାଇବାକୁ ଲାଗିଲେ । ସେଇ ଗଣ୍ଡଗୋଳ ଭିତରେ ଆଉ ଜଣେ ଗୋରା ପଲଟଣ ଗୁଳିମାଡ଼ରେ ଭୂ–ପତିତ ହେବା ଦେଖି ଆଉ କାଳବିଳମ୍ବ ନକରି ସେଠାରୁ ଅଦୃଶ୍ୟ ହୋଇଗଲେ ଜନ୍ମେଜୟ । ପଲଟଣମାନଙ୍କ ଗୁଳିରେ କେତେଜଣ ପ୍ରଜା ନିହତ ହେଲେ ତାହା ଦେଖିବାପାଇଁ ସେ ସମୟ ପାଇଲେ ନାହିଁ । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମନେ ମନେ କହୁଥିଲେ ସେ–ଦେଶପାଇଁ ବଳିଦାନ ଅସଫଳ ହୁଏ ନାହିଁ । ପ୍ରତ୍ୟେକ ରକ୍ତବିନ୍ଦୁ ଜନ୍ମ ନିଏ ନୂଆ ଆଶା, ନୂଆ ପ୍ରତିଜ୍ଞା ।

 

ପୁନର୍ବାର ନିର୍ଜନ ଅରଣ୍ୟକୁ ଫେରିଆସି ସର୍ବଶେଷ ବିବରଣୀ ସଂଗ୍ରହ କରିବାପାଇଁ ଦୂତ ପଠାଇଲେ ଜନ୍ମେଜୟ; କିନ୍ତୁ ସନ୍ଧ୍ୟାବେଳକୁ ଯେଉଁ ଖବର ପାଇଲେ ତାହା ସାନ୍ତ୍ଵନା ଅପେକ୍ଷା ଆଶଙ୍କା ଓ ଉଦବେଗର କାରଣ ହେଲା । ଅପରାଧୀକୁ ଖୋଜିବା ପାଇଁ ମଦନପୁର ସମେତ ଆଖପାଖର ସବୁଗ୍ରାମର ପ୍ରତ୍ୟେକ ଘରେ ଖାନତଲାସ ଚାଲିଲା । ସ୍ତ୍ରୀ ଲୋକମାନଙ୍କ ଉପରେ ବଳାତ୍କାର କଲେ ପୁଲିସ୍ ଓ ପଲଟଣମାନେ । ଜନଜୀବନ ଛିନ୍ନଛିତ୍ର ହୋଇଗଲା । ସାତଜଣ ନିରୀହ ନିର୍ଦ୍ଦୋଷ ଗ୍ରାମବାସୀ ପୁଲିସ୍ ଗୁଳିରେ ନିହତ ହୋଇଥିଲେ । ତା’ଛଡ଼ା ଆଖିବୁଜା ଲାଠିମାଡ଼ରେ ଶତାଧିକ ନିରସ୍ତ୍ର ଆଦିବାସୀ ଆହତ ହୋଇଥିଲେ ବି ସେମାନଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା ନକରି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପୁଲିସ୍ ଧରିନେଇ ଗୋଟେ ସ୍କୁଲ୍ ଘରେ ବନ୍ଦୀ କରି ରଖିଦେଲା । ଗାଁମାନଙ୍କରେ କୋକୁଆଭୟ ଖେଳିଗଲା ଏବଂ ଲୋକମାନେ କବାଟ କିଳି ଘରେ ପଶିଲେ । ପାଖଆଖ ସବୁ ଗାଁରେ ପ୍ରସାରିତ ହେଲା ଆତଙ୍କର ଏବଂ ଶ୍ମଶାନର ନୀରବତା ।

 

ଲୋକମାନଙ୍କ ଦୁର୍ଦ୍ଦଶା ଦେଖି ବ୍ୟଥିତ ହେଲେ ଜନ୍ମେଜୟ । ଦେଶର ମୁକ୍ତିପାଇଁ ଏତେବେଶି ତ୍ୟାଗ କରିବାକୁ ହେବ ବୋଲି ସେ ଭାବି ନଥିଲେ । ନିରୀହ ନିର୍ଦ୍ଦୋଷ ଲୋକମାନଙ୍କ ଉପରେ ଏପରି ନିର୍ମମ ଅତ୍ୟାଚାର ହେବ ବୋଲି ଭାବିନଥିଲେ; କିନ୍ତୁ ଏହା ପରେ ପରେ ସରକାର ପଚିଶିଟି ଗ୍ରାମର ଗ୍ରାମବାସୀଙ୍କ ଉପରେ ପିଟୁଣି ଟିକସ ବସାଇବା ଖବର ପାଇ ଜନ୍ମେଜୟ ଅନୁଶୋଚନାରେ ବୁଡ଼ିଗଲେ । ବିପ୍ଳବପାଇଁ ପ୍ରକୃତ ସମୟ ଆସିଛି କି ନାହିଁ ସେ ବିଷୟ ନେଇ ତାଙ୍କ ମନ ଭିତରେ ପ୍ରଶ୍ନ ଉଠିଲା । ସେଇ ପ୍ରଶ୍ନର ଉତ୍ତର ପାଇନପାରି ଆହୁରି ଅଧିକ ମୁହ୍ୟମାନ ହୋଇପଡ଼ିଲେ ଜନ୍ମେଜୟ; କିନ୍ତୁ କିଛି ସମୟ ପରେ ନିଜ ପକ୍ଷ ସମର୍ଥନ କରିବାକୁ ଯାଇ ଏହା ବି ଭାବିଲେ ଯେ ବିପ୍ଳବର ପଥ ଏହିପରି । ଦେଶସେବା ଓ ମୁକ୍ତିସଂଗ୍ରାମର ମାର୍ଗ ଏହିପରି । ଅନେକ ମୂଲ୍ୟ ଦେବାକୁ ହୁଏ ସେଥିପାଇଁ । ମାଡ଼ିବସିଥିବା ସ୍ଥାନ ଛାଡ଼ି ଅସୁର ସହଜରେ ଚାଲିଯାଏ ନାହିଁ ଏବଂ ତାକୁ ସ୍ଥାନଚ୍ୟୁତ କରିବା ପାଇଁ ଉଦ୍ୟମ ହେଲେ ସେ ଉଗ୍ର ଓ ହିଂସ୍ର ହୋଇ ଯାହା କରେ ସେଥିରେ କ୍ଷତିଗ୍ରସ୍ତ ହୁଅନ୍ତି ଅନେକ । ଭାରତର ମୁକ୍ତିପାଇଁ ଯେଉଁମାନେ ବଳିପଡ଼ିଲେ ସେମାନଙ୍କ ତ୍ୟାଗ କଦାପି ନିଷ୍ଫଳ ଯିବ ନାହିଁ । ଦଧୀଚିଙ୍କ ଦାନ କ’ଣ ନିରର୍ଥକ ହୋଇଥିଲା । ଦେଶ ଓ ଦେଶର ବୃହତ୍ତର କଲ୍ୟାଣ ସକାଶେ କେତେକଙ୍କୁ ସର୍ବସ୍ଵ ତ୍ୟାଗ କରିବାକୁ ପଡ଼େ ।

 

କିନ୍ତୁ ମନକୁ ମନ ଯେତେ ଯୁକ୍ତି କଲେ ବି ମନର ବିଷାଦ, ଉଦାସଭାବ କମିଲା ନାହିଁ । ଅବଦମିତ ଜନ୍ମେଜୟଙ୍କ ମନର ବିଷଣ୍ଣତା ସହଜରେ କଟିଲା ନାହିଁ । ଏଠାରେ ଆଉ ରହିବା ଯେ ନିରାପଦ ନୁହେଁ ତାହା ମଧ୍ୟ ସ୍ପଷ୍ଟ ହୋଇଉଠିଲା । ବିପ୍ଳବୀମାନଙ୍କୁ ଖୋଜିବାପାଇଁ ପୁଲିସ୍‍ବାହିନୀ ଯେ ବଣ ଜଙ୍ଗଲ ଭିତରେ ପ୍ରବେଶ କରିବ ଏଇ ଧାରଣା ଦୃଢ଼ ହେଲା ମନରେ । ସେଇ ରାତିରେ ରଘୁ ଓ ବୈରାଗୀ ସହିତ ଆଉ ଏକ ଅନିର୍ଦ୍ଦିଷ୍ଟ ଅନିଶ୍ଚିତ ପଥରେ ପାଦ ବଢ଼ାଇଲେ ଜନ୍ମେଜୟ ।

 

ବିଶ୍ଵନାଥ ଆଉ କୃପାସିନ୍ଧୁ ଯେ ଆତ୍ମଗୋପନ କରିଥିବା ଅବସ୍ଥାରେ ଧରାପଡ଼ିଯିବେ ଏହା ସେମାନେ ଆଦୌ ଭାବିନଥିଲେ । ଧୁନିବାବାଙ୍କ ଆଶ୍ରମ ଧୂଳିସାତ୍ ହେବା ପରେ ପରେ ସେ ଦୁହେଁ ପଳେଇଆସି ଆତ୍ମଗୋପନ କରିଥିଲେ ସାତପରଟିଆ ଗ୍ରାମର ମହାନ୍ତ ବସ୍ତିରେ । ଚକ୍ରଧର ମହାନ୍ତ ପିଲାଦିନର ସାଙ୍ଗ–ସେଇ ସାହା ହେଲେ ସଙ୍କଟ ସମୟରେ । ସେମାନଙ୍କଠାରୁ ସବୁ କଥା ଶୁଣି ସେମାନଙ୍କୁ ନିଜ ଘରେ ଆଶ୍ରୟ ଦେଲେ ସରକାରଙ୍କ ବିଷ ଦୃଷ୍ଟିରେ ପଡ଼ିବାର ଆଶଙ୍କା ଥାଇ ମଧ୍ୟ ଚକ୍ରଧର ବେପରବାୟ ଭାବରେ କହିଲେ–ମୁଁ କ’ଣ ସରକାରଙ୍କୁ ଡରି ସଙ୍ଗାତକୁ ଘଉଡ଼େଇଦେବି ? ତାହା ମୋ’ ଜାତକରେ ହେବ ନାହିଁ । ତମେ ଦୁହେଁ ଯେତେଦିନ ଦରକାର ମୋ ଘରେ ରହିବ ।

 

ତଥାପି ନିଶ୍ଚିନ୍ତ ନହୋଇ ଉଦବେଗରେ ସମୟ କାଟୁଥିଲାବେଳେ କୌଣସି ସୂତ୍ରରୁ ସୁଚନା ପାଇ ଦିନେ ରାତି ପାହାନ୍ତାରେ ଚକ୍ରଧରଙ୍କ ଘର ଉପରେ ଚଢ଼ାଉ କଲା ପୁଲିସ୍ । ଧରାପଡ଼ିଲେ ବିଶ୍ଵନାଥ ଓ କୃପାସିନ୍ଧୁ । ବର୍ଷ ଭିତରେ ଏହା ଯେ ସର୍ବାପେକ୍ଷା ବଡ଼ ସଫଳତା ତାହା ହିଁ ଉଲ୍ଲସିତ କରିଥିଲା ପୁଲିସ୍ ପ୍ରଶାସନକୁ । ବାରିପଦା ଜେଲ୍‍ଖାନାର ଉଚ୍ଚ ପାଚେରୀ ମଧ୍ୟରେ ଦୁଇଟି ଅପ୍ରଶସ୍ତ ଏବଂ ଅନ୍ଧାରୁଆ କୋଠରୀ ଭିତରେ ଅବରୁଦ୍ଧ ହେଲେ ବିଶ୍ଵନାଥ ଓ କୃପାସିନ୍ଧୁ । ପରସ୍ପର ମଧ୍ୟରେ ଆଳାପ ଆଲୋଚନା କରିବାର ବାଟ ନଥିଲା । ତାଲାପଡ଼ି ଲୁହା କବାଟ ସର୍ବଦା ବନ୍ଦ ରହୁଥିଲା । କୋଠରୀ ଭିତରେ ନିଜ ଲୁଗା, ଗାମୁଛା ଏବଂ ଜେଲ୍‍ କର୍ତ୍ତୃପକ୍ଷ ଦେଇଥିବା ଗୋଟିଏ ଗୋଟିଏ କମ୍ବଳ ଛଡ଼ା ଆଉ କିଛି ନଥିଲା । ସୂର୍ଯ୍ୟ କିରଣ ଆଦୌ ପଡ଼ୁନଥିଲା କି ଖୋଲା ପବନ ପ୍ରବେଶ କରୁନଥିଲା କୋଠରୀ ଭିତରେ । ତେଣୁ କୋଠରୀ ଭିତରେ ଆବହାୱା ରୁଦ୍ଧ କୋଠରୀର ଆବହାୱା ପରି ଥିଲା ଅପ୍ରୀତିକର ଓ ଅସ୍ଵାସ୍ଥ୍ୟକର । ଦିନବେଳେ ମଧ୍ୟ ମଶାମାନଙ୍କର ଗୁଣୁଗୁଣୁ ଶବ୍ଦ ଶୁଣାଯାଉଥିଲା ଏବଂ ରାତିରେ ସରୀସୃପମାନଙ୍କର ଅବାଧ ଆବିର୍ଭାବ ମନକୁ ଚଞ୍ଚଳକରି ରଖୁଥିଲା ।

 

ଦିନେ ଯେ ସେମାନେ ଧରାପଡ଼ିବେ ଏଇ ଆଶଙ୍କା ମନରେ ସଦାବେଳେ ଲାଗି ରହିଥିଲେ ମଧ୍ୟ ଧରା ପଡ଼ି ଜେଲ ଭିତରେ ରହିବା ପରେ ଜେଲ୍‍ ଜୀବନ ଧୀରେ ଧୀରେ ଦେହସୁହା ହୋଇଗଲା । ଦି’ଓଳି ଯାହା ଖାଇବାକୁ ମିଳୁଥିଲା ତାହା ଅଖାଦ୍ୟ ହେଲେ ମଧ୍ୟ ଗଳାଧଃକରଣ କରିବାକୁ ପଡ଼ୁଥିଲା ଜୀବନ ରକ୍ଷାପାଇଁ । ସକାଳେ ମଗରେ ଚା’ ଦିଆଯାଉଥିଲା ଏବଂ ଏଗାରଟାବେଳକୁ ମୋଟା ବଗଡ଼ା ଚାଉଳର ଭାତ ଆଉ ଡାଲି । ଦିନେ ଦିନେ ଶାଗ ଟିକେ ବା ଆମ୍ବଡ଼ା ଖଟା । ରାତିରେ ବି ଭାତ ଆଉ ବାଇଗଣ ଝୋଳ । ଭାତରୁ ମିଳୁଥିଲା କାଠି ଓ ଗୋଡ଼ି । ଭାତ ସହିତ ସିଝିଯାଇଥିବା ପୋକ ଆବିଷ୍କାର କରି ମଧ୍ୟ ଆଖିବୁଜି ଖାଉଥିଲେ ସେମାନେ । ତରକାରୀ ବା ଡାଲିରେ ସୁଆଦ ନଥିଲା ଆଦୌ । ମାସକୁ ଥରେ ମାଂସ ତରକାରୀ ହେଉଥିଲା । ଭଲ ମାଂସ ଜେଲ୍‍ ସୁପରିଟେଣ୍ଡେଣ୍ଟଙ୍କୁ ପ୍ରତିଦିନ ମାଗଣାରେ ଯୋଗାଉଥିବା ଠିକାଦାର କଏଦୀମାନଙ୍କ ପାଇଁ ବୁଢ଼ୀ ଛେଳି ବା ମେଣ୍ଢା ମାଉଁସ ଦେଉଥିଲା । କଏଦୀମାନଙ୍କ ପାଇଁ ଆସୁଥିବା ଡାଲି, ତେଲ, ମସଲା ଓ ପରିବାରୁ ବଡ଼ଭାଗ ଚାଲିଯାଉଥିଲା ଜେଲ୍ କର୍ମଚାରୀମାନଙ୍କ ଘରକୁ ।

 

ଦିନେ ଭାତରେ ଚଷୁ ଦେଖି ଏବଂ ଡାଲିରେ ଦାନା ନଥିବାରୁ ପ୍ରତିବାଦ କରି ବିଶ୍ଵନାଥ ଅନଶନ ଆରମ୍ଭ କଲେ । ତାଙ୍କୁ ସମର୍ଥନ ଜଣାଇ କେବଳ କୃପାସିନ୍ଧୁ ନୁହେଁ, ଅଧିକାଂଶ କଏଦୀ ଖାଦ୍ୟ ବର୍ଜନ କଲେ । ସମାଧାନ ପାଇଁ ଜେଲ୍‍ ସୁପରିଟେଣ୍ଡେଣ୍ଟ୍ ମାୟାଧର ବାନାର୍ଜୀଙ୍କ ସବୁ ଉଦ୍ୟମ ବିଫଳ ହେଲା । ତୃତୀୟ ଦିନ ସନ୍ଧ୍ୟାବେଳେ ନିଜେ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ଆସି ସବୁ ଆପତ୍ତି ଅଭିଯୋଗ ଶୁଣି ମୀମାଂସା କରିଦେଲେ । କଏଦୀମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଏ ତାହା ଜେଲ୍ ମାନୁଏଲ୍ ଅନୁସାରେ ପର୍ଯ୍ୟାପ୍ତ କି ନୁହେଁ ଏବଂ ତା’ର ମାନ ନିରୀକ୍ଷଣ କରିବାଲାଗି କଏଦୀମାନଙ୍କର ତିନିଜଣ ପ୍ରତିନିଧିଙ୍କୁ ନେଇ ଗୋଟିଏ ଛୋଟ କମିଟି ଗଠିତ ହେଲା ଏବଂ ସେଇ କମିଟି କଏଦୀମାନଙ୍କ ଆପତ୍ତି ଅଭିଯୋଗ ଜେଲ୍ ସୁପରିଟେଣ୍ଡେଣ୍ଟ୍‍ଙ୍କୁ ଜଣାଇବା ବ୍ୟବସ୍ଥା ହେଲା । କୃପାସିନ୍ଧୁ ସେଇ କମିଟିରେ ସ୍ଥାନ ପାଇଲା ।

 

ବିଶ୍ଵନାଥ ଅନଶନ ଭାଙ୍ଗିଲେ । ଅନ୍ୟ କଏଦୀମାନେ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କଲେ; କିନ୍ତୁ ସେଇ ରାତିରେ ନିର୍ଜନ ପ୍ରହରରେ ବିଶ୍ଵନାଥଙ୍କୁ ଆଉ ଏକ ଅଜ୍ଞାତ ସ୍ଥାନକୁ ପଠାଇ ଦିଆଗଲା । ଏ କାମ ଏତେ ଗୋପନରେ କରାଗଲା ଯେ ଜେଲ୍ କର୍ତ୍ତୃପକ୍ଷଙ୍କ ବ୍ୟତୀତ ଅନ୍ୟ କେହି ଜାଣିପାରିଲେ ନାହିଁ । ସକାଳ ଦଶଟାବେଳେ ବିଶ୍ଵନାଥ ସ୍ଥାନାନ୍ତରିତ ହୋଇଥିବା ସମ୍ବାଦ ପ୍ରଚାରିତ ହେଲା କଏଦୀମାନଙ୍କ ମଧ୍ୟରେ; କିନ୍ତୁ ସେମାନଙ୍କ ଭିତରେ ଯେପରି ଏଇ ବିଷୟ ନେଇ କୌଣସି ପ୍ରତିବାଦ ବା ଆଲୋଚନା ନହୁଏ ସେଥିଲାଗି ଚତୁରତା ସହିତ କୌଶଳ କରିଥିଲେ କର୍ତ୍ତୃପକ୍ଷ । ଅନଶନ କରିବା ଫଳରେ ବିଶ୍ଵନାଥ ହଠାତ୍ ଅସୁସ୍ଥ ହୋଇପଡ଼ିବା ଓ ଉପଯୁକ୍ତ ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଯାଇଥିବା ପ୍ରଚାର କରିଦିଆଗଲା । କୃପାସିନ୍ଧୁ ବା ଆଉ କେହି ଏହା ବିଶ୍ଵାସ କଲେ ନାହିଁ ସତ; କିନ୍ତୁ ବିଶ୍ଵନାଥଙ୍କ ଅନୁପସ୍ଥିତିରେ ସେମାନେ କ’ଣ କରିବେ ତାହା ମଧ୍ୟ ନିଶ୍ଚୟ କରିପାରିଲେ ନାହିଁ ।

 

ବିଶ୍ଵନାଥ ଯେ ଯଶୀପୁର ନିକଟସ୍ଥ ଏକ ଅଜ୍ଞାତ ସ୍ଥାନରେ ବନ୍ଦୀହୋଇ ଏକାନ୍ତରେ କାଳ କାଟିବାକୁ ଲାଗିଲେ ଏହା ଅନ୍ୟ କେହି କେତେ ସପ୍ତାହ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ । କେଉଁ ସ୍ଥାନରେ ସେ ବନ୍ଦୀ ତାହା ଜାଣିବା ଆଦୌ ସମ୍ଭବ ନଥିଲା; କିନ୍ତୁ ତଥାପି ବିଶ୍ଵନାଥଙ୍କୁ ଜାଣୁଥିଲେ ଯେ ତାଙ୍କୁ ଗଭୀର ଅରଣ୍ୟ ମଧ୍ୟରେ ଗୃହବନ୍ଦୀ କରି ରଖାଯାଇଥିଲା । କାହା ସହିତ ପଦେ କଥା କହିବାର ଯୁ ନାହିଁ । ଘର ଚାରିପାଖରେ କଣ୍ଟାତାରର ବାଡ଼ । ଚାରିଜଣ ସଶସ୍ତ୍ର ସିପାହୀ ସର୍ବଦା ସତର୍କ ଓ କର୍ତ୍ତବ୍ୟରତ । ସେମାନଙ୍କର ମାର୍ଚ୍ଚ କଲାପରି ଚାଲିରୁ ଭୂଇଁ ଉପରେ ଭାରି ବୁଟ୍ ଜୋତାର ଯେଉଁ ମାଡ଼ ବସେ ତାହାରି ଶବ୍ଦ ଘର ଭିତରେ ବସିବସି ଶୁଣନ୍ତି ବିଶ୍ଵନାଥ । ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ତାଙ୍କୁ ବାହାରକୁ ଆସିବାକୁ ଦିଆଯାଏ ସିପାହୀମାନଙ୍କ ସହିତ ନିତ୍ୟକର୍ମ ଶେଷ କରିବା ପାଇଁ । ସେଇ ସମୟରେ ମଧ୍ୟ ସେମାନେ କଥା କହନ୍ତି ନାହିଁ କି କିଛି ପ୍ରଶ୍ନ କଲେ ତା’ର କୌଣସି ଉତ୍ତର ନାହିଁ । କବାଟ ଖୋଲି ଖାଦ୍ୟଥିବା ଥାଳି, ପାଣି ବଢ଼ାଇ ଦିଆଯାଏ ଦୁଇଓଳି । ବନ୍ଦ କବାଟ ବଡ଼ ନିଷ୍ଠୁର, ଦୁଃସହ ଲାଗେ ତାଙ୍କୁ । ମନେପଡ଼େ କଂସର ବନ୍ଦୀଶାଳା । ମନେପଡ଼େ ଦେବକୀ ଓ ବସୁଦେବଙ୍କ ଶୋଚନୀୟ ନିର୍ଯ୍ୟାତିତ ଅବସ୍ଥା । ଭାଗବତରେ ଲେଖାଅଛି ସବୁ–ପଢ଼ିଲାବେଳେ ଅଶ୍ରୁ ସମ୍ବରଣ କରିପାରନ୍ତି ନାହିଁ ବିଶ୍ଵନାଥ । ପାର୍ବତୀ ସେଇ ଦଶମସ୍କନ୍ଧ ଭାଗବତ ଶୁଣିବା ବେଳେ ଗର୍ଭବତୀ ହୋଇଥିଲେ । ଶଙ୍କର ଆସିଥିଲା ତାଙ୍କ କୋଳକୁ । ଭଗବାନଙ୍କ ପାଇଁ ସିନା କଂସର ବନ୍ଦୀଶାଳାର କବାଟ ଖୋଲିଗଲା, ତାଙ୍କ ପାଇଁ ଏଇ କବାଟ ତ ସବୁଦିନ ବନ୍ଦ ରହିବ-। ସେ ସାମାନ୍ୟ ଜଣେ ମୁକ୍ତିସଂଗ୍ରାମୀ । ଦେଶର ମୁକ୍ତିପାଇଁ ଲଢ଼ୁଥିବା ଜଣେ ଅଜଣା ସୈନିକ-

 

ମନ ଦୁର୍ବଳ ହେଲେ, ଉଦାସ ଓ ଅବସାଦରେ ମୁହ୍ୟମାନ ହେଲେ ମହାତ୍ମାଙ୍କ ବାଣୀ ମନେପଡ଼େ–କର ବା ମର । ମରିବା ପୂର୍ବରୁ ଗୋଟେ ଘାଟି ଦଖଲ କିବା ପାଇଁ ପଣ କରିଛନ୍ତି ସେ-। ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗଦପି ଗରୀୟସୀ–ବାଲ୍ମିକୀ ରାମାୟଣରେ ରାମଙ୍କ ମୁହଁରେ କହିଛନ୍ତି ଅମର କବି ବାଲ୍ମିକୀ । ଲଙ୍କା ଜୟ କରି ମଧ୍ୟ ରାଜସିଂହାସନରେ ମୁହୂର୍ତ୍ତେମାତ୍ର ନ ବସି ବିଭୀଷଣଙ୍କୁ ସିଂହାସନରେ ଅଭିଷିକ୍ତ କଲେ ଶ୍ରୀରାମଚନ୍ଦ୍ର । ଲକ୍ଷ୍ମଣଙ୍କୁ ହରାଇ ଶୋକାକୁଳ ହୋଇ କହିଥିଲେ–

 

“ଦେଶେ ଦେଶେ କଲତ୍ରାନି ଦେଶେ ଦେଶ ଚ ବାନ୍ଧବାଃ ।

ତଂ ତୁ ଦେଶଂ ନ ପଶ୍ୟାମି ଯତ୍ର ଭ୍ରାତା ସହୋଦରଃ ।।

କିଂ ନୁ ରାଜ୍ୟେନ ଦୁର୍ଦ୍ଧର୍ଷ ଲକ୍ଷ୍ମଣେନ ବିନା ମମ ।

କଥଂ ବକ୍ଷାମ୍ୟହଂ ତ୍ଵଂ ନ୍ଵାଂ ସୁମିତ୍ରାପୁତ୍ରବତ୍ସଲମ୍ ।।’’

 

ଦେଶେ ଦେଶେ କଳତ୍ର ମିଳନ୍ତି, ଦେଶେ ଦେଶେ ବନ୍ଧୁ ମଧ୍ୟ ମିଳନ୍ତି; କିନ୍ତୁ ଏପରି ଦେଶ କେଉଁଠି ଅଛି ଯେଉଁଠି ସହୋଦର ଭାଇ ମିଳନ୍ତି ? ହେ ବୀର ସୁଷେଣ ! ଲକ୍ଷ୍ମଣଙ୍କୁ ହରାଇ ଏ ରାଜ୍ୟରେ ବା ମୋର କ’ଣ ପ୍ରୟୋଜନ ? ମୁଁ ପୁତ୍ରବତ୍ସଳା ମାତା ସୁମିତ୍ରାଙ୍କୁ କ’ଣ କହିବି ?

 

କୃପାସିନ୍ଧୁ କଥା ମନେପଡ଼ିବାକ୍ଷଣି ଆଖି ସଜଳ ହୋଇଉଠେ ବିଶ୍ଵନାଥଙ୍କର । ସେ ଏବେ କିପରି ଅଛି ? ତା’ର ଯଦି କିଛି ହୋଇଯାଏ ତେବେ ସେ କ’ଣ କହିବେ ଲକ୍ଷ୍ମୀଙ୍କୁ ? ସହୋଦର ଭାଇଠାରୁ ବେଶୀ ଆଜ୍ଞାବହ ସେ । ସେ ପାଖରେ ଥିଲେ ଶକ୍ତି ଅନୁଭବ କରନ୍ତି ବିଶ୍ଵନାଥ । ମନ ବ୍ୟାକୁଳ ହୁଏ, ଛାତିତଳର ଶବ୍ଦ କାନକୁ ଶୁଭେ; କିନ୍ତୁ କୃପାସିନ୍ଧୁ ଦୂରରେ ରହିଯାଏ, ଆଉ ପାର୍ବତୀଙ୍କ ମୁହଁ ମନେପଡ଼ିବା କ୍ଷଣି ପ୍ରବଳ ଶୋକୋଚ୍ଛ୍ଵାସ କବଳିତ କରେ ତାଙ୍କୁ । ସେ କାନ୍ଥ ଉପରେ ଆଉଜି ପଡ଼ନ୍ତି ନିଃସହାୟ ପରି । ଜୀବନର ସବୁ ସୁଖଦୁଃଖ ସମର୍ପି ଦେଇ ଯିଏ ଏକାନ୍ତ ଅନୁଗତଭାବେ ତାଙ୍କର ସେବା କରିଚାଲିଛି, ଆଜ୍ଞା ମାନି ବିନା ପ୍ରତିବାଦରେ ସବୁ କରିଆସୁଛି, ପ୍ରତିଦାନରେ ତାଙ୍କୁ କ’ଣ ଦେବେ ବିଶ୍ଵନାଥ ?

 

ମନ ଭିତରଟା ହାହାକାର କରିଉଠେ । କିଛି ସମୟ ବିତିଯାଏ ନିଜକୁ ସଜାଡ଼ିବାପାଇଁ । ପୁଣି ପରାଧୀନ ଶୃଙ୍ଖଳ କବଳିତ ଭାରତ ଜନନୀ ଉଭାହୁଅନ୍ତି ଆଖି ଆଗରେ । ଜନନୀଙ୍କୁ ମୁକ୍ତି କରିବାଲାଗି ପୁଣି ଆଉ ଥରେ ପ୍ରତିଜ୍ଞା କରନ୍ତି ସେ ।

 

ସେଦିନ କାହିଁକି କେଜାଣି ଆଦୌ ନିଦ ହେଲାନାହିଁ ବିଶ୍ଵନାଥଙ୍କୁ । କିଏ ଯେପରି ଆସୁଛି ତାଙ୍କ ପାଖକୁ ? କାହାର ପଦଧ୍ଵନି ଭାସିଆସୁଛି ଅରଣ୍ୟ ଭିତରୁ ? ମୁକ୍ତିର ମଶାଲ୍ ଜାଳି କିଏ ଯେପରି ଆଗେଇ ଆସୁଚି ନିରନ୍ଧ୍ର ଅନ୍ଧକାର ଭେଦକରି । ରାତି କେତେ ହେବ କେଜାଣି–ଶବ୍ଦ ଶୁଣି ଉଠି ବସିଲେ ବିଶ୍ଵନାଥ । ଥରେ ନୁହେଁ ତିନିଥର ସେଇ ଶବ୍ଦ ଭାସିଆସିଲା । ଏ ଶବ୍ଦର ଭାଷା ବୁଝନ୍ତି ସେ । ତଥାପି ମନରୁ ଶଙ୍କା ଯାଉନି । ସେ ଠିଆହୋଇଯାଇ ଶବ୍ଦ ଆସୁଥିବା ଦିଗକୁ ଗଲେ । ପୁଣି ତିନିଥର ଶବ୍ଦ ହେଲା । ସେଇ ଶବ୍ଦର ସାଂକେତିକ ଅର୍ଥ ଏଥର ନିର୍ମଳ, ପ୍ରାଞ୍ଜଳ ହୋଇଗଲା ତାଙ୍କ ପାଖରେ । କେହି ନିଶ୍ଚୟ ଆସିଛି । କିନ୍ତୁ କିଏ ସେହି ତ୍ରାଣକର୍ତ୍ତା ?

 

ଧୀର ଧୀରେ ସେଇ ଅସ୍ପଷ୍ଟ ଶବ୍ଦ ସ୍ପଷ୍ଟ ହେବାକୁ ଲାଗିଲା । ବିଶ୍ଵନାଥଙ୍କୁ ଲାଗୁଥିଲା ଯେପରି ଈଶ୍ଵରଙ୍କ ନିର୍ଦ୍ଦେଶ ପାଳନ କରିବାପାଇଁ କୌଣସି ଦେବଦୂତ ଚାଲିଆସିଛି ଅଜ୍ଞାତ ବନ୍ଦୀଶାଳାରୁ ତାଙ୍କୁ ଉଦ୍ଧାର କରିବା ପାଇଁ । ଚାଳ କଣାକରି ଉପରୁ କେହି ତଳକୁ ଡେଇଁପଡ଼ି ହଜିଗଲା ଅନ୍ଧାର ଭିତରେ । ବାହାରୁ ଭାସିଆସୁଥାଏ ବର୍ଷା ଓ ଘଡ଼ଘଡ଼ିର ଶବ୍ଦ । ଶୀତରେ ଥରିଉଠୁଥାଏ ସର୍ବାଙ୍ଗ । ଏଇ ମଧ୍ୟରାତ୍ରିରେ କିଏ ଆସିଲା ଏଠାକୁ ? କିଛି ମନ୍ଦ ଉଦ୍ଦେଶ୍ୟ ନେଇ ଆସିନାହିଁ ତ ? ଜନ୍ତୁ ଜାନୁଆର ବା ଭୂତପ୍ରେତ ନୁହେଁ ତ ?

 

କାହାର ଅସ୍ପଷ୍ଟ ଶବ୍ଦ ଅତି ନିକଟରେ ଶୁଣିଲେ ବିଶ୍ଵନାଥ । ମଣିଷର ନିଃଶ୍ଵାସ ପ୍ରଶ୍ଵାସ ବାରିପାରି ରୁଦ୍ଧଶ୍ଵାସ ହୋଇ କହିଲେ–କିଏ ?

 

–ବାପା ମୁଁ ଆସିଛି… ଶଙ୍କର… ।

 

ବିଶ୍ଵନାଥ ବିଶ୍ଵାସ କରିପାରୁନଥିଲେ ।

 

–ମୁଁ ଆସିଛି ବାପା…ନେତାଜୀଙ୍କ ଆଦେଶ…ତମକୁ ଉଦ୍ଧାର କରିବା ପାଇଁ ତାଙ୍କରି ନିର୍ଦ୍ଦେଶରେ ଆସିଛି ମୁଁ ।

 

ଶଙ୍କରକୁ ଛାତି ଉପରେ ଆଉଜାଇନେଇ କହିଲେ ବିଶ୍ଵନାଥ–ବଡ଼ ଦୁଃସାହସିକ କାର୍ଯ୍ୟ କରିଛୁ ବାପା ! ତୋ ଜୀବନର ମୂଲ୍ୟ ମୋ ଠାରୁ ଅନେକ ବେଶୀ ।

 

–ଆଉ ବିଳମ୍ବ ନକରି ଏଇ ମୁହୂର୍ତ୍ତରେ ଏଠାରୁ ଚାଲିଯିବାକୁ ହେବ । ସଶସ୍ତ୍ର ସିପାହୀ ନିଦରେ ଶୋଇଛନ୍ତି । ବର୍ଷା ରାତିରେ ଏଇ ଅଗମ୍ୟ ସ୍ଥାନକୁ ଆସିବାର ଦୁଃସାହସ କେହି କରିପାରେ ସେମାନେ ଏହା ବିଶ୍ଵାସ କରିପାରିବେ ନାହିଁ ।

 

ବିପ୍ଳବୀ ହିଁ କେବଳ ଏପରି ସାହସ ଓ ଆତ୍ମବିଶ୍ଵାସ ଦେଖାଇପାରେ । ଆଉ କାଳ ବିଳମ୍ବ ନକରି ସମାନେ ଚାଳ ଡେଇଁ ବାହାରକୁ ଚାଲିଗଲେ । ବାହାରେ ଅନ୍ଧକାରରେ ଅଭୟ ଅପେକ୍ଷା କରୁଥିଲା ଆଉ ତିନିଜଣଙ୍କ ସହିତ । କିଛି ସମୟ ଚାଲିବା ପରେ ଅପନ୍ତରା ଓ ଦୁର୍ଗମ ପଥ ପାରହୋଇ ସେମାନେ ଆସିଲେ ସଡ଼କ ଉପରକୁ ।

 

–ଇଏ କେଉଁ ଜାଗାରେ ଅଭୟ ?

 

–ଯଶୀପୁର…ଫିସ୍ ଫିସ୍ କରି କହିଲା ଅଭୟ ।

 

–ରାତି ପାହିବା ପୂର୍ବରୁ ରରୁଁଆ ପହଞ୍ଚିବା ଦରକାର । ସେଠାରେ ସେମାନେ ଅପେକ୍ଷା କରୁଥିବେ…କହିଲା ଶଙ୍କର ।

 

–କିଏ ?

 

–ନେତାଜୀ…ଆଉ ତାଙ୍କର ସାଥୀମାନେ ।

 

ବିଶ୍ଵନାଥଙ୍କ ସର୍ବାଙ୍ଗ ଶିହରିତ ହେଲା ଜନ୍ମେଜୟଙ୍କ ନାମ ଶୁଣି । ଏଇ ଅଜ୍ଞାତ ବନ୍ଦୀଶାଳାରୁ ତାଙ୍କୁ ଉଦ୍ଧାର କରିବାର ଉପାୟ ତା’ହେଲେ ତାଙ୍କରି ରଚନା–ମନକୁ ମନ କହିଲେ ବିଶ୍ଵନାଥ ।

 

ସାରା ରାତି ଚାଲିବା ପରେ ମଧ୍ୟ ସେମାନେ ରରୁଆଁ ପହଞ୍ଚି ପାରିଲେ ନାହିଁ । ବର୍ଷା ସେମାନଙ୍କର ଗତି ପ୍ରତିହତ କରୁଥିଲା ପଦେ ପଦେ । ଆକାଶକୁ ଚାହିଁ କହିଲେ ବିଶ୍ଵନାଥ–ଆଉ କେତେ ବାଟ ?

 

–ଆଉ ଦୁଇ ତିନି ମାଇଲ ହେବ । ଘଣ୍ଟାଏ ଲାଗିବ ମଉସା…ପାରିବ ?

କ୍ଳାନ୍ତ ଅବସନ୍ନ ଦେହକୁ ଟାଣି ଓଟାରି ଆଗକୁ ନେବାପାଇଁ ପାଦର ଗତି ଚଞ୍ଚଳ କଲେ ବିଶ୍ଵନାଥ । ସୁର୍ଯ୍ୟୋଦୟ ପରେ ପରେ ରରୁଁଆ ପହଞ୍ଚିଲେ । ଗ୍ରାମବାସୀମାନଙ୍କ ନଜର ଏଡ଼ାଇବା ସମ୍ଭବ ନୁହେଁ ଭାବି ସେମାନେ ରାସ୍ତା ପାଖର ଗୋଟିଏ ଗାଁର ଜଣେ ବିଶ୍ଵସ୍ତକର୍ମୀଙ୍କ ଘରେ ଆଶ୍ରୟ ନେଲେ । ରରୁଆଁକୁ ଖବର ଦେବାପାଇଁ ଶଙ୍କର ଗଲା । ଜନ୍ମେଜୟ ତା’ଠାରୁ ସମସ୍ତ ତଥ୍ୟ ଶୁଣି ସନ୍ତୋଷ ପ୍ରକାଶ କରି କହିଲେ–ସାବାସ୍ ! ଏଇ ଯେ ବାହାଦୂରୀ !

 

ତାଙ୍କ ପାଦଧୂଳି ନେଇ ଅବନତ ମସ୍ତକରେ କହିଲା ଶଙ୍କର–ଆପଣଙ୍କ ଆଦେଶ ପାଳନ କରିଛି, ମାତ୍ର !

 

ସାଥୀମାନଙ୍କ ସହିତ ପରାମର୍ଶ କରିବାପାଇଁ ରଘୁ, ବୈରାଗୀ ଓ ଅନ୍ୟମାନଙ୍କୁ ଡାକିପଠାଇଲେ ଜନ୍ମେଜୟ ।

 

ରରୁଆଁ ହୋଟିଏ ବଡ଼ ଗାଁ । ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସାନ୍ତାଳ ପ୍ରଜାମାନେ ମୂଲ ଲାଗି ଚଳନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବଙ୍ଗପ୍ରଦେଶକୁ ଯାଆନ୍ତି ମାର୍ଗଶୀର ମାସରେ ଧାନ କାଟିବା ପାଇଁ । ଧାନ ଅମଳ କାମ କରି ଶେଷକରି, ବେଶ୍ କିଛି ରୋଜଗାର କରି ଫେରିଆସନ୍ତି ଦୁଇମାସ ପରେ । ସେହିପରି ଶ୍ରାବଣ ଓ ଭାଦ୍ରବ ଦୁଇମାସରେ ବିଲ କାମ କରିବା ପାଇଁ ଚାଲି ଆସନ୍ତି ବଙ୍ଗଦେଶକୁ । ବର୍ଷକୁ ଚାରିମାସ ବାହାରେ ରହି ଯେତିକି ରୋଜଗାର କରନ୍ତି ସେତିକିରେ ଛଅ–ସାତମାସ ଚଳିଯାଏ । ବଣରୁ କାଠ, ବାଉଁଶ, ଝୁଣା, ମହୁ ସଂଗ୍ରହ କରି ହାଟରେ ବିକ୍ରି କରି ମଧ୍ୟ କିଛି ଉପାର୍ଜନ କରନ୍ତି । ଜଳସେଚନର ବ୍ୟବସ୍ଥା ନାହିଁ, ତେଣୁ ଚାଷ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ପାହାଡ଼ିଆ ଜମିର ଉର୍ବରାଶକ୍ତି ମଧ୍ୟ ବେଶୀ ନୁହେଁ । ଚାଷରୁ ଯେତିକି ଆୟ ହୁଏ ତାହା ଭାତ ଭୁଜାକୁ ନିଅଣ୍ଟ । ଅଧିକାଂଶ ନାମକୁମାତ୍ର ଚାଷୀ, ଯଦିବା ପାଞ୍ଚ ସାତଜଣଙ୍କୁ ବଡ଼ଚାଷୀ କୁହାଯାଇପାରେ । ଏହା ବାଦ ଆଉ ଯେଉଁମାନେ ରହିଲେ ସେମାନଙ୍କ ଭିତରେ ଅଛନ୍ତି ଧୋବା, ବାରିକ, ଗଉଡ଼, କମାର, କୁମ୍ଭାର, ତେଲି, ବ୍ରାହ୍ମଣ ଜାତିର ଲୋକ, ଯେଉଁମାନେ କୁଳବୃତ୍ତି ଅବଲମ୍ବନ କରି ଚଳନ୍ତି । ଏହାବାଦ୍ ଅନ୍ୟମାନେ ମୂଲ ଲାଗି ଚଳନ୍ତି ।

 

ଗାଁଟି ବେଶ୍ ବଡ଼ । ଏତେ ବଡ଼ ଗାଁର ପଧାନ ବୋଲି ଯଯାତିକେଶରୀ ମହାପାତ୍ରଙ୍କ ନାମ ଡାକ ଅଛି । ତାଙ୍କୁ ଦେଖିଲେ ଲୋକମାନେ ସମ୍ମାନ ସଂଭ୍ରମ ଜଣାନ୍ତି । ଯଯାତି ରାଜଦରବାରର ଲୋକ, ସେଥିପାଇଁ ଖାତିର ଅଛି ଖଣ୍ଡମଣ୍ଡଳରେ । ମହାରାଜାଙ୍କ ପ୍ରତିନିଧି ସେ । ରାଜକୋଷ ପାଇଁ କର ଆଦାୟ କରିବା ତାଙ୍କର ଏକମାତ୍ର କାମ ନୁହେଁ; ଗାଁର ହାନିଲାଭ, ଆଇନ୍ ଶୃଙ୍ଖଳା ସବୁ ତାଙ୍କର ବିଚାରବୁଦ୍ଧି ଦ୍ଵାରା ନିୟନ୍ତ୍ରିତ ହୁଏ । ପ୍ରାଥମିକ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ପାଠ ପଢ଼ିଥିଲେ ମଧ୍ୟ ନିଜ ଉଦ୍ୟମରୁ ସେ ଉଚ୍ଚଶିକ୍ଷିତଙ୍କଠାରୁ କମ୍ ବିଜ୍ଞ ନୁହଁନ୍ତି । ରାମାୟଣ, ମହାଭାରତ, ଗୀତା, ଭାଗବତ କଣ୍ଠସ୍ଥ । ରାଜକର୍ମଚାରୀ ହୋଇ ମଧ୍ୟ ଦେଶପ୍ରୀତିକୁ ପରିତ୍ୟାଗ କରିନାହାନ୍ତି ଯଯାତି । ଦେଶ ଯେ ରାଜାଠାରୁ ଆହୁରି ବଡ଼, ସେଇ କଥା କହନ୍ତି ଉପମା ଛଳରେ । ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କର ବିନାଶ ଅଛି; କିନ୍ତୁ ରାଷ୍ଟ୍ରର ବିନାଶ ନାହିଁ । ରାଜା ବା ସମ୍ରାଟ୍ ରାଷ୍ଟ୍ରର ପ୍ରଧାନ ଓ ପ୍ରଥମ ସେବକ । ରାଜ୍ୟ ରକ୍ଷା ସହିତ ପ୍ରଜାନୁରଞ୍ଜନ କରିବା ରାଜାଙ୍କର ଧର୍ମ । ସେଇ ଧର୍ମ ପାଳନରେ ଅବହେଳା ବା ଅପାରଗତା ପ୍ରଦର୍ଶନ ଅକ୍ଷମଣୀୟ ଅପରାଧ । ରରୁଆଁ ଏବଂ ପାଖଆଖ ଆଉ ଦଶଟି ଗ୍ରାମର ଲୋକମାନେ ଯଯାତିଙ୍କୁ । ସେମାନେ ତାଙ୍କର ଅନୁଗତ ଓ ଆପଣାର ଲୋକ । ବିପଦ, ଆପଦ, ଅଭାବ ଅସୁବିଧା ସମୟରେ ସେମାନଙ୍କର ପରମ ମିତ୍ର ସେ-। ଧାନ, ଚାଉଳ, ଟଙ୍କା କରଜ ଦିଅନ୍ତି ଅଳ୍ପ ସୁଧରେ । ଦୀନଦୁଃଖୀ ନିରାଶ ହୋଇ ତାଙ୍କ ଦୁଆରୁ ଫେରିଯିବା କେହି ଜାଣିନାହାନ୍ତି କି ଶୁଣିନାହାନ୍ତି । ପ୍ରତିଦିନ ପାଞ୍ଚସାତଜଣଙ୍କ ପତର ପଡ଼େ ତାଙ୍କ ଘରେ । ସ୍ତ୍ରୀ ଅନୁସୂୟା ପତିଭକ୍ତା, ସ୍ନେହବତ୍ସଳା । ତାଙ୍କର ଏକମାତ୍ର ଦୁଃଖ ଯେ ସେ ନିଃସନ୍ତାନ-। ବହୁ ବାର ବ୍ରତ ଓଷା ଉପବାସ କରି ମଧ୍ୟ ସେ ସନ୍ତୁଷ୍ଟ କରିପାରିନାହାନ୍ତି ଭୋଳାନାଥଙ୍କୁ । ପ୍ରତିବର୍ଷ ଜାଗର ସମୟରେ ଅଧିଆ ପଡ଼ନ୍ତି ଠାକୁରଙ୍କ ପାଖରେ । ଖାଡ଼ା ଉପାସ-। ପାଣି ଟିକେ ବି ପିଅନ୍ତି ନାହିଁ କି ପାନ ଖଣ୍ଡେ ବି ଖାଆନ୍ତି ନାହିଁ ।

 

ଯଯାତି ବୁଝାନ୍ତି ସ୍ତ୍ରୀଙ୍କୁ–ଗତଜନ୍ମର ପ୍ରାରବ୍ଧ ଏ ଜନ୍ମରେ ଭୋଗ କରୁଛ, ଏଜନ୍ମର ପ୍ରାରବ୍ଧ ଭୋଗ କରିବ ଆର ଜନ୍ମରେ । ଭଗବାନଙ୍କୁ ଡାକ, ଭଲ କାମ କର, ମନ ନିର୍ମଳ ରଖ…ତାଙ୍କ ଉପରେ ଫଳାଫଳ, ଲାଭକ୍ଷତି ଛାଡ଼ିଦିଅ । କିଏ ଜାଣେ ହୁଏତ ଆମର ସବୁ ଥାଇ ବି ନିଃସନ୍ତାନ ହେବା ତାଙ୍କର ଇଚ୍ଛା ।

 

ସେଇ ଭଲ କାମ କରିବାକୁ ଯାଇ ସମସ୍ତଙ୍କୁ ଆପଣାର କରିନିଅନ୍ତି ସ୍ଵାମୀ ସ୍ତ୍ରୀ ।

 

ଜନ୍ମେଜୟଙ୍କ ସହିତ କେଉଁ ସୂତ୍ରରେ ତାଙ୍କର ସତର୍କ ବା ପରିଚୟ ତାହା କେହି ଜାଣନ୍ତି ନାହିଁ; କିନ୍ତୁ କାଳେ ସେମାନଙ୍କ ସମ୍ବନ୍ଧରେ କେହି କୌତୂହଳ ପ୍ରକାଶ କରିପାରେ ଏଇ ଆଶଙ୍କାରେ ସେମାନଙ୍କୁ ଖମାର ଘରେ ଆଶ୍ରୟ ଦେଇଥିଲେ ଯଯାତି । ଖମାର ଘର ବାହାର ବାରନ୍ଦାରେ ପାଠଶାଳାଟିଏ ଖୋଲିଦେଲେ ଜନ୍ମେଜୟ ଆସିବା ପରେ । ସାମ୍ନା ଦରଜା ବନ୍ଦ କରି ପଛ ଦରଜାଦେଇ ଯିବାଆସିବା କରିବା ହେଲା ଏଥିପାଇଁ । ଶ୍ମଶୁମଣ୍ଡିତ ଗୈରିକ ପରିହିତ ଜନ୍ମେଜୟ ସାଥୀମାନଙ୍କ ସହିତ ସମସ୍ତଙ୍କର ଅଜ୍ଞାତରେ ସମୟ ଅତିବାହିତ କରିବାକୁ ଲାଗିଲେ । କେତେ ବର୍ଷର କଠୋର ପରିଶ୍ରମ, ଉଦବେଗ, ଅନିୟମିତ ଆହାର ଓ ବିଶ୍ରାମ ଅଭାବରୁ ସ୍ଵାସ୍ଥ୍ୟ ଭାଙ୍ଗିପଡ଼ିଥିଲା ତାଙ୍କର । ବହୁ ଆୟାସଅର୍ଜିତ ସାମାନ୍ୟ ବିଶ୍ରାମ ଯେ ତାଙ୍କ ଭାଗ୍ୟରେ ନାହିଁ ଏହା ତାଙ୍କର ଦୃଢ଼ ଧାରଣା ହୋଇଯାଇଥିଲା ।

 

ରାତି ଦୁଇ ତିନି ଘଡ଼ି ହେବ । ବିଶ୍ଵନାଥ ସାଥୀମାନଙ୍କ ସହିତ ପହଞ୍ଚିଲେ ଯଯାତିକେଶରୀ ମହାପାତ୍ରଙ୍କ ଖମାରଘରେ । କାହାରି ଦୃଷ୍ଟି ଆକର୍ଷଣ କରିବାପାଇଁ କିଛି ନଥିଲା ସେମାନଙ୍କ ପାଖରେ । ସନ୍ଧ୍ୟା ହେବାକ୍ଷଣି ଲୋକମାନେ ଜମିରୁ ଫେରି ନିତ୍ୟକର୍ମ ଶେଷକରି ଖାଇପିଇ ଶୋଇଯାଉଥିଲେ । ଯୁଦ୍ଧକାଳୀନ କଟକଣା ଯୋଗୁଁ କିରାସିନୀ ତେଲ ଟୋପାଏ ଦୁଷ୍ପ୍ରାପ୍ୟ ହୋଇଯାଇଥିଲା । ବେଳବୁଡ଼ା ବେଳକୁ ଖିଆପିଆ ସାରି ତା’ପରେ ରାମାୟଣ, ମହାଭାରତ ବା ଭାଗବତ ଶୁଣିବା ପାଇଁ ଗାଁଲୋକେ ଠୁଳହେଉଥିଲେ ମନ୍ଦିର ଆଗରେ । ସଦାଶିବ ପାଣିଗ୍ରାହୀଙ୍କ ମୁଖରୁ ପୁରାଣ ଶୁଣି କୃତକୃତ୍ୟ ହୋଇଯାଉଥିଲେ ସମସ୍ତେ । ଏବେ କିରୋସିନୀ ମିଳୁନଥିବାରୁ ପୁରାଣପାଠର ସୁଯୋଗ ନଥିଲା । ଘରେ ଅନ୍ଧାରରେ ରାତି କଟାଇବାଛଡ଼ା ଅନ୍ୟ ଗତି ନଥିଲା ।

 

ବିଶ୍ଵନାଥଙ୍କୁ ଦେଖି କୁଣ୍ଢେଇପକାଇ କିଛି ସମୟ ଛାତି ଉପରେ ଭିଡ଼ିଧରିଲେ ଜନ୍ମେଜୟ-। ଭାବପ୍ରବଣ ହୋଇ କହିପକାଇଲେ ବିଶ୍ଵନାଥ–ବଞ୍ଚିଗଲି ବୋଲି ଦେଖାହେଲା ତୁମ ସହିତ-

 

ଜନ୍ମେଜୟଙ୍କର ସମସ୍ତ ମାନବିକ ଆବେଗ କେଉଁଦିନୁ ଅନ୍ତଃସ୍ଥଳର କେଉଁ ଅଜ୍ଞାତ କୋଣରେ ମୁହଁମାଡ଼ି ପଡ଼ିରହିଛି ତାହା ସେ ଭୁଲିଯାଇଛନ୍ତି । ଭସ୍ମାଚ୍ଛାଦିତ ବହ୍ନିର ଉତ୍ତାପ ଥାଏ, ଉପରେ ହାତ ଥାପିଲେ ଅନୁଭବ କରିହୁଏ; କିନ୍ତୁ ଜନ୍ମେଜୟଙ୍କ ଛାତି ଉପରେ ହାତ ଦେଲେ ଆବେଗର କୌଣସି ସ୍ପନ୍ଦନ ଲାଗେ ନାହିଁ । ବିପ୍ଳବର ପଥ ବଡ଼ ଦୀର୍ଘ ଏବଂ କଠୋର । ବିପ୍ଳବୀର ଆବେଗ ନଥାଏ କି ରୋମାଞ୍ଚ ନଥାଏ । ସଦାବେଳେ ଶୋଣିତ ପ୍ରବାହରେ କେବଳ ସ୍ପନ୍ଦିତ ହୁଏ ବିପ୍ଳବର ବାର୍ତ୍ତା ।

 

ସମସ୍ତଙ୍କ ସହିତ ଚିହ୍ନାପରିଚୟ ଥିଲା ପୂର୍ବରୁ । ପୁନର୍ବାର ପୁର୍ନମିଳନର ସୁଯୋଗ ପାଇ ଆଳାପ ଆଲୋଚନାରେ ରତ ହେଲେ ସମସ୍ତେ । ଏହି ଅବସରରେ ଶଙ୍କର କେତେବେଳେ ଅନସୂୟାଙ୍କ ପାଖକୁ ଚାଲିଯାଇଥିଲା ତାହା କେହି ଲକ୍ଷ୍ୟ କଲେ ନାହିଁ । ଶଙ୍କରଙ୍କୁ ଛାତି ଉପରକୁ ଟାଣିନେଇ କହିଲେ ଅନସୂୟା–କେତେଦିନୁ ଏମିତି ବୁଲୁଛୁ । ଦେହ ପ୍ରତି ନିଘା ନାହିଁ, ଖାଇବା ପିଇବାର ଠିକ୍ ଠିକଣା ନାହିଁ । ସେମାନେ ସେଠାରେ ରହନ୍ତୁ...ତୁ ମୋ ପାଖରେ ରହ ।”

 

ସବୁ ମା’ ଏହିପରି । ବହୁଦିନ ପରେ ନିଜ ମାଆ ହାତରନ୍ଧା ସୁଆଦ ତୁଣ୍ଡରେ ଲାଗିଲା ଶଙ୍କରର । ଆଖି ସଜଳ ହୋଇଉଠିଲା ମା’ କଥା ମନେ ପଡ଼ିଯିବାରୁ । ଅନସୂୟା ଜାଣିପାରି କହିଲେ–ମା’ କଥା ମନେ ପଡ଼ୁଛି ?

 

ଶଙ୍କର ନିଃସଙ୍କୋଚରେ ଉତ୍ତର ଦେଲା–ହଁ…

 

–ଏଡ଼େ ସୁନ୍ଦର ପୁଅକୁ ଛାଡ଼ିଦେଇ ସେ କେଡ଼େ ଛଟପଟ ହେଉଥିବେ, ମନ ଡହଳବିକଳ ହେଉଥିବ । ତୁ ଯଦି ତାଙ୍କୁ ଦେଖିବାକୁ ଚାହୁଁ ତ ଲୋକ ପଠାଇ ନେଇଆସିବି ।

 

ଶଙ୍କର ନିଜକୁ ସମ୍ଭାଳି ନେଇ କହିଲା–ନା, ନା…ମା’ କ’ଣ ଆସିପାରିବେ । ଘରେ ନାନୀମାନେ ଅଛନ୍ତି, ଭାଇ ଅଛି, କକାମାନେ ଅଛନ୍ତି । ମା’ ଚାଲିଆସିଲେ ଦିନେ ଚଳିବ ନାହିଁ ସେ ସଂସାର ।

 

–ସବୁ ପୁଅ ଏମିତି ଭାବନ୍ତିରେ ସୁନା !

 

ଅନସୂୟା ଥାଳିରେ ଆଉଗୋଟେ କାକରା ପିଠା ଦେଇ କହିଲେ–ତୋରି ପାଇଁ କରିଛି, ବସି ବସି ଖା...ବଳେଇ ବଳେଇ ପେଟଭରି ଖୁଆଇଦେଲେ ଅନସୂୟା ।

 

ବହୁଦିନର ଅନିଦ୍ରା ଓ ଅନିୟମିତ ଜୀବନଯାତ୍ରା ପରେ ପଧାନ ଘରର ସଜଡ଼ା ବିଛଣା ଉପରେ ଶୋଇବା ସଙ୍ଗେ ସଙ୍ଗେ ନିଦ ହୋଇଯିବ ବୋଲି ଆଶା କରୁଥିଲା ଶଙ୍କର; କିନ୍ତୁ ସେ ଚେଷ୍ଟା କରି ବି ଶୋଇପାରିଲା ନାହିଁ । ଗାୟତ୍ରୀର ଚିଠି ଅପଢ଼ା ରହିଯାଇଥିଲା ସେହିପରି; କିନ୍ତୁ ରାତିରେ ପଢ଼ିବ କିପରି ? ଅନ୍ଧାରରେ କାଳେ ଶଙ୍କର ଡରିବବୋଲି ଲଣ୍ଠନ ଆଉ ଦିଆସିଲି ଖଟତଳେ ରଖିଦେଇଥିଲେ ଅନସୂୟା । ସାଧାରଣ ଲୋକଙ୍କୁ ସିନା କିରାସିନୀ ଅଭାବ, ପଧାନ ଘରର ଅବସ୍ଥା କିନ୍ତୁ ଅଲଗା ।

 

ଲଣ୍ଠନ ଜାଳି ଚିଠିଟି ଖୋଲିଲା ଶଙ୍କର । ଘରୁ ବାହାରିଆସିଲାଦିନ ଚିଠିଟା ଦେଇଯାଇଥିଲା ଗାୟତ୍ରୀର ସାଙ୍ଗ ସ୍ନେହଲତା । ଉଦବେଗ ଓ ଅନିଶ୍ଚିୟତା ଭିତରେ ଚିଠି ବିଷୟ ସମ୍ପୂର୍ଣ୍ଣ ଭୁଲିଯାଇଥିଲା ଶଙ୍କର । ଆଜି ପୁଣି ହଠାତ୍ ମନେପଡ଼ିଯିବାରୁ ନିଜକୁ ନିନ୍ଦା କଲା ସେ ।

 

ଗାୟତ୍ରୀ ଲେଖିଥିଲା–

 

ନନା,

 

ତମେ ଆସିବ କହି ଆସିଲ ନାହିଁ । ମା’ ସେଦିନ ପିଠାକରିଥିଲା ତମେ ଆସିବ ବୋଲି; କିନ୍ତୁ ଆସିଲ ନାହିଁ କାହିଁକି ? ଏତେ କ’ଣ କାମ ପଡ଼ିଛି ଯେ ମୁହଁ ଦେଖାଇପାରୁନ ନା ମୁହଁ ଦେଖାଇବାକୁ ବା ଦେଖିବାକୁ ଇଚ୍ଛା ନାହିଁ । ମୁଁ ବହିରେ ପଢ଼ିଛି ଯେ, ମନ ଥିଲେ ସବୁ ହୁଏ । ଆମ ଘରକୁ ଆସିବାକୁ ତମର କ’ଣ ମନେ ହୁଏନି । ମୁଁ ପ୍ରତିଦିନ ତୁମ ଘର ସାମ୍ନା ଦେଇ ଥରେ ନୁହେଁ ଚାରି–ପାଞ୍ଚଥର ଯାଏ ଆସେ, କିନ୍ତୁ ତୁମେ କେଉଁ ଗମ୍ଭୀରା ଭିତରେ ଲୁଚିଥାଅ କେଜାଣି ମୋ ଆଖିରେ ପଡ଼ ନାହିଁ । ଆଉ ତିନିଦିନ ପରେ ଛୁଟି ସରିବ । ଆମେ ପଅରଦିନ ଗୋପୀବଲ୍ଲଭପୁର ଚାଲିଯିବୁ । ସେଠାକୁ ଗଲେ ତ ତୁମ ଦର୍ଶନ ଆହୁରି ଦୁର୍ଲଭ ହୋଇଯିବ ।

 

କେତେ କଥା କହିବାକୁ ଅଛି; କିନ୍ତୁ କହିବି କହିବି ହୋଇ ବି ସୁଯୋଗ ଅଭାବରୁ କହିପାରିନି । ମେଟ୍ରିକ୍ ପରୀକ୍ଷା ମୁଣ୍ଡ ଉପରେ । ମନ କିନ୍ତୁ ଥୟ ଧରୁନି । କାହିଁକି କହିପାରିବ । ତମେ କେମିତି ଜାଣିବ ଯେ ଆଡ଼ି ଉପରକୁ ଛିଟିକିପଡ଼ିଥିବା ମାଛ ପରି ମୁଁ ଏଠାରେ ଛଟପଟ ହେଉଛି ! ତମେ ଦେଶ କାମ କରିବା ଲାଗି ପଣ କରିଛ । ମୁଁ କ’ଣ ମନାକରୁଛି ସେ କାମ କରିବା ପାଇଁ ? ବରଂ ମୋ ମତରେ ସେଇ କାମ ଆଗ, ଆଉ ସବୁ ପଛ । ଗୋପୀବଲ୍ଲଭପୁରର ହେଡ଼୍‍ମାଷ୍ଟର ଶାନ୍ତିବାବୁ ଦେଇ କଥା କହନ୍ତି । ସେତୁବନ୍ଧ ବାନ୍ଧିବାପାଇଁ ଗୁଣ୍ଡୁଚିମୂଷାର ଦାନକଥା ତମେ ବିଶ୍ଵାସ କର । କୋଉକାଳୁ ମୁଁ ତୁମ ପାଖରେ ସମର୍ପି ଦେଇଛି ନିଜକୁ । ମନରେ, ଧ୍ୟାନରେ, ଶୟନେ, ସ୍ଵପନେ କେବଳ ତୁମ ଛବି ଭାସିଉଠେ ଆଖି ଆଗରେ । ଆଉ କେତେଦିନ ଅପେକ୍ଷା କରିବି । ତମର ମହାନ୍ ଆଦର୍ଶରେ ମୋତେ ଦୀକ୍ଷିତ କରିବ ନାହିଁ ? ଏକା ଏକା ଲଢ଼ୁଥିବ ?

 

ମା’ କହୁଥିଲେ ତୁମ ଘରକୁ ପ୍ରସ୍ତାବ ଯାଇଛି; କିନ୍ତୁ ପିଉସା ତ ଘରେ ନାହାନ୍ତି, ପିଉସା କ’ଣ ଏକା ନିଷ୍ପତ୍ତି ନେଇପାରିବେ । ଭାବିବ ଏ ବିଷୟରେ । ଯଦି ଉଚିତ ମନେକର ଗୋପୀବଲ୍ଲଭ ଠିକଣାରେ ଚିଠି ଦେବ । ଭଗବାନଙ୍କଠାରେ ତମର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି–ତମେ ବିଜୟୀ ହୁଅ ।

 

ଥରେ ନୁହେଁ ତିନି ଥର ପଢ଼ିଲା ଚିଠିଟାକୁ ଶଙ୍କର । ମନ ପ୍ରସନ୍ନ, ପୁଲକିତ ହୋଇଉଠିଲା । ଏତେଦିନଯାଏଁ ଏତେ ଅନ୍ତରଙ୍ଗ ଚିଠିଟା ଅପଢ଼ା ରହିଗଲା ବୋଲି ଅନୁଶୋଚନା ହେଲା ମନରେ । ଗାୟତ୍ରୀ ଏକ ଛୋଟ ଚିଠି ଭିତରେ ବହୁତ କଥା ଲେଖିଦେଇଛି । ଯାହା ଲେଖିଛି ତା ଅପେକ୍ଷା ଯାହା ନଲେଖିଛି ତାହା ଆହୁରି ଅଧିକ ଅର୍ଥପୂର୍ଣ୍ଣ, ରୋମାଞ୍ଚକର । ନେତାଜୀ କହିଥିଲେ ଦେଶ ସ୍ଵାଧୀନ ନହେବା ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବଅଭାବ, ସ୍ନେହପ୍ରେମ, ଆବେଗ ଉତ୍କଣ୍ଠାର ସ୍ଥାନ ନାହିଁ ବିପ୍ଳବୀର ଜୀବନରେ । ନିଜ ଜୀବନକୁ ସେ ନିଃଶେଷ କରିଦିଏ ଦିଆସିଲି ଖୋଳ ଭିତରେ ଥିବା କାଠିପରି–ଗୋଟିକ ପରେ ଗୋଟିଏ–ନିଜପାଇଁ ନୁହେଁ ଅନ୍ୟମାନଙ୍କୁ ଆଲୋକ ଦେବାପାଇଁ । ତାହାହିଁ କରିଆସିଛନ୍ତି ଜନ୍ମେଜୟ । ନିଜକୁ ନିଗୃହୀତ କରି ଅନ୍ୟମାନଙ୍କୁ ସୁଖୀ କରିବା ସକାଶେ ସଂଗ୍ରାମ କରି ଚାଲିଛନ୍ତି । ସେ କ’ଣ ପାରିବ ଏତେ ତ୍ୟାଗକରି ? ଗାୟତ୍ରୀର ଛୋଟ ନିର୍ମଳ ମୁହଁଟି ଉଦ୍ଭାସିତ ହେଲା ଆଖି ଆଗରେ । ତା’ ଭିତରେ ଥିବା ଦେଶାତ୍ମବୋଧର ବହ୍ନିକଣା ଉଦ୍ଦୀପ୍ତ ନହେଲେ ମଧ୍ୟ ନିର୍ବାପିତ ନୁହେଁ । ତାହାରି କଥା ଭାବୁ ଭାବୁ ବହୁଦିନ ପରେ ନିଶ୍ଚିନ୍ତରେ ଶୋଇପଡ଼ିଲା ଶଙ୍କର ।

 

[ ୨୦ ]

 

ଯୁଦ୍ଧର ଗତି ମୋଡ଼ ପରିବର୍ତ୍ତନ କରିଛି । ପର୍ଲହାର୍ବାର ଉପରେ ଜାପାନର ବର୍ବରୋଚିତ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେରିକା ଅଧିକ ସୈନ୍ୟ ସାମନ୍ତ ଗୁଳାବାରୁଦ ପଠାଇଛି ପ୍ରାଚ୍ୟ ରଣାଙ୍ଗନକୁ । ଦୁର୍ଦ୍ଧର୍ଷ ନିଷ୍ଠୁର ଜାପାନୀ ସୈନ୍ୟମାନଙ୍କର ଅଗ୍ରଗତି ପ୍ରତିହତ ହୋଇଛି । ନିର୍ଦ୍ଦୟ ଜାପାନୀ ସୈନ୍ୟମାନଙ୍କର ଅଗ୍ରଗତି ପ୍ରତିହତ ହୋଇଛି । ଭାରତର ସୀମାନ୍ତ ପର୍ଯ୍ୟନ୍ତ ମାଡ଼ିଆସି ସେମାନେ ମିତ୍ରପକ୍ଷର ଅଚାନକ ଅଦ୍ଭୂତପୂର୍ବ ଆକ୍ରମଣର ସାମନା କରିନପାରି ପଛଘୁଞ୍ଚା ଦେବା ଆରମ୍ଭ କରିଛନ୍ତି । ତେବେ ପଶ୍ଚିମ ରଣାଙ୍ଗନରୁ ମଧ୍ୟ ଶୁଭ ଖବର ଆସିବାରେ ଲାଗିଛି । ହିଟଲରର ନାଜୀ ସୈନ୍ୟ ସାମ୍ୟବାଦୀ ରୁଷ୍ ଉପରେ ଆକ୍ରମଣ କରି କ୍ଷିପ୍ର ବେଗରେ ଆଗେଇ ଯିବା ପରେ ଲେନିନଗ୍ରାଡ଼ଠାରେ ଅଟକି ରହିଛନ୍ତି । ରୁଷ୍ ସୈନ୍ୟମାନଙ୍କର ପ୍ରବଳ ପ୍ରତିରୋଧକୁ ପ୍ରତିହତ କରିନପାରି ଜର୍ମାନ୍ ସୈନ୍ୟ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି । ଉଭୟ ପକ୍ଷର ମୃତାହତଙ୍କ ସଂଖ୍ୟା ଏତେ ଅଧିକ ଏବଂ ସଂହାର ଲୀଳା ଏତେ ବ୍ୟାପକ ଯେ ମଣିଷ ତଟସ୍ଥ ହୋଇଯାଇଛି ନିଜର ଭୟଙ୍କର ରୂପ ଦେଖି ।

 

ଶହ ଶହ ବର୍ଷ ଧରି ମଣିଷର ପ୍ରଗତିପଥରେ ଯାତ୍ରା କରିବାର ଫଳଶ୍ରୁତି ଏଇ ମହାନ୍ ମାନବ ସଭ୍ୟତା କ’ଣ ଶେଷରେ ନିଶ୍ଚିହ୍ନ ହୋଇଯିବ ରଣାଙ୍ଗନରେ–ଏଇ ପ୍ରଶ୍ନ ଆଲୋଡ଼ିତ କରୁଛି ବିଶ୍ଵର ଶାନ୍ତିପ୍ରିୟ ଚିନ୍ତାଶୀଳ ମଣିଷକୁ । ହୁଏତ ଏଇ ଧ୍ଵସଂଲୀଳା, ଏଇ ନରସଂହାର, ଅନୀତି ଓ ଅହଙ୍କାରର ଏ ଅଭିଯାନକୁ ପ୍ରତିରୋଧ କରିବା ପାଇଁ ଜନ୍ମ ନେବ ନୂତନ ସଂକଳ୍ପ, ଭସ୍ମସ୍ତୂପ ମଧ୍ୟରୁ ଅଙ୍କୁରିତ ହେବ ସମତା ଓ ଶାନ୍ତିର ପ୍ରଣବ ମନ୍ତ୍ର ।

 

ନର୍ମାଣ୍ଡିରେ ମିତ୍ର ସୈନ୍ୟଙ୍କ ଅବତରଣ ଚମକାଇଦେଲା ହିଟ୍‍ଲରକୁ । ନିଜକୁ ଅପରାଜେୟ ମନେକରୁଥିବା ହିଟ୍‍ଲର ପ୍ରଥମଥର ପାଇଁ ହୁଏତ ଭାବିଥିବ ଯେ ତା’ର ଦିନକାଳ ସରିଆସୁଛି । ପତନର ପ୍ରଥମ ଦୃଶ୍ୟ ତ ଚିରକାଳ ଏହିପରି !

 

ଜନ୍ମେଜୟ ସାଥୀମାନଙ୍କ ସହିତ ଏକତ୍ର ବସି ଚା’ ପାନ କରୁଥିଲେ ଏବଂ ଯୁଦ୍ଧର ସର୍ବଶେଷ ସୂଚନାର ସମୀକ୍ଷା କରୁଥିଲେ । ସେ କହିଲେ–ପ୍ରଥମ ଥର ପାଇଁ–ନେତାଜୀ ସୁଭାଷ ବୋଧହୁଏ ଭୁଲ୍ କଲେ । ତା’ପରେ କିଛି ସମୟ ନୀରବ ରହି କଣ୍ଠରେ ଅନୁଶୋଚନାର ପ୍ରଲେପ ବୋଳି ଧୀରେ ଧୀରେ କହିଲେ–ଗୋଟିଏ ମହତ୍ କାର୍ଯ୍ୟର ସଫଳତା ପାଇଁ ଯେ ମହତ୍ ପନ୍ଥା ଅବଲମ୍ବନ କରିବାକୁ ହୁଏ ଗାନ୍ଧିଜୀଙ୍କ ଏଇ ତତ୍ତ୍ଵ ବୋଧହୁଏ ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ନେତାଜୀଙ୍କ ଦେଶପ୍ରେମର ତୁଳନା ନାହିଁ, ତ୍ୟାଗର ପଟାନ୍ତର ନାହିଁ; କିନ୍ତୁ ଅକ୍ଷଶକ୍ତିର ସହଯୋଗଦ୍ଵାରା ଭାରତ ଯଦି ସ୍ଵାଧୀନ ହୁଏ ତେବେ ସେଥିପାଇଁ ଅନେକ ମୂଲ୍ୟ ଦେବାକୁ ପଡ଼ିବ । ହୁଏତ ମଣିଷ ଯାହା ଭାବେ ସମୟ ତାହା ଚାହେଁନା । ନଚେତ୍ ଏପରି ହୁଅନ୍ତା କାହିଁକି ? ମୋତେ ଲାଗୁଛି ମିତ୍ରପକ୍ଷର ବିଜୟ ଲାଭ ପାଖେଇ ଆସୁଛି । ସାମ୍ୟବାଦୀ ରାଷ୍ଟ୍ର ରୁଷ ଉପରେ ଆକ୍ରମଣ କରି ହିଟ୍‍ଲର ବିରାଟ ଭୁଲ୍ କରିଛି ।

 

–କିନ୍ତୁ ଏଠାରେ ତା’ର ପ୍ରଭାବ କିପରି ପଡ଼ିବ ? –ପଚାରିଲେ ବିଶ୍ଵନାଥ ।

 

–ବିଶ୍ଵଯୁଦ୍ଧର ଫଳାଫଳର ପ୍ରଭାବ ଭାରତ ଉପରେ ପଡ଼ିବ ନିଶ୍ଚୟ । ମିତ୍ରପକ୍ଷ ଯୁଦ୍ଧରେ ବିଜୟୀହେଲେ ଇଂରେଜମାନେ ବିଜୟୋଲ୍ଲାସରେ ମାତିବେ; କିନ୍ତୁ ସେମାନଙ୍କର ଭାଙ୍ଗିଯାଇଥିବା ମେରୁଦଣ୍ଡ ଆଉ ସଳଖିବ ନାହିଁ । ଏହି ଯୁଦ୍ଧର ପରିଣତି ଯେତେ ଭୟଙ୍କର ହେଲେ ମଧ୍ୟ ସେଥିରୁ ଜନ୍ମନେବ ଏକ ଏକ ନୂତନ ବିଶ୍ଵଚେତନା, ଶାନ୍ତ ମୁକ୍ତି ଓ ସମତାର ନୂତନ ଓଁକାରଧ୍ଵନି । ହୁଏତ ଆମରି ଜୀବଦ୍ଦଶାରେ ଆମେ ପ୍ରତ୍ୟକ୍ଷ କରିବା ଆଉ ଏକ ନୂତନ ପୃଥିବୀ । ଯୁଦ୍ଧର ଏଇ ଧ୍ଵଂସସ୍ତୂପ ଉପରେ ଛିଡ଼ାହୋଇ ବିଶ୍ଵ ମାନବ ଗାଇବ ଶାନ୍ତି ମୈତ୍ରୀର ନୂତନ ସଂଗୀତ । କାଳବେଳ ସରିଆସିବା ପରି ଲାଗୁଛି ନନା । ବିପ୍ଲବ କକ୍ଷଚ୍ୟୁତ ହେବାର ଭୟ ଆଉ ନାହିଁ । ଇଂରେଜମାନଙ୍କର ଦିନ ସରିଆସୁଛି ଏ ଦେଶରେ । ଆଜି ହୁଏତ ସବୁ ଅସ୍ପଷ୍ଟ ମନେ ହେଉଛି; କିନ୍ତୁ ମହାନ୍ ବିପ୍ଳବୀ ମହର୍ଷୀ ଅରବିନ୍ଦଙ୍କ ସାଧନା ବ୍ୟର୍ଥ ହେବ ନାହିଁ । ଭାରତର ସ୍ଵାଧୀନତା ବିଧି ନିର୍ଦ୍ଦିଷ୍ଟ ହୋଇ ରହିଛି । ଏ ଜାତି ଆଉ ପରାଧୀନ ହୋଇ ରହିବ ନାହିଁ । ହୁଏ ତ ମୁଁ ନଥିବି, ତମେ ବି ନଥାଇ ପାର ନନା; କିନ୍ତୁ ଶଙ୍କରମାନଙ୍କ ପାଇଁ ନୂତନ ସ୍ଵାଧୀନ ସାର୍ବଭୌମ ଭାରତ ଜନ୍ମନେବ ନିକଟ ଭବିଷ୍ୟତରେ । ମୁଁ ଜ୍ୟୋତିଷ ନୁହେଁ, ଜ୍ୟୋତିଷ ଶାସ୍ତ୍ରରେ ବିଶ୍ଵାସ ବି କରେନା; କିନ୍ତୁ ଆଜି କାହିଁକି ମୋ ତୁଣ୍ଡ ଦେଇ ଆଉ କେଉଁ ଅଦୃଶ୍ୟ ଶକ୍ତି ଭବିଷ୍ୟତବାଣୀ କରିବାକୁ ଅନୁପ୍ରାଣିତ କରୁଛି ମୋତେ ।

 

ଏଇ ଆଶା ହିଁ ସଂକଳ୍ପ କରାଏ, ଆଗକୁ ଚାଲିବାକୁ ସାହସ ଦିଏ । ଅନ୍ତର ଭିତରେ ଲାଳନ କରେ ବିଶ୍ଵାସ । ଅଭିଳାଷ ନଥିବା ବ୍ୟକ୍ତି ନିଜ ଅକ୍ଷ ଚାରିପାଖରେ ଅଜ୍ଞାତରେ ବୁଲେ, ଜଗତକୁ ଦେଖିପାରେନା ।

 

ବିଶ୍ଵନାଥ ଉତ୍‍ଫୁଲ୍ଲିତ ହୋଇ କହିଲେ–ତୁମ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ ଜନ୍ମେଜୟ ।

 

ଯଯାତିକେଶରୀ କିନ୍ତୁ ପ୍ରବେଶକଲେ ଆଉ ଗୋଟେ ଅଶୁଭ ଖବର ଦେବାପାଇଁ । ଗୁଇନ୍ଦା ପୁଲିସ୍‍ ପିଛା ଛାଡ଼ିନି । ବିଶ୍ଵନାଥଙ୍କୁ ଖୋଜି ବାହାର କରିବା ପାଇଁ ରାଜ୍ୟସାରା ଅନୁସନ୍ଧାନ ଚାଲିଛି । ଗ୍ରାମ୍ୟ ଓ ଅରାଣ୍ୟ ଦରାଣ୍ଡି ପକାଉଛନ୍ତି ପୁଲିସ୍ ଲୋକେ ।

 

ସବୁ ଶୁଣି ଅକମ୍ପିତ ସ୍ଵରରେ କହିଲେ ଜନ୍ମେଜୟ–ସୀମା ଅତିକ୍ରମ କରି ସିଂଭୂମିକୁ ଚାଲିଯିବା ବ୍ୟତୀତ ଗତ୍ୟନ୍ତର ନାହିଁ ଭାଇ । ଭାବିଥିଲି ଟିକେ ନିଶ୍ଚିନ୍ତରେ ବିଶ୍ରାମ କରିବି ଦୁଇଦିନ; କିନ୍ତୁ ତାହା ହେବାର ନୁହେଁ । ଆଜି ରାତି ଏଠାରୁ ଚମ୍ପୁଆ ବାଟ ଦେଇ ସୀମା ଅତିକ୍ରମ କରିବାକୁ ପଡ଼ିବ । ହାତରେ ସମୟ କମ୍, ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଯଯାତି ବିମର୍ଷ ହୋଇ କହିଲେ–ଏମିତି ଛାନିଆ ହେଉଛ କାହିଁକି ଯେ ? ମୁଁ ଯଶୀପୁର ଯାଇଥିଲି, ଥାନାବାବୁ ନିଜେ କହିଲେ–ତମେ ସବୁ ଯେ ଏଠାରେ ଥାଇପାର ତାହା ଘୃଣାକ୍ଷରରେ ବି ସେ ଉଚ୍ଚାରଣ କରିନାହାଁନ୍ତି, କି ମୁଁ କୌଣସି, ଆଭାସ ଦେଇନାହିଁ ।

 

–ତାହା ସତ ଯେ କିନ୍ତୁ ପୁଲିସ୍ ଯେ ଏ ଗାଁକୁ ବି ଅବିଳମ୍ବେ ଆସିବ ଏ ଧାରଣା ଅମୂଳକ ନୁହେଁ । ତମେ ଦୁର୍ଦ୍ଦିନରେ ସାହାଯ୍ୟ କରିଛ, ଏହା କ’ଣ କେବେ ଭୁଲି ହେବ ଭାଇ । ବରଂ ଆମର ଯିବାପାଇଁ ସାହାଯ୍ୟ କର । ଆମେ ତ ପ୍ରସ୍ତୁତ–କେବଳ ସନ୍ଧ୍ୟାର ଅପେକ୍ଷା ?

 

ଶଙ୍କର ଉପରେ ଦୃଷ୍ଟି ପଡ଼ିବାକ୍ଷଣି କହିଲେ ଜନ୍ମେଜୟ–ତୁ ଆମ ସହିତ ଯିବା ଦରକାର ନାହିଁ । ତୋ ମାର୍ଗ ଭିନ୍ନ । ତୁ ରହ ଏଠାରେ ଯେତେଦିନ ସମ୍ଭବ । ଆଉ ଯଯାତି ନିଜେ ଯାଇ ବା କୌଣସି ଅତି ବିଶ୍ଵସ୍ତ ଲୋକକୁ ପଠାଇ ବୁଝି ଆସିବେ ଘର ବିଷୟ । ଭାଉଜ ଉଦ୍‍ବିଗ୍ନରେ ବାଟ ଚାହିଁ ବସିଥିବେ । ଏଠାରେ ତୋ ପ୍ରତି ବିପଦ ଆସିବାର ସମ୍ଭାବନା ନାହିଁ । ତୁ ନିଶ୍ଚିନ୍ତରେ ପରବର୍ତ୍ତୀ ବାର୍ତ୍ତା ପାଇଁ ଅପେକ୍ଷା କରିବୁ ଏଠାରେ ।

 

ତା’ପରେ ଯଯାତିଙ୍କୁ ନିରୋଳାକୁ ଡାକିନେଇ ଫିସଫିସ୍ କରି କହିଲେ ଜନ୍ମେଜୟ–ବିଶ୍ଵନାଥ ଆଉ କୃପାସିନ୍ଧୁଙ୍କ ପରିବାର ଦୁଃଖରେ କାଳାତିପାତ କରୁଛନ୍ତି–ରୋଜଗାର କରିବା ମଣିଷ ବାହାରେ ରହିଲେ ଯାହା ହୁଏ । ତମେ ସେମାନଙ୍କର ତତ୍ତ୍ଵ ନେବ, ଯାହା ସମ୍ଭବ କରିବ । ଦେଶସେବାର ମୂଲ୍ୟ ଅନେକ, ତାହା ତ ଦେଇହୁଏନା ସାଥୀ, ତଥାପି ଯାହା ପାରିବ କରିବ ଏଇ ଆଶା ଭରସା ରହିଛି ତୁମ ଉପରେ ।

 

ଯଯାତି କହିଲେ–ତମେ ନିଶ୍ଚିନ୍ତ ରୁହ । ପାର୍ବତୀ ମୋ ଭଉଣୀ । ଲକ୍ଷ୍ମୀ ବି ମୋ ଭଉଣୀ-। ମୁଁ ଯଥାସାଧ୍ୟ କରିବି ସେମାନଙ୍କ ପାଇଁ ।

 

ତାଙ୍କ କାନ୍ଧ ଉପରେ ହାତ ରଖି ଆଶ୍ଵସ୍ତ ହେବାର ସୂଚନା ଦେଲେ ଜନ୍ମେଜୟ ।

 

ସନ୍ଧ୍ୟାବେଳେ ପ୍ରସ୍ଥାନ ପାଇଁ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ଅସୁବିଧା ଉପୁଜିଲା ଅନ୍ୟ କାରଣରୁ । ଚା’ ପାନ ପରେ ଜନ୍ମେଜୟ ଅସ୍ୱସ୍ତି ଅନୁଭବ କଲେ । ସଙ୍ଗେ ସଙ୍ଗେ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇ ଘରକୁ ଯାଇ ତୈଳ ଆଣି ତାଙ୍କୁ ମାଲିସ୍ କରିଦେଲେ ଯଯାତି । ଏଥିରେ ଛାତି ଓ ପିଠିର ଯନ୍ତ୍ରଣା ସାମାନ୍ୟ ଊଣାହେଲା ସିନା, ଚାଲିଗଲା ନାହିଁ । ଅମିତତେଜା ଜନ୍ମେଜୟ ଏକଥା ସ୍ଵୀକାର କରୁ ନ ଥିଲେ ମଧ୍ୟ ଆହୁରି ବେଶୀ ଦୁର୍ବଳ ଓ ଶେତା ଦେଖାଗଲେ । ବାହାରିବା ସମୟ ଉତ୍ତୀର୍ଣ୍ଣ ହୋଇଗଲା । ଆଜି ଆଉ ନ ବାହାରିବା ପାଇଁ ପ୍ରସ୍ତାବ କଲେ ଯଯାତି କେଶରୀ; କିନ୍ତୁ ଜନ୍ମେଜୟ ସେଥିରେ ସମ୍ମତ ନହୋଇ ଆଉ କିଛି ସମୟ ବିଶ୍ରାମ କରି ବିଦାୟ ନେବାପାଇଁ ନିଷ୍ପତ୍ତି କଲେ । ତାହା ହିଁ ହେଲା । ରାତି ଚାରି ଘଡ଼ି ସମୟରେ ପାଦରେ ନଯାଇ ଗୋଟିଏ ଶଗଡ଼ରେ ଗାଁ ଛାଡ଼ିଲେ ଜନ୍ମେଜୟ । ବିଶ୍ଵନାଥ ତାଙ୍କ ସହିତ ରହିଲେ । ଅନ୍ୟମାନେ ପାଖେ ପାଖେ ଚାଲିଲେ ଚମ୍ପୁଆ ଅଭିମୁଖରେ ।

 

ଚମ୍ପୁଆ ବାଟ ଛାଡ଼ି ବଡ଼ବିଲ ଆଡ଼କୁ ଦିଗ ପରିବର୍ତ୍ତନ କଲେ ଜନ୍ମେଜୟ । ବଡ଼ବିଲରେ ପହଞ୍ଚିଲା ବେଳକୁ ମଧ୍ୟାହ୍ନ । ସିଂହଭୂମିର ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ନେତା ମୁକୁନ୍ଦ ତନ୍ତୀଙ୍କ ସାନଭାଇ ଗୋବିନ୍ଦ ତନ୍ତୀଙ୍କ ଘରେ ପହଞ୍ଚିବା ପରେ ସମସ୍ତେ ଏକତ୍ର ନରହି ଦୁଇଟି ଅଲଗା ସ୍ଥାନରେ ରହିବା ସ୍ଥିର ହେଲା । ଗୋବିନ୍ଦ ତନ୍ତୀଙ୍କ ଘରେ ଅତିଥି ଥିଲେ ଜନ୍ମେଜୟ । ପାଖରେ ରହିଲେ ବିଶ୍ଵନାଥ ଓ କୃପାସିନ୍ଧୁ; କିନ୍ତୁ ରଘୁ ଓ ବୈରାଗୀ ବୋଲାନୀର ମୁକ୍ତା ମାଝୀ ଘରେ ଅତିଥି ହେଲେ । ବଡ଼ବିଲକୁ ଲାଗି ବଡ଼ଜାମଦା । ବିହାର ଶେଷ ବସ୍ତି । ବଡ଼ଜାମଦାର ବୈଦ୍ୟ ଲକ୍ଷ୍ମୀନାରାୟଣଙ୍କର ଖ୍ୟାତି ଥିଲା ଭଲ କବିରାଜ ଭାବରେ । ସେ ଖବର ପାଇ ଆସି ପରୀକ୍ଷା କଲେ ଜନ୍ମେଜୟଙ୍କୁ ଔଷଧ ବି ଦେଲେ, କିନ୍ତୁ ସତର୍କ କରିଦେଲେ ଯେ ହୃଦ୍‍ଯନ୍ତ୍ରର ଗତି ସ୍ଵାଭାବିକ ଓ ଅନୁକୂଳ ନୁହେଁ, ଏଣୁ ପୂର୍ଣ୍ଣ ବିଶ୍ରାମ ଦରକାର । ଏପରିକି କେବଳ ମଳମୂତ୍ର ତ୍ୟାଗ କରିବା ଛଡ଼ା ଆଉ କୌଣସି କାରଣରୁ କୋଠରୀ ଭିତରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦେଲେ ଲକ୍ଷ୍ମୀନାରାୟଣ ।

 

ଜନ୍ମେଜୟ ଅସୁବିଧାରେ ପଡ଼ିଗଲେ । ଆଜୀବନ ବିଶ୍ରାମ ସେ ନକରି କେବଳ ଲଢ଼ି ଆସିଛନ୍ତି । ନିଜର ନିଶ୍ଵାସକୁ ନିୟନ୍ତ୍ରିତ କରି ଶତ୍ରୁକୁ ଅଣନିଶ୍ଵାସୀ କରିଛନ୍ତି; କିନ୍ତୁ ବର୍ତ୍ତମାନ ବେଳେବେଳେ ନିଶ୍ଵାସ ବଳେଇ ପଡ଼ିବା ପରି ଲାଗୁଛି । ଦେହର ସବୁ ଶକ୍ତି ଯେପରି କିଏ ନିଗାଡ଼ି ନେଉଛି ଲୁଗାକୁ ଚିପୁଡ଼ି ପାଣି ନିଗାଡ଼ିବା ପରି । ତାଙ୍କ ସେବା ଯତ୍ନରେ ତ୍ରୁଟି ହେଉନଥିଲେ ମଧ୍ୟ ଆଶଙ୍କାରେ ଦିନ କାଟୁଥିଲେ ବିଶ୍ଵନାଥ । ହଠାତ୍ ଯେପରି ତାଙ୍କ କମର ନଇଁବାକୁ ଆରମ୍ଭ କରିଛି କାନ୍ଧ ଉପରେ ଥିବା ଅଜଣା ଓଜନର ଚାପରୁ ।

 

ବଡ଼ବିଲରୁ ସହସା ପ୍ରସ୍ଥାନ କରିବା ଆଉ ସମ୍ଭବ ନୁହେଁ । ଲକ୍ଷ୍ମୀନାରାୟଣ ମଧ୍ୟ କହିଯାଇଛନ୍ତି ଯେ ଅନ୍ୟୁନ ମାସାଧିକ କାଳ ଅନ୍ୟତ୍ର ଯିବା ଚଳିବ ନାହିଁ । ପାହାଡ଼ ଜଙ୍ଗଲ ଘେରା ବଡ଼ବିଲର ଏଇ ଅଞ୍ଚଳର ଅନେକ ଲୋକ ବଡ଼ବିଲ, ନୂଆମୁଣ୍ଡି ଓ ଗୋଆର ଖଣି ଗୋଆର ଖଣି ଖାଦାନରେ କାମ କରନ୍ତି । ବଡ଼ଜାମଦାରେ ବ୍ୟବସାୟୀମାନଙ୍କର ପେଣ୍ଠ । ସେଠାରୁ ଚାଇଁବସା ପଚାଶ ମାଇଲ୍ । ବଡ଼ଜାମଦା ବିହାରର ଶେଷ ଘାଟି ତ ବଡ଼ବିଲ ଓଡ଼ିଶାର । କେନ୍ଦୁଝରର ରାଜା ବେଳେବେଳେ ସୁଆଣ୍ଡୋ ଜଙ୍ଗଲକୁ ଆସନ୍ତି ଶିକାର କରିବା ପାଇଁ । ବଡ଼ବିଲର ସୂର୍ଯ୍ୟୋଦୟ ଅରଣ୍ୟ ଭିତରେ ଲୁଚକାଳି ଖେଳେ ତ ସୂର୍ଯ୍ୟାସ୍ତ ଲୁଚିଯାଏ ଶାଳବଣର ଶାଖାପ୍ରଶାଖା ଓ ପତ୍ର ଗହଳରେ । ମଧ୍ୟାହ୍ନର ତେଜ ଏଠାରେ ନିସ୍ତେଜ ନିସ୍ତରଙ୍ଗ ।

 

ମେଘୁଆପାଗ ଲାଗିରହିଛି । ପରିବେଶ ଗୁମସୁମ୍ ଲାଗୁଛି । ଆକାଶର ରଙ୍ଗ ବି ବଦଳିଯାଇଛି । ମେଘମାନଙ୍କ ଦେହରେ ଇଷତ୍ ଗୋଲାପି ଆଭା ଠିକ୍ ଶାଳବଣର ସବୁଜ ପତ୍ରରେ ଲାଗିଥିବା ଲୁହାପଥରର ଧୂଳି ପରି ।

 

ଶୁକ୍ରାମାଝୀ ଆସିଥିଲା ଜନ୍ମେଜୟଙ୍କ ଖବର ବୁଝିବାପାଇଁ । ତାଙ୍କ ପାଇଁ ଆଣିଥିଲା କିଛି ହରିଣୀ ମାଂସ ଓ ଦୁଇଟା ପାଚିଲା ଅମୃତଭଣ୍ଡା ।

 

ଜନ୍ମେଜୟ କହିଲେ–ଶିକାର କରିବାକୁ ଯାଇଥିଲୁ ?

 

–ହଁ, ସେଥିପାଇଁ ତ ତୋ ପାଇଁ ଭାଗ ଆଣିଛି ବାବୁ ।

 

ହସିଲେ ଜନ୍ମେଜୟ । ଶୁକ୍ରା ମାଝୀ ସହ ପରିଚୟ ମାତ୍ର ଦୁଇ ବର୍ଷର–ଗୋବିନ୍ଦ ତନ୍ତୀ ଜରିଆରେ; କିନ୍ତୁ ତା’ ପରି ସମର୍ଥ ଓ ବିଶ୍ଵାସୀ ଲୋକ କମ୍ ଦେଖୁଛନ୍ତି ଜନ୍ମେଜୟ । ବନ୍ଧୁ ପାଇଁ ମରଣ ମୁହଁକୁ ଡେଇଁ ପଡ଼ିବ କଥା କଥାରେ । କଥା ଦେଇ ତା’ର ଖିଲାପ କେବେ କରେ ନାହିଁ ସେ-। ସେଥିପାଇଁ ତା’ର ପ୍ରତିଆରା ଅଛି ଲୋକମାନଙ୍କ ଭିତରେ । ହାଟଦିନ କୁକୁଡ଼ା ଲଢ଼େଇ ଦେଖିବାକୁ ଯାଏ । ନିଜେ ପୋଷିଥିବା ଗଞ୍ଜାଗୁଡ଼ିକୁ ଲଢ଼େଇ କରିବା ପାଇଁ କାଏଦା କୌଶଳ ଶିଖାଏ ଶୁକ୍ରାମାଝୀ । ତାହାରି ପରି ଲଢ଼ୁଆ ଓ ବିଶ୍ଵସ୍ତ ତା’ର ଗଞ୍ଜାମାନେ ।

 

ଶୁକ୍ରା ମାଝୀ କହିଲା–କେମିତି ଲାଗୁଛିରେ ବାବୁ ?

 

–ଭଲ ଅଛିରେ ଶୁକ୍ରା । ତୁମମାନଙ୍କୁ ଛାଡ଼ି ମରିବାକୁ ଇଚ୍ଛାହୁଏନି ଯେ !

 

–ଛି ଛି ସେକଥା ତୁଣ୍ଡରେ ଧରନା ବାବୁ !

 

–କିନ୍ତୁ ମଣିଷ ତ ମରିବା ପାଇଁ ଜନମ ନିଏରେ ଶୁକ୍ରା…–ବିଷାଦ ମିଶା ସ୍ଵରରେ କହିଲେ ଜନ୍ମେଜୟ ।

 

–ନା, ନା, ତୋ ପରି ପାଠୁଆ ବାବୁ ଏମିତି କହିଲେ ଚଳିବ । ମଣିଷ ଜନମେ ଜିଇଁବା ପାଇଁ, ନିଜ ବାଟରେ ମନଫୁର୍ତ୍ତିରେ ଚାଲିବା ପାଇଁ । ହଁ ଦିନେ ସେ ମରେ... ଶାଳଗଛରୁ ପତ୍ର ଖସିବା ପରି; କିନ୍ତୁ ସେଇଟା ତ ବଡ଼ କଥା ନୁହେଁ, ବଡ଼କଥା ହେଲା ଜିଇଁବା ।

 

ବିଶ୍ଵନାଥ ଅବାକ୍ ହେଇ କହିଲେ ଶୁକ୍ରାମାଝୀର କଥାଶୁଣି । ପାଠ ନପଢ଼ି ବି ପାଠୁଆଙ୍କ ପରି କଥା କହିପାରେ ସେ । ଜନ୍ମେଜୟ ତା’ କାନ୍ଧ ଆଉଁସିଦେଇ କହିଲେ–ମୁଁ ଧନ୍ୟ ହେଇଗଲିରେ ଶୁକ୍ରା । ଆଜି ଲାଗୁଛି ମୁଁ ବଞ୍ଚିବା ନିରର୍ଥକ ହୋଇଯାଇନି । ତୋ’ ମୁହଁରୁ ଲଢ଼ୁଆ ମଣିଷର କଥା ଶୁଣି ଆହୁରି ବଞ୍ଚିବାକୁ ଇଚ୍ଛା ହେଉଛି ରେ…।

 

ଜନ୍ମେଜୟଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି କେଉଁ ଅଜ୍ଞାତ ଦେବତାଙ୍କୁ ସ୍ମରଣ କଲା ଶୁକ୍ରା ଏବଂ ଗୁଣୁଗୁଣୁ ହୋଇ କ’ଣ ଦି’ପଦ କହିଲା ।

 

ଗୋବିନ୍ଦ ତନ୍ତୀ ନୂଆ ଖବର ନେଇ ଫେରି ଆସିଲା କେନ୍ଦୁଝର ଗଡ଼ରୁ । ଗୋଟିକ ପରେ ଗୋଟିଏ ଘାଟି ହିଟ୍‍ଲର ହାତରୁ ଖସିଯାଉଛି । ମିତ୍ରପକ୍ଷର ଅଗ୍ରଗତି ଘଟୁଛି ସବୁ ରଣାଙ୍ଗନରେ । ଗାନ୍ଧି ମହାତ୍ମାଙ୍କ ସହିତ ସବୁ ନେତା ଜେଲ୍‍ଖାନାରେ ବନ୍ଦୀ; କିନ୍ତୁ ପ୍ରଜାଆନ୍ଦୋଳନ ଠିକ୍ ବାଟରେ ଚାଲିଛି । ବିପ୍ଳବୀମାନଙ୍କର ଗୋପନ କାର୍ଯ୍ୟକଳାପ ଦମନ କରି ନ ପାରି ସରକାର ଉଦ୍‍ବିଗ୍ନ । ପ୍ରଜାମାନଙ୍କୁ ମେଳି କରିବା ପାଇଁ, ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉସୁକାଉଥିବା ନେତାମାନଙ୍କୁ ଧରିବା ପାଇଁ ନୂଆ ଆଦେଶ ଜାରି କରିଛନ୍ତି ମହାରାଜା । ଘଟଗାଁରେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ ପ୍ରଜାମଣ୍ଡଳ ନେତା ରାଜୁ ମିଶ୍ର । ପୁଲିସ୍ ତାଙ୍କର ପିଛା କରିଥିଲା । ଆରତି ଦେଖି ପୁଲିସ୍ ଇନିସପେକ୍ଟର ଏବଂ ସିପାହୀ ପ୍ରଣାମ କଲାବେଳେ ବାଡ଼ ଡେଇଁ ରାଜୁ ମିଶ୍ର କେଉଁ ଆଡ଼େ ଗଲେ ତାହା ଆଉ ଜାଣିହେଲା ନାହିଁ । ପୁଲିସ୍‍ବାଲା ନିଷ୍ପଳ କ୍ରୋଧରେ କେତେଜଣ ନିରୀହ ଭକ୍ତଙ୍କୁ ଥାନାକୁ ଧରିନେଇଥିଲେ ପଚରା ଉଚୁରା କରିବା ପାଇଁ; କିନ୍ତୁ ସେଥିରେ କିଛି ଫଳ ହେଲାନାହିଁ । ମହାରାଜା କଡ଼ା ହୁକୁମ ଜାରି କରିଛନ୍ତି ସେଇଦିନୁ–ଯିଏ ମୃତ ବା ଜୀବିତ ଅବସ୍ଥାରେ ତାଙ୍କୁ ଧରି ଆଣିବ ଦୁଇହଜାର ଟଙ୍କା ପୁରସ୍କାର ପାଇବ ।

 

ଜନ୍ମେଜୟ ମୁହଁ ଉପରେ ହସ ଖେଳାଇ କହିଲେ–ସଂଗ୍ରାମୀମାନଙ୍କ ଭାଉ, ତା’ହେଲେ ବଢ଼ୁଛି । ନବୀନ ଖଟୁଆକୁ ଧରିବାପାଇଁ ଦୁଇହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା…ରାଜବଲ୍ଲଭଙ୍କ ପାଇଁ ଦୁଇହଜାର ।

 

ଗୋବିନ୍ଦ ତନ୍ତୀ ଆହୁରି କହିଲା ଯେ କେନ୍ଦୁଝର ଗଡ଼କୁ ଆସୁଥିବା ଲୋକମାନଙ୍କ ଉପରେ କଡ଼ା ନଜର କରିଛି ପୁଲିସ । ପ୍ରଜାମଣ୍ଡଳ କାମରେ ସହଯୋଗ କଲେ ଘରବାଡ଼ି ସମ୍ପତ୍ତି ବାଜ୍ୟାପ୍ତ କରି ଚବିଶଘଣ୍ଟା ଭିତରେ ରାଜ୍ୟ ବାହାରକୁ ପଠାଇ ଦିଆଯିବ ବୋଲି ଡେଙ୍ଗୁରା ଦିଆଯାଇଛି ସହରରେ । ଗାନ୍ଧୀ ମହାତ୍ମାଙ୍କ ଫଟୋ ରଖିବା ମନା । ଜାତୀୟଗୀତ ଗାଇବା ମନା ।

 

–ଯେତିକି ପ୍ରତିବନ୍ଧକ ସୃଷ୍ଟି ହେବ ସେତିକି ପ୍ରତିରୋଧ ବଢ଼ିବ–ଇଏ ଗଣ–ଆନ୍ଦୋଳନର ପ୍ରାଥମିକ ତତ୍ତ୍ଵ । ରାଜା କ’ଣ ସବୁ ଭୁଲିଗଲେ ? –ଗମ୍ଭୀର ହୋଇଯାଇ କହିଲେ ଜନ୍ମେଜୟ ।

 

ସେଦିନ ରାତିରେ ବୈଠକ ବସିଲା । ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଜନ୍ମେଜୟ–ଦେଶର ସ୍ଵାଧୀନତା ଅବଧାରିତ । ପୃଥିବୀର କୌଣସି ଶକ୍ତି ଏହା ଅଟକାଇ ପାରିବ ନାହିଁ; କିନ୍ତୁ ସମୟ ବଡ଼ ବିଷମ । ଶାସକର କାନରେ ମୃତ୍ୟୁଘଣ୍ଟି ଯେତିକି ଜୋର୍ ଶୁଣାଯିବ ପ୍ରଜାମାନଙ୍କ ଉପରେ ସେତିକି ବେଶି ନିର୍ଯ୍ୟାତନା ବଢ଼ିବ । ଭୟଭୀତ ଶାସକ ସବୁପ୍ରକାର ଚେଷ୍ଟା କରିବ ସିଂହାସନ ରକ୍ଷା କରିବା ପାଇଁ । ଆମକୁ ଆହୁରି ଶକ୍ତି ସଂଗ୍ରହ କରିବାକୁ ପଡ଼ିବ । ଲୁହା ତାତିଲା ଥିବାବେଳେ ପାହାର ବସାଅ । ଶାସକର ଦୁର୍ବଳ ମୁହୂର୍ତ୍ତରେ ଶକ୍ତ ଧକ୍କା ଦେଲେ ଶାସନ ଭାଙ୍ଗିପଡ଼ିବ । ଏହି ଯୁଦ୍ଧରେ କେବଳ ମିତ୍ରପକ୍ଷର ବିଜୟ ହେବ ନାହିଁ, ମୁକ୍ତିର ମନ୍ତ୍ର ମଧ୍ୟ ଝଙ୍କୃତ ହେବ ପରାଧୀନ ଦେଶମାନଙ୍କରେ । ଆମେ ସମସ୍ତେ ମୁକ୍ତିସିପାହୀ–ଆମର ମୃତ୍ୟୁ ନାହିଁ । ବାଧାବନ୍ଧନକୁ ସ୍ଵୀକାର କରୁନା ଆମେ । ଉତ୍ପୀଡ଼ନକୁ ଭୟ ନାହିଁ ଆମର ।

 

ରଘୁ ଲୋଧା କହିଲା–କ’ଣ କରିବାକୁ ହେବ କୁହ ନେତାଜୀ ।

 

–ରଜାଙ୍କ ସ୍ଵନକ୍ଷତ୍ର ଉତ୍ସବରେ ଯୋଗଦେବାପାଇଁ ଆସିବ ବ୍ରିଟିଶ୍ ସାମ୍ରାଜ୍ୟବାଦର ରାଜପ୍ରତିନିଧି । ବ୍ୟକ୍ତିଗତ ଭାବେ ସେ ବହୁ କଳଙ୍କିତ କାମ କରିଛି । ତାହାରି ଯୌନଲାଳସା ଚରିତାର୍ଥ କରିବା ସକାଶେ ବଳି ପଡ଼ିଛନ୍ତି ଅନେକ ଭଉଣୀ । ତାକୁ ଖତମ କରିବାକୁ ହେବ । –କିଏ ପାରିବ ?

 

ରଘୁ, ଶୁକ୍ରା, ବୈରାଗୀ ସମସ୍ଵରରେ କହିଲେ ପ୍ରାୟ ମୁଁ ପାରିବି ।

 

–ସାବାସ୍ ! ଅସ୍ତ୍ରଚାଳନା ଆଉଟିକେ ଭଲଭାବେ ଅଭ୍ୟାସ କରିନିଅ । ଲକ୍ଷ୍ୟଭେଦ ନିଶ୍ଚିତ ହୁଏ ଯେପରି । ଜଣଙ୍କର ନୁହେଁ ତମ ତିନିଜଣଙ୍କର ସେଇ ଗୋଟିଏ କାମ…ଗୋଟିଏ ଲକ୍ଷ୍ୟ-

 

–କେଉଁଦିନ ସେ ଆସିବ ? ଶୁକ୍ରା ପଚାରିଲା ।

 

–ମକର ଦିନ । ସେହିଦିନ ସ୍ଵନକ୍ଷତ୍ର ଉତ୍ସବ । ବହୁ ଲୋକଙ୍କର ସମାଗମ ହେବ । ଗଡ଼ର ସାଜସଜ୍ଜା, ସ୍ଵନକ୍ଷତ୍ର ଉତ୍ସବର ଆତସବାଜି ଓ ଆଲୋକ ସଜ୍ଜା ଦେଖିବା ପାଇଁ ଦୂରଦୂରାନ୍ତରୁ ଅନେକ ଲୋକ ଆସିବେ । ସେମାନଙ୍କ ଭିତରେ ମିଶିଯିବ । ମହୋତ୍ସବର ନୃତ୍ୟଗୀତ ଚାଲିଥିଲାବେଳେ ଲକ୍ଷ୍ୟ ସାଧନ କରିବା ସହଜ ହେବ ।

 

ବଜ୍ରମୁଷ୍ଟି ଉତ୍ତୋଳନ କରି ନିଜ ନିଜର ସଂକଳ୍ପ ଘୋଷଣା କଲେ ତିନିଜଣ ।

 

ମକର ଏ ଅଞ୍ଚଳର ବଡ଼ ପର୍ବ । ଆଦିବାସୀମାନଙ୍କର ମହା ଉଲ୍ଲାସର ଉତ୍ସବ । ଅଣଆଦିବାସୀ ହାଟୁଆମାନଙ୍କର ମଧ୍ୟ ବଡ଼ ପର୍ବ ମକର । ଖିଆପିଆ, ଯାନିଯାତ୍ରାର ଧୁମ୍ ଲାଗିରହେ ଦିନଦିନ ଧରି । କୁକୁଡ଼ା ଲଢ଼େଇ, ଦେବୀ ନାଚ, ବାଣ ମାରିବା ପ୍ରତିଯୋଗିତା, ଘୋଡ଼ାଖେଳ ନେଇ ମାତନ୍ତି ପ୍ରଜାମାନେ । ଘରେ ଘରେ ପିଠାପଣା, ମାଉଁସ ତରକାରୀ, ଖେଚେଡ଼ି ଭାତ । ଆଦିବାସୀ ଘରେ ହାଣ୍ଡିଆର ସୁଅ ।

 

ମୟୂରଭଞ୍ଜ ଓ କେନ୍ଦୁଝର ରାଜପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ବହୁକାଳର । ପ୍ରଜାମାନେ ଅନୁଗତ; କିନ୍ତୁ ଶିକ୍ଷା, ସ୍ଵାସ୍ଥ୍ୟ, କୃଷିର ବିକାଶ ବା ପ୍ରଜା କଲ୍ୟାଣ କାର୍ଯ୍ୟ ପ୍ରତି ଆଗ୍ରହୀ ନୁହେଁ ଦରବାର ଶାସନ । ଯାହା ଅଛି ସେତକ ଯଥେଷ୍ଟ ବୋଲି ଧାରଣା ସୃଷ୍ଟି ହୋଇଯାଇଛି । ନିଶ୍ଚେଷ୍ଟ ଶାନ୍ତି ଶୃଙ୍ଖଳାକୁ ପ୍ରଜାମାନଙ୍କର ଗଭୀର ରାଜାନୁଗତ୍ୟ ଭାବେ ଗ୍ରହଣ କରାଯାଉଛି । ସେଇ ନିଶ୍ଳେଷ୍ଟତା, ପ୍ରଜାମାନଙ୍କର ମାନସିକ ଜଡ଼ତା ଓ ନିସ୍ପୃହତା ନ ଭାଙ୍ଗିବା ପର୍ଯ୍ୟନ୍ତ ସ୍ଥାଣୁତ୍ଵର ମୋହ ଗ୍ରାସକରି ରହିଥିବ ସେମାନଙ୍କୁ । ସେଇ ଅବସ୍ଥାରୁ ସେମାନଙ୍କୁ ଉଦ୍ଧାର କରିବା ସହଜ ନହେଲେ ମଧ୍ୟ ଅସାଧ୍ୟ ନୁହେଁ । ଚେତନାର ପ୍ରସାରଣ ଦ୍ଵାରା ହିଁ ତାହା କରାଯାଇପାରିବ । ପ୍ରତ୍ୟେକ ମଣିଷ ମନରେ ବଞ୍ଚିବାର ଲୋଭ, ଲଢ଼ିବାର ନିଶା ଉଜ୍ଜୀବିତ କରିବାକୁ ହେବ ।

 

ବୈଠକ ସମାପ୍ତ ହେବା ପୂର୍ବରୁ ଜନ୍ମେଜୟ–ଆଉ ସାତଦିନ ରହିଲା ହାତରେ । ଏ ଭିତରେ ଆଉ ଥରେ ଯାଇ ଗଡ଼ ବୁଲିଆସ, କୋଉଁଠି କ’ଣ ସବୁ ହେବ ବୁଝିଆସ । ମନେରଖ ଯେପରି ଲକ୍ଷ୍ୟ ସେଇ ଗୋଟିଏ–ଦେଶର ସ୍ଵାଧୀନତା । ଆମେ ସବୁ ନିମିତ୍ତ ମାତ୍ର । ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ମନେପକାଅ । ରଣଭୂମିରୁ ପଳାଇ ନଯାଇ ଯୁଦ୍ଧ କର । ସବୁ ଦେଶଦ୍ରୋହୀ, ସବୁ ଅତ୍ୟାଚାରୀ ଶାସକ ନିହତ ହେବା ସେମାନଙ୍କର ବିଧିଲିପି । ଅର୍ଜ୍ଜୁନ ପରି ଆମେ ସବୁ ନିମିତ୍ତମାତ୍ର ।

 

ବିଶ୍ଵନାଥ ଆବୃତ୍ତି କଲେ ଗୀତାର ସେଇ ଅମର ବାଣୀ–

 

ତସ୍ମାତ୍ ତ୍ଵମୁତ୍ତିଷ୍ଠ ଯଶୋଲଭସ୍ଵ ,

ଜିତ୍ଵା ଶତ୍ରୂନ୍ ,ଭୁଙ୍‍କ୍ଷ୍ଵ ରାଜ୍ୟଂ ସମୃଦ୍ଧଂ ।

ମୟୈବୈତେ ନିହତାଃ ପୂର୍ବମେବ,

ନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍ ।।

 

ତା’ପରେ ସରଳାର୍ଥ କରି କହିଲେ ବିଶ୍ଵନାଥ–ହେ ଅର୍ଜ୍ଜୁନ ! ତୁମେ ଉଠ, ଯଶଲାଭ କର, ଶତ୍ରୁମାନଙ୍କୁ ଜୟକରି ସମୃଦ୍ଧ ରାଜ୍ୟ ଭୋଗକର । ମୋ ଦ୍ଵାରା ପୂର୍ବେ ଏମାନେ ନିହତ ହୋଇଛନ୍ତି । ହେ ସବ୍ୟସାଚୀ, ତୁମେ ନିମିତ୍ତମାତ୍ର ହୁଅ ।

 

ଜନ୍ମେଜୟ କହିଲେ–ମୁଁ ଧର୍ମରେ ବିଶ୍ଵାସ କରେ ନାହିଁ; କିନ୍ତୁ ଗୀତାରେ ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ଶ୍ରୀକୃଷ୍ଣ ତାହା ଚିରକାଳ ପାଇଁ ପ୍ରଯୁଜ୍ୟ । ଆମେ କେବଳ ନିମିତ୍ତ ମାତ୍ର ଏଇ ମୁକ୍ତି ସଂଗ୍ରାମରେ । ବିଦେଶୀ ଶାସନ, ବିଦେଶୀ ସାମ୍ରାଜ୍ୟବାଦର ଯେ ଦିନେ ଅନ୍ତ ହେବ ଏହା ଆଉ ଭବିଷ୍ୟତ୍ ବାଣୀ ନୁହେଁ, ଅଚିରେ ସତ୍ୟରେ ପରିଣତ ହେବ । ଆମେରିକାର ସାହାଯ୍ୟ ସହଯୋଗ ବିନା ବ୍ରିଟିଶ୍‍ମାନେ ତିଷ୍ଠି ପାରିବେ ନାହିଁ । ଚର୍ଚ୍ଚିଲର ସବୁ ଆସ୍ଫାଳନ ତୁମ୍ଭି ତୋଫାନ ଭଳି ଶୁଣାଯିବା ରୁଜଭେଲ୍ଟ ସାହାଯ୍ୟ ନ କଲେ, । ଭାରତକୁ ସ୍ୱାୟତ୍ତଶାସନ ଦେବା ପାଇଁ ରୁଜଭେଲ୍ଟ ଆଗ୍ରହୀ, ଆମେରିକାବାସୀମାନେ ମଧ୍ୟ ଆଗ୍ରହୀ । ଏହି ବିଶ୍ଵଯୁଦ୍ଧ ସହିତ ଅବସାନ ଘଟିବ ସାମ୍ରାଜ୍ୟବାଦୀ, ଉପନିବେଶବାଦୀ ବିକାରଗ୍ରସ୍ତ ଚେତନାର ।

 

କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରି ସମସ୍ତେ ବିଦାୟ ନେବା ବେଳକୁ ଅର୍ଦ୍ଧରାତ୍ରି ଅତିକ୍ରମ କରିସାରିଥିଲା । ଜନ୍ମେଜୟ ପିସ୍ତଲ୍‍ଟାକୁ ଆଉଥରେ ଭଲକରି ପରଖି ନେଲେ; କିନ୍ତୁ ସାଥୀମାନଙ୍କୁ ବିଦାୟ ଦେବାକୁ ଯିବାବେଳେ ଏତେବେଳ ଯାଏଁ ସେମାନଙ୍କ କଥା ଶୁଣିବା ପାଇଁ କାନ ପାରିଥିବା ଆଉ ଜଣେ କେହି ଯେପରି ହଠାତ୍ ଗଛ ଆଢ଼ୁଆଳରେ ଲୁଚିଗଲା ସେହିପରି ଲାଗିଲା ବିଶ୍ଵନାଥଙ୍କୁ-। ସେ ଦୃଢ଼ କଣ୍ଠରେ କହିଲେ–କିଏ ?

 

କିଏ ? ପଛକୁ ଫେରି ପଚାରିଲା ଶୁକ୍ରାମାଝୀ ।

 

ଟର୍ଚ୍ଚ ଆଲୁଅ ଉଦ୍ଭାସିତ ହୋଇଉଠିଲା । ଆଉ ବିଶ୍ଵନାଥ କିଛି ନିର୍ଣ୍ଣୟ କରିବା ପୂର୍ବରୁ କୁଦିପଡ଼ି ଗଛ ଆଢ଼ୁଆଳରେ ଛପିଥିବା ଗୋଟେ ଲୋକକୁ ଧରିପଳାଇଲା ଶୁକ୍ରାମାଝୀ–ବଦମାସ୍…ଶୟତାନ୍…ତୋର ଏତେ ସାହସ । କିନ୍ତୁ ହଠାତ୍ ଆଉ ଜଣେ କେହି ଚିହିଁକି ଆସି ଶୁକ୍ରାକୁ ଏମିତି ଗୋଟେ ଶକ୍ତ ଧକ୍କା ଦେଲା ଯେ ସେ ସମ୍ଭାଳି ନପାରି ତରଳି ପଡ଼ିଯାଉଥିବାବେଳେ ତାକୁ ଧରିନେଲା ଗୋବିନ୍ଦ ତନ୍ତୀ ।

 

ଶବ୍ଦ ଶୁଣି ହାତରେ ଟର୍ଚ୍ଚ ଧରି ଦଉଡ଼ି ଆସିଲେ ଜନ୍ମେଜୟ । ସେଇ ସୁଯୋଗରେ ସେ ଦୁଇଜଣ ଅଜ୍ଞାତ ବ୍ୟକ୍ତି କିନ୍ତୁ ଖସିଯାଇଥିଲେ ଅନ୍ଧାର ଭିତରେ । ସେମାନଙ୍କୁ ଧରିବା ଲାଗି ସବୁ ଉଦ୍ୟମ ବିଫଳ ହେଲା ।

 

ଜନ୍ମେଜୟଙ୍କ ମୁହଁ ଆହୁରି ନିଷ୍କରୁଣ ଓ କଠିନ ହୋଇଉଠିଲା । ହାତର ମାସଂପେଶୀ ଶକ୍ତ ହେଲା । ସେ ବଜ୍ରଗମ୍ଭୀର ସ୍ଵରରେ କହିଲେ–ସେମାନେ କିଏ ହୋଇପାରନ୍ତି ଶୁକ୍ରା ?

 

–ଧନୁ ନାଏକ ଆଉ ତା’ର ଶଳା କାନୁ ନାଏକ ।

 

–ତୁ ଠିକ୍ ଚିହ୍ନିଛୁ ?

 

–ହଁ ହଁ ନେତାଜୀ, ସେଥିରେ ଭୁଲ୍ ହେବ ନାହିଁ ।

 

ସମସ୍ତଙ୍କୁ ଘରକୁ ଚାଲିଯିବା ପାଇଁ କହି ଜନ୍ମେଜୟ କହିଲେ–ଗୁପ୍ତଚର ତା’ହେଲେ ଲାଗିଛି ଆମ ପଛରେ । ଏସ୍ଥାନ ବି ଆଉ ନିରାପଦ ନୁହେଁ…ଏଠାରେ ବି ସମସ୍ତେ ମିତ୍ର ନୁହଁନ୍ତି ।

 

ବିଶ୍ଵନାଥ କହିଲେ–ଏଠୁ ବି ତା’ହେଲେ ଚାଲିଯିବା କହୁଛ ?

 

–ଆଉ ଗତ୍ୟନ୍ତର ନାହିଁ ନନା, ରାତିପାହିବା ପୂର୍ବରୁ ଏ ସ୍ଥାନ ଛାଡ଼ିବାକୁ ହେବ । ମୁଁ ଭାବୁଛି ଆଉ ବିଳମ୍ବ ନ କରି କିଛି ଅଘଟଣ ଘଟିବା ପୂର୍ବରୁ ଆମେ ଏ ସ୍ଥାନ ଛାଡ଼ିବା ଉଚିତ୍ ହେବ ।

 

ସେଇ ରାତିରେ ଆଉ ଅଳ୍ପ ସମୟ ପରେ ଅନ୍ଧାରର ବକ୍ଷ ଚିରି ଆଗେଇ ଚାଲିଲେ କେତେଜଣ ଦୁଃସାହସିକ ମୁକ୍ତି ସୈନିକ । ଦୁର୍ଗମ, କଙ୍କରିତ, କଣ୍ଟକିତ ପଥ ସେମାନଙ୍କର ପଥ ରୋଧ କରିପାରିଲା ନାହିଁ । ହୃଦରୋଗରେ ପୀଡ଼ିତ ଜନ୍ମେଜୟ ଶରୀରର ସିଂହରବଳ ଫେରିପାଇଲେ ଯେପରି ।

 

[ ୨୧ ]

 

ସମୟ ପାଇ ଗାୟତ୍ରୀର ସେଇ ପୂର୍ବ ଚିଠିଟାକୁ ଆଉ ଥରେ ପଢ଼ିଲା ଶଙ୍କର । ତା’ର ମନେହେଲା ଯେପରି ସେ ଯାହା ଲେଖିଛି ତା’ଠାରୁ ଅନେକ ବେଶୀ ବ୍ୟକ୍ତ କରିଛି । ଏଇ ପ୍ରଥମ କରି ଏକ ଅନନୁଭୂତ ଶିହରଣ ଅନୁଭବ କଲା ସେ । ତା’ର ସର୍ବାଙ୍ଗ ରୋମାଞ୍ଚିତ ହେଲା ଏବଂ ସେ ତା’ର ଶିରା ପ୍ରଶିରାର ରକ୍ତ ପ୍ରବାହରେ ଗାୟତ୍ରୀର ଉପସ୍ଥିତି ଅନୁଭବ କରିବାକୁ ଲାଗିଲା । ଜନ୍ମେଜୟଙ୍କଠାରୁ ବିପ୍ଲବର ମନ୍ତ୍ର ନେବା ପରେ ସେ ସମୟ ପାଇ ନଥିଲା ବସନ୍ତର ନବପଲ୍ଲବିତ ବନସ୍ପତିମାନଙ୍କୁ ନିରୀକ୍ଷଣ କରିବା ପାଇଁ କି କୋଇଲିର ପଞ୍ଚମ ସ୍ଵର ଶୁଣିବା ପାଇଁ । ବର୍ଷମୁଖର ରାତିରେ ଝର୍କା ସେ ପାଖରେ ଦଳିମକଚି ହୋଇଯାଉଥିବା ତୃଷିତ ପୃଥିବୀକୁ ଦେଖିବାପାଇଁ ସେ ସମୟ ପାଇନଥିଲା କି ଗୁହୁଳା ସାହିର ଦାଣ୍ଡରେ ଫୁଟିଥିବା କଦମ୍ବ ଫୁଲକୁ ମନପୂରାଇ ଦେଖିନଥିଲା ଘଡ଼ିଏ । ଆଜି ମନେପଡ଼ିଲା ସବୁ । ମନେପଡ଼ିଗଲା ଜୋର୍ କରି ଆଡ଼େଇ ଦେଇଥିବା ମଧୁର ମୁହୂର୍ତ୍ତମାନଙ୍କୁ ।

 

ମାଳିନୀର ମୁହଁ ଝଲସି ଉଠିଲା ମନରେ । ଭାଗ୍ୟକୁ ନେତାଜୀ ତାକୁ ସାବଧାନ କରିଦେଇଥିଲେ, ନହେଲେ କ’ଣ ଯେ ଅଘଟଣ ଘଟିଯାଇଥାନ୍ତା ତାହା କିଏ କହିବ ? ମାଳିନୀ ଯେ କାହିଁକି ତାକୁ ଏତେ ଆକର୍ଷଣ କରୁଥିଲା ତାହା ସେତେବେଳେ ଅବୋଧ୍ୟ ଥିଲେ ମଧ୍ୟ ଏବେ ସବୁ ବୁଝିପାରେ ଶଙ୍କର । ବୟସ ତୁଳନାରେ ଝିଅମାନଙ୍କର ସଂସାର ଚିନ୍ତା ବେଶୀ; କିନ୍ତୁ ମାଳିନୀକୁ ଭିନ୍ନ ଦୃଷ୍ଟିରେ ଦେଖିଥିବା ଯେ ତା’ପକ୍ଷରେ ଘୋର ଅନ୍ୟାୟ ହୋଇଛି ତାହା ସେତେବେଳେ ନ ହେଲେ ମଧ୍ୟ ଏବେ ବୁଝିପାରେ ଶଙ୍କର । ଆଦ୍ୟ ଯୌବନର ନିଶା ଠିକ୍ ମହୁଲ ଫୁଲ ଅନ୍ଵେଷଣ କରୁଥିବା ଭାଲୁର ନିଶାପରି । ସେଥିରେ ନଥାଏ ସଙ୍ଗୀତର ମୂର୍ଚ୍ଛନା; କିନ୍ତୁ ଥାଏ ପ୍ରଭଞ୍ଜନର ଅନିଷ୍ଟକାରୀ ଶକ୍ତି-

 

ଆଜି ଆଉ ମାଳିନୀ ତା’ର ଧ୍ୟାନଧାରଣାକୁ ଅବଶ କରେ ନାହିଁ । ନେତାଜୀ ସାବଧାନ କରିବା ଦିନୁ ସେ ସତର୍କ ହୋଇଯାଇଛି । ଗୋଟିଏ ଉଚ୍ଚତର ଆଦର୍ଶ ପାଇଁ ଛୋଟ ଛୋଟ ସାମୟିକ ପ୍ରଲୋଭନ ଗୁଡ଼ାକୁ ବିସର୍ଜନ ଦେଇଛି । ଚରିତ୍ରରେ ଶୃଙ୍ଖଳା ନଥିଲେ କୌଣସି ମହତ୍ କାର୍ଯ୍ୟ କରିହୁଏନା ବୋଲି ଯଥା ସମୟରେ ସେ ନିଜକୁ ସଂଶୋଧନ କରିଛି ।

 

ତଥାପି ନିଜକୁ ଦୋଷଦିଏ ଶଙ୍କର । ସାମୟିକ ଭାବପ୍ରବଣତା ଯେ ପ୍ରେମ ନୁହେଁ ଏବେ ବୟସ ପାକଳ ହେବାରୁ ବୁଝୁଛି ସେ । ମାଳିନୀ ବି ହୁଏତ ବୁଝୁଥିବ । କୈଶୋର ପାରିହେବା ପରେ ଯୌବନର ପାଦଦେଶର ହାଲୁକା ମନ ଏବେ ଦୃଢ଼ ହେଉଥିବ । ଧୀରେ ଧୀରେ ଶଙ୍କର ତାକୁ ଭଉଣୀ ପରି ଗ୍ରହଣ କରିନେଇଛି । ମନରୁ ମନ୍ଦ ଚିନ୍ତାଗୁଡ଼ା ଅଦିନିଆ ମେଘପରି ଉଡ଼ିଯାଇଛି କେଉଁଦିନୁ । ଆଜି ମାଳିନୀ କଥା ମନପଡ଼ିଲେ ମନକୁ ଆସେ ଗୋଟେ ଛୋଟ ଭଉଣୀର ସ୍ନେହ ଓ ଆହ୍ଲାଦ ।

 

ସାମନାସାମନି ଯାହା କରିପାରି ନଥିଲା ଗାୟତ୍ରୀ ତାହା ଅତି ଅନୁପମ ଭାବରେ ବ୍ୟକ୍ତ କରିଛି ଚିଠିରେ । ମାଳିନୀ ହୁଏତ ବର୍ଷାଦିନର ନଦୀପରି ଉଛୁଳି ଉଠୁଥିଲା; କିନ୍ତୁ ସୀମା ଜଗି ଶରତର ସ୍ଵଚ୍ଛ ନଦୀଧାର ପରି ନୈବେଦ୍ୟ ବାଢ଼ି ମନକୁ ମନ ଗୀତ ଗାଉଥିଲା ଗାୟତ୍ରୀ । ସେ ତା’ର ମନ ଓ ଧ୍ୟାନର ଅଧୀଶ୍ଵରୀ ହୋଇଯାଇଛି ଏଇ ଭାବନା କ୍ରମଶଃ ଦୃଢ଼ ହେବାରେ ଲାଗିଛି ।

 

ସେଦିନର ସବୁ କଥା ମନେପଡ଼ିଲା । ମନେପଡ଼ିଗଲା ଜନ୍ମେଜୟଙ୍କ ସତର୍କବାଣୀ । ଦେଶ ସ୍ଵାଧୀନ ନହେବା ପର୍ଯ୍ୟନ୍ତ ପ୍ରେମ, ବିରହ, ବ୍ୟକ୍ତିଗତ ସୁଖଦୁଃଖର ସ୍ଥାନ ନାହିଁ ସଂଗ୍ରାମୀର ଜୀବନରେ । ସେଥିପାଇଁ ତ ସର୍ବସ୍ଵ ତ୍ୟାଗ କରି ହଜାର ହଜାର ତରୁଣ ତରୁଣୀ ଯୋଗ ଦେଇଛନ୍ତି ଦେଶର ମୁକ୍ତି ଯୁଦ୍ଧରେ । ପଦ ଛାଡ଼ି, ଚାକିରି ଛାଡ଼ି, ବ୍ୟବସାୟ ଛାଡ଼ି ଯେଉଁମାନେ ଜେଲରେ ସଢ଼ିବା ପାଇଁ ଝାସଦେଲେ ସ୍ଵାଧୀନତା ସଂଗ୍ରାମରେ, ବ୍ୟକ୍ତିଗତ ବା ପାରିବାରିକ ସୁଖଦୁଃଖ ସେମାନଙ୍କୁ ନିବର୍ତ୍ତାଇ ପାରି ନଥିଲା । ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ସାତ ହଜାର ଖଦଡ଼ ଲୁଗା ଖଣ୍ଡେ ପିନ୍ଧି ଯେଉଁ ଅଧା ନଙ୍ଗଳା ଫକୀର ଜଣକ ଦେଶର ଅଗଣିତ ସୁପ୍ତ ନରନାରୀଙ୍କୁ ଜଗାଇ ଦେଇ ପାରିଲା, ମୁକ୍ତିମନ୍ତ୍ର ପାଇ ସେମାନେ ମରିବା ପାଇଁ ପଣ କରିଥିଲେ ଦେଶ ପାଇଁ ।

 

ଗାୟତ୍ରୀର ଚିଠିଟି ଯତ୍ନର ସହିତ ସାଇତି ରଖିଲା ସୁଟକେଶ ଭିତରେ । ସେଇ ଚିଠି ଆଉ ହଜିବାର ଭୟ ନଥିଲା । ତା’ର ପ୍ରତ୍ୟେକ ଶବ୍ଦ ପ୍ରତ୍ୟେକ ଉଚ୍ଚାରଣ ଲେଖିହୋଇଥିଲା ଶଙ୍କରର ଅନ୍ତରରେ । ଖଣ୍ଡେ କାଗଜ ନେଇ ସେ ଲେଖି ପକାଇଲା ଚିଠି ଖଣ୍ଡେ–

 

ସ୍ନେହର ଗାୟତ୍ରୀ !

 

ତୋ’ର ଚିଠି ପାଇବି ବୋଲି ଆଶା କରିନଥିଲି; କିନ୍ତୁ ତୁ ଯେ ମୋ ବିଷୟରେ ଏତେ ଭାବିପାରୁ ତାହା ମୋତେ ଚମକାଇ ଦେଇଛି । ବେଳେ ବେଳେ ମୁଁ କହିବା ପାଇଁ ଇଚ୍ଛା କରି ବି କହିପାରି ନ ଥିବା କଥାସବୁ ତୁ କେମିତି ଜାଣିଗଲୁ ତାହା ମୋତେ ଚକିତ କରିଛି । ତୋର ଓ ମୋର ମନର ଝଙ୍କାରରେ ଯେଉଁ ଐକ୍ୟତାନ ଫୁଟିଉଠିଛି ଆମ ଦୁହିଁଙ୍କୁ ତାହା ଚିରଦିନ ତାହା ବାନ୍ଧି ରଖିବା ପାଇଁ ଯଥେଷ୍ଟ । ମୁଁ ଆଗରୁ କହିଥିଲି, ପୁଣି ଥରେ ବି କହୁଛି ଯେ ଆମେ ଦୁହେଁ ଏକତ୍ର ହେବାର ସମୟ ଆସିନାହିଁ । ଆହୁରି ବହୁତ ସମୟ ବାକି ଅଛି । ନେତାଜୀ କହନ୍ତି ଯେ ଦେଶର ଭବିଷ୍ୟତ ପାଇଁ କେତେକଙ୍କୁ ନିଜର ବର୍ତ୍ତମାନ ସହିତ ଭବିଷ୍ୟତକୁ ବଳିଦେବାକୁ ହୁଏ । ସେ ଆହୁରି ବି କହନ୍ତି ଯେ ବିପ୍ଳବୀର ଜୀବନରେ ପ୍ରେମ କି ରୋମାଞ୍ଚର ସ୍ଥାନ ନାହିଁ । ଦିନେ ସେ ଆଶ୍ଵାସନା ଦେବାଭଳି କହିଥିଲେ ଯେ ସ୍ନେହ ପ୍ରେମ ଓ ପାରିବାରିକ ବନ୍ଧନର ଦିନ ସରିଯାଇନାହିଁ; କିନ୍ତୁ ସ୍ଵାଧୀନତା ଲାଭର ଶୁଭ ମୁହୂର୍ତ୍ତ ସମୟର ଜରାୟୂରେ ନିର୍ଦ୍ଦିଷ୍ଟ ହୋଇ ରହିଛି । ଆଉ ବେଶୀ ଦିନ ନୁହେଁ,ଏଇ ଦଶନ୍ଧି ମଧ୍ୟରେ ଯେ ଦେଶ ସ୍ଵାଧୀନ ହେବ ଏହା କୁଆଡ଼େ ନିଶ୍ଚିତ ହୋଇଗଲାଣି ।

 

ମୁଁ ଏତେ କଥା ବୁଝେନାହିଁ । କାୟମନୋବାକ୍ୟରେ ଦେଶପାଇଁ ସର୍ବସ୍ଵ ତ୍ୟାଗ କରିବାକୁ ମୁଁ ସଂକଳ୍ପବଦ୍ଧ । ମୁଁ ଜାଣେ ସେଇ ସଂକଳ୍ପ ଭାଙ୍ଗିବାପାଇଁ ତୁ ମୋତେ ଆଦୌ ପ୍ରବର୍ତ୍ତାଇବୁ ନାହିଁ, ବରଂ ମୋର ବାଟ ନିଷ୍କଣ୍ଟକ କରିବା ପାଇଁ ଯାହା କିଛି ସମ୍ଭବ କରିବୁ । ତୋତେ ମୁଁ କେତେ ଭଲପାଏ ତାହା କିପରି ବୁଝାଇବି କହ ? ଯଦି ବଞ୍ଚି ରହେ ତେବେ ହୁଏତ ଦିନେ ଏହାର ଉତ୍ତର ମୁଁ ନିଜେ ଦେବି । ସେତେବେଳକୁ ଭାରତ ହୋଇଥିବ ସ୍ଵାଧୀନ ଆଉ ତୁ ଓ ମୁଁ ହୋଇଥିବା ସ୍ଵାଧୀନ ଦେଶର ନାଗରିକ ।

 

ଆଉ ଗୋଟିଏ କଥା–ତୁ ଲେଖିଛୁ ଯେ ତୁ ଅନ୍ତରାୟ ନହୋଇ ମୋତେ ସାହାଯ୍ୟ କରିବାକୁ ଚାହୁଁ । ଭଲ ତ । ଗୋପୀବଲ୍ଲଭପୁର ଫେରିଯିବା ପରେ ହେଡ଼୍‍ମାଷ୍ଟର ଶାନ୍ତିବାବୁ ଯାହା କହିଥିଲେ ସେଇ କଥା ମାନି ଚଳିବୁ । ପିଲାମାନଙ୍କୁ ସଂଗଠିତ କରିବୁ । ବନ୍ଦେ ମାତରମ୍ ଓ ମୁକ୍ତିଯୁଦ୍ଧର ଅନ୍ୟାନ୍ୟ ଗୀତ ସମସ୍ତଙ୍କୁ ଶିଖାଇବୁ । ଏ ଯୁଦ୍ଧରେ କେହି ବଡ଼ ନୁହେଁ କି କେହି ଛୋଟ ନୁହେଁ । ସେତୁବନ୍ଧ ବାନ୍ଧିବା ପାଇଁ ଗୁଣ୍ଡୁଚିମୂଷାର ଅବଦାନ ବି ଥିଲା । ତୋ ଦେହରେ ସୀତା ସାବିତ୍ରୀଙ୍କ ରକ୍ତ ଅଛି । ଡରିଯିବୁ କାହିଁକି ? ସବୁ ଛାତ୍ରଛାତ୍ରୀ ମିଶି ବାନରସେନା ଗଢ଼ିଛ ଶୁଣି ଭାରି ଖୁସି ହେଲି । ତୁ ପୁଣି ତା’ର ପରିଚାଳିକା ହେବା ଆହୁରି ବେଶୀ ଆନନ୍ଦର କଥା । ତମେ ସବୁ ତ୍ରିରଙ୍ଗା ପତାକା ଧରି ଜାତୀୟ ସଂଗୀତ ବୋଲି ଦାଣ୍ଡରେ ବୁଲିବା ସତରେ ବଡ଼ ସାହସିକ କାମ । ତୁ ଯେ ଠିକ୍‍ ବାଟରେ ଯାଇଛୁ ଏହା ତ ସବୁଠୁ ବଡ଼ ଉତ୍ସାହର କଥା । ଏକ ସୂର୍ଯ୍ୟୋଦୟ ଦେଖି ମଧ୍ୟ ଆସନ୍ତାକାଲିର ସୂର୍ଯ୍ୟୋଦୟ ଦେଖିବା ପାଇଁ ମନ ଆକୁଳ ହୁଏ କାହିଁକି । ହୁଏତ ତାହା ପୂର୍ବର ସୂର୍ଯ୍ୟୋଦୟଠାରୁ ହେବ ଭିନ୍ନ ଏଇ ଆଶାରେ । ଆଶା ନେଇ ତ ବଞ୍ଚିରହେ ମଣିଷ । ସ୍ଵାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ଯେଉଁମାନେ ଥିବେ ଆମେ ଦୁହେଁ ସେମାନଙ୍କ ମଧ୍ୟରେ ନଥିବା ବୋଲି କିଏ କହିବ ? ଅପେକ୍ଷାରେ ବି ଆନନ୍ଦ ଥାଏ । ଘରବାହୁଡ଼ା ଚଢ଼େଇକୁ ସ୍ଵାଗତ କରିବା ପାଇଁ ବି ଆଉ ଗୋଟିଏ ଚଢ଼େଇ ଅପେକ୍ଷା କରେ ।

 

ଲେଖୁ ଲେଖୁ ଅନେକ କଥା ଲେଖିଗଲି । ଦର୍ଶନଶାସ୍ତ୍ର ପରି ଲାଗୁଥିବ ତୋତେ; କିନ୍ତୁ ମନ କଥା ଲେଖିଲି । ସେଦିନ ଯୋଉ କଦମ୍ବ ଫୁଲଟି ଉପହାର ଦେଇଥିଲୁ ତାହା ଏବେ ବି ସାଇତି ରଖିଛି ।

 

ଗୁରୁଜନମାନଙ୍କୁ ପ୍ରଣାମ । ଦେହର ଯତ୍ନ ନେବୁ । ବନ୍ଦେ ମାତରମ୍…

 

ଶଙ୍କର

 

ଚିଠିଟି ଖାମ୍ ଭିତରେ ଯତ୍ନର ସହିତ ଭର୍ତ୍ତିକରି ଅଠା ଲଗାଇ ନିକଟସ୍ଥ ଡାକଘରେ ପକାଇ ଦେଇ ଆସିଲା ଶଙ୍କର ।

 

ରରୁଁଆ, କରଞ୍ଜିଆ, ଖିଚିଙ୍ଗ୍, ଚମ୍ପୁଆରେ ଛାତ୍ରମାନଙ୍କୁ ସଂଗଠିତ କରିବା ପାଇଁ ସୁବିଧା ନଥିଲା । ମୟୂରଭଞ୍ଜ ଓ କେନ୍ଦୁଝରର ମହାରାଜା ଅତ୍ୟାଚାରୀ ନୁହଁନ୍ତି ସତ, କିନ୍ତୁ ଶିକ୍ଷାର ପ୍ରସାର ପାଇଁ ସେପରି କିଛି କରି ନଥିଲେ । ଦରବାର ଅଧୀନରେ କାର୍ଯ୍ୟ କରୁଥିବା ଅଧିକାଂଶ ଅଫିସର ବଙ୍ଗଦେଶର । ଅଳ୍ପ କେତେଜଣ ଉପକୂଳ ଅଞ୍ଚଳର । ଅତି ବିଚକ୍ଷଣ ଓ ବିଦ୍ଵାନ୍ ବ୍ୟକ୍ତି ଦେଓ୍ଵାନ୍ ଥାଇ ବି ମୟୂରଭଞ୍ଜ ରାଜ୍ୟରେ ଶିକ୍ଷା ବିସ୍ତାର ପ୍ରତି ଧ୍ୟାନ ଦିଆଯାଇନାହିଁ । ନେତାଜୀ କହନ୍ତି ଯେ ଶିକ୍ଷାର ପ୍ରସାର ହେବା ଦ୍ଵାରା ସଚେତନ ବଢ଼େ । ଲୋକମାନଙ୍କୁ ଅଜ୍ଞ ଓ ନିରକ୍ଷର ରଖିବା ଦ୍ଵାରା ନିରଙ୍କୁଶ ଶାସନ କରିବା ହୁଏ ସହଜ । ଯାହା ଆଦେଶ ଦିଆଯାଏ ପ୍ରଶ୍ନ ନ ପଚାରି ତାହା ପାଳନ କରିବା ହିଁ ପ୍ରଜାର କର୍ତ୍ତବ୍ୟ । ମହାରାଜା ସର୍ବେସର୍ବା । ସେ ଦଣ୍ଡମୁଣ୍ଡର ଅଧିକାରୀ । ସମସ୍ତେ ତ ଶ୍ରୀରାମଚନ୍ଦ୍ର ଭଞ୍ଜ ନୁହଁନ୍ତି ।

 

ମା’ଙ୍କୁ ଅନେକ ଦିନ ହେବ ଦେଖିନାଇଁ ବୋଲି ଶଙ୍କରଙ୍କ ମନ ଆଉଟୁପାଉଟୁ ହେଉଥିଲା । ମୁହଁ ଶୁଖାଇ ବସିଥିବାବେଳେ ଅନସୂୟା ପଶି ଆସି କହିଲେ–କୁଆଡ଼େ ଯାଇଥିଲୁ ? ତୁ ଭଲପାଉ ବୋଲି ତୋ ପାଇଁ ବୁଟସିଝା କରି ଅନେଇଁ ବସିଛି । ଏଇନେ ଆଣୁଛି । କେତେବେଳେ ଯାଇ ଭାତ ଗଣ୍ଡେ ଖାଇଥିଲୁ ।

 

ପ୍ରକୃତରେ ଶଙ୍କରଙ୍କୁ ଭୋକ ଲାଗୁଥିଲେ ବି ସେ ପାଶୋରି ଯାଇଥିଲା । ଘରେ ଥିଲେ ମା’ ଯେପରି ବଳେଇ ବଳେଇ ଖୁଆନ୍ତି ଏଠାରେ ବି ସେହିପରି ମାଉସୀଙ୍କ ହାତବଢ଼ା ଖାଇ ସେ ସୁଖରେ ଅଛି । ସେଥିପାଇଁ କଥାରେ କହନ୍ତି–ମା’ ନଥିଲେ ମାଉସୀ ଅଛି । କଂସାରେ କିଛି ମୁଢ଼ି ଆଉ ଗୋଟେ ଗିନାରେ ବୁଟସିଝା ତା’ ଆଗରେ ରଖି କହିଲେ ଅନସୂୟା–ପାଖରେ ଥିଲେ କେତେ ଆଦର ଯତ୍ନ କରି ଖୁଆଉଥାନ୍ତେ ନାନୀ ! ଏଇଟା ଇମିତି ଜାଗା ଯେ ସହଜରେ କିଛି ମିଳେ ନାହିଁ ।

 

ମୁଢ଼ି ସହିତ ବୁଟସିଝା ମିଶାଇ ଖାଇବାକୁ ପସନ୍ଦ କରେ ଶଙ୍କର । ସେ ଖାଉଥାଏ ଏବଂ ଗପ କହୁଥାନ୍ତି ଅନସୂୟା ।

 

ସେମାନେ ଯିବାର କେତେଦିନ ବିତିଗଲାଣି ସେମାନଙ୍କ ଖବର କିଛି ନଶୁଣି ମଉସାଙ୍କ ମନ ଭଲ ନାହିଁ । ଏଣେ ତୋ’ ମା’ ପାଖକୁ ପଠାଇଥିବା ଲୋକଟା ତିନିଦିନରେ ଫେରିବା କଥା, ଆସି ସାତଦିନ ହେଲାଣି ଫେରିବାକୁ ନାହିଁ । କ’ଣ ହେଲା କିଏ ଜାଣେ । ଅନ୍ତର ଭିତରଟା ଘାଣ୍ଟିଚକଟି ହେଉଛି । ମା’ କିଚକେଶରୀ ସମସ୍ତଙ୍କୁ ଭଲରେ ରଖିଥାଆନ୍ତୁ ଏଇ ପ୍ରାର୍ଥନା କରୁଛି ସକାଳ ସନ୍ଧ୍ୟାରେ ।

 

ତାଙ୍କ ତୁଣ୍ଡର କଥା ସରିବା ଆଗରୁ ତରତର ହୋଇ ଘର ଭିତରକୁ ପଶି ଆସିଲେ ଯଯାତି କେଶରୀ । ମୁହଁ ଗମ୍ଭୀର । ମଥା ଉପରେ ଟୋପା ଟୋପା ଝାଳ–ଯେମିତି କିଛି ଗୋଟେ ଅଘଟଣ ଘଟିଯାଇଛି ।

 

ଅନସୂୟା କହିଲେ–କ’ଣ ହେଲା, କିଛି ଖବର ପାଇଲ ?

 

ଯଯାତି ଅନୁଚ୍ଚ ସ୍ଵରରେ କହିଲେ–ଶଙ୍କର ଖାଇସାରୁ କହୁଛି…

 

ଶଙ୍କର ଖିଆ ଶେଷ କରି ପାଣି ପିଇ ତାଙ୍କ ମୁହଁକୁ ଚାହିଁଲା । ଯଯାତି କହିଲେ–କେନ୍ଦୁଝରଗଡ଼ରୁ ଏଇ ଖବର ପାଇଲି ଯେ ଗଡ଼ଜାତ ଖବର ବୁଝିବା ପାଇଁ ଯୋଉ ସାହେବଙ୍କୁ ସମ୍ରାଟ୍ ନିଯୁକ୍ତ କରିଛନ୍ତି ସେ ମହାରାଜାଙ୍କ ସ୍ଵନକ୍ଷତ୍ରକୁ ଆସିଥିଲା । ତାକୁ ସମ୍ମାନ ଜଣାଇବା ପାଇଁ ନୃତ୍ୟଗୀତ, ଆତସବାଜି ଆୟୋଜନ କରାଯାଇଥିଲା । ସେଇ ଉତ୍ସବ ଚାଲିଥିବାବେଳେ ମହାରାଜାଙ୍କ ସହିତ ସାହେବ ବସିଥିବା ମଞ୍ଚ ନିକଟରେ ବୋମା ବିସ୍ଫୋରଣ ଘଟିବା ଫଳରେ ମହାରାଜା ସିନା ଅଳ୍ପକେ ରକ୍ଷା ପାଇଗଲେ; କିନ୍ତୁ ସାହେବ ଗୁରୁତର ଆହତ ହୋଇଛି । ତାକୁ ଚିକିତ୍ସା ପାଇଁ ରାତାରାତି କଲିକତା ନିଆଯାଇଛି । କେନ୍ଦୁଝର ଗଡ଼କୁ ସୈନ୍ୟସାମନ୍ତ ଜଗିରହିଛନ୍ତି । ଗଡ଼ରୁ ବାହାରକୁ ଯିବାର ସବୁବାଟ ବନ୍ଦ କରି ଦିଆଯାଇଛି । ପୁଲିସ ଜଗି ରହିଛି ସର୍ବତ୍ର । ପୁଲିସ୍ ଘର ଘର ଖାନତଲାସ କରୁଛି ।

 

କେହି ଧରାପଡ଼ିନାହାନ୍ତି ? ଉଦବେଗର ସହିତ ପଚାରିଲା ଶଙ୍କର ।

 

–କେତେଜଣଙ୍କୁ ଗିରଫ କରି ପୁଲିସ ସେମାନଙ୍କୁ ପଚରାଉଚରା କରୁଛି । ସେମାନଙ୍କ ଭିତରେ ଶୁକ୍ରାମାଝୀ ଧରାପଡ଼ିଛି । ତାକୁ ବହୁତ ନିର୍ଯ୍ୟାତନା ଦେଇଛି ପୁଲିସ; କିନ୍ତୁ ତା’ ତୁଣ୍ଡରୁ ପଦେ କଥା ଆଦାୟ କରିପାରିନାହିଁ ।

 

–ଅନ୍ୟମାନଙ୍କ ଖବର କ’ଣ ? ସେମାନେ ଗଲେ କୁଆଡ଼େ ?

 

–ଅନ୍ତର୍ଯ୍ୟାମୀ ଜାଣନ୍ତି ପୁଅ; କିନ୍ତୁ ସେମାନେ ଯେ ଧରାପଡ଼ିନାହାନ୍ତି କି ଧରାପଡ଼ିବାର ସମ୍ଭାବନା ନାହିଁ ଏନେଇ ମୁଁ ନିଶ୍ଚିତ । ଜନ୍ମେଜୟ ଏଡ଼େ ସହଜରେ ଧରାପଡ଼ିବେ ନାହିଁ ।

 

ଶଙ୍କର ଉଦବେଗ ପ୍ରକାଶ କରି କହିଲା–ଏବେ ମୋର ଆଉ ଏଠାରେ ରହିବା ଉଚିତ୍ ହେବ କି ?

 

ଟିକେ ଭାବିନେଇ କହିଲେ ଯଯାତି–ମୁଁ ବି ସେଇଆ ଭାବୁଛି । ଯେଉଁ ଲୋକ ତୁମ ଘରକୁ ଯାଇଥିଲା ସେ ଏବେବି ଫେରିନି । ଏଥିପାଇଁ ମନରେ ସନ୍ଦେହ ଜାଗୁଛି । ଗୁଇନ୍ଦା ପୁଲିସ୍ ଯେ ଆମ ଘରକୁ ଆସିବ ଏ ସୂଚନା ମଧ୍ୟ ମୁଁ ପାଇଗଲିଣି । ଥାନାବାବୁ ଭଲଲୋକ, ମୋତେ ନିଜ ଆଡ଼ୁ ସତର୍କ କରିଦେଇଛନ୍ତି । ମୁଁ ଭାବୁଛି ତୁ ଆଜି ରାତି ରରୁଁଆ ଛାଡ଼ି ରାଇରଙ୍ଗପୁର ଚାଲିଯା’ । ରାଇରଙ୍ଗପୁର ପାଖରେ ମୋ ସଢ଼ୁଘର । ଶରତବାବୁ ପ୍ରଜାମଣ୍ଡଳର ସମର୍ଥକ; କିନ୍ତୁ ରାଜଦ୍ରୋହୀ ନୁହଁନ୍ତି । ସାଧାରଣ ପ୍ରଜା ପରି ଭଦ୍ର ଓ ନମ୍ର । ରାଜକର୍ମଚାରୀମାନଙ୍କ ବିଶ୍ଵସ୍ତ । ଏଣେ ପ୍ରଜାମଣ୍ଡଳ ନେତାମାନଙ୍କ ସହିତ ମଧ୍ୟ ଭଲ ସମ୍ପର୍କ । ସେ ଯଦି ମନେକରନ୍ତି ଯେ ତୁ ଘରକୁ ଯିବା ନିରାପଦ ତେବେ ମୋ ସହିତ ପରାମର୍ଶ କରି ଯାହା କିଛି କରିବେ; କିନ୍ତୁ ଆଉ ଗୋଟେ ବିଷୟ ତୁ ଜାଣିରଖ–ତୁମ ଘରେ ସମସ୍ତେ ନିରାପଦରେ ଅଛନ୍ତି ।

 

ଶଙ୍କର ଆଶ୍ଵସ୍ତ ହେଲେ ବି ନିଶ୍ଚିନ୍ତ ହେଲାନାହିଁ । ଗୋଟେ ଆଡ଼େ ଜନ୍ମେଜୟଙ୍କ ସହିତ ବାପା ଲୁଚି ଲୁଚି ବୁଲୁଛନ୍ତି ତ ଆଉ ଗୋଟେ ଆଡ଼େ ସେ ଜାଗାରୁ ଜାଗା ବଦଳ କରିବାରେ ଲାଗିଛି-। ଏମିତି ଯାଯାବର ପରି ଆଉ କେତେଦିନ ବୁଲିବାକୁ ହେବ କେଜାଣି ?

 

ଅନସୂୟା ତା’ ମଥା ଉପରେ ହାତ ବୁଲାଇଦେଇ କହିଲେ–ତୁ ଚିନ୍ତା କରିବୁ ନାହିଁ । ମୁଁ ନିଜେ ଯାଇ ତୋ’ ମା’ଙ୍କୁ ନମସ୍କାର କରିଆସିବି । ଜାଗର ଆସୁଛି । ଶିମୂଳେଶ୍ଵରଙ୍କୁ ଦର୍ଶନ କରିବା ପାଇଁ ବହୁଲୋକ ଦୂରଦୂରାନ୍ତରୁ ଆସନ୍ତି । ସେଇ ଯାତ୍ରା ଦେଖିବା ଆଳ କରି ମୁଁ ସମସ୍ତଙ୍କୁ ଦେଖିଆସିବି । ତୁ ଯଥା ସମୟରେ ସବୁ ଖବର ପାଇବୁ ।

 

ସେଇ ରାତି କୁଆଁତାରା ଉଠିବା ପୂର୍ବରୁ ତାକୁ ଉଠାଇଦେଇ କହିଲେ ଅନସୂୟା–ଶଗଡ଼ ଛିଡ଼ା ହୋଇଛି । ତୋ’ ସହିତ ମକରା ଯାଉଛି । ତା’ପରି ବିଶ୍ଵାସୀ ଲୋକ ବିରଳ । ମା’ କିଚକେଶ୍ଵରୀ ରକ୍ଷା କରିବେ ତୋତେ ।

 

ଗୋଟେ ପୁଟୁଳା ତା’ ହାତକୁ ବଢ଼ାଇଦେଇ କହିଲେ ଅନସୂୟା–ସେଥିରେ କିଛି ଟଙ୍କା ଅଛି, ଦରକାର ବେଳେ ଖର୍ଚ୍ଚ କରିବୁ । ଭଲମନ୍ଦ ଜଣାଇବୁ । ତୁ ଜାଣିରଖ ଯେ ତୋ’ ମା’ ପରି ଏଠାରେ ବି ଆଉ ଗୋଟେ ମା’ ଅଛି ।

 

ଆଉ କିଛି କହି ପାରିଲେ ନାହିଁ ଅନସୂୟା, ତୁଣ୍ଡ ଖନିମାରିଲା, ସ୍ଵର ଭାଙ୍ଗିପଡ଼ିଲା । ତାଙ୍କ ଆଖିରୁ ଗଡ଼ିପଡ଼ୁଥିବା ଅବାଧ୍ୟ ଲୁହଧାର ପୋଛିଦେଇ କହିଲା ଶଙ୍କର–ଏଇ ଦେଶର କୋଟିକୋଟି ମା’ ମାନଙ୍କୁ ଦେଖୁଛି ତୁମ ଭିତରେ । ଏଇ ଭାରତଜନନୀ ସମସ୍ତଙ୍କର ପ୍ରତୀକ । ଅନସୂୟାଙ୍କ ପାଦଧୂଳି ନେଇ ଶଗଡ଼ରେ ବସିଲା ଶଙ୍କର ।

 

ଯଯାତି ଆଗେ ଆଗେ ଚାଲିଲେ–ପଛେ ପଛେ ଶଗଡ଼ । ଯେଉଁଠି ସକାଳ ହେବ ସେଠାରୁ ଶଗଡ଼ ଫେରିବ । ତା’ପରେ ସେମାନେ କିଛି ବାଟ ଯିବେ ପାଦରେ ଏବଂ ତା’ପରେ ସାଇକେଲରେ । ଆଗରୁ ସବୁ ଯୋଗାଡ଼ କରିଥିଲେ ଯଯାତି । ପୁଲିସକୁ ବିଶ୍ଵାସ ନାହିଁ–ଠିକ୍ ସାପ ପରି ।

 

ମହୁଲିଆ ଶୀତରେ ଶିରିଶିରି କରୁଥାଏ ଦେହ । ଗୋଟେ ଚାଦର ଘୋଡ଼େଇହୋଇ ଶଗଡ଼ ଭିତରେ ଶାନ୍ତ ପିଲାଟିଏ ପରି ବସିଥାଏ ଶଙ୍କର । ହଠାତ୍ କାହିଁକି ତା’ର ମନେହେଲା ଯେ ଗାୟତ୍ରୀ ପାଖୁ ଚିଠିଟା ଏଇ ଡାକ ଘରୁ ନଦେଇଥିଲେ ଚଳିଥାନ୍ତା । ସେଇ ଚିଠି ଯଦି ଗୋପୀବଲ୍ଲଭପୁରରେ ଆଉ କାହା ହାତରେ ପଡ଼ିଯାଏ ତେବେ ତା’ ଠିକଣା ଜଣା ପଡ଼ୁ ବା ନପଡ଼ୁ ଗାୟତ୍ରୀ ସହିତ ତା’ର ସମ୍ପର୍କ ଆଉ ଗୋପନ ହୋଇ ରହିବ ନାହିଁ । ତା’ପରେ ତା’ ବାପା ମା’ଙ୍କ ଉପରେ ମଧ୍ୟ ପୁଲିସ୍‍ ନିଘା ରଖିବା ଅସମ୍ଭବ ନୁହେଁ । ଏହାଛଡ଼ା ହେଡ଼ମାଷ୍ଟର ଶାନ୍ତିବାବୁଙ୍କ ନାମ ଉଲ୍ଲେଖ ନକରିଥିଲେ ଚଳିଥାନ୍ତା । ଚିଠିଟା ପୁଲିସ ହାତରେ ପଡ଼ିଲେ ସବୁ ଗଣ୍ଠି ଫିଟିଯିବ । ଛାତ୍ର ଆନ୍ଦୋଳନ ଫସର ଫାଟିଯିବ । ଜନ୍ମେଜୟଙ୍କ ଉପଦେଶ ମନେ ପଡ଼ିଲା । ସ୍ପର୍ଶକାତରତା ବିପ୍ଳବୀର ଲକ୍ଷଣ ନୁହେଁ, କି ଯାହା ଗୋପନୀୟ ତାହା ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବେ ପ୍ରକାଶ କରିବା ବିଜ୍ଞତା ନୁହେଁ । ତାହାର ଚିଠି ଯେ ଗାୟତ୍ରୀ ତଥା ଶାନ୍ତିବାବୁଙ୍କ ବିପକ୍ଷରେ ଯିବ ଏବଂ ସେଇ ସୂତ୍ର ଧରି ପୁଲିସ୍‍ ଅନ୍ୟମାନଙ୍କୁ ଠାବ କରିବା ପାଇଁ ଚେଷ୍ଟା କରିବ ଏହା ନିଶ୍ଚିତ । ଶଙ୍କର ନିଜ ଭୁଲ୍ ପାଇଁ ଅନୁଶୋଚନା କଲା ମନେ ମନେ ।

 

ଶଗଡ଼ଟା ହଠାତ୍ ଠିଆହେଲା । ବଳଦ ଦୁଇଟା ତରକିବା ପରି ଜଣାପଡ଼ିଲା । ଯଯାତି ତାଙ୍କର ତିନିସେଲିଆ ଟର୍ଚ୍ଚର ବୋତାମ ଟିପିବାକ୍ଷଣି ରାସ୍ତା ଅବରୋଧ କରି ଶୋଇଥିବା ଚିତାବାଘର ଆଖି ଦୁଇଟା ଜଳିଉଠିଲା । କାଳବିଳମ୍ବ ନକରି ମକରା ଶର ଛାଡ଼ିଲା, ଥରେ ନୁହେଁ ତିନିଥର ଏବଂ କ’ଣ ଘଟିଲା ତାହା ଭଲ ଭାବେ ଜାଣିବା ପୂର୍ବରୁ ସଡ଼କ କଡ଼ର ବାଉଁଶ ବୁଦା ପାଖେ ପଡ଼ିଥିବା ଜଖମ ବାଘର ମଥା ଉପରେ ମକରା ଏତେ ଶକ୍ତ କୁରାଢ଼ି ଚୋଟ ବସାଇଦେଲା ଯେ ସେଇ ଗୋଟିଏ ସ୍ଥାନରେ ଚିରଦିନ ପାଇଁ ଆଖି ବୁଜିଲା ଚିତାବାଘଟା ।

 

ଯଯାତି ବର୍ତ୍ତିଗଲେ ବାଘ ମୁହଁରୁ । ଯେପରି କିଛି ହୋଇନାହିଁ ସେହିପରି ବେପରୁଆ ଭାବ ପ୍ରଦର୍ଶନ କରି କହିଲା ମକରା–ଶଳା ଭାବିଥିଲା ସେଇ ଏକା ବଡ଼ ଶିକାରୀ, ଆଉ କେହି ନୁହେଁ…ଯା ଶଳା ଯମପୁରକୁ…ଏବେ ତୋ’ ଛାଲ ଝୁଲିବ ଆମ ଦୁଆରେ ।

–ଡରିଯାଇଥିଲୁ କିରେ ଶଙ୍କର ? –ଯଯାତି ପଚାରିଲେ ।

 

–ଏତେ ବଡ଼ ବାଘଟାକୁ ମାରିଦେଲା ମକରା ? –ଶଙ୍କର କହିଲା ।

 

Unknown

–ଶାସ୍ତ୍ରରେ ପରା ଅଛି ବାବୁ ଶତ୍ରୁ ତୁମକୁ ମାରିବା ପୂର୍ବରୁ ତମେ ତାକୁ ମାରିବା ଧର୍ମ ।

 

ଯଯାତି ହସିପକାଇଲେ ମକରାର କଥା ଶୁଣି । ଶଙ୍କର କହିଲା–ହଁ, ଏମିତି କଥା ନେତାଜୀ ବି କହନ୍ତି ।

 

କୁଆଁତାରା କେତେବେଳୁ ଉଠିଲାଣି ନିଘା ନଥିଲା କାହାର । ଫର୍ଚ୍ଚା ହୋଇଆସୁଥିଲା ଆକାଶ । ଗାଁରେ ଥିଲେ ଏଇ ସମୟରେ ସେ ସାଙ୍ଗମାନଙ୍କ ସାଙ୍ଗରେ ଯାଉଥାନ୍ତା ମହୁଲ ଗୋଟାଇବା ପାଇଁ । ମାଘଶେଷ ଫଗୁଣ ଆରମ୍ଭରେ ମହୁଲ ଫୁଲ ପଡ଼େ ଗଛରୁ । ବଡ଼ିଭୋରୁ ସେସବୁ ସଂଗ୍ରହ କରିବା ପାଇଁ ଗାଁର ପିଲାମାନେ ଯାଆନ୍ତି ଠାକୁରାଣୀଶାଳକୁ । ଖଡ଼ିଆଶୋଳ ପାଖ ମହୁଲ ବଣରେ ଅନେକ ମହୁଲ–କେବେ ସାହସ ହୋଇନି ଏତେ ବାଟ ଯିବା ପାଇଁ । କାକା କୁହନ୍ତି ଭାଲୁ ଆସେ ମହୁଲ ଖାଇବା ପାଇଁ । ଯଦି ମୁହାଁମୁହିଁ ହୋଇଯାଏ କିଏ ରକ୍ଷା କରିବ ?

 

ଯଯାତି କହିଲେ–ମୁଁ ଏଥର ଫେରେ ଶଙ୍କର…ଆପଦ ବିପଦ ଆଉ କିଛି ନାହିଁ ।

 

ମକରା କହିଲା–ତମେ ଯାଅ ସାଆନ୍ତେ । ମୁଁ ତ ଅଛି । ଠାକୁର ଅଛନ୍ତି । କଥାରେ ଅଛି ପରା–ଡର କାହାକୁ ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ ।

 

ଯଯାତିଙ୍କ ପାଦଧୂଳି ନେଲା ଶଙ୍କର । ମକରା କହିଲା–ଏଇ ପାଖରେ ଧନୁ ନାଏକର ଘର ସାଆନ୍ତେ । ତାକୁ ଖବର ଦେବି ଯେ ସେ ବାଘଟାକୁ ଘୋଷାରି ନେଇଯିବ ଖମାରଘର ଯାଏଁ ।

 

ଯଯାତି କହିଲେ–ଏ ବାଘ ଶିକାର ବଡ଼ ସହଜରେ ମକରା; କିନ୍ତୁ ମଣିଷ ବାଘ ବଡ଼ ଭୟଙ୍କର ।

 

ମକରା କ’ଣ ବୁଝିଲା କେଜାଣି ମୁଣ୍ଡ ନାଡ଼ିଲା । ସେଇଠି ଶଗଡ଼ ଛାଡ଼ି କିଛି ବାଟ ପାଦରେ ଚାଲି ଯିବା ପରେ ଧନୁ ନାଏକର ଘର ଦୁଆରେ ପହଞ୍ଚିଲେ ସେମାନେ । ଧନୁ ଅପେକ୍ଷା କରୁଥିଲା । ସେମାନଙ୍କୁ ବିଦାୟ ଦେଇ ସେ ଆଉ କେତେ ଜଣ ଗାଁ ବାଲାଙ୍କୁ ଡାକି ଗଲା ଯଯାତିଙ୍କ ପାଖକୁ ।

 

ସମସ୍ତେ ଶୁଣିବା ପରି କହିଲେ ଯଯାତି–ଯଶୀପୁର ଯାଉଥିଲି, ବାଟ ଓଗାଳି ବସିଥିଲା ଏକ ଚିତାବାଘ । ଭଗନାନ୍ ଭରସା ଦେଲେ ବୋଲି ମକରା ହାତରେ ମଲା । ଅନୁକୂଳ ନଷ୍ଟ ହେଲା-। ଆଉ ଗଲିନି । ମକରାକୁ ପଠେଇଦେଲି । ସଉଦା କିଣି କାହା ହାତରେ ପଠାଇଦେଇ ତା’ ଭଉଣୀ ପାଇଁ ବର ଖୋଜିବାକୁ ଯିବ । ଫେରୁ ଫେରୁ ଦୁଇଚାରିଦିନ । ସେତେବେଳେକୁ ବାଘ ଛାଲଟା ଶୁଖିଆସୁଥିବ ନାଁରେ ଧନୁ ?

 

ଧନୁ ନାଏକର ମୁହଁରୁ ଫାଳେ ହସ ଉକୁଟିଉଠିଲା ପୂର୍ବଦିଗରୁ ଉଠୁଥିବା ଫାଳେ ସୂର୍ଯ୍ୟ ପରି ।

 

[ ୨୨ ]

 

ପୃଥିବୀରେ ହିଂସା ଓ ବର୍ବରତା ଯେତିକି ବଢ଼ିବାରେ ଲାଗିଛି ଗାନ୍ଧିଜୀ ସତ୍ୟ, ଅହିଂସା ଓ ମାନବସେବା ଉପରେ ସେତିକି ଜୋର୍ ଦେଉଛନ୍ତି । ହରିଜନ ପତ୍ରିକାରେ ସେ ଥରେ ଅହିଂସାର ବ୍ୟାଖ୍ୟା କରି କହିଛନ୍ତି ଯେ ଅହିଂସା ଦୁର୍ବଳର ଅସ୍ତ୍ର ନୁହେଁ । କେବଳ ଶକ୍ତିମାନ୍ ହିଁ ସତ୍ୟ ଓ ଅହିଂସାକୁ ବ୍ରତ ଭାବେ ଗ୍ରହଣ କରିପାରେ । ଭାରତର ସଂସ୍କାର ଓ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଏହାରି ଉପରେ ଆଧାରିତ । ଚୌରିଚୌରାରେ ଜନତା ହିଂସାଚରଣ କଲେ ବୋଲି ସେ ଅସହଯୋଗ ଆନ୍ଦୋଳନ ବନ୍ଦ କରିଦେଲେ । ଆଇନ ଅମାନ୍ୟ ଆନ୍ଦୋଳନ ଇଂରେଜମାନଙ୍କ ବିରୁଦ୍ଧରେ ନୁହେଁ, ଇଂରେଜ ଶାସନ ବିରୁଦ୍ଧରେ । ଉତ୍ତମ ଲକ୍ଷ୍ୟ ଉତ୍ତମ ଉପାୟ ଦ୍ଵାରା ହିଁ ହାସଲ କରାଯାଇପାରେ । ଶକ୍ତିମାନ୍ ହିଁ କେବଳ ସତ୍ୟାଗ୍ରହ କରିପାରେ । ସତ୍ୟାଗ୍ରହ ଓ ଅହିଂସାମାର୍ଗରେ ଆନ୍ଦୋଳନଦ୍ଵାରା ବ୍ରିଟିଶ୍ ଶାସନର ଅନ୍ତ କରାଯାଇପାରିବ, ସେଥିପାଇଁ ସଶସ୍ତ୍ର ସଂଗ୍ରାମର ଆବଶ୍ୟକତା ନାହିଁ । ହିଂସା କେବଳ ଅଧିକ ହିଂସା ସୃଷ୍ଟି କରେ; କିନ୍ତୁ ଅହିଂସା ଓ ପ୍ରେମଦ୍ଵାରା ମଧ୍ୟ ଶତ୍ରୁକୁ ଜୟ କରାଯାଇପାରେ । ଭାରତର ସ୍ଵାଧୀନତା କେବଳ ସଶସ୍ତ୍ର ସଂଗ୍ରାମଦ୍ଵାରା ହିଁ ଅର୍ଜନ କରାଯାଇପାରିବ ବୋଲି ଯେଉଁମାନେ ବିଶ୍ଵାସ କରନ୍ତି ସେମାନେ ଦେଶଦ୍ରୋହୀ ନୁହଁନ୍ତି; କିନ୍ତୁ କେତେକ ଦେଶବତ୍ସଳ ପଥଭ୍ରଷ୍ଟ ତରୁଣ । ହିଂସାର ପଥ ପରିତ୍ୟାଗ କରି ସେମାନଙ୍କୁ ସତ୍ୟ ଓ ଅହିଂସା ମାର୍ଗରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଲଢ଼େଇ କରିବା ସକାଶେ ଆହ୍ଵାନ ଦେଇଛନ୍ତି ମହାତ୍ମାଜୀ । ‘କର ବା ମର’ ଏକ ନିରର୍ଥନ ଆହ୍ଵାନ ନୁହେଁ । ବ୍ରିଟିଶ୍ ଶାସକ ଭାରତ ଛାଡ଼ିବା ପର୍ଯ୍ୟନ୍ତ ଏଇ ଗଣଆନ୍ଦୋଳନ ଚାଲୁରହିବ । ଯୁଦ୍ଧରେ ଲିପ୍ତ ବ୍ରିଟିଶ୍ ସରକାର ସହିତ ସହଯୋଗ କରିବାର ପ୍ରଶ୍ନ ନାହିଁ । ଯୁଦ୍ଧରେ ଯଦି ମିତ୍ର ଶକ୍ତିର ବିଜୟ ହୁଏ ତେବେ ମଧ୍ୟ ସାମ୍ରାଜ୍ୟବାଦୀ ଶକ୍ତି ସହିତ ସାଲିସ କରିବା ସମ୍ଭବ ନୁହେଁ । ଭାରତର ଜନଗଣଙ୍କର ଏକମାତ୍ର ଲକ୍ଷ୍ୟ–ମୁକ୍ତି । ତାହା ହାସଲ ନକରିବା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ଵାସ ମାରିବା ସମ୍ଭବ ନୁହେଁ ।

 

ଜନ୍ମେଜୟ ବେଳେବେଳେ ଦ୍ଵନ୍ଦ୍ୱାତ୍ମକ ଭାବନାରେ ପଡ଼ି ଯାଆନ୍ତି । ଅଠର ବର୍ଷ ବୟସରୁ ଏଯାବତ୍ ସେ କେବଳ ଗୋଟିଏ ତତ୍ତ୍ଵରେ ବିଶ୍ଵାସ କରିଆସୁଥିଲେ–ସ୍ଵାଧୀନତା ହିଁ ପରମ ଓ ଚରମ ଲକ୍ଷ୍ୟ; ତାହା ହାସଲ କରିବା ପାଇଁ ସଶସ୍ତ୍ର ସଂଗ୍ରାମ ହିଁ ଏକମାତ୍ର ମାର୍ଗ । ବ୍ରିଟିଶ୍ ସରକାର ଅସ୍ତ୍ରଶସ୍ତ୍ର ଓ ଶାସକର ପଶୁବଳଦ୍ଵାରା ଚାଳିଶିକୋଟି ଲୋକଙ୍କୁ ଦେଢ଼ଶହ ବର୍ଷ ଧରି ପରାଧୀନ କରି ରଖିଛି । ବ୍ୟବସାୟ କରିବାକୁ ଆସି ବୁଦ୍ଧି ଓ ଛଳନା ବଳରେ ଶାସକ ହୋଇପାରିଛି । କେହି ସ୍ଵେଚ୍ଛାରେ କେବେ ସିଂହାସନ ତ୍ୟାଗ କରିବାର ଦୃଷ୍ଟାନ୍ତ ନାହିଁ ବିଶ୍ଵ ଇତିହାସରେ । କଳ ବଳ କୌଶଳ ପ୍ରୟୋଗ କରି ଗତ ଦେଢ଼ଶହ ଦୁଇଶହ ବର୍ଷ ମଧ୍ୟରେ ଯେଉଁ ସାମ୍ରାଜ୍ୟ ଗଢ଼ିଛନ୍ତି ସେମାନେ ସେଠାରେ କେବେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ସେଇ ସାମ୍ରାଜ୍ୟବାଦର ଶୋଷଣ ଦ୍ଵାରା ପୁଷ୍ଟ ବ୍ରିଟିଶ୍ ଶାସକ କିପରି ସବୁ ଛାଡ଼ିଛୁଡ଼ି ଏ ଦେଶରୁ ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିବ ତାହା ବୁଝିପାରନ୍ତି ନାହିଁ ଜନ୍ମେଜୟ । ଜୋକପରି ଯିଏ ପ୍ରତି ମୁହୂର୍ତ୍ତରେ ରକ୍ତ ଶୋଷଣ କରେ ସେ କ’ଣ ସ୍ଵେଚ୍ଛାରେ ସନ୍ୟାସ ଗ୍ରହଣ କରିବ ? ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଦ୍ଵାରା ପ୍ରବଳ ପରାକ୍ରମୀ ବ୍ରିଟିଶ୍ ଶାସକକୁ କ’ଣ ଅନ୍ତର କରାଯାଇ ପାରିବ ଏ ଦେଶରୁ ?

 

ଜନ୍ମେଜୟ ବିଶ୍ଵାସ କରିପାରନ୍ତି ନାହିଁ; କିନ୍ତୁ ଗାନ୍ଧୀଜୀଙ୍କୁ ଅବିଶ୍ଵାସ ମଧ୍ୟ କରିପାରନ୍ତି ନାହିଁ । ହୁଏତ ଗାନ୍ଧିଜୀଙ୍କ ବ୍ୟକ୍ତିଗତ ମାର୍ଗ ଭିନ୍ନ ଓ ସେଇ ମାର୍ଗରେ ଚାଲିବା ପାଇଁ ଦେଶବାସୀଙ୍କୁ ସେ ବାଧ୍ୟ କରିବାକୁ ଚାହାଁନ୍ତି; କିନ୍ତୁ ଭିନ୍ନମତାବଲମ୍ବୀଙ୍କୁ ବାଧ୍ୟବାଧକତାଦ୍ଵାରା ନିଜ ମାର୍ଗକୁ ଆଣିବାକୁ ପ୍ରୟାସ କରିବା ମଧ୍ୟ ଏକ ପ୍ରକାର ହିଂସା । ତେବେ କ’ଣ ଗାନ୍ଧିଜୀଙ୍କ ଆଚାର ବିଚାରରେ ବିରୋଧାଭାସ ରହିଛି ? ନେତାଜୀ ସୁଭାଷଙ୍କ ଦେଶପ୍ରେମ କାହାଠାରୁ ଉଣା ନୁହେଁ । ଏ ଦେଶର ମୁକ୍ତି ପାଇଁ ସେ ଯେଉଁ ପଥ ବାଛିନେଇଛନ୍ତି ତାହା ହୁଏତ ନିର୍ଭୁଲ ନହୋଇପାରେ; କିନ୍ତୁ ତାଙ୍କର ଅତୁଳନୀୟ ବୀରତ୍ଵ ଓ ଦେଶପ୍ରେମ ଲିପିବଦ୍ଧ ହୋଇ ରହିବ ମୁକ୍ତି ସଂଗ୍ରାମର ଇତିହାସରେ ।

 

ବି.ବି.ସି.ର ଖବର ଶୁଣିବା ପାଇଁ ରେଡ଼ିଓ ଖୋଲିଲେ ଜନ୍ମେଜୟ । ଶୁଣିଲେ ସବୁ ରଣାଙ୍ଗନରେ ମିତ୍ରପକ୍ଷର ଅଗ୍ରଗତି । ନର୍ମାଣ୍ଡିରେ ଅବତରଣ କରିବା ପରେ ଜର୍ମାନ୍ ଅଭିମୁଖରେ ମିତ୍ରଶକ୍ତିର ଅଗ୍ରଗତି ଅପ୍ରତିହତ ରହିଛି । ସୋଭିଏଟ୍ ସୈନ୍ୟମାନଙ୍କର ପ୍ରବଳ ପ୍ରତି ଆକ୍ରମଣ ଯୋଗୁଁ ଲେନିନ୍‍ଗ୍ରାଡ଼ ପାଖରେ ଅଟକିରହିଥିବା ନାଜୀସୈନ୍ୟ ପଛଘୁଞ୍ଚା ଦେବାକୁ ଆରମ୍ଭ କଲେଣି । ଏଣେ ଲକ୍ଷ୍ୟ ଲକ୍ଷ୍ୟ ନିରୀହ ଇହୁଦୀଙ୍କୁ ନାଜୀମାନେ ବିଷାକ୍ତ ବାଷ୍ପ ଦ୍ଵାରା ହତ୍ୟା କରିବାର ନିର୍ମମ କାହାଣୀ ଜଗତବାସୀଙ୍କୁ ଜଣାଇଦେଇଛି ହିଟ୍‍ଲରର ଅମଣିଷପଣିଆ ଓ ନିଷ୍ଠୁରତା ସମ୍ବନ୍ଧରେ । ଲଣ୍ଡନ ଉପରେ ବୋମା ପକାଇନପାରି ବର୍ଲିନ୍ ଉପରେ ପଡ଼ୁଥିବା ବୋମା ଆତଙ୍କରୁ ରକ୍ଷା ପାଇବା ପାଇଁ ଭୂମିତଳେ ଆଶ୍ରୟ ନେଇଛି ହିଟ୍‍ଲର । ମିତ୍ରପକ୍ଷର ବିଜୟ ଅବଶ୍ୟମ୍ଭାବୀ । ବି.ବି.ସି. ଖବରରୁ ଜନ୍ମେଜୟ ଆହୁରି ବି ଜାଣିଲେ ଯେ ଜାପାନୀମାନେ ପୂର୍ବରଣାଙ୍ଗନରେ ପଛଘୁଞ୍ଚା ଦେବାକୁ ଲାଗିଲେଣି । ନେତାଜୀ ସୁଭାଷଙ୍କ ନେତୃତ୍ଵରେ ଅଗ୍ରଗତି କରୁଥିବା ଭାରତୀୟ ଜାତୀୟ ସୈନ୍ୟବାହିନୀର ମନୋବଳ ଦୃଢ଼ ରହିଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବରୁ ସେମାନଙ୍କର ଶକ୍ତି କ୍ଷୟ ହେବାରେ ଲାଗିଛି ।

 

ଏପରି ଏକ ସଙ୍କଟ କାଳରେ ଯଦି ନେତାଜୀଙ୍କ ଜାତୀୟ ସୈନ୍ୟବାହିନୀ ପରାଜୟ ବରଣ କରନ୍ତି ତେବେ ଇତିହାସ କ’ଣ ନିନ୍ଦାକରିବ ନେତାଜୀଙ୍କୁ । ନିଶ୍ଚୟ ନୁହେଁ...ନିଶ୍ଚୟ ନୁହେଁ…ମନକୁ ମନ ଉଚ୍ଚାରଣ କଲେ ଜନ୍ମେଜୟ । ବରଂ ନେତାଜୀ ଏବଂ ତାଙ୍କର ସୈନ୍ୟ ଓ ସେନାପତିମାନଙ୍କର ଅପୂର୍ବ ଦେଶପ୍ରୀତି ଅମ୍ଲାନ ହୋଇ ରହିବ ପୃଥିବୀର ମୁକ୍ତିସଂଗ୍ରାମର ଇତିହାସରେ । ଶତ୍ରୁ ଛଳ ବଳ କୌଶଳ ପ୍ରଦର୍ଶନ କରୁଥିବା ବେଳେ ତାକୁ ପରାଜିତ କରିବା ଲାଗି ଯେକୌଣସି ପନ୍ଥା ଗ୍ରହଣୀୟ ।

 

ଜନ୍ମେଜୟଙ୍କୁ ଚିନ୍ତାଗ୍ରସ୍ତ ଓ ଉଦ୍‍ବିଗ୍ନ ଦେଖି ପଚାରିଲେ ବିଶ୍ଵନାଥ–କ’ଣ ଖବର…ଏତେ ଚିନ୍ତିତ ହୋଇ ପଡ଼ୁଛ ଯେ ?

 

ମୁହଁ ଉପରେ ମ୍ଳାନ ହସର ରେଖା ଫୁଟି ଉଠିଲା ଜନ୍ମେଜୟଙ୍କର । ସେଇ ମ୍ଳାନ ହସ ତଳେ ଜଣେ ଶ୍ରାନ୍ତକ୍ଳାନ୍ତ ସଂଗ୍ରାମୀ ଜୀବନର ଶେଷ ଦୀପଶିଖା ଜଳୁଥିବା ପରି ଅନୁଭବ କଲେ ବିଶ୍ଵନାଥ ।

 

ଜନ୍ମେଜୟ କହିଲେ–ସବୁ ରଣକ୍ଷେତ୍ରରେ ମିତ୍ରଶକ୍ତିର ଅଗ୍ରଗତି…ନେତାଜୀଙ୍କ ଜାତୀୟ ସୈନ୍ୟବାହିନୀ ଅସ୍ତ୍ରଶସ୍ତ୍ର ଅଭାବରୁ ଅଟକି ରହିଛନ୍ତି ବର୍ମାରେ ।

 

ଏକେ ତ ସବୁ ନେତା ଜେଲ୍ ଭିତରେ…ଗାନ୍ଧିଜୀ, ଜବାହାରହାଲ୍, ମୌଲାନା ଆଜାଦ, ବଲ୍ଲଭଭାଇ, ମହାତାବ୍‍ ଆଦି ସମସ୍ତେ ବନ୍ଦୀ । ଲୋହିଆ, ପଟ୍ଟବର୍ଦ୍ଧନ, ଅରୁଣା ଆଉ କେତେଦିନ ବା ଅନ୍ତରାଳରେ ରହି ସଂଗ୍ରାମ ଚାଲୁରଖିବେ ? ଯୁଦ୍ଧର ପ୍ରଭାବରେ ହନ୍ତସନ୍ତ ସାଧାରଣ ଲୋକମାନେ-। କିରାସିନି ମିଳୁନି, ଲୁଗାର ମୂଲ୍ୟ ଆକାଶଛୁଆଁ, ଚାଉଳ ତେଲର ଦର ବି ଅନେକ ବଢ଼ିଛି-। ଗରିବ ଖଟିଖିଆମାନଙ୍କ ଅବସ୍ଥା କହିଲେ ନସରେ । ଏହା ସତ୍ତ୍ଵେ ବୋଝ ଉପରେ ନଳିତାବିଡ଼ା ପରି ଯୁଦ୍ଧ ଉଦ୍ୟମରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ନୁଆ ଟିକସ ବସୁଛି ।

 

–ବିନା ମୂଲ୍ୟରେ କିଛି କିଣି ହୁଏନା ନନା…ଦେଶର ମୁକ୍ତିପାଇଁ ଆହୁରି ଅଧିକ ତ୍ୟାଗ କରିବା ଦରକାର ହେବ । ବିନା ସର୍ତ୍ତରେ, ବିନା ସ୍ଵାର୍ଥରେ ଲଢ଼ିଯିବା ଛଡ଼ା ଅନ୍ୟ ଗତି ନାହିଁ । ମୁଁ ସେତେବେଳକୁ ଥିବି କି ନାହିଁ କହିପାରୁନି; କିନ୍ତୁ ଦେଶ ଯେ ଆଉ ବେଶୀଦିନ ପରାଧୀନ ହୋଇ ରହିବ ନାହିଁ ଏଇ ଭବିଷ୍ୟତ୍‍ବାଣୀ ମୁଁ କରିବାରେ ଦ୍ଵିଧା ନାହିଁ ।

 

–ତମେ ନିଶ୍ଚୟ ଥିବ । ସେଇ ଶୁଭଦିନ ତୁମ ବିନା ଅସମ୍ପୂର୍ଣ୍ଣ ରହିଯିବ । କାତର କଣ୍ଠରେ କହିଲେ ବିଶ୍ଵନାଥ ।

 

ରଘୁ ସିନ୍ଦୂର ବେଲପତ୍ର ନେଇ ପହଞ୍ଚିଲା ଏତିକିବେଳେ । ତାରିଣୀଙ୍କ ପାଖରେ ଗୁହାରି ଜଣାଇବା ଲାଗି ଯାଇଥିଲା ସେ । ବଡ଼ବିଲରୁ ଘଟଗାଁ ପଳାଇ ଆସିବା ପରେ ଜନ୍ମେଜୟଙ୍କ ସ୍ଵାସ୍ଥ୍ୟରେ ଅବନତି ଘଟିଥିଲା । ତାଙ୍କୁ ଦେଖି ବୁଝିହେଉଥିଲା ଯେ ଦେହର ବଳ ନୁହେଁ କେବଳ ମନର ବଳ ତାଙ୍କୁ ବଞ୍ଚାଇ ରଖିଛି । ଭିତରେ ଶୁଖି ଆସୁଥିଲେ ମଧ୍ୟ ଉପରେ ସରସ ଦିଶିବା ପାଇଁ ଚେଷ୍ଟା କରୁଛନ୍ତି ସେ । ତାଙ୍କ ମଥାରେ ସିନ୍ଦୁର ଟୋପାଏ ଲଗାଇଦେଇ କହିଲା ରଘୁ–ତୁମର ନିରାମୟ ଜୀବନ ପାଇଁ ପ୍ରାର୍ଥନା କଲାବେଳେ ମାଆଙ୍କ ମଥାରୁ ମନ୍ଦାରଫୁଲଟିଏ ଖସିଲା…ମା’ ମୋର ମନସ୍କାମନା ପୂର୍ଣ୍ଣ କରିବେ ନନା ।

 

ଜନ୍ମେଜୟ ନିର୍ବାକ୍ ହୋଇ ଚାହିଁରହିଲେ ରଘୁର ମୁହଁକୁ । ବିଶ୍ଵନାଥ କହିଲେ–ବଙ୍କିମଚନ୍ଦ୍ରଙ୍କ ଆନନ୍ଦମଠ ପଢ଼ିଛି ମୁଁ । କାଳୀ ମହାଶକ୍ତି…ଅତ୍ୟାଚାରୀ ଅନାଚାରୀର ସଂହାରକାରିଣୀ ଜଗତଜନନୀ । ରଘୁ ଯାହା କହୁଛି ସତ । ମା’ଙ୍କ ମଥାରୁ ଚାହିଁଲେ ଫୁଲ ଖସେନାହିଁ । ଆମର ଇଚ୍ଛା ପୂର୍ଣ୍ଣହେବ ଏଥିରେ ସନ୍ଦେହ ନାହିଁ ।

 

ଜନ୍ମେଜୟଙ୍କୁ ଭଲଲାଗୁଥିଲା ଶୁଣିବା ପାଇଁ । ଏଇ ଲୋକମାନେ ତାଙ୍କୁ ପ୍ରାଣଠାରୁ ବଳି ଭଲପାଆନ୍ତି । ତାଙ୍କ ନିର୍ଦ୍ଦେଶମାନି ତିଳେମାତ୍ର କୁଣ୍ଠା ନକରି ଘରଦ୍ଵାର ସ୍ତ୍ରୀ ସନ୍ତାନ ସମସ୍ତଙ୍କୁ ଛାଡ଼ି ବାହାରି ଆସିଛନ୍ତି କେବଳ ଗୋଟିଏ ଲକ୍ଷ୍ୟରେ–ଭାରତର ମୁକ୍ତି…ଜନନୀ ଜନ୍ମଭୂମିର ସ୍ଵାଧୀନତା । ସବୁ କଷଣ, ସବୁ ଦୁଃଖ ନିର୍ବିକାର ଭାବେ ସହ୍ୟ କରି ଆସିଛନ୍ତି ସେଇ ଲକ୍ଷ୍ୟ ସିଦ୍ଧି ପାଇଁ । ଦେଶ ମୁକ୍ତି ପାଇବା ପରେ ଏମାନଙ୍କୁ କ’ଣ ମନେରଖିବେ ନେତାମାନେ । ଏମାନଙ୍କର ତ୍ୟାଗ, ନିଃସ୍ଵାର୍ଥପରତା, ଜ୍ଵଳନ୍ତ ଦେଶପ୍ରେମ କ’ଣ ମନେପଡ଼ିବ ଉତ୍ତରପୁରୁଷମାନଙ୍କର । ଜୟଚନ୍ଦ୍ର, ମୀରକାଶିମ୍, ଶିଖିମନାଇର ଦେଶ ଇଏ । ବିଶ୍ଵାସଘାତକତା ବିଦେଶରୁ ଆମଦାନୀ ହୋଇ ଆସିନାହିଁ, ଏଇ ଦେଶର କତିପୟ ସ୍ଵାର୍ଥପର ମଣିଷଙ୍କ ଅସ୍ଥିମଜ୍ଜାଗତ ହୋଇ ରହିଛି ଯୁଗ ଯୁଗ ଧରି-

 

ଘଟଗାଁର ତାରିଣୀଙ୍କ ପାଖକୁ ନଡ଼ିଆଟିଏ ପଠାଇଦେଇ ଯୁଦ୍ଧକୁ ଯାଇଥିବା ପୁଅର ଫେରିବା ବାଟକୁ ନିଭୃତରେ ଅନାଇ ରହନ୍ତି ବାପା ମା’ । ଯୁଦ୍ଧ ସରଞ୍ଜାମ ନେଇ ଟ୍ରକ୍ ଚଳେଇ ଯାଉଥିବା ଗାଡ଼ିଚାଳକ ନଡ଼ିଆଟିଏ ଭେଟି ଦେଇ ମଥାରେ ସିନ୍ଦୂର ଲଗାଇ ନିର୍ଭୟରେ ଆଗେଇଯାଏ କର୍ତ୍ତବ୍ୟ ପାଳନ କରିବାପାଇଁ । ସାତପୁରୁଷଙ୍କୁ ପାଣି ଦେବା ପାଇଁ ପୁତ୍ରବଧୂ କୋଳରେ ପୁଅଟିଏ ଜନ୍ମ ହେଉ ବୋଲି ମାନସିକ କରିଥିବା ଶାଶୁଟିଏ ଘଟଗାଁ ଯାଉଥିବା ବାଟୋଇ ହାତରେ ନଡ଼ିଆଟିଏ ପଠାଇଦେଇ ଆଶ୍ଵସ୍ତ ହୁଏ ମନେମନେ ।

 

ସେଇ ଘଟଗାଁର ଛତିଶ ପଲେଇ ଘରେ ଯେ ଦିନେ ସେମାନଙ୍କୁ ଆଶ୍ରୟ ନେବାକୁ ହେବ ଏହା କିଏ ଜାଣିଥିଲା । କିନ୍ତୁ ଆଉ ବିକଳ୍ପ ମଧ୍ୟ ନଥିଲା । ବଡ଼ବିଲରୁ ଆସିବାବେଳେ ଏଇ ଠିକଣାଟା କହିଦେଇଥିଲା ଶୁକ୍ରାମାଝୀ । ଛତିଶ ପଲେଇ ସାଧାରଣ ମଣିଷ; କିନ୍ତୁ ଅସାଧାରଣ ତା’ର ସାହସ । ଦ୍ଵାର ମୁହଁରେ ଅତିଥି ଦେଖି ଆଦରକରି ସଙ୍କୋଳି ନେଇଥିଲା ଭିତରକୁ ।

 

କିଛି ଗୋପନ ନକରି ସବୁ କହିଦେଇଥିଲେ ଜନ୍ମେଜୟ । ଛତିଶ ପଲେଇ ମୁହଁ ଉପରେ ଦୃଢ଼ତା ଖେଳାଇ କହିଥିଲା–ତୁମେ ସବୁ ଯେତେଦିନ ଇଚ୍ଛା ମୋ ଘରେ ରହ । ପରବୋଲି ଭାବିବ ନାହିଁ । ଖୁଦକୁଣ୍ଡା ଯାହା ପାରିବି ଦେବି । ମୁଁ ସିନା ଦେଶପାଇଁ ଲଢ଼ି ପାରିଲି ନାହିଁ ;କିନ୍ତୁ ତୁମର ସେବାକରି ଲଢ଼ିବାର ଗୌରବ ପାଇବି ।

 

ସେଇ ସାଧାରଣ ଗ୍ରାମବାସୀଟି ଭିତରେ ଚେତନାର ବହ୍ନି ଦେଖି ବିସ୍ମିତ ହୋଇଥିଲେ ଜନ୍ମେଜୟ । ସେଇ ଛତିଶ ପଲେଇର କଥାମାନି ରଘୁ ଯାଇଥିଲା ଠାକୁରାଣୀଙ୍କୁ ଗୁହାରି କରିବା ପାଇଁ । ଛତିଶ ପଲେଇ ଟିକେ ପରେ ମନ୍ଦିରରୁ ଫେରି ଗୋଟେ ନୂଆ ଖବର ଦେଲା–ଶୁକ୍ରାମାଝୀ ଜେଲ୍ ଭିତରେ ଥିବାବେଳେ ଆତ୍ମହତ୍ୟା କରିଛି । ଜନ୍ମେଜୟ କହିଲେ–କଦାପି ନୁହେଁ, ସେ ଆତ୍ମହତ୍ୟା କରିନି ଯେ ତାକୁ ମାରିଦିଆଯାଇଛି ।

 

ଜନ୍ମେଜୟ ନିଜ ଭିତରେ ବୁଡ଼ିଯାଇଥିଲେ କେଇ ମୁହୂର୍ତ୍ତ । ପରେ ସଚେତନ ହୋଇ କହିଲେ–ସ୍ଵାଧୀନତା ସଂଗ୍ରାମର ଶହ ଶହ ସହିଦମାନଙ୍କ ନାମ ସହିତ ନାମ ଲେଖା ହୋଇଗଲା ଶୁକ୍ରାମାଝୀର । ସେ ମରିଯାଇ ବି ଅମର ।

 

ଜନ୍ମେଜୟଙ୍କ ସୂଚନା ପାଇ ସମସ୍ତେ ଛିଡ଼ାହୋଇ ମଥା ନୁଆଁଇଲେ ଅମର ସହିଦ ଶୁକ୍ରାମାଝୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ । ଜନ୍ମେଜୟଙ୍କ ବାଷ୍ପାକୁଳ ଆଖି ଦେଖି ସ୍ତବ୍ଧ ହୋଇଗଲେ ବିଶ୍ଵନାଥ । ବାହାରେ ଏଡ଼େ କଠୋର ଜଣାପଡ଼ୁଥିବା ଏଇ ଲୋକଟିର ଅନ୍ତର ଭିତରେ ସ୍ନେହ ମମତାର ପ୍ରସ୍ରବଣଟିଏ ଦେଖି ଶ୍ରଦ୍ଧାରେ ପୂରି ଉଠିଲା ଅନ୍ତର ।

 

କେବଳ ବିଶ୍ରାମ ନୁହେଁ, ଉପଯୁକ୍ତ ଚିକିତ୍ସା ଆବଶ୍ୟକ ଥିଲା ଜନ୍ମେଜୟଙ୍କର । ଘଟଗାଁରେ ସେପରି ସୁବିଧା ନଥିଲା କିଛି । କେନ୍ଦୁଝରଗଡ଼ ବା ଆନନ୍ଦପୁର ଯିବାକୁ ହୁଏ ଔଷଧ ଟିକେ ଦରକାର ହେଲେ । ଏଠାରେ ରହିବା ନିରାପଦ ହୋଇପାରେ; କିନ୍ତୁ ସ୍ଵାସ୍ଥ୍ୟପକ୍ଷରେ ଆଦୌ ଯେ ଅନୁକୂଳ ନୁହେଁ ଏହା ବୁଝୁଥିଲେ ବି ସହସା କିଛି ନିଷ୍ପତ୍ତି ନେବା ସମ୍ଭବ ହେଲାନାହିଁ । ରହୁ ରହୁ ମାସେ ପ୍ରାୟ ରହିଗଲେ ସେଠାରେ; କିନ୍ତୁ ତା’ପରେ କଟକ, ବାଲେଶ୍ଵର ଓ ଅନ୍ୟତ୍ର ଛାତ୍ର ଆନ୍ଦୋଳନର ସୂଚନା ପାଇ ଶୀଘ୍ର ନିକଟବର୍ତ୍ତୀ କୌଣସି ସ୍ଥାନକୁ ଯିବାପାଇଁ ଇଚ୍ଛା ହେଲା ଜନ୍ମେଜୟଙ୍କର । ସଜାଗ ଛାତ୍ରଶକ୍ତି ଯେକୌଣସି ଦେଶର ସମ୍ପଦ । ସେମାନଙ୍କୁ ସଂଗଠିତ କରିବାଦ୍ଵାରା ଅନେକ ଦୁରୁହ କାର୍ଯ୍ୟ ସାଧନ କରାଯାଇପାରିବ । କଟକରେ ଛାତ୍ରମାନେ ପୁଲିସର ଲାଠିମାଡ଼ ଖାଇ ମଧ୍ୟ ଦବିଯାଇ ନାହାନ୍ତି । ବାଲେଶ୍ଵରରେ ନିଷେଧାଜ୍ଞା ନମାନି ଛାତ୍ରମାନେ ଇଞ୍ଚୁଡ଼ିର ସହିଦଦିବସ ପାଳନରେ ଅଂଶ ଗ୍ରହଣ କରି ପୁଲିସ ଦ୍ଵାରା ଗିରଫ ହେବା ଶ୍ରେୟସ୍କର ମଣିଥିଲେ । ସୁଭଦ୍ରା ମହତାବ, ରବି ଦାସ ,ନୀଳାମ୍ବର ପ୍ରଭୃତିଙ୍କ ସାହାଯ୍ୟ ଓ ସମର୍ଥନ ପାଇ ଛାତ୍ରମାନେ ସଂଗଠିତ ହେବାକୁ ଲାଗିଛନ୍ତି । ସେମାନଙ୍କୁ ରଣକୌଶଳ ଶିକ୍ଷା ଦେବାର ଏଇ ପ୍ରକୃଷ୍ଟ ସମୟ ।

 

ସମସ୍ତଙ୍କର ବାରଣ ନମାନି ଛତିଶ ପଲେଇ ଘରୁ ସନ୍ଧ୍ୟାରେ ବିଦାୟନେଲେ ଜନ୍ମେଜୟ ଓ ତାଙ୍କ ସାଥୀମାନେ । ଶଗଡ଼ରେ ବସି ଆନନ୍ଦପୁର ଯିବା ସ୍ଥିର ହୋଇଥିଲା । ଏତେ ବାଟ ପାଦରେ ଚାଲି ଯିବା ମଧ୍ୟ ସମ୍ଭବ ନଥିଲା ଜନ୍ମେଜୟଙ୍କ ପକ୍ଷରେ । ସେମାନେ ବୈତରଣୀ ପାରହେବା ବେଳକୁ ରାତି ପାହାନ୍ତା । ଡାକ୍ତର ସର୍ବେଶ୍ଵର ମହାପାତ୍ରଙ୍କ ଘରେ ଜନ୍ମେଜୟଙ୍କ ରହିବା ପାଇଁ ଆଗରୁ ସ୍ଥିର ହୋଇଥିଲା । ଚିକିତ୍ସକ ଭାବେ ସର୍ବେଶ୍ଵରବାବୁଙ୍କ ନାମ ଯଶ ଥିଲା । ତାଙ୍କ ଘରେ ନାମ ବଦଳାଇ ଚିକିତ୍ସା ପାଇଁ ରହିଗଲେ ଜନ୍ମେଜୟ । ବିଶ୍ଵନାଥ, ରଘୁ ଏବଂ ବୈରାଗୀ ସର୍ଦ୍ଦାର ନଦୀ ତଟର ଏକ ଝାଟିମାଟିର ଭଡ଼ାଘରେ ରହିଲେ । ବୈରାଗୀ ଆନନ୍ଦପୁର ବଜାରରେ ଗୋଟିଏ ଚା’ ଦୋକାନଟିଏ ଖୋଲିଦେଲେ ଜୀବିକାର୍ଜନ ପାଇଁ ନୁହେଁ, ସବୁ ସନ୍ଦେହର ଉର୍ଦ୍ଧ୍ଵରେ ରହିବା ପାଇଁ ଏବଂ ବିଭିନ୍ନ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବାପାଇଁ ।

 

ବିଶ୍ଵନାଥଙ୍କର ଦାଢ଼ିନିଶ ଏତେ ବଢ଼ିଯାଇଥିଲା ଯେ ତାଙ୍କୁ ଚିହ୍ନିବା ଅସମ୍ଭବ ପ୍ରାୟ ଥିଲା-। ତେଣୁ ସେ ଜଣେ ସାଧୁ ଭାବେ ମନ୍ଦିରରେ ପ୍ରତିଦିନ କିଛି ସମୟ ଅତିବାହିତ କରିବାକୁ ଲାଗିଲେ-। ରାଜକର୍ମଚାରୀମାନଙ୍କ ମଧ୍ୟରୁ କେତେଜଣ ପ୍ରତିଦିନ ସକାଳ ସନ୍ଧ୍ୟା ପୂଜାର୍ଚ୍ଚନା କରିବାପାଇଁ ସେଠାକୁ ଆସୁଥିଲେ । କ୍ରମଶଃ ସେମାନଙ୍କ ସହିତ ପରିଚୟ ହେଲା ବିଶ୍ଵନାଥଙ୍କର । ଜାତକ ଗଣନା କରିବା, ହାତ ଦେଖିବା ପ୍ରଭୃତି କିଛି କିଛି ଜାଣିଥିଲେ ସେ । ସେ ଏଇ ବିଦ୍ୟାର ଅଧିକାରୀ ବୋଲି ଜାଣିବା ପରେ ରାଜକର୍ମଚାରୀ ଓ ସେମାନଙ୍କ ପରିବାରର ଲୋକମାନେ ତାଙ୍କ ପାଖକୁ ସକାଳ ସନ୍ଧ୍ୟା ଆସିବାକୁ ଲାଗିଲେ । ଦିନେ ତହସିଲଦାରବାବୁ ଏକାନ୍ତରେ ତାଙ୍କୁ କହିଲେ ଯେ ବହୁ କଷ୍ଟ କରି ସେ ପୁଅକୁ କଟକ ପଠେଇଥିଲେ ରେଭେନ୍‍ସା କଲେଜରେ ପଢ଼ିବାପାଇଁ; କିନ୍ତୁ ସେ ପାଠପଢ଼ା ଛାଡ଼ି ସ୍ଵରାଜ ଆନ୍ଦୋଳନରେ ସାମିଲ ହେବା ଖବର ପାଇ ତିନିଦିନ ହେଲା ଚୁଲିରେ ହାଣ୍ଡି ବସିନାହିଁ । ତା’ର ମା’ କାନ୍ଦିକାନ୍ଦି ଭାଙ୍ଗିପଡ଼ିଲେଣି । ଏ ଦୁଃଖ ଅନ୍ୟମାନଙ୍କୁ କହିବା ମଧ୍ୟ ସମ୍ଭବ ନୁହେଁ । ସେ ଜଣେ ରାଜକର୍ମଚାରୀ । ତାଙ୍କ ପୁଅ ସରକାର ବିରୋଧୀ ଜଣାପଡ଼ିଲେ ଚାକିରିଖଣ୍ଡକ ଯଦି ଚାଲିଯାଏ ତେବେ ପେଟ ପୋଷିବା କଷ୍ଟକର ହେବ । ସେଥିରୁ ତାକୁ ନିବୃତ୍ତ କରିବାପାଇଁ ତନ୍ତ୍ରମନ୍ତ୍ର ଯାହା ଦରକାର କରିବାପାଇଁ କାକୁତିମିନତି କଲେ ତହସିଲଦାର ରାମଚନ୍ଦ୍ର ମଙ୍ଗରାଜ । ବିଶ୍ଵନାଥ ମନେ ମନେ ହସିଲେ । ରାମ ସୁଗ୍ରୀବଙ୍କ ସମଦଶା । କେବଳ ଏତିକି ତଫାତ୍ ଯେ ମଙ୍ଗରାଜ ଏବଂ ତାଙ୍କ ପତ୍ନୀ ପୁଅକୁ ସ୍ଵାଧୀନତା ଆନ୍ଦୋଳନରୁ ନିବୃତ୍ତ କରିବା ସକାଶେ ବ୍ୟାକୁଳ ଏବଂ ସେ ଓ ପାର୍ବତୀ ତାଙ୍କ ପୁଅକୁ ଦେଶର ମୁକ୍ତିସଂଗ୍ରାମରେ ଝାସଦେବାପାଇଁ ପ୍ରବର୍ତ୍ତାଇବାପାଇଁ ସଂକଳ୍ପବଦ୍ଧ । ତଥାପି ତାଙ୍କୁ ଆଶ୍ଵାସନା ଦେଇ କିଛି କରିବେ ବୋଲି କହିଲେ ବିଶ୍ଵନାଥ ।

 

ସେଇ ମନ୍ଦିରକୁ ଆଉ ଜଣେ ବ୍ୟକ୍ତି ଯେ ମଝିରେ ମଝିରେ ଆସୁଥିଲା ତାହା ତାଙ୍କ ଦୃଷ୍ଟି ଏଡ଼ାଇ ପାରିନଥିଲା । ଲୋକଟାର ଚାଲିଚଳଣ ଆଦୌ ପସନ୍ଦ କରୁନଥିଲେ ବିଶ୍ଵନାଥ । ସେ ଯେ ପୂଜାର୍ଚ୍ଚନା କରିବାର ବାହାନା କରି ମନ୍ଦିରକୁ ଆସେ ଏହା ଜାଣିବା ପରେ ତା’ ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ରଖିଲେ ସେ । ଦିନେ ସନ୍ଧ୍ୟାବେଳେ ମନ୍ଦିରରୁ ନଦୀ କୂଳେ କୂଳେ ଫେରୁଥିବାବେଳେ ସେଇ ଲୋକ ଜଣେ ଯୁବତୀ ସହିତ ମନ୍ଦିର ଆଡ଼କୁ ଯାଉଥିବା ଦେଖି ସେ ଧୀରେ ଧୀରେ ସେମାନଙ୍କୁ ଅନୁସରଣ କଲେ । ଆରତି ଓ ସନ୍ଧ୍ୟାପୂଜା ଶେଷକରି ଠାକୁରଙ୍କ ପହଡ଼ ପକାଇ ପୂଜକ ଫେରିବାବେଳେ ସେ ଦୁହେଁ ତାଙ୍କ ଅଲକ୍ଷ୍ୟରେ ମନ୍ଦିର ଭିତରେ ଲୁଚିଥିବାର ଦେଖି ମନରେ ସନ୍ଦେହ ହେଲା ବିଶ୍ଵନାଥଙ୍କର । କୌଣସି ନାରୀଘଟିତ ବ୍ୟାପାର ଯେ ଘଟିବାକୁ ଯାଉଛି ଏଥିରେ ଆଉ ସନ୍ଦେହ ନଥିଲା ମନରେ । କାଳେ ବିଚରା ନିରୀହ ପୂଜକ ଏହି ଘଟଣା ସହିତ ଜଡ଼ିତ ହୋଇପଡ଼ିବେ ସେଥିରୁ ତାଙ୍କୁ ରକ୍ଷା କରିବା ପାଇଁ ବିଶ୍ଵନାଥ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶକଲେ । ପୂଜକ ସହିତ ତାଙ୍କର ସାକ୍ଷାତ ହେଲା ଦ୍ଵାରଦେଶରେ । ଅତି ସଂକ୍ଷେପରେ ଫେରିଆସିବାର ଉଦ୍ଦେଶ୍ୟ ବର୍ଣ୍ଣନା କରି ମୁଖ୍ୟଦ୍ଵାର ଖୋଲା ନରଖି ବନ୍ଦ କରିବାକୁ କହିଲେ ବିଶ୍ଵନାଥ । ମନ୍ଦିରଦ୍ଵାର ରାତିରେ ବନ୍ଦ ରହୁଥିଲେ ମଧ୍ୟ ମନ୍ଦିର ବେଢ଼ାର ଦ୍ଵାର ଖୋଲା ରହୁଥିଲା ସେବକମାନଙ୍କ ଯିବାଆସିବାର ସୁବିଧା ସକାଶେ । ମନ୍ଦିର ବେଢ଼ା ଭିତରେ ଜଣେ ସେବକ ରହୁଥିବା ମଧ୍ୟ ବିଶ୍ଵନାଥ ଜାଣିଥିଲେ । ବାହାର ଦ୍ଵାର ବନ୍ଦହେବା ସେମାନେ କିନ୍ତୁ ଜାଣିପାରିଲେ ନାହିଁ । ପୁଲିସରେ ଖବର ଦେବାଛଡ଼ା ଅନ୍ୟ ଗତି ନଥିଲା ପୂଜକଙ୍କର । ପୁଲିସ ଆସି ରାତି ପ୍ରାୟ ଦଶଟା ସମୟରେ ମନ୍ଦିର ବେଢ଼ା ମଧ୍ୟରୁ ସେବକ ସହିତ ସେଇ ଦୁଇଜଣଙ୍କୁ ଥାନାକୁ ଧରିନେବାବେଳେ ପୂଜକ କହିଲେ ଯେ ସେ ଅଳ୍ପକେ ବଞ୍ଚିଗଲେ । ସେଇ ଲୋକଟା ଯାଜପୁରର କୁଖ୍ୟାତ ଅସାମାଜିକ ଲୋକ ନନ୍ଦରାମ । ପ୍ରଲୋଭନ ଦେଖାଇ ଏକାଧିକ ସ୍ତ୍ରୀକୁ ବିବାହ କରି ସେମାନଙ୍କର ସର୍ବସ୍ଵ ଅପହରଣ କରି ପରେ ପୁଣି ତ୍ୟାଗ କରିଛି ବା କଲିକତା ବଜାରରେ ବେଶ୍ୟାବୃତ୍ତି କରିବା ପାଇଁ ବିକ୍ରି କରିଦେଇଛି । ସାଧୁବାବାଙ୍କଠାରୁ ଏହି ସୁରାକ୍ ମିଳିଥିବାରୁ ପୁଲିସ୍ ଆଗରେ ବିଶ୍ଵନାଥଙ୍କ ପତିଆରା ଅନେକ ବଢ଼ିଗଲା ସତ; କିନ୍ତୁ ଏହା ପରେ ସେ ତାଙ୍କ ପାଖରେ ଆହୁରି ଅଧିକ ଲୋକ ଠୁଳ ହେବେ ଜନ୍ମେଜୟ ତାଙ୍କୁ ଏହା ଚେତାଇଦେବାପରେ ସେ ଶଙ୍କିତ ହୋଇପଡ଼ିଲେ ।

 

ତାଙ୍କୁ ସାହସ ଦେଇ କହିଲେ ଜନ୍ମେଜୟ–ଗତସ୍ୟ ଶୋଚନା ନାସ୍ତି…ସାବଧାନ ରୁହ ନନା…ଦେଖାଯାଉ କେଉଁଠିକାର ପାଣି କୁଆଡ଼େ ଯାଉଛି ।

 

ତାଙ୍କର ଆଶଙ୍କା ଯେ ଅମୂଳକ ନୁହେଁ ଏହା ତିନି ଚାରିଦିନ ବେଳକୁ ଜଣାପଡ଼ିଲାବେଳକୁ ବିଶ୍ଵନାଥ, ରଘୁ, ବୈରାଗୀ ସର୍ଦ୍ଦାର ସହିତ ଆନନ୍ଦପୁର ଛାଡ଼ି ଚାନ୍ଦିପୁର ଚାଲିଯାଇଥିଲେ ଜନ୍ମେଜୟ । ସେ ଜାଣନ୍ତି ଯେ ଗୋଟିଏ ଗଣ୍ଠି ଖୋଲିବାଦ୍ଵାରା ସୂତାଖିଅ ଲମ୍ବ ହୁଏ ସତ, ତେବେ ସେଥିପାଇଁ ପରେ ପରେ ଅନେକ ଗଣ୍ଠି ଖୋଲିବା ଦରକାର ହୁଏ ।

 

ରବିବାର ଦିନ ଆନନ୍ଦପୁରରେ ବଡ଼ ହାଟ ବସେ । ସେଦିନ ହାଟକୁ ଆସିଥିବା ଲୋକମାନଙ୍କ ମଧ୍ୟରେ ଅନାୟାସରେ ପ୍ରଚାର ହୋଇଗଲା ଯେ ଦୀର୍ଘ ମାସେକାଳ ହେଲା ଚାରିଜଣ ସନ୍ତ୍ରାସବାଦୀ ଏଇ ଆନନ୍ଦପୁର ସହରରେ ରହୁଥିଲେ ମଧ୍ୟ ସେମାନଙ୍କର ସନ୍ଧାନ କରିପାରିନଥିଲା ପୁଲିସ୍ । ଯେଉଁ ଲୋକଟା ନାରୀଘଟିତ ବ୍ୟାପାରରେ ଛନ୍ଦିହୋଇ ପଡ଼ିଲା ତା’ ସମ୍ବନ୍ଧରେ ଗୁଇନ୍ଦା ବିଭାଗରୁ ବହୁ ତଥ୍ୟ ମିଳିଲା । ସେସବୁ ବିଷୟରେ ଅଧିକ ଅନୁସନ୍ଧାନ କରି ସେଇ ଆନ୍ତଃରାଜ୍ୟ ଅପରାଧୀକୁ ସମୁଚିତ ଦଣ୍ଡ ଦେବାପାଇଁ ଗୁଇନ୍ଦା ବିଭାଗକୁ କେସ୍ ହସ୍ତାନ୍ତର କଲା । ଗୁଇନ୍ଦା ବିଭାଗର ଇନ୍‍ସପେକ୍ଟର ଶ୍ରୀମୟ ଘୋଷ ଆନନ୍ଦପୁର ଆସି ପ୍ରଥମେ ସାଧୁବାବାଙ୍କୁ ଖୋଜିବାର ସମ୍ବାଦ ଯଥା ସମୟରେ ଜନ୍ମେଜୟଙ୍କ ପାଖରେ ପହଞ୍ଚିଲା । ରାତି ପାହିଲେ ଯେ ବିଶ୍ଵନାଥ ସହିତ ସେମାନେ ସମସ୍ତେ ଧରାପଡ଼ିବେ ଏଇ ଆଶଙ୍କା ଅମୂଳକ ନଥିଲା ।

 

ଉତ୍ତମ ଚିକିତ୍ସା ଭାଗ୍ୟରେ ନଥିଲା ତାଙ୍କର । ସେଇ ରାତିରେ ଝିପିଝିପି ବର୍ଷା ହେଉଥିବା ସତ୍ତ୍ଵେ ଡଙ୍ଗାରେ କିଛି ଦୂର ନଦୀ ଅତିକ୍ରମ କରିବା ପରେ ପାଦରେ ଯାଜପୁର ଯାଇ ସେଠାରୁ ଛଦ୍ମବେଶରେ ରେଳଗାଡ଼ି ଧରି ଖଣତାପଡ଼ାରେ ଓହ୍ଲାଇଲେ ସେମାନେ । ସେଠାରୁ ସାଇକେଲରେ ଯାଇ ଚାନ୍ଦିପୁରରେ ପହଞ୍ଚିବାବେଳକୁ ସନ୍ଧ୍ୟା ଆସନ୍ନପ୍ରାୟ ।

 

[ ୨୩ ]

 

ରାଇରଙ୍ଗପୁର ଷ୍ଟେସନର ପୂର୍ବଦିଗରେ ରଘୁନାଥପୁର । ବାଟ ଦୁଇକୋଶ । ଏକ ଅଜ୍ଞାତ ଅଖ୍ୟାତ ପଲ୍ଲୀଗ୍ରାମ, କିନ୍ତୁ ସେଠାରେ ପହଞ୍ଚି ମଧ୍ୟ ଶାନ୍ତିରେ ନିଶ୍ଵାସ ମାରି ପାରିଲା ନାହିଁ ଶଙ୍କର । ଗାୟତ୍ରୀକୁ ଲେଖିଥିବା ଚିଠି ଯଦି ପୁଲିସ ହାତରେ ପଡ଼ିଯାଏ ତେବେ ବଡ଼ ଅନିଷ୍ଟ ଘଟିଯିବ । ଗାୟତ୍ରୀ ସମ୍ପୃକ୍ତ ହୋଇଯିବ ବିପ୍ଳବୀମାନଙ୍କ ସହିତ ଏବଂ ସେଇ ସୂତ୍ରରେ ପୁଲିସ ଅନେକ ଗୁପ୍ତ ତଥ୍ୟ ପାଇଯିବ ଅକ୍ଳେଶରେ ।

 

ଛୋଟ ଗାଁଟିର ଚାରିପାଖରେ ଶାଳବଣ । ଶଙ୍କର ଯେତେବେଳେ ସମୟ ପାଏ ସେଇ ବଣ ଭିତରେ ବୁଲି ଶାଳବଣର ସୌନ୍ଦର୍ଯ୍ୟ, ପକ୍ଷୀମାନଙ୍କର ମଧୁର କାକଳି ଉପଭୋଗ କରେ । ବେଳେବେଳେ ଠେକୁଆ ଗୋଟେ ଦି’ଟା କି ହରିଣ ଗୋଟେ ଆଖିରେ ପଡ଼େ । ତାକୁ ଦେଖି ସନ୍ତ୍ରସ୍ତ ହୋଇ ଦଉଡ଼ି ପଳାନ୍ତି ସେମାନେ । ଗୀତ ଗାଉଥିବା ପକ୍ଷୀ, ପୁଚ୍ଛ ମେଲାଇ ନୃତ୍ୟ କରୁଥିବା ମୟୂର ମୁହୂର୍ତ୍ତେ ପାଇଁ ତା’ ଆଡ଼କୁ ଚାହିଁ ସ୍ଥିର ହୋଇଯାଆନ୍ତି । ମଣିଷ ଯେପରି ଏକ ଅସ୍ଵାଭାବିକ ଜୀବ, ସେମାନଙ୍କ ମଧ୍ୟରେ ଥାଇ ମଧ୍ୟ ସେ ଅପରିଚିତ ସେମାନଙ୍କର । ଶଙ୍କର ଗୁଣୁଗୁଣୁ କରି ଗୀତ ଗାଏ–

 

ମୁକ୍ତି ସିପାହୀ ମୁକ୍ତି ସିପାହୀ

ଚାଲ୍ ରେ ଚାଲ୍ ରେ ଚାଲ୍,

ବନପର୍ବତ କଣ୍ଟକପଥ ଲଙ୍ଘନ କରି

ମୁକ୍ତିମନ୍ତ୍ର ମନ୍ଦ୍ରିତ ହେଉ

କୋଟି କଣ୍ଠରେ ନିନାଦିତ ହେଉ ମୁକ୍ତିର ଓଁକାର ।

ବିଦେଶୀଶାସକ ହୁସିଆର…ହୁସିଆର !!

 

ବିପ୍ଳବର ଗହନ ପଥରେ ବାଟବଣା ହୋଇଯାଏ ଶଙ୍କର । ଭାବୁଭାବୁ କେତେକଥା ଭାସିଯାଏ ମନରେ । ଏଇ ବଣ ଜଙ୍ଗଲ ଭିତରେ ନିରାପଦରେ ସ୍ଵାଧିନଭାବେ ବିଚରଣ କରୁଥିବା ପଶୁପକ୍ଷୀମାନଙ୍କୁ ଦେଖି ଈର୍ଷା ହୁଏ ମନରେ । ମଣିଷ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ହୋଇ ବି ଏଡ଼େ ପରାଧୀନ, ଏଡ଼େ ହିଂସ୍ର ଓ ନିର୍ଦ୍ଦୟ । ବିଲାତର ଲୋକ ବ୍ୟବସାୟ କରିବାକୁ ଆସିଥିଲା ଏ ଦେଶକୁ; କିନ୍ତୁ ଛିଦ୍ର ଦେଇ ମଣିଷ ଭିତରେ ପାପ ପ୍ରବେଶ କରିବା ପରି ଭାରତର ରାଷ୍ଟ୍ରୀୟ ଜୀବନର ଦୁର୍ବଳତା ଦେଖି ସହଜରେ ଶେଠରୁ ଶାସକ ହୋଇଗଲା । ଶଠତା, ଛଳନା, କପଟ କରି ଯିଏ ସିଂହାସନରେ ଥରେ ବସିବାକୁ ତାକୁ ସହଜରେ ଗାଦିଚ୍ୟୁତ କରିହୁଏ ନାହିଁ । ଦେଶରେ ଏକତା ନାହିଁ ବୋଲି ଏତେ କାଳ ତିଷ୍ଠି ରହିଛି ବ୍ରିଟିଶ୍ ସରକାର । ରାଜା–ପ୍ରଜା, ଶାସକ–ଶାସିତ ଓ କୃଷକ–ଶ୍ରମିକ ଥରେ ଏକଜୁଟ ହେଲେ ବଣର ଠେକୁଆ ଲାଙ୍ଗୁଡ଼ ଜାକି ପଳାଇବା ପରି ସାହେବମାନେ ପଳେଇଯିବେ ଏ ଦେଶରୁ; କିନ୍ତୁ ସେ ସମୟ କେବେ ଆସିବ…କେବେ ପୁଣି ହୃତଗୌରବ ଫେରିପାଇବ ଭାରତବର୍ଷ ?

 

ଖଣ୍ଡିଉଡ଼ା ଦେଉଥିବା ଗୋଟିଏ ଶୁଆ ପକ୍ଷୀକୁ ଗଛଡ଼ାଳରୁ ସହଜରେ ଉଠାଇନେଇ ଆଉଁସିଦେଲା ଶଙ୍କର । ଘରକୁ ନେଇଗଲେ କେଡ଼େ ଖୁସି ହୁଅନ୍ତେ ଦୁଇ ନାନୀ ଆଉ ସାନଭାଇ । ଭାବୁଥିଲା ନେଇଯିବ ବୋଲି; କିନ୍ତୁ କିଛି ବାଟ ଯାଇ କ’ଣ ଭାବି ପୁଣି ସେଇ ଗଛ ପାଖକୁ ଫେରିଆସି ତା’ ମା’ ସହଜରେ ଦେଖି ପାରିବା ଭଳି ଗୋଟେ ଖୋଲା ଜାଗାରେ ତାକୁ ଛାଡ଼ିଦେଲା ଶଙ୍କର । ଆଉ ସେଇ ମୁହୂର୍ତ୍ତରେ ବନ୍ଧନମୁକ୍ତ ଶୁଆଟି ଫୁର୍‍କିନା ଉଡ଼ିଗଲା ଉପରକୁ । ଶଙ୍କର ନିର୍ନିମେଷ ନୟନରେ ଚାହିଁ ରହିଥିଲା ସେଇ ଆଡ଼କୁ । ତା’ର ସର୍ବାଙ୍ଗରେ ସଞ୍ଚରିଯାଇଥିଲା ମୁକ୍ତିର ଅନନୁଭୂତ ଅପୂର୍ବ ଶିହରଣ । ମନରେ ଏକ ଉଚ୍ଚକିତ ଭାବ ନେଇ ସେ ଫେରିଆସିବାବେଳକୁ ବାର୍ତ୍ତାନେଇ ଆସିଥିବା ଲୋକ ଅପେକ୍ଷା କରୁଥିଲା ତାକୁ ।

 

ତା’ଠାରୁ ସବୁ ଶୁଣିଲା ଶଙ୍କର । ସେ ଯାହା ଆଶଙ୍କା କରୁଥିଲା ତାହାହିଁ ଘଟିଲା ଶେଷରେ । ଚିଠିଟି ଗାୟତ୍ରୀ ହାତରେ ପଡ଼ିବା ଆଗରୁ ପୁଲିସ ହାତରେ ପଡ଼ିଲା । ପଣ୍ଡିତଙ୍କ ଉପରେ ସନ୍ଦେହ ଥିଲା, ତେଣୁ ତାଙ୍କ ଅଜ୍ଞାତରେ ପୁଲିସ ନଜର ରଖିଥିଲା ତାଙ୍କ ପରିବାର ଉପରେ-। ଡାକରେ ଆସୁଥିବା ସବୁ ଚିଠିପତ୍ର, ତାଙ୍କ ଘରକୁ ଯିବା ଆସିବା କରୁଥିବା ସବୁ ଲୋକଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲା ପୁଲିସ । ତେଣୁ ଗାୟତ୍ରୀ ନାମରେ ଆସିଥିବା ଚିଠିଟା ପଣ୍ଡିତଙ୍କ ଘରକୁ ପଠାଇ ନଦେଇ ପ୍ରଥମେ ଯାଞ୍ଚ୍ କଲା ପୁଲିସ । ସେଇ ସାମାନ୍ୟ ଚିଠିଟିରୁ ଯେ ଅସାମାନ୍ୟ ସଫଳତାର ସୂତ୍ର ମିଳିଯିବ ତାହା କିଏ ଜାଣିଥିଲା ? କିନ୍ତୁ ଗାୟତ୍ରୀର ଚିଠିରୁ ଶାନ୍ତିବାବୁଙ୍କ ସଠିକ୍ ପରିଚୟ ପାଇ ପୁଲିସ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ସେ କୌଣସି ସୂତ୍ରରୁ ଖବର ପାଇ ଆତ୍ମଗୋପନ କରିସାରିଥିଲେ । ବହୁ ଖାନତଲାସ ଓ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ଠାବ କରିନପାରି ଶେଷରେ ତାଙ୍କର ସେବାଯତ୍ନ କରୁଥିବା ଚାକର ପିଲାଟାକୁ ଥାନାକୁ ଧରିନେଲେ ସେମାନେ; କିନ୍ତୁ କି ଧାତୁରେ ସେ ଗଢ଼ାହୋଇଥିଲା କେଜାଣି ପୁଲିସର ନିର୍ମମ ପ୍ରହାର ସତ୍ତ୍ଵେ ପ୍ରହ୍ଲାଦ ଶାନ୍ତିବାବୁଙ୍କ ସମ୍ବନ୍ଧରେ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରିନଥିଲା । ପୁଲିସର ମାଡ଼ରେ ଖଜମ ହୋଇ ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପ୍ରହ୍ଲାଦ । ବାପା ମା’ ଛେଉଣ୍ଡ ପିଲାଟା ପାଇଁ ଅନ୍ତର ଭିତରଟା ଆଉଟି ହୋଇଗଲା ଶଙ୍କରର । ସେଇ ଆଗନ୍ତୁକଠାରୁ ସେ ଆହୁରି ବି ଶୁଣିଲା ଯେ ତା’ ମା’ ଭୟଙ୍କର ଅସୁସ୍ଥ, ଯଦି ସମ୍ଭବ ହୁଏ ମୃତ୍ୟୁଶଯ୍ୟାରେ ସେ ପୁଅକୁ ଦେଖିବାକୁ ଚାହାଁନ୍ତି ।

 

ମା’ଙ୍କର ଦିବ୍ୟମୂର୍ତ୍ତି ଭାସିଉଠିଲା ଆଖି ଆଗରେ । ବାଷ୍ପାଚ୍ଛନ୍ନ ହୋଇଗଲା ଶଙ୍କରର ଦୃଷ୍ଟି ।

 

ଭିତରୁ ଉଠିଆସୁଥିବା କୋହ ଚାପି ରଖିବାପାଇଁ ସେ ଆଖି ବନ୍ଦକଲା ମୁହୂର୍ତ୍ତେ । ତା’ପରେ ମନକୁ ମନ କହିଲା–ମା’ଙ୍କୁ ମୁଁ ଦେଖିବାକୁ ଚାହେଁ । ମୋର ନିରାପତ୍ତା ବଡ଼କଥା ନୁହେଁ, ତାଙ୍କ ପାଦ ଥରେ ସ୍ପର୍ଶ କରିବାଠାରୁ ଆଉ କିଛି ବଡ଼ କର୍ତ୍ତବ୍ୟ ମୋ ଆଗରେ ନାହିଁ ।

 

ମା’ଙ୍କର କଥା ମନେପଡ଼ିଲା–ଦେଶର ଦଶର ମଙ୍ଗଳ ପାଇଁ ତୁ କାମ କରୁଛୁ । ମୁଁ ତୋତେ ବାନ୍ଧିରଖିବାକୁ ଚାହେଁନା; କିନ୍ତୁ ମୋର ଗୋଟିଏ କଥା ମନେ ରଖିବୁ ବାୟା…ଯୋଉଠି ଥା ଚାଲିଆସିବୁ, ମରିବା ଆଗରୁ ତୋତେ ଶେଷଥର ପାଇଁ ଥରେ ଦେଖିବାକୁ ଚାହେଁ ।

 

ମା’ଙ୍କର ସେଇ ସ୍ଵର ଅନାହତ ଭାବେ ଶୁଣିଚାଲିଛି ଶଙ୍କର । ରାଇରଙ୍ଗପୁରରୁ ଜଗନ୍ନାଥ ଖୁଣ୍ଟା ଅନେକ ବାଟ । ଭାବିଦେଲେ ପହଞ୍ଚି ହୁଏ ନାହିଁ । ଆଗନ୍ତୁକ ଯେଉଁ ସାଇକେଲରେ ଆସିଥିଲା ସେଇ ସାଇକେଲ ନେଇ ବାହାରିପଡ଼ିଲା ଶଙ୍କର । ପାହାଡ଼ ଜଙ୍ଗଲ ବିଲ ପ୍ରାନ୍ତର ପାରିହୋଇ ସେ ଚାଲିଲା ଗୋଟିଏ ଲକ୍ଷ୍ୟରେ । ତା’ କାନରେ ଶୁଭୁଥିଲା ମା’ଙ୍କର ସେଇ ଅନୁରୋଧ । ପେଡ଼ାଲ ଘୂରାଇବା ପାଇଁ ସେ କଥା ତା’ ଦେହରେ ଭରି ଦେଉଥିଲା ଶକ୍ତି । ଆଉ କାହାରି ମୁହଁ ଦିଶୁନଥିଲା, କେବଳ ଭାରତଜନନୀ ପରି ଚତୁର୍ଦ୍ଦିଗରେ ମାଆଙ୍କ ମହିମା ବିଛେଇ ହୋଇ ପଡ଼ିଥିଲା–ତାଙ୍କରି ରୂପ ଭାସିଉଠୁଥିଲା ଚତୁର୍ଦ୍ଦିଗରେ, ତାଙ୍କ ବାଣୀ ଶୁଣାଯାଉଥିଲା ବଣ ଜଙ୍ଗଲର ମର୍ମରିତ ଧ୍ଵନିରେ । ତାଙ୍କରି ପଣତକାନି ପରି ଦିଶୁଥିଲା ଦିନର ଆକାଶ ।

 

ବିଶେଇ ହାଟରେ ପୂର୍ଣ୍ଣନନା ଦୋକାନରୁ ପାଣି ଗିଲାସେ ପିଇବାବେଳେ ଜଣେ ପଚାରିଲା–ଏତେ ତରତର ଯେ…କେଉଁଠୁ ଆସୁଛ, କେଉଁଠାକୁ ଯାଉଛ ? ତା’ ମୁହଁକୁ ଭଲଭାବେ ଦେଖିନେଇ କହିଲା ଶଙ୍କର–ମା’ ବେମାର…ହାତରେ ସମୟ ଅଳ୍ପ…ଜଲ୍‍ଦି ପହଞ୍ଚିବାକୁ ହେବ ଘରେ ।

 

ଏଇ ଉତ୍ତର ଶୁଣି ଲୋକଟା ସନ୍ତୁଷ୍ଟ ହୋଇ ଚାଲିଗଲା ଥାନା ଆଡ଼କୁ । ଆଖି ପିଛୁଳାରେ ପାଣିଗ୍ଲାସକ ପିଇଦେଇ ସାଇକେଲ୍ ଉପରକୁ କୁଦିପଡ଼ି ପେଡ଼ାଲ୍ ଘୂରାଇଲା ଶଙ୍କର ।

 

ଗାୟତ୍ରୀ ମନେପଡ଼ିଲା । ସେ କ’ଣ କରୁଥିବ ଏବେ ? ସେ ଲେଖିଥିବା ଚିଠି ପୁଲିସ୍ ହାତରେ ପଡ଼ିବା ପରେ ବିଚାରି ନିଜକୁ ହୁଏତ ଦୋଷୀ ମଣୁଥିବ । ପଣ୍ଡିତ ମହାଶୟଙ୍କ ପରିବାର ରାତାରାତି ପୁଲିସର ଶରବ୍ୟ ହୋଇଉଠିଥିବେ ତା’ ପରି ଜଣେ ବିପ୍ଲବୀ ସହିତ ସମ୍ପର୍କ ରଖିଥିବାରୁ-। ତେବେ ଗାୟତ୍ରୀ ସେପରି ଝିଅ ନୁହେଁ, ଭାଙ୍ଗିଯିବ ପଛେ ନଇଁବ ନାହିଁ । ଗୋପୀବଲ୍ଲଭପୁରରେ ବାନରସେନାର ନେତ୍ରୀ ସେ । ସାଙ୍ଗମାନଙ୍କ ସହିତ ପ୍ରତି ସନ୍ଧ୍ୟାରେ ଦେଶାତ୍ମବୋଧକ ସଙ୍ଗୀତ ଗାଇ ଗାଇ ଦାଣ୍ଡର ଏମୁଣ୍ଡରୁ ସେମୁଣ୍ଡ ବୁଲିବା ତା’ର ଦୈନନ୍ଦିନ କାମ ।

 

ତା’ର ମନରେ ଗାୟତ୍ରୀ ପାଇଁ ଏତେ ଜାଗା ଖାଲିଥିଲା ବୋଲି ଶଙ୍କର ଆଗରୁ କେବେ ଅନୁଭବ କରିନଥିଲା । ସମୟ ବି ନଥିଲା ତା’ କଥା ଭାବିବା ପାଇଁ । ସଦାବେଳେ ଜନ୍ମେଜୟଙ୍କ ଉପଦେଶ ମନକୁ ଆକଟ କରୁଥିଲା । ମନେପଡ଼ିଯାଉଥିଲା ତାଙ୍କ ଉପଦେଶ–ପ୍ରେମ, ବିବାହ, ପରିବାର ବିଷୟ ଭାବିବା ପାଇଁ ଏବେ ସମୟ ନୁହଁ ରେ ଶଙ୍କର, ବିପ୍ଳବୀର କାମ ଏତେ ବଡ଼ ଏବଂ ଜୀବନ ଏଡ଼େ ଛୋଟ ଯେ ଏସବୁ ପ୍ରବଣତାପାଇଁ ସମୟ ମିଳେନା । ତା’ପରେ ଦେଶ ପରାଧୀନ ଥିବା ପର୍ଯ୍ୟନ୍ତ, ବିଦେଶୀ ଶାସକଦ୍ଵାରା ଭାରତଜନନୀ ବନ୍ଦିନୀଥିବା ଯାଏଁ ଦେଶର ମୁକ୍ତି ବିଷୟ ଛାଡ଼ି ଆଉ କିଛି ଭାବିବା ଅନ୍ୟାୟ, ବିପ୍ଳବର ପରିପନ୍ଥୀ ।

 

ଜନ୍ମେଜୟ ତା’ ଆଗରେ ଆଦର୍ଶ ହୋଇ ରହିଛନ୍ତି । ତାଙ୍କର ଏକମାତ୍ର ଲକ୍ଷ୍ୟ ଭାରତର ମୁକ୍ତି । ତାଙ୍କର ଅଭିଭାଜ୍ୟ ଆନୁଗତ୍ୟ କେବଳ ଭାରତ ଜନନୀ ପ୍ରତି । ସେଇ ଜନନୀ ଜନ୍ମଭୂମି ସ୍ଵର୍ଗଠାରୁ ବି ଗରୀୟାନ୍ । ଜନ୍ମେଜୟଙ୍କ ପ୍ରତି ସମବେଦନାରେ ମନ ଭିତରଟା ଭରିଗଲା । ମା’, ବାପା, ଭାଇଭଉଣୀ, ଆତ୍ମୀୟମାନଙ୍କୁ ଛାଡ଼ି ଆଦ୍ୟ ଯୌବନରେ ଯେ ଯୋଗଦେଲେ ଦେଶର ମୁକ୍ତିସଂଗ୍ରାମରେ । ବାହାହେବା ପାଇଁ ସମୟ ନଥିଲା ତାଙ୍କର । ଥରେ କଥାପ୍ରସଙ୍ଗରେ ସେ କହୁଥିବାର ଶୁଣିଛି–ମୋ ଜୀବନ ଏକ ଖୋଲା ବହି ପରି । ମାଷ୍ଟର ମହାଶୟ ସୁଲେମାନ୍ ଶେଠ୍‍ର ଝିଅ କରବୀ ସହିତ ମୋର ସମ୍ପର୍କ ନେଇ ଅନେକ ପ୍ରଶ୍ନ କରନ୍ତି; କିନ୍ତୁ ମୁଁ ବାରମ୍ବାର କହିଛି ଯେ ବିପ୍ଳବୀର ଭାଗ୍ୟରେ ପ୍ରେମ ଗୌଣ, ପାରିବାରିକ ଜୀବନ ତୁଚ୍ଛ–ସେ କେବଳ ସ୍ଵପ୍ନ ଦେଖେ ମୁକ୍ତିର, ନିଜକୁ ତିଳ ତିଳ ଉତ୍ସର୍ଗ କରେ ଦେଶର ମୁକ୍ତିପାଇଁ । କରବୀ ମୋର ସାଥୀ, ତା’ ପ୍ରତି ଅନେକ ଶୁଭେଚ୍ଛା; କିନ୍ତୁ କାଳେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ମୁକ୍ତିସଂଗ୍ରାମର ଅନ୍ତରାୟ ହୋଇପାରେ ଏଥିପାଇଁ ଆମେ ସ୍ଵଇଚ୍ଛାରେ ଅଲଗା ହୋଇଯାଇଛୁ… ଏବେ ବି ଆମେ ଅଲଗା । ସେ ହୁଏତ ଜାଣେନି ମୁଁ କେଉଁଠି, ମୁଁ ସେପରି ତା’ ସମ୍ବନ୍ଧରେ ଅଜ୍ଞ ।

 

ଗାୟତ୍ରୀକୁ ସେଇ କଥା କହିଥିଲା ଶଙ୍କର; କିନ୍ତୁ ଗାୟତ୍ରୀ କହିଥିଲା ଯେ ସ୍ତ୍ରୀ ମୁକ୍ତିସଂଗ୍ରାମରେ ଅନ୍ତରାୟ ବୋଲି ଭାବ କାହିଁକି । ସେ ଯଦି ସହଧର୍ମିଣୀ ହୁଏ ତେବେ ତାହା ସ୍ଵୀକାର ନକରିବ କାହିଁକି ?

 

ଜନ୍ମେଜୟ କହନ୍ତି–ଏସବୁ କଥାର କଥା । ମଣିଷର ଦୈହିକ ଆବଶ୍ୟକତା ନିଶାଗ୍ରସ୍ତ କରେ ତାକୁ ସେଥିରୁ ସହଜରେ ମୁକ୍ତି ମିଳେନା । ଦେଶର ମୁକ୍ତିସଂଗ୍ରାମ ଚାଲିଥିବାବେଳେ ସୈନିକ ଆଉ ଗୋଟେ ବନ୍ଧନରେ ବାନ୍ଧିହେବ କାହିଁକି । ଶଙ୍କର ଝୁଣ୍ଟିପଡ଼େ ଭାବନା ରାଜ୍ୟରେ ।

 

ବାଙ୍ଗିରିପୋଷି ଘାଟି ପାର ହେବାବେଳେ ଠାକୁରାଣୀଙ୍କ ସ୍ଥାନରେ ମିନିଟିଏ ଛିଡ଼ାହୋଇ ପ୍ରଣାମ କଲା ଶଙ୍କର । ଖ୍ୟାତି ଅଛି ଏ ସ୍ଥାନର । ଯିଏ ଏଇ ରାସ୍ତାରେ ଯାଏ ସେ ଠାକୁରାଣୀଙ୍କୁ ପ୍ରଣାମ ନକଲେ ପ୍ରମାଦ ପଡ଼େ ବୋଲି ପ୍ରବାଦ ଅଛି । ମାଆଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରି ମଥାରେ ସିନ୍ଦୂର ଲଗାଇ ପୁଣି ସାଇକେଲ ଉପରକୁ ଉଠିଲା ଶଙ୍କର । ଗଡ଼ାଣିଆ ପଥ । ପେଡ଼ାଲ୍ ଉପରେ ପାଦ ରଖିବା କ୍ଷଣି ଚକ ଗଡ଼ିଗଲା ଆଗକୁ । ଛନାକା ପଶିଯାଏ ଛାତିରେ । ଘାଣ୍ଟି ହେଉଥାଏ ଅନ୍ତଃସ୍ଥଳ । ମା’ଙ୍କ ମୁହଁ ଭାସି ଉଠୁଥାଏ ଆଖି ଆଗରେ ।

 

ବାଙ୍ଗିରିପୋଷି ବଜାର ପାର ହେବା ବେଳେ ଅପ୍ରତ୍ୟାଶିତ ଭାବେ ଦେଖାହୋଇଗଲା ସନ୍ଦୀପନ ସହିତ । ସେ ଶିକ୍ଷକତା କରିବାର ବର୍ଷ ହେଲାଣି । ଛିଡ଼ା ହୋଇଗଲା ଶଙ୍କର ।

 

ସନ୍ଦୀପନ କହିଲା–ଭାଗ୍ୟରେ କି ନଥିଲେ ତୋ ସହିତ ଦେଖାହୁଅନ୍ତା ?

 

–ମା’ ବେମାର, ଖବର ପାଇ ଯାଉଛି ।

 

–କିନ୍ତୁ ଅବସ୍ଥା ଯେ ଗୁରୁତର ଶଙ୍କର । ପୁଲିସ ପଇଁତରା ମାରୁଛି ପ୍ରତି ଛକରେ । ତୁ ଏମିତି ବେପରବାୟ ଭାବେ ଯାଉଛୁ ଯେ…

 

ଶଙ୍କର କହିଲା–ତେବେ ?

 

–ଆ ମୋ ସାଙ୍ଗରେ । ବେଶ ବଦଳାଇନେ । ଧଡ଼ାଙ୍ଗିରି ପାଖରୁ ବାଟ ଭାଙ୍ଗି ବିଲ ରାସ୍ତାରେ ଯିବୁ । ସାଇକେଲ୍ ରଖିଦେଇଯିବୁ କାହା ଘରେ ।

 

ତା’ପରେ ଶଙ୍କରର କାନ ପାଖରେ ମୁହଁ ରଖି ଫିସଫିସ୍ କରି କ’ଣ କହିଲା । ଦୁହେଁ ଗଲେ ଆଉ ଗୋଟେ ଜାଗାକୁ । କୋଠରୀ ଭିତରେ ବେଶ ବଦଳାଇ ବାହାରି ଆସିଲା ବେଳକୁ ସନ୍ଦୀପନ କହିଲା–ତୋତେ ଏ ବେଶରେ ତୋ ମା’ ବି ହୁଏତ ଚିହ୍ନି ପାରିବେ ନାହିଁ ।

 

ଶଙ୍କର ଆଉ ବିଳମ୍ବ ନକରି ବନ୍ଧୁଠାରୁ ବିଦାୟ ନେଇ ସାଇକେଲ୍ ଛାଡ଼ିଲା ଶୀଘ୍ର ପହଞ୍ଚିବା ପାଇଁ । ପଥୁରୀ ପାର ହେବା ବେଳେ କେତେଜଣ ଚିହ୍ନା ଲୋକଙ୍କୁ ଦେଖିଲା ସେ, ସେମାନେ କିନ୍ତୁ ତାକୁ ଚିହ୍ନି ପାରିଲେ ନାହିଁ । ତା’ପରେ ନିଦକ ହୋଇ ସେ ପେଡ଼ାଲ୍ ଘୂରାଇଲା ଆହୁରି ଜୋରରେ ।

 

ଧଡ଼ାଙ୍ଗିରର କାର୍ତ୍ତିକ ବିଶ୍ଵନାଥଙ୍କର ବନ୍ଧୁ । ତାଙ୍କରି ଘରେ ସାଇକେଲ୍ ରଖି ବିଲେ ବିଲେ ଚାଲିଲା ଶଙ୍କର; କିନ୍ତୁ ଗୁହୁଳା ସାହି ଭିତରକୁ ନପଶି ବାହାରେ ଚାଲିଯିବାବେଳେ ହୁରୁଷୀକୁ ସେଇ ବାଟ ଦେଇ ଆସୁଥିବାର ଦେଖି ସେ ଚମକିପଡ଼ିଲା । ବାଟଭାଙ୍ଗି ଲୁଚିଯିବାର ମଧ୍ୟ ଉପାୟ ନଥିଲା । ମନେ ମନେ ଭୁବନେଶ୍ଵରୀଙ୍କ ନାମ ସ୍ମରଣ କଲା ଶଙ୍କର ସଙ୍କଟରୁ ମୁକୁଳିବା ପାଇଁ । ସତକୁ ସତ ହୁରୁଷୀ ତା’ ମୁହଁକୁ ଚାହିଁଲା ସିନା କିନ୍ତୁ ଚିହ୍ନିପାରିଲା ନାହିଁ । ସେ ମନକୁ ମନ କହିବାର ଶୁଣିଲା ଶଙ୍କର–ଶଳା ମାଇଚିଆ ପରି ଦିଶୁଛି । ଶଙ୍କର ମନେ ମନେ ହସିଲା ।

 

କେହି କୁଆଡ଼େ ନଥିଲେ; କିନ୍ତୁ କିଛି ବାଟ ଯିବା ପରେ ଅଶ୍ଵତ୍‍ଥ ଗଛ ପାଖରେ ମହନି କଲିଆ ଭୁସ୍‍କିନା ବାହାରିପଡ଼ି କହିଲା–ତୁ କିଏରେ ପୁଅ, ତୋତେ କେବେ ଦେଖିଲା ପରି ତ ମନେ ହେଉନି ?

 

ଅଡ଼ୁଆରେ ପଡ଼ିଗଲା ଶଙ୍କର । ସେ ବୁଢ଼ାର କାନ ପାଖରେ କହିଲା–ଘରକୁ ଚାଲ…ଖବର ଅଛି । ମହନିବୁଢ଼ା ତା’ ମୁହଁକୁ ବଲବଲ କରି ଅନାଇଲେ ଘଡ଼ିଏ । ଚିହ୍ନା ଚିହ୍ନା ମିଠା ସ୍ଵର । କ’ଣ ଭାବିଲା କେଜାଣି କହିଲ–ହଉ ଚାଲ ଚାଲ…

 

ଘର ଭିତରେ ମହନିକୁ ନମସ୍କାର କରି ଧୀରେ ଧୀରେ କହିଲା ଶଙ୍କର–ଚିହ୍ନିପାରୁନ ଦଦେଇ ? ମହନିବୁଢ଼ା ବୋକା ପରି କେବଳ ଅନାଇ ରହିଲା, ଆଗନ୍ତୁକକୁ ଠାବ କରିପାରିଲା ନାହିଁ-। ଆହୁରି ପାଖକୁ ଲାଗିଯାଇ କହିଲା ଶଙ୍କର–ମୁଁ ପରା ଶଙ୍କର…ଚିହ୍ନିପାରୁନ ?

 

ବିସ୍ମୟ ଓ ଆନନ୍ଦରେ ମହନିବୁଢ଼ାର ପାକୁଆ ପାଟିରେ ମେଲିଗଲା ଅନାବିଳ ହସ ଏ ପାଖରୁ ସେ ପାଖ ପର୍ଯ୍ୟନ୍ତ । ଶଙ୍କରକୁ କୁଣ୍ଢାଇ ପକେଇ କହିଲା–କୋଉଠି ଥିଲୁ ଏତେ ଦିନ । ଏଣେ ତୋ’ ମା’ ଅବସ୍ଥା ଯେ ଶୋଚନୀୟ ହେଲାଣିରେ ପୁଅ...ତୋତେ ଚାହିଁ ଦିନ ଗଣୁଛନ୍ତି ।

 

ମହନି କଲିଆର ଆଖି ବାଷ୍ପାଚ୍ଛନ୍ନ ହୋଇଆସିଲା । ଶଙ୍କର ସଂକ୍ଷିପ୍ତରେ ସୂଚନା ଦେଇ କହିଲା–ଖବର ପାଇ ଦଉଡ଼ି ଆସିଛି ଦଦେଇ…ଶୁଣିଲି ପୁଲିସ୍ ନିଘା କରିଛି ଘର ଉପରେ ।

 

–ହଁ ପୁଲିସ ନିଘା କରିଛି । ସବୁ ନାଟର ମୂଳ ଏଇ ହୁରୁଷୀ । ତୁ ମୋ କଥା ମାନ…ଆଉ ଏ ବେଶରେ ଯାଆନା । ପୁରୁଷ ଲୋକ ଘରକୁ ଆସିଲେ ସମସ୍ତଙ୍କର ନଜର ଲାଗିବ । ବେଳ ରତ ରତ…ଆଉଟିକେ ପରେ ସନ୍ଧ୍ୟା…ବରଂ କିଛି ସମୟ ରହିଯା’ ଏଠାରେ । ରାତିହେଲେ ଝିଅ ବେଶ ହୋଇ ଦାଣ୍ଡେ ଦାଣ୍ଡେ ଚାଲିଗଲେ ବି କେହି ସନ୍ଦେହ କରିବେ ନାହିଁ ।

 

ସେଇ କଥା ମାନିଲା ଶଙ୍କର । ରାତି ଘଡ଼ିଏ ହେବାରୁ ବେଶ ବଦଳାଇ ସେ ଯେତେବେଳେ ଦାଣ୍ଡକୁ ଆସିଲା ସମସ୍ତେ ଭାବିଲେ ମହନି କଲିଆର ସାନଝିଅ । ଶଙ୍କର ଅକ୍ଳେଶରେ ଘର ଭିତରକୁ ଚାଲିଗଲା ।

 

ପାର୍ବତୀ ଖଟ ସହିତ ଲାଗିଗଲା ପରି ଦିଶୁଥିଲେ । ବୈଶାଖ ମାସର ଶୁଖିଲା ନଈ ଧାର ପରି ସେ ପଡ଼ି ରହିଥିଲେ । ତାଙ୍କର ସେ ଅବସ୍ଥା ଦେଖି ଦଣ୍ଡେ ସ୍ତବ୍‍ଧ ହୋଇଗଲା ଶଙ୍କର । ତା’ପରେ ତାଙ୍କର । ତା’ପରେ ତାଙ୍କର ପାଦ ଯୋଡ଼ିକ ଛାତି ଉପରେ ଜାକି ଶାନ୍ତ କୋମଳ ସ୍ଵରରେ କହିଲା–ମା’…

 

ଏଇ ଗୋଟିକ ଶବ୍ଦ ଶୁଣିବା ପାଇଁ ଅପେକ୍ଷା କରୁଥିଲେ ପାର୍ବତୀ । ଜଗତର ସବୁ ଜନନୀ ଏଇ ଶବ୍ଦ ଶୁଣିବା ପାଇଁ ଆକୁଳ ହୁଅନ୍ତି ପ୍ରତିକ୍ଷଣ । ବହୁ ଦୂରରୁ ଯେପରି ସେଇ ଶବ୍ଦ ଭାସି ଆସୁଛି । ପ୍ରଥମ ବର୍ଷାର ଶବ୍ଦ ବାରି ଉତ୍‍କର୍ଣ୍ଣ ହୋଇ ଧରଣୀ ଆଖି ମେଲିବା ପରି ସେଇ ମଧୁର ଶବ୍ଦ ଶୁଣି ଆଖି ଖୋଲିଲେ ପାର୍ବତୀ । ଅଧର କମ୍ପିଉଠିଲା । ଶୀର୍ଣ୍ଣ ମୁହଁରେ ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ, ଆଖିରେ ଦୃଶ୍ୟ ନ ହେଲେ ବି ଅନୁଭବ କଲା ଭଳି, ସୂକ୍ଷ୍ମ ତରଙ୍ଗଟିଏ ସଞ୍ଚରିଗଲା ଠିକ୍ ଯେମିତି ଆବଦ୍ଧ ପୁଷ୍କରିଣୀର ନିଶ୍ଚଳ ପାଣି ଉପରେ କୂଳରେ ଥିବା ଆମ୍ବ ଗଛର ଫଳଟିଏ ପଡ଼ିଲେ ତରଙ୍ଗ ସଞ୍ଚରିଯାଏ ଏକୂଳରୁ ସେ କୂଳ ପର୍ଯ୍ୟନ୍ତ ।

 

ଶୀର୍ଣ୍ଣ ହାତ ଦୁଇଟି ପ୍ରସାରିତ କଲେ ପାର୍ବତୀ । ପୁଅକୁ ଚିହ୍ନିବା ପାଇଁ ମୁହୂର୍ତ୍ତେ ବି ବିଳମ୍ବ ହେଲାନି । ଶଙ୍କର ତାଙ୍କର ଦୁର୍ବଳ ବକ୍ଷ ଉପରେ ମୁହଁ ଥାପି ଆଉଥରେ ଡାକିଲା–ମା’ ! ପାର୍ବତୀଙ୍କ ମୁହଁରୁ ଅମୃତର ଧାର ବୋହିଆସିଲା ଅବାରିତ ଅକୁଣ୍ଠିତ ଭାବରେ । ଯାହାକୁ ଏତେ ଦିନ ଅପେକ୍ଷା କରିଥିଲେ ସେ ଫେରି ଆସିଛି; କିନ୍ତୁ ସେ ତ ଆସିଲେ ନାହିଁ ? ମନକୁ ମନ ପଚାରିଲେ ପାର୍ବତୀ ।

 

ମା’ ଛାତିର ସ୍ପନ୍ଦନରୁ ଶଙ୍କର ବୁଝିପାରିଲା ସେ ଭାଷା । ସେ ଅନୁଚ୍ଚ ସ୍ଵରରେ କହିଲା–ବାପା ଅଜ୍ଞାତବାସରେ ମା’ ଜନ୍ମେଜୟଙ୍କ ସହିତ ।

 

ପାର୍ବତୀ ଭାବିଲେ ଆଉ ବୋଧହୁଏ ଏ ଜନ୍ମରେ ଦେଖାହେବ ନାହିଁ । ହେଲେ ପୁଅକୁ କିଛି କହିଲେ ନାହିଁ, ବରଂ ତା’ ମଥା ଉପରେ ହାତ ରଖି କହିଲେ–କେଡ଼େ ଶୁଖିଯାଇଛୁ । ଦେହ ଭଲ ଅଛି ତ ବାପା ?

 

ଶଙ୍କର ମା’ ମୁହଁକୁ ଅନାଇଲା । ଗଭୀର ସମୁଦ୍ରର ଶହେତାଳ ପାଣି ଭିତରେ ରତ୍ନ ଖୋଜିବା ଭଳି ସେ ହାତ ବୁଲାଇ ଆଣିଲା ତାଙ୍କ ମୁହଁ ଉପରେ ।

 

ପାର୍ବତୀ ବଡ଼ ଝିଅକୁ ସଂକେତ ଦେଇ କହିଲେ–କେତେବେଳୁ ଆସିଲାଣି, ଭୋକ କରୁଥିବ, ତାକୁ ଆଗେ ଖାଇବାକୁ ଦେ ।

 

ଭାଷା ଚାଲିଯାଉଥିଲା, କିନ୍ତୁ ତାକୁ ଅଟକାଇନେଇ କହିଲା ଶଙ୍କର–ତୁ ବ୍ୟସ୍ତ ହନା ନାନୀ…ମୁଁ ଯାଉଛି…ତା’ ଆଗରୁ ଦାଣ୍ଡ କବାଟ ବନ୍ଦ କରିଆ । ବାହାରେ ଆଉ କେହି ଅଛି କି ନା ସତର୍କତାର ସହିତ ଦେଖି ଆ । ଭାଷା ଚାଲିଗଲା ।

 

ମା’ଙ୍କ ପାଦ ଉପରେ ହାତ ବୁଲାଇ ଭାବୁଥିଲା ଶଙ୍କର–ଏଇ ଶୀର୍ଣ୍ଣ ରୁଗ୍‍ଣ ପାଦ ଦୁଇଟି ସଂସାରର ଏତେ ଦାୟଦାୟିତ୍ଵ କିପରି ବହନ କରେ । ଏଇ ଜରାଜୀର୍ଣ୍ଣ କାନ୍ଧ ଏତେ ଭାର କିପରି ନିଏ ?

 

ପାର୍ବତୀ କହିଲେ–ତୁ ଲୁଗା ବଦଳାଇନେ ବାପା । ଆଉ ଭୟ ନାହିଁ ।

 

ସେ ଆସିବାବେଳୁ ମା’ କେବଳ ତାହାରି ସୁଖ ସୁବିଧା ନେଇ ବ୍ୟସ୍ତ ହେଉଥିବା ଦେଖି ନିଜ ପାଖରେ ଲାଜେଇଗଲା ଶଙ୍କର । ସେ ଆଶ୍ଵାସନା ଦେବାଭଳି କହିଲା–ସବୁ ଠିକ୍ ହୋଇଯିବ ମା’…ତମେ ଅନେକ କଷ୍ଟ ସହିଲ । ମୁଁ ଅବାଧ୍ୟ ହୋଇନଥିଲେ ତମର ସେବା କରିଥାନ୍ତି । ମୋତେ କ୍ଷମା କରିଦିଅ ମା’ !

 

ପାର୍ବତୀ ତା’ ଚିବୁକ ଧରି କହିଲେ–ଛି, ବାୟାଟା, ଏମିତି କହନ୍ତି । ତୁ କେତେ ବଡ଼ କାମ ହାତକୁ ନେଇଛୁ । ଗୋଟେ ମା’ କୁ ନଦେଖି ପାରିଲୁ ନାହିଁ, କୋଟିଏ ମା’କୁ ଆଦରି ନେଇ ପାରିଛୁ । ତୁ ମୋ ସୁନାପୁଅ… ତୋ ପାଇଁ ଏ ଯାଏଁ ଏ ପିଣ୍ଡରୁ ପ୍ରାଣ ଯାଉନଥିଲା ।

 

ତାଙ୍କ କଥା ଶୁଣି ବିହ୍ଵଳ ହୋଇଗଲା ଶଙ୍କର । ଲୁଗା ବଦଳାଇ ତାଙ୍କରି ପାଖରେ ବସି ଜଳଖିଆ ଖାଇଲା ।

 

ବଡ଼ ଝିଅକୁ ପାଖକୁ ଡାକି କହିଲେ ପାର୍ବତୀ–ପୋସ୍ତ ଟିକେ ପଡ଼ିଛି…ଯା’ ରସୁଣ ଦେଇ ପଡ଼ୁଆ କରିଦେ… ବାୟାଟା ଭଲପାଏ ପୋସ୍ତପଡ଼ୁଆ ।

 

ଶଙ୍କର ଆଖି ପୋଛିଲା । ଏଇ ମା’ କିନ୍ତୁ ଚିରକାଳ ରହିବେ ନାହିଁ । ତା’ର ଆଶଙ୍କା ସତ୍ୟରେ ପରିଣତ କରି ସେଇ ରାତି କୁଆଁତାରା ଉଠିବାବେଳକୁ ପୁଅ ହାତରୁ ଗଙ୍ଗାଜଳ ଟୋପେ ପିଇ ଭାଗବତ ଶୁଣୁଥିବା ବେଳେ ଶେଷ ନିଶ୍ଵାସ ତ୍ୟାଗକଲେ ପାର୍ବତୀ ।

 

[ ୨୪ ]

 

ଚାନ୍ଦିପୁରରେ ଥିବାବେଳେ ଦେଶ ବିଦେଶର ସବୁ ଖବର ପାଉଥିଲେ ଜନ୍ମେଜୟ । ହିଟ୍‍ଲରଙ୍କ ନାଜୀ ସୈନ୍ୟ ସବୁ ରଣକ୍ଷେତ୍ରରୁ ପଛକୁ ହଟୁଥିବା ଖବର ଆସୁଥିଲା ପ୍ରାୟ ପ୍ରତିଦିନ । ପୂର୍ବରଣାଙ୍ଗନରେ ଜାପାନୀମାନେ ପରାଜୟ ଆଶଙ୍କାକରି ପଛଘୁଞ୍ଚା ଦେଉଥିବାର ଖବର ମଧ୍ୟ ମଝିରେ ମଝିରେ ପାଉଥିଲେ ସେମାନେ; କିନ୍ତୁ ଆଜାଦ ହିନ୍ଦ୍ ଫଉଜ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ବନ୍ଧରେ ରେଡ଼ିଓରୁ ଯାହା ଶୁଣୁଥିଲେ ସେସବୁ ଅତିରଞ୍ଜିତ ପରି ମନେ କରୁଥିଲେ ଜନ୍ମେଜୟ । କୋହିମାଠାରେ ଆଜାଦ୍ ହିନ୍ଦ୍ ଫଉଜ୍ ଗୁପ୍ତ ରେଡ଼ିଓ ଷ୍ଟେସନ ସ୍ଥାପନ କରିଥିଲେ । ସେଠାରୁ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ପୂର୍ବରଣାଙ୍ଗନର ସମ୍ବାଦ ଭାରତର ଜନଗଣଙ୍କ ଉଦ୍ଦେଶ୍ୟରେ ନିୟମିତ ଭାବେ ଦିଆଯାଉଥିଲା; କିନ୍ତୁ ସାତଦିନ ହେବ କୋହିମା ରେଡ଼ିଓରୁ ଆଉ କୌଣସି ଖବର ଶୁଣିବାକୁ ନପାଇ ସେଠାରେ କୌଣସି ଅଘଟଣ ଘଟିଥିବା ଆଶଙ୍କା କରୁଥିଲେ ଜନ୍ମେଜୟ ।

 

ଆଜାଦ୍ ହିନ୍ଦ୍ ଫଉଜ ପ୍ରଥମ ଆକ୍ରମଣର ତେଜ କିଛିଦିନ ଜୀବିତ ରଖିବା ପରେ ଜାପାନୀମାନଙ୍କଠାରୁ ପ୍ରତ୍ୟାଶିତ ସହାୟତା ନପାଇ ଆଉ ଆଗକୁ ନଯାଇ ଦଖଲ କରିଥିବା ସ୍ଥାନରେ ଦୃଢ଼ ରହିବା ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଥିଲା । ଏପରି ଅବସ୍ଥାରେ ତାହାହିଁ ଏକମାତ୍ର ବିକଳ୍ପ ବୋଲି ଧରିନେଇଥିଲେ ଜନ୍ମେଜୟ । କିନ୍ତୁ ଆଜାଦ ହିନ୍ଦ୍‍ ଫଉଜର ବୀର ସୈନିକମାନଙ୍କର ନିରାପତ୍ତା ଏବଂ ନେତାଜୀଙ୍କ ଅବସ୍ଥାନ ସମ୍ବନ୍ଧରେ ପ୍ରମାଣଯୋଗ୍ୟ ତଥ୍ୟ ମିଳୁନଥିବା ଉଦବେଗର କାରଣ ଥିଲା ।

 

ନିଜକୁ ପ୍ରସନ୍ନ ରଖିବା ପାଇଁ ଚେଷ୍ଟା କରି ମଧ୍ୟ ପାରୁନଥିଲେ ଜନ୍ମେଜୟ । ମଥା ଭାରି ଭାରି ଲାଗୁଥିଲା ଏବଂ ମନ ପ୍ରଫୁଲ୍ଲ ନହୋଇ ବିଷଣ୍ଣ ରହୁଥିଲା । ଭୁଲିଯାଇଥିବା ପ୍ରସଙ୍ଗ ସବୁ ଭସ୍ମାଚ୍ଛାଦିତ ବହ୍ନିପରି ପଡ଼ିରହିଥିଲା ମନର କେଉଁ ଗୋପନ କୋଣରେ ।

 

ବହୁବର୍ଷ ପରେ ପୁଣି ବାରମ୍ବାର ମନେପଡ଼ୁଥିଲା କରବୀ । ପଚିଶ ବର୍ଷ ପୂର୍ବର ସେଇ ଶେଷଦୃଶ୍ୟ ଚାନ୍ଦିପୁର ସମୁଦ୍ର ବକ୍ଷରେ ଭାସୁଥିବା ନୌକାପରି ଭାସିଉଠିଲା ମନରେ । ହୁଏତ ବନ୍ଦରରେ ନଙ୍ଗର ପକାଇନପାରି ଆଶ୍ରୟ ଆଶାରେ ଅପେକ୍ଷା କରୁଥିବା ବେଳେ ଝଡ଼ତୋଫାନରେ ନୌକା ଯେପରି ଭାସିଯାଏ ଥଳକୂଳ ନପାଇ ଠିକ୍ ସେହିପରି ଜୀବନ ସଂଗ୍ରାମରେ ଥଳକୂଳ ନପାଇ ଭାସିବୁଲୁଥିବ କରବୀ ।

 

ଦୀର୍ଘଶ୍ଵାସ ବାହାରିଗଲା । ଜନ୍ମେଜୟ ଭୟ କରୁଥିଲେ ସେଇ ଦୃଶ୍ୟ ଦେଖିବାପାଇଁ, ସେଇ ସ୍ଵର ମନେ ପକାଇବାପାଇଁ । କରବୀ ପାଖରୁ ବିଦାୟ ନେବାବେଳେ ଜନ୍ମେଜୟ ଯାହା କହିଥିଲେ ଭୁଲିଯାଇଥିବା ସେଇ ଶବ୍ଦ ହଠାତ୍ ସମୁଦ୍ର ଭିତରୁ ଭାସିଆସିଥିବା ଶାମୁକା ପରି ମନର କୂଳରେ ଲାଗିଥିଲା; କିନ୍ତୁ ହାତ ଥରୁଥିଲା ଉଠାଇନେବା ପାଇଁ । ମନ ଚାରିପାଖରେ ପର୍ଦ୍ଦା ଟାଣିଦେବାପାଇଁ ତରତର ହେଉଥିଲେ ଜନ୍ମେଜୟ ।

 

ବାହାରେ ବର୍ଷାର ତାଣ୍ଡବ । ଜନମାନବ ଗୃହବନ୍ଦୀ ହୋଇ ରହିଥିବାବେଳେ ସୁଯୋଗ ଦେଖି ଖସିଯିବାଲାଗି ନିଷ୍ପତ୍ତି କରି କହିଲେ ଜନ୍ମେଜୟ–ଏପରି ସୁଯୋଗ ବୋଧହୁଏ ପ୍ରକୃତି ଜାଣିଜାଣି ସୃଷ୍ଟି କରିଛି ମୋ ପାଇଁ । କୁଆ କୋଇଲି ବସାରୁ ବାହାରୁନଥିବା ବେଳେ ମୋତେ ଘର ଛାଡ଼ି ଅଜ୍ଞାତବାସ ପାଇଁ ଯିବାକୁ ପଡ଼ୁଛି କରବୀ । ତୁମକୁ ସହିବାକୁ ହେବ ସବୁ । ଏ ଜନ୍ମରେ ନହେଲେ ମଧ୍ୟ ଯଦି ପୂର୍ବଜନ୍ମ ସତ୍ୟ ହୁଏ ତେବେ ସେତେବେଳ ପାଇଁ ମୁଁ ତୁମକୁ ଅପେକ୍ଷା କରିବି ।

 

କରବୀର ଆଖିରୁ ଝରୁଥିଲା ଧାରାଶ୍ରାବଣର ସ୍ରୋତ । ଅନେକ କିଛି କହିବାର ଥିଲେ ବି କିଛି କରିନପାରି କେବଳ ଜନ୍ମେଜୟଙ୍କ ଶିଥିଳ ହୋଇଆସୁଥିବା ହାତକୁ ଭିଡ଼ିକରି କହିଲା କରବୀ–ତମକୁ ସବୁ ଜନ୍ମରେ ଅପେକ୍ଷା କରିବି । ଦେଶ ଯେତେବେଳେ ମୁକ୍ତ ହେବ, ଭାରତମାତାର ଶୃଙ୍ଖଳ ଖସିପଡ଼ିବ ହାତ ପାଦରୁ ସେତିକିବେଳେ ମୁଁ ବି ଉଠିବି ମାଟିତଳୁ ଉଠୁଥିବା ଦୂର୍ବାଦଳ ପରି । ସେତିକିବେଳେ ଶିର ନୁଆଇଁଦେବି ତମକୁ ସ୍ଵାଗତ କରିବା ପାଇଁ ।

 

ସ୍ଵର ଭାଙ୍ଗିପଡ଼ିଥିଲା କରବୀର । ଭାବପ୍ରବଣତା ବିପ୍ଳବର ପରିପନ୍ଥୀ, ବିପ୍ଳବୀର ଶତ୍ରୁ । ଛାତିକୁ ପଥର କରି ଜନ୍ମେଜୟ ଜୋର୍ କରି ତାଙ୍କ ହାତଟା ଟାଣିନେଇ ସେଦିନ ଝଡ଼ବର୍ଷା ଭିତରେ ମିଳେଇ ଯାଇଥିଲେ ।

 

ଅନେକ ପଥ ଅତିକ୍ରମ କରିବା ପରେ ବର୍ଷାରେ ଜୁଡ଼ୁବୁଡ଼ୁ ହୋଇ ମଧ୍ୟ ସେଦିନ ସାଙ୍ଗରେ ଯେଉଁ ସୁକୁମାର ଅନୁଭବ ଓ ରୋମାଞ୍ଚକର ଉଷ୍ଣତା ନେଇ ଆସିଥିଲେ ଜନ୍ମେଜୟ ତାହା ତାଙ୍କର ଶୀତଳ ଦେହକୁ ବହୁ ସମୟ ଧରି ଉତ୍ତାପ ଯୋଗାଇଥିଲା । ସେଦିନର ସେହି ମହାର୍ଘ ଅନୁଭୂତି ଅନ୍ତର ଭିତରେ ଅଭିମାନରେ ମୁହଁମାଡ଼ି ଶୋଇପଡ଼ିଛି ଦୀର୍ଘ ନିଦରେ । ସେଠାରେ ସ୍ଵପ୍ନରେ ବି ପ୍ରବେଶ କରିବାକୁ ଡର ଲାଗେ ତାଙ୍କୁ । ଭାରତମାତାଙ୍କ ଆଗରେ ମାଷ୍ଟର ମହାଶୟଙ୍କ ଉପସ୍ଥିତିରେ ସେ ଶପଥ ନେଇଥିଲେ ଆତ୍ମୀୟପରିଜନଙ୍କ ସ୍ନେହ ମମତା, ସାଂସାରିକ ସୁଖ ସମ୍ଭୋଗର ଆକର୍ଷଣ, ପ୍ରେମ ଓ ପ୍ରଣୟର ଦୁର୍ବାର ଉଚ୍ଚାଟନରୁ ଦୂରରେ ରହିବେ । ଜୀବନର ସମସ୍ତ ଦୈହିକ ଓ ମାନସିକ ପ୍ରଲୋଭନ ବର୍ଜନ କରି ସମଷ୍ଟିର ସ୍ଵାର୍ଥ, ଜନକଲ୍ୟାଣ ଓ ଗଣମୁକ୍ତି ସକାଶେ ସେ ସମର୍ପିଦେବେ ନିଜକୁ । ଦେଶର ସ୍ଵାର୍ଥ ରକ୍ଷା ପାଇଁ ଆତ୍ମବଳି ଦେବାକୁ ପଛେଇବେ ନାହିଁ । ଏଇ ଶପଥ ନେବାର କେତେ ଦିନପରେ ଦେଖା ହୋଇଥିଲା କରବୀ ସହିତ । ତାକୁ ପରୀକ୍ଷା କରିବା ପାଇଁ ମାଷ୍ଟର ମହାଶୟ ବୋଧହୁଏ ଝିଅ ସହିତ ପରିଚୟ କରାଇ ଦେଇଥିଲେ । ତାଙ୍କରି ଘରେ ବେଳେବେଳେ ରହିଯାଉଥିଲେ ଜନ୍ମେଜୟ । ସେତେବେଳେ ତାଙ୍କୁ ଚର୍ଚ୍ଚା କରିବାର ସମସ୍ତ ଭାର କରବୀ ଉପରେ ପଡ଼ୁଥିଲା । ବିପତ୍ନିକ ମାଷ୍ଟର ମହାଶୟ ଥିଲେ ସଦାଶିବ ପରି ଆତ୍ମଭୋଳା-। ଦେଶ କହିଲେ ପାଗଳ । ଗଣ ପାଇଁ ଧନଜୀବନ ଉତ୍ସର୍ଗ କରିବା ତାଙ୍କ ପକ୍ଷରେ ଥିଲା ଅତି ସାଧାରଣ ଘଟଣା ।

 

କରବୀ ସେତେବେଳେ ଏକାଦଶ ଶ୍ରେଣୀର ଛାତ୍ରୀ । ଆଦ୍ୟ ଯୌବନର ସୌକୁମାର୍ଯ୍ୟ ଓ ମଧୁରତା ଅଙ୍ଗେ ଅଙ୍ଗେ । ବସନ୍ତର ପ୍ରଥମ ଆଗମନ ପରି ଅନିନ୍ଦ୍ୟ, ଅତୁଳନୀୟ । ପ୍ରଥମ ଦର୍ଶନରେ ହିଁ ପରସ୍ପର ନିକଟତର ହୋଇଥିଲେ ଦୁହେଁ । ଅନ୍ତଃସ୍ଥଳରେ ବାଜି ଉଠିଥିଲା ବସନ୍ତ କୋକିଳର ମଧୁର କାକଳି ।

 

ଦିନେ ମାଷ୍ଟର ମହାଶୟ ଜନ୍ମେଜୟଙ୍କୁ ରାତି ଅଧରେ ଉଠାଇ ଡାକିନେଇଥିଲେ ଭାରତମାତାଙ୍କ ମନ୍ଦିରକୁ । ଏତେ ରାତିରେ ମନ୍ଦିରକୁ ଯିବାର କାରଣ ନଜାଣି ଚିର ସଂଶୟରେ ଆନ୍ଦୋଳିତ ହେଉଥିବାବେଳେ ତାଙ୍କୁ ସଂଶୟମୁକ୍ତ କରିବାପାଇଁ କହିଥିଲେ ମାଷ୍ଟର ମହାଶୟ–ଯୌବନର ଧର୍ମ ଏଇଟା । ପରସ୍ପର ପ୍ରତି ଆକର୍ଷଣ ଜନ୍ମିବା ସ୍ଵାଭାବିକ; କିନ୍ତୁ ଗୋଟେ ବଡ଼ କାମ କରିବା ପାଇଁ ଶପଥ ନେଇସାରିଛ ତୁମେ । ସେଇ ଶପଥ ଭାଙ୍ଗିଦେବ ଗୋଟେ ଝିଅର ଆକର୍ଷଣ ଏଡ଼ି ନପାରି ? ସୌଭାଗ୍ୟ ବା ଦୁର୍ଭାଗ୍ୟ ଯେ ସେ ମୋର ଝିଅ । ସାଧାରଣ ସମୟ ହୋଇଥିଲେ କରବୀକୁ ମୁଁ ତୁମ ହାତରେ ଟେକି ଦେଇଥାନ୍ତି ସ୍ଵେଚ୍ଛାରେ; କିନ୍ତୁ ଆମ ସମୟ ସାଧାରଣ ନୁହେଁ–ଅସାଧାରଣ । ନିର୍ଯ୍ୟାତିତ, ନିଷ୍ପେଷିତ ପରାଧୀନ ଜାତିର କେବଳ ଗୋଟିଏ ସଂକଳ୍ପ, ଗୋଟିଏ ଧର୍ମ, ତାହାହେଲା ବିଦେଶୀ ଶାସକକୁ ବହିଷ୍କାର କରି ସ୍ଵରାଜ୍ୟ ସ୍ଥାପନ କରିବା । ସ୍ଵାଧୀନତାଠାରୁ ଆଉ ବଡ଼ ସ୍ଵପ୍ନ ଏଯାଏଁ ଦେଖିନି ମଣିଷ । ସେଇ ସ୍ଵପ୍ନ ସାକାର ହେବା ଆଗରୁ ତୁମେ ଶପଥ ଭାଙ୍ଗିଦେବ ?

 

ସହସା ଜନ୍ମେଜୟ କିଛି କହିପାରି ନଥିଲା । ତଣ୍ଟି ଶୁଖିଯାଇଥିଲା । ଅନେକ କଥା କହିବାକୁ ଇଚ୍ଛା କରି ବି ପଦଟିଏ କହିପାରି ନଥିଲା । ତା’ପରେ ଦୁଆର ଖୋଲି ଭାରତମାତାଙ୍କ ଆଗରେ ତାଙ୍କୁ ଛିଡ଼ା କରାଇ ଗଦ୍‍ଗଦ୍ ସ୍ଵରରେ କହିଥିଲେ ମାଷ୍ଟର ମହାଶୟ ଏଇୟା ବୋଧହୁଏ କରବୀର ନିୟତି । ତଥାପି ମୋର ଦୃଢ଼ ବିଶ୍ଵାସ ଯେ ସେ ନିଜକୁ ଜନନୀ ଜନ୍ମଭୂମିର ପୂଜାବେଦୀରେ ବଳିଦେବାପାଇଁ ପଛେଇ ଯିବ ନାହିଁ । ପାଞ୍ଚବର୍ଷ ବୟସରୁ ସେ ମୋ କୋଳରେ ବଢ଼ି ଆସିଛି । ମୁଁ ତା’ର ମା’ ଆଉ ବାପା । ତମକୁ ତା’ ସଙ୍ଗସୁଖରୁ ନିବୃତ୍ତ କରୁଥିବାରୁ ମୋ ଅନ୍ତର ଭିତରଟା କିପରି ପୋଡ଼ି ଛାରଖାର ହୋଇଯାଉଥିବ ତୁମେ ହୁଏତ ଆଜି ବୁଝି ପାରିବନାହିଁ ଜନ୍ମେଜୟ । ତେବେ ସେଦିନ ହୁଏତ ଆସିବ–ସେତେବେଳେ ଦେଶ ଆଉ ପରାଧୀନ ନଥିବ । ସେ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଅପେକ୍ଷା କରିବା ପରେ ମୁଁ ବାଧା ସୃଷ୍ଟି କରିବି ନାହିଁ; କିନ୍ତୁ ଆଜି ସମୟର ଅନ୍ୟ ଆହ୍ଵାନ । ତମେ ମୋତେ ଜବାବ ଦିଅ ଜନ୍ମେଜୟ…ଚୁପ୍ ହୋଇ ରହିଲେ ଚଳିବ ନାହିଁ ।

 

ଜନ୍ମେଜୟଙ୍କର ମନେପଡ଼ୁଥିଲା ସବୁ । ସେ ଭାରତମାତାଙ୍କୁ ପ୍ରଣାମ କରି କହିଥିଲେ–ସଂକଳ୍ପ ନେଇ ସାରିଛି ମାଷ୍ଟର ମହାଶୟ, ଭାଙ୍ଗିବା ପ୍ରଶ୍ନ ଉଠୁନି । ମୁଁ ଶପଥ ରକ୍ଷା କରିବି ।

 

ତାଙ୍କ ମଥା ଆଉଁସି ଆଶୀର୍ବାଦ କରିଥିଲେ ମାଷ୍ଟର ମହାଶୟ; କିନ୍ତୁ ମନ୍ଦିର ଭିତରୁ ବାହାରି ଆସିବା ପରେ ତାଙ୍କ ସହିତ ଆଉ ପଦେ ବି କଥା ନକହି ନିଜ କୋଠରି ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ ସେ । ଆଉ ପଦେ କଥା କହିବା ପାଇଁ ବା ଶୁଣିବା ପାଇଁ ଇଚ୍ଛା ନଥିଲା ତାଙ୍କର । ସେଇଦିନୁ ବ୍ରତ ପାଳନ କରି ଆସୁଛନ୍ତି ଆଜି ପର୍ଯ୍ୟନ୍ତ । କରବୀ ଦ୍ଵାର ମୁହଁରେ ଅପେକ୍ଷା କରିଥିଲା । କିଛି କହିବା ଦୂରେ ଥାଉ ସେ ତାକୁ ନଦେଖିବା ପରି କୋଠରୀ ଭିତରକୁ ପଶିଯାଇଥିଲେ । ମାଷ୍ଟର ମହାଶୟ ସେଇ ଯନ୍ତ୍ରଣାକାତର ଅସହାୟତାକୁ କେବଳ ନିଜସ୍ଵ କରି ରଖିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଥିବା ଜାଣିପାରିଥିଲେ ବି କିଛି କହିପାରି ନଥିଲେ । ବରଂ ସମସ୍ତଙ୍କ ଦୃଷ୍ଟିର ଅନ୍ତରାଳରେ ଏକାକୀ ଅଶ୍ରୁ ବିସର୍ଜନ କରିବା ପାଇଁ ନିଜ କୋଠରୀ ଭିତରେ ରହିଯାଇଥିଲେ ମାଷ୍ଟର ମହାଶୟ ।

 

ଆଉ ପରଦିନ ପ୍ରଭାତର ବ୍ୟାୟାମ ସାରି କରବୀ ପାଖରୁ ବିଦାୟ ନେବାର ସିଦ୍ଧାନ୍ତ ଯେତେବେଳେ ଘୋଷଣା କଲେ ଜନ୍ମେଜୟ ସେତେବେଳେ ଝଡ଼ର ପୂର୍ବାଭାସ ପ୍ରସାରିତ ହେଉଥିଲା ନୈରତ କୋଣରେ । ସେଇ ଝଡ଼ ଛିନ୍ନଛତ୍ର କରିଦେଲା ଧରିତ୍ରୀକୁ । ନିଜ ଭିତରେ ଉଠୁଥିବା ତୋଫାନକୁ ଦମନ କରିନପାରି କୋହରେ ସେଦିନ ଭାଙ୍ଗିପଡ଼ିଥିଲା କରବୀ । ତାକୁ କିଛି ସମୟ ସେହିପରି କାନ୍ଦିବାକୁ ଛାଡ଼ିଦେଇଥିଲେ ଜନ୍ମେଜୟ । ତା’ପରେ ଅସ୍ତବ୍ୟସ୍ତ ସର୍ବସଂହା ଧରଣୀ ପରି ସେ ଯେତେବେଳେ ନିଜକୁ ସମ୍ଭାଳି ନେଇ ଛିଡ଼ାହେଲା ଆଗରେ ତାକୁ ସାନ୍ତ୍ଵନା ଦେବା ପାଇଁ ଭାଷାନଥିଲା ତୁଣ୍ଡରେ । କରବୀ ନଇଁପଡ଼ି ତାଙ୍କୁ ନମସ୍କାର କଲା; କିନ୍ତୁ ସେ ତାକୁ ଆଶୀର୍ବାଦ କରିପାରିଲେ ନାହିଁ ।

 

ଜନ୍ମେଜୟ ଅନେକ କହିବା ପାଇଁ ଚାହୁଁଥିଲେ–କିନ୍ତୁ ଶେଷରେ କେବଳ ଏତିକି ତୁଣ୍ଡରୁ ବାହାରିଲା–ଦେଶ ପାଇଁ ଜାତିପାଇଁ ତମେ ବଳିପଡ଼ିଲ କରବୀ; କିନ୍ତୁ ମୋ ହୃଦୟର ସ୍ପନ୍ଦନରେ ତୁମକୁ ମୁଁ ପ୍ରତିକ୍ଷଣ ଅନୁଭବ କରିବି–ଆଉ ଅପେକ୍ଷା କରିବି ଅନନ୍ତ କାଳ । ଯଦି ତମେ ଥାଅ ଭେଟ ହେବ ନିଶ୍ଚୟ ।

 

ସେଇ ସମୟ ବୋଧହୁଏ ଆସିଯାଇଛି । ଜନ୍ମେଜୟ ଛାତି ଭିତରର ଯନ୍ତ୍ରଣା ଚାପି ରଖିବା ପାଇଁ ଯେତେ ଚେଷ୍ଟା କଲେ ବି ପାରୁନଥିଲେ । ତୁହାକୁ ତୁହା କାଶ ଉଠୁଥିଲା ବାଧା ନମାନି-। କଫ ସହିତ ରକ୍ତ ପଡ଼ୁଥିଲା ବାରମ୍ବାର । ତାଙ୍କର ସମୟ ଯେ ଶେଷ ହୋଇଆସୁଛି ତାହା ଅନୁମାନ କରିନେଇଥିଲେ ଜନ୍ମେଜୟ । ହୁଏତ ଗୋଟିଏ ଛୋଟ ଜୀବନର ଏହାହିଁ ଶେଷ ପରିଣତି-। ସ୍ଵାଧୀନତା ଦେଖିଯିବା ପାଇଁ ପରମାୟୁ ନାହିଁ । କରବୀ ଆଜି ମନେପଡ଼ୁଥିଲା ବହୁକାଳ ପରେ । ତାକୁ ଦେଇଥିବା ପ୍ରତିଶ୍ରୁତି ମଦ୍ୟ ଅପୂର୍ଣ୍ଣ ରହିଗଲା । ଏ ଜନ୍ମରେ ଆଉ ଭେଟ ହେବନାହିଁ । ସେ କ’ଣ ତାଙ୍କୁ କ୍ଷମା କରିପାରିବ ।

 

ଜନ୍ମେଜୟ ନିଜ ଭାବନାରେ ବୁଡ଼ିଯାଇଥିଲେ । ବିଶ୍ଵନାଥ କୋଠରୀ ଭୀତରକୁ ପ୍ରବେଶ କରି କହିଲେ–ପୁଲିସର ଲୋକ ଏଠାରେ ପହଞ୍ଚିଗଲାପରି ଲାଗୁଛି । ମୁଁ ମାଛ ନେଇ ଫେରୁଥିବାବେଳେ ଜଣେ କେହି ମୋର ପିଛା କରୁଥିବା ସନ୍ଦେହ କରି ଠିଆହୋଇଗଲି । ସେ ବି ଠିଆହୋଇଗଲା ଏବଂ ଧରାପଡ଼ିବା ଆଗରୁ ମୁହଁ ବୁଲାଇ ହଜିବା ଜିନିଷ ଖୋଜୁଥିବା ପରି ଅଭିନୟ କରି ଆଡ଼ ହୋଇଗଲା ।

 

ଏତେ କଷ୍ଟ ସତ୍ତ୍ଵେ ଜନ୍ମେଜୟଙ୍କ ମୁହଁ ଉପରେ ବଙ୍କା ହସର ରେଖାଟିଏ ଉକୁଟିଉଠିଲା-

ବିଶ୍ଵନାଥ କହିଲେ–ହସୁଛ ଯେ–ବିଶ୍ଵାସ ହେଉନାହିଁ ?

–ବିଶ୍ଵାସ ନକରିବା କାରଣ ନାହିଁ ନନା…ମୁଁ କେବଳ ଭାବୁଛି ଆମ କଥା । ସେ ତ ହଜିବା ଜିନିଷ ପାଇଯିବଣି ଏତେବେଳକୁ । ହୋ ହୋ ହୋଇ ହସିବାକୁ ଯାଇ କିନ୍ତୁ ହସିପାରିଲେନି ଜନ୍ମେଜୟ । କଲିଜା ଚିରି ଦଲକାଏ ରକ୍ତ ବାହାରିଆସିଲା ଏବଂ ଯନ୍ତ୍ରଣାରେ ଥରିଉଠିଲେ ସେ । ତାଙ୍କୁ ଶୁଆଇଦେଇ ଛାତି ଉପର ଆଉଁସି ଦେଇ କହିଲେ ବିଶ୍ଵନାଥ–କବିରାଜଙ୍କୁ ଖବର ଦେଇଛି, ହୁଏତ ଆସୁଥିବେ ।

–କିନ୍ତୁ ଆଉ ଏଇ ଦେହଟା ବୋଲ ମାନିବ ବୋଲି ଲାଗୁନି ନନା ।

–ନିଶ୍ଚୟ ବୋଲ ମାନିବ । ତମେ ଏମିତି ଚାଲିଯାଇ ପାରିବ ନାହିଁ । କାମ ଶେଷ ନକରି କୁଆଡ଼େ ଚାଲିଯିବ ଭାବିଛ ?

ଜନ୍ମେଜୟଙ୍କ ମୁହଁ ଉପରେ ଫୁଟିଉଠିଲା ସେଇ ରହସ୍ୟମୟ ରେଖା । ବୈରାଗୀ ଦଉଡ଼ି ଆସିଲା ଦୁସଃମ୍ବାଦ ନେଇ । ପୁଲିସ ଘେରି ଯାଇଛନ୍ତି ଘର ଚାରିପାଖରେ ।

ନିଜର ଜୀବନ ପ୍ରତି ଭ୍ରୂକ୍ଷେପ ନ କରି ହାତ ବଢ଼ାଇ ତକିଆ ତଳୁ ପିସ୍ତଲଟା ଟାଣି ନେଲେ ଜନ୍ମେଜୟ । ବିଶ୍ଵନାଥ ଚାହିଁ ରହିଲେ ତାଙ୍କର ଦୁର୍ଜୟ ମୁହକୁ । ଜନ୍ମେଜୟ କହିଲେ ପ୍ରାଣ ଥିବା ଯାଏ ମୋତେ ନେଇଯିବେ ଏଡ଼େ ସହଜରେ ?

 

ବିଶ୍ଵନାଥ ଆଜ୍ଞାଧୀନ ଛାତ୍ର ପରି ଅନାଇ ରହିଲେ ପରବର୍ତ୍ତୀ ନିର୍ଦ୍ଦେଶକୁ । କବିରାଜ ପହଞ୍ଚିଗଲେ । ଜନ୍ମେଜୟଙ୍କ ଚିକିତ୍ସା ଆରମ୍ଭ ହୋଇଗଲା ।

 

ପୁଲିସ ଇନିସପେକ୍ଟର ପରାମର୍ଶ କଲେ କବିରାଜଙ୍କ ସହିତ ।

 

କବିରାଜ କହିଲେ–ଅତି ଦୁର୍ବଳ…ନାଡ଼ିର ଗତି ଭଲ ଜଣାପଡ଼ୁନି । ଆଉ ହାତରେ ବେଶୀ ସମୟ ଅଛି ବୋଲି ମନେ ହେଉନି । ଏପରି ଅବସ୍ଥାରେ ତାଙ୍କୁ ଏଠାରୁ ସ୍ଥାନାନ୍ତରିତ କରିବା ସହଜ ନୁହେଁ । ଆଉ ବଳ ପ୍ରୟୋଗ କଲେ କେବଳ ଶବ ବୋହିବା ସାର ହେବ ।

 

ମେଘନାଦ ପଟ୍ଟନାୟକଙ୍କ ନିଶ ଉପରେ ହାତ ବୁଲାଇ କହିଲେ–ହୁଁ…

 

ଘର ଚାରିପାଖେ ପୁଲିସ ପହରା ବ୍ୟବସ୍ଥା କରି ଜନ୍ମେଜୟଙ୍କୁ ସବ୍‍ଇନିସପେକ୍ଟରଙ୍କ ଦାୟିତ୍ଵରେ ରଖି ବାଲେଶ୍ୱର ଫେରିଯିବା ପୂର୍ବରୁ କହିଲେ ମେଘନାଦ ପଟ୍ଟନାୟକ–ପଳେଇଯିବାକୁ ଉଦ୍ୟମ କଲେ କୁକୁର ପରି ଗୁଳି କରିବାକୁ ପଛେଇବେ ନାହିଁ ।

 

ମେଘନାଦବାବୁଙ୍କ ଆଡ଼କୁ ଚାହିଁବା ପାଇଁ କଡ଼ ଲେଉଟାଇଲେ ଜନ୍ମେଜୟ ।

 

କବିରାଜ ଜଗିରହିଲେ । ରୋଗୀର ଅବସ୍ଥା ସଂକଟାପନ୍ନ । ନାଡ଼ି ବେଳେ ବେଳେ ମିଳୁଛି ତ କେତେବେଳେ ମିଳୁନାହିଁ । ସ୍ଵର୍ଣ୍ଣଭସ୍ମରୁ ଟିକେ ମହୁ ସହିତ ଘୁଟି ଜନ୍ମେଜୟଙ୍କୁ ଖୁଆଇଦେଲେ କବିରାଜ । ଇନିସପେକ୍ଟରଙ୍କ ଉପସ୍ଥିତିରେ ସେ ନିର୍ଲିପ୍ତ ଭାବେ ଏସବୁ କରିଯାଉଥିଲେ ଗୋଟିଏ ଉଦ୍ଦେଶ୍ୟରେ…ଜନ୍ମେଜୟଙ୍କ ଜୀବନ ରକ୍ଷା କରିବା ପାଇଁ । ସେ ଜାଣୁଥିଲେ ଯେ ପୁଲିସ ହାତରେ ପଡ଼ିଲେ ଜନ୍ମେଜୟ ଆଉ ବର୍ତ୍ତିବେ ନାହିଁ । ପୁଲିସ ଜଗୁଆଳିମାନଙ୍କର ବ୍ୟୂହ ଭେଦକରି ଖସିଯିବାର ବାଟ ନଥିଲେ ମଧ୍ୟ ଭାବିବା ପାଇଁ ଯେ ଜନ୍ମେଜୟ ସମୟ ପାଇବେ ଏଥିପାଇଁ ଏସବୁ ଅଭିନୟ କରିଗଲେ କବିରାଜ; କିନ୍ତୁ ମେଘନାଦ ଖାଲିହାତରେ ଗଲେ ନାହିଁ–ବିଶ୍ଵନାଥ, ରଘୁ ଏବଂ ବୈରାଗୀଙ୍କୁ ସାଙ୍ଗରେ ନେଇଗଲେ । ବିଶ୍ଵନାଥ ପ୍ରତିବାଦ କରିଥିଲେ, ଓ୍ଵାରେଣ୍ଟ୍ ଦେଖାଇବା ପାଇଁ ଜିଦ୍ କରିଥିଲେ; କିନ୍ତୁ ମେଘନାଦ ସେଥିରେ କର୍ଣ୍ଣପାତ ନକରି କହିଲେ ମାମୁଁଘରକୁ ଯିବାପାଇଁ ଓ୍ଵାରେଣ୍ଟି ଦରକାର ହୁଏନି । ସେଇଠି ଘଣା ପେଲିଲେ, ପଥର ଚକି ଘୂରାଇଲେ ବିପ୍ଳବ ନିଶା ଛାଡ଼ିଯିବ…ଆରେ…ସିଂହ ଘରେ ମିରିଗ ନାଟ !

 

ମେଘନାଦଙ୍କ ସ୍ଵର ମେଘଗର୍ଜନ ପରି ଶୁଭୁଥିଲା ଜନ୍ମେଜୟଙ୍କୁ । ସାଥୀମାନଙ୍କୁ ଯେ ସହଜରେ ଧରିନେଲା ମେଘନାଦ ଏହା ସହ୍ୟ କରିପାରୁନଥିଲେ ମଧ୍ୟ ସେ ଥିଲେ ନିରୁପାୟ । ପିସ୍ତଲଟା କାମରେ ଆସିଲା ନାହିଁ, ହୁଏତ ଦରକାର ବେଳେ ଆଉ କେବେ କାମରେ ଆସିବ ।

 

ଜନ୍ମେଜୟଙ୍କ ନିକଟରେ ଯଥା ସମୟରେ ପାର୍ବତୀଙ୍କ ଦେହାନ୍ତ କବର ପହଞ୍ଚିଲା । ସେ କେତେ ମିନିଟ୍ ନିର୍ବାକ୍ ନିସ୍ପନ୍ଦ ପଡ଼ିରହିଲେ ବିଛଣା ଉପରେ । ପରିବାର ପାଇଁ ଯେପରି ଦେଶପାଇଁ ମଧ୍ୟ ସେହିପରି ପାର୍ବତୀଙ୍କ ତ୍ୟାଗ ଅତୁଳନୀୟ । ମୁହଁ ବୁଜି ସଂସାରର ସବୁ ଦୁଃଖ କଷ୍ଟ ସହି କେବଳ ଦେଇଗଲେ ନିଷ୍ଠା, ଶ୍ରଦ୍ଧା, ପ୍ରେମ । ବେଦନାସବୁକୁ ଅନ୍ତରରେ ଲୁଚାଇ ରଖି ବାଣ୍ଟିଦେଇଗଲେ ଅକଳନ୍ତି ଭଲପାଇବାର ଅମୃତ । ବିଶ୍ଵନାଥ ଭାଗ୍ୟବାନ୍ ଏପରି ସ୍ତ୍ରୀ ପାଇ । ଶଙ୍କର ଆହୁରି ଭାଗ୍ୟବାନ୍ ଏପରି ମା’ ପାଇ । ଆଉ ସେମାନେ ସମସ୍ତେ ଧନ୍ୟ ମଣିଷ ଭିତରେ ଏପରି ତ୍ୟାଗ, ନିଷ୍ଠା, ସ୍ନେହର ଏକ ପ୍ରତିମା ଦେଖି । ଦୀର୍ଘନିଶ୍ଵାସ ଛାଡ଼ିଲେ ଜନ୍ମେଜୟ ।

 

ବିଶ୍ଵନାଥ କ’ଣ କରିବେ ଖବର ପାଇଲେ । ଆଉ ଏପରି ଏକ ଦାରୁଣ ସମ୍ବାଦ ତାଙ୍କଠାରୁ ଗୋପନ ରଖିବା ମଧ୍ୟ ସମ୍ଭବ ନୁହେଁ । ଜନ୍ମେଜୟଙ୍କ ପ୍ରସ୍ତାବ ଶୁଣି କବିରାଜ ରାଜିହେଲେ ଏଇ ଶୋକ ସମ୍ବାଦ ନିଜେ ଯାଇ ବିଶ୍ଵନାଥଙ୍କୁ କହିବାପାଇଁ । ଜନ୍ମେଜୟଙ୍କୁ ଛାଡ଼ି ଯିବାପାଇଁ ଇଚ୍ଛା ନଥିଲା, କିନ୍ତୁ କର୍ତ୍ତ୍ୟବ ବେଳେ ବେଳେ ଏହିପରି ନିଷ୍ଠୁର । ବାଲେଶ୍ଵରରୁ ଶୀଘ୍ର ଫେରିଆସିବାର ଆଶ୍ଵାସନା ଦେଇ କବିରାଜ ବାହାରି ପଡ଼ିଲେ ସଙ୍ଗେ ସଙ୍ଗେ ।

 

ଜନ୍ମେଜୟ ପୁଣି ଏକଲା ହୋଇଗଲା । ଜୀବନସାରା ଯିଏ ନିଜ ଭିତରେ ନିଃସଙ୍ଗ, ଏକାକୀ ରହି ଆସିଛି ଆଜି ଏକା ରହିବା ପାଇଁ ତାଙ୍କୁ କେମିତି ମାଡ଼ି ମାଡ଼ି ପଡ଼ିଲାପରି ଲାଗେ । ଜୀବନସାରା ଖାଲି ଲଢ଼ି ଆସିଲେ, ଗୋଟେ ସ୍ଵପ୍ନକୁ ସାକାର କରିବାଲାଗି ସର୍ବସ୍ଵ ପଣ କରି ଲମ୍ଫ ଦେଇଥିଲେ ମୁକ୍ତି ସଂଗ୍ରାମରେ । ଗାନ୍ଧିଜୀଙ୍କ ଡାକରେ ସେ ଯୁଦ୍ଧ ଆରମ୍ଭ କରିଥିଲେ ସତ; କିନ୍ତୁ ପରେ ଘଟଣାଚକ୍ରରେ ମତ ପରିବର୍ତ୍ତନ କରି ସଶସ୍ତ୍ର ହିଂସାତ୍ମକ ବିପ୍ଳବର ପଥ ବାଛିନେଇଥିଲେ ଜନ୍ମେଜୟ । ସତ୍ୟ ଓ ଅହିଂସାର ମୂଲ୍ୟ ଥାଇପାରେ…କିନ୍ତୁ ସତ୍ୟ ଓ ଅହିଂସାଦ୍ଵାରା ଯେ କେହି ହିଂସ୍ର, ନିଷ୍ଠୁର, ଅତ୍ୟାଚାରୀ ଶାସକର ସାମନା କରିପାରେ ନାହିଁ ଏହି ମତରେ ଏବେ ବି ଅଟଳ ଜନ୍ମେଜୟ । ବେଳେ ବେଳେ ରାତି ଅଧରେ ନିଦ ଭାଙ୍ଗିଲେ ରାତିର ଶାନ୍ତ ନିରବତା ଭିତରୁ କେହି ଯେପରି କହେ–ହିଂସାଦ୍ଵାରା ହିଂସାକୁ ଜୟ କରିହୁଏନା, ଘୃଣାଦ୍ଵାରା ଘୃଣାକୁ ଜୟ କରିବା ସମ୍ଭବ ନୁହେଁ । ଅତ୍ୟାଚାରୀ ଶାସକର ଦୁଇଚାରିଜଣ ପ୍ରତିନିଧିଙ୍କୁ ହତ୍ୟାକଲେ ଦେଶ ମୁକ୍ତ ହୋଇଯିବ ନାହିଁ । ହଠାତ୍ ଆଜି କାହିଁକି ସେହିପରି ଗୋଟେ ସ୍ଵର ଶୁଭିଲା ତାଙ୍କୁ…ଅତି ପାଖରେ…ଅତି ପରିଚିତ…କାହାର ଏ ସ୍ଵର ? ପାର୍ବତୀର ?

 

ବିହ୍ଵଳ ହୋଇଗଲେ ଜନ୍ମେଜୟ । ଦିନେ ତର୍କ ନକରି, ପ୍ରତିବାଦ ନକରି କେବଳ ତିଳ ତିଳ କରି ନିଜକୁ ନିଃଶେଷ କରିଥିବା ପାର୍ବତୀଙ୍କ ସ୍ଵର ଇଏ । ତେବେ ଏକଥା ଆଗରୁ କହିଲେ ନାହିଁ କାହିଁକି । ଆଉ କହିଥିଲେ ସେ ବି କ’ଣ ମତ ପରିବର୍ତ୍ତନ କରିଥାଆନ୍ତେ ?

 

ଶଙ୍କର ପାଖକୁ ସହାନୁଭୂତିପୂର୍ଣ୍ଣ ବାର୍ତ୍ତା ଯଥା ସମୟରେ ପଠାଇଦେଲେ ଜନ୍ମେଜୟ । ସେଇ ଲୋକ ହାତରେ ଏ ଖବର ବି ପଠାଇଲେ ଯେ ଅନ୍ୟ ସାଥୀମାନଙ୍କ ସହିତ ବିଶ୍ଵନାଥ ବନ୍ଦୀ । ଏହି ଦୁଃସମ୍ବାଦ ଶୁଣି ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟାରେ ନିଜକୁ ଯୋଗ ଦେବାପାଇଁ ତାଙ୍କୁ ହୁଏତ ଅନୁମତି ମିଳିପାରେ…ନମିଳିପାରେ ମଧ୍ୟ । ଯଦି ନମିଳେ ସେ ଯେପରି ମାଆଙ୍କର ସତ୍କାର କାର୍ଯ୍ୟ ଯଥାରୀତି ସଂପନ୍ନ କରେ ।

 

ଆଜି ପ୍ରଥମକରି ଜନ୍ମେଜୟ ନିଜକୁ ଦୁର୍ବଳ ମନେକଲେ । ଆଜି ପ୍ରଥମକରି ମନରେ ସଂଶୟ ଜାଗିଲା ନିଜର ବିଶ୍ଵାସ ନେଇ । ତେବେ କ’ଣ ସେ ଯେଉଁ ମାର୍ଗରେ ଏପର୍ଯ୍ୟନ୍ତ ଚାଲିଆସିଲେ ତାହା ଏକମାତ୍ର ମାର୍ଗ ନୁହେଁ ? କେଜାଣି…

 

ପାର୍ବତୀଙ୍କ ଶୁଦ୍ଧିକ୍ରିୟାକୁ ଆସି ପାରିଲେ ନାହିଁ ବିଶ୍ଵନାଥ । ଠିକ୍ ସମୟରେ ପାର୍ବତୀଙ୍କ ଦେହାନ୍ତ ସମ୍ବାଦ ପାଇଲେ ସେ; କିନ୍ତୁ ପୁଲିସ ସୁପରିଟେଣ୍ଡଣ୍ଟ କହିଲେ ଯେ ବହୁ ଅଭିଯୋଗ ଓ ଅପରାଧ ସହିତ ଜଡ଼ିତ ତାଙ୍କ ପରି ଜଣେ ରାଷ୍ଟ୍ରଦ୍ରୋହୀକୁ ଜାମିନରେ ଦୁଇସପ୍ତାହ ପାଇଁ ଛାଡ଼ିବା ସମ୍ଭବ ନୁହେଁ । କଲେକ୍ଟରଙ୍କଠାରେ ଆବେଦନ କଲେ ବିଶ୍ଵନାଥ, ତାହା ମଧ୍ୟ ଅନୁରୂପ କାରଣରୁ ଆଗ୍ରହ୍ୟ ହେଲା । ବାଲେଶ୍ଵର ଜେଲ୍ ହାଜତରେ ବିଚାରାଧୀନ ବନ୍ଦୀ ହେଲେ ମଧ୍ୟ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ପ୍ରମାଣିତ ଅପରାଧୀ ପରି ବ୍ୟବହାର କରାଯାଉଥିଲା । ନ୍ୟାୟ ନୀତି ଯେ ସ୍ଵାଧିନତା ସଂଗ୍ରାମୀମାନଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ ଏହା ବାରମ୍ବାର ଘୋଷଣା କରୁଥିଲେ ଆଇନଶୃଙ୍ଖଳା ଦାୟିତ୍ଵରେ ଥିବା ଅଧିକାରୀମାନେ । ଅଥଚ ବ୍ରିଟିଶ୍ ନ୍ୟାୟନୀତି ଅନୁସାରେ ଏକାଧିକ ଅପରାଧୀ ଖସିଯାଆନ୍ତୁ ପଛକେ ଜଣେ ନିର୍ଦ୍ଦୋଷ ନିରପରାଧ ଦଣ୍ଡିତ ନହେଉ । ସାହେବମାନେ କହୁଥିବା ନୀତି ଓ କରୁଥିବା ବ୍ୟବହାର ମଧ୍ୟରେ ଦିନେ ପାର୍ଥକ୍ୟ ଦର୍ଶାଇ ଦେବାରୁ ବିଶ୍ଵନାଥଙ୍କୁ ଅପମାନିତ ଓ ଦଣ୍ଡିତ କରାଯାଇଥିଲା । ତା’ ପରଦିନ କିନ୍ତୁ ଜେଲ୍ ହାଜତରେ ଥିବା ଅଭିଯୁକ୍ତ ଆସାମୀମାନଙ୍କୁ ସମର୍ଥନ ଜଣାଇ ଜେଲରେ ଥିବା କଏଦୀମାନେ ଅନଶନ ସତ୍ୟାଗ୍ରହ ଘୋଷଣା କଲେ ।

 

ଜେଲ୍‍ କର୍ତ୍ତୃପକ୍ଷ ଭାବିଥିଲେ ଯେ ବୁଝାସୁଝା କଲେ ବା ଆବଶ୍ୟକ ହେଲେ ଧମକ ଚମକ ଦେଲେ କଏଦୀମାନେ ଅନଶନରୁ ନିବୃତ୍ତ ହେବେ; କିନ୍ତୁ ବିଶ୍ଵନାଥ ଓ ସାଥୀମାନଙ୍କୁ ଅନ୍ୟାୟରେ ଲାଞ୍ଛିତ, ଅପମାନିତ କରିଥିବା ଅଫିସର ଦଣ୍ଡିତ ନହେବା ପର୍ଯ୍ୟନ୍ତ ସେମାନେ କେହି ଅନ୍ନ ସ୍ପର୍ଶ କରିବେ ନାହିଁ ବୋଲି ଦୃଢ଼ୋକ୍ତି କରିବାରୁ ଅସୁବିଧାରେ ପଡ଼ିଗଲେ ଜେଲ୍ ସୁପରିଟେଣ୍ଡଣ୍ଟ-। ସୂଚନା ପାଇ ପୁଲିସ ସୁପରିଟେଣ୍ଡଣ୍ଟ ଏବଂ କଲେକ୍ଟର ଆସିଲେ । କଏଦୀମାନଙ୍କୁ ସତ୍ୟାଗ୍ରହ ପ୍ରତ୍ୟାହାର କରିବାପାଇଁ କହିବାରୁ ସେମାନେ ଜେଲ୍ ହାଜତରେ ଅଟକ ରଖାଯାଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି ହୋଇଥିବା ଅସଦ୍ ବ୍ୟବହାରର ପ୍ରତିକାର ନହେଲା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ପୁଣି ଆଉଥରେ ଦୋହରାଇବାରୁ କଲେକ୍ଟର ବାଧ୍ୟହୋଇ ଏକାନ୍ତରେ ଆଲୋଚନା କରିବା ପାଇଁ ଡକାଇ ପଠାଇଲେ ବିଶ୍ଵନାଥଙ୍କୁ ।

 

ବିଶ୍ଵନାଥଙ୍କୁ ସବୁ କହିଲେ । ନ୍ୟାୟନୀତି ଅନୁସାରେ ଅପରାଧ ପ୍ରମାଣିତ ନହେବା ପର୍ଯ୍ୟନ୍ତ ବ୍ୟକ୍ତି ନିର୍ଦ୍ଦୋଷ, ତେଣୁ ତାଙ୍କୁ କୌଣସି ଦଣ୍ଡ ଦିଆଯାଇପାରିବ ନାହିଁ । ବିଚାର ନକରି ବିଭିନ୍ନ କାରଣ ଦର୍ଶାଇ ବିଚାରାଧୀନ ବନ୍ଦୀମାନଙ୍କୁ ଜେଲ୍ ହାଜତରେ ଅଟକ ରଖିବା ମଧ୍ୟ ଆଇନସମ୍ମତ ନୁହେଁ । ତାଙ୍କ ସ୍ତ୍ରୀଙ୍କ ନିଧନ ସମ୍ବାଦ ଯଥା ସମୟରେ ସେ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ଵେ ସତ୍କାର କର୍ମରେ ଯୋଗ ଦେବାପାଇଁ ତାଙ୍କୁ ଅନୁମତି ଦିଆଗଲା ନାହିଁ । ସତ୍କାର କର୍ମ କରିବା ଅଧିକାର ଶାସନ ଅପହରଣ କରିବା ବେଆଇନ୍ ଏବଂ ମାନବିକତା ବିରୋଧୀ । ତା’ଛଡ଼ା ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନଥିବାରୁ ସେମାନଙ୍କୁ ନିମ୍ନତମ ମାନବିକ ଶିଷ୍ଟାଚାର ପ୍ରଦର୍ଶନ କରିବା ଉଚିତ୍ ।

 

କଲେକ୍ଟର ସାହେବ ବିବେକବାନ୍ ବ୍ୟକ୍ତି । ସେ ସବୁ ବୁଝିଲେ ସତ; କିନ୍ତୁ ହଠାତ୍ ପଦାଧୀକାରୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ପରିଣାମ ଖରାପ ହେବ ଭାବି ସମାଧାନର ପନ୍ଥା ଚିନ୍ତା କରିବାକୁ ଲାଗିଲେ । ସେଇଦିନ ସନ୍ଧ୍ୟାରେ ପୁଣି ଜେଲ୍‍କୁ ସଦଳବଳ ଆସିଲେ କଲେକ୍ଟର । ସମାଧାନର ସୂତ୍ର ସହିତ ଏକମତ ହେଲେ ବିଶ୍ଵନାଥ । ଅଭିଯୁକ୍ତ ଆସାମୀମାନଙ୍କୁ କାଳ ବିଳମ୍ବ ନକରି ଅଦାଲତରେ ହାଜର କରାଯିବ ଏବଂ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସ୍ତ୍ରୀ ବା ସେହିପରି ନିକଟ ସଂପର୍କୀୟଙ୍କ ବିୟୋଗ ଘଟିଲେ ସତ୍କାର କାର୍ଯ୍ୟରେ ଯୋଗଦେବାପାଇଁ ପ୍ୟାରୋଲରେ ଛାଡ଼ିଦିଆଯିବ । ନ୍ୟାୟନୀତି ଅନୁସାରେ ଅଭିଯୋଗ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଆସାମୀମାନଙ୍କୁ ଅପରାଧୀ କଏଦୀ ପରି ବ୍ୟବହାର କରାଯିବ ନାହିଁ ।

 

ଉଭୟପକ୍ଷ ସମାଧାନର ସୂତ୍ର ଗ୍ରହଣକରିନେଲେ ଏବଂ ଅନଶନ ସତ୍ୟାଗ୍ରହ ରାତି ଆଠଟାରେ ପ୍ରତ୍ୟାହାର କରିନେଲେ କଏଦୀମାନେ । ଜେଲ୍ ଭିତରେ ନ୍ୟାୟନୀତିର ଏଇ ପ୍ରଥମ ବିଜୟ । ପ୍ରଥମ ବିଜୟ ମହାତ୍ମାଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିର । ଏହାର ଆଉଗୋଟେ ଶୁଭଫଳ ହେଲା ଯେ ବିଶ୍ଵନାଥଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ କଠିନ ବ୍ୟବହାର କିଛି ପରିମାଣରେ କୋହଳ ହେଲା । ତାଙ୍କ ସ୍ତ୍ରୀଙ୍କ ସଂସ୍କାର କ୍ରିୟାରେ ନହେଲେ ସୁଦ୍ଧା ତା’ପରେ ପରିବାର ସହିତ ଯୋଗାଯୋଗ ରକ୍ଷା କରିବା ଲାଗି ତାଙ୍କୁ ଅନୁମତି ମିଳିଲା ଏବଂ ଶଙ୍କରକୁ ପୁଲିସ୍ ଗିରଫ କରିନେବାର କିଛିଦିନ ପରେ ତାକୁ ପୁଣି ଖଲାସ କରିଦିଆଗଲା ।

 

କିନ୍ତୁ ଏଣେ ଜନ୍ମେଜୟଙ୍କ ସ୍ଵାସ୍ଥ୍ୟର କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ, ବରଂ ଦିନକୁ ଦିନ ତାହା ହ୍ରାସ ପାଇବାରେ ଲାଗିଲା । ବାଲେଶ୍ଵରର ସିଭିଲ୍ ସର୍ଜନ ଜନ୍ମେଜୟଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି କବିରାଜଙ୍କ ନିର୍ଣ୍ଣୟକୁ ସମର୍ଥନ କରିବା ପରେ ଶେଷ ନିଶ୍ଵାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କୁ ଚାନ୍ଦିପୁରରେ ପୁଲିସର ନଜରବନ୍ଦୀ ଭାବେ ରଖିବା ଲାଗି ସ୍ଥିରକଲେ ସରକାର ।

 

[ ୨୫ ]

 

ମିତ୍ରପକ୍ଷର ବିଜୟ ସୂଚନା ପ୍ରତିଦିନ ଶୁଣିବାକୁ ମିଳୁଥିଲା । କଲିକତା ବନ୍ଦର ଉପରେ ଜାପାନୀମାନଙ୍କର ବୋମାବର୍ଷଣ ଶେଷ ପ୍ରାଣମୂର୍ଚ୍ଛା ଉଦ୍ୟମ କହିଲେ ଚଳେ । କଲିକତା ମହାନଗରୀରେ ଆତଙ୍କ ଖେଳି ଯାଇଥିଲା ଏବଂ ହଜାର ହଜାର ଲୋକ ଜୀବନରକ୍ଷା ପାଇଁ ପ୍ରତିଦିନ ରେଳ, ମୋଟର ଓ ସଡ଼କ ପଥରେ କଲିକତା ଛାଡ଼ି ପଳାଇଆସୁଥିଲେ । ବାଲେଶ୍ଵର ଓ ଚାନ୍ଦିପୁର କଲିକତା ନିକଟରେ ହୋଇଥିବାରୁ ବହୁ ଲୋକ ପଳାଇଆସି ନିଜର ସମ୍ପର୍କୀୟମାନଙ୍କ ଘରେ ଆଶ୍ରୟ ନେଇଥିଲେ । ଯୁଦ୍ଧ ବିଭୀଷିକା ଲୋକମାନଙ୍କୁ ଏପରି ଆତଙ୍କିତ କରିଦେଇଥିଲା ଯେ ଜାପାନୀମାନେ ପଛଘୁଞ୍ଚା ଦେଉଥିବାର ଖବର ପାଇ ମଧ୍ୟ ସେମାନେ ନିଶ୍ଚିନ୍ତ ହେଇନଥିଲେ ଏବଂ ଜୀବନ କେଡ଼େ ଅନିଶ୍ଚିତ ତାହା ସେମାନଙ୍କୁ ସଦାବେଳେ ଭୀତତ୍ରସ୍ତ କରି ରଖିଥିଲା ।

 

ସେଦିନ ହାଉଡ଼ା–ପୁରୀ ଯାତ୍ରୀବାହୀ ଗାଡ଼ିରେ କଲିକତା ଛାଡ଼ି ପଳାଇଆସିଥିବା ଶହ ଶହ ଲୋକଙ୍କ ମଧ୍ୟରୁ ଅନେକ ବାଲେଶ୍ଵର ଷ୍ଟେସନରେ ଓହ୍ଲାଇ ମୟୂରଭଞ୍ଜ, ନୀଳଗିରି ଓ ବାଲେଶ୍ଵର ଜିଲ୍ଲା ଆଭ୍ୟନ୍ତରକୁ ଚାଲିଗଲେ । ଗୋଟିଏ ମୁସଲମାନ ପରିବାର ଆଶ୍ରୟନେବା ଆଶାରେ ଆସି ପହଞ୍ଚିଲେ ଚାନ୍ଦିପୁରରେ । ସେତେବେଳକୁ ବେଳ ରତରତ । ସୂର୍ଯ୍ୟଙ୍କର ଶେଷ ରଶ୍ମି ସମୁଦ୍ର ଉପରେ ତରଳସୁନାପରି ମାଡ଼ିଯାଇଥାଏ ଦିଗ୍‍ବଳୟ ପର୍ଯ୍ୟନ୍ତ । ସେମାନେ ଥିଲେ ପାଞ୍ଚଜଣ । ତିନିଜଣ ପୁରୁଷ ଏବଂ ଦୁଇଜଣ ସ୍ତ୍ରୀ । ପୁରୁଷମାନଙ୍କ ମଧ୍ୟରୁ ଜଣେ ସମୁଦ୍ରରୁ ମାଛ ଧରି କୂଳରେ ଜାଲ ସଫା କରୁଥିବା ନୋଳିଆକୁ କ’ଣ ପଚାରିଲା । ଦୁହେଁ ଅଳ୍ପ ସମୟ ପାଇଁ କ’ଣ କଥାଭାଷା ହେଲେ । ଏହି ସମୟରେ ସମୁଦ୍ରକୂଳର ଶୋଭା ଦେଖିବା ଲାଗି ଆଉ ଚାରିଜଣ ଏଣେତେଣେ ବୁଲୁଥିଲେ । ସେମାନଙ୍କୁ ଦେଖି ସେମାନେ ଯେ ନିଶ୍ଚିନ୍ତ ଏହା ଜଣାପଡ଼ୁଥିଲା । ସେମାନେ ସେଠାରେ ବୁଲୁବୁଲୁ ସନ୍ଧ୍ୟା ନଇଁ ଆସିଲା ବଙ୍ଗୋପସାଗର ଉପରେ ।

 

ତା’ପରେ ସେମାନେ ଧୀରେ ଧୀରେ ବସ୍ତି ଆଡ଼କୁ ଗଲେ । ସେମାନଙ୍କ ମଧ୍ୟରୁ ଜଣେ ଯାଇ ଠିକଣା ବୁଝି ଆସିଲା । ଘର ଆଗରେ ପୁଲିସ ପଇଁତରା ମାରୁଥିବା ଦେଖି ମଧ୍ୟ ସେମାନେ କିଛି ନଜାଣିବା ପରି ପାଖରେ ଛିଡ଼ାହେଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ବୟସ୍କଲୋକ ପୁଲିସ୍ କନେଷ୍ଟବଳକୁ କାହାର ଠିକଣା ପଚାରିଲା । କନେଷ୍ଟବଳ ତାକୁ ଗାଁ ଆଡ଼କୁ ଯିବା ପାଇଁ କହିଲା । ସେମାନେ ଗ୍ରାମ ଭିତରେ ପଶି ଅଦୃଶ୍ୟ ହୋଇଗଲେ ।

 

କବିରାଜ ନାଡ଼ି ଦେଖି ଆଶା ଛାଡ଼ିଦେଲେ ବି ପାଖ ଛାଡ଼ି ଚାଲିଯାଇ ପାରୁନଥିଲେ ସପ୍ତାହେ ହୋଇଗଲା । ଜନ୍ମେଜୟ ଯେ ଅନ୍ତିମ ସମୟର ଅପେକ୍ଷା କରୁଛନ୍ତି ଏହା ସେ ମୁହଁରେ ନକହିଲେ ବି ଅନୁଭବରେ ଜାଣୁଥିଲେ । ଏତେ ବଡ଼ ତେଜୀୟାନ୍ ପୁରୁଷ ଗୋଟିଏ କନା ତିଆରି କୁଣ୍ଢେଇ ପରି ଦିନ ପରେ ଦିନ କିପରି ଶେଯରେ ପଡ଼ିରହି ସମୟ କଟାଇଦେଇପାରେ ତାହା ତାଙ୍କୁ ବିସ୍ମିତ କରୁଥିଲା; କିନ୍ତୁ ମୃତ୍ୟୁକୁ ଅପେକ୍ଷା କରୁଥିବା ଜଣେ ମଣିଷ ଭିତରେ କିଛି କରିବାର ଏତେ ଉଦ୍ଦାମ ବ୍ୟାକୁଳତା ସେ ଆଉ କାହିଁ ଦେଖିନଥିଲେ । ବଳ ଥିଲେ ସେ ଯେ ପାଚେରୀ ଡେଇଁ ସମୁଦ୍ର ସେପାଖର କୌଣସି ଏକ ଅଜ୍ଞାତ ଦ୍ଵୀପକୁ ଚାଲିଯାଆନ୍ତେ ବା ତାଙ୍କୁ ଜଗିଥିବା ସିପାହୀମାନଙ୍କୁ ପରାସ୍ତ କରି ନିଜ ଶକ୍ତି ବଳରେ ଆହୁରି କିଛି କରନ୍ତେ ଏଥିରେ ନିଃସନ୍ଦେହ ଥିଲେ ଚାନ୍ଦିପୁର ଅଞ୍ଚଳର ଧନ୍ଵନ୍ତରୀ ଦୀନବନ୍ଧୁ କବିରାଜ । ଜନ୍ମେଜୟଙ୍କ ଇଙ୍ଗିତ ପାଇ ସେ ନଇଁପଡ଼ିଲେ ତାଙ୍କ ମୁହଁ ପାଖରେ ।

 

ଜନ୍ମେଜୟ କହିଲେ–କଲିକତାରୁ କେହି ସାଥୀ ଆସିଥିବା ସୂଚନା ତାଙ୍କୁ ମିଳିସାରିଛି । ସେମାନଙ୍କ ସହିତ ତାଙ୍କର ଦେଖାହେବା ନିହାତି ଆବଶ୍ୟକ । ପୁଲିସ୍ ଜଗୁଆଳି ଥିବାବେଳେ ଏ ସାକ୍ଷାତ କିପରି ସମ୍ଭବ ହୋଇପାରେ ତାହା ନିର୍ଣ୍ଣୟ କରିବା ପାଇଁ ଜନ୍ମେଜୟ ଦାୟିତ୍ଵ ଦେଲେ କବିରାଜଙ୍କୁ ।

 

ଦୀନବନ୍ଧୁ କବିରାଜ ଦେଶଭକ୍ତ, ଦରଦୀ । ସେ କଥାଟିଏ ପ୍ରଘଟ କରାଇଦେଲେ ଯେ ଏଇ କାଳରାତି ବଡ଼ ବିଷମ । ଜନ୍ମେଜୟ ହୁଏତ ଏ ଘାଟି ଆଉ ପାର ହେବେ ନାହିଁ । ଅନ୍ତିମ ମୁହୂର୍ତ୍ତକୁ ଅପେକ୍ଷା କରୁଥିବା ଜନ୍ମେଜୟଙ୍କ ପାଖରେ ବସି ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ଆଉ ଜଣେ ଲୋକ ଦରକାର । ସେ କବିରାଜ ହେଲେ ବି ମଣିଷ । ପ୍ରାୟ ସପ୍ତାହେ ହେବ ଅନିଦ୍ରା ରହି ବଡ଼ କ୍ଳାନ୍ତ । କୌଣସି ପୁରୁଷଲୋକକୁ ପୁଲିସ୍ ଯଦି ଅନୁମତି ନଦିଅନ୍ତି ଜଣେ କେହି ସ୍ତ୍ରୀଲୋକ ସେବା କରିବା ସକାଶେ ପାଖରେ ରହିଲେ ଚଳିବ; କିନ୍ତୁ ଏଇ ଛୋଟ ବସ୍ତିରେ ସେପରି କେହି ସ୍ତ୍ରୀଲୋକ ଅଛି କି ?

 

ଏଇ କଥା ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହେଲା । ଜଣେ ଆଉ ଜଣକୁ କହିଲା । ଶେଷରେ ହରି ରଥଙ୍କ ବିଧବା କନ୍ୟା କବିରାଜଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବାଲାଗି ରାଜିଜହେଲା । ପୁଲିସ ମଧ୍ୟ ଆପତ୍ତି ନକରି ଅନୁମତି ଦେଲା । ହରି ରଥଙ୍କର ବିଧବା ଝିଅ ସଦର ଦରଜା ଦେଇ ଭିତରକୁ ପଶିଲାବେଳେ ସେଇ ଶୀର୍ଣ୍ଣକାୟା ମହିଳାକୁ ଦେଖି ପୁଲିସ ଆଶ୍ଵସ୍ତ ହେଲେ ।

 

ସନ୍ଧ୍ୟାବେଳ । ପୂର୍ବ-ଦକ୍ଷିଣ ଦିଗରେ ସଜବାଜ ହେଉଥିବା ମେଘ ରାତି ଛଅ ସାତ ଘଡ଼ି ବେଲକୁ ମୂଷଳଧାରାରେ ବର୍ଷିବାକୁ ଲାଗିଲା । ସମୁଦ୍ର ଆଡ଼ୁ ସୁ-ସୁ ହୋଇ ପ୍ରଚଣ୍ଡ ବେଗରେ ପବନ ବହିବା ଦେଖି ଝଡ଼ବତାସରୁ ରକ୍ଷାପାଇବାଲାଗି ଲୋକମାନେ ଘରଭିତରୁ ବାହାରୁନଥିଲେ । ପଲ୍ଲୀଗ୍ରାମ । ସନ୍ଧ୍ୟା ହେବାବେଳକୁ ନିର୍ଜନ ହୋଇଯାଏ ସମୁଦ୍ର କୂଳ । ଏ ଝଡ଼ ବର୍ଷାରେ କାଉ କୋଇଲି ବି ବସା ଛାଡ଼ି ବାହାରନ୍ତି ନାହିଁ ।

 

ଜନ୍ମେଜୟଙ୍କ ରକ୍ତହୀନ ପାଣ୍ଡୁର ମୁହଁ ଲଣ୍ଠନର ଈଷତ୍ ଆଲୁଅରେ ଅଧିକ ନିଷ୍ପ୍ରଭ ଦେଖାଯାଉଥିଲା । ସେ ଆଖି ବୁଜି ଶୋଇଥିଲେ । ତାଙ୍କ ସେବା କାର୍ଯ୍ୟରେ ନିଯୁକ୍ତ ସେଇ ମହିଳା କବାଟ ବନ୍ଦକରିଦେଇ ସତର୍କ ଦୃଷ୍ଟିରେ ଦେଖିନେଲେ ଚାରିଦିଗକୁ । ପୁଲିସ କନେଷ୍ଟବଳମାନେ ପାଚେରୀ ସେପାଖରେ ଥିବା ଖାଲିଘର ଭିତରେ ବସି ବର୍ଷା ଉପଭୋଗ କରୁଥିବାବେଳେ ଜଣଜଣ କରି ଶୋଇପଡ଼ିଲେ । ଜନ୍ମେଜୟ କୋଠରୀ ସାମ୍ନାରେ ପଇଁତରା ମାରୁଥିବା ସଶସ୍ତ୍ର ପ୍ରହରୀ ଜଣକ ବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ସଂଲଗ୍ନ କୋଠରୀ ଭିତରେ ନିଶ୍ଚିନ୍ତରେ ଶୋଇଯାଇଥିଲା । ବାହାରୁ ଭାସିଆସୁଥିବା ସମୁଦ୍ରର ଗର୍ଜନ ସହିତ ଝଡ଼ ବତାସର ସୁ–ସୁ ଶବ୍ଦ ଓ ବେଙ୍ଗମାନଙ୍କ ଶବ୍ଦ ଗମ୍ଭୀର କରିଦେଇଥିଲେ ପରିବେଶକୁ ।

 

ଜନ୍ମେଜୟଙ୍କ କପାଳ ଉପରେ ଏକ କୋମଳ ହାତର ସ୍ପର୍ଶ ପାଇ ଚମକିପଡ଼ି ଆଖି ଖୋଲିଲେ । ତାହା ଥିଲା ଏକ ସ୍ତ୍ରୀଲୋକର ହାତର କୋମଳ ସ୍ପର୍ଶ । ସେ ସ୍ପର୍ଶ ତାଙ୍କ ଚେତନାର ସଞ୍ଚରିତ ହୋଇଗଲା । ଅନେକ ବର୍ଷ ପୂର୍ବର ଘଟଣା ମନେ ପଡ଼ିଗଲା । ସେଦିନ ମଧ୍ୟ ଝଡ଼ବତାସରେ ଥରୁଥିଲା ପୃଥିବୀ । ତଥାପି ସେଇ ହାତର ଉଷ୍ମତା ତାଙ୍କୁ କ୍ଷଣକପାଇଁ ବିହ୍ଵଳ କରିଦେଇଥିଲା; କିନ୍ତୁ ପରକ୍ଷଣରେ ଆଉ ଗୋଟାଏ ଊର୍ଦ୍ଧ୍ଵମୁଖୀ ଚେତନାର ଆଲୋଡ଼ନରେ ସେ ଜାଗିଉଠି ସତର୍କ ହୋଇଯାଇଥିଲେ । କରବୀର ସେଇ ସ୍ନିଗ୍ଧ ଉଷ୍ଣ ସ୍ପର୍ଶ ଏବେ ବି ଅନ୍ତଃସ୍ଥଳର କେଉଁ ଅଜ୍ଞାତ କୋଣରେ ସାଇତି ରଖିଥିଲେ ତାହା ଏତେଦିନ ମନେନଥିଲା ତାଙ୍କର ।

 

ଜନ୍ମେଜୟଙ୍କ ଅଧାଖୋଲା ଆଖି ଉପରେ ମୁହଁ ରଖି କହିଲା ସେ–ତମେ ଡାକିନଥିଲ–ତଥାପି ମୁଁ ଆସିଛି… ମୋତେ କ୍ଷମା କର ।

 

ବହୁ ଦୂରରୁ ଭାସିଆସୁଥିବା ଏକ ଶବ୍ଦ ପରି ଶୁଭିଲା ଜନ୍ମେଜୟଙ୍କୁ । ସେ ସଚେତନ ହୋଇ ଆଉଥରେ ଆଖି ଖୋଲିଲେ । ସେଇ ଦୃଷ୍ଟିରେ ସମୁଦ୍ରର ଲୁକ୍‍କାୟିତ ଅଜସ୍ର ମଣିମାଣିକ୍ୟ ହଠାତ୍ ଯେପରି ଝଲସି ଉଠିଲା । ଜନ୍ମେଜୟ ଆଶ୍ଚର୍ଯ୍ୟ ହେଲେ ନାହିଁ । ସ୍ତିମିତ ସ୍ଵରରେ କହିଲେ–ଶେଷ ସମୟରେ ତମେ ଆସିଛ କରବୀ ? ମୋର କେଡ଼େ ଭାଗ୍ୟ !

 

କରବୀ ଆଖି ପୋଛି କହିଲେ–ନା,ନା, ଇମିତି କୁହନି । ସମୟ ହୋଇନି । ତୁମେ ଏପରି ଅସହାୟ ଭାବେ ଚାଲିଯାଇ ପାରିବ ନାହିଁ ।

 

ଜନ୍ମେଜୟ କହିଲେ–ଅନେକ କାମ ବାକି ରହିଗଲା କରବୀ…ସମୟ ଅଣ୍ଟିଲା ନାହିଁ ସବୁ ସମ୍ପୂର୍ଣ୍ଣ କରିବା ପାଇଁ । ଏବେ ବି ଭାରତ ପରାଧୀନ…

 

–ତମେ ଜାଣି ଖୁସିହେବ ଯେ ଭାରତର ସ୍ଵାଧୀନତା ଆଗାମୀ ଦିନର ସୂର୍ଯ୍ୟୋଦୟ ପରି ନିଶ୍ଚିତ, ଅବଧାରିତ । ହିଟ୍‍ଲର ହାରିଯାଇଛି । ମିତ୍ରପକ୍ଷ ସୈନ୍ୟ ଦଖଲ କରିନେଇଛନ୍ତି ଜର୍ମାନୀ । ଏଣେ ଜାପାନର ହିରୋସୀମା ଉପରେ ଆମେରିକା ପରମାଣୁ ବୋମା ପକେଇବା ଫଳରେ ଜାପାନର ମେରୁଦଣ୍ଡ ଭାଙ୍ଗିଯାଇଛି । ଆତ୍ମସମର୍ପଣ କରିବା ପାଇଁ ଜାପାନ ରାଜି ହୋଇଗଲାଣି ।

 

ଜନ୍ମେଜୟଙ୍କ ମୁହଁ ଉପରେ ସାମାନ୍ୟ ତରଙ୍ଗର ଆଭାସ ଦେଖି କହିଲେ କରବୀ–ଭାରତୀୟ ନୌସେନା ବ୍ରିଟିଶ୍ ସରକାରର ଆଦେଶ ଅମାନ୍ୟ କରିଛି । ସୈନ୍ୟବାହିନୀରେ ମଧ୍ୟ ବିଦ୍ରୋହର ନିଆଁ ଜଳିପାରେ ଯେକୌଣସି ମୁହୂର୍ତ୍ତରେ ।

ଜନ୍ମେଜୟଙ୍କ ମୁହଁ ଉପରେ ସୂତାଖିଏ ପରି ସ୍ନିଗ୍ଧ ସନ୍ତୋଷରେ ରେଖାଟିଏ ଆଙ୍କି ହୋଇଗଲା ।

–ଏଇ ଉପଯୁକ୍ତ ସମୟ । ଭାରତ ଆଉ ପରାଧୀନ କରି ରଖିବା ସମ୍ଭବ ନୁହେଁ ।

–କିନ୍ତୁ ଗାନ୍ଧିଜୀ ଓ ଅନ୍ୟାନ୍ୟ ନେତାମାନେ ତ ବନ୍ଦୀ ଏବେ ବି !

–ସେମାନଙ୍କୁ ମୁକ୍ତି ଦେବାର ମୁହୂର୍ତ୍ତ ବି ପାଖେଇଆସୁଛି–କହିଲେ କରବୀ !

କିଛି ସମୟ ଚୁପ୍ ରହିଲେ ଜନ୍ମେଜୟ । ତାଙ୍କ ଛାତି ଉପରେ ହାତ ବୁଲାଇଦେଇ କହିଲେ କରବୀ–ଯୁଦ୍ଧ ପରେ ବ୍ରିଟେନରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇ ସାରିଲାଣି-

–ଚର୍ଚ୍ଚିଲ୍ ଯଦି…

–ନା, ସେ ସମ୍ଭାବନା ମଧ୍ୟ କ୍ଷୀଣ । ଏ ସମୟର ସବୁଠାରୁ ବଡ଼ ବିଡ଼ମ୍ବନା ଏଇ ଯେ ଯିଏ ଇଂଲଣ୍ଡକୁ ବିଜୟୀ କରିଛି ସେଇ ଚର୍ଚ୍ଚିଲ୍ ପ୍ରତି ଇଂଲଣ୍ଡବାସୀ ବୀତସ୍ପୃହ । ସେମାନେ ନୂଆ ସରକାର, ନୂଆ ମୁହଁ ଚାହାଁନ୍ତି ।

 

ଜନ୍ମେଜୟ କହିଲେ–ମୁଁ ନଥିଲେ ବି ଚିନ୍ତା ନାହିଁ କରବୀ…ତୁମେ ସବୁ ରହିଥାଅ ଭାରତମାତାର ମୁକ୍ତି ଦେଖିବା ପାଇଁ । ସେଦିନ ଚକ୍ଷୁ ପବିତ୍ର ହେବ, ଧନ୍ୟ ହେବ ଭାରତବାସୀ ।

 

ତମେ ବି ଦେଖିବ ସେଇ ଦୃଶ୍ୟ…ଅନୁଭବ କରିବ ସେଇ ପୁଲକ । ସେତେବେଳେ ଅନୁଭବ କରିବ ମୁକ୍ତିର ଶିହରଣ ।

 

ଜନ୍ମେଜୟ କହିଲେ–ବେଳ ଆଉ ବେଶୀ ନାହିଁ ହାତରେ । ସେ ଆସିବ ବୋଲି ସୂଚନା ପାଇଥିଲି…କିନ୍ତୁ କାହିଁ ଏ ଯାଏଁ ତ ଆସିଲା ନାହିଁ ?

 

–କିଏ ? କରବୀ ପଚାରିଲେ ଉଦବିଗ୍ନ ହୋଇ ।

 

–ମୋର ମାନସପୁତ୍ର...ତା’ ନାମ ଶଙ୍କର ।

 

ଏକ ମୃଦୁ ଆଘାତ ଭାସିଆସିଲା କବାଟ ସେ ପାଖରୁ । ଏଇ ଝଡ଼ ବର୍ଷାରେ କୁଆ କୋଇଲି ବସା ଛାଡ଼ି ବାହାରୁ ନଥିବା ବେଳେ କିଏ ଆସିଲା ଏତେ ରାତିରେ ? ପୁଲିସ୍ ହୋଇଥିବ…ତଥାପି ଜନ୍ମେଜୟ ସୂଚନା ଦେଲେ କବାଟ ଖୋଲିବା ପାଇଁ । ସମୟ ଗଡ଼ିଯାଉଛି, ଆଉ କେତେ ଘଣ୍ଟା ପରେ ସେ ହୁଏତ ଆଉ କାହାକୁ ସ୍ଵାଗତ କରିବା ପାଇଁ ନଥିବେ ଏ ସଂସାରରେ-। ବିପ୍ଳବୀର ମୃତ୍ୟୁ ଆସେ ଏହିପରି; କିନ୍ତୁ ବିପ୍ଳବ ସବୁ କାଳରେ ଅମର । ବିପ୍ଳବ ସହିତ ଯେଉଁ ଚେତନା ଜନପ୍ରାଣକୁ ଆଲୋଡ଼ିତ କରେ ତାହା ତ ଚିରକାଳର ।

 

ଇନକିଲାବ୍ ଜିନ୍ଦାବାଦ୍…ଜନ୍ମେଜୟଙ୍କ ପାଦଧୂଳି ନେଇ କହିଲା ଶଙ୍କର ।

 

ଜୀବନର ସବୁ ଅପ୍ରତ୍ୟାଶିତ ଅଥଚ ଆକସ୍ମିକ ଘଟଣା ଗୋଟିକ ପରେ ଗୋଟିଏ ଘଟିଚାଲିଛି । ଆଜି ଦିନର ମୃତ୍ୟୁ ନାହିଁ । ମୃତ୍ୟୁ ନାହିଁ ମାନବିକ ସମ୍ପର୍କର । ମୃତ୍ୟୁନାହିଁ ଜନ୍ମେଜୟ ବିପ୍ଳବୀର । ଶୀର୍ଣ୍ଣ ମୁହଁ ଉପରେ ଇଷତ୍ ଆଭା ଉକୁଟିଉଠି ଲିଭିଗଲା ବିଜୁଳି ଚମକିବା ପରି । ଏଇ ଶେଷ ସମୟରେ ଶଙ୍କର ସହିତ ସାକ୍ଷାତ୍ ହୋଇଯିବାରୁ ନାଡ଼ିର ସ୍ପନ୍ଦନ ଦୃଢ଼ତର ହେଲା ।

 

କବିରାଜ ଆସି ନାଡ଼ି ଦେଖିଲେ । ସମସ୍ତଙ୍କୁ ଶାନ୍ତ ସମାହିତ ହେବାପାଇଁ ନିର୍ଦ୍ଦେଶ ଦେଲେ ।

 

କିନ୍ତୁ ଜନ୍ମେଜୟ ସୂଚନା ଦେଲେ ଶଙ୍କରକୁ ପାଖକୁ ଆସିବାପାଇଁ । ତାଙ୍କ ମଥା ପାଖରେ ବସି ମୁହଁ ଉପରେ ନଇଁ ପଡ଼ିଲା ଶଙ୍କର ।

 

–ତୋତେ ଯାହାଙ୍କ କଥା କହିନଥିଲି ଇଏ ସେଇ କରବୀ । ମୋ ପରେ ତାଙ୍କ ଦାୟିତ୍ଵ ତୋ ଉପରେ…

 

ଅଣନିଶ୍ଵାସୀ ହୋଇପଡ଼ୁଥିଲେ ଜନ୍ମେଜୟ । ଛାତି ଭିତର ଦଳି ମକଚି ହୋଇଯାଉଥିଲା ଯନ୍ତ୍ରଣାରେ ।

 

କବିରାଜ କହିଲେ–ଆପଣଙ୍କ ଅବସ୍ଥା ସଂକଟାପନ୍ନ…ଏତେବେଳେ ଭାବପ୍ରବଣ ହେବା ଉଚିତ୍ ନୁହେଁ ।

 

କିନ୍ତୁ କେଉଁ କାଳର ଅବରୁଦ୍ଧ ପ୍ରବଣତା ନଈବଢ଼ିର ସ୍ରୋତ ପରି ସବୁ ବାଧାବିଘ୍ନ ଭାଙ୍ଗି ବାହାରି ଆସିଲା କ୍ଷଣକରେ । ନିଃଶ୍ଵାସ ନେଇନପାରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେ । ଦୁର୍ଦ୍ଦାନ୍ତ ବ୍ରିଟିଶ୍ ସରକାରଙ୍କ ଲୌହ ଶୃଙ୍ଖଳା ଛିନ୍ନକରି ଯେଉଁ ବିପ୍ଳବୀ ମୁକ୍ତିର ମନ୍ତ୍ର ଗାଇ ଗାଇ ମହା ଉଲ୍ଲାସରେ ଅବାଟ ସଫାକରି ବାଟ ତିଆରି କରୁଥିଲା ଭବିଷ୍ୟତରେ ବଂଶଧରମାନଙ୍କ ପଥ ନିଷ୍କଣ୍ଟକ କରିବା ପାଇଁ, ଘଟଣାର ବିଚିତ୍ର ଗତିରେ ସେ ଆଜି ନିର୍ବଳ, ନିଃସହାୟ ସତ୍ତାଟିଏ ମାତ୍ର ।

 

ଶଙ୍କର କହିଲା–ଆପଣଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିବି ।

 

ବଳେଇ ପଡ଼ୁଥିବା ନିଃଶ୍ଵାସକୁ ଆୟତ୍ତ କରିବାକୁ ଯାଇ ଅସ୍ପଷ୍ଟ ସ୍ଵରରେ କହିଲେ ଜନ୍ମେଜୟ–ବିପ୍ଳବର ପଥ ଚିରକାଳ ଏଇପରି କଣ୍ଟକପୂର୍ଣ୍ଣ । ଚେତନାର ଉତ୍ତରଣକୁ କେହି କେବେ ଅବରୁଦ୍ଧ କରିପାରିନାହିଁ । ମୁଁ ସିନା ଚାଲିଯାଉଛି; କିନ୍ତୁ ସମସ୍ତଙ୍କର ପଥ ପ୍ରଶସ୍ତ ହେଉ, ଆଲୋକିତ ହେଉ । ମୁକ୍ତିମନ୍ତ୍ର ମନ୍ଦିତ ହେଉ ପ୍ରତି ପ୍ରାଣରେ… ଇନ୍‍କିଲାବ୍ ଜିନ୍ଦାବାଦ୍…ଶେଷ ଶବ୍ଦ ଉଚ୍ଚାରିତ ହେବା ପରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ଜନ୍ମେଜୟ ।

 

ସେଇ ଝଡ଼ରାତିକୁ ସାକ୍ଷୀ କରି ପ୍ରଭାତ ହେବା ପୂର୍ବରୁ ଶବ ସଂସ୍କାର କରିବାଲାଗି ପ୍ରସ୍ତୁତ ହେଲେ ସମସ୍ତେ ।

 

ସବୁ କାଳରେ ବନ୍ଦୀଶାଳାରେ କୃଷ୍ଣ ଜନ୍ମ ହୁଅନ୍ତି । ବିପୁଳ ପୃଥିବୀ ହୁଏ ତାଙ୍କର ରାଜ୍ୟ...ତାଙ୍କର ଲୀଳାକ୍ଷେତ୍ର ।

 

ପରାଧୀନ ଦେଶର ପ୍ରଜା ହୋଇ ମଧ୍ୟ ଶେଷ ପର୍ଯ୍ୟନ୍ତ ମନରେ ମୁକ୍ତ ଥିଲେ ଜନ୍ମେଜୟ-। ତାଙ୍କୁ ବନ୍ଦୀ କରିବା ପାଇଁ ସବୁ ଚେଷ୍ଟା ସବୁ ଚକ୍ରାନ୍ତ ବ୍ୟର୍ଥ ହୋଇଥିଲା ବ୍ରିଟିଶ୍ ସରକାରର-

 

ବିପ୍ଳବୀମାନେ କାନ୍ଦନ୍ତି ନାହିଁ । ତାଙ୍କ ମୃତ୍ୟୁରେ ଶୋକସଭା ହୁଏନାହିଁ । ସେମାନେ ମୂର୍ତ୍ତ ପ୍ରସାରିତ ହୁଅନ୍ତି ମୁକ୍ତିଚେତନାରେ ।

 

ତଥାପି ଶଙ୍କରର ଆଖିରୁ ବାଧା ନମାନି ଝରି ପଡ଼ୁଥିବା ଅଶ୍ରୁ ନିଜ ପଣତ କାନିରେ ପୋଛିହୋଇ ନିଜ ଉପରେ ତାକୁ ଆଉଜାଇ ନେଲେ କରବୀ । ସେଇ ହାତରେ ଥିଲା ଜନନୀର ସ୍ନିଗ୍‍ଧ କୋମଳ ଅଭୟ ସ୍ପର୍ଶ । ଉଷାର ପ୍ରଥମ ଆଲୋକରେ ଜାଗି ଉଠୁଥିଲା ଭାରତବର୍ଷ ନିଶ୍ଚିତ ଭବିଷ୍ୟତକୁ ସ୍ଵାଗତ କରିବା ପାଇଁ ।

Image